ରବିବାର ଦିନ ଖେଳ କସରତ ଦୁନିଆରେ ଦୁଇଟି ଅବସ୍ମରଣୀୟ ଭାବରେ ରୋମାଞ୍ଚକର ଘଟଣା ଘଟିଥିଲା। ଦୁଇଟିଯାକ ଘଟଣାର ସ୍ଥାନ ଥିଲା ଲଣ୍ତନ୍। ଗୋଟିଏ ଥିଲା କ୍ରିକେଟ ଵାର୍ଲଡ଼ କପ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ, ଯାହା ହେଉଛି ଆମର ପାର୍ଶ୍ବବର୍ତ୍ତୀ ସ୍ତମ୍ଭର ବିଷୟବସ୍ତୁ। ଅନ୍ୟଟି ଥିଲା ବିଶ୍ବବିଶ୍ରୁତ ମର୍ଯ୍ୟାଦାଜନକ ଵିମ୍ବଲଡନ୍ ଲନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗ୍ଲସ ଫାଇନାଲ୍ ମ୍ୟାଚ୍। ଏ ଦୁଇଟି ମଧୢରୁ କେଉଁଟି ଦର୍ଶକମାନଙ୍କୁ ଅଧିକ ମନ୍ତ୍ରମୁଗ୍ଧ କରି ରଖିଥିବ, ତାହା ସ୍ଥିର କରିବା କଷ୍ଟକର। ଵିମ୍ବଲଡନ୍ର ପ୍ରସିଦ୍ଧ ସେଣ୍ଟର କୋର୍ଟରେ ଯେଉଁ ଦୁଇ ଜଣ ପ୍ରତିଦ୍ବନ୍ଦ୍ବୀ ପ୍ରାୟ ପାଞ୍ଚ ଘଣ୍ଟା କାଳ ପାଞ୍ଚ ସେଟ୍ ବ୍ୟାପୀ ନିର୍ଦ୍ଦୟ ରୢାକେଟ୍ ଯୁଦ୍ଧରେ ପରସ୍ପରର ମୁକାବିଲା କରିଥିଲେ ସେମାନେ ହେଉଛନ୍ତି ଟେନିସ୍ ଖେଳ ଇତିହାସରେ ଦୁଇଜଣ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ରୂପେ ପରିଗଣିତ ସ୍ବିଜର୍ଲାଣ୍ତର ରଜର୍ ଫେଡେରର୍ ଏବ˚ ସର୍ବିଆର ନୋଭାକ୍ ଜୋକୋଭିଚ୍।
Sambad is now on WhatsApp
Join and get latest news updates delivered to you via WhatsApp
ସେ ମ୍ୟାଚ୍ର ରୋମାଞ୍ଚ ବିଷୟରେ ବୋଧହୁଏ ଏତିକି କହିଲେ ଯଥେଷ୍ଟ ହେବ ଜଣେ ବନିଶୀ ପକାଳି ପାଞ୍ଚ ଘଣ୍ଟା ଧରି ଏକ ବିରାଟକାୟ ମାଛ ସହିତ କସରତ୍ କଲା ପରେ ଶେଷରେ ମାଛକୁ ଭିଡ଼ି ଭିଡି ପାଖକୁ ଆଣି ଧରି ତା’ ପାଟିରୁ ବନିଶୀ କଣ୍ଟା କାଢ଼ିବାକୁ ଚେଷ୍ଟା କଲା ବେଳେ ମାଛଟି କଣ୍ଟାରୁ ମୁକୁଳି ହାତରୁ ଖସି ପାଣିକୁ ପଳାଇବା ଭଳି ୩୭ ବର୍ଷୀୟ ଟେନିସ୍ ଯାଦୁକର ଫେଡେରର୍ଙ୍କ ହାତରୁ ଶେଷରେ ୩୨ ବର୍ଷୀୟ ଅଦମ୍ୟ ଦୈହିକ ଦକ୍ଷତାର ଅଧିକାରୀ ଜୋକୋଭିଚ୍ ଖସି ଯାଇ ବିଜୟ ଲାଭ କରିଥିଲେ।
ଲଣ୍ତନ୍ର ଖେଳପ୍ରିୟ ଅଧିବାସୀ ଓ ବହିରାଗତ ପର୍ଯ୍ୟଟକମାନେ ସେଦିନ ଏ ଦୁଇଟି ବହୁ ଅପେକ୍ଷିତ ଫାଇନାଲ୍ ମ୍ୟାଚ ମଧୢରୁ କେଉଁଟିକୁ ଦେଖିବାକୁ ଯିବେ ହୁଏତ ସେ ନେଇ ବେଶ୍ ଦ୍ବନ୍ଦ୍ବରେ ପଡ଼ିଯାଇଥିବେ। ଯେଉଁଟିରେ ଉପସ୍ଥିତ ଥିଲେ ବି ସେଦିନ ସେମାନେ ଭରପୂର ଆନନ୍ଦ ଓ ରୋମାଞ୍ଚ ଧରି ଘରକୁ ଫେରିଥିବେ, ଏଥିରେ କୌଣସି ସନ୍ଦେହ ନାହିଁ- ସେମାନେ ସମର୍ଥନ କରୁଥିବା ପକ୍ଷର ଜୟ ପରାଜୟ ନିର୍ବିଶେଷରେ। ରବିବାର ଦିନର ଏ ଦୁଇ ଘଟଣା ଯାହା ସାବ୍ୟସ୍ତ କରିଥାଏ ତାହା ହେଲା ମନୁଷ୍ୟ ଉପରେ ଖେଳ କସରତର ବ୍ୟାପକ ଓ ଶକ୍ତିଶାଳୀ ପ୍ରଭାବ ଯାହା କେତେ ଘଣ୍ଟା ପାଇଁ ଏ ଦୁଇଖେଳ ଦେଖୁଥିବା ତଥା ଏ ସମ୍ବନ୍ଧରେ ନିରନ୍ତର ଖବର ରଖୁଥିବା ପୃଥିବୀ ବ୍ୟାପୀ ଅସୁମାରି ଲୋକଙ୍କ ଚେତନାକୁ ଗୋଟିଏ ରଜ୍ଜୁରେ ବାନ୍ଧି ରଖିଥିଲା।
ଖେଳ କସରତ ହେଉଛି ସାମାଜିକ ପ୍ରାଣୀ ମନୁଷ୍ୟର ଏକ ଉଦ୍ଭାବନ। ସେଦିନ ଏହି ଉଦ୍ଭାବନର ମହିମା ଯେଉଁଭଳି ସେଠାରେ ଅନୁଭୂତ ହୋଇଥିଲା, ମନୁଷ୍ୟର ଅନ୍ୟ ଏକ ସାମାଜିକ ଉଦ୍ଭାବନର ପରାକ୍ରମ ମଧୢ ସେଇଭଳି ଅନୁଭୂତ ହୋଇଥିଲା, ଯାହା ଏହି ଦୁଇ ଖେଳ ପ୍ରତିଯୋଗିତା ମାଧୢମରେ ଅନେକଙ୍କ ପାଇଁ ଅତ୍ୟନ୍ତ ବେଦନାଦାୟକ ଥିଲା। ମନୁଷ୍ୟର ସେଇ ଅନ୍ୟ ଉଦ୍ଭାବନଟି ହେଉଛି- ଅର୍ଥନୀତି, ଯାହାର ଅଲ˚ଘ୍ୟ ନିୟମ ଅନୁସାରେ ବଜାରରେ ଯେ କୌଣସି ଜିନିଷ ବା ସେବାର ମୂଲ୍ୟ ନିରୂପିତ ହୋଇଥାଏ କେବଳ ଗୋଟିଏ ଉପାୟରେ: ସମ୍ପୃକ୍ତ ଦ୍ରବ୍ୟ ବା ସେବା ପାଇଁ ଚାହିଦା ଓ ତାହାର ଯୋଗାଣର ସ୍ଥିତି ଉପରେ। ଏହି ନିୟମ ବଳରେ ବଜାରରେ ମାଛ ବା ମଟର ଗାଡ଼ିରୁ ଆରମ୍ଭ କରି ଡାକ୍ତରଙ୍କ ଫିସ୍ ବା ଵାର୍ଲଡ କପ୍ କ୍ରିକେଟ ଫାଇନାଲ ମ୍ୟାଚ୍ର ଟିକେଟ କିମ୍ବା ଵିମ୍ବଲଡନ୍ ଟିକେଟ୍ର ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ। ଏହା ଆମର ସାଧାରଣ ଅନୁଭୂତି ଯେ ଚାହିଦା ତୁଳନାରେ ଯୋଗାଣର ପରିମାଣ ଅଧିକ ହେଲେ ଦାମ୍ କମ୍ ହୋଇଥାଏ ଏବ˚ ଯୋଗାଣ ତୁଳନାରେ ଚାହିଦାର ପରିମାଣ ଅଧିକ ହେଲେ ଦାମ୍ ବେଶୀ ହୋଇଥାଏ।
ଗତାନୁଗତିକ ଜୀବନରେ ଅର୍ଥନୀତିର ଏହି ଦୁର୍ବାର ଦର ନିର୍ଦ୍ଧାରଣକାରୀ ନିୟମର ପ୍ରଚ୍ଛନ୍ନ ପ୍ରଭାବକୁ ହୁଏତ କିଏ ଭୁଲି ଯାଇଥିବେ; କିନ୍ତୁ ରବିବାର ଦିନ ଲର୍ଡସ୍ ଠାରେ ଇ˚ଲାଣ୍ତ ଓ ନ୍ୟୁଜିଲ୍ୟାଣ୍ତ ମଧୢରେ ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଉଭୟ ପକ୍ଷର ଯେଉଁ ସମର୍ଥକମାନେ ହଠାତ୍ ଆଗ୍ରହୀ ହୋଇ ପଡ଼ିଥିବେ, ସେମାନେ ନିଜ ସମ୍ମୁଖରେ ଏହାକୁ ଅଚାନକ ଏକ ମେଘନାଦ ପ୍ରାଚୀର ପରି ଉଭା ହୋଇଯିବା ଦେଖି ଯେଉଁଭଳି ଆର୍ତ୍ତ ଚିତ୍କାର କରିବା ଦେଖାଗଲା ତାହାକୁ ‘ବିଷାଦ ବିଜ୍ଞାନ’ ରୂପେ ପରିଚିତ ଅର୍ଥଶାସ୍ତ୍ରର ବିଜୟ କୁହାଟ ବୋଲି ବର୍ଣ୍ଣନା କରାଯାଇପାରେ। ଭାରତୀୟମାନେ ଯେଉଁଠି ଥା’ନ୍ତୁ ନା କାହିଁକି, କ୍ରିକେଟ୍ ପାଗଳ ରୂପେ ଜଣାଶୁଣା। ଭାରତ ରବିବାରର ଫାଇନାଲ୍ରେ ଖେଳିବା ନିଶ୍ଚିତ ମନେ କରି ସେମାନେ ଲର୍ଡସ ଷ୍ଟାଡ଼ିଅମ୍ର ମୋଟ ଟିକେଟ୍ର ୪୧% ଟିକେଟ୍ ଆଗତୁରା କିଣି ପକାଇଥିଲେ। ସେମି ଫାଇନାଲରେ ପରାଜୟ ପରେ ଭାରତ ଫାଇନାଲ୍କୁ ଉଠି ନ ପାରିବାରୁ ଏହି ଟିକେଟ୍ଧାରୀ ଭାରତୀୟ ସମର୍ଥକମାନେ ଖେଳ ଦେଖିବାକୁ ଆସିଲେ ନାହିଁ, କିନ୍ତୁ ଫାଇନାଲକୁ ଆସିଥିବା ନ୍ୟୁଜିଲ୍ୟାଣ୍ତ ଓ ଇ˚ଲାଣ୍ତର ସମର୍ଥକମାନେ ଟିକେଟ୍ କିଣିବାକୁ ଛୁଟିବା ବେଳେ ଦେଖିଲେ ଟିକେଟ୍ ସବୁ ରହିଛି ଭାରତୀୟମାନଙ୍କ ହାତରେ। ଅର୍ଥାତ୍ ଟିକେଟ୍ର ଏ ନୂତନ ଚାହିଦା ତୁଳନାରେ ଉପଲବ୍ଧ ଯୋଗାଣ ଅତ୍ୟନ୍ତ ସୀମିତ।
