ମହିଳା, ଶିଶୁଙ୍କୁ ସୁରକ୍ଷା ଦେବ କିଏ?

ଦେଶର ଅପରାଧ ଦୃଶ୍ୟପଟ ନେଇ ଗତ ସପ୍ତାହରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ୨୦୧୬ ବର୍ଷର ରିପୋର୍ଟ ପ୍ରକାଶ ପାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ’ ଶୀର୍ଷକ ଏହି ରିପୋର୍ଟରେ ବିବ୍ରତ କଲା ଭଳି ଅନେକ ତଥ୍ୟ ରହିଛି। ୨୦୧୫ ଓ ୨୦୧୬ ମଧ୍ୟରେ ସାଧାରଣ ଭାବେ ଅପରାଧ ବୃଦ୍ଧି ହାର ଯେତିକି, ମହିଳା ବିରୋଧୀ ଅପରାଧ ବୃଦ୍ଧି ହାର ତା’ଠାରୁ ଅଧିକ। ମୋଟାମୋଟି ଅପରାଧ ବୃଦ୍ଧି ହାର ୨.୬ ପ୍ରତିଶତ ହୋଇଥିବା ବେଳେ ମହିଳାଙ୍କ ବିରୋଧରେ ଅପରାଧ ପାଖାପାଖି ୩ (୨.୯) ପ୍ରତିଶତ ହାରରେ ବୃଦ୍ଧି ପାଇଛି। କିନ୍ତୁ ନାରୀ ବିରୋଧୀ ଅପରାଧ ପ୍ରସଙ୍ଗରେ ଯାହା ଅଧିକ ଚିନ୍ତାଜନକ, ତାହା ହେଲା ମହିଳାଙ୍କ ବିରୋଧରେ ସବୁଠାରୁ ଜଘନ୍ୟ ତଥା ନରକୀୟ ଅପରାଧ କୁହାଯାଉଥିବା ଦୁଷ୍କର୍ମ ମାମଲା ୧୩.୮ ପ୍ରତିଶତ ବୃଦ୍ଧି ପାଇଛି।

ଦେଶରେ ପ୍ରତିଦିନ ହାରାହାରି ୧୦୬ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ଆଉ ଦୁଇଟି ପରିସଂଖ୍ୟାନ ମଧ୍ୟ ଘୋର ଉଦ୍‌ବେଗଜନକ ଓ ସମାଜ ଓ ପରିବାରରେ ନୈତିକତା ଓ ମୂଲ୍ୟବୋଧର ଅବକ୍ଷୟ ପ୍ରତି ଦୁଃଖଦ ଇଙ୍ଗିତ କରୁଛି। ଗତ ବର୍ଷ ମହିଳାଙ୍କ ବିରୋଧରେ ମୋଟ ଯେତେ ଅପରାଧ ପଞ୍ଜିକୃତ ହୋଇଛି, ସେଥିରୁ ଅଧାଅଧି ଯୌନ ଅପରାଧ। ମୋଟ ୩.୭୭ ଲକ୍ଷ ମହିଳା ବିରୋଧୀ ଅପରାଧ ମଧ୍ୟରୁ ୧.୩ ଲକ୍ଷ ଯୌନ ଅପରାଧ। ପରିଚିତ, ପରିଜନଙ୍କ ମଧ୍ୟରେ ବି ଦେଶରେ ମହିଳା ସୁରକ୍ଷିତ ନଥିବା ବିଷୟ ସୂଚନା ଦେଉଥିବା ଆଉ ଏକ ତଥ୍ୟ ହେଲା, ମହିଳାଙ୍କ ବିରୋଧରେ ଯେତେ ଅପରାଧ ଘଟିଛି, ସେଥିରୁ ୩୨.୬ ପ୍ରତିଶତ ମାମଲାର ଅଭିଯୁକ୍ତ ହେଲେ ସ୍ୱାମୀ, ପରିବାର ସଦସ୍ୟ କିମ୍ବା ଅନ୍ୟ ସମ୍ପର୍କୀୟ। ନାରୀ ଜାତି ପ୍ରତି ସମ୍ମାନ ନେଇ ଶତମୁଖ ଭାରତୀୟ ସମାଜର ଉଚ୍ଚ ସଂସ୍କୃତି ଓ ପରମ୍ପରା ନେଇ ଦାବି ଉପରେ ଏନ୍‌ସିଆର୍‌ବିର ଏହି ମହିଳା ବିରୋଧୀ ଅପରାଧ ସଂକ୍ରାନ୍ତ ପରିସଂଖ୍ୟାନ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଭାରତୀୟମାନେ ଘୋଷି ହେଉଥିବା- ‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ, ରମ୍ୟନ୍ତେ ତତ୍ର ଦେବତା’ ଖାଲି ଏକ ଫମ୍ପା ଧ୍ୱନି ମନେ ହେଉନାହିଁ କି?

