‘ବ୍ରାଣ୍ତ ନବୀନ’ର ଔଜ୍ଜ୍ବଲ୍ୟ

ଦେଶର ବଡ଼ ରାଜ୍ୟଗୁଡ଼ିକ ମଧୢରେ ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ଭାବେ ବିଜୁ ଜନତାଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଲଗାତାର ପଞ୍ଚମଥର ପାଇଁ କ୍ଷମତାସୀନ ହେବା ନିଶ୍ଚୟ ଏକ ରାଜନୈତିକ ଚମତ୍କାରିତା। କେବଳ ଉତ୍ତର-ପୂର୍ବାଞ୍ଚଳର କ୍ଷୁଦ୍ର ରାଜ୍ୟ ସିକିମ୍‌କୁ ଛାଡ଼ି ଦେଲେ ଅନ୍ୟ କୌଣସି ବଡ଼ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ ଏ ପ୍ରକାର କୃତିତ୍ବର ଅଧିକାରୀ ହେବାର ସୌଭାଗ୍ୟ ପାଇନାହିଁ। କିନ୍ତୁ ଯଦି ବିଜେଡିର କ୍ରମାଗତ ଭାବେ ପଞ୍ଚମଥର ପାଇଁ ସରକାରକୁ ପ୍ରତ୍ୟାବର୍ତ୍ତନ ଏବ˚ ନିରବଚ୍ଛିନ୍ନ ଭାବେ ଊଣେଇଶ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଏକ ଚମତ୍କାରିତା, ତେବେ, ଦେଶର ଅନ୍ୟ ବହୁ ଅଞ୍ଚଳରେ ଚମକ ଦେଖାଇଥିବା ‘ବ୍ରାଣ୍ତ ମୋଦୀ’ ଓଡ଼ିଶାରେ ‘ବ୍ରାଣ୍ତ ନବୀନ’ର ଔଜ୍ଜ୍ବଲ୍ୟ ଆଗରେ ଅନେକାଂଶରେ ଫିକା ପଡ଼ିଯିବା ଦୋହରା ଚମତ୍କାରିତା।

ଚଉଦରେ ଉତ୍ତର, ପଶ୍ଚିମ ଓ ମଧୢ ଭାରତର ଅନେକ ରାଜ୍ୟରେ ‘ମୋଦୀ କମାଲ ଦେଖାଇଥିଲା। ଯାଦୁ’ ଫଳରେ ବିଜେପି ଓ ଏହାର ସହଯୋଗୀମାନେ ଅଭୂତପୂର୍ବ ସଫଳତା ଲାଭ କରିଥିଲେ। ବହୁ ରାଜ୍ୟରେ ଅନ୍ୟତମ ଜାତୀୟ ଦଳ କ˚ଗ୍ରେସ ଧରାଶାୟୀ ହେବା ସହ ରାଜ୍ୟସ୍ତରରେ ବେଶ୍‌ ପ୍ରଭାବ ରଖୁଥିବା ମୁଲାୟମ୍‌ଙ୍କ ଏସ୍‌ପି, ମାୟାବତୀଙ୍କ ବିଏସ୍‌ପି, ଲାଲୁ ଯାଦବଙ୍କ ଆର‌୍‌ଜେଡ଼ି ଏବ˚ ନୀତିଶ କୁମାରଙ୍କ ଜେଡି (ୟୁ) ‘ମୋଦୀ ସୁନାମି’ର ସାମ୍‌ନା କରି ନ ପାରି ପ୍ରାୟତଃ ସଫା ହୋଇ ଯାଇଥିଲେ। କିନ୍ତୁ ପୂର୍ବାଞ୍ଚଳର ଦୁଇଟି ରାଜ୍ୟରେ ମୋଦୀ ସୁନାମିର ସାମାନ୍ୟତମ ପ୍ରଭାବ ସୁଦ୍ଧା ଅନୁଭୂତ ହୋଇ ନଥିଲା। ତୃଣମୂଳ କ˚ଗ୍ରେସ ଶାସିତ ପଶ୍ଚିମବଙ୍ଗ ବ୍ୟତୀତ ‘ମୋଦୀ ଯାଦୁ’କୁ ନିଷ୍ପ୍ରଭ କରି ଦେଇଥିବା ଅନ୍ୟ ରାଜ୍ୟଟି ଥିଲା ବିଜେଡି ଶାସିତ ଓଡ଼ିଶା। ବିଜେଡି ଖାତାରେ ଲୋକସଭାର ୨୧ରୁ ୨୦ଟି ଆସନ ଏବ˚ ୧୪୭ ଜଣିଆ ବିଧାନସଭାରେ ୧୧୭ ଆସନ ସହ ‘ନବୀନ ଚମକ’ ଓଡ଼ିଶାକୁ ‘ମୋଦୀ ଯାଦୁ’ର କିମିଆଠାରୁ କିଳି ଦେଇଥିଲା। ପାଞ୍ଚବର୍ଷ ପରେ ଊଣେଇଶରେ ମୋଦୀ ଝଡ଼ ଆହୁରି ଶକ୍ତିଶାଳୀ ହୋଇ ଉତ୍ତର, ପଶ୍ଚିମ, ପୂର୍ବ, ଉତ୍ତର- ପୂର୍ବ ଓ ଆ˚ଶିକ ଭାବେ ଦକ୍ଷିଣରେ ବହିଛି। କ˚ଗ୍ରେସ ସମେତ ଅନ୍ୟ ବହୁ ଅଣ-କ˚ଗ୍ରେସ, ଅଣ-ବିଜେପି ଆଞ୍ଚଳିକ ଦଳ ଏହି ଭୀଷଣକାୟ ‘ମୋଦୀ-ବାତ୍ୟା’ର ପ୍ରକୋପରୁ ବର୍ତ୍ତି ନାହାନ୍ତି। ଏପରିକି ପଡେ଼ାଶୀ ବଙ୍ଗଳାର ବାଘୁଣୀ ମମତା ଦିଦିଙ୍କ ତୃଣମୂଳ କ˚ଗ୍ରେସ ‘ମୋଦୀ- ବାତ୍ୟା’ର ପ୍ରକୋପରେ ବେଶ୍‌ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଓଡ଼ିଶାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶାନ୍ତ, ସ୍ଥିର, ସ୍ବଚ୍ଛ ନିର୍ମଳ ମୂର୍ତ୍ତି ଆଗରେ ମୋଦୀ ତୁଫାନ୍‌ ତା’ର ରୁଦ୍ର ରୂପ ଦେଖାଇ ପାରିନାହିଁ। ଓଡ଼ିଶା ରାଜନୀତିର ଇତିହାସରେ ୨୦୧୪ ଓ ୨୦୧୯ ବ୍ୟତିକ୍ରମ ଏଥିପାଇଁ ଯେ, ୧୯୭୭ରୁ ୨୦୦୯ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ନିର୍ବାଚନରେ ଓଡ଼ିଶାର ଜନାଦେଶରେ ସର୍ବଭାରତୀୟ ଜାତୀୟ ଜନାଦେଶର ଛାୟା ଅଳ୍ପ ବେଶି ମାତ୍ରାରେ ରହୁଥିଲା।

ଚଉଦ ତୁଳନାରେ ଊଣେଇଶରେ ବିଜେଡି ଦୁର୍ଗ ଉପରେ ମୋଦୀ ବାହିନୀର ଆକ୍ରମଣ ବହୁଗୁଣ ଅଧିକ ଜୋରଦାର ଥିଲା। ସ˚ଗଠନ ଦୃଷ୍ଟିରୁ ପଡେ଼ାଶୀ ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶାରେ ବିଜେପି ଅଧିକ ଶକ୍ତିଶାଳୀ। ୧୯୯୭ରୁ ୨୦୦୯ ପର୍ଯ୍ୟନ୍ତ ବାରବର୍ଷ ଧରି ହିନ୍ଦୁତ୍ବ ଦଳ ବିଜେଡିର ମେଣ୍ଟ ସହଯୋଗୀ ରହି ଆସିଥିଲା। ସେଥିରୁ ନଅବର୍ଷ ଧରି ସରକାରରେ ଭାଗୁଆଳୀ ମଧୢ ଥିଲା। ଏହା ବ୍ୟତୀତ ବିଗତ ପାଞ୍ଚବର୍ଷ ଧରି ଦିଲ୍ଲୀରେ ମୋଦୀଙ୍କ ନେତୃତ୍ବଧୀନ ଏନ୍‌ଡିଏ ଶାସକ ବିଜେପିକୁ ଓଡ଼ିଶାରେ ଅତିରିକ୍ତ ଶକ୍ତି ସ˚ଗ୍ରହରେ ସହାୟକ ହୋଇଛି। ପୁଣି ମୁଖ୍ୟ ବିରୋଧୀ ଦଳ ଅବକ୍ଷୟିଷ୍ଣୁ କ˚ଗ୍ରେସ ରାଜ୍ୟରେ ସୃଷ୍ଟି କରିଥିବା ରାଜନୈତିକ ଶୂନ୍ୟତା ସ୍ବତଃ ବିଜେପିକୁ କ୍ଷମତାଦୀନ ବିଜେଡିର ବିକଳ୍ପ ଓ ପ୍ରଧାନ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଭାବେ ଛିଡ଼ା କରାଇଛି। ଏଭଳି ପରିସ୍ଥିତିରେ ବିଜେପିର ରାଷ୍ଟ୍ରୀୟ ଅଧୢକ୍ଷ ଅମିତ ଶାହ ଓଡ଼ିଶା ପାଇଁ ‘ମିଶନ-୧୨୦’ର ଲକ୍ଷ୍ୟ ଘୋଷଣା କରିବା ଏବ˚ ଦଳର ରାଜ୍ୟ ଶାଖା ‘ପରିବର୍ତ୍ତନ’ର ଆହ୍ବାନ ଦେବା ମାତ୍ରାତିରିକ୍ତ ଉଚ୍ଚାକା˚କ୍ଷୀ ମନେ ହେଲେ ସୁଦ୍ଧା, ଆଦୌ ଅସ୍ବାଭାବିକ ନଥିଲା। କ୍ଷମତାର ଗନ୍ଧ ବିଜେପି ନେତୃତ୍ବ ଶୁ˚ଘି ପାରୁଥିଲେ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶାସକ ବିଜେଡିର କେତେକ ବିଦ୍ରୋହୀ ବହିଷ୍କୃତ ନେତାଙ୍କ ହିନ୍ଦୁତ୍ବ ଦଳରେ ଯୋଗଦାନ ବିଜେପିର କ୍ଷମତା ଦଖଲ ଆଶାକୁ ଆହୁରି ପ୍ରବଳତର କରିଥିଲା। ସର୍ବୋପରି ଓଡ଼ିଶା ରାଜନୀତିରେ ହିମାଳୟ ଭଳି ଛିଡ଼ା ହୋଇଥିବା ଅଟଳ ମହାମେରୁ ଊଣେଇଶ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହଟାଇବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଓ ‘୫୬ ଇଞ୍ଚର ଷ୍ଟ୍ରଙ୍ଗ୍‌ ମ୍ୟାନ୍‌’ ଭାବମୂର୍ତ୍ତିକୁ ବିଜେପି ରାଜ୍ୟ ନେତୃତ୍ବ ‘ବ୍ରହ୍ମାସ୍ତ୍ର’ ବିଚାର କରି ବସିଥିଲେ।

