ବିନା ‘ସ˚ଖ୍ୟା’ରେ ଅଙ୍କକଷା!

ରାଜନୀତି ସମ୍ଭାବନାର କଳା। ଏହି ଆପ୍ତବାକ୍ୟ ଉପରେ ଭାରତୀୟ ରାଜନୈତିକ ବର୍ଗଙ୍କ ପ୍ରଗାଢ଼ ବିଶ୍ବାସ। ଏହାର ସୂଚକ ହେଲା, ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଦିଲ୍ଲୀରେ ପରବର୍ତ୍ତୀ ସରକାର ଗଠନ ନେଇ ବିଭିନ୍ନ ଶିବିରରେ ସ˚ପ୍ରତି ଆରମ୍ଭ ହୋଇ ଯାଇଥିବା କସରତ। ବିନା ‘ସ˚ଖ୍ୟା’ରେ ସମ୍ଭାବ୍ୟ ସମୀକରଣ ନେଇ ଅଙ୍କକଷା। ଆସନ୍ତା ୧୯ ତାରିଖ ରବିବାର ଦିନ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନରେ ମତଦାନ ହେବ। ଏହା ସହିତ ସମାପ୍ତ ହେବ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ। ଚାରିଦିନ ପରେ ୨୩ ତାରିଖ ଦିନ ଭୋଟ ଗଣତି ହେବ। ପ୍ରଥମ ଥର ପାଇଁ ପ୍ରତି ବିଧାନସଭା ନିର୍ବାଚନ ମଣ୍ତଳୀର ଅନ୍ତତଃ ୫ଟି ଇଭିଏମ୍‌ରେ ‘ଭିଭିପାର୍ଟ’ରେ ରେକର୍ଡ ହୋଇଥିବା କାଗଜ ବ୍ୟାଲଟର ଗଣତି ବାଧୢତାମୂଳକ କରାଯାଇଛି। ଫଳରେ ଏଥର ନିର୍ବାଚନଫଳାଫଳ ଘୋଷଣା ବିଳମ୍ବିତ ହେବ। ସେ ଦିନ ବିଳମ୍ବିତ ସନ୍ଧ୍ୟାରେ ଯାଇ ସପ୍ତଦଶ ଲୋକସଭାର ଚିତ୍ର-ଚରିତ୍ର ନେଇ କିଛିଟା ସ୍ପଷ୍ଟ ସ˚କେତ ମିଳିପାରେ। କିନ୍ତୁ ଚୂଡ଼ାନ୍ତ ଫଳାଫଳ ପ୍ରକାଶର ସପ୍ତାହକ ପୂର୍ବରୁ ଏବେଠୁସମ୍ଭାବ୍ୟ ଫଳାଫଳ ନେଇ ବିଭିନ୍ନ ପ୍ରକାର ପୂର୍ବାନୁମାନ କରାଯାଉଛି ଓ ସରକାର ଗଠନ ନେଇ ଏକାଧିକ ବିକଳ୍ପ ଯୋଜନା ଉପରେ ରଣନୀତି ପ୍ରସ୍ତୁତ କରାଯାଉଛି।

ଫଳାଫଳ ନେଇ କିଛି ବି ସମ୍ଭବ ଓ କିଛି ମଧୢ ଅସମ୍ଭବ ନୁହେଁ। ଏହି ପ୍ରାକ୍‌ ବିଚାର ସହ ସରକାର ଗଠନ ଦୌଡ଼ରେ ଥିବା କେବଳ ଦୁଇ ପ୍ରଧାନ ପ୍ରତିଦ୍ବନ୍ଦ୍ବୀ ବିଜେପି ଓ କ˚ଗ୍ରେସ ନୁହଁନ୍ତି, ଅନ୍ୟ ସବୁ ପକ୍ଷ ମଧୢ ନିଜ ଦୃଷ୍ଟିରୁ ସମ୍ଭାବ୍ୟ ଚିତ୍ରର ଆକଳନ କରି ସବୁ ବିକଳ୍ପ ଖୋଲା ରଖିଛନ୍ତି। ରାଜନୀତିରେ କ୍ଷମତା ଦଖଲ ହିଁ ଚରମ ଲକ୍ଷ୍ୟ- ସବୁ ଆଶାୟୀ ଚିନ୍ତା କରୁଥିବା ବିବିଧ ବିକଳ୍ପ ରଣନୀତିିରେ ଏହି ବାସ୍ତବତା ପ୍ରତିଫଳିତ।

