ମେଘାଚ୍ଛନ୍ନ ଜ୍ଞାନ

‘‘ଜଳବାୟୁ ପରିବର୍ତ୍ତନ? ଏହି ନାମକରଣ କ’ଣ ଠିକ୍‌? ସତକଥା ହେଲା ଆମମାନଙ୍କ ପରିବାରରେ କେତେକ ବୟୋବୃଦ୍ଧ ଥାନ୍ତି…. ସେମାନେ କହନ୍ତି ଏଥର ବେଶୀ ଥଣ୍ତା ପଡ଼ିଛି। ଏବ˚ ଲୋକମାନଙ୍କ ଶୀତ ସମ୍ଭାଳିବା କ୍ଷମତା ହ୍ରାସ ପାଇଯାଏ।’’ ୨୦୧୪ରେ ଏହା କହିଥିଲେ ନରେନ୍ଦ୍ର ମୋଦୀ। ବୁଝାଇବା ଅନାବଶ୍ୟକ ଏ କଥାର ଅର୍ଥ ହେଲା କିଛି ବୈଜ୍ଞାନିକ ଜଳବାୟୁ ପରିବର୍ତ୍ତନ ଘଟି ପୃଥିବୀର ତାତି ବଢ଼ି ଗଲାଣି ବୋଲି କହି ଚାଲିଥିବାରୁ ପୃଥିବୀର ବାକି ଲୋକମାନଙ୍କର ତାତି ସହିବା କ୍ଷମତା ହ୍ରାସ ପାଉଛି। ମୋଦୀଙ୍କ ମତରେ ଏହା ଏକ ସାଧାରଣ ଜ୍ଞାନ, ଯାହା ଜଳବାୟୁ ପରିବର୍ତ୍ତନ ବିଜ୍ଞାନକୁ ଖଣ୍ତନ କରିଥାଏ। ତେଣୁ ଏଭଳି ସାଧାରଣ ଜ୍ଞାନର ଅଧିକାରୀ ମୋଦୀ ଯେତେବେଳେ ଗତ ଶନିବାର ଦିନ ଏକ ଟେଲିଭିଜନ୍‌ ଚାନେଲ୍‌କୁ ସାକ୍ଷାତ୍‌କାର ଦେବା ଅବସରରେ ପ୍ରକାଶ କଲେ ଯେ ପାଗ ଖରାପ ଥିବା ସତ୍ତ୍ବେ ସେ ବାୟୁସେନା ବିଶେଷଜ୍ଞମାନଙ୍କର ଆଶଙ୍କାକୁ ଆଡେ଼ଇ ଦେଇ ବାଲାକୋଟ୍‌ ଉପରେ ବିମାନ ଆକ୍ରମଣ ଆରମ୍ଭ ପାଇଁ ସବୁଜ ସଙ୍କେତ ପ୍ରଦାନ କରିଥିଲେ, କାରଣ ସେ ତାଙ୍କର ସାଧାରଣ ଜ୍ଞାନ ଖଟାଇ ଜାଣିଥିଲେ ଯେ ଆକାଶରେ ବାଦଲ ଥିବାରୁ ତା’ ଆଢ଼ୁଆଳରେ ଥିବା ଭାରତୀୟ ବାୟୁସେନାର ଆକ୍ରମଣକାରୀ ବିମାନମାନଙ୍କୁ ପାକିସ୍ତାନର ରେଡ଼ାର‌୍‌ ଧରି ପାରିବ ନାହିଁ- ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପରିବାରର ବୃଦ୍ଧମାନେ ଜଳବାୟୁ ପରିବର୍ତ୍ତନ ବିଜ୍ଞାନ ସମ୍ବନ୍ଧରେ ଅଜ୍ଞ ଥିବା ଭଳି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଣିନାହାନ୍ତି ଯେ ଆକାଶରେ ବିମାନ ଠାବ କରିବା ପାଇଁ ବ୍ୟବହୃତ ସାମରିକ ରେଡ଼ାର‌୍‌ ପ୍ରେରଣ କରୁଥିବା ରେଡ଼ିଓ ତରଙ୍ଗ ଅନାୟାସରେ ବାଦଲ ଭେଦ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଏ।

ଆଶା କରାଯାଉଥିବା ଭଳି ଦେଶ ଭିତରେ ଓ ଦେଶ ବାହାରେ ଥିବା ମୋଦୀଙ୍କର ଅସ˚ଖ୍ୟ ସମାଲୋଚକମାନେ ଓ ବିଶେଷ କରି ପାକିସ୍ତାନୀମାନେ ମୋଦୀଙ୍କର ଏଭଳି ଶିଶୁସୁଲଭ ଅଜ୍ଞତା ଓ ଚାରିତ୍ରିକ ଆତ୍ମବଡ଼ିମା ପ୍ରଦର୍ଶନକୁ କେନ୍ଦ୍ର କରି ଚଟୁଳ ଥଟ୍ଟା ପରିହ୍ରାସର ସୁଅ ଛୁଟାଇ ଦେଇଛନ୍ତି। ମୋଦୀ ଓ ଭାରତୀୟ ଜନତା ପାର୍ଟିର ଅସ୍ବସ୍ତିକୁ ଯାହା ଦ୍ବିଗୁଣିତ କରୁଥିବ, ତାହା ହେଲା ତାଙ୍କର ଏହି ଅଜ୍ଞତାଜନିତ ବାହାସ୍ଫୋଟକୁ ଲୁଚାଇବା ପରିବର୍ତ୍ତେ ଭାଜପାର ଆନୁଷ୍ଠାନିକ ଟ୍ବିଟର‌୍‌ ପରିଚାଳକମାନେ ଏହାକୁ ସଗର୍ବରେ ପ୍ରସାର କରି ଦେଇଥିଲେ। ପରେ ସମ୍ଭବତଃ ନିଜର ଭୁଲ୍‌ ବୁଝିପାରି ପ୍ରାୟ ଦୁଇ ଘଣ୍ଟା ପରେ ସେମାନେ ଟ୍ବିଟର‌୍‌ରୁ ଏହା କାଢ଼ି ଦେଇଛନ୍ତି।

ମୋଦୀ ଏହି ସାକ୍ଷାତକାରରେ ଏ ବ୍ୟାପାରରେ ନିଜର ପ୍ରାବିଧିକ ଅଜ୍ଞତା ସମ୍ବନ୍ଧରେ ସ୍ବୀକାର କରି ବିମାନ ଆକ୍ରମଣ ଆରମ୍ଭ ପାଇଁ ନିଜର ‘କଞ୍ଚା ସାଧାରଣଜ୍ଞାନ’କୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ଏହା ଯେ ଏକ ବିପଜ୍ଜନକ ଚିତ୍ର ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରୁଛି, ତାହା ହୃଦୟଙ୍ଗମ କରିବା ପାଇଁ କୌଣସି ବିଶେଷ ଜ୍ଞାନର ଆବଶ୍ୟକତା ନାହିଁ। ସେଇ ସାକ୍ଷାତକାରରେ ମୋଦୀ କହିଥିବା ଅନୁଯାୟୀ ବାଦଲ ଓ ବର୍ଷା ଯୋଗୁଁ ବିଶେଷଜ୍ଞମାନେ ବିମାନ ଆକ୍ରମଣ ଆରମ୍ଭ କରିବାକୁ କୁଣ୍ଠା ପ୍ରକାଶ କରୁଥିଲେ। କୁଣ୍ଠାର କାରଣ ହୋଇଥିବ ଏପରି ପ୍ରତିକୂଳ ପାଗରେ ଆମର ବିମାନ ଓ ପାଇଲଟ୍‌ମାନଙ୍କର ନିରାପତ୍ତା। କିନ୍ତୁ ସେମାନଙ୍କର କୁଣ୍ଠା ଲ˚ଘନ କରିବା ପାଇଁ ମୋଦୀ ନିଜର ‘କଥା ସାଧାରଣ ଜ୍ଞାନ’ର ଉପଯୋଗ କରି ବର୍ତ୍ତମାନ ବହୁଚର୍ଚ୍ଚିତ ତାଙ୍କର ‘ମେଘତତ୍ତ୍ବ’ ପ୍ରଦାନ କଲେ। ଆକାଶରେ ଥିବା ମେଘର ଘୋଡ଼ଣି ଆମ ବିମାନମାନଙ୍କୁ ପ୍ରଦାନ କରୁଥିବା ପାକିସ୍ତାନୀ ରେଡ଼ାର‌୍‌ରୁ ସୁରକ୍ଷା, ଆମ ବାୟୁସେନା ସେନାପତିମାନଙ୍କର ଉପରୋକ୍ତ କୁଣ୍ଠା ଦୂର କରିବାରେ ସାହାଯ୍ୟ କରିଥାଇପାରେ।

