ମହା-ଚକ୍ରାନ୍ତ

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ୨୦୧୭, ଅକ୍ଟୋବର ୯ ତାରିଖ ଦିନ ମାନ୍ୟବର ଉଚ୍ଚତମ ନ୍ୟାୟାଳୟକୁ କେନ୍ଦ୍ର ସରକାର ଅବଗତ କରିଥିଲେ ଯେ, ଓଡ଼ିଶା- ଛତିଶଗଡ଼ ଜଳ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ସକାଶେ ପ୍ରକ୍ରିୟା ଚାଲିଛି। ପ୍ରତିଶ୍ରୁତି ଦେଇଥିଲେ ଯେ, ଅନ୍ତଃ-ରାଜ୍ୟ ନଦୀ ଜଳ ବିବାଦ ସମାଧାନ ଆଇନ୍‌-୧୯୫୬ ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା (୨୦୧୭,ନଭେମ୍ବର ୧୯) ପୂର୍ବରୁ ନ୍ୟାଧୀକରଣ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ କଣ୍ଟ ପୂରିଗଲା ପରେ ବି ଟ୍ରିବ୍ୟୁନାଲ ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ। ଫଳରେ କେନ୍ଦ୍ରର ମତିଗତି ନେଇ ଯେଉଁ ଆଶଙ୍କା ଓ ସନ୍ଦେହ ପ୍ରକାଶ ପାଇଥିଲା, ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି। ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେବାର ୫୭ ଦିନ ପରେ କେନ୍ଦ୍ର ମତ ବଦଳାଇ ପ୍ରତିଶ୍ରୁତିରୁ ଓହରି ଯାଇଛି।

ଅକ୍‌ଟୋବର ୯ ତାରିଖରେ ଯେଉଁ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଥିଲେ ଯେ, ନଭେମ୍ବର ୧୯ ପୂର୍ବରୁ ଟ୍ରିବ୍ୟୁନାଲ ଗଠନ ହେବ, ସେହି କେନ୍ଦ୍ର ସରକାର ଡିସେମ୍ବର ୬ ତାରିଖ ଦିନ ମାନ୍ୟବର ଅଦାଲତଙ୍କୁ ଜଣାଇଛନ୍ତି ଯେ, ମହାନଦୀ ଜଳ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନର କୌଣସି ଆବଶ୍ୟକତା ନାହିଁ। ଏହା ମହାନଦୀ ପ୍ରସଙ୍ଗରେ ଓଡ଼ିଶା ପ୍ରତି ମହା-ବିଶ୍ୱାସଘାତକତା ଓ ଏଥିରୁ ଓଡ଼ିଶା ସ୍ୱାର୍ଥ ବିରୋଧରେ ମହା ଚକ୍ରାନ୍ତର ଗନ୍ଧ ସ୍ପଷ୍ଟ ବାରି ହେଉଛି। ମନେ ରଖିବାକୁ ହେବ ଯେ, କେନ୍ଦ୍ର ସରକାର କେବଳ ସୁପ୍ରିମ୍‌କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇ ନଥିଲେ, ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଦେଇ ରକ୍ଷା ନ କରିବା ପ୍ରତାରଣା। ମହାନଦୀ ବିବାଦ ପ୍ରସଙ୍ଗରେ କେନ୍ଦ୍ର ମନୋଭାବରେ ଏ ପରିବର୍ତ୍ତନ ଏହାର ଆଉ ଏକ ଦୁଃଖଦ ଉଦାହରଣ ଯେ, କେନ୍ଦ୍ରର କ୍ଷମତାସୀନ ଦଳର ତୁଙ୍ଗ ନେତାମାନେ, ଓଡ଼ିଶାର ଦାରିଦ୍ର୍ୟ ଓ ଅନଗ୍ରସରତା ଆଡ଼କୁ ଅଙ୍ଗୁଳି ଦେଖାଇ କଟାକ୍ଷ କରି ପାରନ୍ତି ସିନା, ରାଜ୍ୟର ବୃହତ୍ତର ସ୍ୱାର୍ଥ ଓ କଲ୍ୟାଣ ପ୍ରତି ସେମାନଙ୍କ ତଥାକଥିତ ଦରଦ ସମ୍ପୂର୍ଣ୍ଣ ଭେଜାଲ। କହିବାରେ କୌଣସି ଦ୍ୱିଧା ନାହିଁ ଯେ, ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ରର ମତ ପରିବର୍ତ୍ତନ କେବଳ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପ୍ରତି ଉପେକ୍ଷା ନୁହେଁ, ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ଆବେଗ ଓ ଭାବନା ସହ ମଧ୍ୟ ଖେଳ। ଏ ପ୍ରତାରଣା ଦେଶର ସଂଘୀୟ ବ୍ୟବସ୍ଥା ଓ ଭାବନାର ପରିପନ୍ଥୀ।

ଯୁକ୍ତି ଦର୍ଶାଯାଇଛିଯେ, ଓଡ଼ିଶା ପକ୍ଷରୁ ଆବଶ୍ୟକୀୟ ତଥ୍ୟ ଦିଆଯାଇ ନଥିବାରୁ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ଅନୁଭବ କରାଗଲା ନାହିଁ। ଯଦି ତଥ୍ୟ ନଥିଲା, ୫୭ ଦିନ ତଳେ କୋର୍ଟରେ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରତିଶ୍ରୁତି ଦେବା ବେଳେ ଏହି ବିଷୟ ଉଠାଗଲା ନାହିଁ କାହିଁକି? ଇତିମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟିକୁ ଦୁଇଦୁଇଟି ଚିଠି ଲେଖିଲେ। ଓଡ଼ିଶା ପାଖରୁ ସେତେବେଳେ ମଧ୍ୟ ଅଧିକ ତଥ୍ୟ ଲୋଡ଼ାଯାଇ ପାରିଥାନ୍ତା। ପୁଣି ଯଦି ଓଡ଼ିଶା ପକ୍ଷରୁ ତଥ୍ୟ ଦିଆଯାଇ ନଥିଲା, ତେବେ ମାନ୍ୟବର ସୁପ୍ରିମ୍‌ କୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲେ କେମିତି? ଓଡ଼ିଶା ପକ୍ଷରୁ ଦିଆ ଯାଇଥିବା ୪୦୦ ପୃଷ୍ଠାର ଦଲିଲରେ ଯଦି ଯଥେଷ୍ଟ ତଥ୍ୟ ନଥିଲା, ତେବେ ଅଧିକ ତଥ୍ୟ ନଭେମ୍ବର ୧୯ ଆଗରୁ ତଲବ କରାଯାଇ ପାରିଥାନ୍ତା। ତଥ୍ୟର ଅଭାବ ଦର୍ଶାଯିବା କେବଳ ଗୋଟିଏ ଆଳ ମାତ୍ର। କୌଣସି କାମ କରିବା ଲାଗି ଯଦି ଆନ୍ତରିକତା ନଥାଏ, ତେବେ କାର୍ଯ୍ୟ ନକରିବା ସକାଶେ ଶହେ ବାହାନା ଖୋଜିବା ଅତ୍ୟନ୍ତ ସହଜ। ଅସଲ କଥା ହେଲା, କେନ୍ଦ୍ରର ଆଭିମୁଖ୍ୟ ଓଡ଼ିଶା ପ୍ରତି ଆଦୌ ଅନୁକୂଳ ନୁହେଁ। କେନ୍ଦ୍ରର ଏ ପୂରା କସରତ ଓଡ଼ିଶା ସ୍ୱାର୍ଥ ଓ ସ୍ୱାଭିମାନ ବିରୋଧରେ ଯେ ଏକ ଅଭିସନ୍ଧି, ତାହା