ଶିଷ୍ଟାଚାରର କବର

ସାତ ପର୍ଯ୍ୟାୟ ବିଶିଷ୍ଟ ଊଣେଇଶ ସାଧାରଣ ନିର୍ବାଚନର ଲମ୍ବା ପ୍ରଚାର କାଳରେ ପ୍ରତିଦ୍ବନ୍ଦ୍ବୀ ନେତାଗଣ ପରସ୍ପର ବିରୋଧୀ ଆରୋପ-ପ୍ରତ୍ୟାରୋପ, ଅଶାଳୀନ ବୟାନ ବାଜି, ଏପରିକି ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇ ପରସ୍ପର ବିରୋଧରେ କୁତ୍ସା ରଟନାରେ ବ୍ୟସ୍ତ। ଏହି ଅସ୍ବସ୍ତିକର ଧାରା ଆମେରିକୀୟ ଲେଖକ ଓ ଚିନ୍ତକ ମାର୍କ ଟ୍ବାଇନ୍‌ଙ୍କ ବହୁଳ ଉଦ୍ଧୃତ ଗୋଟିଏ ବାକ୍ୟକୁ ବାରମ୍ବାର ମନେ ପକାଇ ଦେଉଛି। ଟ୍ବାଇନ୍‌ଙ୍କ ଭକ୍ତି ଥିଲା, ମଣିଷର ଆଚାର, ବ୍ୟବହାର କେତେ ତଳକୁ ଖସି ଯାଇପାରେ, ତାହା ନିର୍ବାଚନ ସମୟରେ ସ୍ପଷ୍ଟ ଜଣାପଡେ଼। ଆମେରିକୀୟ ଗଣତନ୍ତ୍ରରେ ନିର୍ବାଚନ ପ୍ରସଙ୍ଗରେ ମାର୍କ ଟ୍ବାଇନ୍‌ ଏହି କଟାକ୍ଷପୂର୍ଣ୍ଣ ଟିପ୍ପଣୀ ଦେଇଥିବେ। କିନ୍ତୁ ମାର୍କିନ୍‌ ଗଣତନ୍ତ୍ରରେ ନିର୍ବାଚନ ପରିପ୍ରେକ୍ଷୀରେ ଟ୍ବାଇନ୍‌ଙ୍କ ଏ ମନ୍ତବ୍ୟ ଯେତେ ସତ, ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ର ଭାରତର ନିର୍ବାଚନ ପରିପ୍ରେକ୍ଷୀରେ ତା’ଠାରୁ ସହସ୍ରଗୁଣ ଅଧିକ ସତ।

ଟ୍ବାଇନ୍‌ଙ୍କ ଆପ୍ତବାକ୍ୟର କଷଟିରେ ପରଖିଲେ ଭାରତୀୟ ମତଦାତାଙ୍କ ସ୍ଖଳନ ନଗଦ ଟଙ୍କା, ନିଶାଦ୍ରବ୍ୟ କିମ୍ବା ଅନ୍ୟପ୍ରକାର ପ୍ରଲୋଭନ ଦ୍ବାରା ପ୍ରଭାବିତ ହେବାରେ ସୀମିତ। ଏହା କିଛି ନୂଆ କଥା ନୁହେଁ। ୧୯୫୨ ପ୍ରଥମ ସାଧାରଣ ନିର୍ବାଚନରୁ ମତଦାତାଙ୍କୁ ଅସାଧୁ ଉପାୟରେ ପ୍ରଭାବିତ କରିବାର ଏହି ଅସୁସ୍ଥ ଧାରା ଜାରି ରହିଆସିଛି। ଏଥର ନିର୍ବାଚନରେ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ଅର୍ଥବଳ ପ୍ରୟୋଗର ମାତ୍ରା ବୃଦ୍ଧି ନିଶ୍ଚୟ ଉଦ୍‌ବେଗଜନକ। ତେବେ ନିର୍ବାଚନ ବେଳେ ସାଧାରଣ ଜନତାଙ୍କ ଚରିତ୍ରରେ ସ୍ଖଳନ ଯେତିକି ଉଦ୍‌ବେଗଜନକ, ତା’ଠାରୁ ବହୁଗୁଣ ଅଧିକ ଉଦ୍‌ବେଗଜନକ ନେତାଙ୍କ ଚରିତ୍ରରେ ପରିଲକ୍ଷିତ ହେଉଥିବା ଦ୍ରୁତ ସ୍ଖଳନ। କୁୁହାଯାଇପାରେ, ନୀତି, ନୈତିକତା, ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଦର୍ଶର ସରହଦ ଡେଇଁ ଭୋଟ ବିକଳରେ ନେତାଙ୍କ ଉଚ୍ଚାରଣ ଓ ଆଚରଣରେ ଶାଳୀନତା ଓ ମର୍ଯ୍ୟାଦାର ସବୁ ସୀମା ଊଲ˚ଘନ କରିଛି। ଏଥିରେ ସ୍ଖଳନର ଯେଉଁ ଚିତ୍ର ପ୍ରତିଫଳିତ ହୋଇଛି, ତାହା ଅଭୂତପୂର୍ବ। ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନେ ପରସ୍ପରକୁ ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମ ପ୍ରଦର୍ଶନ ଆଧାରରେ ଆକ୍ରମଣ କରିବା ଏକ ଗଣତାନ୍ତ୍ରିକ ପ୍ରଥା। କିନ୍ତୁ ନୀତି, ଆଦର୍ଶ, କାର୍ଯ୍ୟକ୍ରମକୁ ବାଦ୍‌ ଦେଇ ପରସ୍ପର ବିରୋଧୀ ଆକ୍ରମଣ- ପ୍ରତି ଆକ୍ରମଣ ଏଥର ଯେମିତି ବ୍ୟକ୍ତିଗତ କୁତ୍ସାରଟନା ଓ ଅଶାଳୀନତାର ସ୍ତରକୁ ଖସି ଆସିଛି, ସେମିତି ପୂର୍ବରୁ କେବେ ହୋଇନଥିଲା।

ଭୋଟ ବିକଳରେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନେ କେତେ ତଳକୁ ଖସି ଯାଇ ପାରନ୍ତି, ତା’ର ଦୁର୍ଭାଗ୍ୟଜନକ ଉଦାହରଣ ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବ˚ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦିଦିଙ୍କ ମଧୢରେ ଚାଲିଥିବା ଧାରାବାହିକ ଆକ୍ରମଣାତ୍ମକ ବାକ୍‌ ଯୁଦ୍ଧ। ମମତାଙ୍କ ପ୍ରତି ଆକ୍ଷେପ କରି ମୋଦୀ କହିଲେ, ‘ଦିଦି ସ୍ପଡ଼୍ ବ୍ରେକର‌୍‌’। ଦିଦିଙ୍କ ପାଲଟା ଜବାବ ଥିଲା ‘ମୋଦୀ ଏକ୍ସପାରୀ ପିଏମ୍‌’। ବଙ୍ଗଳାରେ କ୍ଷମତାସୀନ ତୃଣମୂଳ କ˚ଗ୍ରେସକୁ ନିଶାଣରେ ରଖିି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଦ୍ୟତମ ଆକ୍ଷେପ ବାଣ ଥିଲା, ଦିଦିଙ୍କ ପାଟିର ନେତାମାନେ କୋଇଲା ମାଫିଆ। ଏହାର ଜବାବରେ ଦିଦିଙ୍କ ଆହ୍ବାନ ହେଲା- ମୋଦୀ ପ୍ରମାଣ ଦିଅନ୍ତୁ, ନଚେତ ସର୍ବସମକ୍ଷରେ ଶହେଥର କାନଧରି ବସ୍‌ଉଠୁ ହୁଅନ୍ତୁ। ପୂର୍ବରୁ ଦିଦି କହିଥିଲେ, ‘ମୋଦୀଙ୍କ ଗାଲରେ ଏଥର ଶକ୍ତ ଗାଣତନ୍ତ୍ରିକ ଚାପୁଡ଼ା ପଡ଼ିବ।’ ଆକ୍ଷେପ ପ୍ରତିଆକ୍ଷେପର ଏହି ଅସ୍ବସ୍ତିକର କ୍ରମରେ କ˚ଗ୍ରେସ ଅଧୢକ୍ଷ ରାହୁଲଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ‘ଚୌକିଦାର ଚୋର’, ସ୍ଲୋଗାନ୍‌ ନେହରୁ-ଗାନ୍ଧୀ ପରିବାର ପ୍ରତି ମୋଦୀଙ୍କ କଟୁ ଅଶାଳୀନ ଶବ୍ଦର ପ୍ରୟୋଗ, ଜୟପ୍ରଦାଙ୍କ ପ୍ରତି ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାଁଙ୍କ ଅଶୋଭନୀୟ ମନ୍ତବ୍ୟ ଇତ୍ୟାଦି ଶିଷ୍ଟାଚାରର କବର ଉପରେ ଭୋଟ ଜାଣିବା ଲାଗି ବ୍ୟାକୁଳତାର ଗୋଟିଏ ଗୋଟିଏ ଦୁଖଦ ଉଦାହରଣ। ଏହା ଭୋଟ ବାତାବରଣକୁ ପ୍ରଦୂଷିତ କରି ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିଛି। ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ‘ଆପ୍‌’ର ମହିଳା ପ୍ରାର୍ଥୀ ଆତିଶୀଙ୍କ ବିରୋଧରେ ଆପତ୍ତିଜନକ ପ୍ରଚାରପତ୍ର ଏବ˚ ପୂର୍ବରୁ ଓଡ଼ିଶାର କେନ୍ଦୁଝର ଆସନର ବିଜେଡ଼ିର ମହିଳା ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ପ୍ରସାରଣ ନିର୍ବାଚନରେ ନେତା, ଦଳ ଓ ସର୍ବୋପରି ଆମ ଗଣତନ୍ତ୍ରର ଚରିତ୍ରଗତ ସ୍ଖଳନ ତୀବ୍ରତର ହେଉଥିବା ଅଶୁଭ ସ˚କେତ। କଶ୍ମୀରର ଲେହ ଠାରେ ସାମ୍ବାଦିକଙ୍କୁ ଉତ୍କୋଚ ପ୍ରଦାନ ନେଇ ମାମଲା ଗଣତାନ୍ତ୍ରିକ ମୂଲ୍ୟବୋଧ ନିମ୍ନଗାମୀ ହେଉଥିବାର ଆଉ ଏକ ଉଦାହରଣ।

ବିଡ଼ମ୍ବନା ହେଲା, ଏ ଅଶାଳୀନ ବୟାନବାଜିର ଭାରତୀୟ ଗଣତନ୍ତ୍ର ଉପରେ ସୁଦୂର ପ୍ରସାରୀ ପ୍ରତିକୂଳ ପ୍ରଭାବକୁ ଅଣଦେଖା କରି ନେତାଏ ନିଜ ବିରୋଧରେ କଟୂକ୍ତିକୁ ପୁଞ୍ଜି କରି ଭୋଟ ହାସଲ ପାଇଁ ବ୍ୟଗ୍ର। କିନ୍ତୁ ବ୍ୟକ୍ତିଗତ ଆରୋପ- ପ୍ରତ୍ୟାରୋପ, କୁତ୍ସାରଟନାର କୋଳାହଳ ମଧୢରେ ଦେଶ ଓ ଜନତାଙ୍କ ସ୍ବାର୍ଥ ଜଡ଼ିତ ପ୍ରସଙ୍ଗ ହଜିଯାଉଛି। ଅସଲ ପ୍ରସଙ୍ଗରୁ ଧୢାନ ଏଡ଼ାଇବା ପାଇଁ ଏହା ଏକ ଚତୁର କୌଶଳ ନୁହେଁ ତ? ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଏକ ନିର୍ବାଚନ ସଭାରେ ତାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବୀ ବିରୋଧୀ ପକ୍ଷର ନେତାଙ୍କ ଆକ୍ଷେପୋକ୍ତିର ଏକ ତାଲିକା ଦେଇଛନ୍ତି। ମତଦାତାଙ୍କ ସହାନୁଭୂତି ସାଉଁଟିବା ପାଇଁ ବିରୋଧୀଙ୍କ ଆକ୍ଷେପ ତାଙ୍କ ପାଇଁ ଅଳଙ୍କାର ବୋଲି ମୋଦୀ କହିଛନ୍ତିି। ଅନ୍ୟପକ୍ଷରେ କ˚ଗ୍ରେସ ଅଧୢକ୍ଷ ରାହୁଲ ମଧୢ କହିଛନ୍ତି ଯେ, ତାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟ ବିଜେପି ନେତାଙ୍କ କଟୁ ଆକ୍ଷେପ ‘ଉପହାର।’