ଲଣ୍ତା ମେଣ୍ଢା

ବିବାଦ କେବେ ହେଲେ, ମୁକ୍ତ-ଚିନ୍ତିକା, ନାରୀବାଦୀ, ପୁରସ୍କାର-ବିଜୟିନୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନା ଲେଖିକା ତସ୍‌ଲିମା ନସ୍‌ରିନ୍‌ଙ୍କର ପିଛା ଛାଡ଼ି ନ ଥାଏ; କିମ୍ବା ସେ କେବେ ବିବାଦର ପିଛା ଛାଡ଼ି ନଥାନ୍ତି। ତେଣୁ ତସ୍‌ଲିମାଙ୍କର କେତେକ ଟ୍ବିଟ୍‌କୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ସଦ୍ୟତମ ବିବାଦର ଝଡ଼ କାହାରିକୁ ଆଶ୍ଚର୍ଯ୍ୟ କରିନଥିବ। ତେବେ ଯେଉଁ ପ୍ରସଙ୍ଗକୁ ନେଇ ବର୍ତ୍ତମାନର ବିବାଦ ସୃଷ୍ଟି ହୋଇଛି, ଅନେକଙ୍କୁ ତାହା ଅଧିକ ଚିନ୍ତା କରିବାକୁ ନିଶ୍ଚିତ ରୂପେ ଖୋରାକ ଯୋଗାଇଥିବ।

ତସ୍‌ଲିମା ତାଙ୍କର ମୂଳ ଶିକ୍ଷା ଓ ବୃତ୍ତି ଅନୁସାରେ ହେଉଛନ୍ତି ଜଣେ ଡାକ୍ତର। ଜୁନ୍‌ ୧୮ରେ ସେ ଏକ ଟ୍ବିଟ୍‌ କଲେ: ‘‘ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ ଭଳି ଜେନେଟିକ୍‌ ରୋଗ ଭୋଗୁଥିବା ଖରାପ ଜିନ୍‌ ବହନ କରୁଥିବା ପୁରୁଷ ଓ ନାରୀମାନେ ସନ୍ତାନ ଜନ୍ମ କରିବା ଉଚିତ୍‌ ନୁହେଁ। ଅନ୍ୟମାନଙ୍କୁ ଯନ୍ତ୍ରଣା ଭୋଗେଇବା ପାଇଁ ସେମାନଙ୍କର କୌଣସି ଅଧିକାର ନାହିଁ।’’ ନିଜର ଯୁକ୍ତିକୁ ବଳିଷ୍ଠ କରିବା ପାଇଁ ନିଜକୁ ଏକ ଉଦାହରଣ ରୂପେ ବ୍ୟବହାର କରି ସେ ପୁଣି ଟ୍ବିଟ୍‌ କରିଛନ୍ତି: ‘‘ମୁଁ ଖାଦ୍ୟ ଭଲ ପାଏ। ମୁଁ ମାଛ, ମା˚ସ ଏବ˚ ମିଠା ଭଲ ପାଏ। କିନ୍ତୁ ଅକାଳ ମୃତ୍ୟୁ ସମ୍ଭାବନା ଏଡ଼ାଇବା ପାଇଁ ମୁଁ ଜଣେ କୃଚ୍ଛ୍ର ଶାକାହାରୀ (ଭେଗାନ୍‌) ହେବାକୁ ବାଧୢ ହୋଇଛି। ମୋର ପିତାମାତାଙ୍କ ଠାରୁ ମୁଁ ଖରାପ ଜିନ୍‌ମାନ ପାଇଛି’’।

ତାଙ୍କର ଉଦାରପନ୍ଥୀ ମତବାଦ ପାଇଁ ଇସ୍‌ଲାମୀୟ ମୌଳବାଦୀମାନଙ୍କର ହତ୍ୟା ଧମକରୁ ରକ୍ଷା ପାଇବା ପାଇଁ ନିଜ ଦେଶ ବା˚ଲାଦେଶ ଛାଡ଼ି ଭାରତରୁ ଇଉରୋପ୍‌ ପର୍ଯ୍ୟନ୍ତ ନିରାପଦ ଆଶ୍ରୟ ଖୋଜି ବୁଲୁଥିବା ତସ୍‌ଲିମା ଜଣେ ଛାମୁଆଁ ମାନବାଧିକାରବାଦୀ ରୂପେ ଆନ୍ତର୍ଜାତିକ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କର ପୃଥିବୀ ବ୍ୟାପୀ ଅସ˚ଖ୍ୟ ପ୍ରଶ˚ସକ ରହିଛନ୍ତି। ଏବେ କିନ୍ତୁ ତାଙ୍କର ଏହି ଟ୍ବିଟ୍‌ ପରେ ତାଙ୍କର ଅନେକ ପ୍ରଶ˚ସକ ସ୍ତବ୍ଧ ହୋଇଯାଇ ହଠାତ୍‌ ସମାଲୋଚକରେ ପରିଣତ ହୋଇ ତସ୍‌ଲିମାଙ୍କୁ ପ୍ରଶ୍ନ କରିବାକୁ ଆରମ୍ଭ କଲେଣି ଯେ ତାଙ୍କର ମାନବାଧିକାର ସମ୍ବନ୍ଧରେ ଥିବା ଧାରଣା ମାନ ସବୁ ମଣିଷଙ୍କ ପ୍ରତି ଉଦ୍ଦିଷ୍ଟ ନୁହେଁ, କେବଳ ତାଙ୍କ ବିଚାରରେ ଯେଉଁ ମଣିଷମାନେ ପ୍ରଜନନ କରିବା ପାଇଁ ଉପଯୁକ୍ତ, ସେଇମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ।
ଏ ଯେଉଁ ପ୍ରକାର ଚିନ୍ତାଧାରା ପାଇଁ ତସ୍‌ଲିମାଙ୍କର ଏଭଳି ଅନେକ ମିତ୍ର ହଠାତ୍‌ ତାଙ୍କର ଶତ୍ରୁରେ ପରିଣତ ହୋଇଯାଇଛନ୍ତି, ସେ ଚିନ୍ତାଧାରା ପ୍ରକାଶ କରିବାରେ ତସ୍‌ଲିମା ଇତିହାସରେ ପ୍ରଥମ ଗୁରୁତ୍ବପୂର୍ଣ୍ଣ ଚରିତ୍ର ନୁହଁନ୍ତି। ପ୍ରାଚୀନ ଗ୍ରୀକ୍‌ ଦାର୍ଶନିକ ପ୍ଲାଟୋଙ୍କ ସମୟରୁ ନିଖୁଣ ସନ୍ତାନ ଉତ୍ପାଦନ ଉଦ୍ଦେଶ୍ୟରେ ପ୍ରଜନନ ନିୟନ୍ତ୍ରଣ (ଇଉଜେନିକ୍‌ସ)ର ପ୍ରୟୋଗ ସମ୍ବନ୍ଧରେ ଚିନ୍ତା କରା ହୋଇ ଆସୁଥିଲେ ହେଁ, ଆଧୁନିକ କାଳରେ ଏହାର ପ୍ରଥମ ପ୍ରବକ୍ତା ରୂପେ ଊନବି˚ଶ ଶତାବ୍ଦୀର ଶେଷ ଭାବରେ ଆବିର୍ଭୂତ ହୋଇଥିଲେ ବିବର୍ତ୍ତନବାଦର ପ୍ରବର୍ତ୍ତକ ପ୍ରସିଦ୍ଧ ବ୍ରିଟିଶ୍‌ ବୈଜ୍ଞାନିକ ଚାର୍ଲ‌୍‌ସ ଡାର‌୍‌ଵିନ୍‌ଙ୍କର