ଠାର

ମନସ୍ତତ୍ତ୍ବବିତ୍‌ ଟିମୋଥି ଵିଲ୍‌ସନ୍‌ଙ୍କର ଗଭୀର ଅନ୍ତର୍ଦୃ‌ଷ୍ଟି ବହନ କରୁଥିବା ଏକ ପ୍ରସିଦ୍ଧ ପୁସ୍ତକର ରୋଚକ ଶୀର୍ଷକ ହେଉଛି: ‘ଷ୍ଟ୍ରେଞ୍ଜର‌୍‌ସ ଟୁ ଆଵାର‌୍‌ସେଲ୍‌ଭ୍‌ସ’ (‘ନିଜକୁ ଅଚିହ୍ନା’)। ଶୀର୍ଷକର ମର୍ମ ହେଲା, ଆମ ପ୍ରତ୍ୟେକଙ୍କ ଭିତରେ ଆଉ ଜଣେ ଲୁଚି ରହିଛି ଯାହାକୁ ଆମେ ଚିହ୍ନୁନା। ଆମେ ଆମର ନିତିଦିନିଆ ଜୀବନରେ ଅନେକ ଏଭଳି ନିଷ୍ପତ୍ତି ନେଇଥାଉ ଯାହା ଆମର ସମ୍ପୂର୍ଣ୍ଣ ନିଜସ୍ବ ବୋଲି ଆମର କୌଣସି ସନ୍ଦେହ ନ ଥାଏ; କିନ୍ତୁ ବାସ୍ତବରେ ଆମର ସମ୍ପୂର୍ଣ୍ଣ ଅଜାଣତରେ ଏ ନିଷ୍ପତ୍ତି ସବୁ ଯାହାଦ୍ବାରା ପ୍ରଭାବିତ ହୋଇଥାଏ, ସେ ହେଉଛି ଆମ ଭିତରେ ଲୁଚି ରହିଥିବା ଏହି ଅଚିହ୍ନା ସତ୍ତା। ୨୦୦୨ରେ ବ୍ୟାବହାରିକ ଅର୍ଥଶାସ୍ତ୍ରରେ ତାଙ୍କର ଅବଦାନ ପାଇଁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ମନୋବୈଜ୍ଞାନିକ ଡାନିଏଲ୍‌ କାନେମ୍ୟାନ୍‌ ଏହି ‘ନିଜକୁ ଅଚିହ୍ନା’କୁ ଚିହ୍ନାଇବା ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଏକ ଉଦାହରଣ ଏଠାରେ ଉଦ୍ଧାର କରାଯାଇପାରେ।

ଏକ ବ୍ରିଟିସ୍‌ ବିଶ୍ବବିଦ୍ୟାଳୟ ଅଫିସରେ କର୍ମଚାରୀମାନଙ୍କ ପାଇଁ ଏକ କଫି ମେସିନ୍‌ ସ୍ଥାପନ କରାଯାଇଥିଲା। ମେସିନ୍‌ ଉପରେ କଫି କପ୍‌ଟିଏର ମୂଲ୍ୟ ଲେଖାଯାଇଥିଲା ଓ ମେସିନ୍‌ ପାର୍ଶ୍ବରେ ଏକ ‘ସାଧୁତା ବାକ୍ସ’ ଥୁଆ ହୋଇଥିଲା। ଯେଉଁମାନେ ମେସିନ୍‌ରୁ କଫି ନେଉଥିଲେ, ସେମାନେ ଆପଣା ଛାଏଁ ତାହାର ଦାମ ମୁତାବକ ପଇସା ସେ ବାକ୍ସରେ ପକାଇ ଦେଉଥିଲେ। ଦିନେ ହଠାତ୍‌ କଫି ମେସିନ୍‌ର ଠିକ୍‌ ଉପରେ ଏକ ପୋଷ୍ଟର‌୍‌ ଟଙ୍ଗା ହୋଇଥିବା ଦେଖାଗଲା, ଯେଉଁଥିରେ କିଛି ସୁନ୍ଦର ଫୁଲର ଚିତ୍ର ଥିଲା। ଏକ ସପ୍ତାହ ଧରି ସେ ଫୁଲ ପୋଷ୍ଟର‌୍‌ ରହିବା ପରେ ତାହା ବଦଳି ଯାଇ ସେ ସ୍ଥାନରେ ଦୁଇଟି ଆଖିର ଛବି ଥିବା ପୋଷ୍ଟର‌୍‌ଟିଏର ଆବିର୍ଭାବ ହେଲା- ଆଖି ଦୁଇଟି ସିଧାସଳଖ କଫି ମେସିନ୍‌ ସାମନାରେ ଥିବା ବ୍ୟକ୍ତିଙ୍କୁ ଚାହିଁଥିବା ଭଳି ମନେ ହୁଏ। ପର ସପ୍ତାହରେ ପୁଣି ଫୁଲ ପୋଷ୍ଟର‌୍‌ ଏବ˚ ତା’ପର ସପ୍ତାହରେ ପୁଣି ଆଖି ପୋଷ୍ଟର।

