ମେଣ୍ଟ ସରକାର ମନ୍ଦ ନୁହେଁ

0

ଊଣେଇଶ ଲୋକସଭା ନିର୍ବାଚନ ପାଇଁ ଦୀର୍ଘ ପ୍ରଚାର ଅଭିଯାନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟତଃ ଜାତୀୟ ନିରାପତ୍ତା ଓ ରାଷ୍ଟ୍ରବାଦ ପ୍ରସଙ୍ଗ ଉପରେ ମତଦାତାଙ୍କ ଭୋଟ ଲୋଡୁଛନ୍ତି। ବିକାଶ ପ୍ରସଙ୍ଗ କୁଆଡେ଼ ହଜିଯାଇଛି। ବିଗତ ପାଞ୍ଚବର୍ଷରେ ତାଙ୍କ ନେତୃତ୍ବାଧୀନ ସରକାରଙ୍କ ପ୍ରଦର୍ଶନର ହିସାବ ଦେବା ବିଷୟକୁ ମଧୢ ମୋଦୀ ମହୋଦୟ ଏଡ଼ାଇ ଯାଉଛନ୍ତି। ଏହା ଏକ ସୁଚିନ୍ତିତ ନିର୍ବାଚନ ରଣନୀତି। ପୁଲଵାମା ଆତଙ୍କବାଦୀ ଆକ୍ରମଣ ଏବ˚ ବାଲାକୋଟ ଜୈଶ-ଏ-ମହମ୍ମଦ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ‘ଏୟାର ଷ୍ଟ୍ରାଇକ୍‌’ର ପୃଷ୍ଠଭୂମିରେ ଜାତୀୟ ନିରାପତ୍ତା ଓ ରାଷ୍ଟ୍ରବାଦ ପ୍ରସଙ୍ଗକୁ ଆୟୁଧ କରି ମୋଦୀ ନିଜକୁ ଜଣେ ଶକ୍ତିଶାଳୀ ନେତା ଭାବେ ଉପସ୍ଥାପନ କରି ‘ମୋଦୀ’ ମାର୍କା ନେତୃତ୍ବର ପରାକାଷ୍ଠା ଦେଖାଇ ଭୋଟ ଅମଳ ଲକ୍ଷ୍ୟରେ ଅଛନ୍ତି। ମତଦାତାଙ୍କ ମନରେ ନିଜର ଏକ ‘ଷ୍ଟ୍ରଙ୍ଗ୍‌ ମ୍ୟାନ୍‌’ ଭାବମୂର୍ତ୍ତି ତିଆରି ଲାଗି ମୋଦୀ ଆଉ ଗୋଟିଏ ପ୍ରସଙ୍ଗ ମଧୢ ଉଠାଉଛନ୍ତି। ‘ଖିଚିଡି ସରକାର’ ବା ମେଣ୍ଟ ସରକାରର ବିପଦ ପ୍ରତି ସେ ଭୋଟରଙ୍କୁ ସତର୍କ କରାଉଛନ୍ତି। ମୋଦୀଙ୍କ ବକ୍ତବ୍ୟ ହେଲା, କେବଳ ଏକା ତାଙ୍କ ନେତୃତ୍ବରେ ହିଁ ଗୋଟିଏ ଦୃଢ଼ ଓ ସ୍ଥିର ସରକାର ପ୍ରତିଷ୍ଠା ହୋଇ ପାରିବ। ଅନ୍ୟଥା ଏକ ‘ଖିଚିଡି’ ଦୁର୍ବଳ ମେଣ୍ଟ ସରକାର ଅଧୀନର ଦେଶକୁ ଅସ୍ଥିରତା ଓ ଅରାଜକତାର ବୋଝ ବୋହିବାକୁ ପଡ଼ିବ।