ଷଷ୍ଠ ପର୍ଯ୍ୟାୟ ସୁଦ୍ଧା ୪୮୩ଟି ଲୋକସଭା ଆସନରେ ମତଦାନ ପରେ ସରକାର ଗଠନ ନେଇ ହଠାତ୍‌ ତତ୍ପରତା ପ୍ରକାଶ ପାଇଛି। ଏହାର ମୁଖ୍ୟ କାରଣ ବିଭିନ୍ନ ଗଣମାଧୢମ ଓ ଗବେଷଣା ସ˚ସ୍ଥାର ପ୍ରାକ୍‌ ଆକଳନ ଓ ‘ଏକ୍‌ଜିଟ୍‌ ପୋଲ୍‌’। କୌଣସି ଗଣମାଧୢମ କିମ୍ବା ଗବେଷଣା ସ˚ସ୍ଥା ପକ୍ଷରୁ ଆଧିକାରକ ଭାବେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ବା ଅନ୍ୟପ୍ରକାର ପ୍ରାକ୍‌-ଆକଳନ ପ୍ରକାଶ ପାଇ ନାହିଁ। ତଥାପି ବିଭିନ୍ନ ତଥାକଥିତ ବିଶ୍ବସ୍ତ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ରାଜନୈତିକ ମହଲରେ ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କୌଣସି ଦଳ କିମ୍ବା ମେଣ୍ଟକୁ ଏଥର ଲୋକସଭାରେ ପୂର୍ଣ୍ଣ ସ˚ଖ୍ୟା ଗରିଷ୍ଠତା ମିଳି ନପାରେ। ଏକ ଝୁଲା ସ˚ସଦର ପୂର୍ବାନୁମାନ କରାଯାଉଛି। ଏହାହିଁ ସମ୍ଭାବ୍ୟ ଦୃଶ୍ୟପଟର ଚିତ୍ର ଆଙ୍କି ଅନ୍ଧାରରେ ବାଡ଼ି ବୁଲାଇବା ଭଳି ଶୂନ୍ୟରେ ନୂଆ ସମୀକରଣର ଅଙ୍କକଷା ଲାଗି ଖୋରାକ ଯୋଗାଇଛି। ଅବଶ୍ୟ ଏହା ନିରାଟ ସତ ଯେ, ଝୁଲା ସ˚ସଦର ତ୍ରିଶଙ୍କୁ ସ୍ଥିତିରେ ସ୍ପଷ୍ଟ ବହୁମତ ଲାଗି ପାଇଁ ଆବଶ୍ୟକ ସ˚ଖ୍ୟା ଜୁଟାଇବା ସକାଶେ ଉଭୟ ଏନ୍‌ଡିଏ ଏବ˚ ୟୁପିଏକୁୁ ପ୍ରାକ୍‌- ନିର୍ବାଚନ ସହଯୋଗୀଙ୍କ ବାହାରେ ନୂଆ ସହଯୋଗୀଙ୍କ ତଲାସ କରିବାକୁ ପଡ଼ିପାରେ।

ଫଳାଫଳ ଘୋଷଣା ପରେ ଅନେକ ସମ୍ଭାବ୍ୟ ଦୃଶ୍ୟପଟ ନେଇ ଆଲୋଚନା ହେଉଥିଲେ ସୁଦ୍ଧା ମୁଖ୍ୟତଃ ଚାରିଟି ଦୃଶ୍ୟପଟକୁ ଆଖି ଆଗରେ ରଖି ସରକାର ଗଠନ ଲକ୍ଷ୍ୟରେ ନୂଆ ସମୀକରଣର ଅଙ୍କକଷା ଚାଲିଛି। ବିଜେପି ଏକାକୀ ନିଜ ଦମ୍‌ରେ ୩୦୦ରୁ ଅଧିକ ଆସନ ପାଇବ ବୋଲି ନେତୃତ୍ବ ଦାବି କରୁଥିଲେ ସୁଦ୍ଧା