‘ଗୋଟିଏ’ ନିର୍ବାଚନର ଦ୍ବନ୍ଦ୍ବ

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’। ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆହୂତ ସର୍ବଦଳୀୟ ବୈଠକ ନିଶ୍ଚୟ ଏକ ଅର୍ଥପୂର୍ଣ୍ଣ କସରତ ଥିଲା। ୧୯୯୯ରେ ଆଇନ କମିସନ ପ୍ରଥମେ ଉଭୟ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ଲାଗି ପ୍ରସ୍ତାବ ଦେଇଥିଲେ। ବିଗତ କୋଡ଼ିଏ ବର୍ଷ ଧରି ଏ ପ୍ରସଙ୍ଗ ଉପରେ ଚାଲି ଆସୁଥିବା ବିତର୍କକୁ ବୁଧବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ଏକ ନୂଆ ମୋଡ଼ ଦେଇଛି। ପୂର୍ବରୁ ଗତ ୧୫ ତାରିଖ ନୀତି ଆୟୋଗ ବୈଠକ ସମେତ, ଅନେକ ମଞ୍ଚରେ ଏ ପ୍ରସଙ୍ଗ ଉଠିଛି ଓ ବିଚାରବିମର୍ଶ ହୋଇଛି। କିନ୍ତୁ ନିର୍ଦ୍ଦଷ୍ଟ ଭାବେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’କୁ ଆଲୋଚନା ସୂଚୀରେ ରଖି ସ˚ସଦରେ ପ୍ରତିନିଧି ଥିବା ସବୁ ଦଳଙ୍କ ସହ ପରାମର୍ଶ ଲାଗି ସର୍ବଦଳୀୟ ବୈଠକର ଆହ୍ବାନ, ପ୍ରସଙ୍ଗ ପଛରେ ସରକାରୀ ପକ୍ଷର ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ସୂଚନା ଦେଉଛି।

ଏହା ସତ୍ତ୍ବେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ ବୁଧବାର ବୈଠକରୁ ବିଶେଷ ଅଗ୍ରଗତିର ସ˚କେତ ମିଳୁନାହିଁ। କୋଡ଼ିଏ ବର୍ଷ ତଳେ ଏ ପ୍ରସଙ୍ଗରେ ଦ୍ବନ୍ଦ୍ବ ଯେମିତି ଥିଲା, ବୈଠକ ପରେ ମଧୢ ଦ୍ବନ୍ଦ୍ବ ସେମିତି ଅପରିବର୍ତ୍ତିତ ରହିଛି। କେବଳ ଆଉ ଏକ କମିଟି ଗଠନରେ ସର୍ବଦଳୀୟ ବୈଠକର କସରତ ସୀମିତ ରହିଛି। ଏକକାଳୀନ ଲୋକସଭା ଓ ସବୁ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ବାସ୍ତବଧର୍ମୀ ନକ୍ସା ପ୍ରସ୍ତୁତ ଲାଗି ଏହି କମିଟି କାର୍ଯ୍ୟ କରିବେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ଉଦ୍ଦେଶ୍ୟ ମହତ୍‌। ଏହାଦ୍ବାରା ନିର୍ବାଚନରେ ସମୟ ଓ ସମ୍ବଳର ଅପଚୟକୁ ନିୟନ୍ତ୍ରିତ କରାଯାଇ ପାରିବ। ପ୍ରାୟ ବର୍ଷ ସାରା ତୁହାକୁ ତୁହା ନିର୍ବାଚନର ଚକ୍ର ଚାଲିଥିବାରୁ ବାର୍ଷିକ ଅନ୍ତତଃ ୨୦୦ ଦିନ ନିର୍ବାଚନ ଆଚରଣ ବିଧିର କଟକଣା ଯୋଗୁ ସ୍ବାଭାବିକ ପ୍ରଶାସନ ଓ ବିକାଶ ପ୍ରକ୍ରିୟା ପ୍ରଭାବିତ ହେଉଛି। ନିର୍ବାଚନ ବାବଦ ଖର୍ଚ୍ଚ ଯୋଗୁ ଉଭୟ ସରକାରୀ ଓ ବେସରକାରୀ ସମ୍ବଳର ଅପଚୟ ହେଉଛି। ତେବେ ପ୍ରଶ୍ନ ଉଠୁଛି, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସ˚ଘୀୟ ଭାବନା ସହ ସାଲିସ ନ କରି କ’ଣ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ସମ୍ଭବ? ଏ ପ୍ରଶ୍ନ ଉପରେ ପରସ୍ପର ବିରୋଧାତ୍ମକ ମତ ଯୋଗୁ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ସହମତି ହୋଇ ପାରୁନାହିଁ। ପୂର୍ବରୁ ଆଇନ କମିସନ ଓ ନୀତି ଆୟୋଗ ଏକକାଳୀନ ନିର୍ବାଚନ ପ୍ରସ୍ତାବ କାର୍ଯ୍ୟକାରୀ କରିବା ଲାଗି ଏକ ବିଶଦ ଖସଡ଼ା ପ୍ରସ୍ତୁତ କରିଥିଲେ। ସମ୍ବିଧାନର କେତେକ ଧାରାରେ ସ˚ଶୋଧନ ସହ ଏକକାଳୀନ ନିର୍ବାଚନ ସମ୍ଭବ ବୋଲି ଦର୍ଶାଇଥିଲେ। ତେବେ, ନୂଆ ପଦ୍ଧତିରେ ସ˚ସଦୀୟ ଗଣତନ୍ତ୍ରର ପବିତ୍ରତା ଓ ଶୁଦ୍ଧତା ରକ୍ଷା ନିଶ୍ଚିତ କରାଯାଇ ପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ କରି ଏହାର ବିରୋଧ ହେଉଛି।

ଏହି ବିରୋଧ ସର୍ବଦଳୀୟ ବୈଠକରେ ମଧୢ ବେଶ୍‌ ପ୍ରତିଫଳିତ ହୋଇଥିଲା। ଲୋକସଭା ଓ ରାଜ୍ୟସଭାରେ ଜଣେ ବି ସଦସ୍ୟ ଥିବା ଦଳମାନଙ୍କ ମୁଖ୍ୟଙ୍କୁ ସର୍ବଦଳୀୟ ବୈଠକକୁ ନିମନ୍ତ୍ରଣ କରାଯାଇ ଥିଲା। ଏହି ମାପକାଠିରେ ବୈଠକରେ ୪୦ଟି ଦଳର ମୁଖ୍ୟ ଯୋଗ ଦେବା କଥା। କିନ୍ତୁ ବୈଠକରେ ୨୧ଟି ଦଳର ମୁଖ୍ୟମାନେ ଯୋଗ ଦେଇଥିଲେ। ଅନ୍ୟ ତିନିଟି ଦଳର ମୁଖ୍ୟମାନେ ବୈଠକରେ ଯୋଗ ଦେଇ ନଥିଲେ ସୁଦ୍ଧା ପ୍ରତିନିଧିଙ୍କ ଜରିଆରେ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଅନ୍ୟପକ୍ଷରେ ସ˚ସଦରେ ସର୍ବବୃହତ୍‌ ବିରୋଧୀ ଦଳ କ˚ଗ୍ରେସ ସମେତ ୧୪ ଟି ରାଜନୈତିକ ଦଳ ବୈଠକ ବର୍ଜନ କରିଥିଲେ। ଏମାନଙ୍କ ମଧୢରେ ଅଧିକା˚ଶ ଥିଲେ ଆଞ୍ଚଳିକ ଦଳ। ଦୁଇ ବାମପନ୍ଥୀ ଦଳ ସିପିଆଇ ଓ ସିିପିଏମ୍‌ ବୈଠକରେ ଯୋଗ ଦେଇଥିଲେ ମଧୢ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସ୍ତାବର କଡ଼ା ପ୍ରତିବାଦ କରିଥିଲେ। ଜମ୍ମୁ କଶ୍ମୀରର ପିଡ଼ିପି ଓ ଏନ୍‌ସି ମଧୢ ଯୋଗ ଦେଇ ଏହାର ବିରୋଧ କରିଥିଲେ। ଏହାର ସ୍ପଷ୍ଟ ଅର୍ଥ ଯେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସଙ୍ଗ ସହମତି ଠାରୁ ବହୁ ଦୂରରେ। ତେବେ ସହମତି ଏକାନ୍ତ ଜରୁରୀ ଏଥିପାଇଁ ଯେ, ଏକକାଳୀନ ନିର୍ବାଚନ ପ୍ରସଙ୍ଗକୁ କାର୍ଯ୍ୟକାରୀ କରିବା ଲାଗି ସମ୍ବିଧାନ ସ˚ଶୋଧନ ସକାଶେ ସ˚ସଦର ଉଭୟ ଗୃହରେ ଦୁଇ ତୃତୀୟା˚ଶ ବହୁମତ ଆବଶ୍ୟକ। ଯାହା ସରକାରୀ ମେଣ୍ଟ ଓ ପ୍ରସ୍ତାବକୁ ସମର୍ଥନ କରୁଥିବା ଅନ୍ୟ ଦଳମାନଙ୍କ ପାଖରେ ନାହିଁ।

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ ବିରୋଧୀ ଦଳଙ୍କ ଆଶଙ୍କା ଓ ପ୍ରତିବାଦ ଅପ୍ରତ୍ୟାଶିତ କି ଅଯୌକ୍ତିକ ନୁହେଁ। ସ˚ସଦରେ ଗୋଟିଏ ଦଳ କିମ୍ବା ମେଣ୍ଟର ସ˚ଖ୍ୟାଗରିଷ୍ଠତା ଯୋଗୁ କେନ୍ଦ୍ରରେ ହୁଏତ ବିଗତ ଦୁଇ ଦଶକ ହେଲା ରାଜନୈତିକ ସ୍ଥିରତା ଆସି ଥାଇପାରେ। କିନ୍ତୁ ୧୯୯୬ରୁ ୧୯୯୯ ମଧୢରେ ଦେଖା ଯାଇଥିବା ଅସ୍ଥିରତାର ପୁନରାବୃତ୍ତିର ସମ୍ଭାବନାକୁ ଅସ୍ବୀକାର କରାଯାଇ ନ ପାରେ। ମେଣ୍ଟ ରାଜନୀତିର ଯୁଗରେ ଏ ପ୍ରକାର ସମ୍ଭାବନା ସବୁ ବେଳେ ରହିବ। ତେବେ, ସେ ପ୍ରକାର ସ୍ଥିତିରେ ସ˚ସଦ ଭଙ୍ଗ ହେଲେ ସବୁ ଥର କ’ଣ ଲୋକସଭା ସହ ବିଧାନସଭାଗୁଡ଼ିକର ମଧୢ ନିର୍ବାଚନ ହେବ? ସେହିଭଳି ଏତେଗୁଡ଼ିଏ ରାଜ୍ୟ ମଧୢରୁ ଗୋଟିଏ ରାଜ୍ୟରେ ରାଜନୈତିକ ଅସ୍ଥିରତା ଯୋଗୁ ଯଦି ବିଧାନସଭା ଭାଙ୍ଗେ, ତେବେ କ’ଣ ସାରା ଦେଶରେ ସାନି ନିର୍ବାଚନ ହେବ? ଅବଶ୍ୟ, ଏ ପ୍ରକାର ପରିସ୍ଥିତି ଓ ଅନିର୍ଧାରିତ ନିର୍ବାଚନ ଏଡ଼ାଇବା ଲାଗି ନୀତି ଆୟୋଗ ଓ ଆଇନ କମିସନ କିଛି ନିର୍ଦ୍ଦିଷ୍ଟ ବିକଳ୍ପ ପନ୍ଥାର ପ୍ରସ୍ତାବ ଦେଇଛନ୍ତି। ସେଥିରେ ପରୋକ୍ଷରେ ବିଧାନସଭାଗୁଡ଼ିକ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ଧାର୍ଯ୍ୟ କରାଯାଇଛି। ଯାହା ଦ୍ବାରା, ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ ହେବ ନାହିଁ। ଏ ପ୍ରକାର ସ୍ଥିତିରେ ସ˚ଖ୍ୟାଗରିଷ୍ଠତା ହରାଇବା ସତ୍ତ୍ବେ ସରକାର ମାନେ କ୍ଷମତାରେ ରହିବେ, କିମ୍ବା ସେଠାରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଜାରି ହେବ। ସ˚ସଦୀୟ ଗଣତନ୍ତ୍ରର ଏହା କ’ଣ ଅନୁକୂଳ? ପୁଣି ଆଉ ଗୋଟିଏ ଆଶଙ୍କା ଯେ, ରାଜ୍ୟର ପ୍ରତିଦ୍ବନ୍ଦ୍ବୀ ଦଳର ସରକାରଙ୍କ ବିରୋଧରେ ସମ୍ବିଧାନର ୩୫୬ ଧାରାର ଅପବ୍ୟବହାର ଲାଗି ନୂଆ ବ୍ୟବସ୍ଥା କେନ୍ଦ୍ରର କ୍ଷମତାସୀନ ଦଳକୁ ଅଧିକ ସୁଯୋଗ ଦେବ। ଏମିତି ବି ଏହି ଧାରାର ବାରମ୍ବାର ଅପପ୍ରୟୋଗ ହୋଇ ଆସୁଛି। ଏହା ବ୍ୟତୀତ ଗୋଟିଏ ସମୟରେ ଏକକାଳୀନ ଜାତୀୟ ଓ ପ୍ରାଦେଶିକ ନିର୍ବାଚନ ସମ୍ବିଧାନ ପ୍ରଦତ୍ତ ରାଜ୍ୟ ଗୁଡ଼ିକର ସ୍ବାତନ୍ତ୍ର୍ୟ କ୍ଷୁଣ୍ଣ ହୋଇପାରେ; ଯାହା ସ˚ଘୀୟ ଭାବନାର ପ୍ରତିକୂଳ। ବିରୋଧୀଙ୍କ ଏହି ଆଶଙ୍କା ପରିପ୍ରେକ୍ଷୀରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ ସହମତି ଅନେକ ବିଳମ୍ବିତ ହେବା ଆଶଙ୍କା ରହିଛି। ଏ ବିଷୟରେ ପ୍ରଧାନମନ୍ତ୍ରୀ ମଧୢ ଅବଗତ। ସେଥିପାଇଁ ସେ ଆଦୌ ତରତର ହେଉ ନାହାନ୍ତି। ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ସେ ୨୦୨୪ କିମ୍ବା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ବି ରଖି ନାହାନ୍ତି। ପ୍ରସ୍ତାବକୁ ବିରୋଧ ପାଇଁ ସେ ବିରୋଧୀ ଦଳକୁ ସମାଲୋଚନା ମଧୢ କରୁ ନାହାନ୍ତି। ଏହା ବିଚାରବିମର୍ଶ ପ୍ରକ୍ରିୟାକୁ ଆଗେଇ ନେବା ଲାଗି ବାଟକୁ ଖୋଲା ରଖୁଛି।

