ମାଟି ରସଗୋଲା

ପ୍ରତିଦ୍ବନ୍ଦ୍ବିତା ଭିତ୍ତିକ ରାଜନୀତିର ତାତି ଯେତେବେଳେ ଚରମ ସୀମା ଛୁଇଁଥାଏ, ସେ ରାଜନୀତି କିପରି ପିଲାଙ୍କ କାହାଣୀ ଭଳି ହୋଇଯାଏ, ପିଲାବେଳେ ‘ଟୁଆଁ ଟୁଇଁ’ ଗପ ଶୁଣିଥିବା ସମସ୍ତ ପାଠକ ପାଠିକା ଏବେ ମୋଦୀ-ମମତା ନିର୍ବାଚନୀ ଲଢେ଼ଇର ସଦ୍ୟତମ ଦୃଶ୍ୟ ଦେଖି ତାହା ଅନୁଭବ କରୁଥିବେ। ପିଲାଙ୍କ କାହାଣୀରେ ଟୁଆଁ ଟୁଇଁ ପିଠା ତିଆରି କରିବା ପାଇଁ ଆବଶ୍ୟକ ଚୁଲି ପାଇଁ ଜାଳ ସ˚ଗ୍ରହ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ପ୍ରବେଶ କରି ଶୁଖିଲା ଡାଳ ଖଣ୍ତେ ଭାଙ୍ଗନ୍ତି। ଡାଳ ଭାଙ୍ଗିବା ଶବ୍ଦ ଶୁଣି ଜଙ୍ଗଲର ରାଜା ବାଘ ମାମୁ ଗର୍ଜନ କରି ସେଠାରେ ପହଞ୍ଚିଯାଏ। ବାଘ ହାବୁଡ଼ରୁ ଖସିବା ପାଇଁ ଟୁଆଁ ଟୁଇଁ ତାକୁ ପିଠା ଖାଇବାକୁ ଦେବେ ବୋଲି ପ୍ରଲୋଭନ ଦେଖାଇ ଜାଳ ନେଇ ଘରକୁ ଫେରନ୍ତି। ପିଠା ତିଆରି ଆରମ୍ଭ ହୁଏ। ଗୋଟିଏ ପିଠା ହେଲେ ଟୁଆଁ ତାହାକୁ ଖାଇଦିଏ। ପର ପିଠାଟିକୁ ଟୁଇଁ ଖାଇଦିଏ। ତା’ପର ପିଠାଟିକୁ ଟୁଆଁ, ତା’ ପର ପିଠା ଟୁଇଁ, ତା’ ପର ଟୁଆଁ…। ଏହି ପରି ସେମାନେ ଖାଉ ଖାଉ ସବୁତକ ପିଠଉ ଶେଷ ହୋଇଗଲା।
ଏତେବେଳକୁ ସେମାନଙ୍କର ବାଘମାମୁ କଥା ମନେ ପଡିଲା। ବାଘ ମାମୁକୁ ପାନେ ଦେବା ପାଇଁ ଟୁଆଁ ଟୁଇଁ ଏକ ଉପାୟ ଚିନ୍ତା କଲେ। ସେମାନେ ପିଠଉ ଜାଗାରେ ଆଣିଲେ ଗୋବର, ପୂର ଜାଗାରେ ଆଣିଲେ ଗୋଡି। ଏଥିରେ ପିଠା ତିଆରି କରି ବାହାରେ ଥୋଇ ଦେଇ କବାଟ କିଳି ଶୋଇ ପଡ଼ିଲେ। ସନ୍ଧ୍ୟାରେ ବାଘମାମୁଁ ଆସି ଡାକିବାରୁ ଟୁଆଁ ଟୁଇଁ ନିଦ ମଳମଳ ସ୍ବରରେ ଆମେ ଶୋଇଲୁଣି ବୋଲି କହି ବାହାରେ ଥିବା ପିଠାଟି ନେଇ ଖାଇଦେବାକୁ ତାକୁ କହିଲେ। ପିଠା ଖଣ୍ତେ ପାଟିରେ ପୁରାଇ, ଚୋବାଇ ଦିଅନ୍ତେ ଗୋବର ଗନ୍ଧରେ ମାମୁଙ୍କର ବାନ୍ତି ଉଠାଇଲା ଓ ଗୋଡିରେ ତାଙ୍କର ଦାନ୍ତ ଭାଙ୍ଗିଗଲା। ପଶ୍ଚିବଙ୍ଗର ମୁଖ୍ୟମନ୍ତ୍ରୀ ଏ କାହାଣୀରେ ମାତ୍ର ଦୁଇଟି ପରିବର୍ତ୍ତନ ଘଟାଇଛନ୍ତି: ପିଠା ସ୍ଥାନରେ ରସଗୋଲା, ଗୋବର ସ୍ଥାନରେ କାଦୁଅ। ସେ ଘୋଷଣା କରିଛନ୍ତି ଯେ ବାଘମାମୁ ସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଭିତରେ ଗୋଡ଼ି ପୂରାଇ କାଦୁଅରେ ତିଆରି ରସଗୋଲା ଖାଇବାକୁ ଦେବେ। ମୋଦୀଙ୍କ ଦାନ୍ତ ଭାଙ୍ଗିବା ନିଶ୍ଚିତ ରୂପେ ତାଙ୍କର ଉଦ୍ଦେଶ୍ୟ।
ଅବଶ୍ୟ ଏ ନୂତନ ଟୁଆଁ ଟୁଇଁ କାହାଣୀର ଏକ ଉପକ୍ରମ ରହିଛି ଯାହା ସହିତ ଅଧିକା˚ଶ ପାଠକ ପାଠିକା ପରିଚିତ ଥିବେ। ତଥାପି ସ˚କ୍ଷେପରେ ତାହା ଉପସ୍ଥାପନ କରାଯାଇପାରେ। ଗତ ସପ୍ତାହରେ ମମତା ମୋଦୀଙ୍କୁ ଲକ୍ଷ୍ୟ କରି ଉପହାସ କରିଥିଲେ ଯେ ଚଳିତ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟିକୁ ପଶ୍ଚିମବଙ୍ଗରେ ମିଳିବ ରସଗୋଲା। ଏ ରସଗୋଲା ହେଉଛି ଏକ ରୂପକ ମାତ୍ର- ରସଗୋଲାର ଆକୃତି ହେଉଛି ଗୋଲ, ଶୂନ ଭଳି। ତେଣୁ ମମତାଙ୍କ ବକ୍ରୋକ୍ତିର ଅର୍ଥ ହେଲା ନିର୍ବାଚନରେ ଭାଜପା ଫଳ ପାଇବ ଶୂନ, ଅର୍ଥାତ୍‌ ଗୋଟିଏ ବି ଆସନରେ ଜିତି ପାରିବ ନାହିଁ। ପଶ୍ଚିମବଙ୍ଗରେ ପ୍ରବେଶ କରିବା ପାଇଁ ଭାଜପା ପ୍ରାଣପଣେ ଉଦ୍ୟମ ଚଳାଇଥିବା ପରିପ୍ରେକ୍ଷୀରେ ମମତାଙ୍କ ଏପରି ଉପହାସ ବେଶ୍‌ ତାତ୍ପର୍ଯ୍ୟ ବହନ କରିଥାଏ। ମମତା ନିଜର ଦୁର୍ଗ ରକ୍ଷା କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ଜଣେ ତୀବ୍ର ମୋଦୀ-ବିରୋଧୀ ଓ ଭାଜପା-ବିରୋଧୀ ନେତ୍ରୀ ରୂପେ ପ୍ରଦର୍ଶିତ କରି ଆସିଛନ୍ତି।
ମମତା ଏହି ଶୂନରୂପକ ରସଗୋଲା ମନ୍ତବ୍ୟ ପ୍ରଦାନ କରିବା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ପ୍ରଦାନ କରିଥିବା ଏକ ସାକ୍ଷାତ୍‌କାରରେ ପ୍ରକାଶ କରି ଦେଲେ ଯେ ମମତା ଦିଦି ପ୍ରକୃତରେ ତାଙ୍କ ପାଖକୁ ପ୍ରତିବର୍ଷ ନିୟମିତ ଭାବରେ ସେ ପିନ୍ଧିବା ପାଇଁ କାମିଜ୍‌ ଓ ଖାଇବା ପାଇଁ ରସଗୋଲା ପଠାଇଥାନ୍ତି। ଏଥର ଶାଣିତ ବ୍ୟଙ୍ଗର ଶରବ୍ୟ ହୋଇଗଲେ ମମତା। କ˚ଗ୍ରେସ ନେତା ରାଜ୍‌ ବବ୍‌ବର ଉଦାହରଣ ସ୍ବରୂପ ପଚାରିବା