ଧ୍ୟାନ ମୁଦ୍ରା

ମନର ଶାନ୍ତି ଓ ସ୍ଥିରତା ହାସଲ ହେଉଛି ଧ୍ୟାନର ଉଦ୍ଦେଶ୍ୟ। ନିର୍ବାଚନ ପ୍ରଚାର, ବିଶେଷ କରି ଭାରତ ଭଳି ଏକ ବିଶାଳ ଉପମହାଦେଶରେ ମାସାଧିକ କାଳ ଏକ ମଲ୍ଲଯୁଦ୍ଧସମ ନିର୍ବାଚନ ପ୍ରଚାରରେ କୌଣସି ପକ୍ଷର ପ୍ରଧାନ ଯୋଦ୍ଧା ଭୂମିକା ନିର୍ବାହ କରିବା ମନର ଶାନ୍ତି ଓ ସ୍ଥିରତା ଉପରେ ସେଇଭଳି ପ୍ରଭାବ ପକାଇଥାଏ, ଯେଉଁଭଳି ‘ଫନି’ ଭଳି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ବିଶାଳ ଦ୍ରୁମମାନଙ୍କ ଉପରେ ପକାଇଥାଏ। ପ୍ରଚାର ଯୁଦ୍ଧର ଅବସାନ ପରେ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଏନ୍‌ଡିଏ ପକ୍ଷର ପ୍ରଧାନ ଯୋଦ୍ଧା ନରେନ୍ଦ୍ର ମୋଦୀ ତେଣୁ ନିଜର ମାନସିକ ସନ୍ତୁଳନ ଫେରି ପାଇବା ପାଇଁ ହିମାଳୟ କୋଳରେ ଯାଇ ଧ୍ୟାନ କରିବାରେ କିଛି ଅସ୍ବାଭାବିକତା ନାହିଁ। ସେହିପରି, ସେ ଦେଶର ସର୍ବଶ୍ରେଷ୍ଠ ସେଲିବ୍ରିଟି ହୋଇଥିବାରୁ ଗଣମାଧ୍ୟମମାନେ ମୋଦୀଙ୍କୁ ଅନୁସରଣ କରି କେଦାରନାଥ ଧାମର ସେଇ ଗୁମ୍ଫା ନିକଟରେ ପହଞ୍ଚି ମୋଦୀଙ୍କ ହିମାଳୟ ଯାତ୍ରାର ରହସ୍ୟ ଉନ୍ମୋଚନ କରି ତାହାର ପ୍ରସାରଣ କରିବାରେ ମଧ୍ୟ କୌଣସି ଅସ୍ବାଭାବିକତା ନାହିଁ।

ଏମିତିରେ ଦେଶର ପ୍ରଧାନମନ୍ତ୍ରୀ ଦଲାଇଲାମାଙ୍କ ଭଳି ଏକ ଲାଲ୍‌ ଚାଦରରେ ଶରୀରକୁ ଆବୃତ କରି ଏକ ଗୁମ୍ଫା ଭିତରେ ଧ୍ୟାନ ମୁଦ୍ରାରେ ବସିଥିବା ଦୃଶ୍ୟ ଗଣମାଧ୍ୟମମାନଙ୍କ ପାଇଁ ଏକ ନିତିଦିନିଆ ଦୃଶ୍ୟ ନୁହେଁ। ପୃଥିବୀ ସାରା ଯୋଗ ଓ ଧ୍ୟାନର ପ୍ରସାର ଘଟାଇବା ପାଇଁ ଉଦ୍ୟମ ଚଳାଇଥିବା ନରେନ୍ଦ୍ର ମୋଦୀ ସେଇ ଉଦ୍ୟମର ଅ˚ଶସ୍ବରୂପ ତାଙ୍କ ୧୭ ଘଣ୍ଟା ବ୍ୟାପୀ ଧ୍ୟାନ ମୁଦ୍ରାର ଚିତ୍ର ଓ ସେ ସମ୍ପର୍କିତ ଖବର ପ୍ରସାରରେ ଆଗ୍ରହୀ ହେବା ମଧ୍ୟ ସ୍ବାଭାବିକ। ସେ ଦୀର୍ଘ ଧୢାନ ଯେ ତାଙ୍କର ମନର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାରେ ସହାୟକ ହୋଇଥିବ ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ରାଜନୀତିର ପ୍ରଭାବ ଏପରି ବିକୃତି- ସୃଷ୍ଟିକାରୀ ଯେ ଯେଉଁ ଧ୍ୟାନ ମୋଦୀଙ୍କ ପାଇଁ ମାନସିକ ସ୍ଥିରତା ଆଣି ଦେଇଛି, ତାଙ୍କର ସେଇ ଧ୍ୟାନ ତାଙ୍କର ପ୍ରତିପକ୍ଷ ଯୋଦ୍ଧାମାନଙ୍କ ପାଇଁ ଘୋର ମାନସିକ ଅସ୍ଥିରତା ସୃଷ୍ଟି କରିବା ଦେଖା ଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଆରମ୍ଭ କରି ତାଙ୍କ ଦଳର ଛାମୁଆଁ ନେତା ଡେରେକ୍‌ ଓ’ବ୍ରାଏନ୍‌ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ୍‌ ଦଳପତି ଚନ୍ଦ୍ରବାବୁ ନାଇଡ଼ୁ, କ˚ଗ୍ରେସ ନେତା ତଥା ସା˚ସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟ ଆଦିଙ୍କ ପର୍ଯ୍ୟନ୍ତ ମୋଦୀଙ୍କ କେଦାରନାଥ ଗୁମ୍ଫା ଗସ୍ତକୁ ଘୋର ସମାଲୋଚନା କରି ଏହାକୁ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲ˚ଘନ ରୂପେ ଅଭିହିତ କରି ନିର୍ବାଚନ କମିସନଙ୍କୁ ଲମ୍ବା ଚୌଡ଼ା ପ୍ରତିବାଦ ପତ୍ର ପଠାଇଛନ୍ତି। (ଉଲ୍ଲେଖଯୋଗ୍ୟ ଯେ ମୋଦୀ କେଦାର ନାଥ ଯିବା ପୂର୍ବରୁ ନିର୍ବାଚନ କମିସନଙ୍କ ଅନୁମତି ଲୋଡ଼ିଥିଲେ ଏବ˚ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା କଥା ମନେ ରଖି କେଦାରନାଥ ଗସ୍ତ ସମୟରେ ନିଜ ଆଚରଣକୁ ସେଇ ଅନୁସାରେ ନିୟନ୍ତ୍ରିତ କରିବା ପାଇଁ କମିସନ ତାଙ୍କୁ ପରାମର୍ଶ ଦେଇ ସେଥିପାଇଁ ଅନୁମତି ପ୍ରଦାନ କରିଥିଲେ।)

ମୋଦୀ ତାଙ୍କ ଗସ୍ତ ସମୟରେ ସିଧାସଳଖ ଆଚରଣ ବିଧିର ଉଲ୍ଲ˚ଘନ କରି ନ ଥିଲେ ମଧୢ ତାଙ୍କର ଧୢାନମଗ୍ନ ଛବି ହିନ୍ଦୁ ମତଦାତାମାନଙ୍କୁ ପ୍ରଭାବିତ କରିବ ବୋଲି ଚନ୍ଦ୍ରବାବୁ ନାଇଡ଼ୁଙ୍କ ଭଳି ତାଙ୍କର ବିରୋଧୀମାନେ ଆଶଙ୍କା ପ୍ରକାଶ କରିଥିଲେ- ସେମାନେ ବୋଧହୁଏ ସେଇ ଚିରାଚରିତ ସାମ୍ବାଦିକତା ନିୟମରେ ବିଶ୍ବାସ କରନ୍ତି: ‘ଗୋଟିଏ ଛବି ହେଉଛି ହଜାରଟି ଶବ୍ଦ ସହିତ ସମାନ।’ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି- ଜଣକର ଶାନ୍ତି ହେଉଛି ଅନ୍ୟ ଜଣକର ଅଶାନ୍ତି; ଯେମିତି ଇ˚ରେଜୀ ଢ଼ଗ ଅନୁସାରେ: ‘ଜଣେ ନାରୀର ବେଶ ହେଉଛି ଆଉ ଜଣେ ନାରୀର ବିଷ’ (‘ଵାନ୍‌ ଓମ୍ୟାନ୍ସ ପଏଜ୍‌ ଇଜ୍‌ ଆନାଦର‌୍‌ସ୍‌ ପଏଜନ୍‌’)। ସତେ ଯେମିତି ମୋଦୀଙ୍କ ଦଲାଇଲାମା ବେଶ ନାଇଡ଼ୁ, ମମତା ଆଦିଙ୍କ ପାଇଁ ବିଷ ସଦୃଶ ହୋଇଛି।