ଏଠାରେ ଏକ ଗୁରୁତର ପ୍ରଶ୍ନ ମୁଣ୍ତ ଟେକୁଛି। ବାୟୁସେନା ସେନାପତିମାନେ ରେଡାର‌୍‌ ବିଜ୍ଞାନ ସହିତ ସୁପରିଚିତ। ମେଘର ଚାଦର ଯେ ପାକିସ୍ତାନୀ ରେଡାର‌୍‌ ଆଖିରୁ ଆମର ଅଭିଯାନକାରୀ ବିମାନମାନଙ୍କୁ ଲୁଚାଇ ରଖିପାରିବ ନାହିଁ, ଏହା ସେମାନଙ୍କୁ ଭଲ ଭାବରେ ଜଣାଥିବ। ପ୍ରଶ୍ନ ହେଉଛି, ସେମାନେ ପ୍ରଧାମମନ୍ତ୍ରୀଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇ ତାଙ୍କର ଅଜ୍ଞତା ଦୂର କରିବାକୁ ଚେଷ୍ଟା କରିଥିଲେ କି? ଏହା ହେଉଛି ନିରାପତ୍ତା ନିଶ୍ଚିତ କରିବା ପାଇଁ ସେମାନଙ୍କର ସର୍ବନିମ୍ନ କର୍ତ୍ତବ୍ୟ। ଯଦି ସେମାନଙ୍କର ବିଜ୍ଞାନ ସମ୍ମତ କୁଣ୍ଠାକୁ ଅଗ୍ରାହ୍ୟ କରି ପ୍ରଧାନମନ୍ତ୍ରୀ ଏକ ବଳଦିଆ ଉପଦେଶ ଦେଲେ, ସେମାନେ ତାହା ଗ୍ରହଣ କରିବା ପାଇଁ ବାଧୢ କି? ଇଏ ଆଉ ଏକ କଥା ଯେ ପାକିସ୍ତାନର ଶୁପ୍ତାବସ୍ଥା ଓ ଆମର ସୌଭାଗ୍ୟ ଯୋଗୁଁ ସେଦିନ ସଫଳତାର ସହ ବାଲାକୋଟ୍‌ ଅଭିଯାନ ସମ୍ପନ୍ନ ହେଲା ଏବ˚ ଗୋଟିଏ ପୁରୁଣା ମିଗ୍‌-୨୧ ବିମାନ ହରାଇବା ବ୍ୟତୀତ ଭାରତର ଆଉ କିଛି କ୍ଷତି ଘଟିଲା ନାହିଁ।

