ଗାନ୍ଧୀ ଅବତାର

‘‘ସ୍ବର୍ଗର ଫାଟକ ତାଙ୍କ ପାଇଁ କେବେ ଠାରୁ ଖୋଲା ରଖାଯାଇଥିଲା। ଗାନ୍ଧୀ କିନ୍ତୁ ପୃଥିବୀକୁ ସେ ଆଉ ଟିକିଏ ସ୍ବର୍ଗୀୟ କରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷାରତ କରି ରଖିଥିଲେ।’’ ଆତତାୟୀ ଗୁଳିରେ ମହାତ୍ମା ଗାନ୍ଧୀ ପରଲୋକ ଗମନ କରିବା ପରଦିନ ଏହା ଥିଲା ଲଣ୍ତନ୍‌ରୁ ପ୍ରକାଶିତ ଏକ ଅଗ୍ରଣୀ ସମ୍ବାଦପତ୍ରର ସମ୍ପାଦକୀୟ ମନ୍ତବ୍ୟ। ଯଦି ସ୍ବର୍ଗ ବୋଲି କିଛି ଥାଏ, ଏବ˚ ପୁଣ୍ୟାତ୍ମାମାନଙ୍କ ପାଇଁ ତାହାର ଫାଟକ ଖୋଲି ଦିଆଯାଉଥାଏ, ତେବେ ଏ ମନ୍ତବ୍ୟରେ ଯେ କୌଣସି ଅତିରଞ୍ଜନ ନ ଥିଲା, ତାହା ନିଃସନ୍ଦେହ। ହିନ୍ଦୁ (ଗାନ୍ଧୀ ହିନ୍ଦୁ ଥିଲେ) ପୁରାଣ ଶାସ୍ତ୍ରରେ ଭଗବାନଙ୍କର ଦଶ ଅବତାରର କଳ୍ପନା କରାଯାଇଛି, ଯେଉଁଥିରେ ବୁଦ୍ଧ ମଧୢ ଅନ୍ତର୍ଭୁକ୍ତ। ଯଦି ଆଧୁନିକ ସମୟରେ କେହି ଏକାଦଶ ଅବତାରର କଳ୍ପନା କରେ, ତେବେ ସେ ସ୍ଥାନଟି ଅଧିକାର କରିବାକୁ ଯିିଏ ସବୁଠାରୁ ଅଧିକ ହକ୍‌ଦାର, ସେ ହେଉଛନ୍ତି ଗାନ୍ଧୀ।

ମହାଭାରତ ଅନୁସାରେ ସ୍ବର୍ଗକୁ ଯିବା ପାଇଁ ଦୁଇ ପ୍ରକାର ମୃତ୍ୟୁବରଣର ରାସ୍ତା ରହିଛି। ଗୋଟିଏ ହେଉଛି ଜଣେ ବୀର ଯୋଦ୍ଧାର ମୃତ୍ୟୁ, ଯିଏ ଇଚ୍ଛାକରି ନିଜର ଶରୀରକୁ ରଣକ୍ଷେତ୍ରରେ ପରିତ୍ୟାଗ କରିଥାଏ। ଅନ୍ୟଟି ହେଉଛି ଜଣେ ତପସ୍ବୀର ମୃତ୍ୟୁ, ଯିଏ ଇଚ୍ଛାକରି ଅନଶନ କରି ନିଜର ଶରୀରକୁ ପାର୍ଥିବ ସ˚ସାରରେ ପରିତ୍ୟାଗ କରିଥାଏ। ମହାତ୍ମା ଗାନ୍ଧୀଙ୍କ ଜୀବନ ଥିଲା ଏକ ତପସ୍ବୀ ଓ ଏକ ଯୋଦ୍ଧାର ଜୀବନର ମିଳନ କ୍ଷେତ୍ର। ଏକ ଦୃଷ୍ଟିରୁ ଦେଖିଲେ ତାଙ୍କ ଜୀବନ କାଳର ଉପଲବ୍ଧି ତାଙ୍କୁ ସ୍ବର୍ଗରେ ପ୍ରବେଶ ପାଇଁ ଯେଉଁ ଭଳି ଅଧିକାର ଦେଇଥିଲା, ମହାଭାରତର ମାପକାଠିରେ ତାଙ୍କର ମୃତ୍ୟୁ ମଧୢ ତାଙ୍କୁ ସେଠାରେ ପହଞ୍ଚିବା ପାଇଁ ସେଇଭଳି ଉପଯୁକ୍ତ କରିଥିଲା।

