ଅଭଙ୍ଗା ଅଣ୍ଡା

0

ଇଂରେଜୀରେ ଏକ ସୁପରିଚିତ ଢ଼ଗ ଏହିପରି: ‘‘ତୁମେ ଅଣ୍ତାକୁ ନ ଭାଙ୍ଗି ଓମ୍‌ଲେଟ୍‌ ତିଆରି କରିପାରିବ ନାହିଁ।’’ ଅର୍ଥାତ୍‌, ତୁମେ ଯଦି ଓମ୍‌ଲେଟ୍‌ ଖାଇବାକୁ ଚାହଁ, ତୁମକୁ ଅଣ୍ତା ଭାଙ୍ଗିବାକୁ ପଡ଼ିବ; ଅଭଙ୍ଗା ଅଣ୍ତାରେ ଓମ୍‌ଲେଟ୍‌ ତିଆରି ହୋଇପାରିବ ନାହିଁ। କ୍ୟାପ୍‌ଟେନ୍‌ କୁଲ୍‌ ନାମରେ ଆନ୍ତର୍ଜାତିକ ପ୍ରସିଦ୍ଧିି ଲାଭ କରିଥିବା ଭାରତୀୟ କ୍ରିକେଟର‌୍‌ ମହେନ୍ଦ୍ର ସି˚ହ କିନ୍ତୁ ବର୍ତ୍ତମାନ ଏହି ଅସମ୍ଭବକୁ ସମ୍ଭବ କରି ପାରିଛନ୍ତି। ତାଙ୍କର ‘ବଳିଦାନ’ ବ୍ୟାଜ୍‌ ଶୋଭିତ ଵିକେଟ କିପିଙ୍ଗ୍‌ ଗ୍ଲୋଭ୍‌ସଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଓ ତା’ର ସମାଧାନ ହେଉଛି ଏହାର ପ୍ରମାଣ।

ଗତ ବୁଧବାର ଦିନ ଇ˚ଲଣ୍ତରେ ଭାରତ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳିଥିବା ଏକ ବିଶ୍ବକପ୍‌ ମ୍ୟାଚ୍‌ରେ ଵିକେଟ କିପିଙ୍ଗ୍‌ କରୁଥିବା ସମୟରେ ଧୋନି ଯେଉଁ ଗ୍ଲୋଭ୍‌ସ ପିନ୍ଧିଥିଲେ ସେଥିରେ ଏକ ଡେଣାଲଗା ଛୁରିର ଛବି ଲାଗିଥିବା ଦେଖାଯାଇଥିଲା। କ୍ରିକେଟ୍‌ ଖେଳର ନିୟମ କାନୁନର ଜଗୁଆଳ ଓ ନିୟନ୍ତ୍ରକ ‘ଇଣ୍ଟ୍‌ରନେସନାଲ୍‌ କ୍ରିକେଟ କାଉନ୍‌ସିଲ’ (ଆଇସିସି) ବିଚାରରେ ଧୋନି ଏଭଳି ବ୍ୟାଜ୍‌ ଲାଗିଥିବା ଗ୍ଲୋଭ୍‌ସ ପରିଧାନ କରିବା ‘ଆଇସିସି’ ନିୟମର ଉଲ୍ଲ˚ଘନ ଥିଲା। ସେମାନେ ତେଣୁ ଭାରତରେ କ୍ରିକେଟ୍‌ ଖେଳର ନିୟନ୍ତ୍ରକ ସ˚ସ୍ଥା ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର କ୍ରିକେଟ୍‌ ଇନ୍‌ ଇଣ୍ତିଆ’ (‘ବିସିସିଆଇ’)କୁ ବିଧିବଦ୍ଧ ଭାବରେ ଜଣାଇଲେ ଯେ ଧୋନିଙ୍କ ଗ୍ଲୋଭ୍‌ସରୁ ଏ ବ୍ୟାଜ୍‌ ହଟାଇ ଦେବାକୁ ‘ବିସିସିଆଇ’ ଧୋନିଙ୍କୁ ନିର୍ଦ୍ଦେଶ ଦେଉ। ଏହା ପରର ଘଟଣା ହେଲା ରବିବାର ଦିନ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ଵିକେଟ୍‌ କିପିଙ୍ଗ୍‌ କରୁଥିବା ବେଳେ ଧୋନିଙ୍କ ଗ୍ଲୋଭ୍‌ସରେ ଆଉ ସେ ପକ୍ଷ-ଧାରୀ ଛୁରିକାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳି ନ ଥିଲା।