କେନ୍ଦ୍ର ପକ୍ଷରୁ ଦାଖଲ ଚଉଦ ପୃଷ୍ଠାର ସାନି ସତ୍ୟପାଠରେ ଜଳ ଜଳ। କେନ୍ଦ୍ରର ସତ୍ୟପାଠ ବସ୍ତୁତଃ ଓଡ଼ିଶା ବିରୋଧୀ ଚକ୍ରାନ୍ତର ଏକ କଳା ଚିଠା କହିଲେ ଅତିରଞ୍ଜନ ହେବ ନାହିଁ। ଏଥିରେ ବିବାଦର ଅନ୍ୟତମ ପକ୍ଷ ଛତିଶଗଡ଼ର ଭରପୂର ଓକିଲାତି କରାଯାଇ ଓଡ଼ିଶା ମୁଣ୍ଡରେ ସବୁ ଦୋଷ ଲଦି ଦିଆଯାଇଛି।

ଉପରମୁଣ୍ଡରେ ଛତିଶଗଡ଼ ବନ୍ଧ ନିର୍ମାଣ କରିବା ଫଳରେ ଓଡ଼ିଶାର ସ୍ୱାର୍ଥ ହାନି ଘଟୁନାହିଁ, ତଳମୁଣ୍ଡକୁ ପର୍ଯ୍ୟାପ୍ତ ପାଣି ପ୍ରବାହିତ ହେଉଛି। ଯଦିଓ ବାସ୍ତବତା ହେଲା ନଭେମ୍ବରରେ ପୂର୍ବବର୍ଷ ଅପେକ୍ଷା ୪୧ ପ୍ରତିଶତ ଜଳ ପ୍ରବାହ କମିଛି। ମେ’ ମାସ ବେଳକୁ ପୂର୍ବ ବର୍ଷ ଅପେକ୍ଷା ଜଳ ପ୍ରବାହର ପରିମାଣ ୭୭ ପ୍ରତିଶତ କମିବା ଆଶଙ୍କା ରହିଛି। କେନ୍ଦ୍ର ଏହି ଅଭିଯୋଗ ମଧ୍ୟ କରିଛି ଯେ ଅଯଥା ଓଡ଼ିଶା ଶୂନ୍ୟରେ ବିବାଦ ସୃଷ୍ଟି କରୁଛି, କଥାବାର୍ତ୍ତା ମାଧ୍ୟମରେ ସମାଧାନର ବାଟ ବନ୍ଦ କରି ଦେଇଛି। କଥାବାର୍ତ୍ତାର ବାଟ ବନ୍ଦ ହେବା ପରେ ଯାଇ ଓଡ଼ିଶା ଟ୍ରିବ୍ୟୁନାଲ ପାଇଁ ଆବେଦନ କଲା। ଆଇନ ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ କେନ୍ଦ୍ରର ଦାୟିତ୍ୱ ହୋଇଥିଲେ ସୁଦ୍ଧା ପୁଣି କେନ୍ଦ୍ର ସାନି କଥାବାର୍ତ୍ତାର ପ୍ରସ୍ତାବ ଦେବା କେବଳ ଛତିଶଗଡ଼ରେ ନିର୍ମାଣାଧୀନ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲାଗି ସମୟ ଦେବା ଲାଗି ଉଦ୍ଦିଷ୍ଟ। ପୁଣି ଶୂନ୍ୟରେ କଥାବାର୍ତ୍ତାରୁ ସଫଳତା ମିଳେ ନାହିଁ ସତ। ଏଥିପାଇଁ ଏକ ସଦିଚ୍ଛାପୂର୍ଣ୍ଣ ବାତାବରଣ ପ୍ରାକ୍‌-ଆବଶ୍ୟକତା। ଛତିଶଗଡ଼ ପ୍ରକଳ୍ପ ନିର୍ମାଣ ବନ୍ଦ ରଖିଥିଲେ ହୁଏତ ସଦିଚ୍ଛା ଓ ପାରସ୍ପରିକ ବିଶ୍ୱାସ ସୃଷ୍ଟି ହୋଇ ପାରିଥାନ୍ତା। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିବା ଫଳରେ କଥାବାର୍ତ୍ତା ପାଇଁ ପରିବେଶ ନଷ୍ଟ ହୋଇ ସାରିଛି। ମୋଟ ଉପରେ କେନ୍ଦ୍ର ସରକାର ଓଡ଼ିଶାର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ ଛତିଶଗଡ଼ ପଛରେ ଠିଆ ହୋଇଛନ୍ତି। ବନ୍ଧ ନିର୍ମାଣରେ ଛତିଶଗଡ଼ ଦ୍ୱାରା ଆଇନ ଓ ନିୟମର ଉଲ୍ଲଂଘନ ପ୍ରତି ସତ୍ୟପାଠ ସମ୍ପୂର୍ଣ୍ଣ ନିରବ। କେନ୍ଦ୍ରୀୟ ଜଳ କମିସନଙ୍କ ନିର୍ଦ୍ଦେଶାବଳୀର ଖିଲାପ କରି ଛତିଶଗଡ଼ ଅନେକ ବୃହତ୍‌ ବନ୍ଧ ନିର୍ମାଣ କରିଛି। କିନ୍ତୁ କେନ୍ଦ୍ର ଏହା ଉପରେ କୌଣସି ଆପତ୍ତି ନ ଉଠାଇ ଛତିଶଗଡ଼ର ଦାଦାଗିରିକୁ ଅନୁମୋଦନ କରିଛନ୍ତି। ଗୋଟିଏ ଆନ୍ତଃ-ରାଜ୍ୟ ନଦୀ ଜଳ ବିବାଦରେ କେନ୍ଦ୍ରର ଏ ପ୍ରକାର ଖୋଲାଖୋଲି ପକ୍ଷପାତପୂର୍ଣ୍ଣ ଆଭିମୁଖ୍ୟ ସଂଘୀୟ ବ୍ୟବସ୍ଥା ତଥା ଭାବନାର ପରିପନ୍ଥୀ।

ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଓଡ଼ିଶା ସ୍ୱାର୍ଥ ବିରୋଧରେ କେନ୍ଦ୍ର ସରକାର ଏତେ ବଡ଼ ମହା-ଚକ୍ରାନ୍ତ କଲେ କାହିଁକି? ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ଲାଗି କେନ୍ଦ୍ରର କ୍ଷମତାସୀନ ସରକାର ସଂଘୀୟ ବ୍ୟବସ୍ଥା ଓ ଭାବନା ପ୍ରତି ବେଖାତିର ପ୍ରଦର୍ଶନ କରିଛନ୍ତି। ଏହା କାକତାଳୀୟ କି ସଂଯୋଗମାତ୍ର ନୁହେଁ ଯେ ଯେଉଁ ରାଜ୍ୟ ପାଇଁ କେନ୍ଦ୍ର ଓକିଲାତି କରୁଛନ୍ତି, ସେହି ରାଜ୍ୟ ଓ ଦିଲ୍ଲୀରେ ଗୋଟିଏ ଦଳର ସରକାର ଶାସନ କରୁଛି। ଅନ୍ୟପକ୍ଷରେ ପ୍ରତିବାଦୀ ରାଜ୍ୟ ଓଡ଼ିଶା ଅଣ-ବିଜେପି ଦଳ ବିଜେଡି ଦ୍ୱାରା ଶାସିତ। ଗୋଟିଏ ଗୁଳିରେ ଦୁଇଟି ଶିକାର ଲକ୍ଷ୍ୟରେ ଏହି ଚକ୍ରାନ୍ତ। ପ୍ରଥମ ଛତିଶଗଡ଼ରେ ଦଳୀୟ ସରକାରର ସୁରକ୍ଷା। ଆଉ ମାତ୍ର ନଅ ମାସ ଭିତରେ ଛତିଶଗଡ଼ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ଟ୍ରିବ୍ୟୁନାଲ ଗଠନ ହେଲେ ସରକାର ଚଳାଉଥିବା ଦୁର୍ବଳ ବିଜେପିର ସ୍ଥିତି ଆହୁରି ଦୁର୍ବଳ ହୋଇ ପଡ଼ିବ। ଏହି ଆଶଙ୍କାରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନ୍ୟାଧୀକରଣ ଗଠନକୁ ଏଡ଼ାଇ ଯାଉଛନ୍ତି। ଏହି ପ୍ରସଙ୍ଗରେ ଆଉ ଗୋଟିଏ ବିଷୟ ମଧ୍ୟ ଉଲ୍ଲେଖର ଅପେକ୍ଷା ରଖୁଛି। କେନ୍ଦ୍ର ସରକାର ଛତିଶଗଡ଼ର ସ୍ୱାର୍ଥ ରକ୍ଷା ଆଳରେ ବସ୍ତୁତଃ କେତେକ ବ୍ୟବସାୟ ଓ ଶିଳ୍ପଗୋଷ୍ଠୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବ୍ୟଗ୍ର। ଛତିଶଗଡ଼ରେ ଯେତେ ସବୁ ବୃହତ୍‌ ବନ୍ଧ ନିର୍ମାଣ ହେଉଛି, ପ୍ରାୟ ସବୁ ଶିଳ୍ପଗୋଷ୍ଠୀଙ୍କ ଅର୍ଥରେ ତିଆରି ହେଉଛି। କୃଷି ଆଳରେ ଶିଳ୍ପକୁ ପାଣି ଦେବା ଲାଗି ଏହା ଉଦ୍ଦିଷ୍ଟ।