ନିକଟ-ଭ୍ରାତା ବୈଜ୍ଞାନିକ ଫ୍ରାନ୍‌ସିସ୍‌ ଗ୍ୟାଲ୍‌ଟନ୍‌। ପରବର୍ତ୍ତୀ ସମୟରେ ଟେଲିଫୋନର ଉଦ୍ଭାବକ ଗ୍ରାହାମ୍‌ ବେଲ୍‌ଙ୍କ ଠାରୁ ଆରମ୍ଭ କରି ପ୍ରସିଦ୍ଧ ଆମେରକୀୟ ଶିକ୍ଷାବିତ୍‌ ତଥା ନାରୀ ଅଧିକାର ବନ୍ଦିନୀ ମାର୍ଗାରେଟ୍‌ ସେଙ୍ଗର‌୍‌ଙ୍କ ପର୍ଯ୍ୟନ୍ତ ଚିନ୍ତାନାୟକ ମାନେ ଅଧିକ ଉତ୍ତମ, ତ୍ରୁଟିଶୂନ୍ୟ ମନୁଷ୍ୟ ସୃଷ୍ଟି ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ନିୟନ୍ତ୍ରତ ପ୍ରଜନନକୁ ଏକ ଉପଯୁକ୍ତ କୌଶଳ ରୂପେ ବ୍ୟବହାର କରାଯିବା ପ୍ରତି ସମର୍ଥନ ପ୍ରଦାନ କରିଥିଲେ।

ଏମାନଙ୍କ ଭଳି ନିୟନ୍ତ୍ରିତ ପ୍ରଜନନ ସମର୍ଥକମାନଙ୍କର ଲକ୍ଷ୍ୟ ବାସ୍ତବରେ ଦୁଇ ଭାଗରେ ବିଭକ୍ତ ହୋଇଥାଏ। ପ୍ରଥମଟି ହେଲା ଉତ୍ତମ ସ୍ବାସ୍ଥ୍ୟ ସମ୍ପନ୍ନ ସନ୍ତାନ ସୃଷ୍ଟି ନିମିତ୍ତ ଉତ୍ତମ ସ୍ବାସ୍ଥ୍ୟ ଧାରୀ ନାରୀ ଓ ପୁରୁଷ ମାନଙ୍କୁ ମିଳିତ ହୋଇ ପ୍ରଜନନ କରିବାକୁ ଉତ୍ସାହିତ କରିବା। ଏହା ‘ସକରାତ୍ମକ ପ୍ରଜନନ ନିୟନ୍ତ୍ରଣ’ (ପଜିଟିଭ ଇଉଜେନିକ୍‌ସ) ନାମରେ ପରିଚିତ। ଦ୍ବିତୀୟଟି ହେଲା କେତେକ ରୋଗ ଓ ଅକ୍ଷମତାରେ ଅନ୍ତ ଘଟାଇବା ନିମିତ୍ତ ଅନ୍ୟମାନଙ୍କୁ ପ୍ରଜନନ କାର୍ଯ୍ୟରୁ ନିବୃତ୍ତ କରିବା କିମ୍ବା ନିଷେଧ କରିବା। ଏହା ‘ନକାରାତ୍ମକ ପ୍ରଜନନ ନିୟନ୍ତ୍ରଣ’ (ନେଗେଟିଭ୍‌ ଇଉଜେନିକ୍‌ସ) ନାମରେ ପରିଚିତ। ଆମେରିକାରେ ଏ ଉଭୟ ପ୍ରକାର ପ୍ରଜନନ ନିୟନ୍ତ୍ରଣ ହାସଲ କରିବା ନିମିତ୍ତ ବିଭିନ୍ନ ପ୍ରକାର କୌଶଳର ପ୍ରୟୋଗ ପାଇଁ ଉଦ୍ୟମ ହେବା ଦେଖା ଯାଇଥିଲେ ହେଁ, ଜର୍ମାନୀରେ ହିଟ୍‌ଲର‌୍‌ଙ୍କ ନେତୃତ୍ବରେ ନାତ୍‌ସିମାନେ କ୍ଷମତାକୁ ଆସିବା ପରେ ସେଠାରେ ଏହାର ଯେଉଁଭଳି ପ୍ରୟୋଗ କରାଗଲା ତାହା ଯୁଦ୍ଧୋତ୍ତର ପୃଥିବୀରେ ‘ଇଉଜେନିକ୍‌ସ’କୁ ଏକ ଘୃଣ୍ୟ, ନିଷିଦ୍ଧ ଶବ୍ଦରେ ପରିଣତ କରି ଦେଲା।