ଏ ଦୁଇ ଘଟଣା ମଧୢବର୍ତ୍ତୀ ସମୟରେ ଯାହା ଘଟିଥିଲା, ତାହା ହେଲା ଧୋନିଙ୍କୁ ବ୍ୟାଜ୍‌ ଥିବା ଗ୍ଲୋଭ୍‌ସ ପିନ୍ଧିବା ପାଇଁ ପ୍ରାୟ ଦେଶବ୍ୟାପୀ ସମର୍ଥନ ମିଳିଥିଲା, ଅଧିକା˚ଶ ପୂର୍ବତନ କ୍ରିକେଟରମାନେ ଧୋନିଙ୍କ କାର୍ଯ୍ୟକୁ ସମର୍ଥନ କରିଥିଲେ, ‘ବିସିସିଆଇ’ ମଧୢ ଧୋନିଙ୍କୁ ବ୍ୟାଜ୍‌ଧାରୀ ଗ୍ଲୋଭ୍‌ସ ପିନ୍ଧି ଖେଳିବା ପାଇଁ ଅନୁମତି ପ୍ରଦାନ କରିବା ପାଇଁ ‘ଆଇସିସି’କୁ ଅନୁରୋଧ କରିଥିଲା ଏବ˚ ଭାରତୀୟ ସେନାବାହିନୀ ଏହି ବ୍ୟାଜ୍‌ ପିନ୍ଧିବା ନିଷ୍ପତ୍ତି ଧୋନିଙ୍କ ଇଚ୍ଛା ଉପରେ ନିର୍ଭର କରେ ବୋଲି କହିଥିଲା, ଯାହା ସମର୍ଥନ ସହିତ ସମାନ ଥିଲା। ଏଥିରେ ସେନାବାହିନୀର ଭୂମିକା କ’ଣ, ତାହା ବର୍ତ୍ତମାନ ଏ ବିବାଦ ସହିତ ପରିଚିତ ସମସ୍ତଙ୍କୁ ଜଣା।

ଧୋନି କିନ୍ତୁ ଯଦି ଏଭଳି ସମର୍ଥନ ପାଇବା ସତ୍ତ୍ବେ ତାଙ୍କ ଗ୍ଲୋଭ୍‌ସରୁ ବ୍ୟାଜ୍‌ ହଟାଇ ଦେବା ପାଇଁ ନିଷ୍ପତ୍ତି ନେଲେ, ତାହେଲେ ଉପରେ ଦାବି କରାଯାଇ ଥିବା ଭଳି ସେ ଅଣ୍ତା ନ ଭାଙ୍ଗି ଓମ୍‌ଲେଟ୍‌ ତିଆରି କରିପାରିଛନ୍ତି ବୋଲି କୁହାଯିବ କାହିଁକି? ଏହି ପ୍ରଶ୍ନର ଉତ୍ତର ହେଲା, ଏଠାରେ ଅଣ୍ତା ହେଉଛି ଆଇସିିସିର ନିୟମ। ଧୋନି ନିଜର ଗ୍ଲୋଭ୍‌ସରୁ ସେ ବ୍ୟାଜ୍‌ ହଟାଇ ଦେଇ ‘ଆଇସିସି’ର ନିୟମ ନ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି, ଅର୍ଥାତ୍‌ ଆଇସିସି ନିୟମ ରୂପକ ଅଣ୍ତାକୁ ଭାଙ୍ଗି ନାହାନ୍ତି। କିନ୍ତୁ ନିଜର ମନସ୍କାମନା ପୂରଣ କରି ଓମ୍‌ଲେଟ୍‌ ତିଆରି କରି ଖାଇଛନ୍ତି। ଏହାର ଅର୍ଥ ହେଲା ଧୋନି ଯେଉଁ ଉଦ୍ଦେଶ୍ୟରେ ସେ ‘ବଳିଦାନ’ ବ୍ୟାଜ୍‌ ପ୍ରଦର୍ଶନ କରିଥିଲେ, ସେଥିଯୋଗୁଁ ସୃଷ୍ଟି ବିବାଦ ଯୋଗୁଁ ତାଙ୍କର ସେ ଉଦ୍ଦେଶ୍ୟ ବହୁ ଗୁଣ ଅଧିକ ସାଧିତ ହୋଇଛି। ଯଦି ବିନା ବିବାଦରେ ଧୋନି ଟୁର୍ଣ୍ଣାମେଣ୍ଟ ସାରା ସେ ବଳିଦାନ ସଙ୍କେତ ବହନକାରୀ ଗ୍ଲୋଭ୍‌ସ ପିନ୍ଧି ଖେଳି ଚାଲିଥାନ୍ତେ, ତେବେ ଧୋନିଙ୍କ ଅସଲ ଉଦ୍ଦେଶ୍ୟ ଆଦୌ ସାଧିତ ହୋଇ ନ ଥାନ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ହୁଏତ ଏ ବ୍ୟାଜ୍‌ କୌଣସି ଦର୍ଶକଙ୍କର ନଜରରେ ହିଁ ପଡ଼ି ନ ଥାଆନ୍ତା।

