ସ୍ଥିତାବସ୍ଥା ସପକ୍ଷରେ ଜନାଦେଶ

ଊଣେଇଶ ଜନାଦେଶ ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ ସ୍ଥିତାବସ୍ଥା ସପକ୍ଷରେ ଯାଇଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପୁଣି ଆଉ ପାଞ୍ଚବର୍ଷ ପାଇଁ ଏବ˚ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ପଞ୍ଚମ ଇନି˚ସ୍‌ ପାଇଁ ଜନତା ରାୟ ଦେଇଛନ୍ତି। ସାରା ଦେଶରେ ମୋଦୀ ଝଡ଼ ବୋହୁଥିବା ବେଳେ ନବୀନ ପ୍ରାଚୀର ଡେଇଁ ଓଡ଼ିଶାକୁ ଆସିପାରିନାହିଁ। ଚୂଡ଼ାନ୍ତ ସ˚ଖ୍ୟା ନିର୍ବିଶେଷରେ ଜାତୀୟ ଓ ରାଜ୍ୟସ୍ତରରେ ରାଜନୀତିରେ ଏହା ଗୋଟିଏ ଗୋଟିଏ ରେକର୍ଡ। ବିପୁଳ ସ˚ଖ୍ୟା ଗରିଷ୍ଠତା ସହ ମୋଦୀଙ୍କ ନେତୃତ୍ବରେ କ୍ରମାଗତ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିବାରେ ବିଜେପି ଓ ଏନ୍‌ଡିଏ ହେଉଛନ୍ତି ପ୍ରଥମ ଅଣ କ˚ଗ୍ରେସ ରାଜନୈତିକ ଦଳ ତଥା ପ୍ରଥମ ଅଣକ˚ଗ୍ରେସ ମେଣ୍ଟ। ପୂର୍ବରୁ କୌଣସି ଅଣ-କ˚ଗ୍ରେସ ଦଳ କିମ୍ବା ମେଣ୍ଟ ଦିଲ୍ଲୀରେ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରି ପାରି ନ ଥିଲେ। ସେହିପରି ରାଜ୍ୟ ସ୍ତରରେ ଲଗାତାର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏକ ବିରଳ ରେକର୍ଡ। ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ଦୃଷ୍ଟିରୁ ନବୀନ ପଶ୍ଚିମବଙ୍ଗର ପୂର୍ବତନ ବାମପନ୍ଥୀ ମୁଖ୍ୟମନ୍ତ୍ରୀ ଜ୍ୟୋତି ବାସୁଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ଏବ˚ ସିକିମର ମୁଖ୍ୟମନ୍ତ୍ରୀ ପଵନ୍‌ ଚାମଲିଙ୍ଗଙ୍କ ପରେ ସର୍ବାଧିକ କାଳ ନିରବଚ୍ଛିନ୍ନ ଭାବେ ମୁଖ୍ୟମନ୍ତ୍ରୀ ରହିବାରେ ନବୀନ ଦେଶରେ ଦ୍ବିତୀୟ। ଆଞ୍ଚଳିକ ଦଳ ଭାବେ ବିଜେଡି ୨୦୦୦ ମସିହାରୁ ନିରବଚ୍ଛିନ୍ନ ଭାବେ କ୍ଷମତାରେ ରହିବା ପରେ ପୁଣି ପାଞ୍ଚବର୍ଷ ଶାସନ ପାଇଁ ଜନାଦେଶ ପାଇଛି। ଚଉଦ ତୁଳନାରେ ଓଡ଼ିଶାରେ ‘ବ୍ରାଣ୍ତ ମୋଦୀ’ ପ୍ରତି ଊଣେଇଶରେ ନିଶ୍ଚୟ ସମର୍ଥନ ବଢ଼ିଛି। କିନ୍ତୁ ମୋଦୀଙ୍କ ବହୁ ପ୍ରଚଳିତ ‘ଡବଲ୍‌ ଇଞ୍ଜିନ୍‌’ ତତ୍ତ୍ବକୁ ମତଦାତା ଗ୍ରହଣ କରିନାହାନ୍ତି। ବିଜେପିର