ଅର୍ଥାତ୍‌ ପ୍ରଧାମମନ୍ତ୍ରୀ ମୋଦୀ ଦେଶର ନବେ କୋଟି ମତଦାତାଙ୍କ ଆଗରେ ଦୁଇଟି ବିକଳ୍ପ ରଖୁଛନ୍ତି। ଗୋଟିଏ ଜଣେ ‘ଷ୍ଟ୍ରଙ୍ଗ୍‌ ମ୍ୟାନ୍‌’ଙ୍କ ଶକ୍ତିଶାଳୀ ନେତୃତ୍ବରେ ସ୍ଥିର ଓ ଦୃଢ଼ ସରକାର। ଅନ୍ୟଟି, ଦୁର୍ବଳ ନେତୃତ୍ବ, ଅସ୍ଥିର ମେଣ୍ଟ ସରକାର। ବିଡ଼ମ୍ବନା ଯେ, ବିଗତ ପାଞ୍ଚବର୍ଷ ହେଲା ଗୋଟିଏ ମେଣ୍ଟ ସରକାରରେ ମୋଦୀ ନିଜେ ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି। ଅଥଚ ମେଣ୍ଟ ସରକାରର ସମ୍ଭାବନାକୁ ବିପଦ ବୋଲି ଚିତ୍ରଣ କରୁଛନ୍ତି। ଜଣେ ‘ଷ୍ଟ୍ରଙ୍ଗ୍‌ ମ୍ୟାନ୍‌’ଙ୍କ ଶକ୍ତିଶାଳୀ ନେତୃତ୍ବାଧୀନ ଦୃଢ଼ ସରକାର ନା ମିଳିତ ନେତୃତ୍ବରେ ଗୋଟିଏ ମେଣ୍ଟ ସରକାର? ଊଣେଇଶ ନିର୍ବାଚନରେ ଭାରତୀୟ ମତଦାତା କେଉଁଟିକୁ ବାଛିବେ? ଅବଶ୍ୟ, ଏହା ପ୍ରଥମ ନିର୍ବାଚନ ନୁହେଁ, ଯେତେବେଳେ ଭାରତୀୟ ଭୋଟରଙ୍କ ସମ୍ମୁଖରେ ଏ ପ୍ରକାର ପ୍ରଶ୍ନ ଆସିଛି। ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ସମେତ ଅନ୍ୟ କେତେକ ପ୍ରଧାନମନ୍ତ୍ରୀଙ୍କ ସମୟରେ ମଧୢ ଭାରତୀୟ ମତଦାତାଙ୍କ ଆଗରେ ଅନୁରୂପ ପ୍ରଶ୍ନ ଆସିଥିଲା। ତେବେ ଏ ପ୍ରଶ୍ନ ଉପରେ ଉତ୍ତର ସବୁବେଳେ ସମାନ ରହିନାହିଁ। କେତେବେଳେ ଦୃଢ଼ ନେତୃତ୍ବ ସପକ୍ଷରେ ଭୋଟର ରାୟ ଦେଇଛନ୍ତି ତ ଆଉ କେତେବେଳେ ଜନାଦେଶ ମିଳିତ ନେତୃତ୍ବ ଓ ମେଣ୍ଟ ସରକାର ସପକ୍ଷରେ ଯାଇଛି। ଇତିହାସ ଏହାର ସାକ୍ଷୀ ଯେ, କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ବହୁ ଗଣତନ୍ତ୍ର, ଏପରିକି ଏକଛତ୍ରବାଦୀ ଶାସନ ବ୍ୟବସ୍ଥାରେ ମଧୢ ନେତୃତ୍ବ ପ୍ରସଙ୍ଗରେ ବିଭିନ୍ନ ସମୟରେ ଏ ପ୍ରକାର ଦ୍ବନ୍ଦ୍ବ ଦେଖାଯାଇଛି।