। ପ୍ରତିଦ୍ବନ୍ଦ୍ବୀଙ୍କ ଅଶାଳୀନ ସର୍ବନିମ୍ନ ରାଜନୈତିକ ଶିଷ୍ଟାରାର ରହିତ କଟୂକ୍ତି ମୋଦୀଙ୍କ ପାଇଁ ‘ଅଳଙ୍କାର’ ଓ ରାହୁଲଙ୍କ ପାଇଁ ‘ଉପହାର’ ହୋଇପାରେ। କିନ୍ତୁ ଭାରତୀୟ ଗଣତନ୍ତ୍ର ପାଇଁ ଏହା କଳଙ୍କ ଓ ଅଭିଶାପ। ଏହାଦ୍ବାରା ସର୍ବବୃହତ୍‌ ଗଣତନ୍ତ୍ରରେ ଗଣତାନ୍ତ୍ରିକ ଆଦର୍ଶ ଓ ଭାବନାକୁ ପ୍ରତି ଆଘାତଜନିତ କ୍ଷତିର ଭରଣା ନା ମୋଦୀ ନା ରାହୁଲ କରିପାରିବେ। ପ୍ରକୃତରେ ଚଳିତ ନିର୍ବାଚନରେ ଯେଉଁ ଅଶାଳୀନ ବୟାନବାଜି ଓ ଶିଷ୍ଟାଚାର ରହିତ ଆରୋପ- ପ୍ରତ୍ୟାରୋପ, ବ୍ୟକ୍ତିଗତ କୁତ୍ସାରଟନାର ଅସୁସ୍ଥ ଧାରା ଦେଖାଦେଇଛି, ତା’ର ଦୁଇ ପ୍ରଧାନ ସୂତ୍ରଧର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟ ବିରୋଧୀ ଦଳ କ˚ଗ୍ରେସର ଅଧୢକ୍ଷ ରାହୁଲଗାନ୍ଧୀ। ମାୟାବତୀ, ଅଖିଳେଶ ଯାଦବଙ୍କ ଠାରୁ ଆରମ୍ଭ କରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ, ତୃଣମୂଳ ସୁପ୍ରିମୋ ମମତା ଦିଦି, ଏନ୍‌ସିପି ନେତା ଶରଦ ପାଵାର ଓ ଶେଷରେ ନେହରୁ ଗାନ୍ଧୀ ପରିବାର ସଦସ୍ୟ ପର୍ଯ୍ୟନ୍ତ, ବିରୋଧୀ ପକ୍ଷର ଏମିତି କୌଣସି ନେତା ନଥିବେ, ଯାହାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଆକ୍ଷେପ କରି ନ ଥିବେ। ଏପରିକି ୨୮ ବର୍ଷ ତଳେ ଏଲ୍‌ଟିଟିଇ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ପ୍ରାଣବଳି ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀ ମଧୢ ମୋଦୀଙ୍କ ଆକ୍ରମଣରୁ ବାଦ୍‌ ପଡ଼ିନାହାନ୍ତି। ବ୍ୟକ୍ତିଗତ ଆକ୍ଷେପ ପାଇଁ ପ୍ରତିଦ୍ବନ୍ଦ୍ବୀ ପକ୍ଷଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ଟିକଏ ନିଜ ଆଡ଼କୁ ମଧୢ ଚାହିଁବା ଉଚିତ। ବିରୋଧୀ ପକ୍ଷର, ଏପରିକି ଦିବ˚ଗତ ନେତାମାନଙ୍କ ବିରୋଧରେ ସେ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ତାହା କ’ଣ ତାଙ୍କ ପଦର ଗରିମା ଓ ମର୍ଯ୍ୟାଦାର ଅନୂକୂଳ? ଉଚ୍ଚ ପଦରେ ଥିବା ବ୍ୟକ୍ତିଙ୍କ ଠାରୁ ଆଚରଣ ଓ ଉଚ୍ଚାରଣରେ ଅଧିକ ଦାୟିତ୍ବ ଓ ସ˚ଯମ ଆଶା