ବ˚ଶବାଦର ଚେର

ରାଜତନ୍ତ୍ର ଓ ବ˚ଶବାଦ ବା ପରିବାରବାଦ ପରସ୍ପରର ଯମଜ। ରାଜା ରାଜୁଡ଼ା- ସାମନ୍ତବାଦୀ ଶାସନ ବ୍ୟବସ୍ଥା ସହ ପରିବାରବାଦର ସ˚ପର୍କ ଏତେ ନିବିଡ଼ ଯେ, ଉଭୟ ପରସ୍ପରର ପ୍ରତିରୂପ। କିନ୍ତୁ ଗଣତନ୍ତ୍ର ସହ ପରିବାରବାଦର ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ପର୍କ ନାହିଁ। ସମସ୍ତଙ୍କ ପାଇଁ ସମାନ ଅଧିକାର, ସମାନ ସୁଯୋଗର ମନ୍ତ୍ର ଜପୁଥିବା ଗଣତନ୍ତ୍ର ଓ ଜନ୍ମଗତ ସମ୍ପର୍କ ଆଧାରରେ ଉତ୍ତରାଧିକାରୀ ସୂତ୍ରେ ସୁଯୋଗ ଓ ଅଧିକାରର ପୃଷ୍ଠପୋଷକତା କରୁଥିବା ବ˚ଶବାଦ ପରସ୍ପରର ପରିପନ୍ଥୀ। ଅହି-ନକୁଳ ଭଳି ସମ୍ପର୍କ ସମ୍ପୂର୍ଣ୍ଣ ବିରୋଧାତ୍ମକ। କିନ୍ତୁ ଗଣତନ୍ତ୍ରର ଏହି ଚିରନ୍ତନ, ଶାଶ୍ବତ ତତ୍ତ୍ବ ଠାରୁ ବ୍ୟବହାରିକ ବାସ୍ତବତା ଯେ ସମ୍ପୂଣ୍ଣ ଭିନ୍ନ, ଭାରତୀୟ ଗଣତନ୍ତ୍ର ତା’ର ବଳିଷ୍ଠ ଉଦାହରଣ। ଭାରତୀୟ ଗଣତନ୍ତ୍ର ପରିବାରବାଦକୁ ଉଦାର ପୃଷ୍ଠପୋଷକତା ଦେଇଆସିଛି, ଏହା ବିଡ଼ମ୍ବନା ହେଲେ ସୁଦ୍ଧା ନିଷ୍ଠୁର ବାସ୍ତବତା। ଭାରତରେ ଗଣତନ୍ତ୍ର ଯେତିକି ଯେତିକି ପୁରୁଣା ହେଉଛି, ରାଜନୈତିକ ବ୍ୟବସ୍ଥାରେ ପରିବାରବାଦର ଚେର ସେତିକି ସେତିକି ତଳକୁ ଲମ୍ବି ଚାଲିଛି। ଏହାର ତାଜା ପ୍ରମାଣ, ସଦ୍ୟ ନବଗଠିତ ସପ୍ତଦଶ ଲୋକସଭାର ଏକ ତୃତୀୟା˚ଶ ସା˚ସଦଙ୍କ ପାରିବାରିକ ପୃଷ୍ଠଭୂମି। କୌଣସି ନା କୌଣସି ପୂର୍ବତନ କିମ୍ବା ବର୍ତ୍ତମାନର ସା˚ସଦ, ବିଧାୟକ, ମୁଖ୍ୟମନ୍ତ୍ରୀ- ମନ୍ତ୍ରୀ କିମ୍ବା ରାଜନୈତିକ ବ୍ୟକ୍ତିତ୍ବଙ୍କ ସହ ଗୃହର ୩୦% ସଦସ୍ୟଙ୍କ ପାରିବାରିକ- ବ˚ଶଗତ ରକ୍ତ ସମ୍ପର୍କ ରହିଛି।

ନବନିର୍ବାଚିତ ସା˚ସଦମାନଙ୍କ ପାରିବାରିକ ପୃଷ୍ଠଭୂମିର ବିଶ୍ଳେଷଣ କରି ଅଶୋକ ବିଶ୍ବବିଦ୍ୟାଳୟର ‘ତ୍ରିବେଦୀ ସେଣ୍ଟର ଫର‌୍‌ ପଲିଟିକାଲ୍‌ ଡାଟା’ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଗଣତନ୍ତ୍ରର ଶୀତଳ ଛାଇରେ କାୟା ବିସ୍ତାର କରି ଚାଲିଥିବା ପରିବାରବାଦର ହିତାଧିକାରୀ ସା˚ଦଙ୍କ ସ˚ଖ୍ୟା ଷୋଡ଼ଶ ଅପେକ୍ଷା ଚଳିତ ସପ୍ତଦଶ ଲୋକସଭାରେ ବୃଦ୍ଧି ପାଇଛି। ଗତ ଲୋକସଭାରେ କୌଣସି ରାଜନୈତିକ ପରିବାରର ଉତ୍ତରାଧିକାରୀ ଭାବେ ସ˚ସଦକୁ ପ୍ରବେଶର ସୁଯୋଗ ପାଇଥିବା ସା˚ସଦଙ୍କ ଭାଗ ୨୫% ଥିଲା। ଚଳିତ ଲୋକସଭାରେ ଏହି ବର୍ଗର ସା˚ସଦଙ୍କ ଭାଗ ୩୦%କୁ ବୃଦ୍ଧି ପାଇଛି।

କୌତୂହଳପୂର୍ଣ୍ଣ ବିଡ଼ମ୍ବନା ହେଲା ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା କରିଥିବା କ˚ଗ୍ରେସ ବ˚ଶବାଦ ଦ୍ବାରା ସବୁଠାରୁ ଅଧିକ କବଳିତ। ଏଥର ଲୋକସଭାକୁ ନିର୍ବାଚିତ ସର୍ବପୁରାତନ ଦଳର ସା˚ସଦଙ୍କ ମଧୢରୁ ପାଖାପାଖି ଅଧା କ˚ଗ୍ରେସରେ କୋଳି ଖାଇ ମଞ୍ଜି ପୋତିଥିବା ପରିବାରଗୁଡ଼ିକର ଦ୍ବିତୀୟ, ତୃତୀୟ, ଏପରିକି ଚତୁର୍ଥ, ପଞ୍ଚମ ପିଢ଼ିର ସଦସ୍ୟ। କ˚ଗ୍ରେସର ନବନିର୍ବାଚିତ ସା˚ସଦଙ୍କ ମଧୢରେ ୪୪% ବ˚ଶବାଦର ଧ୍ବଜାଧାରୀ। ଏହା ଆଦୌ ଅପ୍ରତ୍ୟାଶିତ ନୁହେଁ। କ˚ଗ୍ରେସ ରାଜନୀତିରେ ବ˚ଶବାଦର ଧାରା ଚାଲିଆସିଥିବାରୁ କ୍ବଚିତ୍‌ ଏହା କାହାକୁ ବିସ୍ମିତ କରିଥିବ। କିନ୍ତୁ ‘ପରିବାରବାଦ’ର ପୃଷ୍ଠପୋଷକ ଭାବେ କ˚ଗ୍ରେସ ଆଡ଼କୁ ଅଙ୍ଗଳି ଦେଖାଇ ନେହରୁ- ଗାନ୍ଧୀ ପରିବାରର ସର୍ବଦା ତୀବ୍ର ଭର୍ତ୍ସନା କରି ଆସୁଥିବା ବିଜେପି ମଧୢ ବ˚ଶବାଦ ପ୍ରସଙ୍ଗରେ ତୁଳସୀପତ୍ର ନୁହେଁ। ନିଜକୁ ଅନ୍ୟ ଠାରୁ ‘ଭିନ୍ନ’ ଦାବି କରୁଥିବା ଗୈରିକ ଦଳର ନବନିର୍ବାଚିତ ସା˚ସଦଙ୍କ ମଧୢରୁ ଚଉଠେ ପରିବାରବାଦର ହିତାଧିକାରୀ। ବିଦାୟୀ ଲୋକସଭାର ୨୮୨ ସା˚ସଦଙ୍କ ମଧୢରୁ ପ୍ରାୟ ୧୦୦ ଜଣଙ୍କୁ ଟିକେଟ ନଦେବା ସତ୍ତ୍ବେ ବିଜେପି