ବିଫଳ ମେଣ୍ଟ ଉପାଖ୍ୟାନ

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ଜେଡି (ଏସ୍‌)- କ˚ଗ୍ରେସ ମେଣ୍ଟ ସରକାରର ଭାଗ୍ୟକୁ ସୂତାଖିଅରେ ଝୁଲାଇ ରଖିଥିବା ରାଜନୈତିକ ସଙ୍କଟ ଏକ ନୂଆ ମୋଡ଼ ନେଇଛି। ସେପଟେ ସୁପ୍ରିମ୍‌କୋର୍ଟ ଶାସକ ମେଣ୍ଟର ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗରେ ଆଗତ ଆବେଦନ ଉପରେ ଶୁଣାଣିକୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏପଟେ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ ତଥା ସେମାନଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ ବିଧାନସଭା ବାଚସ୍ପତି ନିଷ୍ପତ୍ତି ଝୁଲାଇ ରଖିଛନ୍ତି। ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଓ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ବେଳେ ବିଧାନସଭାରେ ଶକ୍ତିପରୀକ୍ଷା ଲାଗି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ପ୍ରସ୍ତାବ ଦେଇଛନ୍ତି। ‘ଆସ୍ଥା ଭୋଟ’ ଲାଗି ସମୟ ଧାର୍ଯ୍ୟ ଲାଗି ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।

ଉତ୍କଣ୍ଠାପୂର୍ଣ୍ଣ କର୍ଣ୍ଣାଟକ ରାଜନୈତିକ ନାଟକର ଅନ୍ତିମ ଦୃଶ୍ୟ ଯାହାବି ହେଉ, ମେଣ୍ଟ ରାଜନୀତିର ଇତିହାସରେ ଜେଡି (ଏସ୍‌)- କ˚ଗ୍ରେସ ମେଣ୍ଟ ଆଉ ଏକ ବିଫଳ ଉପାଖ୍ୟାନ ଭାବେ ସ୍ଥାନ ପାଇବ। କର୍ଣ୍ଣାଟକରେ ମେଣ୍ଟ ସରକାର ଆଜି ଯେଉଁ ସ୍ଥିତିରେ ପତନର ଦ୍ବାର ଦେଶରେ, ତାହା ଆଦୌ ଅପ୍ରତ୍ୟାଶିତ ନୁହେଁ। ବିଧାନସଭାରେ ସ˚ଖ୍ୟା ଦୃଷ୍ଟିରୁ ଦୁଇ ନମ୍ବର ଓ ତିନି ନମ୍ବର ଦଳ ପରସ୍ପର ସହ ହାତ ମିଳାଇ ମେଣ୍ଟ ସରକାର ଗଠନର ପ୍ରଥମ ଦିନରୁୁ ହିଁ ଏହା ଆଶଙ୍କା କରାଯାଉଥିଲା। ସରକାରର ଆୟୁଷ ବେଶି ଲମ୍ବା ନୁହେଁ। ଅକାଳ ପତନର ଆଶଙ୍କା ମଧୢରେ କିଛିଦିନ ତଳେ ନିଜେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କହିଥିଲେ ଯେ, କ˚ଗ୍ରେସ ସହ ମେଣ୍ଟ କରି ସେ ବିଷପାନ କରିଛନ୍ତି। ଅନ୍ୟ ପକ୍ଷରେ କ˚ଗ୍ରେସର ପ୍ରମୁଖ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟାଙ୍କ ଭୂମିକା ପ୍ରଥମରୁ ସନ୍ଦିଗ୍ଧ ରହିଆସିଛି। ଦୁଇ ସହଯୋଗୀଙ୍କ ମଧୢରେ ପାରସ୍ପରିକ ଅବିଶ୍ବାସ ଓ ସନ୍ଦେହ ମଧୢରେ କୌଣସି ମେଣ୍ଟ ତିଷ୍ଠି ରହିପାରେ ନାହିଁ। କର୍ଣ୍ଣାଟକର କ୍ଷମତାସୀନ କ˚ଗ୍ରେସ- ଜେଡି (ଏସ୍‌) ମେଣ୍ଟ କ୍ଷେତ୍ରରେ ଏହା ଘଟିଛି। ଅବଶ୍ୟ, ଜେଡି (ଏସ୍‌)- କ˚ଗ୍ରେସ ମେଣ୍ଟ ଏକ ବ୍ୟତିକ୍ରମ ନୁହେଁ। ଅତୀତରେ ୧୯୯୭ ଓ ୨୦୦୨ରେ ୟୁପିରେ ବିଜେପି-ବିଏସ୍‌ପି ମେଣ୍ଟ ସରକାର, ୨୦୦୬ରେ ଏହି କର୍ଣ୍ଣାଟକରେ ବିଜେପି- ଜେଡି (ଏସ୍‌) ମେଣ୍ଟ ସରକାର ଭାଗ୍ୟରେ ମଧୢ ସମାନ ଦୁର୍ଦଶା ଘଟିଥିଲା। ନିକଟ ଅତୀତରେ ଜମ୍ମୁ ଓ କଶ୍ମୀରରେ ପିଡିପି ଓ ବିଜେପି ମେଣ୍ଟ ସରକାର ମଧୢ ସମାନ ଦଶା ଭୋଗିଥିଲା।

ଗୋଟିଏ ବହୁଦଳୀୟ ସ˚ସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମେଣ୍ଟ ରାଜନୀତି ସମ୍ପୂର୍ଣ୍ଣ ସ୍ବାଭାବିକ। ଏଥିପାଇଁ ପର୍ଯ୍ୟାପ୍ତ ଅବକାଶ ମଧୢ ରହିଥାଏ। ପାଶ୍ଚାତ୍ୟ ଗଣତନ୍ତ୍ରରେ ଏହାର ଅନେକ ଉଜ୍ଜ୍ବଳ ନଜିର ରହିଛି। କିନ୍ତୁ ଭାରତର ବହୁଦଳୀୟ ସ˚ସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମେଣ୍ଟ ରାଜନୀତି ସଫଳ ହେବା କ୍ବଚିତ ଦେଖା ଯାଉଥିବା ବେଳେ ବିଫଳତାର ତାଲିକା ବେଶ୍‌ ଲମ୍ବା। ମେଣ୍ଟ ରାଜନୀତି ଏକ ପ୍ରକାର ରାଜନୈତିକ ଅସ୍ଥିରତା ଓ ଶାସନରେ ଅରାଜକତାର ପ୍ରତିଶବ୍ଦ ପାଲଟି ଯାଇଛି। ୧୯୭୭ରେ ସବୁ ଅଣ-କ˚ଗ୍ରେସ ବିରୋଧୀଙ୍କୁ ଏକାଠି କରି ଜନତାପାର୍ଟି ଗଠନ ଥିଲା ଜାତୀୟ ସ୍ତରରେ ମେଣ୍ଟ ରାଜନୀତିରେ ପ୍ରଥମ ପରୀକ୍ଷା। କିନ୍ତୁ ଅଢେ଼ଇ ବର୍ଷ ଭିତରେ ପରୀକ୍ଷା ବିଫଳ ହୋଇଥିଲା ଓ ପୁନର୍ବାର କ˚ଗ୍ରେସର ଏକଦଳୀୟ ଶାସନକୁ ଆମନ୍ତ୍ରଣ କରିଥିଲା। ପରେ ୧୯୮୯ରେ ଭିପି ସି˚ହଙ୍କ ନେତୃତ୍ବରେ ଜାତୀୟ ସାମ୍ମୁଖ୍ୟ (ନ୍ୟାସନାଲ ଫ୍ରଣ୍ଟ) ଏବ˚ ପୁଣି ୧୯୯୬ରେ ଏଚ୍‌ଡି ଦେବଗୌଡ଼ା, ଆଇକେ ଗୁଜରାଲଙ୍କ ନେତୃତ୍ବାଧୀନ ‘ମିଳିତ ଗଣତାନ୍ତ୍ରିକ ସାମ୍ମୁଖ୍ୟ’ (ୟୁଡ଼ିଏଫ୍‌) ସରକାରର ପତନ ମେଣ୍ଟ ରାଜନୀତିର ଗୋଟିଏ ଗୋଟିଏ ବିଫଳ ପରୀକ୍ଷା। ୧୯୮୯ ଓ ୧୯୯୬ର ବିଫଳତା ଜନିତ ତିକ୍ତତା ଆଜିପର୍ଯ୍ୟନ୍ତ ଅଣ-ବିଜେପି, ଅଣ-କ˚ଗ୍ରେସ ଦଳଙ୍କୁ ନେଇ ତୃତୀୟ ସାମ୍ମୁଖ୍ୟ ଗଠନ ଦିଗରେ ବାଧକ ସାଜି ଆସିଛି। ଧାରାବାହିକ ବିଫଳତା ପରେ ଜାତୀୟ ସ୍ତରରେ ମେଣ୍ଟ ରାଜନୀତିର ପ୍ରଥମ ସଫଳ ପରୀକ୍ଷା ଥିଲା ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ। କେନ୍ଦ୍ରରେ ପୂରା କାର୍ଯ୍ୟକାଳ ପୂରଣ କରିବାରେ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଏନ୍‌ଡିଏ-୧ ଥିଲା ପ୍ରଥମ ମେଣ୍ଟ ସରକାର।

ଭାରତରେ ମେଣ୍ଟ ରାଜନୀତି କ୍ବଚିତ ସଫଳ ହେଉଥିବା ବେଳେ ଅଧିକା˚ଶ କ୍ଷେତ୍ରରେ ବିଫଳ ହେଉଛି କାହିଁକି? ଏହାର ଅନେକ କାରଣ ମଧୢରେ କେତେକ ପ୍ରମୁଖ କାରଣ ହେଲା, ମେଣ୍ଟରେ ଆଦର୍ଶଗତ ଓ ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ଅନ୍ତର୍ନିହିତ ବିରୋଧାଭାସ, ଉଚ୍ଚାକା˚କ୍ଷା ଓ ନେତୃତ୍ବ କନ୍ଦଳ। ଜାତୀୟ ସ୍ତରରେ ମେଣ୍ଟ ରାଜନୀତିର ପ୍ରଥମ ପରୀକ୍ଷା ବିଫଳ ହେବାର କାରଣ ଥିଲା ଆଦର୍ଶଗତ ବିରୋଧାଭାସ। ଦ୍ବୈତ ସଦସ୍ୟତା ପ୍ରସଙ୍ଗକୁ କେନ୍ଦ୍ର କରି ପୂର୍ବତନ ଜନସ˚ଘ ଓ ସମାଜବାଦୀଙ୍କ ମଧୢରେ ବିବାଦ ଯୋଗୁ ଜନତାପାର୍ଟିରେ ବିଭାଜନ ଘଟି ମୋରାରଜୀ ଦେଶାଇ ସରକାର ଭାଙ୍ଗି ଯାଇଥିଲା। ଭିପି ସି˚ହଙ୍କ ନେତୃତ୍ବାଧୀନ ଜାତୀୟ ସାମ୍ମୁଖ୍ୟରେ ଦୁଇ ଆଦର୍ଶଗତ ଶତ୍ରୁ ବିଜେପି ଓ ବାମପନ୍ଥୀ ଅ˚ଶୀଦାର ଥିଲେ। ଦୁଇ ପ୍ରମୁଖ ସହଯୋଗୀଙ୍କ ମଧୢରେ ଏ ପ୍ରକାର ଆଦର୍ଶଗତ ବିରୋଧ ମଧୢରେ କୌଣସି ମେଣ୍ଟ ତିଷ୍ଠିବା ସମ୍ଭବ ନୁହେଁ। ଅବଶ୍ୟ, ‘କମଣ୍ତଳ’- ‘ମଣ୍ତଳ’ ବିବାଦ ଫଳରେ ଭି.ପି. ସି˚ହ ସରକାର ଶେଷରେ ପତନ ମୁହଁକୁ ଟାଣି ହୋଇଯାଇଥିଲା। ନିକଟରେ ଜମ୍ମୁ ଓ କଶ୍ମୀରରେ ପିଡିପି ଓ ବିଜେପି ମେଣ୍ଟ ଭୁଶୁଡ଼ିବା ପଛରେ ମଧୢ ଏହିି କାରଣ। ଅନେକ କ୍ଷେତ୍ରରେ ଆଦର୍ଶଗତ ବିରୋଧାଭାସ ସତ୍ତ୍ବେ ଏକ ମିଳିତ ସର୍ବନିମ୍ନ ଅର୍ଥନୈତିକ- ରାଜନୈତିକ କାର୍ଯ୍ୟକ୍ରମ ମେଣ୍ଟକୁ ଯୋଡ଼ି ରଖେ। ଯେମିତି, ଜାତୀୟ ସ୍ତରରେ ଏକ ସର୍ବନିମ୍ନ ଅର୍ଥନୈତିକ- ରାଜନୈତିକ କାର୍ଯ୍ୟକ୍ରମ ଆଧାରରେ ବାମପନ୍ଥୀମାନେ କ˚ଗ୍ରେସ ନେତୃତ୍ବାଧୀନ ୟୁପିଏକୁ ସମର୍ଥନ ଦେଇଥିଲେ। ତେବେ, ଦେଖାଯାଇଛି ଯେ, କୌଣସି ସର୍ବନିମ୍ନ ମିଳିତ କାର୍ଯ୍ୟକ୍ରମ ପରିବର୍ତ୍ତେ, ଯେ କୌଣସି ମତେ କ୍ଷମତା ହାସଲ କିମ୍ବା ପ୍ରତିଦ୍ବନ୍ଦ୍ବୀଙ୍କୁ କ୍ଷମତାଠାରୁ ଦୂରେଇ ରଖିବାର ସ˚କୀର୍ଣ୍ଣ ଲକ୍ଷ୍ୟ ନେଇ ମେଣ୍ଟ ଗଠନ ହେଉଛି। ଯେମିତି, କର୍ଣ୍ଣାଟକରେ ପୂର୍ଣ୍ଣ ସ˚ଖ୍ୟାଗରିଷ୍ଠତାଠାରୁ ମାତ୍ର ୭-୮ଟି ଆସନ କମ୍‌ ଥିବା ସର୍ବବୃହତ୍‌ ଦଳ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଦୁଇ ନମ୍ବର କ˚ଗ୍ରେସ ଓ ତିନିନମ୍ବର ଜେଡି(ଏସ୍‌) ଏକାଠି ହେଲେ। କିନ୍ତୁ ପରିସ୍ଥିତିର ବାଧୢବାଧକତାରେ ତିନିନମ୍ବର ଦଳ ମେଣ୍ଟରେ ବରିଷ୍ଠ ବା ଏକନମ୍ବର ସହଯୋଗୀର ସ୍ଥାନ ପାଇଲା