ତେବେ ଏନ୍‌ସିଆର୍‌ବି ରିପୋର୍ଟରେ ଥିବା ଯେଉଁ ତଥ୍ୟଟି ସବୁଠାରୁ ଅଧିକ ବିଚଳିତ ଓ ବିବ୍ରତ କରୁଛି ତା’ହେଲା, ଶିଶୁଙ୍କ ବିରୋଧରେ ଅପରାଧ ବୃଦ୍ଧିର ଅସ୍ୱସ୍ତିକର ଊର୍ଦ୍ଧ୍ୱଗାମୀ ଧାରା। ଗତ ତିନିବର୍ଷ ହେଲା ଜାରି ରହିଥିବା ଏହି ଅସୁସ୍ଥ ଧାରାରେ ୨୦୧୫ ତୁଳନାରେ ୨୦୧୬ରେ ଶିଶୁ ବିରୋଧୀ ଅପରାଧ ୧୩.୬ ପ୍ରତିଶତି ବୃଦ୍ଧି ପାଇଛି। ଭାରତୀୟଙ୍କ ମୁଣ୍ଡକୁ ଲଜ୍ଜାରେ ନୁଆଁଇ ଦେଉଥିବା ପରିସଂଖ୍ୟାନଟି ହେଲା, ୨୦୧୬ରେ ପୂର୍ବବର୍ଷ ଅପେକ୍ଷା ଶିଶୁଙ୍କ ପ୍ରତି ଦୁଷ୍କର୍ମ ମାମଲା ୮୨ ପ୍ରତିଶତ ବୃଦ୍ଧି ପାଇଛି। ସମାଜରେ ରୁଗ୍‌ଣ ଯୌନ ମାନସିକତା, ବରଂ ଯୌନ ବିକୃତିର ବିପଜ୍ଜନକ ସଂକ୍ରମଣର ହୃଦୟ ବିଦାରକ ପ୍ରମାଣ ହେଲା, ଦୁଷ୍କର୍ମର ଶିକାର ହୋଇଥିବା ୨,୧୧୬ ଶିଶୁଙ୍କ ବୟସ ବାର ବର୍ଷରୁ କମ୍‌। ସଦ୍ୟ କୋଲ୍‌କାତାର ଗୋଟିଏ ତଥାକଥିତ ସମ୍ଭ୍ରାନ୍ତ ସ୍କୁଲରେ ଜଣେ ୪ ବର୍ଷ ଶିଶୁ ପ୍ରତି ଦୁଷ୍କର୍ମ, ଏହାର ଆଉ ଏକ ପ୍ରମାଣ ଯେ, ଶିକ୍ଷାୟତନରେ ନିରୀହ, କୋମଳମତି ଶିଶୁମାନେ କିଭଳି ଯୌନ ଶୋଷଣର ଶିକାର ହେଉଛନ୍ତି। ପୂର୍ବରୁ ବେଙ୍ଗାଲୁରୁ ଓ ରାଜଧାନୀ ଦିଲ୍ଲୀର ଏକାଧିକ ସ୍କୁଲରେ ଅନୁରୂପ ଯୌନ କେଳେଙ୍କାରୀ ଦେଶବାସୀଙ୍କ ସାମୂହିକ ବିବେକକୁ ଚହଲାଇ ଦେଇଥିଲା।

