ଜବାହରଲାଲ୍ ନେହରୁ ବ୍ୟବସାୟରେ ଲାଭ ସମ୍ପର୍କରେ ଜେଆର୍ଡି ଟାଟାଙ୍କୁ କହିଥିବା କଥା ପଦେ ସବୁଦିନ ପାଇଁ ଏକ ସମାଜବାଦୀ ମନୋଭାବର କି˚ବଦନ୍ତିମୂଳକ ବାହକ ରୂପେ ପ୍ରତିଷ୍ଠା ଲାଭ କରିଛି! ‘‘ଲାଭ ହେଉଛି ଏକ ମଇଳା ଶବ୍ଦ’’ (‘‘ପ୍ରଫିଟ୍ ଇଜ୍ ଏ ଡାର୍ଟି ଵର୍ଡ’’)। ନେହରୁଙ୍କ କହିବାର ଉଦ୍ଦେଶ୍ୟ ଅବଶ୍ୟ ସ୍ପଷ୍ଟଥିଲା- ପୁଞ୍ଜିବାଦୀ ଜେଆର୍ଡି ଟାଟା ‘ଲାଭ’ ପ୍ରତି ଆକର୍ଷିତ ହେଉଥିବା ବେଳେ ସମାଜବାଦୀ ଜବାହରଲାଲ୍ ଲାଭ ପ୍ରତି ବିମୁଖ ଥିଲେ। ଜବାହରଲାଲ୍ଙ୍କ ଅଣନାତି ରାହୁଲ ଗାନ୍ଧୀଙ୍କ ନିଶାଣ ରୂପେ ଜେଆର୍ଡିଙ୍କ ସ୍ଥାନରେ ଉଭା ହୋଇଥିବା ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କୁ ଲକ୍ଷ୍ୟ କରି ରାହୁଲ ପ୍ରାୟ ଚାରି ବର୍ଷ ତଳେ ଯେଉଁ ଶାଣିତ କଟାକ୍ଷ ପେଷିଥିଲେ ତାହା ମଧୢ ବ˚ଶ ପରମ୍ପରାକୁ ଅନୁସରଣ କଲାଭଳି ଏକ କି˚ବଦନ୍ତିରେ ପରିଣତ ହୋଇଯାଇଛି: ‘‘ସୁଟ୍ ବୁଟ୍ କୀ ସରକାର୍’’। ଏହାର ଓଡ଼ିଆ ଅନୁବାଦ ଅନାବଶ୍ୟକ।
Sambad is now on WhatsApp
Join and get latest news updates delivered to you via WhatsApp
ମୋଦୀ ତାଙ୍କର ବହୁ ସମାଲୋଚିତ ଦଶ ଲକ୍ଷ ଟଙ୍କିଆ ସୁଟ୍ ପରିଧାନ କରି ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହିତ ଆବିର୍ଭୂତ ହେବାର କେତେଦିନ ପରେ ରାହୁଲଙ୍କର ଏହି କଟାକ୍ଷ ମୋଦୀଙ୍କର ସେଇ ବହୁମୂଲ୍ୟ ପୋଷାକକୁ ଲକ୍ଷ୍ୟ କରି ଯେତିକି ଉଦ୍ଦିଷ୍ଟ ଥିଲା, ପୁଞ୍ଜିବାଦୀ ଧନୀକମାନଙ୍କ ପ୍ରତି ମୋଦୀ ଓ ତାଙ୍କ ଦଳ ଭାରତୀୟ ଜନତା ପାର୍ଟିର ତଥାକଥିତ ସହାନୁଭୂତି ଓ ଅନୁକୂଳ ଆଭିମୁଖ୍ୟ ପ୍ରତି ସେତିକି ଉଦ୍ଦିଷ୍ଟ ଥିଲା। ଇତି ମଧୢରେ ରାହୁଲ ଗାନ୍ଧୀ କ˚ଗ୍ରେସ ସଭାପତି ପଦରୁ ବିଦାୟ ନେଇ ସାରିଲେଣି ଓ ରାଜନୀତିରୁ ମଧୢ ଅପସରି ଯିବାର ସମ୍ଭାବନା ଦେଖା ଦେଲାଣି; କିନ୍ତୁ ତାଙ୍କର ସେଇ ପଦକ କଥା ଯେ ମୋଦୀଙ୍କ ରାଜନୀତି ଓ ଅର୍ଥନୀତିର ଦିଗକୁ ସ୍ଥାୟୀ ଭାବରେ ମୋଡ଼ି ଦେଇଛି ତାହାର ଶ୍ରେଷ୍ଠ ପ୍ରମାଣ ହେଉଛି ଦ୍ବିତୀୟ ଥର ବିପୁଳ ସ˚ଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଫେରିବା ପରେ ମଧୢ ମୋଦୀ ସରକାରଙ୍କର ନୂତନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ପ୍ରଥମ ବଜେଟ୍। କୁହାଯାଇ ପାରେ ରାହୁଲଙ୍କ ଉପରୋକ୍ତ ‘ସୁଟ୍ବୁଟ୍’ ମନ୍ତବ୍ୟ ପରେ ନିଜ ସରକାରକୁ ଏକ ବ୍ୟବସାୟବତ୍ସଳ ଭାବମୂର୍ତ୍ତିରୁ ମୁକୁଳାଇ ଏକ ଲୋକାଭିମୁଖୀ ସମାଜମଙ୍ଗଳ କାର୍ଯ୍ୟକ୍ରମ ଭିତ୍ତିକ ସରକାର ରୂପେ ପ୍ରଦର୍ଶିତ କରିବାକୁ ମୋଦୀ ଯେଉଁ ନିଷ୍ପତ୍ତି ନେଇଥିଲେ ଦ୍ବିତୀୟ ପାଳିରେ ତାହା କେବଳ ବଜାୟ ରଖିନାହାନ୍ତି, ତାହାକୁ ଆହୁରି ଆଗେଇ ନେଇଛନ୍ତି। ଯେଉଁ ପର୍ଯ୍ୟବେକ୍ଷକମାନେ ମୋଦୀ ନେତୃତ୍ବାଧୀନ ଭାଜପାର ଅଭ୍ୟୁଦୟକୁ ଦକ୍ଷିଣପନ୍ଥୀ ପୁଞ୍ଜିବାଦର ଅଭ୍ୟୁଦୟ ରୂପେ ବିଚାର କରୁଥିଲେ ଓ ସମାଲୋଚନା କରୁଥିଲେ ସେମାନେ ଏହି ବଜେଟ୍ ଦେଖିବା ପରେ ଏପରି ହତବାକ୍ ହୋଇ ଯାଇଛନ୍ତି ଯେ କେହି ଆଶ୍ଚର୍ଯ୍ୟ ହେବେ ନାହିଁ ଯଦି ସେମାନଙ୍କ ମଧୢରୁ କେହି ମୋଦୀଙ୍କୁ ଜେଆର୍ଡ଼ିଙ୍କୁ ‘ମଇଳା ଲାଭ’ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିଥିବା ନେହରୁଙ୍କ ସହିତ ତୁଳନା କରି ତାଙ୍କୁ ମଧୢ ସମାଜବାଦୀ ଚିନ୍ତାଧାରାର ଜଣେ ସଦ୍ୟତମ ବାହକ ରୂପେ ଚିତ୍ରଣ କରିବାକୁ ଆରମ୍ଭ କରନ୍ତି।
ଏଥରର ବଜେଟ୍ରେ ସେମାନେ ଭାରତୀୟ ରାଷ୍ଟ୍ରର ଯେଉଁ ଚିତ୍ର ଦେଖିବାକୁ ପାଇବେ ତାହା ଏକ ସରକାର ନିୟନ୍ତ୍ରିତ ନୂତନ ସମାଜବାଦୀ ରାଷ୍ଟ୍ରର ଚିତ୍ର ଯାହା ଉଦାରପନ୍ଥୀ ପୁଞ୍ଜିବାଦୀ ଅର୍ଥନୈତିକ ଚିନ୍ତାଧାରା ନୁହେଁ, ଏକ ଆୟ ପୁନର୍ବଣ୍ଟନକାରୀ ଜନମଙ୍ଗଳସାଧନକାରୀ ଅର୍ଥନୈତିକ ମତବାଦ ଉପରେ ପ୍ରତିଷ୍ଠିତ। ଆଉ ଏହା ଏପରି ଦୃଶ୍ୟମାନ ଯେ ଯାହା ବଜେଟ୍ର ଅତ୍ୟନ୍ତ ଖାମଖିଆଲୀ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିକୁ ମଧୢ ଏଡ଼ାଇଯାଇ ନ ଥିବ। ଯେମିତି, ଅତି-ଧନୀ ମାନଙ୍କ ପ୍ରତି ଲାଗୁ ହେଉଥିବା ଆୟକର ହାରରେ ପରିବର୍ତ୍ତନ। ଯେଉଁ ଧନୀକମାନଙ୍କର ବାର୍ଷିକ ଆୟ ୨ରୁ ୫ କୋଟି ଟଙ୍କା ହୋଇଥିବ ସେମାନଙ୍କ ଟିକସ ଉପରେ ଏକ ୩% ସରଚାର୍ଯ ଲାଗୁ ହେବାକୁ ଯାଉଥିବା ବେଳେ ଯେଉଁମାନଙ୍କ ବାର୍ଷିକ ଆୟ ୫ କୋଟି ଟଙ୍କାରୁ ଅଧିକ, ସେମାନଙ୍କ ପ୍ରତି ଲାଗୁ ହେବାକୁ ଯାଉଥିବା ସରଚାର୍ଯ ହେଉଛି ୭%। ଏହି ସରଚାର୍ଯ ସୂତ୍ରରୁ ସରକାର ଅତିରିକ୍ତ ୧୩,୦୦୦ କୋଟି ଟଙ୍କାର ସମ୍ବଳ ସ˚ଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାର ଫଳ ସ୍ବରୂପ ଦେଶରେ ସର୍ବୋଚ୍ଚ ଟିକସ ଶ୍ରେଣୀ (ଟ୍ୟାକ୍ସ ବ୍ରାକେଟ୍)ରେ ଅନ୍ତର୍ଭୁକ୍ତ କରଦାତାମାନଙ୍କ ପ୍ରତି ଯେଉଁ ଟିକସ ହାର ଲାଗୁ ହେବ, ତାହା ହେବ ଏହିପରି: ୨ରୁ ୫ କୋଟି ଟଙ୍କା ବାର୍ଷିକ ଆୟ ପାଇଁ ୩୯% ଏବ˚ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆୟ ପାଇଁ ୪୨.୭୪%। ଏହାକୁ ମଧୢବର୍ତ୍ତୀକାଳୀନ ବଜେଟ୍ରେ ଅପେକ୍ଷାକୃତ ସ୍ବଳ୍ପ ଆୟକାରୀ ବର୍ଗକୁ ପ୍ରଦାନ କରାଯାଇ ସାରିଥିବା ଏକ ରିହାତି ସହିତ ତୁଳନା କଲେ ସୀତାରମଣଙ୍କ ବଜେଟ୍ର ସମାଜବାଦୀ ଗନ୍ଧ ସ୍ପଷ୍ଟ ଭାବରେ ନାକରେ ଲାଗିଥାଏ।
ଏଥିପୂର୍ବରୁ ମଧୢବର୍ତ୍ତୀକାଳୀନ ବଜେଟ୍ରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରୁ ଆୟକର ସମ୍ପୂର୍ଣ୍ଣ ରୂପେ ଛାଡ଼ କରି ଦିଆଯାଇଛି।ଧନୀକମାନଙ୍କ ଉପରେ ସୀତାରମଣ ଲଦିଥିବା ଏହି ଅତିରିକ୍ତ ବୋଝ ବିରୁଦ୍ଧରେ ପ୍ରତିିକ୍ରିୟା ସ୍ବରୂପ ବମ୍ବେ ସେଆର୍ ବଜାରରେ ସେନ୍ସେକ୍ସରେ ପ୍ରାୟ ୧,୦୦୦ ପଏଣ୍ଟ ହ୍ରାସ ଘଟିବା ଦେଖାଯାଇଛି। ସରକାର ଏ ପଦକ୍ଷେପ ସହିତ ଆଉ ଯେଉଁ ଏକ ଧନୀକ-ବିରୋଧୀ ପଦକ୍ଷେପ ନେଇଛନ୍ତି ତାହାହେଲା ଗୋଟିଏ ବ୍ୟାଙ୍କ୍ ଆକାଉଣ୍ଟରେ ବର୍ଷକୁ ଏକ କୋଟି ଟଙ୍କାରୁ ଅଧିକ ନଗଦ, ଉଠାଣ କାରବାର ହୋଇଥିଲେ ତାହା ଉପରେ ୨% ଟିକସ ଲାଗୁ ହେବ। ଏହା ସାଧାରଣ ନାଗରିକମାନଙ୍କୁ ବିରଳ ମନେ ହେଉଥିଲେ ହେଁ ବିତ୍ତ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶିତ ଏକ ସମ୍ବାଦ ଅନୁସାରେ ଏଭଳି ନଗଦ ଉଠାଣ କୋଟି କୋଟି ସ˚ଖ୍ୟାରେ ଘଟିଥାଏ। ଅବଶ୍ୟ ଏମାନେ ସମସ୍ତେ ହେଉଛନ୍ତି ଅତି-ଧନୀ ଶ୍ରେଣୀର ଏବ˚ ଅନେକ ସମୟରେ ମିଥ୍ୟା ଆଧାର ବା ପ୍ୟାନ୍ ନମ୍ବର ବ୍ୟବହାର କରି ଏଭଳି ଉଠାଣ କରାଯାଇଥାଏ। ଉଠାଣ ଟିକସ ଏଭଳି ଧନୀମାନଙ୍କ ଠାରୁ ଆଉ କିଛି ସମ୍ବଳ ସ˚ଗ୍ରହରେ ସହାୟକ ହେବ।
ଏ ସମସ୍ତ ସମ୍ବଳ ସରକାର ଘୋଷଣା କରିଥିବା ଅନେକ ଜନମଙ୍ଗଳ କାର୍ଯ୍ୟରେ ନିୟୋଜିତ ହେବ। ଟମାସ୍ ପିକେଟିଙ୍କ ସୁପରିଚିତ ସ୍ବରର ପ୍ରତିଧ୍ବନି ସ୍ବରୂପ ସୀତାରମଣ ସମାଜରେ ବୃଦ୍ଧି ପାଇ ଚାଲିଥିବା ଆୟ ତାରତମ୍ୟ ସମ୍ବନ୍ଧରେ ଗଭୀର ଚିନ୍ତା ପ୍ରକଟ କରି ତାଙ୍କର ଏ ଧନୀକ ଟିକସ ଓ ଜନମଙ୍ଗଳ ଖର୍ଚ୍ଚ ମାଧୢମରେ ସେ ପରିସ୍ଥିତିରେ ଉନ୍ନତି ଆଣିବ ବୋଲି ଯେଉଁ ଘୋଷଣା କରିଛନ୍ତି, ମୋଦୀ ସରକାରର ବାକି ସମୟରେ ଯେ ତାହା ଚାଲୁ ରହିବ ଏହା ନିରାପଦରେ ଭବିଷ୍ୟ ବାଣୀ କରାଯାଇପାରେ। ନେହରୁଙ୍କ ବର୍ଣ୍ଣନା ଭଳି ଲାଭ ପୁଣି ଏପରି ମଇଳା ରଙ୍ଗ ଧାରଣ କରିଛି ଯେ ଧନୀମାନେ ଏବେ ଆଉ ‘ଶୁଭ ଲାଭ’ ନକହି ‘ଅଶୁଭ ଲାଭ’ କହିପାରନ୍ତି।