ସତ୍ୟ, ଅହି˚ସା, ସରଳ ଜୀବନ ଓ ମାନବବାଦର ପୂଜାରୀ ଗାନ୍ଧୀ ମଧୢ ଥିଲେ ଭାରତକୁ ବ୍ରିଟିସ୍‌ ଶାସନ କବଳରୁ ମୁକ୍ତ କରିବା ପାଇଁ ହୋଇଥିବା ଦୀର୍ଘ ଅହି˚ସ ସ୍ବାଧୀନତା ସ˚ଗ୍ରାମର ମୁଖ୍ୟ ସେନାପତି। ପରିଶେଷରେ ୧୯୪୭ ଅଗଷ୍ଟରେ ବ୍ରିଟେନ୍‌ ତା’ର ଏହି ଉପନିବେଶକୁ ସ୍ବାଧୀନତା ପ୍ରଦାନ କରି ଭାରତ ଓ ପାକିସ୍ତାନ ନାମକ ଦୁଇଟି ସ୍ବାଧୀନ ରାଷ୍ଟ୍ରରେ ପରିଣତ କରିବାକୁ ସ୍ବାଗତ କରି ଗାନ୍ଧୀ ଏହାକୁ ‘‘ବ୍ରିଟିସ୍‌ ଜାତିର ମହାନତମ କାର୍ଯ୍ୟ’’ ବୋଲି ବର୍ଣ୍ଣନା କରିଥିଲେ। (ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଗତ ସପ୍ତାହରେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ନେତା ଏହି କାରଣରୁ ମହାତ୍ମା ଗାନ୍ଧୀ ହେଉଛନ୍ତି ‘‘ପାକିସ୍ତାନର ପିତା’’ ବୋଲି କହି ଦଳ ଦ୍ବାରା ଦଣ୍ତିତ ହୋଇଛନ୍ତି।)

କିନ୍ତୁ ସ୍ବାଧୀନତା ଓ ଦେଶ ବିଭାଜନର ଅବ୍ୟବହିତ ପୂର୍ବରୁ ହିନ୍ଦୁ, ମୁସଲମାନ, ଶିଖ୍‌ମାନଙ୍କ ମଧୢରେ ଯେଉଁଭଳି ବ୍ୟାପକ ହି˚ସାକାଣ୍ତ ଘଟିଲା ଏବ˚ ସୀମା ଦୁଇପଟରେ ଯେଉଁଭଳି ବିସ୍ଥାପିତ ମାନଙ୍କର ଯନ୍ତ୍ରଣା ଜର୍ଜରିତ ସୁଅ ଛୁଟିଲା ତାହା ଗାନ୍ଧୀଙ୍କ ପାଇଁ ଅସହ୍ୟ ମାନସିକ ଯନ୍ତ୍ରଣା ସୃଷ୍ଟି କଲା। ଯେଉଁମାନେ ଏ ହି˚ସାକାଣ୍ତରେ ବ୍ୟାପୃତ ଥିଲେ ଓ ଯେଉଁମାନେ ଏହାକୁ ଉସ୍‌କାଉ ଥିଲେ ସେମାନଙ୍କୁ ଲଜ୍ଜିତ କରିବାକୁ ଏବ˚ ଏଥିରୁ ନିବୃତ୍ତ କରିବା ଉଦ୍ଦେଶ୍ୟରେ ଗାନ୍ଧୀ ତାଙ୍କର ସୁପରିଚିତ ଆବେଗିକ କୌଶଳ ପ୍ରୟୋଗ କଲେ। ସେ ଆମରଣ ଅନଶନ ଆରମ୍ଭ କରି ଦେଲେ (ସେତେବେଳେ ଅବଶ୍ୟ ତାଙ୍କ ମନରେ କେବେହେଲେ ଏ ଧାରଣା ଜନ୍ମ ନେଇନଥିବ ଯେ ମହାଭାରତ ଅନୁସାରେ ଏହା ସ୍ବର୍ଗରେ ପ୍ରବେଶ କରିବା ପାଇଁ ଅନ୍ୟତମ ରାସ୍ତା ଥିଲା।) ସାରା ପୃଥିବୀରୁ ଗାନ୍ଧୀଙ୍କ ପ୍ରତି ସମର୍ଥନର ସୁଅ ଛୁଟି ଥିଲା। ପାକିସ୍ତାନରୁ ମଧୢ। ସେଠାକାର ନବଗଠିତ ମହମ୍ମଦ ଅଲି ଜିନ୍ନା ସରକାର ଶାନ୍ତି ଏବ˚ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ପାଇଁ ଗାନ୍ଧୀଙ୍କର ଉଦ୍ୟମର ଭୁରି ଭୁରି ପ୍ରଶ˚ସା କରିଥିଲା।

