ଜୀବନ-ଜୀବିକା

0

ଫନି ଭଳି ଗ୍ରୀଷ୍ମ ମଣ୍ତଳୀୟ ଘୂର୍ଣ୍ଣିବାତ୍ୟା ବା ଟ୍ରପିକାଲ୍‌ ସାଇକ୍ଲୋନ୍‌ର ସ˚ହାର ଲୀଳାର ଶିକାର ହୋଇଥିବା ଆମେ ସମସ୍ତେ ଏହାର ଦାନବୀୟ ଶକ୍ତି ସମ୍ବନ୍ଧରେ ଚିନ୍ତା କରି ଆଶ୍ଚର୍ଯ୍ୟଚକିତ ହେବା ସ୍ବାଭାବିକ। ବୈଜ୍ଞାନିକମାନେ ଏହାର ଶକ୍ତି ସମ୍ବନ୍ଧରେ କରିଥିବା ଏକ ନିର୍ଦ୍ଦିଷ୍ଟ ଆକଳନ ଉପର ବୃଷ୍ଟିପାତ କଲେ ଏ ଆଶ୍ଚର୍ଯ୍ୟଭାବ ଦୂର ହୋଇପାରେ। ସେମାନଙ୍କ ଆକଳନ ଅନୁସାରେ ଏପରି ଏକ ଘୂର୍ଣ୍ଣିବାତ୍ୟା ଯେଉଁ ଶକ୍ତି ନିର୍ଗମନ କରିଥାଏ ତାହା ହେଉଛି ଦୈନିକ ପ୍ରାୟ ୫୦ରୁ ୨୦୦ ଏକ୍ସାଜୁଲ୍‌ ହାରରେ। ପଦାର୍ଥବିଜ୍ଞାନ ଛାତ୍ରମାନେ ଶକ୍ତିର ଏହି ପରିମାପକ ସହିତ ସୁପରିଚିତ। କିନ୍ତୁ ସାଧାରଣ ଲୋକମାନଙ୍କର ବୁଝିବା ପାଇଁ ଏହାକୁ ଅନ୍ୟ ପ୍ରକାରରେ ଏକ ତୁଳନାତ୍ମକ ଢ଼ଙ୍ଗରେ ପ୍ରକାଶ କରାଯାଇ ପାରେ। ଏହି ହାରରେ ନିର୍ଗତ ହେଉଥିବା ଶକ୍ତି ସାରା ପୃଥିବୀରେ ମନୁଷ୍ୟମାନେ ବ୍ୟବହାର କରୁଥିବା ମୋଟ ଶକ୍ତିର ପ୍ରାୟ ୭୦ ଗୁଣ ଏବ˚ ସାରା ପୃଥିବୀର କେବଳ ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷମତାର ପ୍ରାୟ ୨୦୦ ଗୁଣ। ଏହାର ଆଉ ଏକ ଭୟଙ୍କର ତୁଳନା ହେଲା- ପ୍ରତି ୨୦ ମିନିଟ୍‌ରେ ଯଦି ଗୋଟିଏ ଲେଖାଏଁ ୧୦ ମେଗାଟନ୍‌ ଆଣବିକ ବୋମା ବିସ୍ଫୋରଣ କରାଯାଏ ସେଥିରୁ ଦିନକୁ ଯେତିକି ଶକ୍ତି ନିର୍ଗତ ହେବ, ଫନି ପରି ଘୂର୍ଣ୍ଣିବାତ୍ୟାରୁ ନିର୍ଗତ ହେଉଥିବା ଶକ୍ତି ସହ ତାହା ସମାନ ହେବ।

ଏପରି ଏକ ଅମିତ ବଳଶାଳୀ ଦାନବ ଯେଉଁ ପଥ ଦେଇ ଗତି କରିବ ସେଠାରେ କିପରି ଧ୍ବ˚ସଲୀଳା ରଚନା କରିବ ତାହା ଭାରତର ପୂର୍ବ ଉପକୂଳସ୍ଥିତ ରାଜ୍ୟମାନେ ନିୟମିତ ଅଙ୍ଗେ ନିଭାଇ ଆସିଛନ୍ତି ଏବ˚ ଉପକୂଳ ଓଡ଼ିଶାର ବାସିନ୍ଦାମାନେ ଏବେ ଫନି ବିଭୀଷିକା ଜନିତ ଯନ୍ତ୍ରଣାରେ ପଡି ତାହା ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛନ୍ତି। ଯେଉଁ ବୈଜ୍ଞାନିକମାନେ କ୍ରାନ୍ତୀମଣ୍ତଳୀୟ ଘୂର୍ଣ୍ଣିବାତ୍ୟାର ଏହି ଦାନବୀୟ ଶକ୍ତିର ଆକଳନ କରି ପାରିଛନ୍ତି, ସେମାନେ ମଧୢ ବିଭିନ୍ନ ସମୟରେ ଏ ଦାନବକୁ କିପରି ପରାହତ କରାଯାଇପାରିବ ସେ ସମ୍ବନ୍ଧରେ ରଣକୌଶଳ ମାନ ଉଦ୍ଭାବନ କରିବାକୁ ଚେଷ୍ଟା କରିଛନ୍ତି। ଏଥିରେ ଯାହା ସବୁ ସମ୍ଭାବ୍ୟ କୌଶଳ ଅନ୍ତର୍ଭୁକ୍ତ, ସେ ସମ୍ବନ୍ଧରେ ଏଠାରେ ଏକ ସ˚କ୍ଷିପ୍ତ ଦୃଷ୍ଟି ନିକ୍ଷେପ କରାଯାଇପାରେ। ଗୋଟିଏ ହେଲା ଘୂର୍ଣ୍ଣିବାତ୍ୟାର ଜଳକଣା ଧାରଣକାରୀ ବାଦଲରେ ସିଲ୍‌ଭର‌୍‌ ଆୟୋଡୋଇଡ୍‌ ସିଞ୍ଚନ କରି ତାର ଆଭ୍ୟନ୍ତରୀଣ ଅ˚ଶରେ ଶୀତଳୀକରଣ ସୃଷ୍ଟି କରି ତାର ବିଧ୍ବ˚ସକ ପ୍ରକ୍ରିୟାକୁ ଅକାମି କରିଦେବା। ଅନ୍ୟ ଏକ ଉପାୟ ହେଲା ସମୁଦ୍ର ବକ୍ଷର ଉତ୍ତପ୍ତ ଜଳରାଶିକୁ ପମ୍ପ କରି ତଳ ଭାଗକୁ ଠେଲି ଦେବା କିମ୍ବା ଘୂର୍ଣ୍ଣିବାତ୍ୟା ଉପରେ ବରଫ କ୍ଷେପଣ କରିବା କିମ୍ବା ଶବ୍ଦ ବିସ୍ଫୋରଣ (ସୋନିକ୍‌ ବୁମ୍‌) ସୃଷ୍ଟି କରି, ଦାନବକୁ ଭୀତତ୍ରସ୍ତ କରି ଦେବା ଅର୍ଥାତ୍‌ ଘୂର୍ଣ୍ଣିବଳୟ ପ୍ରକ୍ରିୟାକୁ ଇତସ୍ତତଃ କରି ଦେବା। ଏହିପରି ଆହୁରି ଅନେକ ବିଜ୍ଞାନ ସମ୍ଭୂତ ଉପାୟମାନଙ୍କ ମଧୢରୁ ଆଉ ଯେଉଁ ଗୋଟିକର ଏଠାରେ ଉଲ୍ଲେଖ କରାଯାଇପାରେ, ତାହା ହେଲା ଘୂର୍ଣ୍ଣିବାତ୍ୟାର ଶକ୍ତିକୁ କାଟିବା ପାଇଁ ଆଣବିକ ବିସ୍ଫୋରଣ।

ବୈଜ୍ଞାନିକମାନେ ହୁଏତ ଦିନେ ଏ ସମସ୍ତ କୌଶଳ ପ୍ରୟୋଗ କରି ଘୂର୍ଣ୍ଣିବାତ୍ୟାକୁ ସମ୍ପୂର୍ଣ୍ଣ ଶକ୍ତିହୀନ କରିବାରେ ସଫଳ ହେବେ ଏବ˚ ଏ କୌଶଳମାନଙ୍କ ମଧୢରୁ ଅନେକ ମଧୢ କ୍ଷତିକାରକ ପାର୍ଶ୍ବ ପ୍ରଭାବ ସୃଷ୍ଟି କରିପାରନ୍ତି- ଯେମିତି ଆଣବିକ ବିସ୍ଫୋରଣରୁ ସୃଷ୍ଟି ହେଉଥିବା ତେଜଷ୍କ୍ରିୟ ବିକିରଣ। କିନ୍ତୁ ସେ ସୁଦିନ ଆସିବା ପୂର୍ବରୁ ଯାହା କରାଯିବା ଉଚିତ ତାହା ବାତ୍ୟା ଦାନବ ସହିତ ମୁକାବିଲା ନୁହେଁ, ତା’ର ଶକ୍ତିକୁ ସ୍ବୀକାର କରି ଆତ୍ମରକ୍ଷା ପାଇଁ ସମସ୍ତ ସମ୍ଭବ ପ୍ରସ୍ତୁତି ଚଳାଇବା। ଆଉ ଏ ଆତ୍ମରକ୍ଷା କୌଶଳ ବ୍ୟବହାରରେ ସାରା ପୃଥିବୀରେ ଯିଏ ଏବେ ସର୍ବାଧିକ ସଫଳତା ହାସଲ କରି ପୃଥିବୀବାସୀଙ୍କର ଦୃଷ୍ଟି ଆକର୍ଷଣ କରିଛି ସେ ହେଉଛି ଓଡ଼ିଶା। ଖୋଦ୍‌ ଜାତିସ˚ଘ ଓଡ଼ିଶାର ଏହି ସଫଳତାକୁ ଫନି ଉତ୍ପାତ ପରିପ୍ରେକ୍ଷୀରେ ସ୍ବୀକାର କରି ଏଥିରେ ଆନ୍ତର୍ଜାତିକ ମୋହର ଲଗାଇଛି। ଜାତିସ˚ଘର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ଶାଖା ‘ଅଫିସ ଅଫ୍‌ ଡିଜାଷ୍ଟର‌୍‌ ରିସ୍କ ରିଡକ୍‌ସନ’ (ଓଡ଼ିଆର‌୍‌ଆର‌୍‌) ଏକ ବକ୍ତବ୍ୟ ପ୍ରଦାନ କରି ବାତ୍ୟାଜନିତ ଜୀବନ ହାନି ସମ୍ଭାବନାକୁ ସର୍ବନିମ୍ନ କରିବାରେ ଭାରତର ସଫଳତା (ଯାହା ବାସ୍ତବରେ ଓଡ଼ିଶାର ସଫଳତା)ର ଭୂରିଭୂରି ପ୍ରଶ˚ସା କରିଛି। ଘୂର୍ଣ୍ଣିବାତ୍ୟା ଫନିର ଉତ୍ପାତ ଆରମ୍ଭ ହେବା ପୂର୍ବରୁ ଏଠାରେ ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ବିପଦ ସମ୍ଭାବନା ଥିବା ଅଞ୍ଚଳରୁ ସ୍ଥାନାନ୍ତରିତ କରି ପ୍ରାୟ ୯୦୦ଟି ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯିବା ଦ୍ବାରା ଘଣ୍ଟାକୁ ପ୍ରାୟ ୧୭୫ କି.ମି ବେଗରେ ବହୁଥିବା ଫନିର କରାଳ ପ୍ରଭାବଜନିତ ମୃତ୍ୟୁ ସ˚ଖ୍ୟାକୁ ମାତ୍ର ୧୦ରେ ସୀମିତ କରାଯାଇ ପାରିଛି ବୋଲି ଶୁକ୍ରବାର ଦିନ ଜାତିସ˚ଘର ଏହି ଶାଖାର ଜଣେ ମୁଖପାତ୍ର ପ୍ରଶ˚ସା କରିଥିଲେ।

ପରବର୍ତ୍ତୀ ସମୟରେ ଅବଶ୍ୟ ମୃତ୍ୟୁ ସ˚ଖ୍ୟା ୪୦ ଛୁଇଁଛି, କିନ୍ତୁ ତାହା ମଧୢ ଯେ ପୂର୍ବର ଅନୁରୂପ ବିପର୍ଯ୍ୟୟ ତୁଳନାରେ ଅତ୍ୟନ୍ତ ନଗଣ୍ୟ ବୋଲି ‘ଵାଲର୍ଡ ମେଟିଓରୋଲୋଜିକାଲ୍‌ ଅର୍ଗାନାଇଜେସନ୍‌’ (ଡବ୍ଲ୍ୟୁଏମ୍‌ଓ)ର ଜଣେ ମୁଖ୍ୟପାତ୍ର ୧୯୯୯ର ସୁପର ସାଇକ୍ଲୋନ୍‌ ସହିତ ତୁଳନା କରି କହିଛନ୍ତି। ଏହି ମହାବାତ୍ୟାରେ ମୃତ୍ୟୁ ସ˚ଖ୍ୟା ୧୦,୦୦୦ ଟପିଥିଲା। ସେଇ ମୁଖପାତ୍ର ୨୦୧୩ରେ ଫାଇଲିନ୍‌ ବାତ୍ୟାର ତୀବ୍ରତା ସତ୍ତ୍ବେ ମୃତ୍ୟୁସ˚ଖ୍ୟାକୁ ମାତ୍ର ୪୫ ମଧୢରେ ସୀମିତ କରାଯାଇ ପାରିଥିଲା ବୋଲି ସେ ଏଇ ପରିପ୍ରେକ୍ଷୀରେ ପ୍ରଶ˚ସା କରିଥିଲେ। ମାର୍ଚ୍ଚ ୧୪ ତାରିଖରେ ଆଫ୍ରିକାର ମୋଜାମ୍ବିକ୍‌, ମାଲାଵି ଓ ଜିମ୍ବା‌‌‌‌େୱକୁ ଛାରଖାର କରିଥିବା ସାଇକ୍ଲୋନ୍‌ ‘ଇଡାଇ’ ପ୍ରାୟ ୧୦୦୦ରୁ ଅଧିକ ମୃତ୍ୟୁ ଘଟାଇଥିବା ପୃଷ୍ଠଭୂମିରେ ଓଡ଼ିଶାର ଏହି ଜୀବନରକ୍ଷା ସଫଳତା ସମସ୍ତଙ୍କୁ ସ୍ବାଭାବିକ ଭାବରେ ଚମତ୍କୃତ କରିଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରଦତ୍ତ ସଠିକ୍‌ ପୂର୍ବାନୁମାନ ଓ ସତର୍କତାର ବ୍ୟାପକ ପ୍ରସାର ସହିତ ଏତେ ବିଶାଳ ସ˚ଖ୍ୟକ ଲୋକଙ୍କୁ ବୁଝାଇ ସାବଲୀଳ ଭାବରେ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରସ୍ତୁତି ମିଶି ଏ ସଫଳତା ହାସଲ ହୋଇପାରିଛି। ଅନ୍ୟାନ୍ୟ କ୍ଷେତ୍ରମାନଙ୍କରେ ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ସର୍ବଦା ବାହାରର ସଫଳ ମଡେଲ୍‌କୁ ଅନୁକରଣ କରୁଥିବା ଦେଖାଯାଇଥାଏ। ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନରେ ଓଡ଼ିଶା ମଡେଲ୍‌ ବର୍ତ୍ତମାନ ବିଶ୍ବସାରା ଅନୁକରଣୀୟ ହୋଇଛି। ତେବେ ଜୀବନରକ୍ଷା, କିନ୍ତୁ ଗୋଟିଏ କଥା, ବାତ୍ୟା ବିପର୍ଯ୍ୟୟ ‘ପରେ ଜୀବିକା ରକ୍ଷା ଯେ ଏକ ସମ୍ପୂର୍ଣ୍ଣ ଭିନ୍ନ କଥା, ତାହା ‘ସମ୍ବାଦ’ର ମଇ ୬ ତାରିଖ ସ˚ସ୍କରଣରେ ପ୍ରକାଶିତ ସାମ୍ବାଦିକ ଭବାନୀ ଶଙ୍କର ତ୍ରିପାଠୀଙ୍କ ମୁଖ୍ୟ ନିବନ୍ଧର ପାଠକ ପାଠିକାମାନେ ପ୍ରାବନ୍ଧିକଙ୍କର ଅଙ୍ଗେ ନିଭା ବିବରଣୀରୁ ଭଲ ରୂପେ ହୃଦୟଙ୍ଗମ କରିଥିବେ। ଉଜୁଡା ଜୀବିକାର ଥଇଥାନ ପାଇଁ ଯେଉଁ ଦୀର୍ଘକାଳୀନ, ଦକ୍ଷ, ଦୁର୍ନୀତିମୁକ୍ତ, ନିଷ୍ଠାପର ଉଦ୍ୟମ ଆବଶ୍ୟକ, ସରକାର ତାହା ଯୋଗାଇବା ବାତ୍ୟା ସମୟରେ ଜୀବନରକ୍ଷା ଭଳି ସହଜ ନୁହେଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.