କଣ୍ଢେଇ ପ୍ରୀତି

କବିବର ବ୍ରଜନାଥ ବଡ଼ଜେନା ଯଦି ଏବେ ଜୀବିତ ଥାନ୍ତେ, ସେ ବୋଧହୁଏ ଆମେରିକା ରାଷ୍ଟ୍ରପତିଙ୍କ ନିବାସ ହ୍ବାଇଟ୍‌ ହାଉସ୍‌ରେ ସେ ଦେଶର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏବ˚ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କର ପାଖାପାଖି ବସି ଆଳାପରତ ଫଟୋ ଦେଖିବା ପରେ ତାଙ୍କର ପ୍ରସିଦ୍ଧ କାହାଣୀ ‘ଚତୁର ବିନୋଦ’ର ଅ˚ଶ ‘ପ୍ରୀତି ବିନୋଦ’ରେ ସେ ଅନ୍ତର୍ଭୁକ୍ତ କରିଥିବା ଛ’ ଶ୍ରେଣୀର ପ୍ରୀତି (ଶଠ ପ୍ରୀତି, ଦୁଷ୍ଟ ପ୍ରୀତି, ନୀଚ ପ୍ରୀତି,…)ରେ ଆଉ ଏକ ଶ୍ରେଣୀର ପ୍ରୀତି ଯୋଗ କରି ନିଜସ୍ବ ଶୈଳୀରେ କହନ୍ତେ- ‘‘ଏହାକୁ ‘ଲମ୍ପଟ ପ୍ରୀତି’ କହଇ’’। ଉଭୟ ମେଳ ଖାଉଥିବା ନେଭି ବ୍ଲୁ ରଙ୍ଗର ପୋଷାକ ପରିଧାନ କରି ବନ୍ଧୁତ୍ବପୂର୍ଣ୍ଣ ଆଳାପରେ ନିମଜ୍ଜିତ ଟ୍ରମ୍ପ୍‌ ଓ ଇମ୍ରାନଙ୍କର ଛବି ଯେ କେବଳ ବଡଜେନାଙ୍କୁ ତାଙ୍କ ତାଲିକାରେ ଏହି ନୂଆ କିସମର ପ୍ରୀତିକୁ ସ୍ଥାନ ଦେବା ପାଇଁ ଖୋରାକ୍‌ ଯୋଗାଇଥାନ୍ତା, ତାହା ନୁହେଁ। ଅସଲରେ ଏ ଛବି ପଛର ପୃଷ୍ଠଭୂମି ହିଁ ଏଥିପାଇଁ ତାଙ୍କୁ ଅଧିକ ପ୍ରଭାବିତ କରନ୍ତା।
ଆମେରିକା ଏପର୍ଯ୍ୟନ୍ତ ସର୍ବଦା କୂଟନୈତିକ ଜଗତରେ ପାକିସ୍ତାନକୁ ଦୃଢ଼ ସମର୍ଥନ ଯୋଗାଇବା ସଙ୍ଗେ ସଙ୍ଗେ ପ୍ରଭୂତ ସାମରିକ ଓ ଅର୍ଥନୈତିକ ସହାୟତା ପ୍ରଦାନ କରି ଆସୁଥିଲା। ଆମେରିକାରେ କିନ୍ତୁ ଅସ୍ଥିରମନା ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କର ଆବିର୍ଭାବ ପରେ ହଠାତ୍‌ ସେ ଦେଶ ପାକିସ୍ତାନ ପ୍ରତି ଏକ କଠୋର ଏବ˚ ଭାରତ ପ୍ରତି ଏକ ବନ୍ଧୁତ୍ବପୂର୍ଣ୍ଣ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ଆରମ୍ଭ କଲା। ଏହାର ଏକ ପ୍ରମାଣ ସ୍ବରୂପ ପ୍ରାୟ ଦେଢ଼ବର୍ଷ ତଳେ ଟ୍ରମ୍ପ୍‌ ଟ୍ବିଟ୍‌ କରିବା ଦେଖାଯାଇଥିଲା ଯେ ଆମେରିକା ‘‘ବୋକାଙ୍କ ଭଳି ଗତ ୧୫ ବର୍ଷ ମଧୢରେ ପାକିସ୍ତାନକୁ ୩୩ ବିଲିଅନ୍‌ ଡଲାର‌ ସହାୟତା ଆକାରରେ ପ୍ରଦାନ କରିଛି, ଏବ˚ ସେମାନେ ଆମକୁ ମିଛ ଓ ଶଠତା ବ୍ୟତୀତ ଆଉ କିଛି ଦେଇନାହାନ୍ତି।’’ ଇତି ମଧୢରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦବୀରେ ଏକ ନୂତନ ଚରିତ୍ରଙ୍କର ଆବିର୍ଭାବ ଘଟିଛି- ଇମ୍ରାନ୍‌ ଖାନ୍‌। ଯଦିବା ଇମ୍ରାନ୍‌ ସେ ଦେଶର ସେନାବାହିନୀର ବାହୁଛାୟା ତଳେ ରହି କାର୍ଯ୍ୟ କରୁଛନ୍ତି, ସେ କିନ୍ତୁ ପାକିସ୍ତାନର ଭାବମୂର୍ତ୍ତିରେ ପ୍ରସାଧନ ସର୍ବସ୍ବ ପରିବର୍ତ୍ତନ ଆଣି ପୁଣି ଆମେରିକାର ନିକଟବର୍ତ୍ତୀ ହେବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଏହି ଉଦ୍ୟମର ଏକ ମୁଖ୍ୟ ଅ˚ଶ ହେଉଛି ଟ୍ରମ୍ପ୍‌ଙ୍କ ସହିତ ତାଙ୍କର ଏକ ମୁହାଁମୁହିଁ ଭେଟ।
ନିକଟ ଅତୀତରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଡୋନାଲ୍‌ଡ଼ ଟ୍ରମ୍ପ୍‌ଙ୍କର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପିତ ହୋଇଛି। ହୁଏତ ଆମେରିକା ଓ ଚୀନ୍‌ ମଧୢରେ ବଳ କଷାକଷିରେ ଟ୍ରମ୍ପ୍‌ ଭାରତକୁ ଏକ ଉପଯୋଗୀ ମିତ୍ର ରାଷ୍ଟ୍ର ରୂପେ ଦେଖୁଥାଇପାରନ୍ତି। କିନ୍ତୁ ଇମ୍ରାନ ନିଶ୍ଚିତ ରୂପେ ଜାଣନ୍ତି ଯେ ବ୍ୟକ୍ତିଗତ ସ୍ତରରେ ମୋଦୀ ଓ ଟ୍ରମ୍ପ୍‌ଙ୍କ ଚରିତ୍ରରେ ମେଳ ଖାଇବା ଭଳି କିଛି ନାହିଁ, ଯାହା ଟ୍ରମ୍ପ ଓ ତାଙ୍କ ମଧୢରେ ଭରପୂର ମହଜୁଦ ଅଛି। ମୋଦୀ ହେଉଛନ୍ତି ଜଣେ ସ˚ସାର ତ୍ୟାଗୀ, ସମ୍ପୂର୍ଣ୍ଣ ଶାକାହାରୀ, ସାମୟିକ ଉପବାସକାରୀ, ସମ୍ପୂର୍ଣ୍ଣ ନିଶାଦ୍ରବ୍ୟ ମୁକ୍ତ କର୍ମଯୋଗୀ। ଅପରପକ୍ଷେ ଟ୍ରମ୍ପ୍‌ ହେଉଛନ୍ତି ଏଭଳି ଦୁନିଆର ଠିକ୍‌ ବିପରୀତ ପାର୍ଶ୍ବରେ ଥିବା ଭୋଗବିଳାସ ଦୁନିଆରେ ଜଣେ କୁଖ୍ୟାତ ଖେଳାଳି। ଏହା ସର୍ବଜନ ବିଦିତ ଯେ ସେ ଦୁନିଆରେ ଟ୍ରମ୍ପଙ୍କ ସମକକ୍ଷ ଜଣେ ଖେଳାଳି ବର୍ତ୍ତମାନ ଯଦି କୌଣସି ଦେଶର ନେତୃପଦ ମଣ୍ତନ କରୁଥାନ୍ତି, ସେ ହେଉଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟ୍‌ କ୍ୟାପଟେନ୍‌ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଉଭୟ ଇମ୍ରାନ୍‌ ଓ ଟ୍ରମ୍ପଙ୍କର ଲମ୍ପଟତାପୂର୍ଣ୍ଣ ରଙ୍ଗୀନ ଅତୀତର ବର୍ଣ୍ଣନାରେ ଯେ ଗଣମାଧୢମ ପରିପୂର୍ଣ୍ଣ, ଳ ତାହା ନୁହେଁ, ପରସ୍ପର ସହିତ ପ୍ରତିଯୋଗିତା କଲାଭଳି ଉଭୟଙ୍କର ମଧୢ ତିନିଜଣ ଲେଖାଏଁ ଚଳିତ ଓ ପୂର୍ବତନ ପତ୍ନୀ ରହିଛନ୍ତି। ଇମ୍ରାନ୍‌ ତେଣୁ ନିଶ୍ଚିତ ଥିବେ ଯେ ଯଦି ଟ୍ରମ୍ପ୍‌ଙ୍କ ସହିତ ତାଙ୍କର ଭେଟ ହୋଇପାରନ୍ତା, ତାହେଲେ ଉଭୟଙ୍କ ମଧୢରେ ଥିବା ବ୍ୟକ୍ତିଗତ ରସାୟନର ଏହି ନିବିଡ଼ତା ଟ୍ରମ୍ପ୍‌ଙ୍କୁ ପ୍ରଭାବିତ କରି ପୁଣି ପାକିସ୍ତାନ ନିକଟକୁ ଫେରାଇ ଆଣିବାରେ ସାହାଯ୍ୟ କରନ୍ତା।
କିନ୍ତୁ ଏହି ଭେଟ ପାଇଁ ଟ୍ରମ୍ପଙ୍କୁ ରାଜି କରାଇବ କିଏ? ଏଭଳି ଲୋକଟିଏ ମିଳିବା ଅନ୍ୟ କାହା ପାଇଁ କଷ୍ଟକର ହୋଇପାରେ, କିନ୍ତୁ ଇମ୍ରାନ୍‌ଙ୍କ ପାଇଁ ସହଜ। ସେ ଜଣକ ହେଉଛନ୍ତି ସାଉଦୀ ଆରବର ପ୍ରକୃତ ଶାସକ ପ୍ରିନ୍‌ସ ମହମ୍ମଦ ବିନ୍‌ ସଲ୍‌ମାନ୍‌। ସ୍ମରଣ ଯୋଗ୍ୟ ତୁର୍କୀରେ ସାମ୍ବାଦିକ ଜମାଲ୍‌ ଖାସୋଗିଙ୍କର ବୀଭତ୍ସ ହତ୍ୟା ପାଇଁ ସାରା ପୃଥିବୀ ପ୍ରିନ୍‌ସ ସଲ୍‌ମାନଙ୍କୁ ଦାୟୀ କରିଥିବା ବେଳେ, ଡୋନାଲ୍‌ଡ଼ ଟ୍ରମ୍ପ୍‌ ତାଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଆସିଛନ୍ତି। ଟ୍ରମ୍ପ୍‌ଙ୍କ ଜ୍ବାଇଁ ତଥା ଉପଦେଷ୍ଟା ଜାରେଡ୍‌ କସ୍‌ନର‌୍‌ଙ୍କ ସହିତ ସଲ୍‌ମାନ୍‌ଙ୍କର ବ୍ୟକ୍ତିଗତ ବନ୍ଧୁତା ହେଉଛି ଏହାର କାରଣ। ଟ୍ରମ୍ପ୍‌ ପ୍ରଶାସନର ଅମଲାତନ୍ତ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହିତ ଟ୍ରମ୍ପ୍‌ଙ୍କର ଭେଟକୁ ତୀବ୍ର ବିରୋଧ କରୁଥିବାରୁ ଇମ୍ରାନ୍‌ ଖାନ୍‌ ପ୍ରିନ୍‌ସ ସଲ୍‌ମାନ୍‌ଙ୍କ ମାଧୢମରେ ଜାରେଡ୍‌ କସ୍‌ନର‌୍‌ଙ୍କୁ ପ୍ରଭାବିତ କରି ସିଧାସଳଖ ଟ୍ରମ୍ପ୍‌ଙ୍କୁ ଏଥିପାଇଁ ରାଜି କରାଇବାକୁ ଉଦ୍ୟମ ଚଳାଇ ଆସୁଥିଲେ, ଯାହା ଏବେ ଫଳବତୀ ହୋଇଛି।
କସ୍‌ନର‌୍‌ ଏ ଦିଗରେ ନେଇଥିବା ପ୍ରଥମ ବିଧିବଦ୍ଧ ପଦକ୍ଷେପ ସ୍ବରୂପ ଆଫ୍‌ଗାନ୍‌ ଶାନ୍ତି ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଅନୁରୋଧ କରି ଟ୍ରମ୍ପ୍‌ ଗତ ଡିସେମ୍ବରରେ ଇମ୍ରାନ୍‌ ଖାନ୍‌ଙ୍କୁ ଏକ ପତ୍ର ଲେଖିଥିଲେ। ଯେହେତୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଟ୍ରମ୍ପ୍‌ ପାକିସ୍ତାନ ବିରୁଦ୍ଧରେ ପୂର୍ବରୁ ବିଷୋଦ୍‌ଗାର କରି ଆସୁଥିଲେ, ତାଙ୍କର ମୁଖ ଲଜ୍ଜା ନିବାରଣ ନିମିତ୍ତ ଇମ୍ରାନ୍‌ ନିଜର ଆମେରିକା ଗ୍ରସ୍ତ ପୂର୍ବରୁ ‘ଲସ୍କର ଏ ତଇବା’ ମୁଖ୍ୟ ହାଫିଜ୍‌ ସାଇଜକୁ ଗିରଫ କରି ପକାଇଲେ। ଉଲ୍ଲେଖଯୋଗ୍ୟ ଯେ ଏଥିପୂର୍ବରୁ ୨୦୦୮ରେ ମୁମ୍ବାଇରେ ଚାରଦିନ ଧରି ନରସ˚ହାର ରଚାଇଥିବା ଏହି ନରରାକ୍ଷସ ପାକିସ୍ତାନରେ ଆଠ ଥର ଗିରଫ ହୋଇଛି ଓ ଖଲାସ ହୋଇଛି। ଏଥରର ଗିରଫ ନାଟକ ମଧୢ ସେଇ ଧାରା ଅନୁସରଣ କରିବ। ଟ୍ରମ୍ପ୍‌ କିନ୍ତୁ ଇମ୍ରାନ୍‌ଙ୍କ ସହିତ ଭେଟକୁ ସୁଗମ କରିବା ପାଇଁ କାଳ ବିଳମ୍ବ ନ କରି ଟ୍ବିଟ୍‌ କରି ପକାଇଲେ ଯେ ସେ ପାକିସ୍ତାନ ଉପରେ ବିଗତ ଦୁଇବର୍ଷ ଧରି ପକାଇ ଆସୁଥିବା ଚାପର ଫଳ ସ୍ବରୂପ ଏ ଗିରଫଦାରି ଘଟିଛି।
ଏବେ ଇମ୍ରାନ୍‌ ଖାନ୍‌ଙ୍କ ସହିତ ଭେଟ ସମୟରେ ଟ୍ରମ୍ପ୍‌ ଗୋଟାପଣ ପାକିସ୍ତାନର ହୋଇଯିବା ପରି ଘୋଷଣା କରିଛନ୍ତି ଯେ ସେ କଶ୍ମୀର ସମସ୍ୟାର ସମାଧାନ ନିମିତ୍ତ ଭାରତ-ପାକିସ୍ତାନ ମଧୢରେ ମଧୢସ୍ଥତା କରିବାକୁ ରାଜି ଅଛନ୍ତି ଏବ˚ ଏଥିପାଇଁ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଆଡେ଼ ମଧୢ ତାଙ୍କୁ ନିକଟରେ ଜାପାନରେ ଅନୁଷ୍ଠିତ ଜି-୨୦ ଶୀର୍ଷ ସମ୍ମିଳନୀରେ ଭେଟ ହୋଇଥିବା ବେଳେ ଅନୁରୋଧ କରିଥିଲେ। କେବଳ ଇମ୍ରାନଙ୍କୁ ଓ ପାକିସ୍ତାନକୁ ଖୁସି କରିବା ପାଇଁ ଟ୍ରମ୍ପ୍‌ ଯେ ପାକିସ୍ତାନ ଚାହୁଁଥିବା ଅନୁସାରେ ଏଭଳି ମିଛ କଥା କହିଛନ୍ତି, ଏହା ଭାରତର ରାଜନୈତିକ ପାଣିପାଗ ସମ୍ବନ୍ଧରେ ସାମାନ୍ୟତମ ଜ୍ଞାନ ଥିବା ଯେ କେହି ଜାଣି ପାରିବ। କଶ୍ମୀର ସମସ୍ୟାକୁ ଏକ ଆନ୍ତର୍ଜାତିକ ସମସ୍ୟାର ରଙ୍ଗ ଦେବା ପାଇଁ ପାକିସ୍ତାନ ସର୍ବଦା ଏଥିରେ ଏକ ତୃତୀୟ ପକ୍ଷକୁ ମଧୢସ୍ଥି ରୂପେ ଭର୍ତ୍ତି କରିବା ପାଇଁ ଚେଷ୍ଟା କରି ଆସିଛି। ମୋଦୀ ଟ୍ରମ୍ପ୍‌ଙ୍କୁ ଏପରି କୌଣସି ଅନୁରୋଧ କରିବା ତାଙ୍କ ପାଇଁ ରାଜନୈତିକ ହାରାକିରି (ଆତ୍ମହତ୍ୟାର ଏକ ଜାପାନୀ ଶୈଳୀ) ସଦୃଶ ହେବ। କେବଳ ସିମଳା ରାଜିନାମା ଓ ଲାହୋର‌ ଘୋଷଣାନାମା ଭିତ୍ତିରେ ପାକିସ୍ତାନ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା ବ୍ୟତୀତ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ପୁଣି ପାକିସ୍ତାନ ସୀମା ପାର ଆତଙ୍କବାଦ ବନ୍ଦ ନ କଲା ଯାଏଁ ଏଭଳି ଦ୍ବିପାକ୍ଷିକ ଆଲୋଚନା ମଧୢ କରାଯିବ ନାହିଁ ବୋଲି ଭାରତ ସର୍ବଦା ସ୍ପଷ୍ଟ କରି ଆସିଛି। ଏବେ ଟ୍ରମ୍ପ୍‌ଙ୍କ ମିଥ୍ୟାଚାରକୁ ଖଣ୍ତନ କରି ଭାରତ ସରକାର ପୁଣିଥରେ ତାହା ଦୋହରାଇଛନ୍ତି।
ଆଶ୍ଚର୍ଯ୍ୟର କଥା ବନ୍ଧୁ ଇମ୍ରାନ୍‌ଙ୍କୁ ଭେଟି ବିହ୍ବଳ ହୋଇ ପଡ଼ିଥିବା ଟ୍ରମ୍ପ୍‌ ଏକଥା ବୋଧହୁଏ ଲକ୍ଷ୍ୟ କରିନାହାନ୍ତି ଯେ ସାକ୍ଷାତ ବେଳେ ଇମ୍ରାନ୍‌ଙ୍କ ଉପରେ ନଜର ରଖିବା ପାଇଁ ପାକିସ୍ତାନର ସେନାଧୢକ୍ଷ ଜେନେରାଲ କମାର‌୍‌ ବାଜ୍‌ଵା ଓ ସେ ଦେଶର ଶକ୍ତିଶାଳୀ ଗୁପ୍ତଚର ସଂସ୍ଥା ଅାଇଏସ୍‌ଆଇର ମୁଖ୍ୟ ଫୈଜ ହମିଦ ମଧୢ ତାଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ। ଅର୍ଥାତ୍‌ ତାଙ୍କର ନୂତନ ଲମ୍ପଟ ବନ୍ଧୁ ଇମ୍ରାନ୍‌ ଖାନ୍‌ ହେଉଛନ୍ତି ଏକ ସଖୀ କଣ୍ଢେଇ ମାତ୍ର। ନରେନ୍ଦ୍ର ମୋଦୀ ଓ ତାଙ୍କ ଦେଶ ଭାରତ କାହାର କଣ୍ଢେଇ ନୁହଁନ୍ତି।

ସମ୍ବନ୍ଧିତ ଖବର