ହିନ୍ଦୁତ୍ବ ଦଳର ଦୃଷ୍ଟି କୋଣରୁ ମୁଖ୍ୟତଃ ଦୁଇଟି ସମ୍ଭାବ୍ୟ ଦୃଶ୍ୟପଟ ପରିପ୍ରେକ୍ଷୀରେ ରଣନୀତି ପ୍ରସ୍ତୁତ କରାଯାଉଛି। ପ୍ରଥମ- ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ଯଦି ପୂର୍ଣ୍ଣ ସ˚ଖ୍ୟା ଗରିଷ୍ଠତା ନ ପାଏ। ଚଉଦରେ ବିଜେପି ଏକାକୀ ୨୮୨ ଆସନ ସହ ଏନ୍‌ଡିଏ ମୋଟ ୩୩୬ ଆସନ ପାଇଥିଲା। ଏଥର ଏନ୍‌ଡିଏ ସ˚ଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ୨୭୨ ପର୍ଯ୍ୟନ୍ତ ପହଞ୍ଚି ନପାରେ। ଏ ପରିସ୍ଥିତିରେ କେଉଁ ସବୁ ଅଣ-ଏନ୍‌ଡିଏ ଦଳ ସ˚ଖ୍ୟା ଗରିଷ୍ଠତା ପାଇଁ ସ˚ଖ୍ୟାର ଏ ନିଅଣ୍ଟିଆ ଭରଣା କରିବେ। ଅବଶ୍ୟ ଏ ପ୍ରସଙ୍ଗରେ ମୂଳ ପ୍ରଶ୍ନ- ସେ ନିଅଣ୍ଟିଆ ସ˚ଖ୍ୟା କେତେ? ଗୋଟିଏ ଆକଳନ ହେଲା ବିଜେପି ଓ ସହଯୋଗୀ ଦଳଙ୍କ ଖାତାକୁ ୨୪୦ରୁ ୨୫୦ ପର୍ଯ୍ୟନ୍ତ ଆସନ ଆସିପାରେ। ଏ ପରିସ୍ଥିତିରେ ଓଡ଼ିଶାର ବିଜେଡି, ତେଲେଙ୍ଗାନାର ଟିଆର‌୍‌ଏସ୍‌ ଓ ଆନ୍ଧ୍ରପ୍ରଦେଶର ଵାଇଏସ୍‌ଆର‌୍‌ କ˚ଗ୍ରେସ ଆଦି ଆଞ୍ଚଳିକ ଦଳମାନେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଓ ଏନ୍‌ଡିଏକୁ ସମର୍ଥନ ଦେବା ସମ୍ଭାବନା ଅଧିକ। ଉଲ୍ଲେଖନୀୟ ଏହି ତିନିଟି ଆଞ୍ଚଳିକ ଦଳ ନିଜ ନିଜ ରାଜ୍ୟ ପାଇଁ ସ୍ବତନ୍ତ୍ର ପାହ୍ୟା ଦାବି କରୁଛନ୍ତି। ଏହି ଦାବିକୁ ମାନିନେଲେ ମୋଦୀଙ୍କୁ ସମର୍ଥନ କରିବା ଉକ୍ତ ଆଞ୍ଚଳିକ ଦଳଙ୍କ ପକ୍ଷରେ ଅସୁବିଧା ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ଏହି ତିିନି ଦଳ ପରୋକ୍ଷରେ କିମ୍ବା ପ୍ରତ୍ୟକ୍ଷରେ ମୋଦୀ- ବିରୋଧୀ ଶିବିରରେ ନାହାନ୍ତି। ବିଜେପି ଦୃଷ୍ଟିକୋଣରୁ ଆଉ ଏକ ସମ୍ଭାବ୍ୟ ଦୃଶ୍ୟପଟ ଉପରେ ମଧୢ ଆଲୋଚନା ହେଉଛି। ବିଜେପିର ନିଜସ୍ବ ଆସନ ସ˚ଖ୍ୟା ଗତଥରର ୨୮୨ରୁ ଏଥର ୨୦୦ ପର୍ଯ୍ୟନ୍ତ ଖସି ଆସିବା ଆଶଙ୍କାକୁ ପୂରା ଅସ୍ବୀକାର