ଚନ୍ଦ୍ର ସ୍ୱପ୍ନ

ଆମେରିକାର ମହାକାଶ ଗବେଷଣା ସ˚ସ୍ଥା ‘ନାସା’ର ମହାକାଶ ଯାନ ‘ଆପୋଲୋ-୧୧’ରେ ଯାତ୍ରା କରି ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ୧୯୬୯, ଜୁଲାଇ ୨୦ ତାରିଖ ଦିନ ପ୍ରଥମ ମଣିଷ ଭାବେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲେ। ଆଜି (ଜୁଲାଇ ୨୦) ସମଗ୍ର ବିଶ୍ବ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ସେହି ଦୁର୍ଦ୍ଧର୍ଷ ଚନ୍ଦ୍ର ଅଭିଯାନର ସଫଳତାର ପଚାଶ ବର୍ଷ ପୂର୍ତ୍ତି ପାଳନ କରୁଛି। ଚନ୍ଦ୍ରରେ ପ୍ରଥମ ପାଦ ଥାପି ଆର୍ମଷ୍ଟ୍ରଙ୍ଗ୍‌ ଏକ ବାର୍ତ୍ତାରେ କହିଥିଲେ, ‘ଜଣେ ମଣିଷ ପାଇଁ ଏହା ଗୋଟିଏ କ୍ଷୁଦ୍ର ପାଦ, କିନ୍ତୁ ମାନବ ଜାତି ପାଇଁ ଏକ ବିରାଟ ପାହୁଣ୍ତ’। ଆର୍ମଷ୍ଟ୍ରଙ୍ଗ୍‌ଙ୍କ କଥା ସତ ହେବାକୁ ଆଉ ବେଶି ଦୂର ନାହିଁ। ଚନ୍ଦ୍ରରେ ଜନବସତି ସ୍ଥାପନ କଥା ଚିନ୍ତା କରାଯାଉଛି। ମଣିଷର ଜହ୍ନ ରାଇଜର ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଭାରତ ମଧୢ ମହାକାଶ ଗବେଷଣା କ୍ଷେତ୍ରରେ ଏକ ବିରାଟ ପାହୁଣ୍ତ ପକାଇବାକୁ ଯାଉଛି। ଜୁଲାଇ ୧୫ରେ ନିର୍ଧାରିତ ସମୟର ମାତ୍ର ୫୬ ମିନିଟ୍‌ ପୂର୍ବରୁ ସ୍ଥଗିତ ରହିଥିବା ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ଲାଗି ନୂଆ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି। ଆର୍ମଷ୍ଟଙ୍ଗ୍‌ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ୫୦ ବର୍ଷ ପୂର୍ତ୍ତିର ଦୁଇ ଦିନ ପରେ, ଅର୍ଥାତ୍‌ ଜୁଲାଇ ୨୨, ଅପରାହ୍ନ ୨.୪୩ ମିନିଟ୍‌ ସମୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ଅଭିମୁଖେ ତାର ଯାତ୍ରା ଆରମ୍ଭ କରିବ। ମଣିଷର ଜହ୍ନ ରାଇଜ ବିଜୟର ସୁବର୍ଣ୍ଣ ଜୁବୁଲି ପାଳନ ଅବସରରେ ଏହାଠାରୁ ଅଧିକ ଶ୍ରେଷ୍ଠ ମହାକାଶ କାର୍ଯ୍ୟକ୍ରମ ଆଉ କ’ଣ ହୋଇପାରିଥାନ୍ତା!