ଶିଶୁକନ୍ୟାଙ୍କ ପ୍ରତି ଦୁଷ୍କର୍ମ କେବଳ ମାତ୍ର ଏକ ଯୌନ ଅପରାଧ ନୁହେଁ, ଏହା ଶୈଶବର ନୃସଂଶ ହତ୍ୟା ବୋଲି କୁହାଯାଇପାରେ। ଯୌନ ଶୋଷଣ ଜନିତ ଶାରୀରିକ ଯନ୍ତ୍ରଣାର ହୁଏତ ଉପଶମ ହୋଇପାରେ, କିନ୍ତୁ ଶିଶୁଟିର ଆତ୍ମା ଉପରେ ଏହା ସାରା ଜୀବନ ବୋଝ ହୋଇ ରହିବ ଓ ତାକୁ ଯନ୍ତ୍ରଣା ଦେଉଥିବ। ଏ ଦେଶରେ କୋମଳ ଶୈଶବ ପୁଷ୍ଟିହୀନତାଠାରୁ ଆରମ୍ଭ କରି ଅଶିକ୍ଷା, ସଂକ୍ରାମକ ରୋଗ ପର୍ଯ୍ୟନ୍ତ ବିବିଧ ସମସ୍ୟା ଦ୍ୱାରା ଆକ୍ରାନ୍ତ। ଏହାଉପରେ ଏବେ ଶୈଶବ ଉପରେ ଅପରାଧର ଛାଇ ଲମ୍ବା ହେବା ଦେଶର ଭବିଷ୍ୟତ ପ୍ରତି ବିପଦ ଘଣ୍ଟି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ଗତବର୍ଷ ପଞ୍ଜିକୃତ ହୋଇଥିବା ମୋଟ ୧,୦୬,୯୫୮ ଶିଶୁ ବିରୋଧୀ ଅପରାଧ ମଧ୍ୟରୁ ୩୪.୪ ପ୍ରତିଶତ ଯୌନ ଅପରାଧ। ପ୍ରତି ଶହେଟି ଶିଶୁ ବିରୋଧୀ ଅପରାଧ ମାମଲାରୁ ୩୪ଟିରୁ ଅଧିକ ପିଓସିଏସି (ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍‌ସୁଆଲ୍‌ ଅଫେନ୍‌ସ) ଆଇନ ୨୦୧୨ର ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଛି। ଏହା ନିଶ୍ଚିତ ଭାବେ ସମାଜ ପାଇଁ ଲଜ୍ଜା ଓ ଆଇନ ଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ପାଇଁ ଆହ୍ଵାନ।

ଦୁର୍ଭାଗ୍ୟର ବିଷୟ ହେଲା, ଆମ ଓଡ଼ିଶାରେ ମଧ୍ୟ ଶିଶୁ ବିରୋଧୀ ଅପରାଧର ସଂକ୍ରମଣ ବେଶ୍‌ ସାଂଘାତିକ। ପୂର୍ବବର୍ଷ ତୁଳନାରେ ଗତବର୍ଷ ଶିଶୁ ବିରୋଧୀ ଅପରାଧ ୨୮ ପ୍ରତିଶତ ବୃଦ୍ଧି ପାଇଛି। ଶିଶୁ ବିରୋଧୀ ଅପରାଧ ସଂଖ୍ୟା ୨୦୧୫ରେ ୨,୫୬୨ରୁ ୨୦୧୬ରେ ୩,୨୮୬କୁ ବୃଦ୍ଧି ପାଇଛି। ଦୁଷ୍କର୍ମ ପୀଡ଼ିତା କନ୍ୟାଶିଶୁଙ୍କ ସଂଖ୍ୟା ୯୯୫ରୁ ୧,୨୫୮କୁ ବୃଦ୍ଧି ପାଇଛି। ମୋଟ ଶିଶୁ ବିରୋଧୀ ଅପରାଧ ମଧ୍ୟରେ ୬୦ ପ୍ରତିଶତ ଯୌନ ଅପରାଧ। ପ୍ରତିଦିନ ଅନ୍ତତଃ ୩ ଜଣ ଶିଶୁ କନ୍ୟା ରାଜ୍ୟରେ ଅପହରଣର ଶିକାର ହେଉଛନ୍ତି। ରାଜ୍ୟରେ ଶୈଶବର ସୁରକ୍ଷା ନେଇ ସବୁଠାରୁ ବଡ଼ ପ୍ରଶ୍ନ ଉଠାଉଥିବା ପରିସଂଖ୍ୟାନଟି ହେଲା ଶିଶୁ ବିରୋଧୀ ଯୌନ ଅପରାଧ ନିରୋଧ (ପିଓସିଏସ୍‌ଓ) ଆଇନରେ ମାମଲା ସଂଖ୍ୟା ବର୍ଷକରେ ଏକ ହଜାର ପ୍ରତିଶତ ବୃଦ୍ଧି। ଏହି ଆଇନର ବିଭିନ୍ନ ଦଫାରେ ୨୦୧୫ରେ ମାତ୍ର ୧୯ଟି ମାମଲା ହୋଇଥିଲା। ୨୦୧୬ରେ ମାମଲା ସଂଖ୍ୟା ୧,୯୨୮କୁ ବୃଦ୍ଧି ପାଇଛି।

ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସଫେଇ ହେଲା, ଆଇନ ନେଇ ସଚେତନତା ବଢୁଥିବାରୁ ମାମଲା ସଂଖ୍ୟା ବଢୁଛି। ଏହାର ଅର୍ଥ ପୂର୍ବରୁ ଅପରାଧ ଘଟୁଥିଲା, ଅଥଚ ଥାନା ପର୍ଯ୍ୟନ୍ତ ପହଞ୍ଚୁ ନଥିଲା। ବର୍ତ୍ତମାନ ବି ଅନେକ ସଂଖ୍ୟକ ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚୁ ନଥାଇ ପାରେ। ତେଣୁ, ସଚେତନତା ବୃଦ୍ଧି ଯୋଗୁ ପଞ୍ଜିକୃତ ଆପରାଧିକ ମାମଲା ସଂଖ୍ୟା ବଢ଼ିଚାଲିଛି ବୋଲି ଯୁକ୍ତିକୁ ଆଳ କରି ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ପ୍ରବଣତା ବୃଦ୍ଧିକୁ ଘଣ୍ଟ ଘୋଡ଼ାଯାଇ ନପାରେ। ରାଜ୍ୟରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ମାମଲା ସାମାନ୍ୟ ହ୍ରାସ ପାଇଥିଲେ ସୁଦ୍ଧା ମୋଟ ଉପରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ୧୭,୮୦୦ରୁ ୧୭,୮୩୭କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ରାଜ୍ୟରେ ଦୈନିକ ହାରାହାରି ୪୮ରୁ ଅଧିକ ମହିଳା ବିରୋଧୀ ଅପରାଧ ଘଟୁଛି। ଏହା ନିଶ୍ଚିତ ଭାବେ ଏକ ସୁଖଦ ସ୍ଥିତି ନୁହେଁ।

ମୋଟାମୋଟି ଦେଶରେ ଓ ରାଜ୍ୟରେ ମହିଳା ବିରୋଧୀ ଅପରାଧର ସାଂଘାତିକ ଦୃଶ୍ୟପଟରେ କୌଣସି ଉନ୍ନତିର ଲକ୍ଷଣ ଦେଖାଯାଉ ନାହିଁ। ଅଥଚ ଅନ୍ୟପକ୍ଷରେ ଶିଶୁ ବିରୋଧୀ ଅପରାଧ ଦୃଶ୍ୟପଟରେ ଦ୍ରୁତ ଅବନତି ଘଟି ସ୍ଥିତି ଅଧିକ ଗମ୍ଭୀର ହୋଇ ଚାଲିଛି। ପୁଣି ମହିଳା ଓ ଶିଶୁ ବିରୋଧୀ ଅପରାଧରେ ନିକଟ ସଂପର୍କୀୟଙ୍କ ସଂପୃକ୍ତି ଏକ ଅତ୍ୟନ୍ତ ବିପଜ୍ଜନକ ବିଲକ୍ଷଣ। ଗତବର୍ଷ ଦେଶରେ ଦୁଷ୍କର୍ମର ଶିକାର ହୋଇଥିବା ବାର ବର୍ଷରୁ କମ୍‌ ବୟସ୍କା ପୀଡ଼ିତାଙ୍କ ମଧ୍ୟରୁ ୯୪ ପ୍ରତିଶତଙ୍କ କ୍ଷେତ୍ରରେ ଅଭିଯୁକ୍ତ ପରିଚିତ ବ୍ୟକ୍ତି। ଏ ପ୍ରକାର ଦୁର୍ଭାଗ୍ୟଜନକ ସ୍ଥିତି ପାଇଁ ଆଇନ ଓ ଶାସନ ବ୍ୟବସ୍ଥା ଅପେକ୍ଷା ସମାଜକୁ ଅଧିକ ଦୋଷୀ ଭାବେ କାଠଗଡ଼ାରେ ଠିଆ କରାଯାଇପାରେ। ସମ୍ଭବତଃ ଏହି କାରଣରୁ କଠୋର ଆଇନ ଓ ଦଣ୍ଡ ବ୍ୟବସ୍ଥା ସତ୍ତ୍ୱେ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ଅଙ୍କୁଶ ଲଗାଇବା ସମ୍ଭବ ହୋଇ ପାରୁନାହିଁ। ତେଣୁ ଦେଶର ମହିଳା ଓ ଶିଶୁଙ୍କ ସୁରକ୍ଷା ନିଶ୍ଚିତ କରିବା ସକାଶେ ଏକ ଅନୁକୂଳ ବାତାବରଣ ସୃଷ୍ଟି ଲାଗି ଆଇନ ଓ ଶାସନ ବ୍ୟବସ୍ଥାର ଆଭିମୁଖ୍ୟରେ ପରିବର୍ତ୍ତନ ଠାରୁ ଅଧିକ ଆବଶ୍ୟକ ସମାଜର ସାମୂହିକ ମାନସିକତା ଓ ଆଭିମୁଖ୍ୟରେ ପରିବର୍ତ୍ତନ। ଅନ୍ୟଥା ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବାରେ ବିଫଳତାର ଲଜ୍ଜାରୁ ଭାରତୀୟ ସମାଜର ନିଷ୍କୃତି ନାହିଁ।

ସମ୍ବନ୍ଧିତ ଖବର