ପାର୍ଟି ନୁହେଁ, ମାଟି ଆଗ

ମାଟି ମା’ର ସ୍ୱାର୍ଥ ଓ ମଣିଷଙ୍କ ଭାବନା ସହ ଯୋଡ଼ି ହୋଇଥିବା ପ୍ରସଙ୍ଗକୁ ଦଳୀୟ ଚଷମା ପିନ୍ଧି ଦେଖାଯାଇ ନପାରେ। ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥର ଉପରକୁ ଉଠି ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ରକ୍ଷା ସକାଶେ ମିଳିମିଶି ଅଣ୍ଟାଭିଡ଼ି ଏକ ହୋଇ ଛିଡ଼ା ହେବାକୁ ପଡ଼ିବ। ମଣିଷ ଠିକିଲେ ଶିଖେ ନ୍ୟାୟରେ ରାଜ୍ୟର ରାଜନୈତିକ ବର୍ଗ ଶେଷରେ ପାର୍ଟି ଅପେକ୍ଷା ମାଟି ଓ ମଣିଷଙ୍କ ପ୍ରତି ସେମାନଙ୍କ ଦାୟିତ୍ୱ ଅଧିକ ବୋଲି ହୃଦୟଙ୍ଗମ କରିଛନ୍ତି। ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଓ ଓଡ଼ିଶାବାସୀଙ୍କ ଆବେଗ ସହ ଯୋଡ଼ି ହୋଇଥିବା ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଠାରୁ ଶକ୍ତ ଧକ୍କା ପାଇବା ପରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ଲଢ଼େଇ ଲାଗି ଏବେ ତୟାର। ଜନମତର ଚାପରେ ଦାନା ବାନ୍ଧିଥିବା ଏହି ଏକତାର ଆୟୁଷ ନେଇ ଯଥେଷ୍ଟ ସନ୍ଦେହ ଥିଲେ ସୁଦ୍ଧା, ଏହା ଏକ ଶୁଭ ସଂକେତ ଏବଂ ସ୍ୱାଗତଯୋଗ୍ୟ। ମହାନଦୀ ଟ୍ରିବ୍ୟୁନାଲର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ରୋକ୍‌ଠୋକ୍‌ ଜଣାଇ ଦେବା ପରେ ଆମେ ଆହ୍ଵାନ ଦେଇଥିଲୁ- ‘‘ଏବେ ଆଗକୁ କ’ଣ? ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଉଭୟ ନ୍ୟାୟିକ ଓ ରାଜନୈତିକ ସ୍ତରରେ ମିଳିତ ଲଢ଼େଇ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ରାଜ୍ୟ ସରକାର ଅନ୍ୟ ସବୁ ଦଳ, ରାଜନୈତିକ- ସାମାଜିକ ସଂଗଠନଙ୍କୁ ସାଙ୍ଗରେ ନେଇ ଅଭିଯାନ ଚଳାନ୍ତୁ। ମୁଖ୍ୟମନ୍ତ୍ରୀ ଏ ଲଢ଼େଇର ସେନାପତି ହୁଅନ୍ତୁ।’’ ସୁଖର କଥା ଗୁରୁବାର ଦିନ ବିଧାନସଭାରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ଏ ନେଇ ସକାରାତ୍ମକ ସଂକେତ ମିଳିଛି।

ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ସକାଶେ ସବୁ ଦଳର ପ୍ରତିନିଧିଙ୍କୁ ନେଇ ଏକ ଗୃହ କମିଟି ଗଠନ ଲାଗି ସହମତିରେ ନିଷ୍ପତ୍ତି ହୋଇଛି। କେବଳ ସେତିକି ନୁହେଁ, ସଂଖ୍ୟାଗରିଷ୍ଠତାର ପଶୁବଳ ନେଇ କ୍ଷମତାସୀନ ବିଜେଡିର ଅହଙ୍କାର ମଧ୍ୟ ତରଳି ଯାଇଛି। ଅନ୍ୟ ଦଳମାନଙ୍କୁ ସାଙ୍ଗରେ ନେଇ ଅଭିଯାନ ଆଗକୁ ବଢ଼ାଇବା ଲାଗି ଶାସକ ବିଜେଡି ରାଜି। ମହାନଦୀ ପାଇଁ ମିଳିତ ଅଭିଯାନ ପ୍ରତି ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ସକାରାତ୍ମକ ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜନୈତିକ ସହମତିର ଧାରାର ସଂକେତ ଦେଇଛି। ଅନ୍ୟ ଦଳର ନେତାମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଏବେ ଆଉ କୁଣ୍ଠା ନାହିଁ। ଏହା କେବଳ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଶୁଭଙ୍କର ନୁହେଁ, ଗଣତନ୍ତ୍ର ପାଇଁ ମଧ୍ୟ ଏକ ସକାରାତ୍ମକ ସଂକେତ। ମହାନଦୀ ପ୍ରସଙ୍ଗରେ ବହୁ ପୂର୍ବରୁ ରାଜ୍ୟର ତୁଙ୍ଗତମ ନେତା ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଏ ପ୍ରକାର ରାଷ୍ଟ୍ରନୀତିଜ୍ଞସୁଲଭ ଉଦାରମନା ଆଭିମୁଖ୍ୟ ଓ ଆଚରଣ ଆଶା କରାଯାଉଥିଲା। ବିରୋଧୀ ଦଳ ନେତା ବାରମ୍ବାର ସର୍ବଦଳୀୟ ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ରାଜନେତାର ସଂକୀର୍ଣ୍ଣତା ମଧ୍ୟରୁ ମୁକୁଳି ରାଷ୍ଟ୍ରନୀତିଜ୍ଞ ସ୍ଥାନକୁ ଉଠି ପାରୁ ନଥିଲେ। ଅବସ୍ଥା ଚକ୍ରରେ ବାଧ୍ୟବାଧକତାରେ ହେଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ମହୋଦୟ ମହାନଦୀ ପ୍ରସଙ୍ଗରେ ଅନ୍ୟ ଦଳଙ୍କ ସହଯୋଗ ଲୋଡ଼ିବା ଏକ ସୁସ୍ଥ ଲକ୍ଷଣ।

ଉଲ୍ଲେଖ କରାଯାଇପାରେ ଯେ, ଗତ ୨୦୧୬ ଅଗଷ୍ଟ ୩ରେ ପ୍ରଥମ ଥର ପାଇଁ ମହାନଦୀ ପ୍ରସଙ୍ଗରେ ଗୋଟିଏ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହି ବୈଠକରେ ଶାସକ ବିଜେଡି ଭାଗ ନେଇ ନଥିଲା। ଅବଶ୍ୟ ବୈଠକରେ ଭାଗ ନେଇଥିବା ଅନ୍ୟ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିରେ ଆଭ୍ୟନ୍ତରୀଣ ମତଭେଦ ଯୋଗୁ ବୈଠକ କେବଳ ଗୁରୁତ୍ୱ ହରାଇ ନଥିଲା, ଲକ୍ଷ୍ୟ ଆଡ଼କୁ ମଧ୍ୟ ଆଗେଇ ପାରି ନଥିଲା। ପ୍ରଦେଶ କଂଗ୍ରେସ ସଭାପତି ଓ ବିଜେପି ରାଜ୍ୟ ସଭାପତିଙ୍କ ଅନୁପସ୍ଥିତି ସର୍ବଦଳୀୟ ବୈଠକର ଗୁରୁତ୍ୱକୁ ହ୍ରାସ କରି ଏକ ନକାରାତ୍ମକ ସଂକେତ ଦେଇଥିଲା ତଥାପି, ଏହି ବୈଠକରେ ଏକ ଉଲ୍ଲେଖନୀୟ ନିଷ୍ପତ୍ତି ନିଆଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଗ୍ରହଣ କରିଥିଲେ। ମହାନଦୀ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ସକାଶେ କେନ୍ଦ୍ରଠାରେ ଦାବି ଉପସ୍ଥାପନ ସକାଶେ ରାଜ୍ୟ ସରକାରଙ୍କୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଏବେ ଶାସକ ଦଳର ପୃଷ୍ଠପୋଷକତାରେ ଏକ ସ୍ୱେଚ୍ଛାସେବୀ ସଂଗଠନର ‘ମହାନଦୀ ବଞ୍ଚାଅ’ ଅଭିଯାନକୁ ତେରଟି ଦଳର ସମର୍ଥନ ଥିବା ଦାବି କରାଯାଉଛି। କିନ୍ତୁ କଂଗ୍ରେସ ଓ ବିଜେପି ଏଥିରୁ ଦୂରେଇ ରହିବା ଫଳରେ ଅଭିଯାନକୁ ବଳ ମିଳି ପାରୁନାହିଁ। ତେଣୁ ପରିବର୍ତ୍ତିତ ପରିସ୍ଥିତିରେ ବର୍ତ୍ତମାନ କେବଳ ଗୋଟିଏ ସର୍ବଦଳୀୟ ଅଭିଯାନର ରୂପରେଖ ଚୂଡ଼ାନ୍ତ ହେବା ଜରୁରୀ। ଅନ୍ୟଥା, ପ୍ରସଙ୍ଗ ଉପରେ ବହୁ ବିଳମ୍ବରେ ଦାନା ବାନ୍ଧିଥିବା ଏକତା ବାଧାପ୍ରାପ୍ତ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ। ଆଶା, ସବୁଦଳ ଓ ସଂଗଠନର ପ୍ରତିନିଧି ମାନେ ‘ମାଟି ଆଗ, ପାର୍ଟି ପଛେ’ ଭାବନା ନେଇ ଶେଷ ପର୍ଯ୍ୟନ୍ତ ମହାନଦୀ ପ୍ରସଙ୍ଗରେ ଏକତା କାଏମ ରଖିବେ।

ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ଏକତାର ତ ଆଦ୍ୟ ସକାରାତ୍ମକ ଲକ୍ଷଣ ଦେଖାଯାଇଛି। କିନ୍ତୁ ଏତିକି ଯଥେଷ୍ଟ ନୁହେଁ। ମହାନଦୀ ଲଢ଼େଇକୁ ପ୍ରଭାବଶାଳୀ ଢଙ୍ଗରେ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ନେବା ଲାଗି ସଂସଦରେ ମଧ୍ୟ ଅନୁରୂପ ଏକତା ଆବଶ୍ୟକ। ଏ ପରିପ୍ରେକ୍ଷୀରେ କେନ୍ଦ୍ରରେ ଓଡ଼ିଶାର ଦୁଇ ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମନ୍ତ୍ରୀ ଦ୍ୱୟଙ୍କ ଭୂମିକା କ’ଣ ହେବ? ଏହାର ଉତ୍ତର ଉପରେ ମହାନଦୀ ଅଭିଯାନର ଭାଗ୍ୟ ଓ ଭବିଷ୍ୟତକୁ ଅନେକାଂଶରେ ପ୍ରଭାବିତ କରିବ। ଉଲ୍ଲେଖ କରାଯାଇପାରେ ଯେ, ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପ୍ରସଙ୍ଗରେ ଲୋକସଭାରେ କୋଡିଏ ସଭ୍ୟ ବିଶିଷ୍ଟ ବିଜେଡି ଅନ୍ୟ ବହୁ ଦଳଙ୍କ ସମର୍ଥନ ଜୁଟାଇ ପାରିଥିଲେ ମଧ୍ୟ ମନ୍ତ୍ରୀ ଜୁଏଲ ଓରାମ ଏହାକୁ ସମର୍ଥନ କରି ନଥିଲେ। ମନ୍ତ୍ରୀ ଦାୟିତ୍ୱର ନୈତିକତା ଦୃଷ୍ଟିରୁ ହୁଏତ ପ୍ରସ୍ତାବ ସପକ୍ଷରେ ଭୋଟ ଦେବା ତାଙ୍କ ପାଇଁ ସମ୍ଭବ ହୋଇ ନ ଥିବ। କିନ୍ତୁ ମହାନଦୀ ପ୍ରସଙ୍ଗରେ ଯଦି ମନ୍ତ୍ରୀ ଦାୟିତ୍ୱ ବାଧକ ସାଜେ, ତେବେ ତାହା ରାଜ୍ୟ ସ୍ୱାର୍ଥର ପରିପନ୍ଥୀ ହେବ। ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ଏହା ଏକ ଅଗ୍ନି ପରୀକ୍ଷା। ଅବଶ୍ୟ ଯଦି ମନ୍ତ୍ରୀମାନେ ‘ପାର୍ଟି ନୁହେଁ, ମାଟି ଆଗ’ ଭାବନାରେ ଉଦ୍‌ବୁଦ୍ଧ ହୁଅନ୍ତି, ତେବେ ଅଗ୍ନି ପରୀକ୍ଷାରେ କୃତକାର୍ଯ୍ୟ ହେବାରେ ଅସୁବିଧା ହେବ ନାହିଁ। ସର୍ବଦଳୀୟ ଅଭିଯାନର ନେତା ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ଲୋଡ଼ିବାରେ କୌଣସି କୁଣ୍ଠା ଅନୁଭବ କରିବା ଉଚିତ ନୁହେଁ। ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଭଳି ଏହା ରାଷ୍ଟ୍ରନୀତିଜ୍ଞ ଭାବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଧ୍ୟ ଏକ ପରୀକ୍ଷା।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ମହାନଦୀ ପ୍ରସଙ୍ଗରେ ସଦ୍ୟ ଗଜା ଧରିଥିବା ସର୍ବଦଳୀୟ ଏକତା କିଭଳି ଏକ ହୃଷ୍ଟପୁଷ୍ଟ ଗଛରେ ପରିଣତ ହେବ, ତା’ର ସମ୍ପୂର୍ଣ୍ଣ ଦାୟିତ୍ୱ ଶାସକ ଦଳ ଉପରେ। ବିଶେଷକରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କାନ୍ଧରେ। ଶୂନ୍ୟରେ ଏକତା ଦୃଢ଼ ହେବ ନାହିଁ। ଏଥିପାଇଁ ପ୍ରଥମେ ସରକାର ଓ ଶାସକ ଦଳକୁ ଅନ୍ୟ ଦଳମାନଙ୍କୁ ବିଶ୍ୱାସକୁ ନେଇ ମହାନଦୀ ସଂକ୍ରାନ୍ତ ସମସ୍ତ ତଥ୍ୟ ସମ୍ପର୍କରେ ଅବଗତ କରିବାକୁ ପଡ଼ିବ। ସ୍ୱଚ୍ଛତା ପାଇଁ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ବିସ୍ତତ ତଥ୍ୟ ସହ ଏକ ଶ୍ୱେତପତ୍ର ପ୍ରକାଶ ବିଷୟ ବିଚାର କରାଯାଇପାରେ। ଯଦି ବି ରାଜ୍ୟ ସରକାରଙ୍କ କିଛି ଭୁଲ ହୋଇଛି, କିଛି ଅବହେଳା ହୋଇଛି, ଉଦାରତାର ସହ ତାହା ମଧ୍ୟ ଶ୍ୱେତପତ୍ରର ସ୍ଥାନ ପାଉ। ଦୋଷ ଲୁଚାଇବାକୁ ଚେଷ୍ଟା କଲେ ଭାବମୂର୍ତ୍ତି ଓ ପାରସ୍ପରିକ ବିଶ୍ୱାସ ଏବଂ ଏକତା ପ୍ରଭାବିତ ହୋଇପାରେ। କୌଣସି ପ୍ରକାର ଭୁଲ ବୁଝାମଣା ରହିଲେ ଐକ୍ୟବଦ୍ଧ ସ୍ୱର ଉଠିବ ନାହିଁ।

ତେଣୁ ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ମିଳିତ ଲଢ଼େଇ ଲାଗି ଆସିଥିବା ଏକତା ନିଶ୍ଚିତ ଭାବେ ସୁଖଦ ଓ ସର୍ବାନ୍ତକରଣରେ ସ୍ୱାଗତଯୋଗ୍ୟ। ଏହା ମହାନଦୀର ସୁରକ୍ଷା ନେଇ ଚିନ୍ତିତ ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ନିଶ୍ଚୟ ଆଶ୍ୱସ୍ତ କରିଛି। ଅବଶ୍ୟ ସମୟ କହିବ ଏ ‘ପାର୍ଟି ନୁହେଁ ମାଟି ଆଗ’ ଭାବନାରେ ଉଦ୍‌ବୁଦ୍ଧ ଏକତା କେତେ ସମୟ ବଜାୟ ରହିବ ଓ ଲକ୍ଷ୍ୟ ହାସଲରେ କେତେ ଦୂର ଆଗକୁ ଯିବ। ତେବେ, ଲକ୍ଷ୍ୟ ହାସଲରେ ଯେତେ ବି ସଫଳତା ମିଳୁ, ଶେଷ ପର୍ଯ୍ୟନ୍ତ ଯଦି ଏକତା ଅତୁଟ ରହିଲା, ତେବେ ତାହା ଏକ ଉଜ୍ଜଳ ସୁସ୍ଥ ପରମ୍ପରା ସୃଷ୍ଟି କରିବ। ମାଟି ସହିତ ଯୋଡ଼ି ହୋଇଥିବା ଅନ୍ୟ ସବୁ ପ୍ରସଙ୍ଗରେ ମଧ୍ୟ ଏ ପ୍ରକାର ଏକତା ପାଇଁ ସମ୍ଭାବନା ରହିବ।

ସମ୍ବନ୍ଧିତ ଖବର