ତେବେ ଏକକାଳୀନ ନିର୍ବାଚନ ଲାଗି ସହମତି ସୃଷ୍ଟି ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହାର ମୌଳିକ ଉଦ୍ଦେଶ୍ୟ ସାଧନ ଲାଗି ମୋଦୀ ସରକାର ମଧୢବର୍ତ୍ତୀକାଳୀନ ବ୍ୟବସ୍ଥା ସ୍ବରୂପ କିଛି ବିକଳ୍ପ ପ୍ରସ୍ତାବ ଉପରେ ବିଚାର କରିପାରନ୍ତି। ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ମୂଳ ଉଦ୍ଦେଶ୍ୟ କ’ଣ? ନିର୍ବାଚନ ଆଳରେ ସମୟ ଓ ସମ୍ବଳର ଅଯଥା ଅପଚୟକୁ ରୋକିବା। ଏହାର ଅର୍ଥ ଖର୍ଚ୍ଚ ହ୍ରାସ ଓ ନିର୍ବାଚନ ପ୍ରକ୍ରିୟାରେ ଅବଧିର ଯଥା ସମ୍ଭବ ସ˚କୋଚନ। ଏ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନ ଏସ୍‌ଵାଇ କ୍ୟୁରେସିଙ୍କ ଦୁଇଟି ପ୍ରସ୍ତାବ ଉପରେ ବିଚାର କରାଯାଇପାରେ। ନିର୍ବାଚନ ଖର୍ଚ୍ଚ ହ୍ରାସ ପାଇଁ, ପ୍ରାର୍ଥୀ ମାନଙ୍କ ଖର୍ଚ୍ଚର ସୀମା ଭଳି ରାଜନୈତିକ ଦଳଙ୍କ ନିର୍ବାଚନ ଖର୍ଚ୍ଚ ଉପରେ ସୀମା ଧାର୍ଯ୍ୟ ହେଉ। ପ୍ରଚଳିତ ବ୍ୟବସ୍ଥାରେ ଦଳମାନଙ୍କ ନିର୍ବାଚନ ଖର୍ଚ୍ଚ ଉପରେ କୌଣସି ସୀମା ନାହିଁ। ଦେଶରେ ନିର୍ବାଚନ ଅଧିକରୁ ଅଧିକ ବ୍ୟୟବହୁଳ ହେଉଥିବାର ଏହା ମୁଖ୍ୟ କାରଣ। ଏହା ଅନେକ ଅସାଧୁ କାରବାରକୁ ପ୍ରଶ୍ରୟ ଓ ପ୍ରୋତ୍ସାହନ ଦେଉଛି। କ୍ୟୁରେସିଙ୍କ ଦ୍ବିତୀୟ ପ୍ରସ୍ତାବ, ଲୋକସଭା ହେଉ କି ବିଧାନସଭା, ପୂରା ନିର୍ବାଚନ ପ୍ରକ୍ରିୟାରୁ ୩୦ରୁ ୩୫ ଦିନ ମଧୢରେ ସୀମିତ ରଖାଯାଉ। ଏହାଦ୍ବାରା ବିକାଶ ଓ ପ୍ରଶାସନ ଉପରେ ନିର୍ବାଚନ ଆଚରଣ ବିଧିର ପ୍ରଭାବ ସର୍ବନିମ୍ନ ରହିବ। ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ହେଉଛି ଏକ ବଡ଼ ଲକ୍ଷ୍ୟ। କିନ୍ତୁ ତା ପୂର୍ବରୁ ନିର୍ବାଚନ ଖର୍ଚ୍ଚ ଓ ସମୟ ହ୍ରାସ ଭଳି ଛୋଟଛୋଟ ସ˚ସ୍କାରଧର୍ମୀ ପଦକ୍ଷେପ ନିଆଯିବା ଦରକାର, ଯାହା ନିର୍ବାଚନର ବିଶାଳ ବୋଝକୁ ହାଲୁକା କରିବା ଲାଗି ଅଧିକ ସହାୟକ ହେବ।

ସମ୍ବନ୍ଧିତ ଖବର