ପରିବର୍ତ୍ତନ ଡାକରାକୁ ମଧୢ ଓଡ଼ିଶା ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ଓ ବିଜେଡି ହାତରେ ଓଡ଼ିଶାର ଶାସନ ଭାର ଦେଇଛନ୍ତି। ଅବଶ୍ୟ, ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କୁ ପୁଣି ଦେଖିବା ଲାଗି ଚଉଦ ଅପେକ୍ଷା ଓଡ଼ିଶା ମତଦାତା ବିଜେପିକୁ ଅଧିକ ସ˚ଖ୍ୟାରେ ଭୋଟ ଦେଇଛନ୍ତି। ତେବେ, ଲୋକସଭାରେ ବିଜେପିର ପ୍ରଦର୍ଶନ ଆନୁପାତିକ ଭାବେ ବିଧାନସଭାରେ ପ୍ରତିଫଳିତ ହୋଇନାହିଁ। କିନ୍ତୁ ବିଧାନସଭାରେ ଏକ ଶକ୍ତିଶାଳୀ ବିରୋଧୀ ଦଳର ଭୂମିକା ନିର୍ବାହ ଲାଗି ଦଳକୁ ଯଥେଷ୍ଟ ଆସନ ମିଳିଛି।

ଏହାର ଶତ ପ୍ରତିଶତ ଶ୍ରେୟ ‘ବ୍ରାଣ୍ତମୋଦୀ’କୁ ଯିବ। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଏବ˚ ରାଷ୍ଟ୍ରୀୟ ଅଧୢକ୍ଷ ଅମିତ ଶାହଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀ ଓ ନେତାଙ୍କ ଘନ ଘନ ଗସ୍ତର ଫଳ ନିଶ୍ଚୟ ବିଜେପିକୁ ମିଳିଛି। ତେବେ ବିଜେପିର ସଫଳତାର ଅନ୍ୟ ଦୁଇଟି ମୁଖ୍ୟ କାରଣକୁ ଅଣଦେଖା କରାଯାଇ ନପାରେ। ପ୍ରଥମ, ପୁଲଵାମା ଆତଙ୍କବାଦୀ ଆକ୍ରମଣ ଏବ˚ ବାଲାକୋଟ ‘ଏୟାର ଷ୍ଟ୍ରାଇକ୍‌’ ପରେ ଜାତୀୟ ନିରାପତ୍ତା ଓ ରାଷ୍ଟ୍ରବାଦ ହଠାତ୍‌ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଥିଲା, ଯାହାର ଫାଇଦା ଦଳକୁ ମିଳିଛି। କିନ୍ତୁ ତାହା ନବୀନଙ୍କ କୋଡ଼ିଏ ବର୍ଷର ଦୁର୍ଗକୁ ଦୋହଲାଇ ପାରିନାହିଁ। ଦ୍ବିତୀୟ, ରାଜ୍ୟରେ ବିଜେପି ସ˚ଗଠନକୁ ସକ୍ରିୟ କରି ଶାସକ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଠିଆ କରାଇବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ଭୂମିକା। ପ୍ରଧାନଙ୍କ ସମାଲୋଚକମାନେ ପ୍ରାର୍ଥୀ ଚୟନ ପ୍ରସଙ୍ଗ ଓ ଅନ୍ୟ କେତେକ ବ୍ୟାପାରରେ ତାଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ ପାରନ୍ତି। କିନ୍ତୁ ଓଡ଼ିଶାରେ ବିଜେପିକୁ ଯାହା ବି ସଫଳତା ମିଳିଛି, ତା’ର ଅନ୍ୟତମ ମୁଖ୍ୟ ସ୍ଥପତି ଭାବେ ଧର୍ମେନ୍ଦ୍ରଙ୍କୁ ଅବଦାନକୁ ସ୍ବୀକାର କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ୨୦୦୦ରୁ ଆଜି ପର୍ଯ୍ୟନ୍ତ ‘ବ୍ରାଣ୍ତ ନବୀନ’ର ଚମକ, ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ବିଜେଡିର ପୁଞ୍ଜି ହୋଇ ରହିଆସିଛି। ନବୀନଙ୍କ ଭାବମୂର୍ତ୍ତିର ଏହି ଚମକ ବଳରେ ବିଜେଡି ଗତ ଚାରିଟି ନିର୍ବାଚନ ଜିତି ଆସିଛି। ପଞ୍ଚମ ବିଜୟ କିନ୍ତୁ ଅଧିକ ଚମକପ୍ରଦ ଓ ନବୀନଙ୍କ ରାଜନୈତିକ ପ୍ରତିଷ୍ଠାକୁ ଅଧିକ ଉଜ୍ଜ୍ବଳ କରିଛି। ଊଣେଇଶର ଲଢେ଼ଇ କିନ୍ତୁ ନବୀନଙ୍କ ଭାବମୂର୍ତ୍ତି ପାଇଁ ଥିଲା ଏକ ଅଗ୍ନି ପରୀକ୍ଷା। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମୁକାବିଲା କରିବାକୁ ପଡ଼ିଥିଲା। ବିଜେପିର ନିର୍ବାଚନ ରଣନୀତି ଓ ପ୍ରଚାର କୌଶଳ ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲା। ବିଜେଡି ଏଭଳି ଆକ୍ରମଣର ସାମ୍‌ନା ପୂର୍ବରୁ କେବେ କରି ନଥିଲା। ଏହି ପୃଷ୍ଠଭୂମିରେ ନବୀନଙ୍କ ସକାରାତ୍ମକ ରାଜନୀତି ଓ ‘କୋମଳ ଶକ୍ତି’ ବିଜେଡିକୁ ଏ ବିରଳ ବିଜୟ ଆଣି ଦେଇଛି। ନବୀନଙ୍କ ସକାରାତ୍ମକ ରାଜନୀତି ଆଗରେ ବିଜେପିର ନକାରାତ୍ମକ ରାଜନୀତି ହାର ମାନିଛି।

ବିଗତ ଦୁଇ ଦଶକରେ ଓଡ଼ିଶା ପାଇଁ ଊଣେଇଶ ନିର୍ବାଚନ ଥିଲା ସବୁଠୁ ଅଧିକ ଉତ୍କଣ୍ଠାପୂର୍ଣ୍ଣ। ରାଜ୍ୟର ୩ କୋଟି ୧୮ ଲକ୍ଷ ମତଦାତାଙ୍କ ପ୍ରତିଟି ଭୋଟ ପାଇଁ ଗୋଟିଏ ପକ୍ଷରେ ‘ବ୍ରାଣ୍ତ ନବୀନ’ର ଧ୍ବଜା ଧରିଥିବା ବିଜେଡି ଏବ˚ ଅନ୍ୟପଟେ ‘ବ୍ରାଣ୍ତ ମୋଦୀ’ର ପତାକା ଧରିଥିବା ବିଜେପି ବାହିନୀ ମଧୢରେ ଚାଲିଥିଲା ଜୋର‌୍‌ଦାର ସ˚ଘର୍ଷ। ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ, ବିଗତ ୧୯ ବର୍ଷର ମୁଖ୍ୟ ବିରୋଧୀ ଦଳ କ˚ଗ୍ରେସ ମଇଦାନରୁ ଏକପ୍ରକାର ଗାଏବ ହୋଇଯାଇଥିଲା। ଅଧିକା˚ଶ ଆସନରେ ବିଜେପି-ବିଜେଡି ସିଧାସଳଖ ଲଢେ଼ଇ ହୋଇଥିଲା। ଫଳାଫଳରେ ମଧୢ ତାହା ପ୍ରତିଫଳିତ ହୋଇଛି। ଏ ପ୍ରକାର ଏକ ଧ୍ରୁବୀକରଣରେ ବିଜେଡି ଚଉଦ ପ୍ରଦର୍ଶନ ଅବିକଳ ଦୋହରାଇ ପାରିନାହିଁ ସତ; କିନ୍ତୁ ଊଣେଇଶରେ ବିଜେଡିର ଫଳାଫଳ ପୂର୍ବର ସବୁ ସଫଳତାଠାରୁ ଅଧିକ ଚମକପ୍ରଦ। ଏହା ଓଡ଼ିଶାବାସୀଙ୍କ ‘ବ୍ରାଣ୍ତ ନବୀନ’ ପ୍ରତି ଅପାର ସଦିଚ୍ଛା ଓ ବିପୁଳ ସମର୍ଥନର ପ୍ରମାଣ। ଦୁର୍ବଳ ହୋଇ ପଡୁଥିବା କ˚ଗ୍ରେସର ଅନେକ ନେତାଙ୍କୁ ନିଜ ଶିବିରକୁ ଆଣିବା, ପ୍ରତିଦ୍ବନ୍ଦ୍ବୀ ବିଜେପିର ଗଡ଼ କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ଗୋଟିଏ ଆସନରୁ ନିଜେ ପ୍ରାର୍ଥୀ ହେବା ଏବ˚ ମହିଳାଙ୍କ ମଧୢରେ ଜନାଧାରକ୍‌ୁ ଆହୁରି ସ˚ପ୍ରସାରିତ କରିବା ଆଶାରେ ଏକ ତୃତୀୟା˚ଶ ଲୋକସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ଭଳି ଦୁଃସାହସିକ ପଦକ୍ଷେପ ନବୀନଙ୍କ ଊଣେଇଶ ରଣନୀତିର ଗୋଟିଏ ଗୋଟିଏ ‘ମାଷ୍ଟର ଷ୍ଟ୍ରୋକ୍‌’। ଉଲ୍ଲେଖନୀୟ ମହିଳା ସଶକ୍ତୀକରଣର ‘ପୋଷ୍ଟର ଗାର୍ଲ‌୍‌’ ପ୍ରମିଳା ବିଶୋୟୀଙ୍କ ସମେତ ବିଜେଡିର ଅନେକ ମହିଳା ସା˚ସଦ ପ୍ରାର୍ଥୀ ସ˚ସଦକୁ ଯିବେ।

ଊଣେଇଶ ନିର୍ବାଚନରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, ଓଡ଼ିଶା ସମେତ ଦେଶର ଅଧିକା˚ଶ ଭାଗରେ ସର୍ବପୁରାତନ ଜାତୀୟ ଦଳ କ˚ଗ୍ରେସର ଶୋଚନୀୟ ବିପର୍ଯ୍ୟୟ। ଦଳର ଅବକ୍ଷୟ ଧାରା ଜାରି ରହିଥିବାର ସ˚କେତ ମିଳିଛି। ଚଉଦରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିବା କ˚ଗ୍ରେସର ଆସନ ସ˚ଖ୍ୟା ଏଥର ସେତକ ବି ରହିବ ନ‌ାହିଁ। ଏହା କଦାପି ଦଳ ପୁନରୁଦ୍ଧାର ରାସ୍ତାକୁ ଫେରୁଥିବାର ସ˚କେତ ଦେଉନାହିଁ। ଏକଦା ଗାନ୍ଧୀ ନେହରୁ ପରିବାର କ˚ଗ୍ରେସ ପାଇଁ ପୁଞ୍ଜି ଥିଲା। ଏବେ ଦଳର ପ୍ରଥମ ପରିବାର କ˚ଗ୍ରେସ ପାଇଁ ବୋଝ। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କ˚ଗ୍ରେସର ପୁନରୁଦ୍ଧାର ଆଶା କ୍ଷୀଣ। କ˚ଗ୍ରେସକୁ ନୂଆ ନେତୃତ୍ବର ତଲାସ କରିବାକୁ ପଡ଼ିବ। ଜାତୀୟ ସ୍ତରରେ ନିର୍ବାଚନ ପରିଣାମର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଜାତି ନାମରେ ବ୍ୟକ୍ତିଗତ ଉଚ୍ଚାକା˚କ୍ଷା ଓ ପରିବାରବାଦକୁ ମତଦାତା ପ୍ରଶ୍ରୟ ଦେଇ ନାହାନ୍ତି। ଉତ୍ତରପ୍ରଦେଶରେ ଏସ୍‌ପି- ବିଏସ୍‌ପି ମହାମେଣ୍ଟ ଓ ବିହାରରେ ଲାଲୁ ଯାଦବଙ୍କ ଦଳର ନିରାଶାଜନକ ପ୍ରଦର୍ଶନ ଏହାର ପ୍ରମାଣ। ମୋଦୀଙ୍କୁ ବିରୋଧ ଯଥେଷ୍ଟ ନୁହେଁ। ବିକଳ୍ପ ରାଜନୈତିକ କାର୍ଯ୍ୟକ୍ରମ କାହିଁ?

