‘ଫନି’ ପ୍ରଳୟର ତାଣ୍ତବ ରଚି ଚାଲିଯିବାର ସାତଦିନ ବିତିଗଲାଣି। ତଥାପି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜୀନଯାତ୍ରା ସ୍ବାଭାବିକତାଠାରୁ ବହୁ ଦୂରରେ। ‘ଫନି’ ବିଧ୍ବସ୍ତ ୧୧ଟି ଜିଲ୍ଲାର ୪୬ ସହରାଞ୍ଚଳ ଏବ˚ ୧୪, ୮୩୫ ଗାଁର ପ୍ରାୟ ଦେଢ଼ କୋଟି ପୀଡ଼ିତଙ୍କ ମନରେ ଏବେ ପ୍ରଶ୍ନ- ଉଜୁଡ଼ି ଯାଇଥିବା ଜୀବନଯାତ୍ରା ପୁଣି ସ୍ବାଭାବିକ ହେବ କେବେ? ପ୍ରବଳ ଗରମ ଓ ଗୁଳୁଗୁଳିରେ ପାଣି- ବିଜୁଳି ବିନା ଯନ୍ତ୍ରଣାଦାୟକ ଦୁର୍ବିଷହ ହାହାକାର ସ୍ଥିତି ସୁଧୁରିବ କେବେ? ଏ ସବୁ ପ୍ରଶ୍ନର ଉତ୍ତର ନେଇ ଅନିଶ୍ଚିତତା ବାତ୍ୟା ପୀଡ଼ିତଙ୍କ ହା ହୁତାଶନକୁ ବହୁଗୁଣିତ କରି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ କୌଣସି ସନ୍ଦେହ ନାହିଁ ଯେ, ‘ଫନି’ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାତାରାତି ସ୍ବାଭାବିକତା ଫେରିବା ସମ୍ଭବ ନୁହେଁ। ଏଥିପାଇଁ ନିଶ୍ଚୟ ସମୟ ଲାଗିବ। କିନ୍ତୁ ସେ ସମୟ କେତେ? ସ୍ବାଭାବିକତା ଫେରାଇ ଆଣିବା ଦିଗରେ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଥିବା ସରକାରୀ କଳ ଠାରୁ କେହି ଯାଦୁ ଆଶା କରୁନାହିଁ। କିନ୍ତୁ ଏଥିପାଇଁ ସମୟ କଦାପି ଅନିର୍ଦ୍ଦିଷ୍ଟ ହୋଇ ନପାରେ। ସାମର୍ଥ୍ୟ ଓ କାର୍ଯ୍ୟଦକ୍ଷତା ଆଧାରରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧୢରେ ସ୍ବାଭାବିକତା ବାହାଲ ହେବ ବୋଲି ଆଶା କରିବା ଆଦୌ ଅଯଥା ନୁହେଁ। ତେବେ ସ୍ଥିତି ସୁଧୁରିବା ନେଇ ଆଶା କ୍ରମଶଃ ହତାଶାରେ ପରିଣତ ହୋଇ ସ୍ଥଳ ବିଶେଷରେ ଅସନ୍ତୋଷର ରୂପ ନେଉଛି। କାରଣ, ସ୍ବାଭାବିକତା ଫେରାଇ ଆଣିବା ଦିଗରେ ଦୁଇଟି ମୌଳିକ ଆବଶ୍ୟକତା ପାଣି- ବିଜୁଳି ଯୋଗାଣ ପୁନଃବାହାଲ ନେଇ ଘୋଷଣା ଓ କାର୍ଯ୍ୟକାରିତା ମଧୢରେ ବିଶାଳ ବ୍ୟବଧାନ ଆଁ ମେଲାଇ ପୀଡ଼ିତଙ୍କୁ ଉପହାସ କରୁଛି। ଜଳଯୋଗାଣ ସୁଧୁରୁଛି କିନ୍ତୁ ବିଦ୍ୟୁତ୍ ଯୋଗାଣ ମନ୍ଥରତା ଓ ଅନିଶ୍ଚିତତା ଦ୍ବାରା ଗୁରୁତର ଆକ୍ରାନ୍ତ। ବିଦ୍ୟୁତ୍ ସେବା ପୁନଃବାହାଲ କ୍ଷେତ୍ରରେ ଉଭୟ ସାମର୍ଥ୍ୟ ଓ ଦକ୍ଷତା ଘୋର ନିଅଣ୍ଟିଆ ପଡ଼ିଯାଇଛି; ଯାହା ବିପର୍ଯ୍ୟୟ ମୁକାବିଲା ପ୍ରସଙ୍ଗରେ ସରକାରୀ କଳର ପୂର୍ବଘୋଷିତ ପ୍ରସ୍ତୁତି ଓ ପୁନଃ ନିର୍ମାଣ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟାଙ୍କ୍ ଓ ଟେଲିଯୋଗାଯୋଗ ସେବା ବିଦ୍ୟୁତ୍ ଉପରେ ଏତେ ନିର୍ଭରଶୀଳ ଯେ, ବିଦ୍ୟୁତ୍ ସେବା ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ସେଥିରେ ସ୍ବାଭାବିକତା ଫେରିବାର ଆଶା କ୍ଷୀଣ।
ଏହା ଅନସ୍ବୀକାର୍ଯ୍ୟ ଯେ, ବାତ୍ୟା ଯୋଗୁ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଦେଢ଼ଲକ୍ଷରୁ ଅଧିକ ସ˚ଖ୍ୟକ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିଛିି କିମ୍ବା ଭାଙ୍ଗି ଯାଇଛି। ବିଭିନ୍ନ କ୍ଷମତାର କେଭି ଲାଇନ, ସବ୍ଷ୍ଟେସନ ଓ ଟ୍ରାନ୍ସଫର୍ମର ଅଚଳ ହୋଇ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏହା ସତ୍ତ୍ବେ ଗତ ସାତ ଦିନ ମଧୢରେ ଡାକ୍ତରଖାନା ଭଳି ଅତ୍ୟାବଶ୍ୟକ ସେବାନୁଷ୍ଠାନଗୁଡ଼ିକ ସହ କିଛି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପୁନଃବାହାଲ କରାଯାଇ ପାରଛି। ଏଥିପାଇଁ ପୁନଃନିର୍ମାଣରେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀ ଓ ଶ୍ରମିକ ନିଶ୍ଚୟ ଧନ୍ୟବାଦର ପାତ୍ର। କିନ୍ତୁ ଏହା ଆଶା ଓ ଆବଶ୍ୟକତା ତୁଳନାରେ ଆଦୌ ପର୍ଯ୍ୟାପ୍ତ ନୁହେଁ। ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ପୁନଃନିର୍ମାଣ କାର୍ଯ୍ୟରେ ଅଧିକ କ୍ଷିପ୍ରତା ଓ ଦକ୍ଷତା ଏକାନ୍ତ ଅପରିହାର୍ଯ୍ୟ। ଅନ୍ୟଥା, ଅବସ୍ଥା ଅସମ୍ଭାଳ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ। ବିଦ୍ୟୁତ୍ ସେବା ପୁନଃବାହାଲ ପ୍ରସଙ୍ଗରେ ଯାହା ଅଧିକ ବିବ୍ରତ କରୁଛି ତା’ହେଲା ଘୋଷଣା ଓ ଏହାର କାର୍ଯ୍ୟକାରିତା ମଧୢରେ ବିରାଟ ବ୍ୟବଧାନ। କେବଳ ରାଜଧାନୀ ସହର ଭୁବନେଶ୍ବରର ଉଦାହରଣ ନିଆଯାଉ। ସୋମବାର ଦିନ ବିଭାଗୀୟ ସଚିବ ଘୋଷଣା କରିଥିଲେ ଯେ, ଚବିଶ ଘଣ୍ଟା ମଧୢରେ ସହରର ୨୫% ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇ ଦିଆଯିବ। କିନ୍ତୁ ମଙ୍ଗଳବାର ସୁଦ୍ଧା ମାତ୍ର ୧୦% ଉପଭୋକ୍ତାଙ୍କୁ ବିଜୁଳି ଦିଆଯାଇଥିବା ସରକାରୀ ଭାବେ ଦାବି କରାଯାଇଥିଲା। କିନ୍ତୁ ବାସ୍ତବରେ ମାତ୍ର ୨% ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଇ ଦେବା ସମ୍ଭବ ହୋଇଥିଲା। ଏହି କଚ୍ଛପ ଗତିରେ କାମ ଚାଲିଥିବାରୁ ସାତ ଦିନ ପରେ ସୁଦ୍ଧା ସହରର ୨୦% ଉପଭୋକ୍ତାଙ୍କୁ ବିଜୁଳି ମିଳି ନାହିଁ। ଏଥିରେ ୧୦ ତାରିଖ ସୁଦ୍ଧା ୮୦% ଏବ˚ ୧୨ ତାରିଖ ସୁଦ୍ଧା ରାଜଧାନୀର ଶତ ପ୍ରତିଶତ ଅର୍ଥାତ୍ ସମସ୍ତ ସାଢେ଼ ଚାରିଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ଉପରେ କିନ୍ତୁ ଭରସା ପାଉନାହିଁ। ଅନେକ ଅଞ୍ଚଳରେ ବିଦ୍ୟୁତ୍ ସେବା ପୁନଃବାହାଲ ହେବା ନେଇ ସାମାନ୍ୟତମ ଲକ୍ଷଣ ସୁଦ୍ଧା ଦେଖାଯାଉ ନାହିଁ। ଉପୁଡ଼ି ପଡ଼ିଥିବା ଖୁଣ୍ଟ ଓ ଝୁଲି ରହିଥିବା ତାର ଯେମିତିକୁ ସେମିତି ଅବସ୍ଥାରେ ଅଛି। ପଡ଼ିଥିବା ଗଛ, ଡାଳପତ୍ର ଆଦି ସଫା ହେଉନାହିଁ। ଦାବି କରାଯାଇଛି ଯେ ୨.୭୫୧ କର୍ମଚାରୀ ଓ ୫୧୬ ଗାଡ଼ି ସଫେଇ କାର୍ଯ୍ୟରେ ନିୟୋଜିତ। ଅଥଚ, ଅନେକ ରାସ୍ତାରେ ଗଛ, ଡାଳପତ୍ର ସେମିତି ପଡ଼ିରହିଛି କାହିଁକି? ଯଦି ରାଜଧାନୀର ସ୍ଥିତି ଏତେ ବିକଳ, ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଶ୍ରୀକ୍ଷେତ୍ର ପୁରୀ ଓ ଅନ୍ୟ ପ୍ରଭାବିତ ସହର ଓ ଗ୍ରାମାଞ୍ଚଳର ସ୍ଥତି କ’ଣ ହୋଇଥିବ? ତାହା କେବଳ ଅନୁମାନ ସାପେକ୍ଷ। କୁହାଯାଉଛି ଆସନ୍ତା ୧୨ ତାରିଖରେ ପୁରୀରେ କାର୍ଯ୍ୟ ଆରମ୍ଭ ହେବ। ବାତ୍ୟା ଯିବାର ଆଠ ଦିନ ପରେ କାର୍ଯ୍ୟାରମ୍ଭ ସ୍ବାଭାବିକ ଭାବେ ଏହାର ଅଗ୍ରଗତି ଓ ପୂରା ସହରକୁ ସମ୍ପୂର୍ଣ୍ଣ ବିଜୁଳି ମିଳିବା ବିଷୟ ଅନିଶ୍ଚିତତା ମଧୢକୁ ଠେଲି ଦେଉଛି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ପୁନଃ ନିର୍ମାଣ କାର୍ଯ୍ୟର ଏହା କ’ଣ ଅସଲ ସ୍ବରୂପ? ଏଥିରେ ଜୀବନ ଯାତ୍ରାରେ ସ୍ବାଭାବିକତା ଫେରିବା ନେଇ ଅନିଶ୍ଚିତତା ପ୍ରକାଶ ପାଇବା ଆଦୌ ଅସ୍ବାଭାବିକ ନୁହେଁ।
ବିଦ୍ୟୁତ୍ ସେବା ପୁନଃବାହାଲ କ୍ଷେତ୍ରରେ ମନ୍ଥରତା ଏବ˚ ଅନିଶ୍ଚିତତାର ମୁଖ୍ୟ କାରଣ ହେଲା, କୁଶଳୀ ଲୋକ ଶକ୍ତିର ଅଭାବ। ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ବିପର୍ଯ୍ୟସ୍ତ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସଜାଡ଼ିବା ଲାଗି ୧୦ ହଜାର ଗ୍ୟାଙ୍ଗ୍ମ୍ୟାନ୍ ଆବଶ୍ୟକ। ଅଥଚ, ପଡେ଼ାଶୀ ଆନ୍ଧ୍ର, ତେଲେଙ୍ଗାନା ଏବ˚ ପଶ୍ଚିମବଙ୍ଗରୁ ଆସିଥିବା କୁଶଳୀ ଶ୍ରମିକଙ୍କ ସମେତ ବର୍ତ୍ତମାନ ୩,୫୦୦ ଶ୍ରମିକ କାର୍ଯ୍ୟରତ। ଅର୍ଥାତ୍ ଆବଶ୍ୟକତାର ଏହା ୫୦% ବି ପୂରଣ କରିପାରୁନାହିଁ। ସପ୍ତାହକ ପରେ ବି ଆବଶ୍ୟକ ସ˚ଖ୍ୟାରେ କୁଶଳୀ ଶ୍ରମିକ ଯୋଗାଡ଼ ହୋଇ ପାରି ନାହିଁ କାହିଁକି? କାହାକୁ ବି ତ ଏହାର ଉତ୍ତରଦାୟିତ୍ବ ନେବାକୁ ପଡ଼ିବ। ଏହା ମୁକାବିଲା ପ୍ରସ୍ତୁତି ପାଇଁ ତଥାକଥିତ ଯୋଜନାରେ ଛିଦ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏବେ ବିଜୁଳି ଖୁଣ୍ଟ ପୋତିବା ଲାଗି ଯନ୍ତ୍ର ଏବ˚ ଅଧିକ ଗ୍ୟାଙ୍ଗ୍ମ୍ୟାନ୍ ପାଇଁ ବିଭିନ୍ନ କେନ୍ଦ୍ରୀୟ ସ˚ସ୍ଥା ଓ ରାଜ୍ୟମାନଙ୍କୁ ନିବେଦନ କରାଯାଇଛି। ଏହା ଦ୍ବାରା ଯେ ପୁନଃନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବ ସେ ଭରସା ପାଉ ନାହିଁ। କେବେ ଅତିରିକ୍ତ କୁଶଳୀ ଶ୍ରମଶକ୍ତି ଆସିବେ; ଯନ୍ତ୍ର ମିଳିବ ଓ କାମ ହେବ?
ପୁନଃନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ବିକଳ୍ପ ରଣକୌଶଳ ଖୋଜା ଯିବା ଆବଶ୍ୟକ। ବିଦ୍ୟୁତ୍ ସେବା ପୁନଃବାହାଲ କ୍ଷେତ୍ରରେ କୁଶଳୀ ଲୋକଶକ୍ତିର ଅଭାବ ଜନିତ ନିଅଣ୍ଟିଆ ଭରଣା ପାଇଁ ଗୋଟିଏ ବିକଳ୍ପ ପନ୍ଥା- ଜନତାଙ୍କ ସହଯୋଗ। କୁଶଳୀ ଶ୍ରମିକଙ୍କୁ ପୁନଃନିର୍ମାଣ କାର୍ଯ୍ୟରେ ସହାୟତା ଲାଗି ସାଧାରଣ ଜନତାଙ୍କ ସହଯୋଗ ଲୋଡ଼ାଯାଇପାରେ। ଅନେକ ଉଦାହରଣ ରହିଛି, ଯେଉଁଠି ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକଙ୍କ ସହାୟତା ଯୋଗୁ କାର୍ଯ୍ୟ ତ୍ବରାନ୍ବିତ ହୋଇ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ପୁନଃବାହାଲ ହୋଇଛି। ଏ ଦିଗରେ ବିଭିନ୍ନ ଅଞ୍ଚଳର ସ୍ଥାନୀୟ ରାଜନୈତିକ ଓ ସାମାଜିକ ନେତୃବର୍ଗ ଆଗେଇ ଆସିବା ଉଚିତ। ନିର୍ବାଚନ ସରିଯାଇଛି, ଫଳାଫଳ ଘୋଷଣାକୁ ଅପେକ୍ଷା କରାଯାଇଥିବା ବେଳେ ଏକପ୍ରକାର ରାଜନୈତିକ ଶୂନ୍ୟତା ଯୋଗୁ ପୁନଃନିର୍ମାଣ କାର୍ଯ୍ୟରେ ରାଜନୈତିକ ନେତା ଓ କର୍ମୀଙ୍କ ବିଶେଷ ସମ୍ପୃକ୍ତି ଦେଖାଯାଉନାହିଁ। ସହରାଞ୍ଚଳର ନିର୍ବାଚିତ ସ୍ବାୟତ୍ତ ସ˚ସ୍ଥା ଭାଙ୍ଗି ଯାଇଥିବାରୁ ତୃଣମୂଳ ସ୍ତରର ଜନପ୍ରତିନିଧିଙ୍କ ଅଭାବ ପୁନଃନିର୍ମାଣ କାର୍ଯ୍ୟକୁ ପ୍ରଭାବିତ କରୁଛି। ଏ ସ୍ଥିତି ବଦଳିବା ଦରକାର। ପୁନଃନିର୍ମାଣ କାର୍ଯ୍ୟରେ ନିୟୋଜିତ ସରକାରୀ କଳ ଓ ସାଧାରଣ ଜନତାଙ୍କ ମଧୢରେ ସମ୍ପର୍କର ସେତୁ ଭାବେ ସହଯୋଗ ଓ ସମନ୍ବୟ ପାଇଁ ଜନପ୍ରତିନିଧି, ଦଳ ନିର୍ବିଶେଷରେ ରାଜନୈତିକ ନେତୃବର୍ଗ, ବିଭିନ୍ନ ଅଞ୍ଚଳର ମୁରବିମାନଙ୍କ ଗଠନମୂଳକ ଭୂମିକା ସା˚ପ୍ରତିକ କଠିନ ସ୍ଥିତିର ମୁକାବିଲାରେ ଅବଶ୍ୟ ସହାୟକ ହେବ।
ବର୍ତ୍ତମାନର ରାଜନୈତିକ ଶୂନ୍ୟତା ସତ୍ତ୍ବେ ପୁନଃନିର୍ମାଣ କାର୍ଯ୍ୟର ମଙ୍ଗ ଧରିଥିବା ସରକାରୀ କଳର ବାବୁମାନେ ରାଜନୈତିକ ନେତୃବର୍ଗ ଓ ଜନପ୍ରତିନିଧିଙ୍କ ସହଯୋଗ ଲୋଡ଼ି ସେମାନଙ୍କୁ ପୁନଃନିର୍ମାଣ ପ୍ରକ୍ରିୟାରେ ସାମିଲ କରାନ୍ତୁ। ଅନ୍ୟଥା, ବାଧାପ୍ରାପ୍ତ ଜୀବନଯାତ୍ରାରେ ସ୍ବାଭାବିକତା ଫେରାଇ ଆଣିବା ସହଜ କି ସହଳ ହେବ ନାହିଁ।