ଉପରୋକ୍ତ ପ୍ରଶ୍ନ ଉପରେ ଏଥର ଭାରତୀୟ ମତଦାତାଙ୍କ ଉତ୍ତର କ’ଣ ହେବ? ଆସନ୍ତା ୨୩ ତାରିଖ ଦିନ ଏହା ଜଣାପଡ଼ିବ। କିନ୍ତୁ ଉତ୍ତର ନିର୍ବିଶେଷରେ, ବହୁ ଦିନରୁ ଚାଲି ଆସିଥିବା ଦୃଢ଼ ନେତୃତ୍ବ- ଦୃଢ଼ ସରକାର ବନାମ ମେଣ୍ଟ ସରକାର ବିତର୍କରେ ବିରାମ ଲାଗିବାର ସମ୍ଭାବନା ନାହିଁ। ଆଗାମୀ ଦିନରେ ମଧୢ ଏହି ବିତର୍କ ଜାରି ରହିବ। କୌଣସି ଶାସନ ବ୍ୟବସ୍ଥା ପୂରା ନିଖୁଣ କି ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୁହେଁ। ପ୍ରତ୍ୟେକ ବ୍ୟବସ୍ଥାରେ ଉଭୟ ନିଜସ୍ବ ଖୁଣ ଓ ଗୁଣ ରହିଛି। ସେହି ଧାରାରେ ଦୃଢ଼ ନେତୃତ୍ବାଧୀନ ସରକାରର କିଛି ଭଲ ଗୁଣ ସହ କିଛି ଦୁର୍ବଳତା ମଧୢ ରହିଛି। ଅନ୍ୟ ପକ୍ଷରେ ମେଣ୍ଟ ସରକାରର କିଛି ଦୋଷ ସହ କିଛି ଗୁଣ ମଧୢ ରହିଛି। ତେବେ ବିଶ୍ବ ରାଜନୈତିକ ଇତିହାସରେ ଏମିତି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଠି ଗୋଟିଏ ଏକଛତ୍ରବାଦୀ ବ୍ୟବସ୍ଥାରେ ଦୃଢ଼ ନେତୃତ୍ବ ଯେତେ ଭଲ, ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ତାହା ସେତେ ଭଲ ନୁହେଁ। ବର˚ ଗଣତନ୍ତ୍ରରେ ଦୃଢ଼ ନେତୃତ୍ବାଧୀନ ସରକାର ତୁଳନାରେ ମେଣ୍ଟ ସରକାର ବିଶେଷ ମନ୍ଦ ନୁହେଁ ବୋଲି ପ୍ରମାଣିତ ହୋଇଛି। ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ ତିନିଟି ମେଣ୍ଟ ସରକାର ଅଧୀନରେ ଭାରତର ଅଭିଜ୍ଞତା ଏହାର ପ୍ରମାଣ। ଜାତୀୟ ନିରାପତ୍ତା ଓ ଅର୍ଥନୈତିକ ଅଭିବୃଦ୍ଧି ପ୍ରସଙ୍ଗରେ ଗୋଟିଏ ପୂର୍ଣ୍ଣ ସ˚ଖ୍ୟାଗରିଷ୍ଠ ଦୃଢ଼ ନେତୃତ୍ବାଧୀନ ସରକାର ଓ ମେଣ୍ଟ ସରକାରର ପ୍ରଦର୍ଶନରେ ବିଶେଷ ଗୁଣାତ୍ମକ ପ୍ରାର୍ଥକ୍ୟ ଲକ୍ଷ୍ୟ କରାଯାଇ ନାହିଁ। ଏନ୍‌ଡିଏ ମେଣ୍ଟ ସରକାରର ପ୍ରଧାନମନ୍ତ୍ରୀ ଭାବେ ଅଟଳ ବିହାରୀ ବିଜପେୟୀଙ୍କ ନେତୃତ୍ବକୁ ‘ଦୃଢ଼’ କୁହାନଗଲେ ବି କଦାପି ‘ଦୁର୍ବଳ’ ବୋଲି ଚିତ୍ରଣ କରାଯାଇ ପାରିବ ନାହିଁ। ବାଜପେୟୀଙ୍କ ନେତୃତ୍ବରେ ‘ପୋଖରାନ୍‌-୨’ ଆଣବିକ ପରୀକ୍ଷଣ ଭଳି ଦୃଢ଼ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପୋଖରାନ୍‌ ପରବର୍ତ୍ତୀ ଆନ୍ତର୍ଜାତିକ ଚାପର ମଧୢ ସଫଳତାର ସହ ପ୍ରତିହତ କରାଯାଇଥିଲା। ବାଜପେୟୀଙ୍କ ନେତୃତ୍ବରେ କାର‌୍‌ଗିଲ୍‌ ଯୁଦ୍ଧରେ ଭାରତକୁ ସଫଳତା ମିଳିଥିଲା। ଏହା ପୂର୍ବରୁ ୧୯୬୫ରେ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ‘ଦୁର୍ବଳ’ ନେତା କୁହାଯାଉଥିଲା। କିନ୍ତୁ ଶାସ୍ତ୍ରୀଙ୍କ ‘ଜୟ ଜବାନ୍‌, ଜୟ କିଷାନ୍‌’, ‘ଇଟ୍‌ କା ଜବାବ୍‌ ପଥର‌୍‌’ ଧ୍ବନି ମନ୍ତ୍ର ଭାବେ କାମ କରି ଆକ୍ରମଣକାରୀ ପାକିସ୍ତାନକୁ ପରାସ୍ତ କରିଥିଲା। ପି.ଭି. ନରସି˚ହ ରାଓ ଗୋଟିଏ ସ˚ଖ୍ୟାଲଘୁ ସରକାରର ପ୍ରଧାନମନ୍ତ୍ରୀ ଥିଲେ। ଅଥଚ, ତାଙ୍କର ନେତୃତ୍ବରେ ହିଁ ଆରମ୍ଭ ହୋଇଥିଲା ଭାରତୀୟ ଅର୍ଥନୀତିର ଉଦାରୀକରଣର ଯୁଗ। ଏନ୍‌ଡିଏର ପ୍ରଧାନମନ୍ତ୍ରୀ ବାଜପେୟୀ ଏବ˚ ୟୁପିଏ ସରକାରର ପ୍ରଧାନମନ୍ତ୍ରୀ ଭାବେ ଡ. ମନମୋହନ ସି˚ହଙ୍କ କାର୍ଯ୍ୟକାଳରେ ଭାରତ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଥିଲା। ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ଜାତୀୟ ରାଜପଥର ଉନ୍ନତୀକରଣ ଦେଶର ବିକାଶ କ୍ଷେତ୍ରରେ ଗୋଟିଏ ଗୋଟିଏ ମାଇଲଖୁଣ୍ଟ। ସେହିଭଳି ଉଦାରୀକରଣ ଦିଗରେ ଉଭୟ ବାଜପେୟୀ ଏବ˚ ସି˚ହ କେତେକ ସୁଦୂରପ୍ରସାରୀ ନିଷ୍ପତ୍ତି ଗ୍ରହଣ କରିଥିଲେ। ଡ. ସି˚ହଙ୍କ ସମୟରେ ସୂଚନା ଅଧିକାର ଆଇନ, ନରେଗା ଓ ଲୋକପାଳ ଆଇନର ପ୍ରଣୟନ ମଧୢ ଗୋଟିଏ ଗୋଟିଏ ଉଜ୍ଜ୍ବଳ କୀର୍ତ୍ତିମାନ। ଅନ୍ୟପକ୍ଷରେ ଇନ୍ଦିରାଗାନ୍ଧୀଙ୍କୁ ‘ଦୃଢ଼ ନେତୃତ୍ବ’ର ପ୍ରତୀକ ଭାବେ ବର୍ଣ୍ଣନା