ଧୋନିଙ୍କର ଉଦ୍ଦେଶ୍ୟ ତାହେଲେ କ’ଣ ଥିଲା? ପ୍ରଥମ, ଦେଶର ସେନାବାହିନୀ ସମ୍ବନ୍ଧରେ ଦେଶବାସୀଙ୍କ ମଧୢରେ ଏକ ନୂତନ ଗର୍ବବୋଧ ସୃଷ୍ଟି କରିବା; ଦ୍ବିତୀୟ, ସେନାବାହିନୀର ଏକ ବିଶେଷ ଶାଖା- ‘ଇଣ୍ତିଆନ୍‌ ଆର୍ମି ସ୍ପେଶାଲ ଫୋର୍ସେସ୍‌ (ପାରା ରେଜିମେଣ୍ଟ)’ ସମ୍ବନ୍ଧରେ ଦେଶବାସୀଙ୍କୁ ସଚେତନ କରିବା; ତୃତୀୟ, ଧୋନି ସେଇ ରେଜିମେଣ୍ଟରେ ଜଣେ ‘ସମ୍ମାନ ସୂଚକ ଲେଫ୍‌ଟେନାଣ୍ଟ କର୍ଣ୍ଣେଲ୍‌ ପଦ ମଣ୍ତନ କରୁଥିବା କଥା ଦେଶବାସୀଙ୍କୁ ଅବଗତ କରାଇବା। ନିଃସନ୍ଦେହରେ ଧୋନିଙ୍କର ଏ ତିନିଗୋଟି ଯାକ ସମ୍ଭାବ୍ୟ ଲକ୍ଷ୍ୟ ଏବେ ଏପରି ସମ୍ପୂର୍ଣ୍ଣ ରୂପେ ହାସଲ ହୋଇଯାଇଛି ଯେ ସେ ଆଉ ସେ ବଳିଦାନ ଗ୍ଲୋଭ୍‌ସ ପିନ୍ଧି ଖେଳିବାର କୌଣସି ଆବଶ୍ୟକତା ନାହିଁ।

ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ବାଲାକୋଟ୍‌ ପରେ ଏବେ ପୁଣି ଥରେ ସେନାବାହିନୀ ପାଇଁ ଯେଉଁ ଭଳି ଏକ ଦେଶବ୍ୟାପୀ ଗର୍ବବୋଧ ପ୍ରକାଶ ପାଇଛି, ତାହାର ରଚୟିତା ହେଉଛନ୍ତି ମହେନ୍ଦ୍ର ସି˚ହ ଧୋନି (ସେ ସମୟର ଵିଙ୍ଗ୍‌ କମାଣ୍ତର ଅଭିନନ୍ଦନଙ୍କ ଭଳି)। ସେହିପରି ଏଥିପୂର୍ବରୁ ଦେଶର, ଜନସାଧାରଣଙ୍କ ନିକଟରେ ପ୍ରାୟ ସମ୍ପୂର୍ଣ୍ଣ ଅପରିଚିତ ଥିବା ସେହି ପାରା ରେଜିମେଣ୍ଟ ଓ ତା’ର ‘ବଳିଦାନ’ ବ୍ୟାଜ୍‌ ବର୍ତ୍ତମାନ ଆମମାନଙ୍କ ପାଖରେ ଏପରି ସୁପରିଚିତ ହୋଇଯାଇଛି ଯେ, ତା’ର ଏକ ସ˚କ୍ଷିପ୍ତ ଇତିହାସ ମଧୢ ଏଠାରେ ଉଲ୍ଲେଖ କରାଯାଇପାରିବ।

