ଓଡ଼ିଶାର ହକ୍‌

0

‘ଗୋଲାପକୁ ଅନ୍ୟ ଯେ କୌଣସି ନାମରେ ଡାକ, ଏହାର ବାସ୍ନା କିନ୍ତୁ ସେହି ସମାନ ମିଠା ହିଁ ରହିବ।’ ଉଇଲିୟମ୍‌ ସେକ୍ସପିୟରଙ୍କ ‘ରୋମିଓ ଜୁଲିଏଟ୍‌’ର ଏହା ଗୋଟିଏ ପ୍ରସିଦ୍ଧ ଧାଡ଼ି। ବହୁ ପ୍ରସଙ୍ଗରେ ଏହି ଧାଡ଼ିଟିର ବହୁଳ ଭାବେ ଉଦ୍ଧୃତ ହୋଇଥାଏ। ଓଡ଼ିଶାର ଚାରି ଦଶକ ପୁରୁଣା ‘ସ୍ବତନ୍ତ୍ର ପାହ୍ୟା ରାଜ୍ୟ’ ଦାବି ଉପରେ ପଞ୍ଚମ ପାଳି ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସାନି ଅଭିଯାନରେ ପୂର୍ବୋକ୍ତ ଧାଡ଼ିର ପତଳା ଛାଇ ସ୍ପଷ୍ଟ ଦେଖାଯାଉଛି। ଏକ ନୂଆ ରଣକୌଶଳର ଅ˚ଶ ସ୍ବରୂପ- ପୁରୁଣା ଦାବିର ନାମ ଫଳକ ବଦଳାଇ ମୁଖ୍ୟମନ୍ତ୍ରୀ ଦାବିର ମୂଳ ଲକ୍ଷ୍ୟ ହାସଲ ଦିଗରେ ତାଜା ପ୍ରୟାସ ଆରମ୍ଭ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରଥମ ସାକ୍ଷାତ ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ପ୍ରସଙ୍ଗରେ ରଖିଥିବା ପରିବର୍ତ୍ତିତ ପ୍ରସ୍ତାବରୁ ଏହାର ସ˚କେତ ମିଳିଛି।

ଜାତୀୟ ଉନ୍ନୟନ ପରିଷଦ ବୈଠକରେ ୧୯୭୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ପ୍ରଥମ ଥର ସକାଶେ ଓଡ଼ିଶା ପାଇଁ ସ୍ବତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦାବି ଉଠାଇଥିଲେ। ବିଗତ ଚାଳିଶ ବର୍ଷରେ ବିଭିନ୍ନ ମଞ୍ଚରେ ଏହି ଦାବିକୁ ଓଡ଼ିଶା ବାରମ୍ବାର ଦୋହରାଇ ଆସିଛି। ବିଭିନ୍ନ ସରକାର ଅମଳରେ ରାଜ୍ୟ ବିଧାନସଭାରେ ଏକାଧିକ ଥର ଦାବି ସପକ୍ଷରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି।

ଏହି ସ୍ବତନ୍ତ୍ର ପାହ୍ୟା ରାଜ୍ୟ ଦାବିର ମୂଳ ଉଦ୍ଦେଶ୍ୟ କ’ଣ? ଅନଗ୍ରସର, ଦାରିଦ୍ର୍ୟ ପ୍ରବଣ ଓଡ଼ିଶାର ବିକାଶ ପାଇଁ ଅଧିକ ପାଣ୍ଠି ଓ ଅଧିକ ମାତ୍ରାରେ କେନ୍ଦ୍ରୀୟ ଭାଗିଦାରୀ। ଗୋଟିଏ ମାପକାଠି ବ୍ୟତୀତ, ଅନ୍ୟ ସବୁ ମାପକାଠିରେ ଓଡ଼ିଶା ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପାଇବାକୁ ହକ୍‌ଦାର। ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ଦେଶର ଆନ୍ତର୍ଜାତିକ ସୀମାକୁ ଲାଗି ଓଡ଼ିଶା ଅବସ୍ଥିତ ନଥିବା ଦର୍ଶାଇ ସ୍ବତନ୍ତ୍ର ପାହ୍ୟା ଦାବିକୁ ଅଗ୍ରାହ୍ୟ କରାଯାଇଛି। କିନ୍ତୁ ଏହା ଅନସ୍ବୀକାର୍ଯ୍ୟ ଯେ, ରାଜ୍ୟର ସର୍ବାଙ୍ଗୀକ ବିକାଶ ଲାଗି ଅଧିକ ପାଣ୍ଠି ଓ ଅଧିକ କେନ୍ଦ୍ରୀୟ ସହାୟତା ଏକାନ୍ତ ଆବଶ୍ୟକ। ରାଜ୍ୟର ଖଣିଖାଦାନ ଓ ଅନ୍ୟ ପ୍ରାକୃତିକ ସମ୍ପଦରୁ କେନ୍ଦ୍ରୀୟ ରାଜକୋଷକୁ ବିପୁଳ ରାଜସ୍ବ ଯାଉଥିଲେ ମଧୢ ଓଡ଼ିଶାକୁ ତା’ର ନ୍ୟାଯ୍ୟ ପ୍ରାପ୍ୟ ମିଳୁନାହିଁ। ଫଳରେ ବିକାଶ କ୍ଷେତ୍ରରେ ଓଡ଼ିଶା ସବୁବେଳେ ନିଅଣ୍ଟିଆର ଶିକାର ହୋଇ ଆସିଛି। ଅନ୍ୟପକ୍ଷରେ ବିକାଶର ନିଅଣ୍ଟିଆ ଦୂର ପାଇଁ ଗୋଟିଏ ସ˚ଘୀୟ ଶାସନ ବ୍ୟବସ୍ଥାରେ କେନ୍ଦ୍ରଠାରୁ ଯେତିକି ସହଯୋଗ ଆଶା କରାଯାଏ, ତାହା ପାଇବାରେ ଓଡ଼ିଶା ନିରାଶ ହୋଇଛି। ନିରାଶା ଅସନ୍ତୋଷର ରୂପ ନେଇ ନବେ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ପାଇଁ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ପ୍ରତିଫଳିତ ହୋଇଥିଲା। କେନ୍ଦ୍ରର ଆଭିମୁଖ୍ୟ କିମ୍ବା ପରିସ୍ଥିତି ବଦଳି ନାହିଁ। ଫଳରେ ଗତବର୍ଷ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିତାଙ୍କ ଦାବିକୁ ଦୋହରାଇ ଥିଲେ। ପରିବତ୍ତିର୍ତ ରାଜନୈତିକ ପରିସ୍ଥିତିରେ କିନ୍ତୁ ପୁରୁଣା ଲକ୍ଷ୍ୟ- ଅଧିକ କେନ୍ଦ୍ରୀୟ ପାଣ୍ଠି ଓ ସହାୟତାକୁ ନ ବଦଳାଇ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ଦିଗରେ ରାସ୍ତାକୁ ଟିକିଏ ବଦଳାଇ ଦେଇଛନ୍ତି।

ଏକ ନୂଆ ରଣନୀତିରେ ଲକ୍ଷ୍ୟ ସେହି ସମାନ ରହିଛି। କିନ୍ତୁ ସ୍ବର ବଦଳି ଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି ଯେ, ସ୍ବତନ୍ତ୍ର ପାହ୍ୟା ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ମଧୢବର୍ତ୍ତୀକାଳୀନ ବ୍ୟବସ୍ଥା ସ୍ବରୂପ ଓଡ଼ିଶାକୁ ‘ଫୋକସ୍‌ ରାଜ୍ୟ’ ଭାବେ ବିଚାର କରି ବିପର୍ଯ୍ୟୟ ପ୍ରବଣ ରାଜ୍ୟର ବିକାଶ ପ୍ରତି ଅଗ୍ରାଧିକାର ସୂତ୍ରେ ସ୍ବତନ୍ତ୍ର ଧୢାନ ଦିଆଯାଉ। ଏହାର ଅର୍ଥ, ଓଡ଼ିଶାର ବିକାଶ, ବିଶେଷ କରି ଘନ ଘନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏହାର ବିପର୍ଯ୍ୟସ୍ତ ଭିତ୍ତିଭୂମିର ପୁନଃନିର୍ମାଣ ଓ ନୂଆ ଭିତ୍ତିଭୂମିର ନିର୍ମାଣ ଲାଗି ଅଧିକ ପାଣ୍ଠି ଓ ଅଧିକ ମାତ୍ରାରେ କେନ୍ଦ୍ରୀୟ ସହାୟତା ମିଳୁ। ସ୍ବତନ୍ତ୍ର ପାହ୍ୟା ରାଜ୍ୟମାନଙ୍କୁ ଯେଭଳି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଛି ଓ ୯୦:୧୦ ସହଭାଗିତାରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ହେଉଛି, ଓଡ଼ିଶାକୁ ମଧୢ ଅନୁରୂପ ସୂତ୍ରରେ ସହାୟତା ଦିଆଯାଉ। ମୋଟ କଥା ହେଲା- ‘ସ୍ବତନ୍ତ୍ର ପାହ୍ୟା’ ହେଉ ଅବା ‘ଫୋକସ୍‌ ରାଜ୍ୟ’; ଯୋଜନାର ନାମ ନିର୍ବିଶେଷରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇ ଉଦାର ଭାବେ ପାଣ୍ଠି ଓ କେନ୍ଦ୍ରୀୟ ସହାୟତାର ବ୍ୟବସ୍ଥା ହେଉ।

‘ଫୋକସ୍‌ ରାଜ୍ୟ’ ଦାବି ପଛରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ଯୁକ୍ତି ହେଲା, ଦେଶର କ୍ବଚିତ ଅନ୍ୟ କୌଣସି ରାଜ୍ୟ ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା କ୍ଷତିଗ୍ରସ୍ତ। ଏମିତି କୌଣସି ବର୍ଷ ନାହିଁ, ଯେଉଁ ବର୍ଷ ରାଜ୍ୟର କୌଣସି ଅଞ୍ଚଳ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ପ୍ରଭାବିିତ ହେଉନାହିଁ। କେଉଁ ବର୍ଷ ବାତ୍ୟା ତ ଆଉ କେଉଁ ବର୍ଷ ମରୁଡ଼ି ରାଜ୍ୟ ଉପରେ ଦାଉ ସାଧୁଛି। ପୁଣି କେତେକ ବର୍ଷ ଉପକୂଳ ଅଞ୍ଚଳ ବାତ୍ୟା ଓ ବନ୍ୟା ଦ୍ବାରା ପ୍ରଭାବିତ ହେଉଥିବା ବେଳେ ଅବଶିଷ୍ଟ ଅଞ୍ଚଳ ମରୁଡ଼ି ଦ୍ବାରା ପ୍ରଭାବିତ ହେଉଛି। ଗୋଟିଏ ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣତାକୁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନର ଅନ୍ୟତମ ମାପକାଠି ଭାବେ ଗ୍ରହଣ ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। ସରକାରୀ ଆକଳନ ଅନୁଯାୟୀ ୧୯୯୫ ପରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଓଡ଼ିଶାର କ୍ଷୟକ୍ଷତିର ପରିମାଣ ୭୫ ହଜାର କୋଟି ଟଙ୍କାରୁ ଅଧିକ। କେବଳ ୨୦୧୩ର ‘ଫାଇଲିନ୍‌’ରୁ ୨୦୧୯ର ‘ଫନୀ’ ପର୍ଯ୍ୟନ୍ତ ଛଅ ବର୍ଷରେ ଚାରିଟି ସାମୁଦ୍ରିକ ଝଡ଼ ଯୋଗୁ କ୍ଷତିର ପରିମାଣ ପ୍ରାୟ ୨୫ ହଜାର କୋଟି ଟଙ୍କା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ମିଳୁଥିବା ଅର୍ଥ ଏହି କ୍ଷତି ଭରଣା ପାଇଁ ସମୁଦ୍ରକୁ ଶଙ୍ଖେ। ଉଦାହରଣ ସ୍ବରୂପ ୧୯୯୫ରୁ ୨୦୧୩ ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶା ମାଗିଥିବା ୩,୨୬୫.୩୮ କୋଟି ଟଙ୍କା ବିପକ୍ଷରେ କେନ୍ଦ୍ରରୁ ମିଳିଥିଲା ମାତ୍ର ୬୭୮.୬୫ କୋଟି ଟଙ୍କା।

‘ସ୍ବତନ୍ତ୍ର ପାହ୍ୟା’ ବଦଳରେ ଅନ୍ତରୀଣ ବ୍ୟବସ୍ଥା ଭାବେ ‘ଫୋକସ୍‌ ରାଜ୍ୟ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି ନିଶ୍ଚୟ ଗୁରୁତ୍ବର ସହ ବିଚାରର ଅପେକ୍ଷା ରଖୁଛି। ରଘୁରାମ ରାଜନ କମିଟିଙ୍କ ରିପୋର୍ଟକୁ ଦର୍ଶାଇ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ବ୍ୟବସ୍ଥାକୁ ଉଚ୍ଛେଦ କରାଗଲା। ଫଳରେ ଓଡ଼ିଶା, ବିହାର ଓ ବିଭାଜନ ପରେ ଆନ୍ଧ୍ରପ୍ରଦେଶର ଦାବି ଆପେ ଅଗ୍ରାହ୍ୟ ହୋଇଗଲା। କିନ୍ତୁ ବିଡ଼ମ୍ବନା ହେଲା, ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ କେନ୍ଦ୍ର ପକ୍ଷରୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରାଗଲା। ଅଥଚ ଓଡ଼ିଶା ବିଷୟ ବିଚାର ସୁଦ୍ଧା କରାଗଲା ନାହିଁ। ଏହା ଓଡ଼ିଶା ପ୍ରତି ଅନ୍ୟାୟ। ଅନ୍ୟ ଏକ ବିଡ଼ମ୍ବନା ହେଲା, ରଘୁରାମ ରାଜନ୍‌ କମିଟି ସୁପାରିସ ଉପରେ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ବ୍ୟବସ୍ଥାର ଉଚ୍ଛେଦ ହେଲା। ଅଥଚ ଓଡ଼ିଶା ଭଳି ଅନଗ୍ରସର, ପଛୁଆ ରାଜ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ନିମନ୍ତେ କମିଟିର ସୁପାରିସକୁ କାର୍ଯ୍ୟକାରୀ କରାଗଲା ନାହିଁ। କମିଟି ଓଡ଼ିଶାକୁ ଦେଶର ସବୁଠାରୁ ଅନଗ୍ରସର ରାଜ୍ୟ ଭାବେ ଚିହ୍ନଟ କରିଥିଲେ। କମିଟିଙ୍କ ସୁପାରିସ କାର୍ଯ୍ୟକାରୀ ହୋଇଥିଲେ କେବଳ ଓଡ଼ିଶା ନୁହେଁ, ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧୢପ୍ରଦେଶ ଭଳି ଅନ୍ୟ ରାଜ୍ୟମାନେ ମଧୢ କେନ୍ଦ୍ରରୁ ଅଧିକ ଆର୍ଥିକ ସହାୟତା ପାଇଥାନ୍ତେ।

ତେଣୁ, କେବଳ ଓଡ଼ିଶା ପାଇଁର୍ ନୁହେଁ, ଦେଶର ସବୁ ପଛୁଆ, ଅନୁନ୍ନତ ଓ ବିକାଶ ଦୃଷ୍ଟିରୁ ନିଅଣ୍ଟିଆ ରାଜ୍ୟମାନଙ୍କ ବିଷୟ ବିଚାରକୁ ନେଇ କେନ୍ଦ୍ରୀୟ ପାଣ୍ଠି ଆବଣ୍ଟନ ଓ ସହାୟତାର ମାତ୍ରା ନିର୍ଧାରଣ ସକାଶେ ନୂଆ ବ୍ୟବସ୍ଥାର ପ୍ରବର୍ତ୍ତନ ଆବଶ୍ୟକ। ଅନ୍ୟଥା, ବିକଶିତ ଓ ସମୃଦ୍ଧ ରାଜ୍ୟମାନଙ୍କ ସହ ଅନଗ୍ରସର, ପଛୁଆ ରାଜ୍ୟମାନେ କଦାପି ସମକକ୍ଷ ହୋଇପାରିବେ ନାହିଁ। ବିକାଶ କ୍ଷେତ୍ରରେ ଆଞ୍ଚଳିକ ଅସମାନତା ଗୋଟିଏ ଦେଶର ଏକତା ଓ ସ˚ହତି ପାଇଁ ଅନୁୁକୂଳ ନୁହେଁ। ବିକାଶର ଆବଶ୍ୟକତା ହିଁ କେନ୍ଦ୍ରୀୟ ସମ୍ବଳ ଆବଣ୍ଟନର ଏକମାତ୍ର ମାପକାଠି ହେବା ଉଚିତ। ବିକାଶ କ୍ଷେତ୍ରରେ ଯେଉଁ ରାଜ୍ୟ, ଯେତେ ନିଅଣ୍ଟିଆ, ସେହି ରାଜ୍ୟ ସେତେ ଅଧିକ କେନ୍ଦ୍ରୀୟ ପାଣ୍ଠି ଓ ସହାୟତାର ହକ୍‌ଦାର‌୍‌। ‘ସ୍ବତନ୍ତ୍ର ପାହ୍ୟା’ ହେଉ କି ‘ଫୋକସ୍‌ ରାଜ୍ୟ’ କିମ୍ବା ଅନ୍ୟ କୌଣସି ଯୋଜନା ହେଉ, ଏକମାତ୍ର ଉଦ୍ଦେଶ୍ୟ- ବିକାଶର ଆବଶ୍ୟକତା ଅନୁପାତରେ ଓଡ଼ିଶାକୁ ତା’ର ନ୍ୟାଯ୍ୟ ହକ୍‌ ମିଳୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.