ଆଶା ଠାରୁ ବହୁ ଦୂରରେ!

ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥର୍ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସ˚ସଦରେ ମୋଦୀ-୨.୦ ସରକାରଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବ୍ରିଟିସ୍‌ ଶୈଳୀରେ ‘ବ୍ରିଫ୍‌କେସ୍‌’ ଭିତରେ ବଜେଟ୍‌ ଦସ୍ତାବିଜ ନେବାର ପରମ୍ପରାକୁ ଭାଙ୍ଗି ଭାରତୀୟ ବ୍ୟାବସାୟିକ ସ˚ସ୍ଥାଙ୍କ ପାରମ୍ପରିକ ଶୈଳୀରେ ନାଲିକନାରେ ବନ୍ଧା ‘ବହିଖାତା’ ରୂପରେ ବଜେଟ ପୁସ୍ତିକା ହାତରେ ଧରି ସୀତାରମଣ ଲୋକସଭା କକ୍ଷକୁ ପ୍ରବେଶ କରିଥିଲେ। ଏହି ପର˚ପରା ଭଙ୍ଗ ବଜେଟ୍‌ ଉପସ୍ଥାପନା ପୂର୍ବରୁ ଯେଉଁ ନୂଆ ଆଶା ସୃଷ୍ଟି କରିଥିଲା, ୨୦୧୯-୨୦ ବଜେଟ ଆଗତ ପରେ ତାହା ମଉଳି ଯାଇଛି। ସୀତାରମଣଙ୍କ ଦୀର୍ଘ ଦୁଇ ଘଣ୍ଟା ପନ୍ଦର ମିନିଟର ବଜେଟ୍‌ ଭାଷଣ ଥିଲା ଭାରତୀୟ ସ˚ସଦୀୟ ଇତିହାସରେ ଦୀର୍ଘତମ। ଭାଷଣ ବି ବେଶ୍‌ ଓଜନଦାର ଥିଲା, କିନ୍ତୁ ବଜେଟ୍‌ ପ୍ରସ୍ତାବରେ ତାହା ପ୍ରତିଫଳିତ ହୋଇପାରିନାହିଁ।

ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ, ଦେଶବାସୀ ବିପୁଳ ଆଶା-ବିଶ୍ବାସର ସହ ସେମାନଙ୍କ ଆକା˚କ୍ଷା ପୂରଣ ଲାଗି ମୋଦୀ ସରକାରକୁ ପୁନର୍ବାର ଜନାଦେଶ ଦେଇଛନ୍ତି। ପ୍ରଥମ ମହିଳା ଅର୍ଥମନ୍ତ୍ରୀ ତଥା ମୋଦୀ-୨.୦ ସରକାରର ପ୍ରଥମ ବଜେଟ ଜନତାଙ୍କ ସେହି ଆଶା ଠାରୁ ବହୁ ଦୂରରେ ରହିଯାଇଛି। ଲୋକଙ୍କ ଆକା˚କ୍ଷା ପୂରଣ କରିବାରେ ନିଅଣ୍ଟିଆ ପଡ଼ି ଯାଇଛି। ଜନତାଙ୍କ ପାଇଁ ସହଜ, ସ୍ବାଚ୍ଛନ୍ଦ୍ୟ ଜୀବନ ନିଶ୍ଚିତ କରାଯିବା ଉପରେ ଅର୍ଥମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ବିଶେଷ କରି ମଧୢମ ଓ ନିମ୍ନ ଆୟକାରୀ ବର୍ଗଙ୍କ ଜୀବନଧାରଣର ମାନରେ ଗୁଣାତ୍ମକ ଉନ୍ନତି ଆଣି ସାମଗ୍ରିକ ଭାବେ ଦେଶବାସୀଙ୍କ ଜୀବନଯାପନକୁ ବର୍ତ୍ତମାନ ଅପେକ୍ଷା ଅଧିକ ସହଜ ଓ ସୁଖୀ କରିବା ଲାଗି ଦ୍ବିତୀୟ ପାଳି ମୋଦୀ ସରକାର ସ˚କଳ୍ପବଦ୍ଧ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ତେବେ, ଏହା ଉଲ୍ଲେଖ ନିଷ୍ପ୍ରୋୟଜନ ଯେ ସ୍ବଚ୍ଛନ୍ଦ ଜୀବନ ପାଇଁ ଆବଶ୍ୟକତା ପୂରଣ ଯେତିକି ଜରୁରୀ, ଆକା˚କ୍ଷା ପୂରଣ ଲାଗି ସୁଯୋଗ ଓ ଅନୁକୂଳ ବାତାବରଣ ସୃଷ୍ଟି ମଧୢ ସେତିକି ଜରୁରୀ। ସୀତାରମଣଙ୍କ ବଜେଟରେ ମୌଳିକ ଆବଶ୍ୟକତା ପୂରଣ ଉପରେ ଯେତିକି ପ୍ରାଥମିକତା ଦିଆଯାଇଛି, ଆକା˚କ୍ଷା ପୂରଣ ଲାଗି ସୁଯୋଗ ସୃଷ୍ଟି ଉପରେ ସେତିକି ଗୁରୁତ୍ବ ଦିଆଯାଇନାହିଁ। ପାଣି, ବିଜୁଳି ଭଳି ସର୍ବନିମ୍ନ ଆବଶ୍ୟକତା ପୂରଣ ଲାଗି ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଆକା˚କ୍ଷା ପୂରଣ ଲାଗି ପ୍ରାକ୍‌ ଆବଶ୍ୟକତା ଆୟ ବୃଦ୍ଧିରେ ସହାୟତା ଲାଗି ବଜେଟରେ ଉଲ୍ଲେଖନୀୟ ପ୍ରସ୍ତାବର ଅଭାବ ରହିଛି। ଅନ୍ୟ ପକ୍ଷରେ, ବଜେଟ୍‌ରେ ପିଟୁଣି ଟିକସ ସ୍ବରୂପ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପ୍ରତି ୧ ଟଙ୍କାର ‘ସେସ୍‌’ ଲଗାଇ ଦେଇଛନ୍ତି। ତେଲ ମହଙ୍ଗା ହେଲେ ଅନ୍ୟ ଖାଉଟି ସାମଗ୍ରୀର ମଧୢ ଦାମ ବଢ଼ିବା ସ୍ବାଭାବିକ। ମହଙ୍ଗା ମାଡ଼ରେ ସାଧାରଣ ଜନତାଙ୍କ ପାଇଁ ଜୀବନ ସହଜ ସ୍ବାଚ୍ଛନ୍ଦ ହେବ କେମିତି? ଗୋଟିଏ ପଟେ ଗୃହ ନିର୍ମାଣ ଲାଗି ମଧୢମ ଆୟକାରୀ ବର୍ଗଙ୍କ ସକାଶେ ଅନେକ ପ୍ରୋତ୍ସାହନ ଘୋଷଣା କରାଯାଇଛି, କିନ୍ତୁ ଅନ୍ୟ ପଟେ ଗୃହ ନିର୍ମାଣ ସାମଗ୍ରୀ ଉପରେ ଶୁଳ୍‌କ ବଢ଼ାଇ ଦିଆଯାଇଛି।

ପ୍ରଥମେ ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ବଜେଟ ପ୍ରସ୍ତାବଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଉ। ଏହା ପୂର୍ବ ଘୋଷିତ କାର୍ଯ୍ୟକ୍ରମର ପୁନରାବୃତ୍ତି ମାତ୍ର। ୨୦୨୨ ସୁଦ୍ଧା ଗ୍ରାମାଞ୍ଚଳରେ ସବୁ ପରିବାର ପାଇଁ ବାସଗୃହ, ସବୁ ପରିବାରକୁ ବିଦ୍ୟୁତ୍‌ ଓ ରନ୍ଧନ ଗ୍ୟାସ ଯୋଗାଣ ଓ ୨୦୨୪ ସୁଦ୍ଧା ସବୁଘରକୁ ପାଇପ୍‌ରେ ପାଣି ଲାଗି ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସବୁ ପରିବାରଙ୍କୁ ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ଚଳିତ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ୧.୫୯ କୋଟି ଘର ନିର୍ମାଣ ଲାଗି ସହାୟତା ଦିଆଯିବ। ସହରାଞ୍ଚଳରେ ମଧୢମ ଆୟକାରୀ ବର୍ଗଙ୍କୁ ନିଜସ୍ବ ବାସଗୃହ ନିର୍ମାଣ ସକାଶେ ୧୫ ବର୍ଷିଆ ଋଣ ଉପରେ ୪୫ ଲକ୍ଷ ଟଙ୍କାର ସୁଲଭ ମୂଲ୍ୟର ଗୃହ ଉପରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ରିହାତି ଘୋଷଣା କରାଯାଇଛି। ତା’ସହ ଏହି ବର୍ଗର ଆୟକର ଦାତାଙ୍କୁ ସୁଲଭ ମୂଲ୍ୟର ଗୃହ ନିର୍ମାଣ ଋଣରେ ବାର୍ଷିକ ୧.୫ ଲକ୍ଷ ଟଙ୍କାର ଆୟକର ରିହାତି ଦିଆଯିବ। ଅବଶ୍ୟ, କେଉଁ ଯୋଜନା ପାଇଁ ଚଳିତ ବର୍ଷ ବଜେଟରେ କେତେ ଟଙ୍କାର ବ୍ୟୟବରାଦ କରାଯାଇଛି, ସେ ବିଷୟରେ ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ କିଛି ସୂଚନା ଦେଇ ନାହାନ୍ତିି। ସାମଗ୍ରିକ ଭାବେ ରାସ୍ତା, ରେଳ ସମେତ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଲାଗି ପାଞ୍ଚ ବର୍ଷରେ ୧୦୦ କୋଟି ଟଙ୍କା ଖର୍ଚ୍ଚର ଅଟକଳ କରାଯାଇଛି।

ମୁଖ୍ୟତଃ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ନିମ୍ନ ଓ ମଧୢମ ଆୟକାରୀ ବର୍ଗଙ୍କୁ ନଜରରେ ରଖି ପ୍ରସ୍ତୁତ ହୋଇଥିବା ଦାବି କରାଯାଇଛି। ଅଥଚ, ସେମାନଙ୍କ ଆକା˚କ୍ଷା ପୂରଣ ଲାଗି ସୁଯୋଗ ଓ ବାତାବରଣ ସୃଷ୍ଟି ଉପରେ ବଜେଟରେ ପ୍ରୟାସ ଅତ୍ୟନ୍ତ ସୀମିତ। କେବଳ ଏହି ବର୍ଗର ନୁହେଁ, ସମାଜର ସବୁ ବର୍ଗଙ୍କ ଆକା˚କ୍ଷା ପୂରଣ ଓ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଲାଗି ଆୟ ବୃଦ୍ଧି ମୁଖ୍ୟ ହୋଇଥିଲେ ହେଁ ଏଥି ଲାଗି ବିଶେଷ କିଛି ପ୍ରସ୍ତାବ ନାହିଁ। ‘ଗାଁ, ଗରିବ, କିଷାନ’ର ସ୍ଲୋଗାନ ଦିଆଯାଇଛି। କିନ୍ତୁ ଗ୍ରାମୀଣ ଗରିବ ଓ କୃଷକଙ୍କ ଆୟ ବୃଦ୍ଧି ଲାଗି କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ନାହିଁ। ୧୦ ହଜାରରୁ ଅଧିକ ଚାଷୀ ଓ ଦୁଗ୍ଧ ଚାଷୀ ସ˚ଘ ଗଠନ ପାଇଁ ପ୍ରସ୍ତାବ ରହିଛି। କୁହାଯାଉଛି ଏହାଦ୍ବାରା ଚାଷୀମାନେ ଉନ୍ନତ ଚାଷ ଓ ବଜାର ସୁବିଧା ପାଇପାରିବେ। କିନ୍ତୁ ଏହାଦ୍ବାରା ଆୟ ବୃଦ୍ଧି କେମିତ ହେବ ସେ ବିଷୟ ଅସ୍ପଷ୍ଟ। ଗ୍ରାମୀଣ କ୍ଷେତ୍ରରେ ଅର୍ଥନୈତିକ ପ୍ରକ୍ରିୟାରେ ମହିଳାଙ୍କ ଭାଗିଦାରି ଉପରେ ଗୁରୁତ୍ବ ଦିଆଯାଇଛି। ଏହା କେବଳ ଜନଧନ ଖାତାଧାରୀ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍‌ଟ ସୁବିଧାରେ ସୀମିତ। ଏଥିରେ ବେଳ ଅବେଳରେ ଆର୍ଥିକ ଅଭାବର ମୁକାବିଲା ହୋଇପାରେ। ଏହାଦ୍ବାରା କିନ୍ତୁ ମହିଳାମାନେ କୌଣସି ଆୟକ୍ଷମ କାରବାର କରିପାରିବେ କି? ମହିଳାଙ୍କ ଆୟ ବୃଦ୍ଧି ପାଇଁ ବିନା ସୁଧରେ ଲକ୍ଷେ ଟଙ୍କାର ଋଣ ସୁବିଧା କେବଳ ଗୋଟିଏ ମହିଳା ଏସ୍‌ଏଚ୍‌ଜିର ଜଣେ ମହିଳାରେ ସୀମିତ। ଏହା ସାମଗ୍ରିକ ଭାବେ ମହିଳାଙ୍କ ଅର୍ଥନୈତିକ ସଶକ୍ତୀକରଣ ଦିଗରେ ସହାୟକ ହୋଇପାରିବାର ସମ୍ଭାବନା କ୍ଷୀଣ। ‘ପାଞ୍ଚ ଟ୍ରିଲିୟନ ଅର୍ଥନୀତି’ର ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ବ ଦିଆଯାଇଛି। କିନ୍ତୁ ଷ୍ଟାର୍ଟର୍‌୍‌ଅପ୍‌ ସ˚ସ୍ଥାମାନଙ୍କ ଲାଗି କେତେକ ପ୍ରୋତ୍ସାହନମୂଳକ ପ୍ରସ୍ତାବ ବ୍ୟତୀତ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବାରାନ୍ବିତ କରିବା ଲାଗି ବିଶେଷ କୌଣସି ପ୍ରାବଧାନ ନାହିଁ। ଅଭିବୃଦ୍ଧିର ମୁଖ୍ୟ ଇନ୍ଧନ ହେଲା ପୁଞ୍ଜି। କିନ୍ତୁ ପୁଞ୍ଜିର ପ୍ରବାହ କେମିତି ବଢ଼ିବ ଓ ପୁଞ୍ଜି ବିନିଯୋଗ ତ୍ବରାନ୍ବିତ ହେବ ସେ ନେଇ କୌଣସି ସ୍ପଷ୍ଟ ନକ୍‌ସା ବଜେଟରେ ନାହିଁ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ ହେଲେ, ସମାଜର ପ୍ରତ୍ୟେକ ବର୍ଗଙ୍କ ଆୟ ବଢେ଼, ଯାହା ଆବଶ୍ୟକତା ସହ ଆକା˚କ୍ଷା ମଧୢ ପୂରଣ କରି ବ୍ୟକ୍ତିର ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ।

ମୋଟାମୋଟି, ସୀତାରମଣ ସହଜ, ସ୍ବଚ୍ଛନ୍ଦ ଜୀବନ ଉପରେ ତାଙ୍କ ଭାଷଣରେ ବାରମ୍ବାର ଗୁରୁତ୍ବ ଦେଇଛନ୍ତି। ବଜେଟରେ କିନ୍ତୁ ଏଥି ପାଇଁ କୌଣସି ସ୍ପଷ୍ଟ ରୂପରେଖ ନାହିଁ। ବାସ୍ତବରେ ଅର୍ଥମନ୍ତ୍ରୀ ତାଙ୍କ ଦୀର୍ଘ ବଜେଟ ଭାଷଣରେ ମୋଦୀ୧.୦ ସରକାରର ସଫଳତା ବଖାଣିବାରେ ଯେତିକି ଉଦାର ଥିଲେ, ମୋଦୀ ୨.୦ର ଯୋଜନା ଓ କାର୍ଯ୍ୟକ୍ରମ ଉପରେ ସ୍ପଷ୍ଟ ସୂଚନା ଦେବାରେ ସେତିକି କାର୍ପଣ୍ୟ କରିଥିଲେ। ଦେଶର ସବୁ ନାଗରିକଙ୍କ ପାଇଁ ସହଜ ସ୍ବଚ୍ଛନ୍ଦ ଜୀବନ ନିଶ୍ଚିତ କରିବା କଥାରେ ନୁହେଁ, କାମରେ କରି ଦେଖାଇବାକୁ ହେବ। ଏଥି ଲାଗି ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଓ ମୋଦୀ ୨.୦ ସରକାରଙ୍କ ଠାରୁ ଆହୁରି ଅଧିକ କସରତର ଅପେକ୍ଷା ରଖାଯାଏ।

ସମ୍ବନ୍ଧିତ ଖବର

Comments are closed.