ସଙ୍କଟଗ୍ରସ୍ତ କଂଗ୍ରେସର ଦ୍ବନ୍ଦ୍ବ

ଚଉଦ ପରେ ଊଣେଇଶ ନିର୍ବାଚନରେ କ˚ଗ୍ରେସର ଲଗାତାର ବିପର୍ଯ୍ୟୟ ପରେ ଦଳର ଅଧୢକ୍ଷ ରାହୁଲ ଗାନ୍ଧୀ ନିିଜ ପଦରୁ ଇସ୍ତଫା ଲାଗି ପ୍ରସ୍ତାବ ଦେଇଥିଲେ। କିନ୍ତୁ ଶନିବାର ଦିନ ଦଳର ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ସ˚ସ୍ଥା କ˚ଗ୍ରେସ କାର୍ଯ୍ୟକାରୀ କମିଟି ରାହୁଲଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରି ଦେଇଛି। ମାଆ ସୋନିଆ, ଭଉଣୀ ପ୍ରିୟଙ୍କାଙ୍କ ସମେତ ନିଜେ ରାହୁଲ ସଦସ୍ୟ ଥିବା କାର୍ଯ୍ୟକାରୀ କମିଟି ଦ୍ବାରା କ˚ଗ୍ରେସ ଅଧୢକ୍ଷଙ୍କ ଇସ୍ତଫା ଅଗ୍ରାହ୍ୟ ହେବା ଆଦୌ ଅପ୍ରତ୍ୟାଶିତ ନଥିଲା। ତେବେ ଏହା ଦ୍ବାରା ଯେ, ଦେଶର ସର୍ବପୁରାତନ ଦଳ ସ˚ପ୍ରତି ସମ୍ମୁଖୀନ ହୋଇଥିବା ଅସ୍ତିିତ୍ବ ସଙ୍କଟର ମୁକାବିଲା କରିପାରିବ, ସେ ଆଶା କ୍ଷୀଣ।

ଊଣେଇଶ ନିର୍ବାଚନରେ ବିଜେପି ଓ ଏହାର ନେତୃତ୍ବାଧୀନ ଶାସକ ମେଣ୍ଟ ଏନ୍‌ଡିଏକୁ ଅଭୂତପୂର୍ବ ଐତିହାସିକ ବିଜୟ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ସପକ୍ଷରେ ମିଳିଥିବା ବିଶାଳ ଜନାଦେଶର ଚାପରେ ସ˚ସଦରେ ବିରୋଧୀ ପକ୍ଷଙ୍କ ଆସନ ସ˚ଖ୍ୟା କେବଳ ଆହୁରି କମିନାହିଁ, ଦେଶର ରାଜନୀତିରେ ମଧୢ ବିରୋଧୀଙ୍କ ସ୍ଥାନ ଅଧିକ ସଙ୍କୁଚିତ ହୋଇଛି। ପାଞ୍ଚ ବର୍ଷ ତଳେ ପ୍ରଧାନ ଜାତୀୟ ଦଳର ସ୍ଥାନ ହାସଲ କରିଥିବା ବିଜେପିର ଜନାଧାର ସ˚ପ୍ରସାରିତ ହୋଇ ଦଳର ଭୋଟ ଶତା˚ଶ ୩୧.୪%ରୁ ୩୭.