ଉଦାହରଣ ସ୍ବରୂପ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଦୁରାରୋଗ୍ୟ ଶାରୀରିକ ଓ ମାନସିକ ବ୍ୟାଧିଗ୍ରସ୍ତ ବ୍ୟକ୍ତିମାନଙ୍କର ଜୀବନରେ ଅନିଚ୍ଛାକୃତ ଅନ୍ତ ଘଟା ଯାଉଥିଲା, କାରଣ ସେମାନଙ୍କ ଜୀବନ ‘ଜୀବନଯୋଗ୍ୟ’ ନ ଥିଲା ବୋଲି ବିଚାର କରାଯାଉଥିଲା। ଆର୍ଟ୍ୟ ଲକ୍ଷଣଯୁକ୍ତ ନାରୀ ପୁରୁଷମାନଙ୍କ ମଧୢରେ (ସୁଗଠିତ ଶରୀର, ସୁନେଲୀ କେଶ, ନୀଳ ଆଖି ଇତ୍ୟାଦି) ପ୍ରଜନନ ପ୍ରୋତ୍ସାହିତ କରାଯାଉଥିବା ବେଳେ ନିକୃଷ୍ଟ ବିବେଚିତ ଗୋଷ୍ଠୀର ସଦସ୍ୟଙ୍କ ସହିତ ସେମାନଙ୍କର ବିବାହ ନିଷିଦ୍ଧ କରାଯାଇଥିଲା ପ୍ରଜନନ ଅନୁପଯୁକ୍ତ ମାନଙ୍କର ବାଧୢତାମୂଳକ ବନ୍ଧ୍ୟାକରଣ କରାଯିବା ସହିତ ସମାଜର ନିକୃଷ୍ଟ ବିବେଚିତ ସଦସ୍ୟମାନଙ୍କୁ (ଶାରୀରିକ ବିକଳାଙ୍ଗ, ସମଲିଙ୍ଗୀ, ମାନସିକ ବିକୃତିଗ୍ରସ୍ତ, କମ୍ୟୁନିଷ୍ଟ, ବାରବୁଲା ଏବ˚ ଇହୁଦୀ) ଏକତ୍ର ଖୁଆଡ଼ ବା ‘କନ୍‌ସେନ୍‌ଟ୍ରେସନ୍‌ କ୍ୟାମ୍ପ’ ମାନଙ୍କରେ ବନ୍ଦୀ ଅବସ୍ଥାରେ ରଖି ଦାରୁଣ ନିର୍ଯ୍ୟାତନା ଦିଆଯାଉଥିଲା। ପ୍ରାୟ ଛ’ନିଯୁତ ଇହୁଦୀମାନଙ୍କର ଗଣହତ୍ୟା ବା ‘ହଲୋକଷ୍ଟ’ ଥିଲା ଏହି ଇଉଜେନିକ୍‌ସ ତତ୍ତ୍ବର ଚରମ ପ୍ରୟୋଗ। ତେଣୁ ଏହି ଶବ୍ଦ ବର୍ତ୍ତମାନ ସୃଷ୍ଟି କରୁଥିବା ଭୟ ଓ ଆଶଙ୍କାର କାରଣ ବୁଝିବା କଷ୍ଟ ନୁହେଁ।

ତେବେ ଏହା ସତ୍ତ୍ବେ ଏକଥା ମଧୢ ସ୍ବୀକାର କରିବାକୁ ହେବ ଯେ ଆଜିକାଲି ଅନେକ ପ୍ରଜନନ ଆଶାୟୀ ଦମ୍ପତି ନିଷ୍ପତ୍ତି ନେବା ପୂର୍ବରୁ ହଣ୍ଟି˚ଟନ୍‌ ଡିଜିଜ୍‌, ଡାଉନ୍‌ ସିଣ୍ତ୍ରୋମ୍‌, ଟେ ସାକ୍‌ସ ଭଳି ଜେନେଟିକ୍‌ ରୋଗର ଉପସ୍ଥିତି ସମ୍ଭାବନା ଯାଞ୍ଚ କରିବା ଏକ ନିୟମିତ ଧାରାରେ ପରିଣତ ହେବାକୁ ଆରମ୍ଭ କଲାଣି। ଏହା ମଧୢ ପ୍ରଜନନ ନିୟନ୍ତ୍ରଣ ନୁହେଁ କି? ଲକ୍ଷ୍ୟ କରିବା କଥା ଏଭଳି ପ୍ରଜନନ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ରୂପେ ଇଚ୍ଛାଧନ ଓ ବ୍ୟକ୍ତି ସ୍ବାଧୀନତା ଉପରେ ପ୍ରତିଷ୍ଠିତ- ଯେମିତି ଇଚ୍ଛାକୃତ ବନ୍ଧ୍ୟାକରଣ। ଅତୀତର ରାଷ୍ଟ୍ର ନିୟନ୍ତ୍ରିତ ପ୍ରଜନନ ନିୟନ୍ତ୍ରଣ କେତେକ ଭ୍ରାନ୍ତ ଧାରଣ ଉପରେ ପ୍ରତିଷ୍ଠିତ ଥିବା ବେଳେ ବର୍ତ୍ତମାନର ବ୍ୟକ୍ତି ପସନ୍ଦ ଭିତ୍ତିକ ପ୍ରଜନନ ନିୟନ୍ତ୍ରଣ ଗବେଷଣା ଲବ୍ଧ ବିଜ୍ଞାନ ଉପରେ ପ୍ରତିଷ୍ଠିତ।
ତସ୍‌ଲିମା ପ୍ରଜନନ ନିୟନ୍ତ୍ରଣ ପାଇଁ ଯେଉଁ ଆହ୍ବାନ ପ୍ରଦାନ କରିଛନ୍ତି ତାହା ଏହି ଉଦାର ଶ୍ରେଣୀର। ପିତାମାତା ମାନେ ଯଦି ସନ୍ତାନ ଭୂମିଷ୍ଠ ହେବା ପରେ ତାକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ସକଳ ପ୍ରକାର ଉଦ୍ୟମ କରୁଛନ୍ତି, ତେବେ ଭୂମିଷ୍ଠ ହେବା ପୂର୍ବରୁ ସନ୍ତାନକୁ ନିରୋଗ ରଖିବା ପାଇଁ କୌଣସି ପ୍ରସ୍ତାବକୁ ନିରୋଧ କରାଯିବ କାହିଁକି? ତେବେ ତସ୍‌ଲିମାଙ୍କ ପ୍ରସ୍ତାବର ସମସ୍ୟା ହେଉଛି ଅନ୍ୟ ପ୍ରକାରର। ସେ ଯେଉଁ ଯେଉଁ ରୋଗର ତାଲିକା ଦେଇଛନ୍ତି, ଆଜିର ଦୀର୍ଘଜୀବୀ ସମାଜରେ ସେଥିରୁ ସମ୍ପୂର୍ଣ୍ଣ ମୁକ୍ତ ଥିବା ବ୍ୟକ୍ତିଟିଏ ଖୋଜି ପାଇବା କଷ୍ଟ। ଯଦି ଏମାନଙ୍କୁ ପ୍ରଜନନ ଗୋଷ୍ଠୀରୁ ବହିର୍ଭୁକ୍ତ କରାଯାଇଥାନ୍ତା, ତେବେ ମାନବ ସମାଜ ବୋଧହୁଏ ତାର ସମସ୍ତ ରୋଗବ୍ୟାଧି ସହିତ ସମ୍ପୂର୍ଣ୍ଣ ଲୋପ ପାଇଯାଆନ୍ତା। ଯେମିତି କୁହାଯାଏ- ‘ମେଣ୍ଢା ଧୋଉ ଧୋଉ ନିର୍ବାଳ!’

ସମ୍ବନ୍ଧିତ ଖବର