ଏହା ଏକ ବିରୋଧାଭାସ ଭଳି ମନେ ହୋଇପାରେ, କିନ୍ତୁ ସେମାନଙ୍କର ଅଶାନ୍ତି ଓ ଅସ୍ଥିରତାର ଯାହା କାରଣ, ସେଇଥିରେ ହିଁ ନିହିତ ଅଛି ତାହାର ନିଦାନ। ସେ ନିଦାନ ହେଉଛି- ଧ୍ୟାନ। ମୋଦୀଙ୍କ ପାଇଁ ଯେଉଁଭଳି ଧୢାନ ଆବଶ୍ୟକ, ଏମାନଙ୍କ ପାଇଁ ମଧୢ ସେଇଭଳି ଧୢାନ ଆବଶ୍ୟକ। ବିଦ୍ବେଷ ଯେତେବେଳେ ବ୍ୟକ୍ତିକୁ ଅନ୍ଧ କରି ଦିଏ, ସେ ଅନ୍ୟର ଦୃଷ୍ଟିକୋଣ ବୁଝିବାକୁ ଅସମର୍ଥ ହୋଇଥାଏ। ଧୢାନ ବ୍ୟକ୍ତିକୁ ନିଜର ବଦ୍ଧମୂଳ ଧାରଣ ସମ୍ବନ୍ଧରେ ସଚେତନ ହେବାରେ ସହାୟକ ହୋଇଥାଏ, ଯାହା ତା’ ଆଖିରୁ ଅନ୍ଧପୁଟୁଳି ହଟାଇଥାଏ। ଏହାପରେ ବ୍ୟକ୍ତି ବନ୍ଦୀ ହୋଇ ରହିଥିବା ଅଶାନ୍ତିର ଫୋଟକା ଭିତରୁ ମୁକୁଳି ଆସେ।

ଧ୍ୟାନ ମଧ୍ୟ ଏକ ଅପହଞ୍ଚ ଇଲାକା ନୁହେଁ। ଧ୍ୟାନ କରିବାର ସହଜ ଉପାୟ ମଧୢ ରହିଛି। ଯେମିତି ବୌଦ୍ଧ ପଦ୍ଧତି- ‘ମନଯୋଗ ଧ୍ୟାନ’। ଏହାକୁ ଦୀର୍ଘ ସମୟ ଅଭ୍ୟାସ କରାଯାଇ ପାରେ କିମ୍ବା ଦିନକୁ ୫-୧୦ ମିନିଟ୍‌ ମଧୢ ଅଭ୍ୟାସ କଲେ ହେବ। କିମ୍ବା ଆରମ୍ଭରେ ତା’ଠାରୁ ଆହୁରି କମ ସମୟ ଦେଲେ ମଧୢ ଚଳିବ। ଜଣେ ମାତ୍ର ତିନିଟି ସହଜ ସରଳ ପାହାଚ ଦେଇ ଧୢାନସ୍ଥ ହୋଇପାରିବ ୧. ଆରାମରେ ବସ। ପଦ୍ମାସନରେ ବସିବା ଦରକାର ନାହିଁ, ଏକ ଚୌକିରେ ବସିଲେ ମଧ୍ୟ ଚଳିବ। ୨. ଆଖି ଦୁଇଟି ବନ୍ଦ କର ଏବ˚ ତୁମର ସମ୍ପୂର୍ଣ୍ଣ ଚେତନା ଦେଇ ତୁମର ନିଃଶ୍ବାସ ପ୍ରଶ୍ବାସକୁ ଅନୁଭବ କର। ଶରୀରର ଯେଉଁ ଅ˚ଶରେ ଏହା ସର୍ବାଧିକ ଅନୁଭୂତ ହୁଏ- ନାକପୁଡ଼ା, ଛାତି, ପେଟ- ସେଥିରୁ ଗୋଟିଏ ସ୍ଥାନ ଉପରେ ତୁମର ଧୢାନ ନିବଦ୍ଧ କର। ୩. ଯେତେଥର ତୁମେ ଅନ୍ୟମନସ୍କ ହେବ- ଅସ˚ଖ୍ୟ ଥର- ସେତେଥର ତୁମେ ପୁଣି ଧ୍ୟାନ ଫେରାଇ ଆଣିବାକୁ ଚେଷ୍ଟା କର, ବ୍ୟସ୍ତ ହୁଅ ନାହିଁ।

