ଗଣତନ୍ତ୍ରର ଅପମାନ

ଶୁକ୍ରବାର ଦୁଇ ଦିନ ପାଇଁ ବିଧାନସଭା ମୁଲତବୀ ଘୋଷଣା ପରେ କର୍ଣ୍ଣାଟକରେ ଚାଲିଥିବା ଲମ୍ବା ରାଜନୈତିକ ନାଟକରେ ମଧୢାନ୍ତର ହୋଇଛି। ସୋମବାର (ଆଜି) ବିଧାନସଭା ବୈଠକ ପୁଣି ବସିବା ପରେ କାର୍ଯ୍ୟଦିବସ ଶେଷ ବେଳକୁ ହୁଏତ ଆସ୍ଥା ଭୋଟ ପରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀଙ୍କ ଜେଡି (ଏସ୍‌)- କ˚ଗ୍ରେସ ମେଣ୍ଟ ସରକାରର ପତନ ଘଟିପାରେ। କିନ୍ତୁ ଏଥିସହ କର୍ଣ୍ଣାଟକ ରାଜନୈତିକ ନାଟକରେ ଯବନିକା ପଡ଼ିବା ସମ୍ଭାବନା କ୍ଷୀଣ। ସରକାର ଭାଙ୍ଗିବା ସହ ନାଟକର ପ୍ରଥମ ଅଙ୍କ ଶେଷ ହେବା ପରେ ନୂଆ ସରକାର ଗଢ଼ିବାକୁ ନେଇ ଆରମ୍ଭ ହେବ ନାଟକର ଦ୍ବିତୀୟ ଅଙ୍କ। ଅବଶ୍ୟ, ପ୍ରଥମ ଅଙ୍କର ଶେଷ ଓ ଦ୍ବିତୀୟ ଅଙ୍କର ଆଦ୍ୟ ଦୃଶ୍ୟ ନେଇ ଏହା କେବଳ ପୂର୍ବାନୁମାନ ମାତ୍ର। ନାଟକର ପରବର୍ତ୍ତୀ ମୋଡ଼ ନେଇ ନିଶ୍ଚୟତାର ସହ କିଛି କୁହାଯାଇ ନପାରେ। ତେବେ ଗୋଟିଏ ବିଷୟ ସମ୍ପୂର୍ଣ୍ଣ ନିଶ୍ଚୟତାର ସହ କୁହାଯାଇ ପାରିବ ଯେ, ଗଣତନ୍ତ୍ରର ସୁରକ୍ଷା ଆଳରେ ଚାଲିଥିବା ଏ ନାଟକରେ ମୂଳରୁ ଶେଷ ପର୍ଯ୍ୟନ୍ତ ଗଣତନ୍ତ୍ର ହିଁ ଅପମାନିତ ଓ ଉପହସିତ ହେଉଥିବ।

ଆହୁରି ଉଦ୍‌ବେଗର ବିଷୟ ହେଲା, ଦେଶରେ ସ˚ସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ପରମ୍ପରାର ସୁରକ୍ଷା ପାଇଁ ଭାରତୀୟ ସମ୍ବିଧାନ ଯେଉଁ ପଦପଦବି ଉପରେ ଦାୟିତ୍ବ ନ୍ୟସ୍ତ କରିଛି, ସେହି ପଦପଦବିରେ ଅବସ୍ଥାପିତ ପଦଧାରୀମାନେ ଖୋଦ୍‌ ଗଣତନ୍ତ୍ରର ଖଳନାୟକ ସାଜିଛନ୍ତି। ପନ୍ଦର ବିଧାୟକଙ୍କ ଇସ୍ତଫା ପରେ ସ˚ଖ୍ୟା ଗରିଷ୍ଠତା ହରାଇ ସାରିଥିବା କୁମାରସ୍ବାମୀ ସରକାରକୁ ବଞ୍ଚାଇବା ପାଇଁ ଆପ୍ରାଣ ସ˚ଘର୍ଷ ଚଳାଇଥିବା ଜେଡି(ଏସ୍‌)- କ˚ଗ୍ରେସ ମେଣ୍ଟ ପଛରେ ବାଚସ୍ପତି କେ.ଆର ରମେଶ ପାହାଡ଼ ଭଳି ଠିଆ ହୋଇ ସୁରକ୍ଷା ଦେଉଛନ୍ତି। ଅନ୍ୟପକ୍ଷରେ ଦଳବଦଳକାରୀ ‘ଆୟାରାମ ଗୟାରାମ’ ମାନଙ୍କ ସହଯୋଗରେ ସରକାର ଗଢ଼ିବା ଲାଗି ବ୍ୟଗ୍ର ବିଜେପି ପ୍ରତି ରାଜ୍ୟପାଳ ଭାଜୁଭାଇ ଭାଲ୍ଲାଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ଓ ପୃଷ୍ଠପୋଷକତା ରହିଛି। ଉଭୟ ରାଜ୍ୟପାଳ ଓ ବାଚସ୍ପତି ରାଜନୈତିକ ଉଦ୍ଦେଶ୍ୟରେ ସାମ୍ବିଧାନିକ କ୍ଷମତାର ଅପପ୍ରୟୋଗ କରୁଛନ୍ତି। କୁହାଯାଇପାରେ ନିଜ ନିଜ ପସନ୍ଦ ମୁତାବକ ଉଭୟେ ସାମ୍ବିଧାନିକ କ୍ଷମତାକୁ ରାଜନୈତିକ କୌଶଳରେ ରୂପାନ୍ତରିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଗୁରୁବାର ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଗତ କଲେ। ସ˚ସଦୀୟ ବିଧି ବ୍ୟବସ୍ଥା ଓ ପରମ୍ପରା ଅନୁଯାୟୀ ପ୍ରସ୍ତାବ ଉପରେ ବିତର୍କ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରି ବାଚସ୍ପତି ମହୋଦୟ ଗୃହରେ ଆସ୍ଥା ଭୋଟ ପାଇଁ ନିର୍ଦେଶ ଦେବା କଥା। କିନ୍ତୁ ସମୟ ଗଡେ଼ଇ ନେବା ଲକ୍ଷ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଲୋଚନାର ସୁଯୋଗ ଦେଇ ବାଚସ୍ପତି ଆସ୍ଥା ଭୋଟକୁ ଦୁଇଦିନ ପର୍ଯ୍ୟନ୍ତ ଟାଳି ଦେଲେ। ମେଣ୍ଟ ସରକାର ସପକ୍ଷରେ ବାଚସ୍ପତିଙ୍କ ଦ୍ବାରା ସାମ୍ବିଧାନିକ କ୍ଷମତାର ପ୍ରୟୋଗ ଏକ ରାଜନୈତିକ ରଣନୀତିର ଅ˚ଶ। କାଳେ ପ୍ରତିପକ୍ଷର ପ୍ରଲୋଭନରେ ଇସ୍ତଫା ଦେଇଥିବା ଦଳତ୍ୟାଗୀମାନେ ମନ ବଦଳାଇ ପୁଣି ଶାସକ ଦଳ ଶିବିରକୁ ଫେରି ଆସିବେ, ଏହି ଆଶାରେ ଆଲୋଚନାକୁ ଲମ୍ବାଇ ଆସ୍ଥା ପ୍ରସ୍ତାବ ଉପରେ ଭୋଟକୁ ଟାଳି ଚାଲିଲେ। ଆମେରିକୀୟ ସିନେଟ୍‌ ଓ ପ୍ରତିନିଧି ସଭାରେ କୌଣସି ବିଧେୟକକୁ ଗୃହୀତ କରାଇ ନଦେବା ଲକ୍ଷ୍ୟରେ ବାଧା ସୃଷ୍ଟି ପାଇଁ ‘ଫିଲିବଷ୍ଟରି˚’ ଏକ ସ˚ସଦୀୟ ରଣକୌଶଳ। ‘ଫିଲିବଷ୍ଟରି˚’ର ଅର୍ଥ ଅସୀମିତ ସମୟ ପର୍ଯ୍ୟନ୍ତ ବିଧେୟକ ଉପରେ ଏହାକୁ ବିରୋଧ କରୁଥିବା ସଦସ୍ୟ କିମ୍ବା ସଦସ୍ୟମାନେ କହିଚାଲିଥିବେ। ଫଳରେ, ବିଧେୟକ ଉପରେ ମତବିଭାଜନ ବିଳମ୍ବିତ ହେବ। କର୍ଣ୍ଣାଟକ ବିଧାନସଭାରେ ବାଚସ୍ପତିଙ୍କ ସହଯୋଗରେ ଶାସକ ଦଳ ସଦସ୍ୟମାନେ ଏହି ‘ଫିଲିବଷ୍ଟରି˚’ କୌଶଳର ପ୍ରୟୋଗ କରି ଅନ୍ତତଃ ଦୁଇ ଦିନ ପର୍ଯ୍ୟନ୍ତ ଆସ୍ଥା ଭୋଟକୁ ଟାଳି ସରକାରକୁ ଅତିରିକ୍ତ ଚାରିଦିନର ଆୟୁଷ ଦେଇଛନ୍ତି। ରାଜ୍ୟପାଳ ଆସ୍ଥା ଭୋଟ ପାଇଁ ତିନିଥର ସମୟସୀମା ଧାର୍ଯ୍ୟ କରି ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କୁ ବାର୍ତ୍ତା ପଠାଇଥିଲେ ସୁଦ୍ଧା ଅବଜ୍ଞାରେ ତାର ପାଳନ ହୋଇଛି। ପୂର୍ବରୁ ଦଳତ୍ୟାଗୀ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗରେ ମଧୢ ବାଚସ୍ପତି ନିଷ୍ପତ୍ତି ଝୁଲାଇ ରଖିଥିଲେ। ଫଳରେ ବିଧାୟକମାନେ ଉଚ୍ଚତମ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ସୁଦ୍ଧା ଇସ୍ତଫା ପ୍ରସଙ୍ଗ ଝୁଲି ରହିଛି। ଅବଶ୍ୟ, ବିଧାନସଭାରେ ଉପସ୍ଥିତ ରହିବା ଲାଗି ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ବାଧୢ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଅଯୋଗ୍ୟ ଘୋଷଣାରୁ ସେମାନଙ୍କୁ ସୁରକ୍ଷା ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଦଳବଦଳ ନିରୋଧ ଆଇନ, ବିଶେଷ କରି ସମ୍ପୃକ୍ତ ଦଳର ନିଜ ବିଧାୟକଙ୍କ ଉପରେ ହ୍ବିପ୍‌ ଜାରି ଲାଗି ସମ୍ପୃକ୍ତ ଦଳଙ୍କ ଅଧିକାର ଉପରେ ରାୟର କ’ଣ ପ୍ରଭାବ ପଡ଼ିବ, ସେ ନେଇ ମାନ୍ୟବର ସୁପ୍ରିମ୍‌କୋର୍ଟ ଅବଗତ ଅଛନ୍ତି ତ? କ˚ଗ୍ରେସ ପକ୍ଷରୁ ଏ ସ˚କ୍ରାନ୍ତ ଆବେଦନର ବିଚାର ବେଳେ ହୁଏତ ଏହା ସ୍ପଷ୍ଟ ହୋଇପାରେ।

ସାମ୍ବିଧାନିକ ପଦଧାରୀ ‘ନିରପେକ୍ଷ’ ‘ନିର୍ଦ୍ଦଳୀୟ’ ବାଚସ୍ପତିଙ୍କ ଭୂମିକା ପକ୍ଷପାତପୂର୍ଣ୍ଣ, ଦଳୀୟ ହୋଇଥିବାରୁ ଯଦି ବିବାଦୀୟ, ତେବେ ଉଚ୍ଚତର ସାମ୍ବିଧାନିକ ପଦରେ ଅବସ୍ଥାପିତ ରାଜ୍ୟପାଳଙ୍କ ଭୂମିକା ମଧୢ ସମାନ ଭାବେ ପକ୍ଷପାତପୂର୍ଣ୍ଣ ଓ ଦଳୀୟ ହୋଇଥିବାରୁ ବିବାଦର ଊର୍ଦ୍ଧ୍ବରେ ନୁହେଁ। ସମ୍ବିଧାନର ୧୭୫ ଧାରା ଅନୁଯାୟୀ ଯେ କୌଣସି ପ୍ରସଙ୍ଗରେ ବିଧାନସଭାକୁ ବାର୍ତ୍ତା ପଠାଇବାର କ୍ଷମତା ରାଜ୍ୟପାଳଙ୍କ ରହିଛି। କିନ୍ତୁ ବିଶେଷଜ୍ଞଙ୍କ ମତରେ ଆସ୍ଥା ଭୋଟ ପାଇଁ ସମୟ ଧାର୍ଯ୍ୟ କରି ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ରାଜ୍ୟପାଳ ଭାଲା ମହୋଦୟ ସମ୍ବିଧାନ ପ୍ରଦତ୍ତ କ୍ଷମତାର ପରିସରକୁ ଅହେତୁକ ଭାବେ ଟାଣି ଅଯଥା ସ˚ପ୍ରସାରିତ କରିଛନ୍ତି। ଏହା ବିଧାନସଭା କାର୍ଯ୍ୟରେ ଅଯଥା ହସ୍ତକ୍ଷେପ। ଅବଶ୍ୟ, ଏହା ଅବୁଝା ରହୁନାହିଁ ଯେ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ସ˚ସଦୀୟ ଗଣତନ୍ତ୍ରର ସୁରକ୍ଷା ନୁହେଁ, ବର˚ ତାଙ୍କୁ ନିଯୁକ୍ତି ଦେଇଥିବା କେନ୍ଦ୍ର ସରକାରରେ ଥିବା ଶାସକ ଦଳର ରାଜନୈତିକ ସ୍ବାର୍ଥର ସୁରକ୍ଷା। ଆସ୍ଥା ଭୋଟ ଗୃହୀତ ହେଲେ ଜେଡି(ଏସ୍‌)-କ˚ଗ୍ରେସ ମେଣ୍ଟ ସରକାର ଭାଙ୍ଗିଯିବ ଓ ଦଳବଦଳକାରୀ ବିଧାୟକଙ୍କ ସହାୟତାରେ ବିଜେପି ସରକାର ଗଢ଼ିପାରିବ। ଅନ୍ୟଥା ବିଳମ୍ବ ହେଲେ ‘ଆୟାରାମ ଗୟାରାମ’ମାନେ ପୁଣି ଦଳବଦଳାଇବାର ଆଶଙ୍କା ଅଛି। କୌତୂହଳର ବିଷୟ ହେଲା, ରାଜ୍ୟପାଳ ମହୋଦୟ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଲେଖିଥିବା ଦ୍ବିତୀୟ ପତ୍ରରେ ଆସ୍ଥା ଭୋଟରେ ବିଳମ୍ବ ‘ଘୋଡ଼ା ବେପାର’କୁ ପ୍ରୋତ୍ସାହିତ କରିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ସ˚ସଦୀୟ ଗଣତନ୍ତ୍ରରେ ‘ଘୋଡ଼ାବେପାର’ର ବିପଦ ପ୍ରତି ରାଜ୍ୟପାଳ ଏବେ ଚେତିଲେ। ଅଥଚ ଶାସକ ଦଳର ୧୫ ଜଣ ବିଧାୟକଙ୍କୁ ନେଇ ମୁମ୍ବାଇର ବିଳାସପୂର୍ଣ୍ଣ ହୋଟେଲରେ ରଖାଯିବା ବିଷୟ ଗଣମାଧୢମର ଶିରୋନାମା ହେବା ବେଳେ ‘ଘୋଡ଼ା ବେପାର’ ନେଇ ରାଜ୍ୟପାଳଙ୍କ ଚିନ୍ତା କୁଆଡେ଼ ଥିଲା? ‘ଘୋଡ଼ା ବେପାର’ ଜଗିବା ଲାଗି ରାଜ୍ୟପାଳ ଚିନ୍ତିତ ନୁହନ୍ତି, ବର˚ ବିଜେପିର ରାଜନୈତିକ ସ୍ବାର୍ଥ ଜଗିବା ଲାଗି ସେ ବ୍ୟଗ୍ର।

କର୍ଣ୍ଣାଟକରେ ଚଳିତ ରାଜନୈତିକ ସଙ୍କଟ ଅବସରରେ ଦୁଇ ପ୍ରମୁଖ ସାମ୍ବିଧାନିକ ପଦବିଧାରୀ-ବିଧାନସଭା ବାଚସ୍ପତି ଓ ରାଜ୍ୟପାଳଙ୍କ ଯେଉଁ ବିବାଦୀୟ ଭୂମିକା ଦେଖିବାକୁ ମିଳିଛି, ତାହା କିଛି ନୂଆ କଥା ନୁହେଁ। ଅରୁଣାଚଳଠାରୁ ଆରମ୍ଭ କରି ଗୋଆ, ମଣିପୁର, ଉତ୍ତରାଖଣ୍ତ, ତାମିଲନାଡୁ ପର୍ଯ୍ୟନ୍ତ ନିକଟରେ ବିଭିନ୍ନ ରାଜ୍ୟରେ ରାଜନୈତିକ ଅସ୍ଥିରତାରେ ବାଚସ୍ପତି ଓ ରାଜ୍ୟପାଳମାନଙ୍କ ବିବାଦୀୟ ଭୂମିକା ଦେଖିବାକୁ ମିଳିଛି। ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଆଳରେ ରାଜନୈତିକ ଉଦ୍ଦେଶ୍ୟରେ ସେମାନେ ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ଅସୁସ୍ଥ ଉଦାହରଣ ସୃଷ୍ଟି କରିଛନ୍ତି। ବିବାଦୀୟ, ସମ୍ବିଧାନ ବିରୋଧୀ ଆଚରଣ ପାଇଁ ନ୍ୟାୟପାଳିକା ଦ୍ବାରା ଏକାଧିକ ରାଜ୍ୟର ରାଜ୍ୟପାଳ ଓ ବାଚସ୍ପତିମାନେ ଭର୍ତ୍ସିତ ହୋଇଛନ୍ତି। ଅଥଚ, କ୍ଷମତା ଓ ପଦର ଅପବ୍ୟବହାରର ଅସୁସ୍ଥ ଧାରା ବନ୍ଦ ହୋଇନାହିଁ। ଦଳବଦଳ ନିରୋଧ ଆଇନ ସତ୍ତ୍ବେ ବାଚସ୍ପତି ଓ ରାଜ୍ୟପାଳ ମାନଙ୍କ ସହଯୋଗରେ ଭାରତୀୟ ରାଜନୀତିରେ ‘ଆୟାରାମ ଗୟାରାମ’ ସ˚ସ୍କୃତିକୁ ସମ୍ମାନଜନକ ସ୍ବୀକୃତି ମିଳିଛି। ବିଡ଼ମ୍ବନା ହେଲା, ନିଜକୁ ଆଦର୍ଶବାଦୀ ଭିନ୍ନ ଏକ ରାଜନୈତିକ ଦଳ ଦାବି କରୁଥିବା ବିଜେପି ଏହାକୁ ପୂରା ଦମ୍‌ରେ ପ୍ରୋତ୍ସାହିତ କରୁଛି। କେନ୍ଦ୍ରରେ କ୍ଷମତାରେ ଥିବା ବେଳେ ରାଜ୍ୟଗୁଡ଼ିକରେ ସରକାର ଭାଙ୍ଗିବା