୪%କୁ ବୃଦ୍ଧି ପାଇଛି। ଅବଶିଷ୍ଟ ଦଳମାନଙ୍କର ଏପରିକି ଏନ୍‌ଡିଏ ସହଯୋଗୀଙ୍କ ଭୋଟ ଶତାଂଶ କାଁ ଭାଁ ବଢ଼ିଛି। ଅନ୍ୟ ସମସ୍ତଙ୍କ ଭୋଟ ଶତାଂଶ ସ୍ଥିର ରହିଛି କିମ୍ବା କମିଛି। ଜାତୀୟ ସ୍ତରରେ ମେଣ୍ଟ ରାଜନୀତିର ପୂର୍ଣ୍ଣଚ୍ଛେଦ ଟାଣି ପୁଣି ଗୋଟିଏ ଦଳର ପ୍ରାଧାନ୍ୟ ଆଡ଼କୁ ରାଜନୀତି କଡ଼ ଲେଉଟାଉ ଥିବାର ଲକ୍ଷଣ ଦେଖାଯାଉଛି। ବିଜେପି ଯୋଗୁ ସାମଗ୍ରିିକ ଭାବେ ଏନ୍‌ଡିଏର ମିଳିତ ଭୋଟ ଶତା˚ଶ ଚଉଦର ୩୮%ରୁ ୪୫%କୁ ବୃଦ୍ଧି ପାଇଛି। ଭୋଟ ଶତା˚ଶରେ ବୃଦ୍ଧି ସୂଚନା ଦେଉଥିବା ଶାସକ ପକ୍ଷର ଜନାଧାରରେ ସ˚ପ୍ରସାରଣ ବିରୋଧୀ ଶିବିରର ଅନେକ ଦଳଙ୍କୁ ସଙ୍କଟ ମଧୢକୁ ଠେଲି ଦେଇଛି।

ସଙ୍କଟ ଦ୍ବାରା ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛି ବିରୋଧୀ ଶିବିରର ପ୍ରମୁଖ ଦଳ ସ୍ବାଧୀନତୋତ୍ତର ଭାରତରେ ସର୍ବାଧିକ କାଳ ଶାସନରେ ରହିଥିବା କ˚ଗ୍ରେସ। କ୍ଷମତାସୀନ ବିଜେପିର ବିଜୟ ଯେମିତି ଐତିହାସିକ, କ˚ଗ୍ରେସର ପରାଜୟ ମଧୢ ସେମିତି ଐତିହାସିକ। ବିଜେପିର ସଫଳତା ଯେତେ ବଡ଼, କ˚ଗ୍ରେସର ପରାଜୟ ତା’ଠାରୁ ବହୁଗୁଣ ଅଧିକ ବଡ଼! ଦେଶର ସ˚ସଦୀୟ ନିର୍ବାଚନର ଇତିହାସରେ ଚଉଦରେ ଲୋକସଭାରେ କ˚ଗ୍ରେସର ଆସନ ସ˚ଖ୍ୟା ସର୍ବନିମ୍ନ ୪୪କୁ ଖସି ଆସିଥିଲା। ପାଞ୍ଚବର୍ଷ ପରେ ଦଳର ଆସନ ସ˚ଖ୍ୟା ୫୨କୁ ବୃଦ୍ଧି ପାଇଥିଲେ ସୁଦ୍ଧା, ଲୋକସଭାରେ ବିରୋଧୀ ଦଳର ମାନ୍ୟତା ଲାଗି ଏହା ଯଥେଷ୍ଟ ନୁହେଁ। ବିରୋଧୀ ଦଳର ମାନ୍ୟତା ପାଇବା ଲାଗି ୫୪୩ ଜଣିଆ ଲୋକସଭାରେ ଗୋଟିଏ ଦଳକୁ ୧୦% ଆସନ ବା ଗୃହରେ ସମ୍ପୃକ୍ତ ଦଳର ୫୫ ଜଣ ସଦସ୍ୟ ରହିବା କଥା। ବିଡ଼ମ୍ବନା ହେଲା, ପ୍ରତିପକ୍ଷ ବିଜେପି କ୍ରମାଗତ ଦ୍ବିତୀୟ ଥର ପାଇଁ ପୂର୍ବାପେକ୍ଷା ଅଧିକ ସ˚ଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରୁଥିବା ବେଳେ କ˚ଗ୍ରେସ ଲଗାତାର ଦ୍ବିତୀୟ ଥର ବିରୋଧୀ ଦଳର ମାନ୍ୟତା ସୁଦ୍ଧା ହାସଲ କରିବାରେ ବିଫଳ ହୋଇଛି।