ସୁଦୂର ନ୍ୟୁଜିଲ୍ୟାଣ୍ତରୁ ଅଧା ପୃଥିବୀ ଅତିକ୍ରମ କରି ଫାଇନାଲ ମ୍ୟାଚ୍ ଦେଖିବାକୁ ଲଣ୍ତନ୍ରେ ଆସି ପହଞ୍ଚିଥିବା ସମର୍ଥକମାନେ ଟିକେଟ୍ ନ ପାଇ ହତାଶ ହୋଇ ହାତରେ ‘ଟିକେଟ୍ ଦରକାର’ ଲେଖାଥିବା ପ୍ଲାକାର୍ଡ ଧରି ବୁଲିବା ଦେଖାଗଲା। ନ୍ୟୁଜିଲ୍ୟାଣ୍ତ ଖେଳାଳିମାନେ ଭାରତୀୟମାନଙ୍କୁ ଉଚିତ ଦାମ୍ରେ ଟିକେଟ୍ ଫେରାଇ ଦେବାକୁ ଅନୁରୋଧ କରି ଟ୍ବିଟ୍ କରିବା ମଧୢ ଦେଖାଗଲା। ଖେଳର ଆୟୋଜକ ‘ଆଇସିସି’ ମଧୢ ଭାରତୀୟମାନଙ୍କୁ ଅନୁରୂପ ଅନୁରୋଧ କରିବା ଦେଖାଗଲା। କିନ୍ତୁ ଭାରତୀୟମାନଙ୍କ କ୍ରିକେଟ୍ ନିଶା ଯେଉଁଭଳି ପ୍ରବଳ, ସେମାନଙ୍କର ବ୍ୟବସାୟ ବୁଦ୍ଧି ମଧୢ ସେହିପରି ପ୍ରଖର। ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ପୂର୍ବରୁ ସେମାନେ ମୋଟ ୩୦,୦୦୦ ଆସନ ବିଶିଷ୍ଟ ଲର୍ଡସ୍ ଷ୍ଟାଡ଼ିଅମର ଯେଉଁ ପ୍ଲାଟିନମ୍ ଶ୍ରେଣୀ ଟିକେଟ୍କୁ ୩୯୫ ପାଉଣ୍ତ (୩୪,୦୦୦ ଟଙ୍କା) ଦେଇ କିଣିଥିଲେ ବା ଯେଉଁ ଗୋଲ୍ଡ଼ ଟିକେଟ୍କୁ ୨୯୫ ପାଉଣ୍ତ (୨୪,୦୦୦ ଟଙ୍କା) ଦେଇ କିଣିଥିଲେ, ତାହାକୁ ‘ଷ୍ଟବ ହବ୍’ ନାମକ ଏକ େଵବ୍ସାଇଟ୍ ମାଧୢମରେ ଯଥାକ୍ରମେ ୧୨,୧୫୦ ପାଉଣ୍ତ (୧୦.୫ ଲକ୍ଷ ଟଙ୍କା) ୭,୮୯୬ ପାଉଣ୍ତ (୬.୮ ଲକ୍ଷ ଟଙ୍କା) ଦାମ୍ରେ ବିକ୍ରି କରିବାରେ ଲାଗିଲେ। ଲାଭ ପ୍ରାୟ ୫୦ ଗୁଣ! ନ୍ୟୁଜିଲ୍ୟାଣ୍ତ ଭାରତକୁ ଖେଳ ପଡ଼ିଆରେ ହରାଇଥିଲା ସତ, କିନ୍ତୁ ବଜାରରେ ଭାରତୀୟମାନେ ଏ ଯେଉଁ ପ୍ରତିଶୋଧ ନେଲେ, ସେମାନଙ୍କର ପରାଜୟର ଗ୍ଲାନିକୁ ଅନେକ ମାତ୍ରାରେ ଦୂରୀଭୂତ କରିଥିବ ନିଶ୍ଚୟ।
