ନ୍ୟାୟର ମର୍ଯ୍ୟାଦା

0

ଦେଶର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟର ଜଣେ ପୂର୍ବତନ କନିଷ୍ଠା ମହିଳା କର୍ମଚାରୀ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ କେନ୍ଦ୍ରକରି ନ୍ୟାୟପାଳିକାରେ ସଙ୍କଟ ଗୁରୁତର ହେଉଛି। ଏହା କେବଳ ଅଭିଯୁକ୍ତ ପ୍ରଧାନ ନ୍ୟାୟାଧୀଶଙ୍କୁ ନୁହେଁ, ପୂରା ନ୍ୟାୟପାଳିକା ଏବ˚ ନ୍ୟାୟିକ ପ୍ରକ୍ରିୟାର ବିଶ୍ବସନୀୟତା ଓ ନିରପେକ୍ଷତାକୁ କାଠଗଡ଼ାରେ ଠିଆ କରିଛି। ଅଭିଯୋଗକାରିଣୀ ପୀଡ଼ିତାଙ୍କ ଅଭିଯୋଗର ଶୁଣାଣିି କରି ନ୍ୟାୟ ପ୍ରଦାନ ଲାଗି ନ୍ୟାୟିକ ପ୍ରକ୍ରିୟାର ବର୍ତ୍ତମାନ ପର୍ଯ୍ୟନ୍ତ ଚିତ୍ର-ଚରିତ୍ର ଯାହା, ସେଥିରେ ଗୋଟିଏ ଧାରଣା ହେଉଛି ଯେ, ଲକ୍ଷ୍ୟ ସତ୍ୟର ଉନ୍ମୋଚନ ଓ ନ୍ୟାୟ ପ୍ରଦାନ ନୁହେଁ, ବର˚ ପୀଡ଼ିତାଙ୍କ ସମ୍ମାନ ନ୍ୟାୟ ମୂଲ୍ୟରେ ନ୍ୟାୟପାଳିକାର ଗରିମା ଓ ମର୍ଯ୍ୟାଦା ରକ୍ଷା ଏହାର ମୂଳ ଉଦ୍ଦେଶ୍ୟ। ଏହି ପ୍ରକ୍ରିୟାରେ ନ୍ୟାୟ ନିଖୋଜ ହୋଇ ନ୍ୟାୟପାଳିକା ଓ ନ୍ୟାୟ ବ୍ୟବସ୍ଥାର ବିଶ୍ବସନୀୟତା ଉପରେ ସ୍ଥାୟୀ ପ୍ରଶ୍ନ ଚିହ୍ନ ଲାଗିଯିବା ଆଶଙ୍କାକୁ ଏଡ଼ାଯାଇ ପାରୁନାହିଁ।

କୌଣସି ନ୍ୟାୟିକ ଦାୟିତ୍ବ ସ˚ପାଦନକୁ ନେଇ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆସିନାହିଁ। ବ୍ୟକ୍ତିଗତ ଆଚରଣ ନେଇ ପ୍ରଧାନ ବିଚାରପତି ଯୌନ ବ୍ୟଭିଚାର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଅଥଚ ପ୍ରଧାନ ବିଚାରପତିଙ୍କ ବିରୋଧରେ ଏହି ବ୍ୟକ୍ତିଗତ ଅଭିଯୋଗକୁ ଅନୁଷ୍ଠାନ ଭାବେ ନ୍ୟାୟପାଳିକାର ମର୍ଯ୍ୟାଦା ଓ ସମ୍ମାନ ସହ ଯୋଡ଼ି ଦିଆଯାଇଛି। ଏହି ପ୍ରାକ୍‌-ମାନସିକତା ଯୋଗୁ ନ୍ୟାୟପାଳିକା ଏବ˚ ନ୍ୟାୟିକ ପ୍ରକ୍ରିୟା ବାଟ ହୁଡ଼ିଥିବା ମନେ ହେଉଛି। କୌଣସି ମାମଲାରେ ବିଚାରପତିଙ୍କ ପୂର୍ବାଗ୍ରହ ବିଚାରକୁ ବିଭ୍ରାନ୍ତ କରିଥାଏ। ଏହି ମାମଲାରେ ମଧ୍ୟ ଏହା ଘଟିଛି। ପୀଡ଼ିତା ସୁପ୍ରିମ୍‌କୋର୍ଟର ପୂର୍ବତନ ମହିଳା କର୍ମଚାରୀଙ୍କ ଅଭିଯୋଗ ଉପରେ ପ୍ରଥମ ଶୁଣାଣିଠାରୁ ହିଁ ନ୍ୟାୟିକ ପ୍ରକ୍ରିୟା ବାଟବଣା ହୋଇଥିବାର ବିଲକ୍ଷଣ ଦେଖାଯାଇଛି। ଏପ୍ରିଲ ୧୯ରେ ଏକ ଦୀର୍ଘ ସତ୍ୟପାଠ ଜରିଆରେ ପୀଡ଼ିତା ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ସହ ସୁପ୍ରିମ୍‌ କୋର୍ଟର ସବୁ ବିଚାରପତିଙ୍କୁ ନିଜର ଅଭିଯୋଗ ଜଣାଇଲେ। ଏପ୍ରିଲ ୨୦ରେ ଉଚ୍ଚତମ ନ୍ୟାୟାଳୟର ଏକ ତିନିଜଣିଆ ଖଣ୍ତପୀଠ ଅଭିଯୋଗର ବିଚାର କଲେ। କିନ୍ତୁ ଖଣ୍ତପୀଠରେ ବିଚାରପତିଙ୍କ ମଧ୍ୟରେ କିଏ ଥିଲେ? ଖୋଦ୍‌ ଅଭିଯୁକ୍ତ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଖଣ୍ତପୀଠର ଅଧୢକ୍ଷ ଭାବେ ମୁଖ୍ୟ ବିଚାରକ ଆସନରେ ବସିଲେ। ଅଭିଯୋଗକାରିଣୀ ପୀଡ଼ିତା କିମ୍ବା କାଙ୍କର ପ୍ରତିନିଧିଙ୍କୁ ନିଜ ପକ୍ଷ ରଖିବା ଲାଗି ସୁଯୋଗ ଦିଆଗଲା ନାହିଁ। ଏକତରଫା ବିଚାରରେ ମୁଖ୍ୟ ବିଚାରକ ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ଅଭିଯୋଗକାରିଣୀଙ୍କ ଚରିତ୍ର ସ˚ହାର କଲାଭଳି ମନ୍ତବ୍ୟ ଦେଲେ। ଏହା ଥିଲା ସ୍ବାଭାବିକ ନ୍ୟାୟ ପ୍ରକ୍ରିୟା ପ୍ରତି ଉପହାସ ଏବ˚ ପ୍ରଚଳିତ ଭାରତୀୟ ନ୍ୟାୟିକ ପ୍ରକ୍ରିୟାର ମୌଳିକ ଧର୍ମର ପରିପନ୍ଥୀ।

ପରେ ପରେ ପ୍ରଧାନ ବିଚାରପତି ମାମଲା ସମ୍ପର୍କରେ ସମସ୍ତ ନ୍ୟାୟିକ ଏବ˚ ପ୍ରଶାସନିକ ନିଷ୍ପତ୍ତି ନେବା ଲାଗି ସୁପ୍ରିମ୍‌ କୋର୍ଟର ବରିଷ୍ଠତମ ନ୍ୟାୟାଧୀଶ ଏସ୍‌ଏ କୋବ୍‌ଡେ଼ଙ୍କ ଉପରେ କ୍ଷମତା ନ୍ୟସ୍ତ କଲେ। ପୀଡ଼ିତାଙ୍କ ଅଭିଯୋଗର ଅନୁସନ୍ଧାନ ଲାଗି ନ୍ୟାୟମୂର୍ତ୍ତି ବୋବ୍‌ଡେ଼ ନିଜ ଅଧୢକ୍ଷତାରେ ଏକ ତିନିଜଣିଆ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କଲେ। ତେବେ ଏହି କମିଟି ଗଠନରେ ମଧୢ ଖୋଦ୍‌ ସୁପ୍ରିମ୍‌ କୋର୍ଟର ୧୯୯୭ରେ ବିଶାଖା ମାମଲାରେ ନିଜେ ଜାରି କରିଥିବା ନିର୍ଦ୍ଦେଶାବଳୀର ସମ୍ପୂର୍ଣ୍ଣ ପାଳନ ହେଲା ନାହିଁ। ବ୍ୟବସ୍ଥା ଅନୁଯାୟୀ ସୁପ୍ରିମ୍‌ କୋର୍ଟର ବାହାରୁ କେହି ଜଣେ ମହିଳାଙ୍କୁ ତଦନ୍ତ କମିଟିରେ ନିଆଯିବା କଥା। କିନ୍ତୁ ନ୍ୟାୟମୂର୍ତ୍ତି ବୋବ୍‌ଡେ଼ଙ୍କ ସହ ଅନ୍ୟ ଦୁଇଜଣ ମହିଳା ବିଚାରପତି ନ୍ୟାୟମୂର୍ତ୍ତି ଇନ୍ଦୁ ମାଲହୋତ୍ରା ଓ ନ୍ୟାୟମୂର୍ତ୍ତି ଇନ୍ଦିରା ବାନାର୍ଜୀ କମିଟିରେ ରହିିଲେ। କମିଟିରେ ମଧୢ ଅଭିଯୋଗ ଶୁଣାଣି ଓ ତଦନ୍ତ ପ୍ରକ୍ରିୟାର ଚିତ୍ର ଓ ଚରିତ୍ର ବଦଳିଲା ନାହିଁ। ରୁଦ୍ଧଦ୍ବାର ମଧୢରେ ଗୋପନୀୟ ଶୁଣାଣି ସ୍ବଚ୍ଛତା ଓ ନିରପେକ୍ଷତା ଦୃଷ୍ଟିରୁ ଘୋର ନିଅଣ୍ଟିଆ ଥିଲା। ଶୁଣାଣି ସମୟରେ ପୀଡ଼ିତାଙ୍କ ସହାୟତା ପାଇଁ ତାଙ୍କ ଓକିଲ କିମ୍ବା ଅନ୍ୟ ସହାୟକଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଗଲା ନାହିଁ। ଫଳରେ ଶୁଣାଣିର ଦୁଇଦିନ ପରେ କମିଟିରୁ ନ୍ୟାୟ ମିଳିବ ନାହିଁ ବୋଲି ଆଶଙ୍କା କରି ପୀଡ଼ିତା ତଦନ୍ତ ପ୍ରକ୍ରିୟାରୁ ନିଜକୁ ପ୍ରତ୍ୟାହାର କରିନେବା ଲାଗି ବାଧୢ ହେଲେ। ତିନିଜଣିଆ ନ୍ୟାୟମୂର୍ତ୍ତି କମିଟ କିନ୍ତୁ ଏକତରଫା ଭାବେ ଅଭିଯୋଗର ବିଚାରକରି ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଅଭିଯୋଗ ପଛରେ ଯଥେଷ୍ଟ ସଭ୍ୟତା ନାହିଁ। ପ୍ରଧାନ ବିଚାରପତିଙ୍କୁ ‘କ୍ଲିନ୍‌ଚିଟ୍‌’ ଦେଲେ। କିନ୍ତୁ ଏ କ୍ଲିନ୍‌ଚିଟ୍‌ କେତେ କ୍ଲିନ୍‌?

ଯେଉଁ ଢଙ୍ଗରେ ଆଭ୍ୟନ୍ତରୀଣ କମିଟି ନିର୍ଯାସରେ ପହଞ୍ଚିଲେ, ତାହା ନ୍ୟାୟ ହୋଇଛି ବୋଲି ବିଶ୍ବାସ ଜନ୍ମାଇବା ତ ଦୂରେ ଥାଉ, ନ୍ୟାୟ ହେଲା ବୋଲି ଉପରଠାଉରିଆ ଭାବେ ସୁଦ୍ଧା ଦେଖା ଯାଉନାହିଁ। କେବଳ ନ୍ୟାୟ ଦେବା ଯଥେଷ୍ଟ ନୁହେଁ, ନ୍ୟାୟ ହେଲା ବୋଲି ମଧ୍ୟ ଦେଖାଯିବା କଥା। ଗୋପନୀୟତାର ଆଳରେ ସାଧାରଣ ଲୋକଙ୍କଠାରୁ ଅନ୍ଧାରରେ ରଖାଯାଇଥିବା କମିଟିଙ୍କ ରିପୋର୍ଟ ପୀଡ଼ିତାଙ୍କ ଅଭିଯୋଗକୁ କେନ୍ଦ୍ର କରି ଉଠିଥିବା ସନ୍ଦେହକୁ ଦୂର କରିବା ପରିବର୍ତ୍ତେ, ଅଧିକ ଘନୀଭୂତ କରିଛି। ତାହା ସହ ନ୍ୟାୟ ବ୍ୟବସ୍ଥା ଓ ନ୍ୟାୟିକ ପ୍ରକ୍ରିୟାର ବିଶ୍ବସନୀୟତା ତଥା ନିରପେକ୍ଷତାକୁ ମଧୢ ଅଧିକ ସନ୍ଦେହ ଘେରକୁ ଠେଲି ଦେଇଛି। ଖୋଦ୍‌ ସୁପ୍ରିମ୍‌ କୋର୍ଟର ଅନ୍ୟତମ ବିଚାରପତି ନ୍ୟାୟମୂର୍ତ୍ତି ଡି.ଭି. ଚନ୍ଦ୍ରଚୂଡ଼ ନ୍ୟାୟମୂର୍ତ୍ତି କୋବ୍‌ଡେ଼ କମିଟିଙ୍କ ତଦନ୍ତ ପ୍ରକ୍ରିୟାର ବିଶ୍ବସନୀୟତା ଓ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ଙ୍କ ମତରେ ପୀଡ଼ିତା ଶୁଣାଣି ପ୍ରକ୍ରିୟାରୁ ଓହରି ଗଲା ପରେ ତଦନ୍ତ ଆଗେଇ ନେବା ଉଚିତ ହୋଇନାହିଁ। ପୀଡ଼ିତାଙ୍କୁ ଓକିଲ ସହାୟତା ପାଇଁ ଅନୁମତି ଦେବାରେ କୌଣସି ସମସ୍ୟା ନଥିଲା। ଅସଲ କଥା ହେଲା, ପ୍ରଧାନ ବିଚାରପତିଙ୍କ ବ୍ୟକ୍ତିଗତ ସମ୍ମାନ ସହ ନ୍ୟାୟପାଳିକାର ଗରିମାକୁ ସମାନ କରି ଯୋଡ଼ି ଗୋପନୀୟତା ରକ୍ଷା ଲାଗି ବ୍ୟଗ୍ରତା ମଧୢରେ କମିଟି ନ୍ୟାୟିକ ପ୍ରକ୍ରିୟାର ମୌଳିକତା ସହ ସାଲିସ କରିବାକୁ କୁଣ୍ଠାବୋଧ କରିନାହାନ୍ତି। ନ୍ୟାୟ ନିକିତିରେ ଗୋଟିଏ ପଟେ ନ୍ୟାୟପାଳିକାର ଗରିମା, ମର୍ଯ୍ୟାଦା ଓ ଅନ୍ୟପଟେ ଜଣେ ପୀଡ଼ିତା ମହିଳାଙ୍କ ସମ୍ମାନ, ଇଜ୍ଜତକୁ ରଖି ତଉଲିବା ବେଳେ ନ୍ୟାୟମୂର୍ତ୍ତି କମିଟିକୁ ନ୍ୟାୟପାଳିକାର ପଲା ଭାରି ମନେ ହେବା ସ୍ବାଭାବିକ। କାରଣ ସୁପ୍ରିମ୍‌କୋର୍ଟର ତିନିଜଣ ବିଚାରପତି ନିଜର ଜଣେ ସହଯୋଗ୍‌ୀ, ପୁଣି ଯିଏ ସେମାନଙ୍କ ଉପରିସ୍ଥଙ୍କ ସ୍ବାର୍ଥ ପ୍ରତିକୂଳ କିଛି ନିଷ୍ପତ୍ତି ନେବା ଆଶା କରାଯାଏ ନାହିଁ। ଫଳରେ ସନ୍ଦେହ ହେବା ସ୍ବାଭାବିକ ଯେ ନ୍ୟାୟର ନିକିତି ହଲିଯାଇଛି। ନ୍ୟାୟ ସର୍ବମାନ୍ୟ ହେବା ଲାଗି ନ୍ୟାୟିକ ପ୍ରକ୍ରିୟାରେ ଶୁଦ୍ଧତା ଓ ନିରପେକ୍ଷତା ରକ୍ଷା ଏକାନ୍ତ ବା˚ଛନୀୟ। କିନ୍ତୁ କମିଟିଙ୍କ ତଦନ୍ତ ପ୍ରକ୍ରିୟାର ଶୁଦ୍ଧତା ଓ ନିରପେକ୍ଷତା ଉପରେ ସନ୍ଦେହର ଯଥେଷ୍ଟ ଅବକାଶ ରହିଛି।

ନ୍ୟାୟପାଳିକାର ମର୍ଯ୍ୟାଦା ରକ୍ଷା ଆଳରେ ତିନିଜଣିଆ କମିଟି ବାସ୍ତବରେ ନ୍ୟାୟ ବ୍ୟବସ୍ଥା ଓ ନ୍ୟାୟିକ ପ୍ରକ୍ରିୟାର ବିଶ୍ବସନୀୟତା ଓ ନିରପେକ୍ଷତା ପ୍ରତି ଅଧିକ କ୍ଷତି ପହଞ୍ଚାଇଛନ୍ତି। ନ୍ୟାୟପାଳିକା ଓ ଏହାକୁ ପ୍ରତିନିଧିତ୍ବ କରୁଥିବା ନ୍ୟାୟମୂର୍ତ୍ତି ଧର୍ମାବତାର ମାନଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ନ୍ୟାୟପାଳିକା ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ବାସ ମଧୢ ଯଥେଷ୍ଟ ପ୍ରଭାବିତ ହୋଇଛି। ଗୋଟିଏ ଧାରଣା କ୍ରମଶଃ ବଦ୍ଧମୂଳ ହେଉଛି ଯେ, ନ୍ୟସ୍ତ ସ୍ବାର୍ଥ ସକାଶେ ନ୍ୟାୟର ବାଟ ଓଗାଳିବା ଲାଗି ନ୍ୟାୟମୂର୍ତ୍ତିମାନେ ମେଳି ବାନ୍ଧିଛନ୍ତି।

ଏହାର ପ୍ରତିିକାର କ’ଣ? ପୀଡ଼ିତାଙ୍କ ଅଭିଯୋଗ ପ୍ରସଙ୍ଗରେ ନ୍ୟାୟ ବ୍ୟବସ୍ଥା, ନ୍ୟାୟିକ ପ୍ରକ୍ରିୟାର ବିଶ୍ବସନୀୟତା ଓ ନିରପେକ୍ଷତା ଉପରେ ଉଠିଥିବା ସନ୍ଦେହର ବାଦଲ କେମିତି ହଟାଯାଇ ପାରିବ? ପୀଡ଼ିତାଙ୍କ ଅଭିଯୋଗ ଉପରେ ନ୍ୟାୟ ହେବ ବୋଲି ବିଶ୍ବାସ ଜନ୍ମାଇବା ଲାଗି ବିକଳ୍ପ କ’ଣ? ଏ ପ୍ରସଙ୍ଗରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲଙ୍କ ଏକ ପ୍ରସ୍ତାବ ଉଚ୍ଚତମ ନ୍ୟାୟାଳୟର ବିଚାରପତି ମଣ୍ତଳୀ ଗୁରୁତ୍ବର ସହ ବିଚାର କରିିବା ଉଚିତ। ଅବଶ୍ୟ, ସରକାରଙ୍କ ପକ୍ଷରୁ ଏଜି ଭାବେ ଭେନୁଗୋପାଲ ଏହି ପ୍ରସ୍ତାବ ଦେଇ ନାହାନ୍ତି। ଦୀର୍ଘ ଅଭିଜ୍ଞତା ସମ୍ପନ୍ନ ଜଣେ ଆଇନଜୀବୀ ଭାବେ ସେ ବ୍ୟକ୍ତିଗତ ସ୍ତରରେ ଏହି ପ୍ରସ୍ତାବ ଦେଇଛନ୍ତି। ଭେନୁଗୋପାଲଙ୍କ ପ୍ରସ୍ତାବ ହେଲା, ପୀଡ଼ିତାଙ୍କ ଅଭିଯୋଗର ବିଚାର ପାଇଁ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତିମାନଙ୍କୁ ନେଇ ଏକ ତିନିଜଣିଆ ସ୍ବତନ୍ତ୍ର ଖଣ୍ତପୀଠ ଗଠନ କରାଯାଉ। ଏପ୍ରିଲ ୨୦ ଅଭିଯୋଗର ପ୍ରଥମ ଶୁଣାଣି ଦିନ ଭେନୁଗୋପାଲ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହ ପ୍ରଧାନ ବିଚାରପତିଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଦୁଇଦିନ ପରେ ଏପ୍ରିିଲ ୨୨ରେ ପତ୍ର ଲେଖି ସେ ଏହି ପ୍ରସ୍ତାବ ଦେଇଥିଲେ। ଭେନୁଗୋପାଲଙ୍କ ପ୍ରସ୍ତାବ ଅବଶ୍ୟ ଗୁରୁତର ସହ ବିଚାରର ଅପେକ୍ଷା ରଖେ। ଯେହେତୁ, ନିଜେ ପ୍ରଧାନ ବିଚାରପତି ଅଭିଯୁକ୍ତ, ତାଙ୍କ ଅଧୀନସ୍ଥ ଅନ୍ୟ ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ଦ୍ବାରା ମାମଲାର ନିରପେକ୍ଷ ବିଚାର ହେବା ନେଇ ଆଶଙ୍କା ଅସ୍ବାଭାବିକ ନୁହେଁ। ସୁପ୍ରିମ୍‌କୋର୍ଟର ବର୍ତ୍ତମାନର ବିଚାରପତିଙ୍କ ବଦଳରେ ପୂର୍ବତନ ବିଚାରପତିଙ୍କ ଦ୍ବାରା ତଦନ୍ତ ଓ ବିଚାର ହେଲେ ଏ ଆଶଙ୍କା ଅନେକା˚ଶରେ ଦୂର ହୋଇପାରିବ। ଅଭିଯୋଗ ପଛରେ ‘ଷଡ୍‌ଯନ୍ତ୍ର’ ଦିଗର ତଦନ୍ତ ପାଇଁ ପୂର୍ବତନ ସୁପ୍ରିମ୍‌କୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି ଏକେ ପଟ୍ଟନାୟକଙ୍କୁ ପୂର୍ବରୁ ଦାୟିତ୍ବ ଦିଆଯାଇଛି। ଅତିରିକ୍ତ ଦୁଇ ଜଣ ପୂର୍ବତନ ବିଚାରପତିଙ୍କୁ ନେଇ ପୂରା ମାମଲାର ତଦନ୍ତ ଓ ବିଚାର ନ୍ୟାୟିକ ପ୍ରକ୍ରିୟାକୁ ସଠିକ୍‌ ମାର୍ଗରେ ନେବ ବୋଲି ଆଶା କରାଯାଇପାରେ। ମନେ ରଖିବାକୁ ପଡ଼ିବ ଯେ, ନ୍ୟାୟପାଳିକାର ଗରିମା ରକ୍ଷା ଯେତିକି ଗୁରୁତ୍ବପୂର୍ଣ୍ଣ, ଜଣେ ପୀଡ଼ିତା ମହିଳାଙ୍କ ସମ୍ମାନ ରକ୍ଷା ଓ ସର୍ବୋପରି ଜଣେ ନ୍ୟାୟାଶ୍ରୟୀ ସାଧାରଣ ନାଗରିକଙ୍କୁ ନ୍ୟାୟ ପ୍ରଦାନ ମଧୢ ସମାନ ଭାବେ ଗୁରୁତ୍ବପୂର୍ଣ୍ଣ। ଅନ୍ୟଥା ନ୍ୟାପାଳିକା ଓ ନ୍ୟାୟ ବ୍ୟବସ୍ଥା ପ୍ରତି ସାଧାରଣ ଜନତା ଆସ୍ଥା ବିଶ୍ବାସ ହରାଇ ବସିବେ। ନ୍ୟାୟର ମର୍ଯ୍ୟାଦା ରକ୍ଷା ପାଇଁ ନ୍ୟାୟର ନିକିତି ଯେମିତି ଟିକିଏ ବି ଟଳମଳ ନହୁଏ, ସେଥିପ୍ରତି ବିଶେଷ ଯତ୍ନଶୀଳ ହେବାକୁ ପଡ଼ିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.