ଓଡ଼ିଶା ପରିପ୍ରେକ୍ଷୀରେ ଊଣେଇଶ ଜନାଦେଶରେ ଆପାତତଃ ଚିତ୍ର ଓ ଚରିତ୍ରର ବାର୍ତ୍ତା ହେଲା, ଓଡ଼ିଶାର ମତଦାତା ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଆସ୍ଥା ରଖି ପୁଣି ଶାସନ ଭାର ଦେଇଛନ୍ତି। କିନ୍ତୁ ଊଣେଇଶ ବର୍ଷ ହେଲା ଶାସନରେ ଥିବା କ୍ଷମତାସୀନ ଦଳର ଏକଚାଟିଆ ଉପରେ ଅଙ୍କୁଶ ଲଗାଇ ବିରୋଧୀ ପକ୍ଷକୁ ଶକ୍ତିଶାଳୀ କରିଛନ୍ତି। ଡବଲ ଇଞ୍ଜିନ୍‌ ତତ୍ତ୍ବକୁ ପ୍ରତ୍ୟାଖ୍ୟାନ କରିଥିଲେ ସୁଦ୍ଧା ବିଭାଜିତ ଭୋଟରେ ଜାତୀୟ ସ୍ତରରେ ମୋଦୀ ଓ ତାଙ୍କ ନୀତି ଆଭିମୁଖ୍ୟ ଉପରେ ବିଶ୍ବାସ ରଖି ଏନ୍‌ଡିଏ ସରକାରର ନିରନ୍ତରତା ଉପରେ ମୋହର ଲଗାଇଛନ୍ତି। ଏହି ପ୍ରକ୍ରିୟାରେ ମତଦାତା କେନ୍ଦ୍ରରେ କ୍ଷମତାସୀନ ଦଳକୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ଆସନରେ ବସାଇ ନବୀନ ସରକାରଙ୍କ କାର୍ଯ୍ୟ ଉପରେ ଚୌକିଦାରି କରିବା ଲାଗି ଦାୟିତ୍ବ ଦେଇଛନ୍ତି। ସ˚ଘୀୟ ଶାସନ ବ୍ୟବସ୍ଥାର ଭାବନା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ମଧୢରେ ସମନ୍ବୟ ରକ୍ଷା କରି ବିରୋଧୀ ଭାବେ ବିଜେପି ଓଡ଼ିଶାର ବିକାଶ ଓ କଲ୍ୟାଣକୁ ତ୍ବରାନ୍ବିତ କରିବାର ଦାୟିତ୍ବ ନ୍ୟସ୍ତ କରିଛନ୍ତି। ସମୟ କହିବ ପଞ୍ଚମ ଥର ଶାସନକୁ ଆସୁଥିବା ବିଜେଡି ଏବ˚ ପ୍ରଥମ କରି ମୁଖ୍ୟ ବିରୋଧୀ ଦଳର ଭୂମିକା ଗ୍ରହଣ କରୁଥିବା ବିଜେପି କେତେଦୂର ନିଜ ନିଜ କର୍ତ୍ତବ୍ୟ ସ˚ପାଦନ କରି ଊଣେଇଶ ଜନାଦେଶରେ ରହିଥିବା ଓଡ଼ିଶା ବାସୀଙ୍କ ଆଶା ଓ ଆକା˚କ୍ଷା ପୂରଣ କରିବେ।

ସମ୍ବନ୍ଧିତ ଖବର