ଆତ୍ମବିଶ୍ୱାସରେ ଭଟ୍ଟା

ତିନି ବର୍ଷର ଶାସନରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାପଗ୍ରସ୍ତ ଓ ବିଚଳିତ ଥିବାର ଲକ୍ଷଣ ସ୍ପଷ୍ଟ ବାରି ହେଉଛି। ବୁଧବାର ଦିନ କମ୍ପାନି ସେକ୍ରେଟେରି ମାନଙ୍କ ଏକ ସଭାରେ ପ୍ରଧାନମନ୍ତ୍ରୀ ମହୋଦୟ ରଖିଥିବା ବକ୍ତବ୍ୟରୁ ଏହାର ଯଥେଷ୍ଟ ସୂଚନା ମିଳୁଛି ଯେ, କେବଳ ଶାସକ ଦଳ ଭିତରେ ମୋଦୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ଓ ବିଶ୍ୱାସ ଊଣା ପଡ଼ି ଆସୁଛି ତାହା ନୁହେଁ, ତାଙ୍କ ନିଜର ଆତ୍ମବିଶ୍ୱାସରେ ମଧ୍ୟ ଭଟ୍ଟା ପଡୁଛି। ଅନ୍ୟର ଦୁର୍ବଳତା ଆଡ଼କୁ ଅଙ୍ଗୁଳି ଦେଖାଇ ନିଜ ଦୁର୍ବଳତାକୁ ଘଣ୍ଟ ଘୋଡ଼ାଇବାର ପ୍ରୟାସ ଆତ୍ମବିଶ୍ୱାସ ନିଅଣ୍ଟ ପଡ଼ିବାର ସଂକେତ ନୁହେଁ ତ ଆଉ କ’ଣ? ଅର୍ଥନୈତିକ ମାନ୍ଦାବସ୍ଥା ନେଇ ବିରୋଧୀ ପକ୍ଷ ଓ ନିଜ ଦଳରୁ ସମାଲୋଚନାର ମୁକାବିଲା ପାଇଁ ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବବର୍ତ୍ତୀ ୟୁପିଏ ସରକାରଙ୍କ ବିଫଳତାକୁ ଢାଲ କରିବାକୁ ପଡ଼ିଛି। ମୋଦୀ ସମାଲୋଚକଙ୍କୁୁ ପାଲଟା ଜବାବ ଦେବାକୁ ଚାହିଁଥିଲେ ମଧ୍ୟ ବସ୍ତୁତଃ ଆତ୍ମରକ୍ଷା ରଣକୌଶଳ ଆପଣାଇବାକୁ ବାଧ୍ୟ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କୈଫିୟତ୍‌ ଦେଇଛନ୍ତି ଯେ, ଗତ ଦୁଇଟି ତ୍ରୈମାସିକରେ ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବା ନେଇ ଅଯଥା ତିଳକୁ ତାଳ କରି ହାଲ୍ଲା କରାଯାଉଛି, ଅଥଚ ପୂର୍ବବର୍ତ୍ତୀ ୟୁପିଏ ସରକାର ଅମଳରେ ଅନ୍ତତଃ ଆଠ ଥର ଅର୍ଥନୀତିର ତିନି ମାସିଆ ପ୍ରଦର୍ଶନ ନିରାଶାଜନକ ଥିଲା; ସେ ନେଇ କେହି କିଛି କହୁନାହାନ୍ତି। ସମାଲୋଚନାକୁ ହାଲୁକା କରିବାକୁ ଯାଇ ମୋଦୀ ପରିସଂଖ୍ୟାନ ଦେଇଛନ୍ତି ଯେ, ଏପ୍ରିଲ୍‌-ଜୁନ୍‌ ତିନିମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୫.୭ ପ୍ରତିଶତକୁ ଖସିବା ନେଇ ସରକାରଙ୍କ ପ୍ରତି ଅଙ୍ଗୁଳି ଦେଖାଯାଉଛି, କିନ୍ତୁ ୟୁପିଏ ଅମଳରେ କେତେକ ତୈ୍ରମାସିକରେ ଅଭିବୃଦ୍ଧି ହାର ୧.୫, ଏପରିକି ୦.