ଦେଖାଗଲା- ମମତା ମୋଦୀଙ୍କର କାମିଜ୍‌ର ମାପ କିପରି ଜାଣିଲେ? ଏ କଟାକ୍ଷର ଅର୍ଥ ବୁଝିବା ମମତାଙ୍କ ପାଇଁ କଷ୍ଟକର ନୁହେଁ- ଏହାର ଅର୍ଥ ମୋଦୀଙ୍କୁ କାମିଜ୍‌ ଉପହାର ଦେବା ମମତାଙ୍କ ପାଇଁ ଏପରି ଏକ ନିୟମିତ ଅଭ୍ୟାସ ଯେ ମୋଦୀଙ୍କର କାମିଜ୍‌ ମାପ ତାଙ୍କର ମୁଖସ୍ଥ। ଆଉ ଏ ଅର୍ଥ ତଳେ ଲୁଚି ରହିଥିବା ଅସଲ ଅର୍ଥ ହେଲା- ମମତା ଭିତରେ ମୋଦୀଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିଥିବା ବେଳେ ଉପରେ ମୋଦୀଙ୍କୁ ବିରୋଧ କରୁଛନ୍ତି। ଏହାପରେ ସମ୍ପୂର୍ଣ୍ଣ ରୂପେ ଅପ୍ରସ୍ତୁତ ହୋଇଯାଇଥିବା ମମତା କ୍ରୋଧ ଜର୍ଜ୍ଜରିତ ହୋଇ ବାଘ ମାମୁ ରୂପକ ମୋଦୀଙ୍କୁ ଏଥର ଗୋଡ଼ିଭର୍ତ୍ତି ମାଟି ରସଗୋଲା ଖୁଆଇବେ ବୋଲି ଘୋଷଣା କରିଛନ୍ତି।
ପଶ୍ଚିମବଙ୍ଗରେ ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି ତାହା ହେଉଛି ବହୁଚର୍ଚ୍ଚିତ ‘ପ୍ରତିଦ୍ବନ୍ଦ୍ବିତା ମୂଳକ ରାଜନୀତି’ (ଆଡ୍‌ଭର୍ସାରିଆାଲ୍‌ ପଲିଟିକ୍‌ସ)ର ଏକ ନିଚ୍ଛକ ନମୁନା। ଏ କିସମର ରାଜନୀତି ହେଉଛି ସହମତି ଭିତ୍ତିକ ରାଜନୀତି (କନ୍‌ସେନ୍‌ସୁଆଲ୍‌ ପଲିଟିକ୍‌ସ)ର ସମ୍ପୂର୍ଣ୍ଣ ବିପରୀତ। ଏଥିରେ ଉଭୟ ପକ୍ଷର ରାଜନୈତିକ ଦର୍ଶନ ପରସ୍ପରର ସମ୍ପୂର୍ଣ୍ଣ ବିରୋଧୀ ହୋଇଥିବା ବେଳେ ନେତୃବର୍ଗମାନଙ୍କ ମଧୢରେ ସମ୍ପର୍କ ଅହି-ନକୁଳ ଶ୍ରେଣୀର ହୋଇଥାଏ। ପଶ୍ଚିମବଙ୍ଗରେ ଉଦାହରଣ ସ୍ବରୂପ ମମତାଙ୍କ ରାଜନୀତି ସମ୍ପୂର୍ଣ୍ଣ ରୂପେ ସ˚ଖ୍ୟାଲଘୁ ତୁଷ୍ଟୀକରଣ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ମୋଦୀଙ୍କ ଭାଜପା ହେଉଛି ଏପରି ତୁଷ୍ଟୀକରଣର ଚରମ ବିରୋଧୀ। ବ୍ୟକ୍ତିଗତ ସ୍ତରରେ ମଧୢ ପରସ୍ପର ମଧୢରେ ଆଦାନପ୍ରଦାନ ହେଉଥିବା ବାକ୍ୟବାଣ ନିର୍ମମ ଶ୍ରେଣୀର ହୋଇଥାଏ। ଯେମିତି, ଏକ ସଦ୍ୟତମ ନମୁନା ସ୍ବରୂପ ମମତା ମୋଦୀଙ୍କୁ ଚା’ବିକାଳି ପ୍ରଧାନମନ୍ତ୍ରୀ ଓ ତାଙ୍କ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଚା’ବିକାଳିଙ୍କ କେଟ୍‌ଲି କହିଥିବା ବେଳେ ମୋଦୀ ମମତାଙ୍କୁ ‘ସ୍ପିଡ୍‌ବ୍ରେକର‌୍‌ ଦିଦି’ ବୋଲି ସମ୍ବୋଧନ କରୁଛନ୍ତି।