ସା˚ସଦ ତାଲିକାରେ ଏତେ ସ˚ଖ୍ୟାରେ ବ˚ଶବାଦର ହିତାଧିକାରୀ ରହିବା ନିଶ୍ଚୟ ବିସ୍ମୟକର ଓ ଦୋମୁହାଁ ନୀତିର ପରିଚାୟକ। ଏହା ସ୍ପଷ୍ଟ ସୂଚାଉଛି ଯେ, ବ˚ଶବାଦ ରାସ୍ତାରେ ହିନ୍ଦୁତ୍ବ ଦଳ କ˚ଗ୍ରେସ ଠାରୁ ବିଶେଷ ପଛରେ ନାହିଁ।

ଗଣତନ୍ତ୍ରରେ ବ˚ଶବାଦ ପ୍ରସଙ୍ଗରେ ଭାରତ ପରିପ୍ରେକ୍ଷୀରେ ଆଉ ଏକ ବିଷୟ ମଧୢ ବିଶେଷ ଉଲ୍ଲେଖର ଅପେକ୍ଷା ରଖୁଛି। ବ˚ଶବାଦକୁ ଭାରତୀୟ ମତଦାତା ଗ୍ରହଣ କରି ନେଇଛନ୍ତି। ଅନ୍ୟଥା ପାରିବାରିକ ସମ୍ପର୍କକୁ ପୁଞ୍ଜି କରି ଏତେ ସ˚ଖ୍ୟାରେ ଜନପ୍ରତିନିଧିଙ୍କୁ ଜନତା ନିର୍ବାଚିତ କରନ୍ତେ ନାହିଁ। ଏମିତି ନୁହେଁ ଯେ, ଗୋଟିଏ ଜଣାଶୁଣା ରାଜନୈତିକ ପରିବାରର ନାମ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ବ˚ଶବାଦର ହିତାଧିକାରୀ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ। କିନ୍ତୁ ଜଣେ ସାଧାରଣ ପ୍ରାର୍ଥୀଙ୍କ ଅପେକ୍ଷା ରାଜନୈତିକ ପରିବାର ସହ ସମ୍ପର୍କ ଥିବା ଜଣେ ପ୍ରାର୍ଥୀଙ୍କ ନିର୍ବାଚନରେ ବିଜୟ ସମ୍ଭାବନା ଅଧିକ। ଏକାଧିକ ଗବେଷଣା ଓ ସ୍ବାଧୀନ ଅନୁଧୢାନରୁ ଏହି ନିର୍ଯାସ ବାହାରିଛି। ନୂଆ ଲୋକସଭାରେ ନବାଗତ ସା˚ସଦଙ୍କ ମଧୢରେ ଏକ ଚତୁର୍ଥା˚ଶ ଏହି ବର୍ଗର। ଯାହା, ବ˚ଶ ପରିଚୟ ଯେ ରାଜନୀତିରେ ଏକ ବଡ଼ ପୁଞ୍ଜି,ନିର୍ବାଚନରେ ଏକ ବଡ଼ ଯୋଗ୍ୟତା ତା’ର ପ୍ରମାଣ। ଯେହେତୁ, ବ˚ଶ ପରିଚୟ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ଜନମତକୁ ଢଳେଇବାରେ ଯଥେଷ୍ଟ ସହାୟକ ହେଉଛି, ରାଜନୈତିକ ଦଳମାନେ ମଧୢ ‘ବ˚ଶ ପରିଚୟ’କୁ ପ୍ରାର୍ଥୀତ୍ବ ପାଇଁ ଏକ ‘ବିଶେଷ ଯୋଗ୍ୟତା’ ଭାବେ ବିଚାର କରିବାକୁ ବାଧୢ ହେଉଛନ୍ତି। ପ୍ରାର୍ଥୀ ଚୟନରେ ‘ବ˚ଶଗତ ପରିଚୟ’କୁ ଗୁରୁତ୍ବ ସ୍ବତଃ ପାତରଅନ୍ତରକୁ ପ୍ରୋତ୍ସାହିତ କରୁଛି; ଯାହାର ଶିକାର ବହୁ ‘ଅନ୍ୟଥା ଯୋଗ୍ୟ’ ପ୍ରାର୍ଥୀ ହେଉଛନ୍ତି।