୨ ପ୍ରତିଶତକୁ ମଧ୍ୟ ଖସି ଆସିଥିଲା। ଦଳ ଭିତରର ଯଶୋବନ୍ତ ସିହ୍ନା ଅରୁଣ ସୌରୀ ଓଗେରଙ୍କ ପ୍ରତି ଇଙ୍ଗିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାଭାରତର ଶଲ୍ୟଙ୍କ ସଦୃଶ ସେମାନେ ‘ନିରାଶାବାଦୀ’ ମାନସିକତାରେ ଆକ୍ରାନ୍ତ ହୋଇ ଅର୍ଥନୀତି ନେଇ ଅଯଥା ଏକ ନିରାଶାର ବାତାବରଣ ସୃଷ୍ଟି କରୁଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ପୂର୍ବବର୍ତ୍ତୀ ସରକାରଙ୍କ ବିଫଳତା ଆଡ଼କୁ ଅଙ୍ଗୁଳି ଦେଖାଇ ପ୍ରଧାନମନ୍ତ୍ରୀ କ’ଣ ନିଜ ବିଫଳତାକୁ ଘଣ୍ଟ ଘୋଡ଼ାଇ ପାରିବେ? ଦଳ ଭିତରେ ଭିନ୍ନମତବାଦୀ ସମାଲୋଚକଙ୍କୁ ‘ନିରାଶାବାଦୀ ଶଲ୍ୟ’ ଭାବେ ଚିତ୍ରଣ କରି କ’ଣ ମୋଦୀ ସାଧାରଣ ଜନତାଙ୍କ ମଧ୍ୟରେ ଦାନାବାନ୍ଧୁଥିବା ନିରାଶା ଓ ଅସନ୍ତୋଷକୁ ଦୂର କରି ପୁଣି ଆଶା ସଞ୍ଚାର କରିପାରିବେ? ଅସଲ କଥା ହେଲା, ଅର୍ଥନୀତିରେ ମାନ୍ଦାବସ୍ଥା ନେଇ ପ୍ରଧାନମନ୍ତ୍ରୀ ଅବଗତ, ଏ ନେଇ ସାଧାରଣ ଜନତା-ଖାଉଟିଙ୍କ ଠାରୁ ଆରମ୍ଭ କରି ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷର ତାତିକୁ ମୋଦୀ ଅନୁଭବ କରୁଛନ୍ତି। ଅଥଚ ସ୍ୱୀକାର କରିବାକୁ ନାରାଜ। ସେ ଦୃଷ୍ଟିରୁ ଆତ୍ମରକ୍ଷା ପାଇଁ ମୋଦୀ ‘କମ୍ପାନି ସେକ୍ରେଟେରି’ଙ୍କ ସଭାରେ ରଖିଥିବା କୈଫିୟତ୍‌ ଔଷଧ ବିକଳରେ ତାଟିଆ କାମୁଡ଼ା ଭଳି। ପୂର୍ବବର୍ତ୍ତୀ ସରକାର ଆଡ଼କୁ ଅଙ୍ଗୁଳି ଦେଖାଇ ସେ ନିଜର ଦୁର୍ବଳତାକୁ ଲୁଚାଇ ପାରିବେ ନାହିଁ। ୟୁପିଏ ସରକାରର ପ୍ରଦର୍ଶନରେ ନିରାଶ ହୋଇ ଜନତା ପରିବର୍ତ୍ତନ ଆଶାରେ ଏନ୍‌ଡିଏ ସପକ୍ଷରେ ଜନାଦେଶ ଦେଇଥିଲେ। କିନ୍ତୁ ପରିବର୍ତ୍ତନର ଆଶା କେବଳ ମଉଳି ଯାଉନି ବରଂ ଅବସ୍ଥା ଆହୁରି ବିଗିଡ଼ିବାକୁ ବସିଲାଣି। ଏନ୍‌ଡିଏ ସରକାର ବି ଜନତାଙ୍କୁ ନିରାଶ କରିଛନ୍ତି। କୈତୂହଳପୂର୍ଣ୍ଣ ବିଡ଼ମ୍ବନା ହେଲା, ପୂର୍ବ ସରକାରର ବିଫଳତାକୁ ଢାଲ କରି ଚଳିତ ସରକାର ନିଜର ଆତ୍ମରକ୍ଷା କରୁଛନ୍ତି।