ବାସ୍ତବରେ ଓଡ଼ିଶାରେ ଊଣେଇଶ ନିର୍ବାଚନ ଥିଲା, ‘ବ୍ରାଣ୍ତ ମୋଦୀ’ ବନାମ ‘ବ୍ରାଣ୍ତ ନବୀନ’ ଲଢେ଼ଇ। ଚାରି ପର୍ଯ୍ୟାୟ ବିଶିଷ୍ଟ (ଏପ୍ରିଲ ୧୧-୨୯)ର ନିର୍ବାଚନ ଅବସରରେ ଅଠର ଦିନିଆ ଲଢେ଼ଇ ଏତେ ଘମାଘୋଟ ଥିଲା ଯେ, ମନେ ହେଉଥିଲା ମ୍ୟାଚ୍‌ ଶେଷରେ ‘ଡ୍ର’ ହୋଇଯିବ। ‘ବ୍ରାଣ୍ତ ମୋଦୀ ’ ରୂପକ ବିଜେପିର ବ୍ରହ୍ମାସ୍ତ୍ରକୁ ପ୍ରତିହତ କରି ‘ବ୍ରାଣ୍ତ ନବୀନ’ ବଳରେ ବିଜେଡି କୌଣସି ମତେ ବିଧାନସଭାରେ ଆଗୁଆ ରହିପାରେ, କିନ୍ତୁ ସ˚ସଦୀୟ ନିର୍ବାଚନରେ ‘ବ୍ରାଣ୍ତ ମୋଦୀ’ ବହୁ ଆଗରେ ରହିବ ଓ ବିଜେପି ଖାତାକୁ ସ˚ଖ୍ୟାଧିକ ଲୋକସଭା ଆସନ ଯିବ। ବିଭିନ୍ନ ଗଣମାଧୢମ ଓ ଗବେଷଣା ସ˚ସ୍ଥା ପକ୍ଷରୁ ଅନୁଷ୍ଠିତ ବୁଥ୍‌ ବାହୁଡ଼ା ମତର ଫଳାଫଳ ମଧୢ ଏହି ସ˚କେତ ଦେଉଥିଲା। ଏପରିକି କେତେକ ମହଲରେ ବିଜେଡିର ସ˚ଖ୍ୟାଗରିଷ୍ଠତା ଓ ନବୀନଙ୍କ ପଞ୍ଚମ ଇନି˚ସ ନେଇ ସନ୍ଦେହ ମଧୢ ପ୍ରକାଶ ପାଇଥିଲା। କିନ୍ତୁ ଶେଷରେ ‘ବ୍ରାଣ୍ତ ମୋଦୀ’ ବିପକ୍ଷରେ ‘ବ୍ରାଣ୍ତ ନବୀନ’ଙ୍କ ବିଜୟ ହୋଇଛି। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ସ˚ଖ୍ୟା ପ୍ରତିଦ୍ବନ୍ଦ୍ବୀ ବିଜେପି ଠାରୁ ଅଧିକ ହୋଇଛି।ଯଦିଓ ବିଧାନ ସଭାେରେ ବିଜେଡିର ସଫଳତା ସମାନୁପାତିକ ଭାବେ ଲୋକସଭାରେ ପ୍ରତିଫଳିତ ହୋଇନାହିଁ। ଉଣେଇଶ ବର୍ଷର ଶାସନ ପରେ ଗୋଟିଏ ଦଳର ବିଧାନ ସଭାରେ ତିନି ଚତୁର୍ଥା˚ଶରୁ ଅଧିକ ଆସନ ସହ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିରେ ମଧୢ ଏକ ଐତିହାସିକ ଉପଲବ୍‌ଧି। ଏହା ହିଁ ନବୀନଙ୍କ ଦୃଢ଼ ନେତୃତ୍ବ ଓ ତାଙ୍କ ସରକାରର ଲୋକାଭିମୁଖୀ ଶାସନ ଓ ବିଜେଡିର ସା˚ଗଠନିକ ଶକ୍ତି ଓ ସାମର୍ଥ୍ୟର ପରିଚୟ। କେବଳ ଆସନ ସ˚ଖ୍ୟା ଦୃଷ୍ଟିରୁ ନୁହେଁ ବିଜେଡିକୁ ମିଳିଥିବା ଭୋଟ ଶତା˚ଶ ମଧୢ ଦଳର ନେତୃତ୍ବ ଓ ସରକାର ପ୍ରତି ରାଜ୍ୟବାସୀଙ୍କ ଅତୁଟ ଆସ୍ଥାର ସୂଚକ। ବିଜେଡିର ଭୋଟ ଶତା˚ଶ ୪୪%ରୁ ୪୪.୭୨%କୁ ବୃଦ୍ଧି ପାଇଛି।