ଶେଷ ମୁୁହୂର୍ତ୍ତରେ କିଛି ତ୍ରୁଟି ପରିିଲକ୍ଷିତ ହେବାରୁ ଉତ୍‌କ୍ଷେପଣ ପାଇଁ ଚୂଡ଼ାନ୍ତ ଅବଗଣନା ଶେଷ ହେବାର ମାତ୍ର ୫୬ ମିିନିଟ୍‌ ପୂର୍ବରୁ ଚନ୍ଦ୍ରଯାନ-୨ର ଯାତ୍ରାକୁ ସ୍ଥଗିତ ରଖାଗଲା। ଯଥା ସମ୍ଭବ ସ୍ବଳ୍ପ ସମୟ ମଧୢରେ ତ୍ରୁଟି ସୁଧାରି ୩,୮୫୦ କିଲୋଗ୍ରାମ ଓଜନର ଚନ୍ଦ୍ରଯାନ ନେଇ ଯାଉଥିବା ଜିଏସ୍‌ଏଲ୍‌ଭି ଏମ୍‌କେ-୩ ରକେଟକୁ ପୁନର୍ବାର ଉତ୍‌କ୍ଷେପଣ ଲାଗି ପ୍ରସ୍ତୁତ କରିବା ଭାରତୀୟ ମହାକାଶ ବିଜ୍ଞାନୀଙ୍କ ପକ୍ଷରେ ଏକ ବଡ଼ ଆହ୍ବାନ ଥିଲା। ମାତ୍ର ୭ ଦିନ ମଧୢରେ ତ୍ରୁଟି ସୁଧୁରାଯାଇ ଉତ୍‌କ୍ଷେପଣ ସକାଶେ ପୁନର୍ବାର ଦିନ ଓ ସମୟ ଧାର୍ଯ୍ୟ କରାଯିବା ନିଶ୍ଚୟ ଆଶ୍ବସ୍ତିର ବିଷୟ। ଏଥିପାଇଁ ୯୭୮ କୋଟି ଟଙ୍କାର ଦ୍ବିତୀୟ ଚନ୍ଦ୍ର ଅଭିଯାନ ସହ ସମ୍ପୃକ୍ତ ସମସ୍ତ ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଧନ୍ୟବାଦ ଓ ଅଭିନନ୍ଦନର ପାତ୍ର। ଜିଏସ୍‌ଏଲ୍‌ଭି ଏମ୍‌କେ-୩ରେ ଦେଖାଯାଇଥିବା ବୈଷୟିକ ତ୍ରୁଟିର ଅନୁଧୢାନ ଓ ମରାମତିରେ ଯଦି ଅଧିକ ବିଳମ୍ବ ହୋଇଥାନ୍ତା, ତେବେ ଅଭିଯାନକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ପଡ଼ିଥାନ୍ତା। ଯାତ୍ରା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା, ଚନ୍ଦ୍ରଯାନ ନେଇ ଯାଉଥିବା ଲ୍ୟାଣ୍ତର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞା’ ପୂର୍ବ ନିର୍ଧାରିତ ସେପ୍ଟେମ୍ବର ୬-୭ରେ ହିଁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ। ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା, କାରଣ ସୌରଶକ୍ତି ଚାଳିତ ବିକ୍ରମ ଓ ପ୍ରଜ୍ଞାର ଚନ୍ଦ୍ରପୃଷ୍ଠରେ ଆୟୁଷ ମାତ୍ର ଗୋଟିଏ ‘ଚନ୍ଦ୍ର ଦିବସ’ ବା ଚଉଦ ଦିନ। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାକୁ ଥିବା ବିକ୍ରମ ଓ ‘ପ୍ରଜ୍ଞା’ ଓହ୍ଲାଇବାର ଚଉଦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟାଲୋକ ମିଳିବ। ଏହାପରେ ଚନ୍ଦ୍ରର ଦକ୍ଷିଣରେ ସୂର୍ଯ୍ୟାଲୋକ ବିନା ଅନ୍ଧାର ହେଲେ ବିନା ସୌରଶକ୍ତିରେ ଲ୍ୟାଣ୍ତର ବିକ୍ରମ ଓ ରୋଭର ପ୍ରଜ୍ଞା ଅକାମି ହୋଇଯିବେ। ନିର୍ଧାରିତ ତାରିଖରେ ଚନ୍ଦ୍ରରେ ବିକ୍ରମ ଓ ପ୍ରଜ୍ଞାର ଅବତରଣ ନିଶ୍ଚିତ କରିବା ଲାଗି ଚନ୍ଦ୍ରଯାନର ମୋଟ ଯାତ୍ରା ସମୟକୁ ୫୪ ଦିନରୁ ୪୭ ଦିନକୁ କମାଇ ଦିଆଯାଇଛି। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଚନ୍ଦ୍ରକକ୍ଷରେ ଚନ୍ଦ୍ରଯାନ ୨୮ ପରିବର୍ତ୍ତେ ୨୧ ଦିନ ପରିକ୍ରମା କରିବ।

ଚନ୍ଦ୍ରଯାନ-୨ ସଫଳ ହେଲେ, ଗବେଷଣା ପାଇଁ ଚନ୍ଦ୍ରପୃଷ୍ଠରେ ସ୍ବୟ˚ଚାଳିତ ରୋଭର ଅବତରଣ କରାଇବାରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର। ପୁଣି ଭାରତର ଦ୍ବିତୀୟ ଚନ୍ଦ୍ର ଅଭିଯାନର ଆଉ ଏକ ବିଶେଷତ୍ବ ହେଲା, ଚନ୍ଦ୍ରର ଦକ୍ଷିଣ ଗୋଲାର୍ଧରେ ଲ୍ୟାଣ୍ତର ଓ ରୋଭର ଅବତରଣ କରାଇବାରେ ଭାରତ ହେବ ପ୍ରଥମ ଦେଶ। ଏହା ପୂର୍ବରୁ ଅନ୍ୟ କୌଣସି ଦେଶ ଏହି କୃତିିତ୍ବ ହାସଲ କରିନାହାନ୍ତି। ଚନ୍ଦ୍ର ସମ୍ପର୍କରେ ଗବେଷଣା ପାଇଁ ଅଧିକ ତଥ୍ୟ ସ˚ଗ୍ରହ କରି ଚନ୍ଦ୍ରଯାନ-୨ ନୂଆ ଆଲୋକ ଦେଖାଇବାର ସମ୍ଭାବନା ରହିଛି। ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ସେଠାରେ ପାଣିର ସନ୍ଧାନ ଦେଇଥିଲା।

ଆଶା, ଭାରତର ପ୍ରଥମ ଚନ୍ଦ୍ର ଅଭିଯାନର ସଫଳତାକୁ ଚନ୍ଦ୍ରଯାନ-୨ ନିଶ୍ଚୟ ଦୋହରାଇବ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ୨୦୨୨ରେ ପ୍ରଥମ କରି ଜଣେ ଭାରତୀୟଙ୍କୁ ଜହ୍ନ ରାଇଜକୁ ପଠାଇବାର ସ୍ବପ୍ନ ପୂରଣ ଲାଗି ‘ଇସ୍ରୋ’ର ବୈଜ୍ଞାନିକଙ୍କ ମଧୢରେ ଏହା ନୂଆ ଉତ୍ସାହ ଓ ଆତ୍ମବିଶ୍ବାସ ସୃଷ୍ଟି କରିବ। ତେବେ ସଫଳତାର ମୁହୂର୍ତ୍ତରେ ବି ଆଗାମୀ ଦିନର ଅଭିଯାନ ପାଇଁ ବିଫଳତାର ସମୀକ୍ଷା କରି ସେଥିରୁ ଶିକ୍ଷା ଲାଭ ସକାଶେ ଧୈର୍ଯ୍ୟ ଏକାନ୍ତ ଆବଶ୍ୟକ।