ଓ ଗଢ଼ିବା ଲାଗି କ˚ଗ୍ରେସ ଦ୍ବାରା ଯେମିତି କ୍ଷମତାର ଅପବ୍ୟବହାର ହେଉଥିଲା, ଏବେ ବିଜେପି ସମୟରେ ମଧୢ ବାରମ୍ବାର ତା’ର ଦୁର୍ଭାଗ୍ୟଜନକ ପୁନରାବୃତ୍ତି ହେଉଛି। ବିପି ସି˚ହଲ ମାମଲାରେ ୨୦୧୦ରେ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଥିଲେ ଯେ, ରାଜ୍ୟପାଳ କେନ୍ଦ୍ର ସରକାରର କର୍ମଚାରୀ ନୁହନ୍ତି କି କିମ୍ବା କେନ୍ଦ୍ରର କ୍ଷମତାସୀନ ଦଳର ଏଜେଣ୍ଟ ନୁୁହନ୍ତି। ସେହିଭଳି ମଣିପୁର ବାଚସ୍ପତି ଏଚ୍‌. ବରବାବୁ ସି˚ହ ମାମଲା ସମେତ ଅନେକ ମାମଲାରେ ସାମ୍ବିଧାନିକ କ୍ଷମତାର ଅପବ୍ୟବହାର ନେଇ ଉଚ୍ଚତମ ନ୍ୟାୟାଳୟ ବାଚସ୍ପତି ମାନଙ୍କୁ ତାଗିଦ କରିଛନ୍ତି। ଅଥଚ, ଯାହା ଯେମିତି ଚାଲିଥିଲା, ସେମିତି ଚାଲିଛି। ରାଜ୍ୟପାଳମାନେ କେନ୍ଦ୍ରର ରାଜନୈତିକ ଏଜେଣ୍ଟ ଭାବେ କାମ କରି ଆସୁଛନ୍ତି ଓ ବାଚସ୍ପତିମାନେ ରାଜନୈତିକ ଉଦ୍ଦେଶ୍ୟରେ ସାମ୍ବିଧାନିକ ପଦ ଓ କ୍ଷମତାର ଅପବ୍ୟବହାର କରି ଆସୁଛନ୍ତି। ଆମ ଶାସନ ବ୍ୟବସ୍ଥରେ ଯେଉଁସବୁ ପଦ ଓ ଏହା ସହିତ ଯୋଡ଼ି ହୋଇଥିବା କ୍ଷମତା ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା କବଚ, ସେହି ପଦ ଓ କ୍ଷମତାର ଯଦି ଅପବ୍ୟବହାର ହୁଏ ସମ୍ବିଧାନ ଓ ଗଣତନ୍ତ୍ର ବିପନ୍ନ ହେବା ଅବଶ୍ୟମ୍ଭାବୀ। ଅନ୍ୟ ରାଜନୈତିକ ବ୍ୟକ୍ତିତ୍ବ-ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସା˚ସଦ- ଯେଉଁମାନେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ହିତାଧିକାରୀ ଓ ରାଜନୀତିରେ ମୂଲ୍ୟବୋଧ, ଆଦର୍ଶ ନୀତି ନୈତିକତାର ରାଣ ଖାଆନ୍ତି ସେମାନେ କେବଳ କ୍ଷମତା ପଛରେ ଗୋଡ଼ାଉଛନ୍ତ। କରିଣତି କର୍ଣ୍ଣାଯକ ଭଳି ରାଜନୈତିକ ସଂକଟ ଓ ଭାରତୀୟ ଗଣତନ୍ତ୍ର ପ୍ରତି ଅପମାନର ଧାରା ବାହିକ।

ସମ୍ବନ୍ଧିତ ଖବର

Comments are closed.