କେନ୍ଦ୍ରରେ କ୍ଷମତାସୀନ ଦଳର ପ୍ରଥମ ଲକ୍ଷ୍ୟ ଛତିଶଡ଼ରେ ନିଜ ଦଳର ସ୍ୱାର୍ଥକୁ ସୁରକ୍ଷା ହୋଇଥିବା ବେଳେ ଓଡ଼ିଶାରେ ପ୍ରତିଦ୍ୱନ୍ଦ୍ୱୀ ଶାସକ ଦଳ ବିଜେଡିକୁ ଯେମିତି କୌଣସି ରାଜନୈତିକ ଲାଭ ନ ମିଳେ, ତାହା ଅଭିସନ୍ଧିର ଦ୍ୱିତୀୟ ଲକ୍ଷ୍ୟ। ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲେ କାଳେ ସରକାରୀ ଦଳ ବିଜେଡିକୁ ରାଜନୈତିକ ଫାଇଦା ମିଳିବ, ଏହି ଆଶଙ୍କା କେନ୍ଦ୍ରର ନିଷ୍ପତ୍ତିକୁ ପ୍ରଭାବିତ କରିଛି। ତେବେ ଏହା ବୁମେରାଂ ହେବାର ଆଶଙ୍କାକୁ ଅସ୍ୱୀକାର କରାଯାଇ ନପାରେ। ଯଦି କେନ୍ଦ୍ର ସରକାର ବିଜେଡିକୁ କାଳେ ରାଜନୈତିକ ଫାଇଦା ମିଳିଯିବ ବୋଲି ଆଶଙ୍କା କରି ଟ୍ରିବ୍ୟୁନାଲ ଗଠନ ନିଷ୍ପତ୍ତିରୁ ଓହରିଛନ୍ତି, ତେବେ ତାହା ଓଡ଼ିଶାବାସୀଙ୍କ ନଜରରେ ବିଜେପିକୁ ଓଡ଼ିଶା ସ୍ୱାର୍ଥ ବିରୋଧୀ ଭାବେ ଉପସ୍ଥାପିତ କରିବ। ସମ୍ଭବତଃ ଓଡ଼ିଶା ଅପେକ୍ଷା ଛତିଶଗଡ଼ରେ ଦଳୀୟ ସ୍ୱାର୍ଥକୁ କେନ୍ଦ୍ରୀୟ ନେତୃତ୍ୱ ଅଧିକ ପ୍ରାଥମିକତା ଦେଇଛନ୍ତି। ରାଜ୍ୟ ବିଜେପି ନେତାଏ ବିଜେଡି ଉପରେ ଦୋଷ ଲଦି କେନ୍ଦ୍ରର ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ଯଥାର୍ଥ ସାବ୍ୟସ୍ତ କରି ପାରିବେ ନାହିଁ। ତେଣୁ ସେମାନେ ମଧ୍ୟ ପାର୍ଟି ଛାଡ଼ି ମାଟି ପାଇଁ ସ୍ୱର ଉଠାନ୍ତୁ।

ଏବେ ଆଗକୁ କ’ଣ? ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଉଭୟ ନ୍ୟାୟିକ ଏବଂ ରାଜନୀତିକ ସ୍ତରରେ ଅନ୍ୟ ବିକଳ୍ପ ନାହିଁ। ରାଜ୍ୟ ସରକାର ଅନ୍ୟ ସବୁ ଦଳ, ରାଜନୈତିକ- ସାମାଜିକ ସଂଗଠନଙ୍କୁ ସାଙ୍ଗରେ ନେଇ ଅଭିଯାନ ଚଳାନ୍ତୁ। ମୁଖ୍ୟମନ୍ତ୍ରୀ ଏ ଲଢ଼େଇର ସେନାପତି ହୁଅନ୍ତୁ। ତେବେ ଦୁଃଖର ବିଷୟ ହେଲା ବୁଧବାର ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ଦୀର୍ଘ ଆଲୋଚନା ବେଳେ ମିଳିତ ଲଢ଼େଇ ପାଇଁ ରାଜ୍ୟର ରାଜନୀତିକ ବର୍ଗଙ୍କ ଏକତା ଓ ଇଚ୍ଛାଶକ୍ତିର କୌଣସି ପ୍ରତିଫଳନ ଦେଖିବାକୁ ମିଳିନାହିଁ। ବର୍ତ୍ତମାନ ମହାନଦୀ ପ୍ରସଙ୍ଗ ଏମିତି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆହ୍ଵାନ ବହୁଗୁଣିତ ହୋଇଛି। ସାମାନ୍ୟତମ ଅବହେଳା, ଉଦାସୀନତା ରାଜ୍ୟ ପାଇଁ ବହୁତ ମହଙ୍ଗା ପଡ଼ିପାରେ।

ସମ୍ବନ୍ଧିତ ଖବର