ଜାତୀୟ ସ୍ତରରେ ନିଜକୁ କ୍ଷମତାସୀନ ମୁଖ୍ୟ ବିକଳ୍ପ ଦାବି କରୁଥିବା କ˚ଗ୍ରେସର ଐତିହାସିକ ପରାଜୟର ଏହା ସମ୍ପୂର୍ଣ୍ଣ ଚିତ୍ର ନୁହେଁ। ଦେଶର ୧୩ଟି ରାଜ୍ୟ ଓ ୫ଟି କେନ୍ଦ୍ରଶାସିତ ଅଞ୍ଚଳରେ କ˚ଗ୍ରେସ ଗୋଟିଏ ସୁଦ୍ଧା ଲୋକସଭା ଆସନ ପାଇନାହିଁ। ଏକା କେରଳକୁ ବାଦ୍‌ ଦେଲେ, କ˚ଗ୍ରେସ ଯେଉଁ ରାଜ୍ୟରେ ବି ଆସନ ପାଇଛି, ତାହା ଏକ ଅଙ୍କରେ ସୀମିତ। ବିିଶେଷ କରି ମାତ୍ର ପାଞ୍ଚ ମାସ ତଳେ ବିଧାନସଭାରେ ବିଜୟୀ ହୋଇ କ୍ଷମତାକୁ ଆସିଥିବା ତିନିଟି ହିନ୍ଦୀ ଭାଷାଭାଷୀ ରାଜ୍ୟ- ମଧୢପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କ˚ଗ୍ରେସ ଖାତାକୁ ମାତ୍ର ତିନିଟି ଲୋକସଭା ଆସନ ଆସିିଛି। ଦେଶର ବିଭିନ୍ନ ଅଞ୍ଚଳରେ କ˚ଗ୍ରେସ ଯେ ପତିଆରା ହରାଇ ଚାଲିଛି, ତା’ର ଆଉ ଏକ ପ୍ରମାଣ ହେଲା, ବିଭିନ୍ନ ରାଜ୍ୟରେ ୯ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ନିଜ ଆସନରେ ପରାଜିତ ହୋଇଛନ୍ତି। ଅଧିକା˚ଶ ରାଜ୍ୟରେ ଦଳର ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ ଓ ସାମଗ୍ରିକ ଭାବେ ଭୋଟ ଶତା˚ଶ ପାଞ୍ଚ ବର୍ଷ ପରେ ମଧୢ ୧୯.୫%ରେ ସ୍ଥିର ରହିବା କ’ଣ ସ˚କେତ ଦେଉଛି? ସର୍ବ ପୁରାତନ ଦଳ ସ୍ଥାଣୁତ୍ବର ଶିକାର ହୋଇଛି। ୨୦୦୯ରେ ଦଳର ଭୋଟ ଶତା˚ଶ ୨୮.୫୫% ଥିବା ବେଳେ ପରବର୍ତ୍ତୀ ଦୁଇଟି ଯାକ ନିର୍ବାଚନରେ ଏହା ୧୯.୫%ରେ ସ୍ଥିର ରହିଛି। ଏହା କେବଳ କ˚ଗ୍ରେସ ପୁନରୁଦ୍ଧାର ରାସ୍ତା ଧରିଥିବା ଆକଳନକୁ ଭୁଲ୍‌ ପ୍ରମାଣିତ କରୁନାହିଁ, ସର୍ବ ପୁରାତନ ଦଳର ସର୍ବଭାରତୀୟ ଉପସ୍ଥିତି ତଥା ଜାତୀୟ ଦଳ ଭାବେ ଏହାର ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଊଣେଇଶ ଫଳାଫଳ କ˚ଗ୍ରେସର ସ୍ଥାଣୁତ୍ବ ସହ ଦଳୀୟ ନେତୃତ୍ବର ଦୁର୍ବଳତା