କେବଳ ଗତ କିମ୍ବା ଚଳିତ ଲୋକସଭାରେ ନୁହେଁ, ପ୍ରତି ରାଜ୍ୟର ବିଧାନସଭା, ଏପରିକି ତୃଣମୂଳ ସ୍ତରରେ ନିର୍ବାଚିତ ପୌରସ˚ସ୍ଥା ଓ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମଧୢ ପରିବାରବାଦର ପତାକା ଧରିଥିବା ଜନପ୍ରତିନିଧିଙ୍କ ସ˚ଖ୍ୟା କିଛି କମ୍‌ ନୁହେଁ। ଗଣତାନ୍ତ୍ରିକ ଅନୁଷ୍ଠାନ କ’ଣ ପାରିବାରିକ ସମ୍ପତ୍ତି? ରାଜନୀତି କ’ଣ ଏକ କୌଳିକ ବୃତ୍ତି? ଭାରତର ନିର୍ବାଚିତ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକର ଚିତ୍ର ଓ ରାଜନୀତିର ଚରିତ୍ର ଦେଖିଲେ ଉପରୋକ୍ତ ପ୍ରଶ୍ନର ଉତ୍ତର ‘ହଁ’ରେ ମିଳିପାରେ। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ରାଜନୈତିକ ସ˚ସ୍କୃତିରେ ବ˚ଶବାଦ କ୍ଷୀର ସହ ନୀର ଭଳି ମିଶିଯାଇଛି। ସର୍ବପୁରାତନ ଦଳ କ˚ଗ୍ରେସକୁ ବ˚ଶବାଦର ମୁଖ୍ୟ ପୃଷ୍ଠପୋଷକ ଭାବେ ସର୍ବଦା କାଠଗଡ଼ାରେ ଠିଆ କରାଯାଇଥାଏ। କିନ୍ତୁ ବାସ୍ତବତା ହେଲା, ଦେଶର ଅଧିକା˚ଶ ଆଞ୍ଚଳିକ ଦଳ ଆଜି ଗୋଟିଏ ଗୋଟିଏ ପାରିବାରିକ ଉଦ୍ୟୋଗ। ସମାଜବାଦୀ ପାର୍ଟିରେ ଅଖିଳେଶ, ଡିଏମ୍‌କେରେ ଏମ୍‌.କେ.ଷ୍ଟାଲିନ୍‌ ଆଜି ଉତ୍ତରାଧିକାରୀ ସୂତ୍ରରେ ଦଳର ମୁଖ୍ୟ। କର୍ଣ୍ଣାଟକର ଜେଡି(ଏସ୍‌) ଓ ବିହାରରେ ଆର‌୍‌ଜେଡି ସମ୍ପୂର୍ଣ୍ଣ ଭାବେ ଯଥାକ୍ରମେ ଏଚ୍‌ଡି ଦେବେଗୌଡ଼ା ଓ ଲାଲୁ ଯାଦବଙ୍କ ପାରିବାରିକ ସମ୍ପତ୍ତି। କ˚ଗ୍ରେସ ଭଳି ବିଜେପିର ତୁଙ୍ଗ ନେତୃତ୍ବ ସ୍ତରରେ ବ˚ଶବାଦ ନାହିଁ। କିନ୍ତୁ ମଧୢ ଓ ତଳ ସ୍ତରରେ ବିଜେପି ମଧୢ ପରିବାରବାଦରୁ ମୁକ୍ତ ନୁହେଁ।