ଟେଲିଭିଜନ୍‌ ଚାନେଲ୍‌କୁ ସାକ୍ଷାତ୍‌କାର ଦେବା ସମୟରେ କଥା ଲହରିରେ ଭାସିଯାଇ କିମ୍ବା ଜାଣିଶୁଣି ବାହାଦୁରି ନେବା ପାଇଁ ମୋଦୀ ଆଉ ଏକ ନକହିବା କଥା କହି ଦେଇଛନ୍ତି। ବାଲାକୋଟ୍‌ ଅଭିଯାନକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ବିରୁଦ୍ଧରେ ଏକ ସାମରିକ ଅଭିଯାନ ନୁହେଁ, ସେଠାରେ ଆଡ୍ଡା ଜମାଇଥିବା ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଏକ ଅଭିଯାନ ବୋଲି ଆନ୍ତର୍ଜାତିକ ସମୁଦାୟକୁ ସୂଚନା ପ୍ରଦାନ କରିଥିଲା। ଏହା ପରେ ପରେ ପାକିସ୍ତାନ ନିଜର ପ୍ରତିରକ୍ଷା ପାଇଁ ଜୋର‌୍‌ସୋର‌୍‌ ପ୍ରସ୍ତୁତି ଚଲାଇଥିଲା, ଯାହାର ଅ˚ଶସ୍ବରୂପ ତାର ଯୁଦ୍ଧ ଜାହାଜମାନଙ୍କୁ ସମୁଦ୍ରରେ ସକ୍ରିୟ କରିଥିଲା। ଭାରତ ଏହାର ପ୍ରତିବାଦ କରି ପାକିସ୍ତାନ ଏହାକୁ ଏକ ସାମରିକ ରୂପ ଦେବାକୁ ଚେଷ୍ଟା କରୁଛି ବୋଲି ସେ ସମୟରେ ଅଭିଯୋଗ କରିଥିଲା। ମୋଦୀ କିନ୍ତୁ ଏବେ ସେଇ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ବାଲାକୋଟ୍‌ ଆକ୍ରମଣ ପୂର୍ବରୁ ଭାରତୀୟ ନୌବାହିନୀର ଜାହାଜମାନ ସମୁଦ୍ରରେ ପଇଁତରା ମାରିବା ଆରମ୍ଭ କରି ଦେଇଥିଲେ ଏବ˚ ସେଥିପାଇଁ କେତେଦିନ ଧରି ରାତିରେ କରାଚିରେ ବ୍ଲାକ୍‌-ଆଉଟ୍‌ କରିବା ଆରମ୍ଭ ହୋଇଯାଇଥିଲା। ପାକିସ୍ତାନକୁ ଭୁଆଁ ବୁଲାଇବା ପାଇଁ ସମୁଦ୍ରରେ ଏପରି ଆକ୍ରମଣାତ୍ମକ ଚଳାଚଳ ଅନୁଷ୍ଠିତ ହୋଇଥିଲା ବୋଲି ମୋଦୀ କହିଛନ୍ତି। ଭାରତୀୟ ନୌବାହିନୀ ଏପର୍ଯ୍ୟନ୍ତ ଏହାକୁ ଅସ୍ବୀକାର କରି ଆସୁଥିବା ବେଳେ ବର୍ତ୍ତମାନ ମୋଦୀଙ୍କ ସ୍ବୀକାରୋକ୍ତି ତାହା ପାଇଁ ଘୋର ଅସ୍ବସ୍ତି ସୃଷ୍ଟି କରିବା ସହିତ ପାକିସ୍ତାନର ସାମରିକ ଆଭିମୁଖ୍ୟକୁ ଯଥାର୍ଥ ପ୍ରମାଣିତ କରୁଥିବ।

ସେହିପରି ପାକିସ୍ତାନକୁ ବିଭ୍ରାନ୍ତ କରିବା ପାଇଁ କିପରି ଅନ୍ୟାନ୍ୟ ପଦକ୍ଷେପ ମାନ ମଧୢ ନିଆ ଯାଇଥିଲା (ଯେମିତି ଆମର ଲକ୍ଷ୍ୟସ୍ଥଳ ବାଲାକୋଟ୍‌ ନୁହେଁ, ବାହାବଲପୁର ବୋଲି ଏକ ଧାରଣା ସୃଷ୍ଟି କରାଯାଇଥିଲା।), ମୋଦୀ ପ୍ରଗଳଭ ହୋଇ ସେ ସମ୍ବନ୍ଧରେ ମଧୢ ବିସ୍ତାରିତ ସୂଚନାମାନ ପ୍ରଦାନ କରିଥିଲେ। ଏହା ଯେ ଆମ ସେନାବାହିନୀର ଭବିଷ୍ୟତର ରଣକୌଶଳକୁ ଭଣ୍ତୁର କରିବ, ମୋଦୀ ବୋଧହୁଏ ତାହା ବୁଝି ପାରୁନାହାନ୍ତି। ଏ ପର୍ଯ୍ୟନ୍ତ ଶିଶୁ ସୁଲଭ ଆଚରଣ ପାଇଁ ରାହୁଲ ଗାନ୍ଧୀ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ମନେ ହେଉଛି ‘ନିଜର ମେଘତତ୍ତ୍ବ’ ବଖାଣି ମୋଦୀ ତାଙ୍କ ସହିତ ଯେଉଁଭଳି ପ୍ରତିଯୋଗିତା କରିଛନ୍ତି, ତାହା ଦେଶର ନିରାପତ୍ତାକୁ ବିପନ୍ନ କରିବାର କ୍ଷମତା ବହନକରେ।

ସମ୍ବନ୍ଧିତ ଖବର