ଏକ ପକ୍ଷ ବ୍ୟାପୀ ଖେଳା ଯାଉଥିବା ଵିମ୍ବଲଡନ୍ ଟୁର୍ଣ୍ଣାମେଣ୍ଟର ଗୁରୁତ୍ବପୂର୍ଣ୍ଣ ମ୍ୟାଚମାନ ଅନୁଷ୍ଠିତ ହୋଇଥାଏ ସେଣ୍ଟର କୋର୍ଟରେ, ଯାହାର ସ୍ଥାନ ସ˚ଖ୍ୟା ହେଉଛି ୧୫,୦୦୦ରୁ ସାମାନ୍ୟ କମ୍। କେବଳ ଲଣ୍ତନ୍ ନୁହେଁ ପୃଥିବୀ ସାରାର ଖେଳ ପ୍ରେମୀ ଓ ସେଲିବ୍ରିଟିମାନେ ଏହି ସମୟରେ ସେଣ୍ଟର୍ କୋର୍ଟରେ ଖେଳ ଦେଖିବାକୁ ଠୁଳ ହୋଇଯାଆନ୍ତି। ଏଠାରେ ତେଣୁ ଏକ ଯୋଗାଣ-ଚାହିଦା ବଳ କଷାକଷି ଅବଶ୍ୟମ୍ଭାବୀ। ଯଦି ବଜାରକୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଏ, ତେବେ ଅଧିକା˚ଶ ସୀମିତ ସମ୍ବଳଧାରୀ ଖେଳପ୍ରେମୀ ଅତି ଉଚ୍ଚା ଦାମ୍ ଦେଇ ଖେଳ ଦେଖିପାରିବେ ନାହିଁ। ଏଠାରେ ତେଣୁ ଆୟୋଜକମାନେ ସିଟ୍ ସବୁକୁ ଭାଗ ଭାଗ କରି ଦେଇ ବିଭିନ୍ନ ପଦ୍ଧତିରେ ସେଥିପାଇଁ ଟିକେଟ୍ ବିକ୍ରି କରୁଛନ୍ତି। ମୋଟ୍ ସିଟ୍ର ଏକ ଷଷ୍ଠା˚ଶ ସିଟ୍କୁ ସିଟ୍ ପିଛା ୧ ଲକ୍ଷ ଡଲାର୍ ହିସାବରେ ପାଞ୍ଚବର୍ଷ ପାଇଁ ଟିକେଟ୍ ବିକ୍ରି କରୁଛନ୍ତି। ଅନ୍ୟ ସିଟ୍ ସବୁକୁ ଲଟେରି ପକାଇ ବିକ୍ରି କରିବା ଠାରୁ ଆରମ୍ଭ କରି ଧାଡ଼ିରେ ଛିଡ଼ା ହୋଇଥିବା ଦର୍ଶକମାନଙ୍କୁ ବିକ୍ରି କରିବା ପଦ୍ଧତି ଅବଲମ୍ବନ କରାଯାଇ ଅପେକ୍ଷାକୃତ କମ୍ ଦାମ୍ରେ ବିକ୍ରି କରାଯାଏ। କେତେକ ଶ୍ରେଣୀର ଟିକେଟକୁ ଭାଗ୍ୟଶାଳୀ ଗ୍ରାହକ ଚଢ଼ାଦାମ୍ରେ ପୁନଃ ବିକ୍ରୟ କରି ସେଇ ଭଳି ଲାଭ କରିଥାନ୍ତି, ଯେମିତି ଭାରତୀୟମାନେ କ୍ରିକେଟ ଟିକେଟ୍ ପୁନଃ ବିକ୍ରୟ କରି ପାଇଛନ୍ତି। ଉଭୟ ଖେଳରେ ସମୟକ୍ରମେ ବିଜେତା ବଦଳି ଥାନ୍ତି। କିନ୍ତୁ ବଜାର ଖେଳରେ ବିଜେତା ସର୍ବଦା ଅପରିବର୍ତ୍ତିତ ଥାଏ- ‘ଚାହିଦା ଯୋଗାଣର ନିୟମ’।