ଅବଶ୍ୟ, ବ˚ଶବାଦର ପୃଷ୍ଠପୋଷକତା ଓ ପ୍ରୋତ୍ସାହନ ଦୃଷ୍ଟିରୁ ଭାରତୀୟ ଗଣତନ୍ତ୍ର ଏକମାତ୍ର ବ୍ୟତିକ୍ରମ ନୁହେଁ। ପଡେ଼ାଶୀ ବା˚ଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ ସମେତ ଅନେକ ଗଣତାନ୍ତ୍ରିକ ରାଷ୍ଟ୍ର ବିଭିନ୍ନ ମାତ୍ରାରେ ବ˚ଶବାଦ ଦ୍ବାରା ପ୍ରଭାବିତ। ଏପରିକି ସାମ୍ୟବାଦୀ ଚୀନ୍‌ ଓ ସମାଜବାଦୀ କ୍ୟୁବା ମଧୢ ବ˚ଶବାଦରୁୁ ସମ୍ପୂର୍ଣ୍ଣ ମୁକ୍ତ ନୁହେଁ। ଉତ୍ତର-କୋରିଆ ତ ବସ୍ତୁତଃ ଏକ ‘କମ୍ୟୁନିଷ୍ଟ ରାଜତନ୍ତ୍ର’। ତେବେ ଅନ୍ୟ ପ୍ରକାର ଶାସନ ବ୍ୟବସ୍ଥା ଅପେକ୍ଷା ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବ˚ଶବାଦର ପ୍ରଭାବ ଯଥେଷ୍ଟ ଅଧିକ ନକାରାତ୍ମକ। ଏହାଦ୍ବାରା ଗଣତନ୍ତ୍ରର ଗୁଣାତ୍ମକ ମାନର ଅବକ୍ଷୟ ଘଟେ। ବ˚ଶବାଦର ପ୍ରଭାବ ବୃଦ୍ଧି ଫଳରେ ଗଣତନ୍ତ୍ରର ଛଦ୍ମରୂପରେ ଶାସନର ଚରିତ୍ର ସାଆନ୍ତିଆ ହୋଇଯାଏ। ଗଣଙ୍କ ମଧୢରେ କ୍ଷମତା ବାଣ୍ଟି ନହେଲେ, ମୁଷ୍ଟିମେୟ ଅଳ୍ପ କେତେକଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ ହେବା ସ୍ବାଭାବିକ। ନିକଟରେ ପ୍ରକାଶିତ ଆନ୍ତର୍ଜାତିକ ସ˚ସ୍ଥା ‘ଫ୍ରିଡମ୍‌ ହାଉସ୍‌’ର ୨୦୧୮ ରିପୋର୍ଟ ଅନୁଯାୟୀ ବିଶ୍ବର ୬୮ଟି ଦେଶରେ ଗଣତନ୍ତ୍ର ଅବକ୍ଷୟର ଶିକାର ହୋଇଛି। ସେହି ଦେଶଙ୍କ ତାଲିକାରେ ଭାରତ ମଧୢ ରହିଛି। ଭାରତରେ ଗଣତନ୍ତ୍ରର ଅବକ୍ଷୟ ସହ ବ˚ଶବାଦର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥାଇପାରେ। କିନ୍ତୁ ପରୋକ୍ଷ ଭାବେ ଗଣତନ୍ତ୍ରର ଅବକ୍ଷୟରେ ନିଶ୍ଚୟ ଏହାର ଅବଦାନ ରହିଛି। ଭାରତୀୟ ଗଣତନ୍ତ୍ର ଉପରେ ବ˚ଶବାଦର ପ୍ରତିକୂଳ ପ୍ରଭାବକୁ ପ୍ରତିହତ କରାଯିବା ସମ୍ଭବ। ତେବେ, ଏଥି ପାଇଁ ଯଦି କାହା ପାଖରେ କ୍ଷମତା ଅଛି, ତେବେ ସେ ହେଉଛି ସାମୂହିକ ଭାବେ ଭାରତୀୟ ମତଦାତା।

ସମ୍ବନ୍ଧିତ ଖବର