ଏହି ଧୢାନ କୌଶଳର କେନ୍ଦ୍ରରେ ଯାହା ରହିଛି ତାହା ହେଲା- ବ୍ୟକ୍ତି ସେଇ କ୍ଷଣରେ ଘଟୁଥିବା ଘଟଣା ଉପରେ ନିଜର ଧୢାନ ନିବଦ୍ଧ କରିଥାଏ। ନିଜ ଶରୀରରେ ସେ ସମୟରେ ଦେଖା ଦେଉଥିବା ଅସ୍ବସ୍ତିଜନକ ଅବସ୍ଥା ସମ୍ବନ୍ଧରେ ସେ ସମ୍ପୂର୍ଣ୍ଣ ଓ ଏକାଗ୍ର ଭାବରେ ସଚେତନ ହୋଇପଡେ଼। ଥରେ ସେ ଆଭ୍ୟନ୍ତରୀଣ ଅସ୍ବସ୍ତି ସହିତ ଅଭ୍ୟସ୍ତ ହୋଇ ତାହାକୁ ଗ୍ରହଣ କରିବା ପରେ ବାହ୍ୟ ଅସ୍ବସ୍ତି ସବୁକୁ ମଧୢ ସ୍ଥିର ଚିିତ୍ତରେ ଗ୍ରହଣ କରିବାର କ୍ଷମତା ହାସଲ କରିବାରେ ଲାଗେ। ରାଜନୈତିକ ଦୃଶ୍ୟପଟ ଯେତେ ଅସ୍ଥିରତା ସୃଷ୍ଟିକାରୀ ହେଲେ ମଧ୍ୟ ବ୍ୟକ୍ତି ତାର ମାନସିକ ଶାନ୍ତି ଓ ସ୍ଥିରତା ହରାଏ ନାହିଁ।

ଏବେ ବାହୁଡା ମତ (ଏଗ୍‌ଜିଟ୍‌ ପୋଲ୍‌) ପ୍ରକାଶ ପାଇ ମୋଦୀ ବିରୋଧୀମାନଙ୍କ ମଧୢରେ ଘୋର ଚାଞ୍ଚଲ୍ୟ ଓ ଆତଙ୍କ ସୃଷ୍ଟି କରିଛି। ଦିନକ ପରେ ଫଳାଫଳ ପ୍ରକାଶ ପାଇଲେ ତାହା ମିଥ୍ୟା ପ୍ରମାଣିତ ହୋଇ ସେ ଆଶଙ୍କା ଦୂର ହୋଇ ଆଶ୍ବସ୍ତି ଆସିପାରେ, କିମ୍ବା ସତ୍ୟରେ ପରିଣତ ହୋଇ ଘୋର ଅସ୍ବସ୍ତି, ବିଷାଦ, କ୍ରୋଧ, ହତାଶା ଆଦି ସୃଷ୍ଟି କରିପାରେ। ଯଦି ତାହା ହୁଏ, ପରିସ୍ଥିତିର ମୁକାବିଲା ପାଇଁ ମୋଦୀ ପ୍ରଦର୍ଶିତ ଧ୍ୟାନ ମୁଦ୍ରା ହିଁ ସେମାନଙ୍କ ପାଇଁ ହେଉଛି ଏକ ମାତ୍ର ଫଳପ୍ରଦ ପନ୍ଥା।

ସମ୍ବନ୍ଧିତ ଖବର