ବିଲୋପ ବିଦ୍ରୋହ

0

‘‘ତୁମର ଯଦି ଏକ ଭବିଷ୍ୟତ ଦରକାର, ତେବେ ଜୀବନ ପାଇଁ ବିଦ୍ରୋହ କର। ତୁମେ ଯଦି ନିଃଶ୍ବାସ ନେବା ପାଇଁ ବାୟୁ ଦରକାର କରୁଛ, ତେବେ ଜୀବନ ପାଇଁ ବିଦ୍ରୋହ କର। ତୁମେ ଯଦି ଖାଦ୍ୟ ଖାଉଛ, ତେବେ ଜୀବନ ପାଇଁ ବିଦ୍ରୋହ କର। ତୁମେ ଯଦି ପୃଥିବୀ ନାମକ ଗ୍ରହକୁ ତୁମ ଘର ବୋଲି କହୁଛ, ତେବେ ଜୀବନ ପାଇଁ ବିଦ୍ରୋହ କର। ଏଥିରେ ପସନ୍ଦ ଅପସନ୍ଦ କିଛି ନାହିଁ। ଏହା ଏକ କଠୋର ଆବଶ୍ୟକତା।’’ ଆମର ବିପଦଗ୍ରସ୍ତ ପରିବେଶ ଯୋଗୁଁ ଶେଷରେ ପୃଥିବୀ ପୃଷ୍ଠରେ ଯେ ଜୀବନର ବିଲୋପ ଘଟିପାରେ, ସେଥିପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏହା ହେଉଛି ପୃଥିବୀର ସର୍ବାଧିକ ଲୋକପ୍ରିୟ ପ୍ରକୃତିବିତ୍‌ ୯୨ ବର୍ଷୀୟ ସାର‌୍‌ ଡେଭିଡ୍‌ ଆଟେନ୍‌ବରୋଙ୍କର ମାନବ ସମାଜକୁ ଆହ୍ବାନ।
ସତେ ଯେମିତି ସାର‌୍‌ ଆଟେନ୍‌ବରୋଙ୍କର ଏହି ଆହ୍ବାନର ଜବାବ ସ୍ବରୂପ ଏପ୍ରିଲ୍‌ ମଧୢଭାଗରେ ଲଣ୍ତନରେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଘଟିବା ଦେଖା ଯାଇଥିଲା ଯାହା ସେ ସହରର ଗୁରୁତ୍ବପୂର୍ଣ୍ଣ ରାସ୍ତା ଓ ପୋଲମାନଙ୍କରେ ସ୍ବାଭାବିକ ଯାତାୟାତକୁ ୧୦ ଦିନ ଧରି ଅଚଳ କରି ଦେଇଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯେଉଁ, ନବଗଠିତ ସ˚ଗଠନ ଦ୍ବାରା ଏହି ଆନ୍ଦୋଳନର ଆୟୋଜନ କରାଯାଇଥିଲା, ତାହାର ନାମ ହେଉଛି ‘ବିଲୋପ ବିଦ୍ରୋହ’ (‘ଏକ୍‌ସଟିଙ୍କସନ୍‌ ରେବେଲିଅନ୍‌’) ଜଳବାୟୁ ପରିବର୍ତ୍ତନ ଯେ ଏକ ଜରୁରୀ ପରିସ୍ଥିତି ସୃଷ୍ଟି କରି ସାରିଲାଣି, ଏହି ସନ୍ଦେଶକୁ ଜୋର‌୍‌ଦାର ଢ଼ଙ୍ଗରେ ପ୍ରସାର କରିବା ହେଉଛି ଏହି ସ˚ଗଠନର ମୁଖ୍ୟ ଉଦ୍ଦେଶ୍ୟ। ଏହି ୧୦ ଦିନ ଧରି ବିଭିନ୍ନ ଚାଞ୍ଚଲ୍ୟ ସୃଷ୍ଟିକାରୀ କୌଶଳ ବ୍ୟବହାର କରି (ଯେମିତି ଓାଟର‌୍‌ଲୁ ପୋଲକୁ ଏକ ବଗିଚାରେ ରୂପାନ୍ତରିତ କରି କିମ୍ବା କେତେକ ଆନ୍ଦୋଳନକାରୀ ନିଜକୁ ପୋଲ ଖୁଣ୍ଟରେ ଯୋଡି ଦେବା ଭଳି ବାନ୍ଧି ଦେଇ) ଏହି ‘ବିଲୋପ ବିଦ୍ରୋହୀ’ ମାନେ କେବଳ ବ୍ରିଟେନ୍‌ରେ ନୁହେଁ, ସାରା ପୃଥିବୀରେ ଏକ ବ୍ୟାପକ ବିଲୋପ ସଚେତନତା ସୃଷ୍ଟି କରିଥିଲେ। ସ˚ଯୋଗକ୍ରମେ ସେମାନଙ୍କର ଏହି ଶକ୍ତିଶାଳୀ ଉଦ୍ୟମ ଆଉ ଏକ ନୂତନ ପୃଥିବୀବ୍ୟାପୀ ପରିବେଶ ସୁରକ୍ଷା ଉଦ୍ୟମ ସହିତ ତାଳ ଦେଇଥିଲା, ଯାହା ସ୍ବିଡେନ୍‌ର ଜଣେ ୧୬ ବର୍ଷୀୟା ଛାତ୍ରୀ ଗ୍ରେଟା ଥୁନ୍‌ବର୍ଗଙ୍କ ଦ୍ବାରା ଆରମ୍ଭ ହୋଇ ଇଉରୋପ ଓ ଆମେରିକାର ଯୁବ ପିଢ଼ି ମଧୢରେ ବ୍ୟାପି ଯାଇଥିଲା। ଗ୍ରେଟା ଥୁନ୍‌ବର୍ଗ ନିଜେ ଆସି ଲଣ୍ତନ୍‌ରେ ‘ବିଲୋପ ବିଦ୍ରୋହ’ରେ ଯୋଗ ଦେଇ ବ୍ରିଟେନ୍‌ର ସା˚ସଦମାନଙ୍କୁ ଯେଉଁ ଅଗ୍ନିବର୍ଷୀ ଉଦ୍‌ବୋଧନ ଦେଇଥିଲେ ତାହା ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲା। ଯେଉଁମାନେ ଜଳବାୟୁ ପରିବର୍ତ୍ତନ ବା ପରିବେଶର ବିପଦାପନ୍ନ ଅବସ୍ଥାର ସତ୍ୟତା ପ୍ରତି ସନ୍ଦେହ ପ୍ରକଟ କରୁଛନ୍ତି। (ଯେମିତି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ) ସେମାନଙ୍କ ସମ୍ମୁଖରେ ଏହାର ବିଜ୍ଞାନସମ୍ମତ ନିଷ୍ଠୁର ସତ୍ୟତା ଉପସ୍ଥାପିତ କରିବା ଥିଲା ତାଙ୍କ ଉଦ୍‌ବୋଧନର ଉଦ୍ଦେଶ୍ୟ।
ସତେ ଯେମିତି ଏହି ‘ବିଲୋପ ବିଦ୍ରୋହୀ’ମାନଙ୍କୁ ସମର୍ଥନ କଲା ଭଳି ସୋମବାର ଦିନ ମିଳିତ ଜାତିସ˚ଘ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ପୃଥିବୀରେ ପ୍ରାୟ ଏକ ନିୟୁତ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତି ବର୍ତ୍ତମାନ ଆସନ୍ନ ବିଲୋପର ସମ୍ମୁଖୀନ ହୋଇଛନ୍ତି, ଯାହା ମନୁଷ୍ୟର ବଞ୍ଚିରହିବା ପ୍ରତି ଏକ ପ୍ରଶ୍ନବାଦୀ ସୃଷ୍ଟି କଲାଣି। ‘ଇଣ୍ଟର‌୍‌ ଗଭର୍ଣ୍ଣମେଣ୍ଟାଲ୍‌ ସାଇନ୍‌ସ ପଲିସି ପ୍ଲାଟଫର୍ମ ଅନ୍‌ ବାୟୋଡାଇଭର୍ସିଟି ଆଣ୍ତ ଇକୋସିଷ୍ଟମ୍‌ ସର୍ଭିସେସ୍‌’ ଦ୍ବାରା ପ୍ରସ୍ତୁତ ଏହି ବ୍ୟାପକ ଗବେଷଣା ପ୍ରସୂତ ରିପୋର୍ଟ ଏହି ପ୍ରଜାତି ମାନଙ୍କର ବିଲୟକୁ ମାନବଜାତି ସହିତ ସ˚ଯୁକ୍ତ କରି ଖାଦ୍ୟ ଓ ଜଳ ନିରାପତ୍ତା, କୃଷି ଏବ˚ ଅର୍ଥନୀତି ଉପରେ ଏହାର ପ୍ରଭାବର ଅନୁଶୀଳନ କରିଛି। ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ପ୍ୟାନେଲ୍‌ର ଚେଆର‌୍‌ମ୍ୟାନ୍‌ ବ୍ରିଟିସ୍‌ ରସାୟନଶାସ୍ତ୍ରୀ ରବର୍ଟ ଵାଟ୍‌ସନ୍‌ କହିଛନ୍ତି ଯେ ଜୈବ ବିବିଧତାରେ ସ˚କୋଚନ ‘‘ଆମ ଅର୍ଥନୀତି, ଜୀବିକା, ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ ଏବ˚ ବିଶ୍ବବ୍ୟାପୀ ଜୀବନଧାରଣର ମାନ’’ର କ୍ଷୟ ସାଧନ କରୁଛି। ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ କିପରି ଏ ଆସନ୍ନ ବିପଦର ଏକ ସିଧାସଳଖ କାରଣ ରୂପେ କାର୍ଯ୍ୟ କରୁଛି, ରିପୋର୍ଟରେ ତାହାର ଯେଉଁ ବର୍ଣ୍ଣନା ଦିଆଯାଇଛି ତାହାର କେତେକ ନମୁନା ଏଠାରେ ଉଲ୍ଲେଖ କରାଯାଇପାରେ।
ଉତ୍ତପ୍ତ ଜଳବାୟୁ ସମୁଦ୍ରର ଜୈବ ପରିବେଶକୁ ଓଲଟପାଲଟ କରି ଦେଉଛି। ବିଶ୍ବ ବାଣିଜ୍ୟ ମାଧୢମରେ ଗୋଟିଏ ଦେଶର ନଷ୍ଟକାରୀ ପ୍ରଜାତିମାନ ଅନ୍ୟ ଏକ ଦେଶରେ ପହଞ୍ଚି ଯାଉଛନ୍ତି ଏବ˚ ସେ ଦେଶର ମୂଳ ପ୍ରଜାତି ମାନଙ୍କର ଧ୍ବ˚ସ ସାଧନ କରୁଛନ୍ତି ଯାହାର ଫଳାଫଳ ଭୟାନକ ହେଉଛି। ଉଦାହରଣ ସ୍ବରୂପ ଫସଲ ନଷ୍ଟକାରୀ ଷ୍ଟିଙ୍କ୍‌ ବଗ୍‌ସ ଏବ˚ ବୃକ୍ଷ ପ୍ରାଣନାଶକାରୀ ଏମେରାଲ୍‌ଡ଼ ଆସ୍‌ ବୋରର‌୍‌ କୀଟ ନୂତନ ଦେଶରେ ପହଞ୍ଚି ଫସଲ ଓ ଜଙ୍ଗଲର ଧ୍ବ˚ସ ସାଧନ କରିବା ଦେଖାଯାଉଛି। ଏପରିକି ବଣଜଙ୍ଗଲରେ ମନୋରଞ୍ଜନ ପାଇଁ ଭ୍ରମଣ କରୁଥିବା ପରିବ୍ରାଜକମାନେ ସେମାନଙ୍କ ଅଜାଣତରେ ସାଙ୍ଗରେ ନେଇ ଆସୁଥିବା ଫଙ୍ଗସ୍‌ ଅନ୍ୟ ଜୀବଜନ୍ତୁ ଓ ବୃକ୍ଷଲତା ପ୍ରତି ବିପଦ ସୃଷ୍ଟି କରିବା ଦେଖାଯାଇଛି। ଉତ୍ତପ୍ତ ସାଗର ଓ ତା’ର ବର୍ଦ୍ଧିଷ୍ଣୁ ଅମ୍ଳ ଜଳରାଶି ଯୋଗୁଁ ଧ୍ବ˚ସ ପାଉଥିବା ପ୍ରବାଳ କାନ୍ଥି ଯେ ଏକମାତ୍ର କ୍ଷତି, ତାହା ନୁହେଁ, ଏହି ପ୍ରବାଳ କାନ୍ଥି ଉପରେ ନିର୍ଭରଶୀଳ ସାମୁଦ୍ରିକ ମତ୍ସ୍ୟ ସମ୍ପଦର ମଧୢ ଏହାଦ୍ବାରା ବିନାଶ ଘଟିବ ଏବ˚ ଏହା ଉପରେ ନିର୍ଭରଶୀଳ କୋଟି କୋଟି ତଟବର୍ତ୍ତୀ ବାସିନ୍ଦା ସେମାନଙ୍କର ଜୀବିକା ହରାଇ ବସିବେ। ସେହିପରି ମହୁମାଛି ଏବ˚ ଅନ୍ୟାନ୍ୟ ପତଙ୍ଗମାନଙ୍କର ବିନାଶ ପରାଗସ˚ଗମକୁ ବ୍ୟାହତ କରି ବିଭିନ୍ନ ଫସଲର ଉତ୍ପାଦନଶୀଳତାରେ ତୀବ୍ର ହ୍ରାସ ଘଟାଇବ।
ଏହି ସୁଦୀର୍ଘ ରିପୋର୍ଟରେ ଆସନ୍ନ ବିପଦମାନଙ୍କର ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ତେବେ ଏହାର ଯେଉଁ ସାରମର୍ମର ଏଠାରେ ଉଲ୍ଲେଖ ପ୍ରୟୋଜନ, ତାହା ହେଲା ଯେଉଁ ପ୍ରାୟ ଏକ ନିୟୁତ ପ୍ରଜାତି ମନୁଷ୍ୟର କାର୍ଯ୍ୟକଳାପ ଯୋଗୁଁ ବର୍ତ୍ତମାନ ବିଲୟର ସମ୍ମୁଖୀନ, ତାହା ଯେ ଏକ ବିଶାଳ କ୍ଷତି ଏଥିରେ ସନ୍ଦେହ ନାହିଁ, କିନ୍ତୁ ତାହାଠାରୁ ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଉଛି ମନୁଷ୍ୟର ଜୀବନ ଉପରେ ତା’ର ପ୍ରତିକୂଳ ପ୍ରଭାବ। ପୂର୍ବରୁ କୁହାଯାଇଥିବା ଭଳି- ଖାଦ୍ୟ, ଜଳ, ଶକ୍ତି, ସ୍ବାସ୍ଥ୍ୟ ଆଦି ଏହି ଜୈବ ବିବିଧତା କ୍ଷୟ ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ହେବ।
ଜାତିସ˚ଘର ଏହି ରିପୋର୍ଟ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ରେମାଣ୍ଟିକ୍‌ ରିପୋର୍ଟ ନୁହେଁ। ଵାଟ୍‌ସନ୍‌ କହିଥିବା ଭଳି ଏହା ବୃକ୍ଷ ଆଲିଙ୍ଗନକାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ରିପୋର୍ଟ ନୁହେଁ; ଏହା ହେଉଛି ମାନବ ମଙ୍ଗଳର ସୁରକ୍ଷା ସାଧନ ପାଇଁ ଉଦ୍ଦିଷ୍ଟ ଏକ ରିପୋର୍ଟ। ବଡ଼ କଥା ହେଲା ରିପୋର୍ଟ ଅନୁସାରେ ଏବେବି ଅତି ବିଳମ୍ବ ହୋଇଯାଇ ନାହିଁ। ଏବେବି ଯଦି ପୃଥିବୀର ସମସ୍ତ ବିକଶିତ ଓ ବିକାଶଶୀଳ ଦେଶମାନେ ପ୍ରତ୍ୟେକ କ୍ଷେତ୍ରରେ ପରିବେଶ ଅନୁକୂଳ ନୀତିମାନ ପ୍ରଣୟନ ଓ କାର୍ଯ୍ୟକାରୀ କରିପାରିବେ- ମା˚ସାହାର ହ୍ରାସଠାରୁ କୋଇଲା ଜାଳିବା ବନ୍ଦ କରିବା ପର୍ଯ୍ୟନ୍ତ-ତେବେ ଏକ ନିୟୁତ ପ୍ରଜାତିମାନଙ୍କ ସହିତ ସାତ ସହ କୋଟିରୁ ଅଧିକ ମନୁଷ୍ୟ ମଧୢ ରକ୍ଷା ପାଇ ଯାଇପାରିବେ।  

ସମ୍ବନ୍ଧିତ ଖବର

Leave A Reply

Your email address will not be published.