ପ୍ରତି ସ୍ପଷ୍ଟ ଇଙ୍ଗିତ କରୁଛି। ଉତ୍ତର ପ୍ରଦେଶରେ ଗାନ୍ଧୀ-ନେହରୁ ପରିବାରର ‘ଜାଗିର’ କୁହାଯାଉଥିବା ଆମେଥିରୁ ନିଜେ କ˚ଗ୍ରେସ ଅଧୢକ୍ଷ ରାହୁଲ ପରାସ୍ତ ହୋଇଛନ୍ତି। କ˚ଗ୍ରେସର ‘ଆପାତ୍‌କାଳୀନ ରିଜର୍ଭ ଷ୍ଟକ୍‌’ ବିଚାର କରାଯାଉଥିବା ରାଜୀବ ତନୟା ପ୍ରିିୟଙ୍କାଙ୍କ ପ୍ରଚାର ସତ୍ତ୍ବେ ତାଙ୍କ ଦାୟିତ୍ବରେ ଥିବା ପୂର୍ବ-ଉତ୍ତରପ୍ରଦେଶ କିମ୍ବା ଅନ୍ୟ କୌଣସି ଅଞ୍ଚଳରେ ଦଳର ପ୍ରଦର୍ଶନରେ ଉନ୍ନତି ହୋଇନାହିଁ। କ˚ଗ୍ରେସିଆଙ୍କ ପାଇଁ ଅପ୍ରୀତିକର ହେଲେ ସୁଦ୍ଧା ଏହା ସୂଚାଉଛି ଯେ, ଗାନ୍ଧୀ-ନେହରୁ ପରିବାରର ସଦସ୍ୟ ଆଉ କ˚ଗ୍ରେସ ପାଇଁ ସମ୍ପତ୍ତି ନୁହନ୍ତି, ବର˚ ବୋଝ। ଗୋଟିଏ ସମୟରେ ନେହରୁ, ଇନ୍ଦିରା ଓ ରାଜୀବଙ୍କ ପରିଚୟରେ କ˚ଗ୍ରେସ ପରିଚିତ ହେଉଥିଲା। ଏବେ ସ୍ଥିତି କିନ୍ତୁ ଠିକ୍‌ ଓଲଟା। କ˚ଗ୍ରେସର ପରିଚୟରେ ରାହୁଲ, ପ୍ରିୟଙ୍କା ପରିଚିତ। କ˚ଗ୍ରେସ ବିନା ସେମାନଙ୍କ କୌଣସି ରାଜନୈତିକ ସତ୍ତା ନାହିଁ।

ତେବେ କ’ଣ ୧୩୪ ବର୍ଷ ପୁରୁଣା ଦେଶର ସର୍ବପୁରାତନ ଦଳ ପାଇଁ ଦିନ କାଳ ସରି ସରି ଆସୁଛି? ରାଜନୀତିରେ କୌଣସି ଦଳ କିମ୍ବା ରାଜନୈତିକ ବ୍ୟକ୍ତିତ୍ବଙ୍କ ପାଇଁ ଆଗୁଆ ଶୋକବାର୍ତ୍ତା ଲେଖିବା ବୌଦ୍ଧିକ ଅପରିପକ୍ବତା ଏବ˚ ନିର୍ବୋଧତାର ପରିଚାୟକ। ଏହାର ଉଜ୍ଜ୍ବଳ ଉଦାହରଣ ଆଜି ତାରିଖରେ ଦେଶର ସଫଳତମ ଦଳ ଭାବେ ଉଭା ହୋଇଥିବା ଭାରତୀୟ ଜନତା ପାର୍ଟି। ୧୯୮୪ରେ ମାତ୍ର ଦୁଇଟି ଲୋକସଭା ଆସନ ପାଇଥିବା ବିଜେପି ୨୦୧୯ରେ ୩୦୩ ଆସନ ସହ କ୍ରମାଗତ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣ ସ˚ଖ୍ୟା ଗରିଷ୍ଠତା ହାସଲ କରିଛି। କେବଳ ଦକ୍ଷିଣର କେତୋଟି ରାଜ୍ୟକୁ ଛାଡ଼ି ଦେଲେ ଉତ୍ତର, ପଶ୍ଚିମ, ପୂର୍ବ, ଏପରିକି