ଭାରତୀୟ ମହାକାଶ ଗବେଷଣାର ଇତିହାସ ଏହାର ସାକ୍ଷୀ ଯେ, ହୋମି ଜେ. ଭାବା ଓ ବିକ୍ରମ ସରାଭାଇଙ୍କ ନେତୃତ୍ବରେ ଅତୀତ ବିଫଳତାର ଭିତ୍ତି ଉପରେ ମହାକାଶ ଅଭିଯାନର ବର୍ତ୍ତମାନର ସଫଳତା ଠିଆ ହୋଇଛି ଓ ଭବିଷ୍ୟତ ପାଇଁ ଉଜ୍ଜ୍ବଳ ସମ୍ଭାବନା ମଧୢ ସୃଷ୍ଟି କରିଛି। ଷାଠିଏ ଦଶକରୁ ଆରମ୍ଭ ହୋଇଥିଲା ଭାରତର ମହାକାଶ ଗବେଷଣାର ଯାତ୍ରା। ଗୋଟିଏ ଦଶକରୁ ଅଧିକ ସମୟ ପରେ ୧୯୭୫ରେ ଯାଇ ଭାରତୀୟ ବିଜ୍ଞାନୀମାନେ ତିଆରି କରିପାରିଥିଲେ ପ୍ରଥମ କୃତ୍ରିମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’, ଯାହା ସୋଭିଏତ୍‌ ରୁଷ୍‌ରୁ ମହାକାଶକୁ ପଠାଯାଇଥିଲା। ଏହାର ପାଞ୍ଚବର୍ଷ ପରେ ୧୯୮୦ରେ ଭାରତର ନିଜସ୍ବ ମହାକାଶଯାନ ପିିଏସ୍‌ଏଲ୍‌ଭି ପ୍ରଥମ କରି ‘ରୋହିଣୀ’ ଉପଗ୍ରହକୁ ନେଇ ମହାକାଶରେ ଛାଡ଼ିଥିଲା। ଇତିମଧୢରେ ପିିଏସ୍‌ଏଲ୍‌ଭି ମହାକାଶଯାନ ୪୬ ଥର ସଫଳତାର ସହ ମହାକାଶକୁ ଯାଇଛି ଏବ˚ ବିଭିନ୍ନ ସମୟରେ ୨୦୦ରୁ ଅଧିକ ଉପଗ୍ରହକୁ ସଫଳତାପୂର୍ବକ ମହାକାଶର ଭୂ-ସ୍ଥିର କକ୍ଷରେ ଅବସ୍ଥାପିତ କରିଛି। ତେବେ ପିିଏସ୍‌ଏଲ୍‌ଭିର ସଫଳତା ଜିଏସ୍‌ଏଲ୍‌ଭି ରକେଟ କ୍ଷେତ୍ରରେ ଦୋହରାଇବାକୁ ଆହୁରି ସମୟ ଲାଗି ଯାଇପାରେ। କାରଣ ଜିଏସ୍‌ଏଲ୍‌ଭିରେ ପ୍ରୟୋଗ ହୋଇଥିବା କ୍ରାୟୋଜେନିକ୍‌ ରକେଟ୍‌ ବିଜ୍ଞାନରେ ଭାରତୀୟ ମହାକାଶ ବିଜ୍ଞାନୀ ଓ ଇଞ୍ଜିନିୟରମାନେ ପୂର୍ଣ୍ଣ ଦକ୍ଷତା ହାସଲ କରି ପାରି ନାହାନ୍ତି। ଚନ୍ଦ୍ରଯାନ-୨ ନେଇ ଯାଉଥିବା କ୍ରାୟୋଜେନିକ୍‌ ରକେଟ୍‌ ବିଜ୍ଞାନ ଲାଗିଥିବା ଜିଏସ୍‌ଏଲ୍‌ଭି ଏମକେ-୩ରେ ଶେଷ ମୁହୂର୍ତ୍ତରେ ତ୍ରୁଟି କେବଳ ଏହାର ପ୍ରମାଣ ନୁହେଁ। ପୂର୍ବରୁ ଏକାଧିକ ଥର ଜିଏସ୍‌ଏଲ୍‌ଭି ଉତ୍‌କ୍ଷେପଣ ବେଳେ ଶେଷ ମୁହୂର୍ତ୍ତରେ ତ୍ରୁଟି ଦେଖାଯାଇଛି। ଗତ ଜୁନ୍‌ ୨୨ ରେ ‘ଗ୍ରାଉଣ୍ତଟେଷ୍ଟ’ ବେଳେ ଜିଏସ୍‌ଏଲ୍‌ଭି ଏମକେ-୩ରେ ଅନୁରୂପ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଶେଷ ମୁହୂର୍ତ୍ତରେ ପରୀକ୍ଷା ବାତିଲ କରାଯାଇଥିଲା। ‘ଗ୍ରାଉଣ୍ତ ଟେଷ୍ଟ’ ସମୟରେ ଦେଖାଯାଇଥିବା ତ୍ରୁଟି ସୁଧାରିବା ପରେ ପୁଣି ଚୂଡ଼ାନ୍ତ ଉତ୍‌କ୍ଷେପଣ ପୂର୍ବରୁ ବୈଷୟିକ ତ୍ରୁଟି ଯୋଗୁ ଚନ୍ଦ୍ରଯାନ-୨ ସ୍ଥଗିତ ରଖାଯିବା ଚିନ୍ତାର ବିଷୟ। ଏହା ସୂଚାଉଛି ଯେ, ପିିିିଏସ୍‌ଏଲ୍‌ଭି ରକେଟ ଜ୍ଞାନ କୌଶଳରେ ଭାରତୀୟ ମହାକାଶ ବିଜ୍ଞାନୀମାନେ ଯେଉଁ ଦକ୍ଷତା ହାସଲ କରିଛନ୍ତି, କ୍ରାୟୋଜେନିକ୍‌ ବିଜ୍ଞାନର ପ୍ରୟୋଗ ହୋଇଥିବା ଜିିିଏସ୍‌ଏଲ୍‌ଭି କ୍ଷେତ୍ରରେ ସେହି ଦକ୍ଷତା ପାଇ ନାହାନ୍ତି। ଉଲ୍ଲେଖନୀୟ ଯେ, ଚନ୍ଦ୍ରଯାନ-୨ରେ ଲାଗିଥିବା ସିଇ-୨୦ କ୍ରାୟୋଜେନିକ୍‌ ଇଞ୍ଜିନ୍‌ ଏହା ପୂର୍ବରୁ ଦୁଇଥର ମାତ୍ର ବ୍ୟବହାର ହୋଇଛି। କହିବା ବାହୁଲ୍ୟ ଯେ, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୨୦୨୨ର ପ୍ରସ୍ତବାିତ ମନୁଷ୍ୟ ଚାଳିତ ଚନ୍ଦ୍ର ଅଭିଯାନ ପୂର୍ବରୁ କ୍ରାୟୋଜେନିକ୍‌ ରକେଟ୍‌ ବିଜ୍ଞାନ ଓ କାରିଗରୀରେ ପରିପକ୍ବତା ହାସଲ ଲାଗି ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଆହୁରି କସରତ କରିବାକୁ ପଡ଼ିବ। ଜିଏସ୍‌ଏଲ୍‌ଭି -ଏମ୍‌କେ ୩ ମହାକାଶକୁ ମାତ୍ର ୮ ଟନ୍‌ ଓଜନ ବୋହିନେବାର କ୍ଷମତା ରଖେ। ଅଥଚ ଘରୋଇ କମ୍ପାନି ସ୍ପେସ୍‌-ଏକ୍ସର ମହାକାଶଯାନ ‘ଫାଲକନ୍‌’ ମହାକାଶକୁ ୨୩ ଟନ୍‌ ଓଜନ ନେଇଯିବାର କ୍ଷମତା ରଖେ। ଏହାହିଁ ଦର୍ଶାଉଛି ଯେ, କ୍ରାୟୋଜେନିକ୍‌ ରକେଟ୍‌ ବିଜ୍ଞାନରେ ଭାରତର କାରିଗରି ଜ୍ଞାନକୌଶଳ ଆହୁରି ଉନ୍ନତିର ଅପେକ୍ଷା ରଖେ। ଅବଶ୍ୟ ଏଥିରେ ନିରାଶ ହେବାର ନାହିଁ। ଜିଏସ୍‌ଏଲ୍‌ଭି- ଏମ୍‌କେ-୩ ଭଳି ମହାକାଶ ଯାନ ଉତ୍‌କ୍ଷେପଣର ଶେଷ ମୁହୂର୍ତ୍ତରେ ତ୍ରୁଟି କିଛି ନୂଆ କଥା ନୁହେଁ। ମହାକାଶ ଅଭିଯାନ କ୍ଷେତ୍ରରେ ଏହା ଏକ ସ୍ବାଭାବିକ ଧାରା। ୨୦୦୧ରେ ଜିଏସ୍‌ଏଲ୍‌ଭ ଶୃଙ୍ଖଳାର ପୂର୍ବବର୍ତ୍ତୀ ସ˚ସ୍କରଣ ଜିଏସ୍‌ଏଲ୍‌ଭି-ଡି-୧ର ପ୍ରଥମ ଉତ୍‌କ୍ଷେପଣ ବେଳେ ମଧୢ ଅଳ୍ପ ସମୟ ପୂର୍ବରୁ ଏମିତି ତ୍ରୁଟି ଦେଖାଯାଇଥିଲା। ତ୍ରୁଟି ସୁଧାରି ପୁଣି ୨୧ ଦିନ ପରେ ଜିଏସ୍‌ଏଲ୍‌ଭି ଡି-୧ ସଫଳତାର ସହ ମହାକାଶକୁ ଛଡ଼ାଯାଇଥିଲା ଓ ଇତିମଧୢରେ ଜିଏସ୍‌ଏଲ୍‌ଭି ମହାକାଶ ଯାନରେ ବହୁସ˚ଖ୍ୟକ ଉପଗ୍ରହ ମହାକାଶକୁ ପଠାଯାଇ ପାରିଛି। ବିଫଳତା ହିଁ ସଫଳତାର ମାର୍ଗ ଦେଖାଏ। ଆଶା, ଚନ୍ଦ୍ରଯାନ-୨ ନିଶ୍ଚୟ ସଫଳ ହେବ। ୨୦୨୨ର ଭାରତୀୟ ମହାକାଶଚାରୀଙ୍କୁ ନେଇ ଚନ୍ଦ୍ର ଅଭିଯାନ, ୨୦୨୦ରେ ସୂର୍ଯ୍ୟ ଓ ୨୦୨୩ରେ ବୁଧ ଅଭିଯାନରେ ମଧୢ ସେହି ସମାନ ସଫଳତାର ପୁନରାବୃତ୍ତି ହେବ।

ସମ୍ବନ୍ଧିତ ଖବର

Comments are closed.