ଦଶ ସପ୍ତାହ ଧରି ଏହିପରି ଅଦଳବଦଳ ହୋଇ ଦୁଇ ପ୍ରକାର ପୋଷ୍ଟର‌୍‌ ପ୍ରଦର୍ଶିତ ହୋଇଥିଲା ଓ କଫି ଉପଭୋକ୍ତାମାନଙ୍କୁ ଏ ସମ୍ବନ୍ଧରେ କୌଣସି ପୂର୍ବ ସୂଚନା ବା କାରଣ ପ୍ରଦାନ କରାଯାଇନଥିଲା। ଦଶ ସପ୍ତାହ ପରେ ଚୁପ୍‌ଚାପ୍‌ କରାଯାଇଥିବା ଏହି ମନସ୍ତାତ୍ତ୍ବିକ ପରୀକ୍ଷାଟିର ଫଳାଫଳ ଅନୁଶୀଳନ କରାଯାଇଥିଲା। ପ୍ରତିଦିନ ମେସିନ୍‌ରୁ ସରିଥିବା ଦୁଧର ପରିମାଣକୁ ‘ସାଧୁତା ବାକ୍ସ’ରେ ପଡ଼ିଥିବା ପଇସାର ପରିମାଣ ସହିତ ମିଳାଗଲା। ଦେଖାଗଲା ଏକ ନିର୍ଦ୍ଦିଷ୍ଟ ପରିମାଣର କଢ଼ା ଯାଇଥିବା ଦୁଧ ପାଇଁ ‘ଫୁଲ ସପ୍ତାହ’ ମାନଙ୍କରେ ହାରାହାରି ଯେତିକି ପଇସା ଆଦାୟ ହୋଇଛି, ‘ଆଖି ସପ୍ତାହ’ ମାନଙ୍କରେ ତାର ପ୍ରାୟ ତିନିଗୁଣ ପଇସା ଆଦାୟ ହୋଇଛି। ଏଥିରେ ସନ୍ଦେହ ନାହିଁ ଯେ ମେସିନ୍‌ରୁ କଫି ବାଢ଼ୁଥିବା ବ୍ୟକ୍ତି ଭିତରେ ଥିବା ଅଜଣା ସତ୍ତା ଯେତେବେଳେ ଆଖି ଛବି ଦେଖି କିଏ ଜଣେ ଦେଖୁଛି ବୋଲି ମନେ କରିଛି, ସେ ବ୍ୟକ୍ତିକୁ ଉତ୍ତମ ସାଧୁ ଆଚରଣ ପ୍ରଦର୍ଶନ କରିବାକୁ ପ୍ରବୃତ୍ତ କରିଛି, ଯଦିବା ବ୍ୟକ୍ତିଜଣକ ଏ ସମ୍ବନ୍ଧରେ ଆଦୌ ସଚେତନ ନୁହେଁ। ଅପରପକ୍ଷେ ‘ଫୁଲ ସପ୍ତାହ’ ମାନଙ୍କରେ ଯେହେତୁ ବ୍ୟକ୍ତିର ଅଚିହ୍ନା ସତ୍ତା ‘ଆଖି ସପ୍ତାହ’ରେ ଉପୁଜୁଥିବା ଅସ୍ବସ୍ତିରୁ ମୁକ୍ତ ଥାଏ, ସେ ବ୍ୟକ୍ତିକୁ ସାଧୁତା ପ୍ରଦର୍ଶନ ପାଇଁ ପ୍ରବୃତ୍ତ କରେ ନାହିଁ।