‘ବ୍ରାଣ୍ତ ନବୀନ’ର ଚମକର ଆଉ ଏକ ପ୍ରମାଣ ହେଲା ବିଜେଡି ପ୍ରଥମଥର ପାଇଁ ଏକ ତୃତୀୟା˚ଶ ଲୋକସଭା ଆସନରେ ବିଜେଡି ମନୋନୀତ ମହିଳା ପ୍ରାର୍ଥୀଙ୍କ ମଧୢରୁ ଅଧିକା˚ଶଙ୍କ ବିଜୟ। ବିଜେଡିର ୭ ମହିଳା ପ୍ରାର୍ଥୀଙ୍କ ମଧୢରୁ ବହୁଚର୍ଚ୍ଚିତ ବ୍ୟକ୍ତିତ୍ବ ‘ନାରୀ ସଶକ୍ତୀକରଣ’ର ପୋଷ୍ଟର ଗାର୍ଲ ପ୍ରମିଳା ବିଶୋୟୀଙ୍କ ସହ ଅନ୍ୟ ୫ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଓଡ଼ିଶାର ନିର୍ବାଚନ ମଇଦାନରେ ‘ବ୍ରାଣ୍ତ’ ମୋଦୀ’କୁ ଫିକା ପକାଇ ‘ବ୍ରାଣ୍ତ ନବୀନ’ର ଚମକଦାର ପ୍ରଦର୍ଶନ ପଛରେ ଅନେକ କାରଣ ରହିଛି। ସେଥିମଧୢରୁ ନବୀନଙ୍କ ବ୍ୟକ୍ତିଗତ ନିର୍ମଳ ଭାବମୂର୍ତ୍ତି, ନମ୍ର ଓ ଶାନ୍ତ ସ୍ବଭାବ ବ୍ୟତୀତ ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କାରଣଟି ହେଲା ତାଙ୍କ ପ୍ରତି ମହିଳା ମତଦାତାଙ୍କ ବିପୁଳ ଆସ୍ଥା ଓ ବିଶ୍ବାସ।- ଏହା ଅନ୍ୟ କେହି ନୁହେଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୀକାର କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ବିଜେଡିର ସଫଳତା ପାଇଁ ଓଡ଼ିଶାର ମତଦାତାଙ୍କୁ ଧନ୍ୟବାଦ ଦେବା ବେଳେ ସେ ମହିଳା ମତଦାତାଙ୍କ ପ୍ରତି ବିଶେଷ କୃତଜ୍ଞତା ଜ୍ଞାପନ କରିଥିଲେ।

ରାଜନୈତିକ ଶିଷ୍ଟାଚାର, କମନୀୟ ଶକ୍ତିକୁ ଆୟୁଧ କରି ଯେ ରାଜନୀତିରେ ସଫଳତା ହାସଲ କରାଯାଇପାରେ, ‘ବ୍ରାଣ୍ତ ନବୀନ’ର ଚମକଦାର ପ୍ରଦର୍ଶନ ତାର ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ। ଭାରତରେ ‘ବ୍ରାଣ୍ତ ନବୀନ’ ମାର୍କା ସକରାତ୍ମକ ରାଜନୀତିର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର