କୃଷି ପାଇଁ ନୂଆ ନକ୍ସା

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାର ଦାୟିତ୍ବ ନେବା ଦୁଇ ସପ୍ତାହ ନ ପୂରୁଣୁ ଏକ ନୂଆ କୃଷି ନୀତି ପ୍ରଣୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୧୧ ତାରିଖ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଅଧିକାରୀ ମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ମାନସ ମନ୍ଥନ ସହ ନୂଆ କୃଷି ନୀତିର ଚିଠା ପ୍ରସ୍ତୁତି ଲାଗି ପ୍ରାରମ୍ଭିକ କସରତ ହୋଇଛି। ଆସନ୍ତା ଜୁଲାଇ ଶେଷ ସୁଦ୍ଧା ପ୍ରସ୍ତାବିତ ନୂଆ କୃଷିନୀତିର ଚୂଡାନ୍ତ ଚିଠା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ନବୀନ ପଟ୍ଟନାୟକ ଦୁଇ ହଜାର ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ଏହା ହେବ ରାଜ୍ୟର ତୃତୀୟ କୃଷିନୀତି। ଶାସନ ଦାୟିତ୍ବ ନେବାର ଆଠ ବର୍ଷ ପରେ ଦ୍ବିତୀୟ ପାଳି ମୁଖ୍ୟମନ୍ତ୍ରୀତ୍ବ ସମୟରେ ବାର ବର୍ଷ ତଳର କୃଷି ନୀତି-୧୯୯୬କୁ ବଦଳାଇ ୨୦୦୮ରେ ନବୀନ ସରକାରଙ୍କ ପ୍ରଥମ କୃଷି ନୀତି ପ୍ରଣୀତ ହୋଇଥିଲା। ଏହାର ପାଞ୍ଚବର୍ଷ ପରେ ୨୦୧୩ରେ ଘୋଷିତ ହୋଇଥିଲା ନବୀନ ସରକାରଙ୍କ ଦ୍ବିତୀୟ କୃଷିନୀତି। ଛଅ ବର୍ଷ ପରେ ପରିବର୍ତ୍ତିତ ପରିସ୍ଥିତିରେ କୃଷି କ୍ଷେତ୍ରର ଦେଖା ଦେଇଥିବା ନୂଆ ସମସ୍ୟା, ନୂଆ ଆହ୍ବାନ ଓ ନୂଆ ସମ୍ଭାବନାକୁ ଆଖି ଆଗରେ ରଖି ଏକ ନୂଆ କୃଷିନୀତି ପ୍ରଣୟନ ଲାଗି ଉଦ୍ୟମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ସଙ୍କଟ ଦେଇ ଗତି କରୁଥିବା କୃଷିର ପୁନଃରୁଦ୍ଧାର ଓ ଦୁର୍ଦଶାଗ୍ରସ୍ତ ଚାଷୀକୁଳର ଜୀବନଧାରଣ ମାନରେ ଗୁଣାତ୍ମକ ଉନ୍ନତି ଆଣିବାରେ ପ୍ରସ୍ତାବିତ ନୂଆ କୃଷି ନୀତି ସହାୟକ ହେବ ବୋଲି ଆଶା। ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ପ୍ରତି କ୍ଷମତାସୀନ ରାଜନୈତିକ ନେତୃତ୍ବର ସମ୍ବେଦନଶୀଳତା ଓ ସମସ୍ୟାର ମୁକାବିଲା ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ମଧୢ ଏହା ଏକ ସକାରାତ୍ମକ ସ˚କେତ।

ତେବେ, ରାଜ୍ୟ ଲୋକସ˚ଖ୍ୟାର ଦୁଇ ତୃତୀୟା˚ଶଙ୍କ ଜୀବନଜୀବିକା ସହିତ ଯୋଡ଼ି ହୋଇଥିବା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶକୁ ନୂଆ ଦିଶା ଦେବା ଲକ୍ଷ୍ୟରେ ସରକାରୀ ନୀତିର ନବୀକରଣ ବେଳେ ପୂର୍ବବର୍ତ୍ତୀ କୃଷି ନୀତି ଗୁଡ଼ିକର ସମୀକ୍ଷା ଏକାନ୍ତ ଜରୁରୀ।

ଏହା ଅତ୍ୟନ୍ତ ସ୍ବାଭାବିକ ଏଥି ପାଇଁ ଯେ, ୨୦୦୮ ଓ ୨୦୧୩ କୃଷି ନୀତିରେ କାର୍ଯ୍ୟକାରିତାରେ କେତେକ କ୍ଷେତ୍ରରେ ନିଶ୍ଚୟ ସଫଳତା ମିଳିଥିବ। ଆଉ କେତେକ କ୍ଷେତ୍ରରେ ବିଫଳତାର ମଧୢ ଅନୁଭବ ଥିବ। ସଫଳତା ଓ ବିଫଳତାର ଏହି ମିଶ୍ର ଅଭିଜ୍ଞତାକୁ ପାଥେୟ କରି ଭବିଷ୍ୟତ ପାଇଁ ନକ୍‌ସା ପ୍ରସ୍ତୁତ ହେଲେ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବା ଲାଗି ମାର୍ଗ ସ୍ପଷ୍ଟ ହେବ। ଏହା ଜରୁରୀ ଏଥିପାଇଁ ଯେ, ପ୍ରସ୍ତାବିତ ନୂଆ କୃଷିନୀତିର ଲକ୍ଷ୍ୟ ଯାହା ଘୋଷଣା କରାଯାଇଛି, ପୂର୍ବବର୍ତ୍ତୀ ୨୦୦୮ ଓ ୨୦୧୩ କୃଷି ନୀତିର ମଧୢ ସେହି ସମାନ ଲକ୍ଷ୍ୟ ଥିଲା। ପ୍ରସ୍ତାବିତ ନୂଆ କୃଷି ନୀତିର ମୂଳ ଲକ୍ଷ୍ୟ ଚାଷୀର ଆୟ ଦୁଇଗୁଣ ବୃଦ୍ଧି ବୋଲି ଘୋଷଣା କରାଯାଇଛି। ଏଗାର ବର୍ଷ ତଳେ ରାଜ୍ୟ କୃଷି ନୀତି- ୨୦୦୮ ଓ ଛଅ ବର୍ଷ ତଳର କୃଷି ନୀତି- ୨୦୧୩ର ମଧୢ ଲକ୍ଷ୍ୟ ଥିଲା ଚାଷୀର ଆୟ ବୃଦ୍ଧି ଓ ଉତ୍ପାଦନ, ଉତ୍ପାଦକତା ବୃଦ୍ଧି ସହ ସାମଗ୍ରିକ ଭାବେ କୃଷି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି। ଉଲ୍ଲେଖ ଅନାବଶ୍ୟକ ଯେ, କୃଷକର ଆୟ ବୃଦ୍ଧି ଓ କୃଷି ଉତ୍ପାଦନ ବୃଦ୍ଧି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇଛି। ମୋଟ ଉପରେ କହିବାକୁ ଗଲେ ପ୍ରତ୍ୟେକ କୃଷିନୀତିର ଉଦ୍ଦେଶ୍ୟ ହେଲା ବୃତ୍ତି ଭାବେ ଚାଷ ଯେମିତି ପୋଷାଇବ, କୃଷି କାର୍ଯ୍ୟ ଲାଭଜନକ ହେବ। ହାଡ଼ଭଙ୍ଗା କଠିନ ପରିଶ୍ରମ ଓ ଖର୍ଚ୍ଚବାର୍ଚ ପରେ ଚାଷରୁ ଯେମିତି ଚାଷୀକୁ ଦୁଇ ପଇସା ମିଳେ; ଯାହା ଫଳରେ ଦେଶକୁ ଅନ୍ନ ଦେଉଥିବା ଚାଷୀର ପରିବାର ଅଭାବ, ଅନଟନରୁ ମୁକୁଳିବ ଓ ଚାଷୀ ନିଜକୁ ହୀନିମାନିଆ, ହତଭାଗ୍ୟ ମନେ କରିବ ନାହିଁ।

ପୂର୍ବ ନୀତିଗୁଡ଼ିକ ମାର୍ଫତରେ ଏହି ଲକ୍ଷ୍ୟ ହାସଲରେ କେତେ ଅଗ୍ରଗତି ହୋଇଛି? ଆଜି ଆଉ ଏକ ନୂଆ କୃଷି ନୀତି ପ୍ରଣୟନ ଅବସରରେ ଏ ପ୍ରଶ୍ନ ଅତ୍ୟନ୍ତ ପ୍ରାସଙ୍ଗିକ। ପ୍ରଥମେ ଚାଷୀଙ୍କ ଆୟ ବିଷୟ ବିଚାର କରାଯାଉ। ସରକାରଙ୍କ ଦାବି ହେଲା, ରାଜ୍ୟର ଚାଷୀ ପରିବାର ପିଛା ଆୟ ବୃଦ୍ଧି ପାଇଛି। ୨୦୦୨-୦୩ରୁ ୨୦୧୫-୧୬ ମଧୢ;ର ଚାଷୀଙ୍କ ଆୟ ମାସିକ ୧,୦୬୨ରୁ ବୃଦ୍ଧି ପାଇ ୭,୭୩୧ ଟଙ୍କାରେ ପହଞ୍ଚିଛି। ଆହୁରି ମଧୢ ଦାବି କରାଯାଇଛି ଯେ, ଜାତୀୟ ସ୍ତରରେ ଚାଷୀଙ୍କ ଆୟ ଏହି ସମୟ ମଧୢରେ ୧୧.୭% ହାରରେ ବଢ଼ିଥିବା ବେଳେ, ଓଡ଼ିଶା ଚାଷୀଙ୍କ ଆୟ ୧୬.୫% ବଢିଛି। ତଥାପି, ଜାତୀୟ ସ୍ତରରେ ଚାଷୀଙ୍କ ଆୟଠାରୁ ଏହା କମ୍‌ ରହିଛି। ଜାତୀୟ ସ୍ତରରେ ଗୋଟିଏ ଚାଷୀ ପରିବାରର ମାସିକ ହାରାହାରି ଆୟ ୮,୯୩୧ ଟଙ୍କା। ଅର୍ଥାତ୍‌ ବର୍ତ୍ତମାନ ବି ଗୋଟିଏ ଭାରତୀୟ ଚାଷୀ ପରିବାରର ମାସିକ ଆୟଠାରୁ ଓଡ଼ିଶା ଚାଷୀ ପରିବାରର ଆୟ ମାସିକ ୧୨୦୦ ଟଙ୍କା କମ୍‌। ଚାଷୀ ପରିବାରଙ୍କ ଆୟ ଦୃଷ୍ଟିରୁ ଯଦି ପଞ୍ଜାବ ସହ ଓଡ଼ିଶାକୁ ତୁଳନା କରାଯାଏ, ତେବେ ଆହୁରି ନିରାଶ ହେବାକୁ ପଡ଼ିବ। ପଞ୍ଜାବରେ ଗୋଟିଏ ଚାଷୀ ପରିବାରର ମାସିକ ଆୟ ୨୩,୧୩୩ ଟଙ୍କା। ଓଡ଼ିଶା ଚାଷୀ ପରିବାରଙ୍କ ଆୟ ଏହାର ଏକ ତୃତୀୟା˚ଶରୁ ବି କମ୍‌।

ଓଡ଼ିଶାର ଚାଷୀ ପରିବାରଙ୍କ ମାସିକ ଆୟ ୭,୭୩୧ ଟଙ୍କା ବେଶ୍‌ ସନ୍ତୋଷଜନକ ମନେ ହୋଇପାରେ। କିନ୍ତ ପ୍ରକୃତରେ ଏଥିରେ ଚାଷରୁ ମିଳୁଥିବା ଆୟର ଭାଗ କେତେ? ‘ନାବାଡ଼ର୍’ ପକ୍ଷରୁ ହୋଇଥିବା ଏକ ସର୍ଭେ ଅନୁଯାୟୀ ଗୋଟିଏ କୃଷି ପରିବାରର ହାରାହାର ଆୟରେ ଚାଷର ଭାଗ ମାତ୍ର ୧୯%। ଅର୍ଥାତ୍‌ ଓଡ଼ିଶା ପରିପ୍ରେକ୍ଷୀରେ ଗୋଟିଏ ଚାଷୀ ପରିବାରର ଚାଷରୁ ଆୟ ମାତ୍ର ୧୪୬୯ ଟଙ୍କା। ଯଦି ପଶୁପାଳନରୁ ୪% ରୋଜଗାରକୁ ମିଶାଯାଏ, ତେବେ ଚାଷ ଓ ଆନୁଷଙ୍ଗିକ କ୍ଷେତ୍ରରୁ ମୋଟ ଆୟ ମାତ୍ର ୧,୭୭୮ ଟଙ୍କା। ମଜୁରିଆ ଭାବେ କାମ କରି ମିଳୁଥିବା ମାସିକ ୩,୩୨୪ ଟଙ୍କା ଗୋଟିଏ ଚାଷୀ ପରିବାରର ମୁଖ୍ୟ ଆୟ (୪୩%)।

ଓଡ଼ିଶା ଚାଷୀଙ୍କ ଆୟର ଉପରୋକ୍ତ ଗଣିତ ସ୍ପଷ୍ଟ ସୂଚାଉଛି ଯେ, ଚାଷୀର ମୋଟ ଆୟ ବଢ଼ିଥାଇ ପାରେ। କିନ୍ତୁ ଚାଷରୁ ଆୟ ଆଦୌ ସନ୍ତୋଷଜନକ ନୁହେଁ। ରାଜ୍ୟ ସରକାରଙ୍କ ‘କାଳିଆ’ ଏବ˚ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ଯୋଗୁଁ ଚାଷୀଙ୍କ ଆୟ ମାସିକ ୧୫୦୦ ଟଙ୍କା ବଢ଼ିବାର ସମ୍ଭାବନା ରହିଛି। ଏହାଦ୍ବାରା ଚାଷୀଙ୍କ ଅଭାବୀ ଅବସ୍ଥା କିଛି ମାତ୍ରାରେ ଦୂର ହେବ ସିନା ସାମଗ୍ରିକ ଭାବେ କୃଷିର ଅଭିବୃଦ୍ଧି ଲାଗି ଏହା ବିନିଯୋଗର ସମ୍ଭାବନା କ୍ଷୀଣ।

ଓଡ଼ିଆ ଚାଷୀର ଚାଷରୁ ଆୟ ବଢ଼ୁନାହିଁ କାହିଁକି? ଓଡ଼ିଶା ଚାଷୀଙ୍କ ଆୟ କାହିଁକି ଜାତୀୟ ହାରଠାରୁ କମ୍‌? ଏହାର ଉତ୍ତର ଓଡ଼ିଶାର କୃଷି ଉତ୍ପାଦକତା ଜାତୀୟ ସ୍ତରଠାରୁ କମ୍‌। ଓଡ଼ିଶାରେ କୃଷି ଉତ୍ପାଦନ ନିଶ୍ଚୟ ବୃଦ୍ଧି ପାଇଛି। ସରକାରଙ୍କ ଦାବି ଅନୁଯାୟୀ ଖାଦ୍ୟଶସ୍ୟ ଉତ୍ପାଦନ ଦୃଷ୍ଟିରୁ ଓଡ଼ିଶା ଏକ ବଳକା ରାଜ୍ୟ। ୨୦୧୬-୧୭ରେ ରାଜ୍ୟରେ୧୧୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥିଲା। କୃଷି ଉତ୍ପାଦନ କ୍ଷେତ୍ରରେ ଏହା ନିଶ୍ଚିତ ଭାବେ ଏକ ଉପଲବ୍‌ଧି। କିନ୍ତୁ ଉତ୍ପାଦକତା ଦୃଷ୍ଟିରୁୁ ଏହା କଦାପି ଆଶାଜନକ ନୁହେଁ। ଜାତୀୟ ସ୍ତରରେ ହେକ୍ଟର ପିଛା ଖାଦ୍ୟଶସ୍ୟ ଉତ୍ପାଦନ ୨୦.୫୬ କ୍ବିଣ୍ଟାଲ। ଅଥଚ, ଓଡ଼ିଶାରେ ଏହା ୧୩.୧୦ କ୍ବିଣ୍ଟାଲ। ଏପରିକି ପଡେ଼ାଶୀ ଝାଡ଼ଖଣ୍ତ, ଛତିଶଗଡ଼ରେ ମଧୢ ହେକ୍ଟର ପିଛା ଖାଦ୍ୟଶସ୍ୟ ଉତ୍ପାଦନ ଓଡ଼ିଶା ତୁଳନାରେ ଅଧିକ। ଉତ୍ପାଦକତା ବୃଦ୍ଧି ନହେଲେ, ଚାଷୀମାନଙ୍କ ଆୟ ଆଶାଜନକ ଭାବେ ବୃଦ୍ଧିି ପାଇବା ଆଶା କ୍ଷୀଣ। ୨୦୦୮ରେ କୃଷି କ୍ଷେତ୍ରର ଅତିକମ୍‌ରେ ବାର୍ଷିକ ୪% ଅଭିବୃଦ୍ଧିର ଲକ୍ଷ୍ୟ ରଖାଯାଇଥିଲା। ୨୦୧୩ରେ କୃଷିନୀତିରେ ମଧୢ ଏହି ହାରରେ ଅଭିବୃଦ୍ଧି ଜାରି ରଖିବା ଲାଗି ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୨୦୧୧ରୁ ୨୦୧୭ ମଧୢରେ ରାଜ୍ୟର କୃଷି ଅଭିବୃଦ୍ଧି ହାର ମାତ୍ର ୨.୫%। କୃଷି କ୍ଷେତ୍ରରେ ଅସ୍ଥିରତାର ଏକ ମୁଖ୍ୟ କାରଣ ପ୍ରାକୃତିକ ବିପର୍ଯ୍ୟୟ। ୨୦୧୬-୧୭ରେ କୃଷି ଅଭିବୃଦ୍ଧି ହାର ୨୦% ଥିଲା। ଅଥଚ ପୂର୍ବ ୨୦୧୫-୧୬ରେ କୃଷି କ୍ଷେତ୍ର ୧୩% ବିଯୁକ୍ତାତ୍ମକ ଅଭିବୃଦ୍ଧିର ଶିକାର ହୋଇଥିଲା। ତେଣୁ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାରେ କୃଷିକୁ ବନ୍ୟା ଓ ମରୁଡ଼ି ସହଣୀ କରାଯିବା ଏକାନ୍ତ ଜରୁରୀ। ଏଥି ପାଇଁ ନୂଆ ଚାଷ କୌଶଳର ପ୍ରୟୋଗ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ନୂଆ କୃଷି ନୀତିରେ ସର୍ବାଧିକ ଗୁରୁତ୍ବର ଅପେକ୍ଷା ରଖୁଛି। ମୋଟ ଉପରେ ନୂଆ କୃଷିନୀତିର ଦୁଇଟି ମୌଳିକ ଲକ୍ଷ୍ୟ ହେବା ଉଚିତ୍‌ (୧) କୃଷି ଉତ୍ପାଦକତା ବୃଦ୍ଧି, (୨) କୃଷି ଉତ୍ପାଦ ପାଇଁ ଆବଶ୍ୟକ ବଜାର; ଯେଉଁଠି ଚାଷୀଙ୍କୁ ନିଜ ଉତ୍ପାଦିତ ସାମଗ୍ରୀ ପାଇଁ ଉଚିତ ମୂଲ୍ୟ ମିଳିବ। ଆଶା, ଏହି ଲକ୍ଷ୍ୟ ହାସଲ ପାଇଁ ନୂଆ କୃଷି ନୀତି ଏକ ନୀଳ ନକ୍‌ସା ହେବ। ଫଳ ସ୍ବରୂପ ଆପେ ଚାଷ ପୋଷାଇବ ଓ ଚାଷୀଙ୍କ ଆୟରେ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.