ଏଭଳି ପରୀକ୍ଷାରୁ ଯାହା ପ୍ରମାଣିତ ହୋଇଥାଏ, ତାହା ହେଲା, ବ୍ୟକ୍ତିର ଅଗୋଚରରେ ଏପରି କୌଣସି ପାରିପାଶ୍ବିର୍କ ପରିବର୍ତ୍ତନ ଘଟା ଯାଇପାରିବ ଯାହା ବ୍ୟକ୍ତି ଭିତରର ଅଚିହ୍ନା ସତ୍ତା ପାଇଁ ଏକ ଠାର ବା ଇସାରା ରୂପେ କାର୍ଯ୍ୟ କରିବ ଏବ˚ ବ୍ୟକ୍ତି ନିଜ ଅଜାଣତରେ ନିଜର ଅଚିହ୍ନା ସତ୍ତା ଦ୍ବାରା ପ୍ରଭାବିତ ହୋଇ ଉଦ୍ଦିଷ୍ଟ ଆଚରଣ ପ୍ରଦର୍ଶନ କରିବ। ଏଠାରେ ଯାହା ଉଲ୍ଲେଖନୀୟ ତଥା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ‘ଠାର’ (ଇ˚ରେଜୀରେ ‘ନଜ୍‌’) ମାଧୢମରେ ବ୍ୟକ୍ତିି ଠାରୁ ଉଦ୍ଦିଷ୍ଟ ଆଚରଣ ହାସଲ କରାଯିବା ବେଳେ ସମ୍ପୃକ୍ତ ବ୍ୟକ୍ତି କୌଣସି ବାଧୢବାଧକତାର ସମ୍ମୁଖୀନ ହୋଇନଥାଏ କିମ୍ବା ତା’ର ପସନ୍ଦ ଉପରେ କେହି ହସ୍ତକ୍ଷେପ କରୁଛି ବୋଲି ସେ ଆଦୌ ଅନୁଭବ କରିନଥାଏ।

୨୦୧୭ରେ କାନେମ୍ୟାନ୍‌ଙ୍କ ଭଳି ବ୍ୟାବହାରିକ ଅର୍ଥଶାସ୍ତ୍ରରେ ନିଜର ଅବଦାନ ପାଇଁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଚିକାଗୋ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ରିଚାର୍ଡ ଥାଲର‌୍‌ଙ୍କୁ ଏହି ‘ଠାର ତତ୍ତ୍ବ’ (ନଜ୍‌ ଥିଓରୀ)ର ଜନକ ରୂପେ ବିଚାର କରାଯାଇଥାଏ। ୨୦୧୦ରେ ବ୍ରିଟେନ୍‌ର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଡେଭିଡ୍‌ କାମେରନ୍‌ ଏହାଦ୍ବାରା ପ୍ରଭାବିତ ହୋଇ ତାଙ୍କ କ୍ୟାବିନେଟ ଅଫିସରେ ଏକ ‘ଠାର ଶାଖା’ (ନଜ୍‌ ୟୁନିଟ୍‌) ସ୍ଥାପନ କରି ସରକାରୀ କ୍ଷେତ୍ରରେ ଏ ତତ୍ତ୍ବର ପ୍ରୟୋଗ ପାଇଁ ଏକ ସାହସିକ ପଦକ୍ଷେପ ନେଇଥିଲେ। ଉଦ୍ଦେଶ୍ୟ- ସରକାର ଏପରି ଏକ ପରିବେଶ ସୃଷ୍ଟି କରିବେ ଯେ ନାଗରିକମାନେ ଆପଣା ଛାଏଁଁ ଯାହା ନିଜ ପାଇଁ ତଥା ସମାଜ ପାଇଁ ସର୍ବାଧିକ ମଙ୍ଗଳପ୍ରଦ, ସେଭଳି ଆଚରଣ ପସନ୍ଦ କରିବେ।