କରାଯାଏ। ସେମାନେ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ଉଦାହରଣ ସୃଷ୍ଟି କରିବା ଉଚିତ। କିନ୍ତୁ ପ୍ରଧାନମନ୍ତ୍ରୀ ନିଜ ତୁଣ୍ତକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଛନ୍ତି। ମୋଦୀଙ୍କ ପକ୍ଷରେ ଏହା ପଦର ଅମର୍ଯ୍ୟାଦା ଏବ˚ ବାଗ୍ମିତାର ଅପପ୍ରୟୋଗ। ଯଦି ତୁମେ ଅନ୍ୟଠାରୁ ସମ୍ମାନ ଆଶା କର, ତେବେ ପ୍ରଥମେ ଅନ୍ୟକୁ ସମ୍ମାନ ଦେଇ ଶିଖ। କ˚ଗ୍ରେସ ଅଧୢକ୍ଷ ରାହୁଲ ଗାନ୍ଧୀ ମଧୢ ନିଜକୁ ନିରୀହ ଦାବି କରିପାରିବେ ନାହିଁ। ଏବେ ମୋଦୀଙ୍କ ଗାଳିଗୁଲଜ ବିରୋଧରେ ସେ ଫେରାଦ ହେଉଛନ୍ତି। ଅଥଚ, ମୋଦୀଙ୍କ ବିରୋଧରେ ‘ଚୌକିଦାର ଚୋର ହେ’ ଅଭିଯାନ କିଏ ଆରମ୍ଭ କରିଥିଲା? ଏପରିକି ଅତିମାତ୍ରାରେ ଉତ୍ସାହିତ ହୋଇ ଏହି ‘ଚୌକିଦାର ଚୋର’ ସହ ସୁପ୍ରିମକୋର୍ଟକୁ ଯୋଡ଼ିବାରୁ ରାହୁଲଙ୍କୁ କ୍ଷମା ଭିକ୍ଷା କରିବାକୁ ପଡ଼ିଛି। ମୋଦୀଙ୍କ ବିରୋଧରେ ବିରୋଧୀଙ୍କ ବ୍ୟକ୍ତିଗତ କୁତ୍ସାରଟନା ଯେତିକି ନିନ୍ଦନୀୟ, ବିରୋଧୀଙ୍କୁ ନିଶାଣରେ ରଖି ପ୍ରଧାନମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ମଧୢ ସେତିକି ନିନ୍ଦନୀୟ। ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ ଅସୁସ୍ଥ ସ˚କେତ। ନେତାଏ ମନେ ରଖିବା ଉଚିତ୍‌ ଯେ, ଯୁଦ୍ଧରେ ସବୁ କିଛି ବୈଧ ହୋଇପାରେ। ଗଣତନ୍ତ୍ରରେ ନିର୍ବାଚନ କିନ୍ତୁ ଏକ ଯୁଦ୍ଧ ନୁହେଁ। ଗଣତାନ୍ତ୍ରିକ ନୀତି-ନୈତିକତା, ମୂଲ୍ୟବୋଧର ଚଉହଦୀ ମଧୢରେ ରହି ନିର୍ବାଚନ ଲଢ଼ିବା କଥା। ଊଣେଇଶ ନିର୍ବାଚନ ପ୍ରଚାର ଅବସରରେ ଦଳ ନିର୍ବିଶେଷରେ ପ୍ରତିଦ୍ବନ୍ଦ୍ବୀ ନେତାଙ୍କ ଉଚ୍ଚାରଣ ଓ ଆଚରଣ ଯାହା, ସେଥିରେ ନିର୍ବାଚନ ଗଣତାନ୍ତ୍ରିକ ମର୍ଯ୍ୟାଦା ମଧୢରେ ଲଢ଼ାଯାଉଛି ବୋଲି କୁହାଯାଇ ପାରିବ ନାହିଁ। ମେ’ ୨୩ ତାରିଖ ଭୋଟ ଗଣତି ପରେ ଦଳ ଓ ପ୍ରାର୍ଥୀମାନଙ୍କ ହାରଜିତର ଫଇସଲା ହେବ। ଯିଏ ଜିତୁ, ଯିଏ ହାରୁ, ଭାରତୀୟ ଗଣତନ୍ତ୍ରର କିନ୍ତୁ ହାର ହୋଇସାରିଛି। ନୀତି, ନୈତିକ, ଆଦର୍ଶ ଓ ମୂଲ୍ୟବୋଧ ଦୃଷ୍ଟିରୁ ନେତାଏ ମିଳିମିଶି ଭାରତୀୟ ଗଣତନ୍ତ୍ରକୁ ଆଉ ପାଦେ ତଳକୁ ଖସାଇ ଦେଇ ସାରିଛନ୍ତି।

ସମ୍ବନ୍ଧିତ ଖବର