ଓ ସ˚ଖ୍ୟା ଦୃଷ୍ଟିରୁ ଦୁଇ ନମ୍ବର କ˚ଗ୍ରେସ କନିଷ୍ଠ ସହଯୋଗୀ ସ୍ଥାନରେ ରହିଲା। ଏଭଳି ଏକ ଅସ୍ବାଭାବିକ ସୁବିଧାବାଦୀ ମେଣ୍ଟରେ ଭାରସାମ୍ୟ ନରହିବା ସ୍ବାଭାବିକ। ଯାହାର ପରିଣତି ସା˚ପ୍ରତିକ ସଙ୍କଟ। ମେଣ୍ଟରେ ସ୍ଥିରତା ଲାଗି ସ˚ଖ୍ୟା ଦୃଷ୍ଟିରୁ ସର୍ବବୃହତ୍‌ ଦଳ ଏହାର ନେତୃତ୍ବ ନେବା ଉଚିତ। ବିହାରରେ ମହାମେଣ୍ଟରେ ସର୍ବବୃହତ୍‌ ଦଳ ଥିଲା ଆର‌୍‌ଜେଡି। କିନ୍ତୁ ମୁଖ୍ୟମନ୍ତ୍ରୀ ହେଲେ ଜେଡି (ୟୁ) ନେତା ନୀତିଶ କୁମାର। ଫଳରେ ମେଣ୍ଟ ଅଧିକ ଦିନ ତିଷ୍ଠି ରହି ପାରିଲା ନାହିଁ। ଉଚ୍ଚାକା˚କ୍ଷା ଓ ନେତୃତ୍ବ ପାଇଁ କନ୍ଦଳ ମେଣ୍ଟ ରାଜନୀତି ବିଫଳ ହେବାର ଆଉ ଏକ କାରଣ। ୧୯୭୭ରୁ ୧୯୯୬ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ମେଣ୍ଟ ସରକାର ମାନଙ୍କ ବିଫଳତା ପଛରେ ନେତୃତ୍ବ କନ୍ଦଳ ଏକ ପ୍ରମୁଖ କାରଣ। ମେଣ୍ଟର ନେତା କିଏ ହେବେ? ଏହି ପ୍ରଶ୍ନ ଉପରେ ତୃତୀୟ ସାମ୍ମୁଖ୍ୟ ଗଠନ ଉଦ୍ୟମ ବହୁବାର ଅଟକି ଯାଇଛି। ୟୁପିରେ ବିଏସ୍‌ପି ଓ ଏସ୍‌ପି ମେଣ୍ଟ ଭାଙ୍ଗିବା ପଛରେ ଆଦର୍ଶଗତ ବିିରେଧାଭାସ ସହ ନେତୃତ୍ବ ନେଇ ଛକାପ˚ଝା ମଧୢ ଗୋଟିଏ ବଡ଼ କାରଣ। ରାଜ୍ୟସ୍ତରରେ ନେତୃତ୍ବ ପ୍ରଶ୍ନର ସମାଧାନ ପାଇଁ ଅଢେ଼ଇ ବର୍ଷିଆ ପାଳିରେ ମୁଖ୍ୟମନ୍ତ୍ରୀ ନିଯୁକ୍ତିର ମଧୢ ପରୀକ୍ଷା ହୋଇଛି। କିନ୍ତୁ ଜମ୍ମୁ ଓ କଶ୍ମୀର ବ୍ୟତୀତ ଅନ୍ୟ ସବୁ ରାଜ୍ୟରେ ଏହା ବିଫଳ ହୋଇଛି।

ରାଜ୍ୟସ୍ତରରେ ମେଣ୍ଟ ସରକାର ମାନେ ଅଳ୍ପାୟୁ ହୋଇ ରାଜନୈତିକ ଅସ୍ଥିରତାର ପ୍ରତିଶବ୍ଦ ପାଲଟିବା ପଛରେ ଅନ୍ୟ ଏକ ମୁଖ୍ୟ କାରଣ ସାମ୍ବିଧାନିକ କ୍ଷମତା ଓ ପଦର ଅପବ୍ୟବହାର। ରାଜନୈତିକ ସ୍ବାର୍ଥ ପାଇଁ ପ୍ରତିଦ୍ବନ୍ଦ୍ବୀ ଦଳମାନଙ୍କ ମେଣ୍ଟ ସରକାରକୁ ଗାଦିଚ୍ୟୁତ କରିବା ଲାଗି କେନ୍ଦ୍ରରେ କ୍ଷମତାସୀନ ଦଳର ସରକାର ମାନଙ୍କ ଦ୍ବାରା ସମ୍ବିଧାନର ଧାରା ୩୫୬ର ଅପବ୍ୟବହାରର ଅନେକ ଦୁଃଖଦ ଉଦାହରଣ ରହିଛି। ଏଥିପାଇଁ ରାଜ୍ୟପାଳ ପଦର ବହୁବାର ଅପପ୍ରୟୋଗ ମଧୢ ହୋଇଛି। କେନ୍ଦ୍ରରେ କ୍ଷମତାସୀନ ଦଳର ଏଜେଣ୍ଟ ଭାବେ ରାଜ୍ୟପାଳ ପଦର ଅପବ୍ୟବହାର ରୋକିବା ଲାଗି ସରକାରିଆ କମିସନଙ୍କ ସୁପାରିସ କାର୍ଯ୍ୟକାରୀ କରାଯିବା ଉଚିତ। ଅବଶ୍ୟ, କୌଣସି ସରକାରର ସ˚ଖ୍ୟାଗରିଷ୍ଠତା ପରୀକ୍ଷା ଲାଗି ବିଧାନସଭା କକ୍ଷ ହିଁ ଏକମାତ୍ର ପ୍ରକୃଷ୍ଟ ମଞ୍ଚ ବୋଲି ବୋମାଇ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ରାଜ୍ୟସ୍ତରରେ ସରକାର ଭଙ୍ଗାଗଢ଼ାରେ ରାଜ୍ୟପାଳ ମାନଙ୍କ ଖଳନାୟକ ଭୂମିକା କିଛିମାତ୍ରାରେ ସଙ୍କୁଚିତ ହୋଇଛି। ଦଳବଦଳ ନିରୋଧ ଆଇନ ପରେ ବାଚସ୍ପତିଙ୍କ ଦ୍ବାରା କ୍ଷମତାର ଅପବ୍ୟବହାର ଆଉ ଏକ ଅପଲକ୍ଷଣ। ତାମିଲନାଡୁରେ ବିଦ୍ରୋହୀ ଆନ୍ନାଡିଏମ୍‌କେ ବିଧାୟକମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବା ଫଳରେ ଦଳର ସରକାର ତିଷ୍ଠିଗଲା। କର୍ଣ୍ଣାଟକରେ ବୋଧହୁଏ କୁମାରସ୍ବାମୀ ସରକାର ବର୍ତ୍ତମାନ ସୁଦ୍ଧା ଭାଙ୍ଗି ଯାଇଥାନ୍ତା, ଯଦି ବାଚସ୍ପତି ବିଦ୍ରୋହୀଙ୍କ ଇସ୍ତଫା ଗ୍ରହଣରେ ଟାଳଟୁଳ କରି ସମୟ ଗଡ଼ାଇ ଚାଲି ନଥାନ୍ତେ।

ବହୁ ଦଳୀୟ ଭାରତୀୟ ଗଣତନ୍ତ୍ରରେ ମେଣ୍ଟ ରାଜନୀତିକୁ ଏଡ଼ାଯାଇ ପାରିବ ନାହିଁ। ଏହା ଅବଶ୍ୟମ୍ଭାବୀ ଓ ମେଣ୍ଟ ସରକାର ଗଠନର ସମ୍ଭାବନା ସବୁବେଳେ ରହିବ। କିନ୍ତୁ ମେଣ୍ଟ ସରକାର, ଯେମିତି ରାଜନୈତିକ ଅସ୍ଥିରତା, ଶାସନରେ ଅରାଜକତାର ପ୍ରତିଶବ୍ଦ ନ ହୁଏ, ସେଥିପାଇଁ ଉଭୟ ରାଜନୈତିକ ସ˚ସ୍କୃତି ଓ ସାମ୍ବିଧାନିକ ବ୍ୟବସ୍ଥାରେ ସ˚ସ୍କାରର ଆବଶ୍ୟକତା ନିଶ୍ଚୟ ରହିଛି।

ସମ୍ବନ୍ଧିତ ଖବର

Comments are closed.