ଭାରତରେ ଏବେ ଏହି ‘ଠାର ତତ୍ତ୍ବ’ର ପଦଧ୍ବନି ଶୁଣିବାକୁ ମିଳିଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ଉପସ୍ଥାପନ କରିଥିବା ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେଭି ସୁବ୍ରମଣ୍ୟନ୍‌ଙ୍କ ଦ୍ବାରା ପ୍ରସ୍ତୁତ ଅର୍ଥନୈତିକ ସର୍ଭେ ରିପୋର୍ଟ ରେ। ତେବେ ଏଠାରେ ‘ଠାର ତତ୍ତ୍ବ’ ପ୍ରୟୋଗ ପାଇଁ ଉଦ୍ୟମ କରିବାରେ ସେ ପ୍ରଥମ ନୁହଁନ୍ତି। ୨୦୧୬ରେ ମଧୢ ବହୁ ଆଡ଼ମ୍ବର ସହକାରେ ଏକ ଘୋଷଣା ଦେଖିବାକୁ ମିଳିଥିଲା ଯେ ଡେଭିଡ୍‌ କାମେରନ୍‌ଙ୍କୁ ଅନୁକରଣ କଲା ଭଳି ନୀତି ଆୟୋଗ ଏକ ‘ନଜ୍‌ ୟୁନିଟ୍‌’ ପ୍ରତିଷ୍ଠା କରିବାକୁ ଯାଉଛି। କିନ୍ତୁ ତା’ ପରର ସମ୍ପୂର୍ଣ୍ଣ ନିରବତା ପରେ ଏବେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍‌ ତାଙ୍କର ସର୍ଭେ ରିପୋର୍ଟରେ ଏହି ଠାର ତତ୍ତ୍ବକୁ ଗୋଟିଏ ସମ୍ପୂର୍ଣ୍ଣ ଅଧୢାୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆମକୁ ଜଣାଇ ଦେବାକୁ ଚାହିଁଛନ୍ତି ଯେ ଇତି ମଧୢରେ ମୋଦୀ ସରକାର ରିଚାର୍ଡ ଥାଲର‌୍‌ଙ୍କ ଏହି ‘ଠାର ତତ୍ତ୍ବ’କୁ ଅତ୍ୟନ୍ତ ଫଳପ୍ରଦ ଭାବରେ ପ୍ରୟୋଗ କରି ଚାଲିଛନ୍ତି, ଯାହାର ଉଦାହରଣମାନ ‘ସ୍ବଚ୍ଛ ଭାରତ’ ଅଭିଯାନରୁ ଆରମ୍ଭ କରି ‘ବେଟି ବଚାଓ ବେଟି ପଢ଼ାଓ’ ‘ଏଲ୍‌ପିଜି ରିହାତି ପ୍ରତ୍ୟାଖ୍ୟାନ’, ‘ଜନଧନ ଯୋଜନା’ ଆଦି ପର୍ଯ୍ୟନ୍ତ ପରିବ୍ୟାପ୍ତ।

ଏହା ସତ୍ୟ ଯେ ଉପରୋକ୍ତ ସମସ୍ତ ଉଦାହରଣମାନ ନାଗରିକମାନଙ୍କର ଆଚରଣରେ ପରିବର୍ତ୍ତନ ଉପରେ ଆଧାରିତ। କିନ୍ତୁ ଏହା ସତ ନୁହେଁ ଯେ ସେମାନଙ୍କର ଆଚରଣରେ ଏ ସମସ୍ତ ପରିବର୍ତ୍ତନ କୌଣସି ଅବଚେତନ ‘ଠାର’ର ବା ‘ନିଜ୍‌’ର ପ୍ରଭାବରେ ସାଧିତ ହୋଇଛି। ବର˚ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ପ୍ରୋତ୍ସାହନ ଓ ଦୃଶ୍ୟମାନ ପ୍ରଚାର ପ୍ରଭାବରେ ଏ ସମସ୍ତ ପରିବର୍ତ୍ତନ ସମ୍ଭବ ହୋଇଛି ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ହେବ। ଅପରପକ୍ଷେ ମୋଦୀ ସରକାରଙ୍କ ପ୍ରଥମ ପାଳି‌ରେ ଏକ ପ୍ରମୁଖ ଉପଲବ୍‌ଧି – ବିମୁଦ୍ରୀକରଣ ତ ଥିଲା ‘ଠାରତତ୍ତ୍ବ’ର ଠିକ୍‌ ବିପରୀତ, ଯାହାକୁ ରାତିଅଧିଆ ଲୋକଙ୍କ ଉପରେ ଲଦି ଦିଆଯାଇଥିଲା। ଏକ ମୁକ୍ତ ଗଣତନ୍ତ୍ର ହେଉଛି ‘ଠାରତତ୍ତ୍ବ’ର ସର୍ବାଧିକ ଉପଯୁକ୍ତ ପ୍ରଯୋଗଶାଳା। ଏହା ଗଭୀର ସନ୍ତୋଷ ପ୍ରଦାନ କରିଥାଏ ଯେ ସରକାର ତଥାପି ‘ଠାରତତ୍ତ୍ବ’ରେ ବିଶ୍ବାସ କରୁଛନ୍ତି। କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍‌ ଯଦି ଏ ତତ୍ତ୍ବର ସୃଜନାତ୍ମକ ପ୍ରକୃତ ପ୍ରୟୋଗରେ ନେତୃତ୍ବ ଦେଇ ପାରିବେ, ତାହା ବାସ୍ତବରେ ଦେଶପାଇଁ ଅତ୍ୟନ୍ତ ମଙ୍ଗଳପ୍ରଦ ହେବ।

ସମ୍ବନ୍ଧିତ ଖବର

Comments are closed.