ବୁଧବାର ସଭାରେ ପ୍ରଧାନମନ୍ତ୍ରୀ ଅର୍ଥନୀତିର ଅବସ୍ଥା ନେଇ ଦେଶବାସୀଙ୍କୁ ଆଶ୍ୱସ୍ତ କରଥିଲେ ଯେ, ଚିନ୍ତାର କାରଣ ନାହିଁ। ଅର୍ଥନୀତି ଠିକଣା ବାଟରେ ଚାଲିଛି, ଭବିଷ୍ୟତ ମଧ୍ୟ ସମ୍ଭାବନାପୂର୍ଣ୍ଣ। କିନ୍ତୁ ପ୍ରଧାନମନ୍ତ୍ରୀ ଏହି ଅଶ୍ୱାସନାବାଣୀ ଶୁଣାଇବାର ଅଳ୍ପ ଘଣ୍ଟା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ନିରାଶା ଭରି ହୋଇ ରହିଛି। ମୁଦ୍ରାନୀତି ଘୋଷଣା ଅବସରରେ ପ୍ରକାଶ ପାଇଥିବା ଅଟକଳ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଜିଡିପିର ଅଭିବୃଦ୍ଧି (ଜି.ଡି.ଏ ବା ଗ୍ରସ୍‌ ଭାଲ୍ୟୁ ଏଡିସନ୍‌ ମାପକାଠିରେ) ୬.୭ ପ୍ରତିଶତରେ ସୀମିତ ରହିବ। ପୂର୍ବରୁ ଏହି ଅଭିବୃଦ୍ଧି ୭.୩ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା। ପୂର୍ବରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଅର୍ଥନୈତିକ ଗବେଷଣା ଶାଖା ପକ୍ଷରୁ ଅର୍ଥନୀତି ନେଇ ଯେଉଁ ନିରୁତ୍ସାହଜନକ ଚିତ୍ର ଅଙ୍କା ଯାଇଥିଲା, ଆରବିଆଇ ରିପୋର୍ଟରେ ମଧ୍ୟ ତାହା ପ୍ରତିଫଳିତ ହୋଇଛି। ସାଧାରଣ ଜନତାଙ୍କ ଉପରେ ମହଙ୍ଗାର ବୋଝ ମଧ୍ୟ ବଢ଼ିବାର ଆଶଙ୍କା ରହିଛି। ଆରବିଆଇ ରିପୋର୍ଟ ଅନୁଯାୟୀ ମୁଦ୍ରାସ୍ଫୀତି ହାର ୪.୬ ପ୍ରତିଶତକୁ ଛୁଇଁପାରେ। ଏହାକୁ ବିଚାରକୁ ନେଇ ଆରବିଆଇ ସୁଧ ହାର ଅପରିବର୍ତ୍ତିତ ରଖିଛନ୍ତି।

କେବଳ ଆରବିଆଇ କିଂବା ଏସ୍‌ବିଆଇର ରିପୋର୍ଟ ନୁହେଁ, ଆହୁରି ଅନେକ ସରକାରୀ ଓ ବେସରକାରୀ ରିପୋର୍ଟରେ ମଧ୍ୟ ଅର୍ଥନୈତିକ ମାନ୍ଦାବସ୍ଥାର ଅବଧି ଲମ୍ବା ହେବାର ସତର୍କବାଣୀ ଶୁଣାଯାଇଛି। ଉଲ୍ଲେଖନୀୟ ହେଲା, ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ମହୋଦୟ ବିଶ୍ୱ ଅର୍ଥନୀତିକୁ ଦାୟୀ କରିପାରିବେ ନାହିଁ। ସାମଗ୍ରିକ ଭାବେ ବିଶ୍ୱ ଅର୍ଥନୀତିର ଅବସ୍ଥା ଚଳିତ ବର୍ଷ ବେଶ୍‌ ସନ୍ତୋଷଜନକ ଓ ସମ୍ଭାବନା ଉଜ୍ଜ୍ୱଳ। ଓଇସିଡି (ଅର୍ଗାନାଇଜେସନ୍‌ ଅଫ୍‌ ଇକୋନମିକ୍‌ କୋପରେସନ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସଂଗଠନ ନଜର ରଖିଥିବା ସବୁ ୪୫ଟି ଯାକ ଦେଶର ଅର୍ଥନୀତି ଏ ବର୍ଷ ଅଭିବୃଦ୍ଧି ମୁହାଁ। ୨୦୦୮ର ମାନ୍ଦାବସ୍ଥା ପରେ ବିଶ୍ୱ ଅର୍ଥନୀତିରେ ଏହା ପ୍ରଥମ। ଏହି ଦେଶ ଗୁଡ଼ିକ ମଧ୍ୟରୁ ଅନ୍ତତଃ ୩୩ଟି ଦେଶର ଅଭିବୃଦ୍ଧି ହାର ଗତ ବର୍ଷ ଅପେକ୍ଷା ଅଧିକ ହେବ ବୋଲି ଆକଳନ କରାଯାଇଛି। ଏ ସବୁ ଦେଶରେ ଅଭିବୃଦ୍ଧି ବଢ଼ିବା ସହ ବେକାରି ହାର ମଧ୍ୟ କମୁଛି। କିନ୍ତୁ ଏହି ଦେଶ ଗୁଡ଼ିକର ତାଲିକାରେ ଭାରତ ନାହିଁ। ଏହାର ଅର୍ଥ, ସାମଗ୍ରିକ ଭାବେ ବିଶ୍ୱ ଅର୍ଥନୀତି ଏବେ ଅଭିବୃଦ୍ଧିମୁହାଁ, ଯାହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ବେକାରି ହାର କମାଇବ। କିନ୍ତୁ ମାନ୍ଦା ଅଭିବୃଦ୍ଧି ଯୋଗୁ ଭାରତ ଏହି ଧାରାରୁ ବାଦ୍‌ ପଡ଼ିଯିବା ଆଶଙ୍କା ଦେଖାଦେଇଛି।

ଉଲ୍ଲେଖ ନିଷ୍ପ୍ରାୟୋଜନ ଯେ, ଅର୍ଥନୀତିର ମାନ୍ଦାବସ୍ଥା ଯୋଗୁ ଯଦି କୌଣସି ପ୍ରସଙ୍ଗରେ ମୋଦୀଙ୍କୁ ସବୁଠାରୁ ଅଧିକ ତାତିର ସାମନା କରିବାକୁ ପଡୁଛି, ତେବେ ତାହା ହେଲା ନିଯୁକ୍ତି। ବାର୍ଷିକ କୋଟିଏ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବର୍ଷକୁ ଅତି ବେଶିରେ ଲକ୍ଷେରୁ ଦେଢ଼ଲକ୍ଷ କର୍ମ ସଂସ୍ଥାନର ସୁଯୋଗ ସୃଷ୍ଟି ହୋଇପାରୁଛି। ଏକ ଆକଳନ ଅନୁଯାୟୀ ପ୍ରତି ମାସ ପ୍ରାୟ ତିରିଶ ହଜାର ଯୁବକ-ଯୁବତୀ ନିଯୁକ୍ତି ଆଶାରେ ବଜାରକୁ ପ୍ରବେଶ କରୁଛନ୍ତି, ଅଥଚ ସେମାନଙ୍କ ମଧ୍ୟରୁ ମାତ୍ର ୫୦୦ ଜଣଙ୍କୁ ନିଯୁକ୍ତି ମିଳୁଛି। ଅବଶିଷ୍ଟ ୨୯,୫୦୦ ବେକାରଙ୍କ ନିରାଶା ଓ ଅସନ୍ତୋଷର ପ୍ରତିକାର କ’ଣ? ଊଣେଇଶ ନିର୍ବାଚନ ପାଇଁ ଏ ପ୍ରଶ୍ନ ନିର୍ଣ୍ଣାୟକ ହେବ।

ତେଣୁ ପ୍ରଧାନମନ୍ତ୍ରୀ ମହୋଦୟ ପୂର୍ବ ସରକାରଙ୍କ ବିଫଳତା ଆଡ଼କୁ ଅଙ୍ଗୁଳି ଦେଖାଇ ନିଜର ଆତ୍ମରକ୍ଷା କରିପାରନ୍ତି, କିନ୍ତୁ ଏହା ଦ୍ୱାରା ନା ଅର୍ଥନୀତିରୁ ମାନ୍ଦାବସ୍ଥା ହଟିବ ନା ସେ ବିରୋଧୀ ପକ୍ଷ ଓ ନିଜ ଦଳରୁ ଉଠୁଥିବା ପ୍ରତିବାଦର ସ୍ୱରକୁ ଚୁପ୍‌ କରାଇ ପାରିବେ। ଅନ୍ୟର ବିଫଳତାର ଆଢୁଆଳରେ ନିଜର ବିଫଳତା ଲୁଚାଇବାର ପ୍ରୟାସ ଏକ ଦୁର୍ବଳ ମାନସିକତାର ପରିଚାୟକ। ଅପରର ବିଫଳତା ନ ଦେଖାଇ, ବରଂ ନିଜର ସଫଳତା ଉପରେ ଅଧିକ ଧ୍ୟାନ ଦେବା ‘ଛପନ ଇଞ୍ଚ’ ଛାତି ରଖିଥିବା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆଶା କରାଯାଏ। ତେବେ ଏଥି ପାଇଁ ପ୍ରଥମେ ଭିନ୍ନମତକୁ ସମ୍ମାନ ଦେଇ ଶୁଣିବାର ଅଭ୍ୟାସ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର