ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଚୀନା ସେନାପତି ତଥା ସମର ବିଶାରଦ ସନ୍ ଜୁ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଦି ଆର୍ଟ ଅଫ୍ଵାର୍’ (ଯୁଦ୍ଧ କଳା)ରେ ଏକ ଆଦର୍ଶ ରଣକୌଶଳର ଯେଉଁ ରୂପରେଖ ପ୍ରଦାନ କରିଥିଲେ, ତାହା ଏବେବି କେବଳ ଚୀନ୍ ନୁହେଁ, ସାରା ପୃଥିବୀର ଯୁଦ୍ଧନୀତି ନିର୍ଦ୍ଧାରକ ମହଲରେ ଆଦୃତି ଲାଭ କରିଥାଏ। ଚୀନ୍ର ଶାସକ ଓ ସେନାଧୢକମାନେ ପାରମ୍ପରିକ ଭାବରେ ସମ୍ଭାବ୍ୟ ଓ ପ୍ରକୃତ ଶତ୍ରୁର ମୁକାବିଲା କରିବା ପାଇଁ ସନ୍ ଜୁ ପ୍ରଦାନ କରିଥିବା ଉପଦେଶ ସବୁକୁ ଊଣା ଅଧିକେ ପାଳନ କରି ଆସିଛନ୍ତି। ସନ୍ ଜୁ ତାଙ୍କ ପୁସ୍ତକର ୧୩ଶ ଅଧୢାୟରେ ଯୁଦ୍ଧଜନିତ କ୍ଷୟକ୍ଷତିକୁ ସୀମତି କରି ପ୍ରତିପକ୍ଷ ଉପରେ ନିଶ୍ଚିତ ବିଜୟ ହାସଲ କରିବାରେ ଗୁପ୍ତଚର ବୃତ୍ତିର ଅତୀବ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ବିଶଦ ଆଲୋନନା କରିଛନ୍ତି। ତାଙ୍କ ମତରେ ଏହା ମାଧୢମରେ ଶତ୍ରୁ ସମ୍ବନ୍ଧରେ ପୂର୍ବଜ୍ଞାନ ଆହରଣ କରାଯାଇଥାଏ, ଯାହାକୁ ବ୍ୟବହାର କରି ଯୁଦ୍ଧରେ ଶତ୍ରୁକୁ ଅକ୍ଳେଶରେ ପରାହତ କରାଯାଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ୨୦୧୭ରେ ଚୀନ୍ରେ ବଳବତ୍ତର ହୋଇଥିବା ଗୁପ୍ତଚର ଆଇନ୍ ‘ନେସନାଲ ଇଣ୍ଟେଲିଜେନ୍୍ସ ଲ’ର ଧାରା-୭ରେ ନିର୍ଦ୍ଦେଶ ଦିଆଯାଇଛି: ‘‘ଯେ କୌଣସି ସ˚ଗଠନ କିମ୍ବା ନାଗରିକ ରାଷ୍ଟ୍ରର ଗୁପ୍ତ ତଥ୍ୟ ସ˚ଗ୍ରହ କାର୍ଯ୍ୟକୁ ସାହାଯ୍ୟ ସମର୍ଥନ ଓ ସହଯୋଗ ପ୍ରଦାନ କରିବେ।’’ ଏହି ପୃଷ୍ଠଭୂମିରେ ଚୀନା ଟେଲିକମ୍ କମ୍ପାନି ‘ହୁଵାେଵ’କୁ କୌଣସି ଆମେରିକା- ନିର୍ମିତ ସଫ୍ଟେଵଆର୍ କିମ୍ବା ଉପକରଣ ଯୋଗାଇଲେ ସମ୍ପୃକ୍ତ ଭାରତୀୟ କମ୍ପାନିକୁ ଆମେରିକା ସରକାର ଶାସ୍ତି ପ୍ରଦାନ କରିବେ ବୋଲି ମଇ ୨୭ରେ ଭାରତର ବୈଦେଶିକ ବ୍ୟାପାର ବିଭାଗକୁ ଆମେରିକା ସରକାର ଲେଖିଥିବା ପତ୍ର ପଛରେ ଥିବା ଆମେରିକାର ଚିନ୍ତା ବୁଝିବା କଷ୍ଟକର ନୁହେଁ।
ଆମେରିକାର ଟ୍ରମ୍ପ୍ ପ୍ରଶାସନର ବଦ୍ଧମୂଳ ଧାରଣା ଯେ ପୃଥିବୀର ବିଭିନ୍ନ ଦେଶରେ ୫-ଜି ସେଲୁଲାର୍ ନେଟ୍ଵାର୍କ ସ୍ଥାପନ ପାଇଁ ଆବଶ୍ୟକ ଉପକରଣ ଯୋଗାଣରେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ଯାଉଥିବା ଚୀନା କମ୍ପାନି ‘ହୁଵାେଵ’ ସେ ଦେଶରେ ବଳବତ୍ତର ଥିବା ଉପରୋକ୍ତ ଆଇନ ଯୋଗୁଁ ଚୀନା ସେନାବାହିନୀ ଓ ସରକାର ପାଇଁ ଏହି ସବୁ ଉପକରଣ ମାଧୢମରେ ସମ୍ପୃକ୍ତ ଦେଶମାନଙ୍କରୁ ଗୁରୁତ୍ବପୂର୍ଣ୍ଣ ଗୋପନୀୟ ତଥ୍ୟମାନ ସ˚ଗ୍ରହ କରିବା ନିଶ୍ଚିତ। ଟ୍ରମ୍ପ୍ ସରକାର ଏଥିପାଇଁ କେବଳ ନିଜ ଦେଶରେ କମ୍ପାନିମାନଙ୍କୁ ‘ହୁଵାେଵ’ ସହିତ ବ୍ୟବସାୟ କାରବାର ନ କରିବାକୁ ନିର୍ଦ୍ଦେଶ ଦେଇଛି, ତାହା ନୁହେଁ, ଆମେରିକୀୟ କମ୍ପାନିମାନଙ୍କ ସହିତ ବୈଷୟିକ ଓ ବାଣିଜ୍ୟିକ ସମ୍ପର୍କ ଥିବା ଭାରତ ଭଳି ପୃଥିବୀର ଅନ୍ୟ ଦେଶମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଚେତାବନୀ ଦେଇଛି।
ନିଃସନ୍ଦେହରେ ୫-ଜିର ପ୍ରଚଳନ ପରେ ସେଲୁଲାର୍ ନେଟ୍ଵାର୍କ ସବୁର ବେଗ ୪-ଜି ଠାରୁ ପ୍ରାୟ ୨୦ ଗୁଣ ଅଧିକ ଏବ˚ ‘ଲାଟେନ୍ସି’ ବା ଡେଟା ଆଦାନପ୍ରଦାନ ପାଇଁ ଆବଶ୍ୟକ ସମୟରେ ତୀକ୍ଷଣ ସ˚କୋଚନ ଘଟିବା ଫଳରେ ଏକ ବିଶାଳ ପ୍ରାବିଧିକ ବିପ୍ଳବ ଘଟିବାକୁ ଯାଉଛି। ଏହା ପରେ ବସ୍ତୁତଃ ମାଇକ୍ରୋଚିପ୍ ଖଞ୍ଜା ଯାଇଥିବା ପ୍ରତ୍ୟେକ ଜିନିଷ ଏକ ବେତାର ନେଟ୍ଵାର୍କ ସହିତ ଘନିଷ୍ଠ ରୂପେ ସ˚ଯୁକ୍ତ ହୋଇଯିବ। କାରଖାନାରୁ ଶକ୍ତି ଉତ୍ପାଦନ କେନ୍ଦ୍ର ପର୍ଯ୍ୟନ୍ତ, ଏଆର୍ପୋର୍ଟରୁ ହସ୍ପିଟାଲ ପର୍ଯ୍ୟନ୍ତ ଏବ˚ ଗବେଷଣାଗାରରୁ ସରକାରୀ କାର୍ଯ୍ୟାଳୟମାନଙ୍କ ପର୍ଯ୍ୟନ୍ତ ୫-ଜି ନେଟ୍ଵାର୍କ ଦ୍ବାରା ପରସ୍ପର ସହିତ ଛନ୍ଦି ହୋଇଯିବେ। ଯଦି ଏହି ୫-ଜି ଭିତ୍ତିଭୂମି କେବେ ଏକ ବ୍ୟାପକ ଆକ୍ରମଣର ସମ୍ମୁଖୀନ ହୁଏ ତେବେ ସମ୍ପୃକ୍ତ ସମାଜ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିବା ଅନିବାର୍ଯ୍ୟ।
ରେନ୍ ଝେଙ୍ଗ୍ଫେଇ ନାମକ ଜଣେ ପୂର୍ବତନ ଚୀନା ସେନାବାହିନୀ ଇଞ୍ଜିନିଅର୍ଙ୍କ ଦ୍ବାରା ପ୍ରତିଷ୍ଠିତ ହୁଵାେଵ ବିରୁଦ୍ଧରେ ଅଭିଯୋଗ ହୋଇଥାଏ ଯେ ଏହି କମ୍ପାନି ଯୋଗାଉଥିବା ଟେଲିକମ୍ ହାର୍ଡେଵଆର୍ ଓ ସଫ୍ଟେଵଆରରେ ଜାଣିଶୁଣି କେତେକ ଗୁପ୍ତ ବାଟ ବା ‘ବ୍ୟାକ୍ଡୋର୍’ ଛାଡ଼ି ଦିଆଯାଇ ଥାଏ, ଯାହା ମାଧୢମରେ ଗୋପନରେ ସ୍ଥାନୀୟ ତଥ୍ୟ ସ˚ଗ୍ରହ କରାଯାଇପାରିବ ଏବଂ ନେଟ୍ୱାର୍କ୍ ହ୍ୟାକିଂ କରି ଜଖମ କିମ୍ବା ଅଚଳ କରି ଦେଇ ହେବ। ଏକ ଉଦାହରଣ ସ୍ବରୂପ ୨୦୧୮ରେ ପ୍ରମୁଖ ଫରାସୀ ସମ୍ବାଦପତ୍ର ‘ଲେ ମଣ୍ତେ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଏହି ଭଳି ବ୍ୟାକ୍ଡୋର୍ ମାଧୢମରେ ଇଥିଓପିଆର ଆଡିସ୍ ଆବାବାସ୍ଥିତ ଆଫ୍ରିକାନ୍ ୟୁନିଅନ୍ର ମୁଖ୍ୟ କାର୍ଯ୍ୟାଳୟର ଆଇଟି ସିଷ୍ଟମ୍କୁ ହ୍ୟାକିଙ୍ଗ କରାଯାଇଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା ସେଠାକାର ଆଇଟି ସିିଷ୍ଟମ ଚୀନା ସରକାରଙ୍କ ଠାରୁ ଆଫ୍ରିକାନ୍ ୟୁନିଅନ୍ ଉପହାର ସୂତ୍ରରେ ପାଇଥିଲା। ଉଭୟ ହୁଵାେଵ ଓ ଚୀନା ସରକାର ସଫେଇ ଦେଇଥିଲେ ଯେ ସେମାନେ ଏ ହ୍ୟାକିଙ୍ଗ୍ରେ ସମ୍ପୃକ୍ତ ନୁହନ୍ତି।
ହୁଵାେଵର ମାଲିକ ରେନ୍ ଘୋଷଣା କରିଛନ୍ତି ଯେ ହୁଵାେଵର ଉପକରଣମାନରେ ‘ବ୍ୟାକ୍ଡୋର୍’ ଖଞ୍ଜିବା ଅପେକ୍ଷା ସେ ବର˚ ତାଙ୍କ କମ୍ପାନିକୁ ବନ୍ଦ କରିଦେବାକୁ ପସନ୍ଦ କରିବେ। ଆମେରିକା ଅବଶ୍ୟ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ କୌଣସି ହୁଵାେଵ ଉପକରଣରେ ଉପରୋକ୍ତ ସୁଚିନ୍ତିତ ଦୁର୍ବଳତା ରହିଥିବା ପ୍ରମାଣ କରିପାରିନାହିଁ। କିନ୍ତୁ ତା ଅର୍ଥ ନୁହେଁ ଯେ ହୁଵାେଵ ଉପକରଣ ବ୍ୟବହାର କରିବା ସମ୍ପୃକ୍ତ ଦେଶ ପାଇଁ ସମ୍ପୂର୍ଣ୍ଣ ନିରାପଦ। ଅସଲ କଥା ହେଲା ଚୀନା ସରକାର ଯେତେବେଳେ ଚାହିଁବ, ‘ହୁଵାେଵ’କୁ ସରକାରୀ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ବାଧୢ କରିପାରିବ। ଆଇନ ଅନୁସାରେ ପ୍ରତ୍ୟେକ ଚୀନା କମ୍ପାନି ଏକ ଆଭ୍ୟନ୍ତରୀଣ ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) କାର୍ଯ୍ୟାଳୟ ବା ‘ସେଲ୍’ ପ୍ରତିଷ୍ଠା କରି ସକ୍ରିୟ ରଖିବା ପାଇଁ ବାଧୢ। କମ୍ପାନିର କର୍ମଚାରୀ ଛଦ୍ମ ବେଶରେ ‘ସିସିପି’ କର୍ମକର୍ତ୍ତାମାନେ ସେଠାରେ କାର୍ଯ୍ୟ କରି କମ୍ପାନିର ଗତିବିଧି ଉପରେ ନଜର ରଖିଥାନ୍ତି। ଯଦି ‘ସିସିପି’ ‘ହୁଵାେଵ’କୁ କିଛି କରିବାକୁ ନିର୍ଦ୍ଦେଶ ଦିଏ, ତାହା ଅମାନ୍ୟ କରିବାକୁ ‘ହୁଵାେଵ’ର କ୍ଷମତା ବା ସାହସ ନାହିଁ।
‘ହୁଵାେଵ’ ୫-ଜି ଉପକରଣ ଯୋଗାଇବା ପାଇଁ ୪୦ଟି ଆନ୍ତର୍ଜାତିକ କ୍ୟାରିଅର୍ମାନଙ୍କ ସହିତ ଚୁକ୍ତି କରିସାରିଲାଣି ଏବ˚ ପ୍ରାୟ ୭୦,୦୦୦ରୁ ଅଧିକ ସ˚ଖ୍ୟକ ୫-ଜି ବେସ୍ ଷ୍ଟେସନ୍ ବିଭିନ୍ନ ଦେଶକୁ ପଠାଇ ସାରିଲାଣି। ଏହାର ଉପକରଣ ଅପେକ୍ଷାକୃତ ଶସ୍ତା ହୋଇଥିବାରୁ ଏହାର ଆନ୍ତର୍ଜାତିକ ଚାହିଦା ବେଶ୍ ଉଚ୍ଚା ହୋଇଛି। ଆମେରିକା କିନ୍ତୁ ହୁଵାେଵ ୫-ଜିର ଏହି ଜୟଯାତ୍ରା ରୋକିବା ପାଇଁ କିମ୍ବା ସେଥିରେ ବ୍ରେକ୍ ଲଗାଇବା ପାଇଁ ବଦ୍ଧପରିକର। ଭାରତ ଅନତି ବିଳମ୍ବେ ୫-ଜି ନେଟ୍ଵାର୍କ ସ୍ଥାପନ କରିବାକୁ ଯାଉଛି ବୋଲି ଭାରତ ସରକାର ଘୋଷଣା କରିଛନ୍ତି। ଆମେରିକା ଠାରୁ ମିଳିଥିବା ପତ୍ର ପରିପ୍ରେକ୍ଷୀରେ ଜାତୀୟ ନିରାପତ୍ତା ବିପନ୍ନ ନ କରି, ତଥା ଆମେରିକାର ବିଷ ଦୃଷ୍ଟିରେ ନ ପଡ଼ି ଭାରତକୁ ଏହି ଜଟିଳ ପ୍ରସଙ୍ଗରେ ଯେ ଅତ୍ୟନ୍ତ ସାବଧାନତା ସହ ଅଗ୍ରସର ହେବାକୁ ପଡ଼ିବ ସେଥିରେ କେହି ଦ୍ବିମତ ହେବେ ନାହିଁ। ଏହା ମଧୢ ଏକ ‘ଯୁଦ୍ଧ କଳା’ ଠାରୁ କୌଣସି ଗୁଣରେ କମ୍ ନୁହେଁ।