‘ହାହାକାର’ ସ୍ଥିତିର ମୁକାବିଲା

0

ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ପ୍ରଳୟ ସୃଷ୍ଟି କରି ଚାଲିଯିବା ପରେ ଅଧା ଓଡ଼ିଶାରେ ଏବେ ହାହାକାରର ସ୍ଥିତି ଦେଖାଦେଇଛି। ମୁଖ୍ୟତଃ ବିଜୁଳି ଓ ପାଣିର ନାହିଁ ନାହିଁ ଅବସ୍ଥା ଯୋଗୁ ହିଁ ଏ ହାହାକାର। ପୁରୀଠାରେ ଉପକୂଳ ଅତିକ୍ରମ କରିବା ପରେ ଚଉଦଟି ଜିଲ୍ଲାର ପ୍ରାୟ ଦଶହଜାର ଗ୍ରାମ ଓ ୫୦ରୁ ଅଧିକ ଛୋଟବଡ଼ ସହରରେ ଧ୍ବ˚ସର ତାଣ୍ତବ ରଚି ଓଡ଼ିଶା ଛାଡ଼ିବାର ୨୪ ଘଣ୍ଟା ପରେ ପାଣିପାଗ ବଦଳି ଯାଇଛି। ଅଥଚ ୪୮ ଘଣ୍ଟା ପରେ ବି ଧ୍ବସ୍ତବିଧ୍ବସ୍ତ ପ୍ରଭାବିତ ବିଶାଳ ଅଞ୍ଚଳରେ ସ୍ବାଭାବିକ ଅବସ୍ଥା ଫେରୁଥିବାର ଲେଶମାତ୍ର ସୂଚନା ସୁଦ୍ଧା ମିଳୁନାହିଁ। କେବେ ପାଣି ବିଜୁଳି ମିଳିବ? କେବେ ସ୍ବାଭିବକତା ଫେରିବ? ଏ ପ୍ରଶ୍ନ ବିପନ୍ନଙ୍କୁ ଅସ୍ଥିର କରୁଛି। ପୂରା ସରକାରୀ କଳ ଓ ପ୍ରଭାବିତ ଅଞ୍ଚଳର କୋଟିଏରୁ ଅଧିକ ବାତ୍ୟାପୀଡ଼ିତ ମଣିଷଙ୍କ ଅହୋରାତ୍ର ଉଦ୍ୟମ ମଧୢ ଲାଇନଚ୍ୟୁତ ହୋଇଥିବା ସ୍ବାଭାବିକ ଜୀବନଯାତ୍ରାକୁ ବାଟକୁ ଫେରାଇ ଆଣିପାରୁନାହିଁ। ସ୍ବାଭାବିକତା ଫେରାଇ ଆଣିବା ଲାଗି ସବୁ ପ୍ରୟାସକୁ ନିଷ୍ଫଳ କରି ଦେଉଛି ପାଣି ଓ ବିଜୁଳିର ନାହିଁ ନାହିଁର ସ୍ଥିତି। ବିଜୁଳି ଓ ପାଣି ଯୋଗାଣ ପୁନଃବାହାଲ ନହେବା ପର୍ଯ୍ୟନ୍ତ ଜୀବନଯାତ୍ରା ସ୍ବାଭାବିକ ହେବା ଆଶା କ୍ଷୀଣ।

ଏମିତି ନୁହେଁ ଯେ, ସରକାରୀ କଳ ଏ ନେଇ ସଚେତନ ନୁହଁନ୍ତି କି ଏ ଦିଗରେ ପ୍ରୟାସ ହେଉନାହିଁ। କିନ୍ତୁ ପ୍ରଳୟଙ୍କରୀ ବାତ୍ୟା ଯୋଗୁ କ୍ଷୟକ୍ଷତିର ମାତ୍ରା ଏତେ ଅଧିକ ଯେ, ବିଜୁଳି ପାଣି ଯୋଗାଣ ଲାଗି ସରକାରୀ କଳର ଉଦ୍ୟମ ନିଅଣ୍ଟିଆ ପଡୁଛି। କେବଳ ଭୁବନେଶ୍ବର ପାଇଁ ୪୦ ହଜାର ନୂତନ ବଦ୍ୟୁତ୍‌ ଖୁଣ୍ଟ ଆବଶ୍ୟକ। ୧୨୦୦ କୋଟି ଟଙ୍କାର ବିଦ୍ୟୁତ୍‌ ଭିତ୍ତିଭୂମି ନଷ୍ଟ ହୋଇଛି। ପୁନଃ ନିର୍ମାଣ ଲାଗି ଆବଶ୍ୟକ ୧୨୫୦ କୋଟିର ଅଟକଳ ନିଅଣ୍ଟିଆ ପଡ଼ିପାରେ। କେତେକ ଅଞ୍ଚଳକୁ ପାଣି ଯୋଶାଇ ଦିଆଯାଉଛି। କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ପାଣି ଓ ବିଜୁଳି ଯୋଗାଣ ବିପର୍ଯ୍ୟସ୍ତ ଅବସ୍ଥାକୁ ସୁଧାରିବା ଲାଗି ଯେଉଁ ଗତିରେ ପୁନଃ ନିର୍ମାଣ କାର୍ଯ୍ୟ ଚାଲିଛି, ସେଥିରେ ସ୍ବାଭାବିକତା ଫେରିବା ଆହୁରି ବିଳମ୍ବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହା ପ୍ରଭାବିତ ଅଞ୍ଚଳରେ ଦେଖା ଦେଇଥିବା ହାହାକାର ସ୍ଥିତିକୁ ଅଧିକ ଶୋଚନୀୟ କରି ବାତ୍ୟା ବିପନ୍ନଙ୍କ ଦୁଃଖକୁ ବହୁଗୁଣିତ କରିବ। ତେଣୁ ପାଣି ଓ ବିଜୁଳି ଯୋଗାଣକୁ ଅନ୍ତତଃ ଶତକଡ଼ା ୫୦ ଭାଗ ପୁନଃବାହାଲ ପ୍ରତି ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ଏକାନ୍ତ ଆବଶ୍ୟକ। ପ୍ରଭାବିତ ଅଞ୍ଚଳରେ ପାଣି ବିଜୁଳି ଲାଗି ଏ ହାହାକାର ସ୍ଥିତି ଯେତିକି ଲମ୍ବା ହେବ, ବାତ୍ୟା ପୀଡ଼ିତଙ୍କ ଧୈର୍ଯ୍ୟଚ୍ୟୁତି ଘଟି ଦୁଃଖ ଅସନ୍ତୋଷ କ୍ରମଶଃ ଆକ୍ରୋଶରେ ରୂପାନ୍ତରିତ ହେବାର ଆଶଙ୍କା ସେତେ ଅଧିକ। ଅବଶ୍ୟ ସ୍ବାଭାବିକତା ଫେରାଇ ଆଣିବା ଲାଗି ସରକାରୀ କଳର ଦାୟିତ୍ବ ଓ ଦକ୍ଷତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲାବେଳେ ଆମେ ପ୍ରଭାବିତ ଅଞ୍ଚଳର ଜନସାଧାରଣ ନିଜ ଦାୟିତ୍ବ ପ୍ରତି ସଚେତନ ରହନ୍ତୁ ବୋଲି ନିବେଦନ କରୁଛୁ। ପୁନଃ ନିର୍ମାଣ କାର୍ଯ୍ୟରେ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ ରହିଲେ ସ୍ବାଭାବିକତା ଫେରାଇ ଆଣିବା ସହଜ ହେବ। କାର୍ଯ୍ୟ ଯେତେ କଠିନ ହେଲେ ସୁଦ୍ଧା, ମିଳିତ ଭାବେ ମଣିଷର ଦୃଢ଼ ଇଚ୍ଛାଶକ୍ତି ଓ ସାମୂହିକ ପ୍ରୟାସ ଫଳରେ ତାହା ସହଜ ଓ ସହଳ ହୁଏ। ଆଜି ସେହି ସମୟ ଆସିଛି, ଯେତେବେଳେ ଭୟଙ୍କର ସାମୁଦ୍ରିକ ଝଡ଼ର ପ୍ରଳୟଙ୍କରୀ ବିତ୍ପାତ ଜନିତ ପରିସ୍ଥତିର ମୁକାବିଲା ପାଇଁ କାନ୍ଧ କାନ୍ଧକୁ ମିଳାଇ ମିଳିତ ଉଦ୍ୟମ ଏକମାତ୍ର ବିକଳ୍ପ।

ବିଜୁଳି ଓ ପାଣି ଯୋଗାଣ ପୁନଃବାହାଲ ପରେ ଦ୍ବିତୀୟ ପ୍ରାଥମିକତା ସଡ଼କ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନଃ ପ୍ରତିଷ୍ଠା। ଗଛ ପଡ଼ିଯିବା ଫଳରେ ଅନେକ ଅଞ୍ଚଳକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଅବଶ୍ୟ, ଇତିମଧୢରେ ଅନେକ ମୁଖ୍ୟରାସ୍ତାରେ ଏବେ ଗାଡ଼ି ମଟର ଚଳାଚଳ ସ୍ବାଭାବିକ ହୋଇଯାଇଛି। କିନ୍ତୁ ଆଭ୍ୟନ୍ତରୀଣ ଅଞ୍ଚଳର ବହୁ ସ˚ଖ୍ୟକ ଗାଁ ଗଣ୍ତାକୁ ଏବେବି ସଡ଼କ ଯୋଗାଯୋଗ ବିଚ୍ଛିନ୍ନ। ପ୍ରଭାବିତ ଅଞ୍ଚଳକୁ ସଡ଼ଳ ଯୋଗାଯୋଗ ପୁନଃ ପ୍ରତିଷ୍ଠା, ବିପନ୍ନଙ୍କ ପାଖରେ ସହାୟତା ଏବ˚ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଏକାନ୍ତ ଜରୁରୀ। ଟେଲି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ଅନେକ ପ୍ରଭାବିତ ଅଞ୍ଚଳରୁ କ୍ଷୟକ୍ଷତିର ବିବରଣୀର ଠିକ୍‌ ସୂଚନା ମିଳିନାହିଁ। ରିଲିଫ୍‌ କାର୍ଯ୍ୟର ମଧୢ ପ୍ରଭାବଶାଳୀ ଢଙ୍ଗରେ ତଦାରଖ ହୋଇ ପାରୁନାହିଁ। ବହୁ ସ˚ଖ୍ୟାରେ ମାଇକ୍ରୋେଵଭ୍‌ ଓ ମୋବାଇଇ ଟାଵାରଗୁଡ଼ିକ ଯେଭଳି ଭାବେ ଗୁରୁତର କ୍ଷତିଗ୍ରସ୍ତ ହୋଇଛି ସେ ଦୃଷ୍ଟିରୁ ଏହା ଏକ କଡ଼ା ଆହ୍ବାନ। ଟେଲି ଯୋଗାଯୋଗ କ୍ଷେତ୍ରରେ ସ୍ବାଭାବିକତା ଫେରାଇ ଆଣିବା ଲାଗି ଆବଶ୍ୟକ ସ୍ଥଳେ ସେନାର ସହାୟତା ନିଆଯିବା ବିଷୟ ବିଚାର କରାଯାଇପାରେ।

ତୃତୀୟ ପ୍ରାଥମିକତା- କ୍ଷୟକ୍ଷତିର ଆକଳନ। ବର୍ତ୍ତମାନ ସୁଦ୍ଧା ବାତ୍ୟା ଯୋଗୁ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଚିତ୍ର ମିଳିନାହିଁ। ପୂର୍ଣ୍ଣାଙ୍ଗ ଚିତ୍ର ମିଳିବା ଲାଗି ଆଉ କିଛି ସମୟ ଲାଗିଯାଇପାରେ। କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପୂର୍ବବର୍ତ୍ତୀ ତିନିଟି ବାତ୍ୟା ଫାଇଲିନ୍‌- ୨୦୧୩, ହୁଡ୍‌ହୁଡ୍‌- ୨୦୧୪ ଓ ତିତ୍‌ଲି-୨୦୧୮ ଅପେକ୍ଷା ଏଥର ‘ଫନି’ ବିଭୀଷିକା ଜନିତ କ୍ଷୟକ୍ଷତିର ପରିମାଣ ବେଶ୍‌ ଅଧିକ। ସାତ ମାସ ତଳର ‘ତିତ୍‌ଲି’ରେ କ୍ଷୟକ୍ଷତିର ପରିମାଣ ୨,୭୬୫ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା। ୧୭ଟି ଜିଲ୍ଲାର ୧୨୮ଟି ବ୍ଲକ୍‌ର ୮,୧୨୫ଟି ଗ୍ରାମ ଓ ସହରର ୬୦ ଲକ୍ଷ ୧୧ ହଜାର ଲୋକ ତିତ୍‌ଲି ଦ୍ବାରା ପ୍ରଭାବିତ ହୋଇଥିଲେ। କିନ୍ତୁ ଏଥର ଫନି ଯୋଗୁ ଆର୍ଥିକ ଦୃଷ୍ଟିରୁ ଧନସ˚ପତ୍ତିର କ୍ଷୟକ୍ଷତିର ପରିମାଣ, ପ୍ରଭାବିତଙ୍କ ସ˚ଖ୍ୟା ଢେର ଅଧିକ ହେବ। ପ୍ରଭାବିତ ଅଞ୍ଚଳରେ ଆଶ୍ରୟସ୍ଥଳରେ ଥିବା ପୀଡ଼ିତଙ୍କୁ ୧୫ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଣ ଲାଗି ଘୋଷଣା କରାଯାଇଛି। ଏହି ପନ୍ଦର ଦିନର ଅବଧି ସରିବା ପୂର୍ବରୁ କ୍ଷୟକ୍ଷତିର ଆକଳନ ଓ ପୀଡ଼ିତ ପରିବାରଙ୍କ ତାଲିକା ଚୂଡ଼ାନ୍ତ ହୋଇଯିବା ଉଚିତ। ଫଳରେ ବାସହରା ହୋଇ ପଡ଼ିଥିବା ବିପନ୍ନ ପରିବାରଙ୍କୁ ତୁରନ୍ତ ଘରଭଙ୍ଗା ସାହାଯ୍ୟ ଓ ଉଜୁଡ଼ି ଯାଇଥିବା ଫସଲ ପାଇଁ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇ ପାରିବ, ଯାହାଦ୍ବାରା ବିପନ୍ନ ପରିବାର ମାନେ ପୁଣି ନୂଆ କରି ଜୀବନ ଓ ଜୀବିକା ଆରମ୍ଭ କରିପାରିବେ। ଏତେ ଭୟଙ୍କର ପ୍ରାକୃତିକ ଦୁର୍ବିପାକ ଜନିତ ପ୍ରଳୟ ସ୍ଥିତିରେ ଅନୁପାତରେ ମୃତାହତଙ୍କ ସ˚ଖ୍ୟା ନିଶ୍ଚୟ ଆଶ୍ବସ୍ତର ବିଷୟ। ସରକାରୀ ଭାବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସ˚ଖ୍ୟା ୨୯। ୨୦୦୮ରେ ଅନୁରୂପ ଆଉ ଏକ ଗ୍ରୀଷ୍ମକାଳୀନ ସାମଦ୍ରିକ ଝଡ଼ରେ ମିଆଁମାରରେ ୧ ଲକ୍ଷ ୪୦ ହଜାର ଲୋକଙ୍କ ମୃତ୍ୟୁ ଓ କୋଡ଼ିଏ ବର୍ଷ ତଳର ମହାବାତ୍ୟାରେ ମୃତ୍ୟୁ ସ˚ଖ୍ୟା ଦଶ ହଜାର ତୁଳନାରେ ଫନିର ମୃତ୍ୟୁ ସ˚ଖ୍ୟା ନିଶ୍ଚୟ ନଗଣ୍ୟ। ଏଥି ଲାଗି ଓଡ଼ିଶାକୁ ଜାତିସ˚ଘ ପ୍ରଶ˚ସା କରିଛି। କିନ୍ତୁ ଆମର ସମସ୍ତ ଦକ୍ଷତା ଓ କ୍ଷମତା କେବଳ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରରେ ସୀମିତ? ବିପର୍ଯ୍ୟୟ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶାର ସାମର୍ଥ୍ୟ ଓ ଦକ୍ଷତା ଉପରେ ଆଜି ପ୍ରଶ୍ନ ଉଠୁଛି। ସ୍ବାଭାବିକତା ଫେରାଇ ଆଣିବା ଲାଗି ଘୋଷିତ ଯୋଜନାର ପ୍ରତିଫଳନ କ୍ଷେତ୍ର ସ୍ତରରେ ଦେଖିବାକୁ ମିଳୁନାହିଁ। ସେଥି ପାଇଁ ବୋଧହୁଏ ହାହାକାରର ସ୍ଥିତି ଓ ଜୀବନ ଯାତ୍ର୍ରାରେ ସ୍ବାଭାବିକତା ଫେରିବା ବିଳମ୍ବିତ ହେଉଛି। ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହାନିକୁ ଏଡ଼ାଇବା ଲାଗି ଓଡ଼ିଶାର ସାମର୍ଥ୍ୟ ଓ ଦକ୍ଷତା ବିପର୍ଯ୍ୟୟ ପରବର୍ତ୍ତୀ ପରିସ୍ଥିତିର ମୁକାବିଲାରେ ବି ପ୍ରତିଫଳିତ ହେଲେ ଯାଇ ବିପର୍ଯ୍ୟୟ ମୁକାବିଲାରେ ଆମେ ସ˚ପୂର୍ଣ୍ଣ ସଫଳତାର ଦାବି କରିପାରିବା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.