ଭାରତର ସ˚ଖ୍ୟାଗରିଷ୍ଠ ହିନ୍ଦୁମାନଙ୍କ ମଧୢରୁ କେତେକ କିନ୍ତୁ ଗାନ୍ଧୀଙ୍କର ଜିଦ୍‌ଖୋର‌୍‌ ଅହି˚ସା ନୀତି ଓ ପ୍ରତିଶୋଧ- ବିରୋଧୀ ନୀତି (ଗାନ୍ଧୀଙ୍କର ଏକ ବହୁଳ ଉଦ୍ଧୃତ ଉକ୍ତି ହେଲା: ‘‘ଆଖି ବଦଳରେ ଆଖିଟିଏ ଶେଷରେ ସାରା ଦୁନିଆକୁ ଅନ୍ଧ କରିଦେବ,’’ ସେମାନଙ୍କୁ ଆକ୍ରମଣରୁ ନିଜର ପ୍ରତିରକ୍ଷା ମଧୢ କରିବାକୁ ଦେଉନାହିଁ ବୋଲି ମହାତ୍ମାଙ୍କ ଉପରେ କ୍ଷୁବ୍‌ଧ ହୋଇ ପଡ଼ିଥିଲେ। ଗାନ୍ଧୀ ଦିଲ୍ଲୀର ବିରଳା ଭବନରେ ରହୁଥିବା ବେଳେ ସେଠାରେ ତାଙ୍କ ବିରୋଧରେ ମୁର୍ଦ୍ଦାବାଦ ସ୍ଲୋଗାନ୍‌ ମଧୢ ଶୁଣିବାକୁ ମିଳିଥିଲା। ଜାନୁଆରି ୧୩ ରେ ତାଙ୍କର ଶେଷ ଅନଶନ ଆରମ୍ଭ କରି ମହାତ୍ମା କହିଥିଲେ: ‘‘ଭାରତ, ହିନ୍ଦୁଧର୍ମ, ଶିଖଧର୍ମ ଏବ˚ ଇସ୍‌ଲାମର ଧ୍ବ˚ସର ଜଣେ ଅସହାୟ ସାକ୍ଷୀ ହେବା ଅପେକ୍ଷା ମୃତ୍ୟୁ ମୋ ପାଇଁ ଏକ ମହନୀୟ ମୁକ୍ତି ହେବ।’’ ହିନ୍ଦୁ ଶିଖ୍‌, ଖ୍ରୀଷ୍ଟିଆନ୍‌, ପାର୍ସୀ, ମୁସଲମାନ- ଭାରତରେ ସମସ୍ତେ ସୁଖ ଶାନ୍ତିରେ ବାସ କରିବା ତାଙ୍କର ସ୍ବପ୍ନ ଥିଲା ବୋଲି ସେ କହୁଥିଲେ।

ଜାନୁଆରି ୨୦ ଦିନ କେତେକ କ୍ଷୁବ୍‌ଧ ହିନ୍ଦୁ ଗାନ୍ଧୀଙ୍କ ଅନତି ଦୂରରେ ଏକ ବିସ୍ଫୋରଣ ଘଟାଇଥିଲେ, ଯାହା ତାଙ୍କର କୌଣସି କ୍ଷତି କରି ନଥିଲା। ଗାନ୍ଧୀ ସେତେବେଳେ କହିଥିଲେ: ‘‘ମୁଁ ଯଦି ଏକ ପାଗଳର ଗୁଳିରେ ପ୍ରାଣ ତ୍ୟାଗ କରେ, ମୁଁ ହସି ହସି ମରିବି। ମୋ ଅନ୍ତର ମଧୢରେ କୌଣସି ରାଗ ରୋଷ ରହିବ ନାହିଁ। ମୋ ହୃଦୟ ମଧୢରେ ଓ ମୋ ଓଠରେ ଈଶ୍ବର ରହିଥିବେ।’’ ଜାନୁଆରି ୨୯ରେ ନାଥୁରାମ୍‌ ଗଡ୍‌ସେ ନାମକ ଜଣେ ଅତ୍ୟନ୍ତ କ୍ଷୁବ୍‌ଧ ଯୁବକ ଏକ ବେରେଟ୍ଟା ଅଟୋମେଟିକ୍‌ ପିସ୍ତଲ ନେଇ ଦିଲ୍ଲୀରେ ଆସି ପହଞ୍ଚିଲା। ତା’ ପରଦିନ ଅପରାହ୍ନ ପ୍ରାୟ ୫ଟା ବେଳେ ଗାନ୍ଧୀ ବିରଳା ଭବନ ଉଦ୍ୟାନରେ ପ୍ରାର୍ଥନା ସଭାରେ ଯୋଗଦେବା ପାଇଁ ବାହାରିଲେ। ଅନଶନ ଦ୍ବାରା ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିବା ୭୮ ବର୍ଷୀୟ ବାପୁ ତାଙ୍କ ନାତୁଣୀମାନଙ୍କ ସହାୟତାରେ ଆଗଉ ଥିବା ବେଳେ ସମବେତ ଅନୁଗାମୀ ମାନଙ୍କ ମଧୢରୁ ବାହାରି ଆସି ମହାତ୍ମାଙ୍କୁ ପ୍ରଣାମ କରିିବା ଛଳନା କରି ନାଥୁରାମ ଗଡ୍‌ସେ ଅତି ନିକଟରୁ ତାଙ୍କ ଛାତି ଓ ପେଟକୁ ତିନିଥର ଗୁଳି କଲା। ପ୍ରତି ନମସ୍କାର କରିବା ଠାଣିରେ ନିଜ ହାତ ଦୁଇଟିକୁ ଯୋଡ଼ିଥିବା ଏବ˚ ଓଠରେ ‘ହେ ରାମ’ କହିବା ଅବସ୍ଥାରେ ବାପୁ ସେଠାରେ ଟଳି ପଡ଼ିଲେ। ନାଥୁରାମ ଗଡ୍‌ସେ ଜଣେ ବ୍ରାହ୍ମଣ ହୋଇଥିବାରୁ ପ୍ରତିିକ୍ରିୟାରେ ବମ୍ବେ ଆଦି ସ୍ଥାନ ମାନଙ୍କରେ ବ୍ରାହ୍ମଣ ମାନଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇ ଯାଇଥିଲା, ଯାହାକୁ ପୁଲିସ୍‌ ବଳପ୍ରୟୋଗ କରି ନିୟନ୍ତ୍ରଣ କରିଥିଲା।

ସେଇ ନାଥୁରାମ୍‌ ଗଡ୍‌ସେକୁ ଭାଜପାର ଭୋପାଳ ଲୋକସଭା ପ୍ରାର୍ଥୀ ସନ୍ନ୍ୟାସିନୀ ପ୍ରଜ୍ଞା ଠାକୁର ଜଣେ ଦେଶ ଭକ୍ତ ବୋଲି ବର୍ଣ୍ଣନା କରି ଏବେ ଦେଶବ୍ୟାପୀ ଏକ ବିତର୍କର ସୂତ୍ରପାତ କରିଛନ୍ତି। ବି˚ଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଶାନ୍ତି ଦୂତଙ୍କୁ ହତ୍ୟା କରିଥିବା ଆତତାୟୀକୁ ଦେଶ ଭକ୍ତ ରୂପେ ବର୍ଣ୍ଣନା କରିବାରେ ପ୍ରଜ୍ଞା ଠାକୁର ଅବଶ୍ୟ ଏକାକୀ ନୁହଁନ୍ତି। କେତେକ ଅନୁରାଗୀ ତ ଗଡ୍‌ସେଙ୍କ ପାଇଁ ଏକ ମନ୍ଦିର ମଧୢ ଛିଡ଼ା କରାଇଛନ୍ତି। ତେବେ ସେ ବିବାଦରୁ ଦୂରେଇ ରହି ଯଦି ଏକ ପ୍ରଶ୍ନ ପଚରାଯାଏ ଯେ, ଯୀଶୁ ଯଦି କ୍ରୁଶବିଦ୍ଧ ହୋଇ ପ୍ରାଣତ୍ୟାଗ ନକରି ଝାଡ଼ାବାନ୍ତିରେ ପଡ଼ି ଦେହତ୍ୟାଗ କରିଥାନ୍ତେ, ସେ କ’ଣ ମାନବ ଜାତିର ତ୍ରାଣକର୍ତ୍ତା ରୂପେ ପ୍ରତିଷ୍ଠା ଲାଭ କରିଥାନ୍ତେ? ମହାତ୍ମା ଗାନ୍ଧୀଙ୍କ ସମ୍ବନ୍ଧରେ ଯଦି ସେଇ ଭଳି ପ୍ରଶ୍ନ ପଚରାଯିବ, ତେବେ ବୋଧହୁଏ ସ୍ବୀକାର କରିବାକୁ ହେବ ଯେ ମହାଭାରତ ଅନୁସାରେ ମହାତ୍ମାଙ୍କୁ ସ୍ବର୍ଗପୁରକୁ ପଠାଇବାରେ ଏବ˚ ତାଙ୍କୁ ଏକ ଅବତାରରେ ପରିଣତ କରିବାରେ ଆତତାୟୀ ଗଡ୍‌ସେର ମଧୢ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ସମ୍ବନ୍ଧିତ ଖବର