କରାଯାଉନାହିଁ। ଏପରି ସ୍ଥିତିରେ ଏନ୍‌ଡିଏରେ ଅନ୍ୟତମ ପ୍ରମୁଖ ଅ˚ଶୀଦାର ଶିବସେନା ଓ ଅନ୍ୟ କେତେକ ସହଯୋଗୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ସ୍ବୀକାର କରି ନପାରନ୍ତି। ଯଦି ଏମିତି ହୁଏ, ତେବେ ମେଣ୍ଟ ସହଯୋଗୀଙ୍କୁ ସନ୍ତୁଷ୍ଟ କରିବା ସହ ଅଣ-ଏନ୍‌ଡିଏ, ଏପରିକି ୟୁପିଏ ସହ ଅନୁବନ୍ଧିତ ଦଳଙ୍କ ସମର୍ଥନ ହାସଲ ଲାଗି ବିଜେପି ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦୀଙ୍କ ବିକଳ୍ପ ମୁହଁ ଖୋଜି ପାରେ। ମୋଦୀଙ୍କ ବିକଳ୍ପ ଭାବେ ନୀତିନ୍‌ ଗଡକରୀଙ୍କ ନାମ ଅଧିକ ସାମ୍‌ନାକୁ ଆସୁଛି।

କ˚ଗ୍ରେସ ଓ ଅନ୍ୟ ଅଣ-ବିଜେପି ବିରୋଧୀ ଶିବିରରେ ମୁଖ୍ୟତଃ ଯେଉଁ ଦୁଇଟି ସମ୍ଭାବ୍ୟ ଦୃଶ୍ୟପଟକୁ ଆଖି ଆଗରେ ରଖି ରଣନୀତି ପ୍ରସ୍ତୁତ ହେଉଛି, ତା’ର ମୂଳ ଲକ୍ଷ୍ୟ- କୌଣସି ଉପାୟରେ ମୋଦୀଙ୍କୁ କ୍ଷମତାରୁ ଦୂରେଇ ରଖିବା। ଏ ଲକ୍ଷ୍ୟ ହାସଲ ଲାଗି କ˚ଗ୍ରେସ ପ୍ରଧାନମନ୍ତ୍ରୀ ପଦପାଇଁ ଦାବିରୁ ଓହରି ଯିବା ଲାଗି ପ୍ରସ୍ତୁତ। ଦଳ ପକ୍ଷରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏହି ସୂଚନା ଦେଇ ସାରିଲେଣି। କେନ୍ଦ୍ରରେ ‘କର୍ଣ୍ଣାଟକ ମଡେଲ’ର ପରୀକ୍ଷାର ସମ୍ଭାବନା ସୃଷ୍ଟି ହୋଇଛି। ଏହାର ଅର୍ଥ କ˚ଗ୍ରେସ ବିରୋଧୀ ପକ୍ଷର ସର୍ବବୃହତ୍‌ ଦଳ ହେଲେ ମଧୢ ରାହୁଲ ଗାନ୍ଧୀ କିମ୍ବା ଅନ୍ୟ କୌଣସି ଦଳୀୟ ନେତା ପ୍ରଧାନମନ୍ତ୍ରୀ ପଦର ଦାବିଦାର ହେବେ ନାହିଁ। ଅନ୍ୟ ଆଞ୍ଚଳିକ ଦଳ ଗୁଡ଼ିକ ମଧୢରୁ କେହି ନୂତନ ସରକାରର ନେତୃତ୍ବ ନେବେ। ଆଞ୍ଚଳିକ ଦଳମାନଙ୍କୁ ନେଇ ‘ଫେଡେ଼ରାଲ ଫ୍ରଣ୍ଟ’ର ପରିକଳ୍ପନା କରିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଯୋଜନା ନିର୍ବାଚନ ପୂର୍ବରୁ ସଫଳ ହୋଇନଥିଲା। କିନ୍ତୁ ଏବେ ନିର୍ବାଚନ ପରବର୍ତ୍ତୀ ଦୃଶ୍ୟପଟରେ କେସିଆର‌୍‌ଙ୍କ ଯୋଜନା ପାଇଁ ସମ୍ଭାବନା ଦେଖାଦେଇଛି। ଉଲ୍ଲେଖନୀୟ ହେଲା, ବିରୋଧୀ ଶିବିରରେ ଥିବା ଅନେକ ଦଳ ମୋଦୀଙ୍କୁ ବାଦ୍‌ ଦେଇ ବିଜେପି ସରକାରର ସମ୍ଭାବନା ପ୍ରତି ବିମୁଖ ନୁହଁନ୍ତି। ମୋଟାମୋଟି ସରକାର ଗଠନ ନେଇ ସବୁ ସମ୍ପୃକ୍ତ ପକ୍ଷ କୌଣସି ପ୍ରକାର ସମ୍ଭାବନାକୁ ଅସ୍ବୀକାର କରୁନାହାନ୍ତି। ସବୁ ପ୍ରକାର ସମ୍ଭାବ୍ୟ ଦୃଶ୍ୟପଟକୁ ଆଖି ଆଗରେ ରଖି ସବୁ ପ୍ରକାର ବିକଳ୍ପ ଲାଗି ଦ୍ବାର ଖୋଲା ରଖିଛନ୍ତି।

ଶେଷରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ- ସମ୍ଭାବ୍ୟ ଦୃଶ୍ୟପଟର ଚିତ୍ର ଆଙ୍କି ଏତେ ସବୁ କସରତର ଆଧାର ଯେଉଁ ପୂର୍ବାନୁମାନ ବା ପାକ୍‌- ଆକଳନ, ତାହା କେତେ ବିଶ୍ବସନୀୟ? ଏଠାରେ ଚଉଦ ନିର୍ବାଚନର ‘ଏକ୍‌ଜିଟ୍‌ ପୋଲ’ ବିଷୟ ଆଲୋଚନା କରାଯାଇପାରେ। ଗତଥର ପାଞ୍ଚଟି ସ˚ସ୍ଥାର ‘ଏକ୍‌ଜିଟ୍‌ ପୋଲ୍‌’ ମଧୢରୁ କେବଳ ଗୋଟିଏ ସ˚ସ୍ଥାର ପ୍ରାକ୍‌-ଆକଳନ ଚୂଡ଼ାନ୍ତ ଫଳାଫଳର ନିକଟତର ଥିଲା। ନ୍ୟୁଜ୍‌ ୨୪-ଚାଣକ୍ୟର ‘ଏକ୍‌ଜିଟ୍‌ ପୋଲ୍‌’ରେ ଏନ୍‌ଡିଏକୁ ୩୪୦ ଆସନ ଦିଆଯାଇଥିଲା ଓ ବାସ୍ତବରେ ୩୩୬ ଆସନ ଏନ୍‌ଡିଏକୁ ମିଳିଥିଲା। ଅନ୍ୟ ସ˚ସ୍ଥା ମାନଙ୍କ ମଧୢରୁ କେହି ବି ଏନ୍‌ଡିଏକୁ ୨୯୦ରୁ ଅଧିକ ଆସନ ଦେଇ ନଥିଲେ। ୨୦୧୫ ଦିଲ୍ଲୀ ଓ ୨୦୧୭ ୟୁ.ପି ବିଧାନସଭା ନିର୍ବାଚନରେ ମଧୢ ସବୁ ସ˚ସ୍ଥାଙ୍କ ‘ଏକ୍‌ଜିଟ୍‌ ପୋଲ୍‌’ ଭୁଲ୍‌ ପ୍ରମାଣିତ ହୋଇଥିଲା।

ନିର୍ବାଚନ ଫଳାଫଳ ନେଇ ପୂର୍ବାନୁମାନର ସନ୍ଦିଗ୍ଧ ବିଶ୍ବସନୀୟତା ସତ୍ତ୍ବେ ଶେଷ ଲୋକସଭା ଆସନର ଚୂଡ଼ାନ୍ତ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ପରବର୍ତ୍ତୀ ସରକାର ଗଠନ ନେଇ ଶୂନ୍ୟରେ ଏମିତି ଗୁଡ଼ି ଉଡ଼ା ଚାଲିଥିବ। କାରଣ ରାଜନୀତି ସମ୍ଭାବନାର କଳା। ଚୂଡ଼ାନ୍ତ ଚିତ୍ର ସ୍ପଷ୍ଟ ହେଲେ ଯାଇ ଏଥିରେ ବିରାମ ଲାଗିବ।

ସମ୍ବନ୍ଧିତ ଖବର