ସ˚କଟରେ ସୁଯୋଗ

ଦେଶର ସର୍ବପୁରାତନ ରାଜନୈତିକ ଦଳ କ˚ଗ୍ରେସ ଏବେ ଗୁରୁତର ସ˚କଟରେ। ଦଳର ଅଧୢକ୍ଷ ପଦ ତ୍ୟାଗ ନିଷ୍ପତ୍ତିର ପୁନଃବିଚାର ନେଇ ସମସ୍ତ କଳ୍ପନା ଜଳ୍ପନାରେ ଖୋଦ୍‌ ରାହୁଲ ଗାନ୍ଧୀ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଏକ ଚାରି ପୃଷ୍ଠିଆ ଖୋଲା ଚିଠିରେ ରାହୁଲ ନିର୍ବାଚନରେ କ˚ଗ୍ରେସ ବିପର୍ଯ୍ୟୟର ଉତ୍ତର ଦାୟିତ୍ବ ନେଇ ଇସ୍ତଫା ନିଷ୍ପତ୍ତିରେ କାଏମ ରହି ନୂଆ ନେତା ଚୟନ ଲାଗି ଦଳର କାର୍ଯ୍ୟକାରିଣୀକୁ ପୁଣି ଥରେ ଅନୁରୋଧ କରିଛନ୍ତି। କେବଳ ସେତିକି ନୁହେଁ, ନୂଆ ସଭାପତି ଚୟନ କିମ୍ବା ଦଳର ସା˚ଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟାରେ ସେ କିମ୍ବା ଗାନ୍ଧୀ-ନେହରୁ ପରିବାରର ଅନ୍ୟ କେହି ବି ସ˚ପୃକ୍ତ ରହିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଅନ୍ୟପଟେ କର୍ଣ୍ଣାଟକରେ ଜେଡିଏସ୍‌ ସହ ସରକାରରେ ଭାଗିଦାର ଥିବା କ˚ଗ୍ରେସରୁ ବିଧାୟକଙ୍କ ଇସ୍ତଫା ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ସରକାରଙ୍କ ଭାଗ୍ୟ ସୂତା ଖିଅରେ ଝୁଲୁଛି। ଯେ କୌଣସି ମୁହୂର୍ତ୍ତରେ ମେଣ୍ଟ ସରକାର ଭାଙ୍ଗିଯାଇ ପାରେ। ଗୁଜୁରାଟରେ ମଧୢ ରାଜ୍ୟସଭା ନିର୍ବାଚନରେ ବିଜେପି ସପକ୍ଷରେ କ୍ରସ ଭୋଟି˚ ପରେ ଦଳର ଦୁଇ ବିଧାୟକ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର, ହରିଆନା, ବିହାର, ଦିଲ୍ଲୀ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଅଥଚ ସମ୍ପୃକ୍ତ ରାଜ୍ୟ ଗୁଡ଼ିକରେ କ˚ଗ୍ରେସ ସ˚ଗଠନ ଏକ ପ୍ରକାର ଅଦୃଶ୍ୟ ଅବସ୍ଥାରେ।

ବିଗତ ୧୩୪ ବର୍ଷରେ କ˚ଗ୍ରେସ ଉଭୟ ସ୍ବାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ଅନେକ ସଙ୍କଟର ସମ୍ମୁଖୀନ ହୋଇଛି। ଅବଶ୍ୟ, ସ୍ବାଧୀନତା ପୂର୍ବବର୍ତ୍ତୀ ସମୟର ସଙ୍କଟ ଓ ସ୍ବାଧୀନତା ପରେ ଦେଶର ଶାସନ ଭାର ସମ୍ଭାଳିବା ପରେ କ˚ଗ୍ରେସ ସଙ୍କଟର ଚିତ୍ର ଓ ଚରିତ୍ର ପରସ୍ପରଠାରୁ ଭିନ୍ନ। କ୍ଷମତାସୀନ କ˚ଗ୍ରେସ ୧୯୬୭ ପରେ ବହୁବାର ସଙ୍କଟ ମଧୢକୁ ଠେଲି ହୋଇଯାଇଛି। କିନ୍ତୁ ଦେଖାଯାଇଛି ଯେ, ପ୍ରତ୍ୟେକ ଥର ନେହରୁ- ଗାନ୍ଧୀ ପରିବାରର କେହି ଜଣେ ନେତୃତ୍ବ ନେଇ ଦଳକୁ ସଙ୍କଟରୁ ଉଦ୍ଧାର କରିଛନ୍ତି। ଏଥର କିନ୍ତୁ ସଙ୍କଟର ଚରିତ୍ର ଭିନ୍ନ। ସମାଧାନ ଲାଗି ଗାନ୍ଧୀ- ନେହରୁ ପରିବାର ବାହାରେ କ˚ଗ୍ରେସକୁ ବିକଳ୍ପ ଖୋଜିବାକୁ ପଡ଼ିବ। ରାଜୀବ ଗାନ୍ଧୀଙ୍କ ନିଧନ ପରେ ପିଭି ନରସି˚ହରାଓ କ˚ଗ୍ରେସ ସରକାରକୁ ପ୍ରଭାବୀ ନେତୃତ୍ବ ଦେଇଥିଲେ ସୁଦ୍ଧା ଦଳୀୟ ସ˚ଗଠନକୁ ସଫଳ ନେତୃତ୍ବ ଦେଇ ପାରି ନଥଲେ। ପରବର୍ତ୍ତୀ ସମୟରେ ସୀତାରାମ କେଶରୀ ମଧୢ କ˚ଗ୍ରେସ ସଭାପତି ଭାବେ ବିଫଳ ହୋଇଥିଲେ। ନରସି˚ହ ରାଓ ଏବ˚ କେଶରୀଙ୍କ ବିଫଳତା ଯୋଗୁ କ˚ଗ୍ରେସ କ୍ରମଶଃ ଦୁର୍ବଳ ହୋଇ ସଙ୍କଟ ଭିତରକୁ ଠେଲି ହୋଇଗଲା। ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିଧବା ପତ୍ନୀ ସୋନିଆ ଗାନ୍ଧୀ ଦଳର ନେତୃତ୍ବ ନେଇ କ˚ଗ୍ରେସର ପୁନରୁଦ୍ଧାର କରିଥିଲେ। ସୋନିଆଙ୍କ ନେତୃତ୍ବରେ ଲଗାତାର ଦୁଇଥର କ˚ଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର କ୍ଷମତାକୁ ଆସିଥିଲା। ଦୁଇ ଦଶକ ଧରି ସୋନିଆ କ˚ଗ୍ରେସ ସଭାପତି ରହିବା ପରେ ୨୦୧୭ ଡିସେମ୍ବରରେ ପୁତ୍ର ରାହୁଲ ସର୍ବପୁରାତନ ଦଳର ମଙ୍ଗ ଧରିଥିଲେ। ରାହୁଲ ଅଧୢକ୍ଷ ହେବାର ମାତ୍ର ଦେଢ଼ ବର୍ଷ ପରେ ବର୍ତ୍ତମାନ କ˚ଗ୍ରେସରେ ଦେଖା ଦେଇଥିବା ସଙ୍କଟ ପୂର୍ବ ସଙ୍କଟଗୁଡ଼ିକଠାରୁ ଭିନ୍ନ ଓ ଅଧିକ ଗୁରୁତର।  ଯେଉଁ ପରିବାର ‘ତ୍ରାଣକର୍ତ୍ତା’ ସାଜିଥିଲେ, ସେହି ପରିବାର ଏବେ ନିଜକୁୁ ଦଳ ପାଇଁ ବୋଝ ବିଚାର କରି  ଦଳର ନିଷ୍ପତ୍ତି ପ୍ରକ୍ରିୟାରୁ ଦୂରେଇ ରହିଛନ୍ତି। କ˚ଗ୍ରେସର ୧ ନମ୍ବର ପରିବାର ଏ ପ୍ର୍ରକାର ବିଚାର କରିବା ଆଦୌ ଅସ୍ବାଭାବିକ ନୁହେଁ। ୨୦୧୪ ଓ ୨୦୧୯ ନିର୍ବାଚନରେ ଲଗାତାର ଦୁଇଟି ଶୋଚନୀୟ ପରାଜୟ ଲାଗି ଯଦି ଦଳର ମଙ୍ଗ ଧରିଥିବା ପରିବାର ଦାୟିତ୍ବ ନ ନେବେ, ତେବେ କିଏ ନେବ? ଏହା ସମ୍ପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ପରମ୍ପରା ଓ ଭାବନାର ଅନୁକୂଳ।

ଗାନ୍ଧୀ- ନେହରୁ ପରିବାର ସହ ପରିଚିତ ହୋଇ ଆସିଥିବା କ˚ଗ୍ରେସ ପକ୍ଷରେ ସଭାପତି ପଦରୁ ରାହୁଲଙ୍କ ଇସ୍ତଫା ଏବ˚ ନେତୃତ୍ବର ଶୂନ୍ୟତା ନିଶ୍ଚୟ ଏକ ଗୁରୁତର ସଙ୍କଟ। କିନ୍ତୁ ପ୍ରତ୍ୟେକ ସଙ୍କଟ ଏକ ଆହ୍ବାନ ଓ ସୁଯୋଗ ମଧୢ। ରାହୁଲଙ୍କ ଇସ୍ତଫା କ˚ଗ୍ରେସରେ ନେତୃତ୍ବ ପରିବର୍ତ୍ତନ ଓ ସା˚ଗଠନିକ ପୁନର୍ବିନ୍ୟାସ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ସଙ୍କଟରେ ଯେ ସୁଯୋଗ ଅଛି, ଏହାର ସୂଚନା ମଧୢ ମିଳିଲାଣି। ଦଳର ବିପର୍ଯ୍ୟୟ ପାଇଁ ଉତ୍ତରଦାୟିତ୍ବ ନେଇ ରାହୁଲ ଇସ୍ତଫା ଦେଲେ। ତାଙ୍କ ‘ଖୋଲାପତ୍ର’ରେ ସେ ଆହ୍ବାନ ମଧୢ ଦେଇଥିଲେ ଯେ ଅନ୍ୟ କର୍ମକର୍ତ୍ତାମାନେ ମଧୢ ନିଜ ସ୍ତରରେ ଦଳର ପ୍ରଦର୍ଶନ ନେଇ ଉତ୍ତରଦାୟିତ୍ବ ନେବା ଉଚିତ। ଏହାକୁ ଗ୍ରହଣ କରି ମୁମ୍ବାଇ ଆଞ୍ଚଳିକ କ˚ଗ୍ରେସ କମିଟିର ଅଧୢକ୍ଷ ମିଲିନ୍ଦ ଦେଓରା ଓ ମଧୢପ୍ରଦେଶ ପିସିସି ଅଧୢକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ରାଜ୍ୟରେ ସା˚ଗଠନିକ ପୁନର୍ବିନ୍ୟାସ ପାଇଁ ବାଟ ଫିଟାଇବ। କିନ୍ତୁ ନୂତନ ନେତୃତ୍ବ ଓ ସା˚ଗଠନିକ ପୁନର୍ବିନ୍ୟାସ ବ୍ୟତୀତ ଚଳିତ ସଙ୍କଟ ପରିପେକ୍ଷୀରେ କ˚ଗ୍ରେସ ପାଇଁ ସବୁଠାରୁ ବଡ଼ ସୁଯୋଗ ହେଲା, ରାଜନୈତିକ ବାସ୍ତବତାକୁ ଆଖି ଆଗରେ ରଖି ନିଜର ନୂଆ ରାଜନୈତିକ ପରିଚୟ ସୃଷ୍ଟି। ବହୁ ବର୍ଷ ଧରି କ˚ଗ୍ରେସର ପରିଚୟ ଓ ଅସ୍ତିତ୍ବ ଗୋଟିଏ ପରିବାର ସହ ଯୋଡ଼ି ଆସିଥିଲା। ପରିବାରର ପ୍ରାଧାନ୍ୟ ଆଗରେ ଦଳର ନୀତି, ଆଦର୍ଶ, ସ˚ଗଠନ ଗୌଣ ହୋଇ ଯାଇଥିଲା। ନୀତି, ଆଦର୍ଶରେ ପରିଚିତ ହୋଇ ସ˚ଗଠନ ବଳରେ ରାଜନୀତିରେ ଅସ୍ତିତ୍ବ ଜାହିର ଲାଗି ସା˚ପ୍ରତିିକ ସଙ୍କଟ କ˚ଗ୍ରେସ ପାଇଁ  ଏକ ସୁଯୋଗ ଆଣି ଦେଇଛି।

ତେବେ ବିଡ଼ମ୍ବନା ହେଲା, ଏ ବିରଳ ସୁଯୋଗର ଉପଯୋଗ ଲାଗି ଦଳ କୁଣ୍ଠିତ। ରାହୁଲଙ୍କ ପଦ ତ୍ୟାଗରେ ଦଳୀୟ କର୍ମକର୍ତ୍ତା, ବିଶେଷ କରି ଦଳର ସର୍ବୋଚ୍ଚ ନୀତି  ନିର୍ଧାରଣକାରୀ ସ˚ସ୍ଥା କାର୍ଯ୍ୟକାରିଣୀ ଏତେ ଚାପଗ୍ରସ୍ତ ଯେ, ସଙ୍କଟ ଆଣିଥିବା ସୁଯୋଗର ଉପଯୋଗ ପାଇଁ ସେମାନଙ୍କର ସ୍ପୃହା ନାହିଁ। ନୂଆ ନେତା ଚୟନ ଦୂରେ ଥାଉ, ନେତୃତ୍ବର ଶୂନ୍ୟତା ପୂରଣ ପାଇଁ ଗୋଟିଏ ମଧୢବର୍ତ୍ତୀକାଳୀନ ବିକଳ୍ପ ବ୍ୟବସ୍ଥା କରିବା ଦିଗରେ ମଧୢ ତତ୍ପରତା ଦେଖାଯାଉ ନାହିଁ। ଏବେ ବି ମାର୍ଗ ଦର୍ଶନ ପାଇଁ ସେମାନେ ଏକ ନମ୍ବର ପରିବାର ଆଡ଼କୁ ଅନାଇ ରହିଛନ୍ତି। ଦୀର୍ଘଦିନର ଆନୁଗତ୍ୟ ଓ ନିର୍ଭରଶୀଳତା ଯୋଗୁ ଦଳ ସ୍ବାଧୀନ ନିଷ୍ପତ୍ତି ନେବାର ସାମର୍ଥ୍ୟ ବୋଧହୁଏ ହରାଇ ବସିଛି। ଫଳତଃ ଦଳରେ ଅରାଜକତା ଓ ଅନିଶ୍ଚିତତା ବଢ଼ି ଚାଲିଛି। ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର କଣ୍ଠରୋଧର ପରିଣତି କେତେ ବିପଜ୍ଜନକ, କ˚ଗ୍ରେସ  ସା˚ପ୍ରତିକ ଦୟନୀୟ ଅବସ୍ଥା ତାର ଦୁଃଖଦ ଉଦାହରଣ। ଏକକ ନାୟକତ୍ବର ଭରସାରେ ଚାଲିଥିବା ଅନ୍ୟ ଦଳମାନେ ଏଥିରୁ ଶିକ୍ଷାଲାଭ କରିବା କଥା। ଗଣତନ୍ତ୍ର ସହ ଯୋଡ଼ି ହୋଇଥିବା ପ୍ରତ୍ୟେକ ଅନୁଷ୍ଠାନରେ ଗଣତନ୍ତ୍ର ଓ ପ୍ରତ୍ୟେକ ବ୍ୟକ୍ତି ମନରେ ଗଣତାନ୍ତ୍ରିକ ଭାବନା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଦର୍ଶ ପ୍ରତି ସମ୍ମାନ ରହିବା ଉଚିତ। ବ˚ଶବାଦର ଧ୍ବଜା ଧରିଥିବା କ˚ଗ୍ରେସରେ ଗଣତନ୍ତ୍ର ହଜି ଯାଇଛି। ଏହା ସତ୍ତ୍ବେ, କ˚ଗ୍ରେସର ଭାଗ୍ୟ ବଦଳି ପାରନ୍ତା, ଯଦି ଦଳର ନେତାଏ ନିଜର ବ୍ୟକ୍ତିଗତ ସ୍ବାର୍ଥ ଅପେକ୍ଷା ଦଳର ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦିଅନ୍ତେ। ବହୁଦିନ ହେଲା, ଦଳକୁ ନିଜ ବ୍ୟକ୍ତିଗତ ଓ ପାରିବାରିକ ସ୍ବାର୍ଥ ପାଇଁ ବ୍ୟବହାର କରି ଆସିଥିବା ପୁରୁଖା, ବୟସ୍କ ନେତାଏ ଏମିତି କୌଣସି ପରିବର୍ତ୍ତନ ଚାହାନ୍ତି ନାହିଁ, ଯାହାଦ୍ବାରା ସେମାନଙ୍କ ସ୍ଥାନ ଓ ସ୍ବାର୍ଥ ପ୍ରଭାବିତ ହେବ। ଗାନ୍ଧୀ- ନେହରୁ ପରିବାର ପ୍ରତି ଆନୁଗତ୍ୟ ବଦଳରେ ନିଜ ନିଜ ପ୍ରଭାବ କ୍ଷେତ୍ରରେ ରାଜନୈତିକ ଜମିଦାରୀ ଚଳାଇଥିବା ଏ ନେତାଙ୍କ ମଧୢରେ ଛକାପ˚ଝା କ˚ଗ୍ରେସର ନବୀକରଣରେ ମୁଖ୍ୟ ବାଧକ।

ତେବେ ସା˚ପ୍ରତିକ ରାଜନୈତିକ ବାସ୍ତବତା ଦୃଷ୍ଟିରୁ ଏହି ନେତା ଓ ଦଳର ଆଦର୍ଶ, ନୀତି, କାର୍ଯ୍ୟକ୍ରମରେ ବିଶ୍ବାସ ରଖୁଥିବା ଅନ୍ୟ ନେତା ଓ କର୍ମୀମାନେ ବୁଝିବା ଉଚିତ ଯେ, ଯଦି ଦଳର ଅସ୍ତିତ୍ବ ନରହେ, ତେବେ ସେମାନଙ୍କର ମଧୢ କୌଣସି ରାଜନୈତିକ ଅସ୍ତିତ୍ବ ରହିବ ନାହିଁ। ଦୁଇଟି ନିର୍ବାଚନର ଫଳାଫଳ ଯଥେଷ୍ଟ ସୂଚନା ଦେଇ ସାରିଛି ଯେ, ଗାନ୍ଧ-ନେହରୁ ପରିବାରର ଆଉ ସେ ପୂର୍ବ ଆବେଦନ କି ପତିଆରା ନାହିଁ। ପ୍ରତିପକ୍ଷ ହିନ୍ଦୁତ୍ବ ଦଳର ମୁକାବିଲା ପାଇଁ ଗାନ୍ଧୀ-ନେହରୁ ପରିବାରର ପରିଚୟକୁ ନୁହେଁ, ଦଳର ନୀତି, ଆଦର୍ଶକୁ ହିଁ ଅସ୍ତ୍ର କରିବାକୁ ହେବ। ଯେଉଁମାନେ କ˚ଗ୍ରେସ ପୁନରୁଦ୍ଧାରର ଆଶା ଦେଖିପାରୁ ନାହାନ୍ତି, ସେମାନେ ବିଜେପିଠାରୁ ପ୍ରେରଣା ନେବା ଉଚିତ। ଲୋକସଭାରେ ଦୁଇଟି ଆସନରୁ ଯଦି ବିଜେପିର ସ˚ଖ୍ୟା ଆଜି ୩୦୬ରେ ପହଞ୍ଚିପାରିଲା, ତେବେ କ˚ଗ୍ରେସ କାହିଁକି ତାର ପୁନରାବୃତ୍ତି କରିପାରିବ ନାହିଁ! ବିଜେପିର ସଫଳତାରେ ବାଜପେୟୀ, ମୋଦୀଙ୍କ ନେତୃତ୍ବର ଅବଦାନ ଯେତିକି, ଦଳୀୟ ଆଦର୍ଶ, ନୀତି କାର୍ଯ୍ୟକ୍ରମ ଓ ସା˚ଗଠନିକ ଶକ୍ତିର ଅବଦାନ ତା’ଠାରୁ ଅଧିକ।

ମନେ ରଖିବାକୁ ପଡ଼ିବ ଯେ, ଗଣତନ୍ତ୍ରରେ ବିକଳ୍ପ ପାଇଁ ସବୁବେଳେ ସ୍ଥାନ ରହିଛି। ବର୍ତ୍ତମାନ କ୍ଷମତାସୀନ ବିଜେପିର ବିକଳ୍ପ ଭାବେ କ˚ଗ୍ରେସ ଯଦି ସ୍ଥାନ ନେଇ ନ ପାରେ, ତେବେ ଆଉ କୌଣସି ରାଜନୈତିକ ଶକ୍ତି ବିକଳ୍ପ ପାଇଁ ସେହି ଶୂନ୍ୟସ୍ଥାନ ଅବଶ୍ୟ ପୂରଣ କରିବ। ପରିବର୍ତ୍ତନ ପାଇଁ କୁଣ୍ଠିତ କ˚ଗ୍ରେସୀଏ ମନେ ରଖିବା ଉଚିତ ବିକଳ୍ପ ପାଇଁ ସ୍ଥନ ବେଶି ସମୟ ଖାଲି ରହିବ ନାହିଁ।

ସମ୍ବନ୍ଧିତ ଖବର

Comments are closed.