କରାଯାଏ। ଇନ୍ଦିରାଗାନ୍ଧୀଙ୍କ ନେତୃତ୍ବରେ ଭାରତ ବା˚ଲାଦେଶ ଯୁଦ୍ଧ ଜିତିବା ସହ ବିଜ୍ଞାନ, କାରିଗରି କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିଲା। କିନ୍ତୁ ତା ସହ ଇନ୍ଦିରାଙ୍କ ସମୟରେ ଦେଶବାସୀ ଦେଖିଥିଲେ ଜରୁରୀକାଳୀନ ପରିସ୍ଥିତି; ଯାହା ଥିଲା ଭାରତୀୟ ଗଣତନ୍ତ୍ରର ଏକ କଳା ଅଧୢାୟ।

‘ଷ୍ଟ୍ରଙ୍ଗ୍‌ ମ୍ୟାନ୍‌’ ତତ୍ତ୍ବର ପ୍ରବକ୍ତାମାନେ ମନେ ରଖିବା ଉଚିତ ଯେ, ଦୃଢ଼ ନେତୃତ୍ବ କ୍ରମେ ଏକକ ନାୟକତ୍ବରେ ରୂପାନ୍ତରିତ ହୋଇ ଶେଷରେ ସ୍ବେଚ୍ଛାଚାରିତାର ଉଗ୍ରରୂପ ନେଇଥାଏ। ଏହାର ଅନେକ ଦୁଃଖଦ ନଜିର ରହିଛି। ପ୍ରଖ୍ୟାତ ବ୍ରିଟିସ୍‌ ଐତିହାସିକ ଜନ୍‌ କିଗାନ୍‌ଙ୍କ ମତରେ ବି˚ଶ ଶତାବ୍ଦୀର ରାଜନୈତିକ ଇତିହାସ କେବଳ ଛଅ ଜଣ ‘ଷ୍ଟ୍ରଙ୍ଗ୍‌ ମ୍ୟାନ୍‌’ଙ୍କ କାର୍ଯ୍ୟରେ ସୀମିତ। ସେମାନେ ହେଲେ, ସୋଭିଏଟ୍‌ ରୁଷ୍‌ର ଲେନିନ୍‌ ଓ ଷ୍ଟାଲିନ୍‌, ଜର୍ମାନର ହିଟଲର, ଚୀନ୍‌ର ମାଓସେତୁ˚, ଆମେରିିକାର ରୁଜ୍‌ଭେଲ୍‌ଟ ଏବ˚ ବ୍ରିଟେନ୍‌ର ଚର୍ଚ୍ଚିଲ। ଏହି ‘ଷ୍ଟ୍ରଙ୍ଗମ୍ୟାନ୍‌’ ମାନଙ୍କ ନେତୃତ୍ବ ନିଶ୍ଚୟ ଦୃଢ଼ ଓ ପ୍ରଭାବଶାଳୀ ଥିଲା। କିନ୍ତୁ ସେମାନଙ୍କ ଦୃଢ଼ ନେତୃତ୍ବର ସକାରାତ୍ମକ ଓ ନକାରାତ୍ମକ ଦିଗର ତୁଳନାତ୍ମକ ବିଶ୍ଳେଷଣ କଲେ ଅଧିକା˚ଶଙ୍କ କ୍ଷେତ୍ରରେ ନକାରାତ୍ମକ ଦିଗ ଅଧିକ ଜଳ ଜଳ ଦିଶିବ। ଅର୍ଥନୈତିକ ଅଭିବୃଦ୍ଧି ସହ ନେତୃତ୍ବର ସମ୍ପର୍କ ବିଷୟ ଅନୁଧୢାନ କରିଥିବା ଅର୍ଥଶାସ୍ତ୍ରୀ ବେଞ୍ଜାମିନ୍‌ ଜୋନ୍ସ ଏବ˚ ବେଞ୍ଜାମିନ୍‌ ଓଲ୍‌କେନ୍‌ଙ୍କ ମତରେ ଗୋଟିଏ ଏକଛତ୍ରବାଦୀ ଶାସନ ବ୍ୟବସ୍ଥାରେ ନେତୃତ୍ବ ଅର୍ଥନୀତିକୁ ଯେତେ ପ୍ରଭାବିତ କରେ ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାର ତା’ର ପ୍ରଭାବ ସେତିକି ନୁହେଁ। ୧୯୪୫ରୁ ୨୦୦୦ ବଧୢରେ ବିଶ୍ବର ୫୭ଟି ରାଷ୍ଟ୍ରରେ ନେତୃତ୍ବର ବିଶ୍ଳେଷଣ କରି ଦୁଇ ଅର୍ଥଶାସ୍ତ୍ରୀ ଏହି ମତ ଦେଇଛନ୍ତି। ଭାରତ ସନ୍ଦର୍ଭରେ ଏହାର ପ୍ରମାଣ ୧୯୯୬ରୁ ୧୯୯୮ ମଧୢରେ ୟୁଡିଏଫ୍‌ ସରକାର ସମୟରେ ଦୁଇଜଣ ପ୍ରଧାନମନ୍ତ୍ରୀ ବଦଳି ଥିଲେ। କିନ୍ତୁ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଏହାର ବିଶେଷ ପ୍ରଭାବ ପଡ଼ି ନ ଥିଲା। ଅର୍ଥନୈତିକ ଅଭିବୃଦ୍ଧି ଓ ସୁଶାସନ ପାଇଁ ନେତୃତ୍ବର ଦୃଢ଼ତା ଅପେକ୍ଷା ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବୌଦ୍ଧିକ ସାମର୍ଥ୍ୟ ଅଧିକ ନିର୍ଣ୍ଣାୟକ। ଅର୍ଥ ନୀତିଜ୍ଞ ଟିମ୍‌ ବେସଲେଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଦଳ ୧୮୭୫ରୁ ୨୦୦୪ ପର୍ଯ୍ୟନ୍ତ ବିଭିନ୍ନ ଦେଶର ନେତୃତ୍ବର ସମୀକ୍ଷା କରି ଏହି ନିର୍ଯାସ ବାହାର କରିଛନ୍ତି।

ଅନ୍ୟପକ୍ଷରେ ମିଳିତ ନେତୃତ୍ବ ଏବ˚ ମେଣ୍ଟ ସରକାରର ଦୁର୍ବଳତା ମଧୢରେ ଗୋଟିଏ ବିଶେଷ ସକାରାତ୍ମକ ଚରିତ୍ର ହେଲା ଏହା ଗଣତାନ୍ତ୍ରିକ ଆଦର୍ଶ ଓ ଭାବନାର ଅନୁକୂଳ। ବିଶେଷକରି ଧର୍ମ, ଭାଷା, ସ˚ସ୍କୃତି ଦୃଷ୍ଟିରୁ ଭାରତ ଭଳି ଗୋଟିଏ ବିବିଧତାପୂର୍ଣ୍ଣ ଦେଶରେ ମେଣ୍ଟ ସରକାର ଅଧିକ ଗ୍ରହଣୀୟ। ଏହା ବିଭିନ୍ନ ବର୍ଗ ଓ ଅଞ୍ଚଳର ପ୍ରତିନିଧିିତ୍ବ ପାଇଁ ଅବକାଶ ସୃଷ୍ଟି କରିବା ସହ ବିଚାର ବିମର୍ଶର ପ୍ରକ୍ରିୟାକୁ ଉତ୍ସାହିିତ କରି ଏକ ସହମତିର ସ˚ସ୍କୃତି ତିଆରି କରିଥାଏ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର।

ସମ୍ବନ୍ଧିତ ଖବର

Leave A Reply

Your email address will not be published.