ଭାରତୀୟ ସେନାବାହିନୀର ପାରାଚ୍ୟୁଟ୍‌ ରେଜିମେଣ୍ଟ ସହିତ ସ˚ଯୁକ୍ତ ଏହି ପାରା ସ୍ପେସାଲ ଫୋର୍ସ ହେଉଛି ଏକ ଅତ୍ୟନ୍ତ ବିଶେଷ ଶାଖା ଯାହାକୁ ସର୍ଜିକାଲ ଷ୍ଟ୍ରାଇକ୍‌, ଆତଙ୍କବାଦ ଦମନ ଏବ˚ ପଣବନ୍ଦୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇ ଥାଏ। ଯଦିବା ସ୍ବାଧୀନତା ପୂର୍ବରୁ ବ୍ରିଟିସ ଇଣ୍ତିଆନ୍‌ ଆର୍ମିର ୫୦ତମ ପାରାଚ୍ୟୁଟ୍‌ ବ୍ରିଗେଡ୍‌ ପର୍ଯ୍ୟନ୍ତ ଏହାର ଇତିହାସ ଲମ୍ବିଛି, ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ପରେ ୧୯୬୬ରେ ଏବେ ଥିବା ଆଠଟି ଏଇ ଭଳି ୟୁନିଟ୍‌ ମଧୢରୁ ପ୍ରଥମ ପାରା ସ୍ପେସାଲ୍‌ ଫୋର୍ସେସ୍‌ ୟୁନିଟ୍‌ ଗଠିତ ହୋଇଥିଲା। ପାରାଚ୍ୟୁଟ୍‌ ରେଜିମେଣ୍ଟର ଅନ୍ୟ ସୈନିକମାନଙ୍କ ଭଳି ସେମାନେ ଯୁଦ୍ଧ ପୋଷକ ପରିଧାନ କରିବା ସହିତ ଖଇରିଆ ରଙ୍ଗର କ୍ୟାପ୍‌ ପିନ୍ଧିଥାନ୍ତି। କିନ୍ତୁ ସ୍ପେସାଲ ଫୋର୍ସେସ୍‌ରେ ସୈନିକମାନଙ୍କୁ ଯାହା ଅଲଗା କରିଥାଏ ତାହା ହେଲା ସେମାନଙ୍କ କାନ୍ଧରେ ଥିବା ‘ସ୍ପେସାଲ୍‌ ଫୋର୍ସେସ୍‌’ ଟ୍ୟାବ୍‌ ଏବ˚ ସେମାନଙ୍କ ଛାତିରେ ଲାଗିଥିବା ଲାଲ୍‌ ରଙ୍ଗର ‘ବଳିଦାନ ବ୍ୟାଜ୍‌’।

ଏହି ପକ୍ଷଧାରୀ ଛୁରିକା ବ୍ୟାଜ୍‌ର ବ୍ରିଟେନ୍‌ର ଦୁର୍ଦ୍ଧର୍ଷ ସ୍ପେସାଲ୍‌ ଏଆର‌୍‌ ସର୍ଭିସ୍‌(ଏସ୍‌ଏଏସ୍‌ର ବ୍ୟାଜ୍‌ ସହିତ ପ୍ରାୟ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରହିଛି। ଆତଙ୍କବାଦ ଦମନ ଏବ˚ ପଣବନ୍ଦୀ ଉଦ୍ଧାର କ୍ଷେତ୍ରରେ ‘ଏସ୍‌ଏଏସ୍‌’ର ଆନ୍ତର୍ଜାତିକ ସ୍ତରରେ ଅପ୍ରତିଦ୍ବନ୍ଦ୍ବୀ ସୁନାମ ରହିଛି। ଫରକ୍‌ ହେଲା ଧୋନିଙ୍କ ସ୍ପେସାଲ ଫୋର୍ସେସ୍‌ ବ୍ୟାଜ୍‌ ତଳେ ଦେବନାଗରୀରେ ‘ବଳିଦାନ’ ସ୍ଲୋଗାନ୍‌ ଲେଖାଯାଇଥିବା ବେଳେ, ‘ଏସ୍‌ଏଏସ୍‌’ର ସ୍ଲୋଗାନ୍‌ ହେଉଛି ‘ହୁ ଡେଆର‌୍‌ସ ଵିନ୍‌ସ’ (‘ଯିଏ ସାହସ କରେ, ସିଏ ଜିତେ’)। ମନେ ହେଉଛି ଧୋନି ଏସ୍‌ଏଏସ୍‌ର ଏହି ସ୍ଲୋଗାନକୁ ହିଁ ନିଜର ଆଦର୍ଶ ଭାବରେ ଗ୍ରହଣ କରି ସେଦିନ ପଡ଼ିଆରେ ‘ବଳିଦାନ’ ଗ୍ଲୋଭ୍‌ସ ପିନ୍ଧି ଖେଳିବାକୁ ଓହ୍ଲାଇଥିଲେ। ଏବେ ସାବ୍ୟସ୍ତ ହୋଇଛି ଯେ ସାହସୀ ଧୋନି ହିଁ ଶେଷରେ ଜିତିଛନ୍ତି: ଅଣ୍ତା ନ ଭାଙ୍ଗି ଓମ୍‌ଲେଟ୍‌ ତିଆରି କରିଛନ୍ତି!

ସମ୍ବନ୍ଧିତ ଖବର

Leave A Reply

Your email address will not be published.