ଉତ୍ତର- ପୂର୍ବାଞ୍ଚଳରେ ମଧୢ ହିନ୍ଦୁତ୍ବ ଦଳର ଉପସ୍ଥିତି ବେଶ୍‌ ପ୍ରଭାବଶାଳୀ। ବିଜେପି ପାଇଁ ଏହି ସଫଳତାର ମୂଳଦୁଆ ପକାଇଥିଲେ ଅଟଳ ବିହାରୀ ବାଜପେୟୀ- ଲାଲକୃଷ୍ଣ ଆଡଭାନୀ ଯୋଡ଼ି। ଏଥିରେ ଏବେ ମୁଣ୍ତି ମାରିିଛନ୍ତି ନରେନ୍ଦ୍ର ମୋଦୀ-ଅମିତ ଶାହ ଯୋଡ଼ି। ବିଜେପି ଉତ୍ତରଣର ସଫଳ କାହାଣୀ ଆଗକୁ ମଧୢ ଜାରି ରହିବାର ସବୁ ଲକ୍ଷଣ ଦେଖାଯାଉଛି। ବିଜେପି ସଫଳତାର ବାର୍ତ୍ତା ହେଲା, ଦୃଢ଼ ନେତୃତ୍ବ ହିଁ ଗୋଟିଏ ରାଜନୈତିିକ ଦଳର ଉତ୍ତରଣର ପ୍ରଧାନ ଇନ୍ଧନ। ବିଶ୍ବ ଇତିହାସରେ ମଧୢ ଏହାର ଅନେକ ଦୃଷ୍ଟାନ୍ତ ରହିଛି। ଭାରତୀୟ ରାଜନୀତିରେ ଡିଏମ୍‌କେଠାରୁ ଆରମ୍ଭ କରି ଓଡ଼ିଶାର ବିଜୁ ଜନତା ଦଳ ପର୍ଯ୍ୟନ୍ତ ଆଞ୍ଚଳିକ ସ୍ତରରେ ଦୃଢ଼ ନେତୃତ୍ବର ଅଭ୍ୟୁଦୟ ସହ ଗୋଟିଏ ଦଳର ଉତ୍‌ଥାନ ଯୋଡ଼ି ହୋଇଥିବାର ବଳିଷ୍ଠ ପ୍ରମାଣ।

ଆଜି କ˚ଗ୍ରେସ ଅବକ୍ଷୟମୁଖୀ ହେବାର ମୁଖ୍ୟ କାରଣ ଦୃଢ଼ ନେତୃତ୍ବର ଅଭାବ। ରାହୁଲ ଗାନ୍ଧୀଙ୍କ ନେତୃତ୍ବର ସାମର୍ଥ୍ୟ କ˚ଗ୍ରେସ ଡଙ୍ଗାକୁ ବାହି ନେବାରେ ସା˚ଘାତିକ ଭାବେ ନିଅଣ୍ଟିଆ ପଡ଼ିଛି। ନେହରୁ-ଗାନ୍ଧୀ ପରିବାର ପ୍ରତି ପାରମ୍ପରିକ ଆନୁଗତ୍ୟ କାରଣରୁ ହେଉ କିମ୍ବା ଦଳରେ ଏକତା ରକ୍ଷାର ବାଧୢବାଧକତା କାରଣରୁ ହେଉ, କ˚ଗ୍ରେସ କର୍ମୀ ଓ ଦଳୀୟ ନେତାମାନେ ରାହୁଲଙ୍କ ନେତୃତ୍ବକୁ ଗ୍ରହଣ କରିଥାଇ ପାରନ୍ତି। କିନ୍ତୁ, ସାଧାରଣ ମତଦାତା ରାହୁଲଙ୍କ ନେତୃତ୍ବକୁ ସ୍ବୀକାର କରି ନାହାନ୍ତି। କେବଳ ଚଉଦ ଓ ଊଣେଇଶ ସାଧାରଣ ନିର୍ବାଚନ ନୁହେଁ, ଅଧିକା˚ଶ ରାଜ୍ୟ ନିର୍ବାଚନରେ ମଧୢ ଏହା ପ୍ରମାଣିତ ହୋଇଛି। ଡିସେମ୍ବରରେ ତିନିଟି ରାଜ୍ୟରେ କ˚ଗ୍ରେସର ବିଜୟ ରାହୁଲଙ୍କ ନେତୃତ୍ବ ନେଇ ନିଶ୍ଚୟ କିଛି ସମ୍ଭାବନା ସୃଷ୍ଟି କରିଥିଲା। କିନ୍ତୁ, ଊଣେଇଶ ଫଳାଫଳ ପରେ ସେହି ସମ୍ଭାବନା ହଜି ଯାଇଥିବା ମନେ ହେଉଛି। ସ୍ବୀକାର କରିବାକୁ ପଡ଼ିବ ଯେ, କ˚ଗ୍ରେସ ସଙ୍କଟର ମଞ୍ଜି ହେଲା, ନେତୃତ୍ବରେ ଶୂନ୍ୟତା। ଏହି ଶୂନ୍ୟତା ପୂରଣ ଲାଗି କ˚ଗ୍ରେସ କର୍ମୀମାନେ ଗାନ୍ଧୀ- ନେହରୁ ପରିବାର ପ୍ରତି ଅନ୍ଧ ଆନୁଗତ୍ୟରୁ ମୁକୁଳି ଅନ୍ୟ ବିକଳ୍ପର ତଲାସ କରିବା ସମୟ ଏବେ ଆସିଯାଇଛି। ନିର୍ବାଚନରେ ବିପର୍ଯ୍ୟୟ ପରେ ରାହୁଲ ଗାନ୍ଧୀ କ˚ଗ୍ରେସ ଅଧୢକ୍ଷ ପଦରୁ ଇସ୍ତଫା ପ୍ରସ୍ତାବ ଦେଇଥିଲେ। ସା˚ପ୍ରତିକ ସଙ୍କଟକୁ ଅତିକ୍ରମ କରିବା ଲାଗି ଦଳ ପାଇଁ ଏହା ଥିଲା ଏକ ସୁଯୋଗ। ତେବେ କ˚ଗ୍ରେସ କାର୍ଯ୍ୟକାରିଣୀ ସେହି ସୁଯୋଗକୁ ହାତଛଡ଼ା କରିଛନ୍ତି। ରାହୁଲଙ୍କୁ ଛାଡ଼ି ଦେଲେ କିଏ? ନେହରୁ-ଗାନ୍ଧୀ ପରିବାର ବାହାରୁ କ’ଣ କେହି ଦଳକୁ ନେତୃତ୍ବ ଦେଇ ପାରିବେ? ଏଇ ପ୍ରଶ୍ନଗୁଡ଼ିକ ଉପରେ ବୋଧହୁଏ କାର୍ଯ୍ୟକାରିଣୀ ଦ୍ବନ୍ଦ୍ବରୁ ମୁକୁଳି ପାରିନାହାନ୍ତି। ତେବେ, ନେହରୁ-ଗାନ୍ଧୀ ପରିବାର ଯେତେବେଳେ କଂଗ୍ରେସକୁ ସମର୍ଥ ନେତୃତ୍ବ ‌େଦଇ ପାରୁନାହାନ୍ତି, ସେତେବେଳେ ନୂଆ ପରୀକ୍ଷା ପାଇଁ ଦ୍ବିଧା କାହିଁକି? ନୂଆ ନେତୃତ୍ବ ଅଧୀନରେ ଦଳକୁ ସଫଳତା ମିଳିବ କି ନାହିଁ ତାହା ଅନିଶ୍ଚିତ ହୋଇପାରେ, କିନ୍ତୁ, ନେହରୁ- ଗାନ୍ଧୀ ପରିବାର ନେତୃତ୍ବରେ କଂ‌େଗ୍ରସର ଭବିଷ୍ୟତ ଯେ ଉଜ୍ଜ୍ବଳ ନୁହେଁ, ତାହା ସ୍ପଷ୍ଟ। ନେତୃତ୍ବ ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସ ଦ୍ବନ୍ଦ୍ବରୁ ମୁକୁଳୁ। ଅନ୍ୟଥା, ଏହା ଦେଶର ହିତରେ ନୁହେଁ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ଦୃଢ଼ ସରକାର ଯେତିକି ଆବଶ୍ୟକ, ଗୋଟିଏ ଶକ୍ତିଶାଳୀ ବିରୋଧୀ ପକ୍ଷ ମଧୢ ସେତିକି ଆବଶ୍ୟକ।

ସମ୍ବନ୍ଧିତ ଖବର