ଅନେକ ସମୟରେ ଏଭଳି ପ୍ରତିଦ୍ବନ୍ଦ୍ବିତାମୂଳକ ରାଜନୀତିକୁ ମନ୍ତବ୍ୟକାରମାନେ ତୀବ୍ର ସମାଲୋଚନା କରିବା ଦେଖା ଯାଇଥାଏ। କିନ୍ତୁ ଆମେ ଗ୍ରହଣ କରିଥିବା ବ୍ରିଟିସ୍‌୍‌ ପାର୍ଲାମେଣ୍ଟାରି ବ୍ୟବସ୍ଥା ହିଁ ହେଉଛି ପ୍ରତିଦ୍ବନ୍ଦ୍ବିତାମୂଳକ। ବିଭିନ୍ନ ପକ୍ଷ ଏକତ୍ର ହୋଇ ଆଲୋଚନା କରି ନିଷ୍ପତ୍ତି ନେବା ପରିବର୍ତ୍ତେ, ଏ ବ୍ୟବସ୍ଥାରେ ସ˚ଖ୍ୟାଗରିଷ୍ଠ ଦଳ ବା ଗୋଷ୍ଠୀର ନିଷ୍ପତ୍ତି ହିଁ କାଏମ ହୁଏ। ଆମର ଆଇନ ବ୍ୟବସ୍ଥା ମଧୢ ଠିକ୍‌ ଏଇଭଳି ପ୍ରତିଦ୍ବନ୍ଦ୍ବିତା ଭିତ୍ତିକ। ଏଥିରେ ଉଭୟ ବାଦୀ ଓ ପ୍ରତିବାଦୀ ମିଳିତ ହୋଇ ସତ୍ୟର ସନ୍ଧାନ କରିବା ପରିବର୍ତ୍ତେ କୌଣସି ଗୋଟିଏ ପକ୍ଷର ମତକୁ ଅଦାଲତ ସତ୍ୟର ମର୍ଯ୍ୟାଦା ପ୍ରଦାନ କରିଥାନ୍ତି।
ରାଜନୀତିରେ ଠିକ୍‌ ତାହାହିଁ ଘଟିଥାଏ। ନିଜର ମତ ଜାହିର କରିବା ପାଇଁ ଆବଶ୍ୟକ ସ˚ଖ୍ୟା ଗରିଷ୍ଠତା ସନ୍ଧାନ କରିବା ଓ ହାସଲ କରିବା ହେଉଛି ନିର୍ବାଚନୀ ରାଜନୀତିର ଏକମାତ୍ର ଓ ଅନ୍ତିମ ଉଦ୍ଦେଶ୍ୟ। ଏ ଉଦ୍ଦେଶ୍ୟ ହାସଲ ପାଇଁ ମମତା ଦରକାର ହେଲେ ମୋଦୀଙ୍କୁ ମାଟି ରସଗୋଲା ଖୁଆଇବା ପାଇଁ ପଛାଇବେ ନାହିଁ। ତେବେ ଆମର ରାଜନୈତିକ ଦୃଶ୍ୟପଟ ଅତ୍ୟନ୍ତ ରୋଚକ ହୁଅନ୍ତା ଯଦି ଏହାର ଉତ୍ତରରେ ଚର୍ଚ୍ଚିଲ୍‌ଙ୍କୁ ଅନୁକରଣ କରି ମୋଦୀ ମମତାଙ୍କୁ କହନ୍ତେ: ‘‘ତୁମେ ଯଦି ମାଟି ରସଗୋଲା ଦେବ, ମୁଁ ତାକୁ ଖାଇଦେବି।’’ (ବ୍ରିଟେନ୍‌ର ପ୍ରଥମ ମହିଳା ଏମ୍‌ପି ନାନ୍‌ସି ଆଷ୍ଟର‌୍‌ ଏକ ଭୋଜି ସଭାରେ ଯେତେବେଳେ କହିଲେ: ‘‘ଵିନ୍‌ଷ୍ଟନ୍‌, ମୁଁ ଯଦି ତୁମ ପତ୍ନୀ ହୋଇଥାନ୍ତି, ତୁମ କଫିରେ ବିଷ ମିଶାଇ ଦିଅନ୍ତି।’’ ଵିନ୍‌ଷ୍ଟନ୍‌ ଚର୍ଚ୍ଚିଲ ତତ୍‌କ୍ଷଣାତ୍‌ ଉତ୍ତର ଦେଇଥିଲେ: ‘‘ନାନ୍‌ସି, ତୁମେ ମୋର ପତ୍ନୀ ହୋଇଥିଲେ ମୁଁ ତାହା ପିଇ ଦିଅନ୍ତି!’’)

ସମ୍ବନ୍ଧିତ ଖବର