ବୁଧବାର ଦିନ ରିଜର୍ଭ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ମାର୍ଗଦର୍ଶନକାରୀ ସୁଧ ହାର ରେପୋ ରେଟ୍ରେ କରିଥିବା ପରିବର୍ତ୍ତନ ଦେଖି ମନେହୁଏ ରିଜର୍ଭ୍ ବ୍ୟାଙ୍କ୍ର ଗଭର୍ନ୍ର ଏବ˚ ମନିଟାରି ପଲିସି କମିଟି (ମୁଦ୍ରାନୀତି ନିର୍ଦ୍ଧାରକ କମିଟି)ର ସଦସ୍ୟମାନଙ୍କର ପ୍ରିୟ ପିଲାଙ୍କ କାହାଣୀ ହେଉଛି ‘ଗୋଲ୍ଡିଲକ୍ସ ଆଣ୍ତ୍ ଦି ଥ୍ରି ବେଅର୍ସ୍’ (ଗୋଲ୍ଡିଲକ୍ସ ଏବ˚ ତିନି ଭାଲୁ)। କାହାଣୀରେ ଭାଲୁ ତିନି ଜଣ ଅନୁପସ୍ଥିତ ଥିବା ସମୟରେ ଛୋଟ ଝିଅ ଗୋଲ୍ଡିଲକ୍ସ ସେମାନଙ୍କ ଘର ଭିତରେ ପ୍ରବେଶ କରିଛି। ସେଠାରେ ସେ ଟେବୁୁଲ୍ ଉପରେ ଭାଲୁ ତିନି ଜଣଙ୍କ ପାଇଁ ତିନିଟି ଗିନାରେ ପରିଜ୍, ସେମାନେ ଫେରି ଖାଇବା ପାଇଁ ଥୁଆ ହୋଇଛି। ଭୋକ ଲାଗୁଥିବା ଝିଅଟି ଗୋଟିଏ ଗିନାରେ ଥିବା ପରିଜ୍ ଖାଇବାକୁ ଉଦ୍ୟତ ହେବା ବେଳକୁ ଦେଖିଲା ଏହି ଜାଉ ଭଳି ଖାଦ୍ୟ ଏତେ ତାତିଲା ଅଛି ଯେ ତାହା ଖାଇହେବନାହିଁ। ଆଉ ଗୋଟିଏ ଗିନା ପରୀକ୍ଷା କରି ଦେଖିଲା ସେ ଗିନାର ପରିଜ୍ ଏତେ ଥଣ୍ତା ହୋଇଯାଇଛି ଯେ ତାହା ଖାଇବାକୁ ଭଲଲାଗିବନାହିଁ। ଗୋଲ୍ଡିଲକ୍ସ ତୃତୀୟ ଗିନାରେ ଥିବା ପରିଜ୍ ଏ ଭଳି ଉପଯୁକ୍ତ ଭାବରେ ଉଷୁମ ଥିବା ଆବିଷ୍କାର କଲା ଯାହାକୁ ସେ ଆନନ୍ଦରେ ଖାଇ ନିଜର ଭୋକ ମେଣ୍ଟାଇଲା।
Sambad is now on WhatsApp
Join and get latest news updates delivered to you via WhatsApp
ପରମ୍ପରା ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ଯେତେ ବେଳେ ସୁଧ ହାରରେ ପରିବର୍ତ୍ତନ ଘଟାଇଥା’ନ୍ତି, ସେମାନେ ୨୫ ବେସିସ୍ ପଏଣ୍ଟ୍ (୦.୨୫%) ବା ଏହାର କୌଣସି ଗୁଣିତକ (ଯେମିତି ୦.୫୦% କିମ୍ବା ୦.୭୫% କିମ୍ବା ୧.୦୦%) ଆକାରରେ ତାହା କରିଥା’ନ୍ତି। କେତେ ଦିନ ତଳେ ରିଜର୍ଭ୍ ବ୍ୟାଙ୍କ୍ର ଗଭର୍ନର୍ ଶକ୍ତିକାନ୍ତ ଦାସ ଵାସି˚ଟନ୍ଠାରେ ଦେଇଥିବା ଏକ ଭାଷଣରେ କହିଥିଲେ ଯେ ଯଦି ଏପରି ଏକ ପରିସ୍ଥିତି ଦେଖାଦିଏ ଯେଉଁଠି କେନ୍ଦ୍ରୀୟ ବ୍ୟାଙ୍କ୍ ଏକ କୋହଳ ନୀତି ଅବଲମ୍ବନ କରିବାକୁ ଚାହେଁ କିନ୍ତୁ ଅତିରିକ୍ତ କୋହଳ ନୁହେଁ, ତେବେ ସୁଧହାରରେ ୨୫ ବେସିସ୍ ପଏଣ୍ଟ୍ ହ୍ରାସ ଅତିରିକ୍ତ କୋହଳ ମନେହୋଇ ନ ପାରେ ଏବ˚ ୫୦ ବେସିସ୍ ପଏଣ୍ଟ୍ ହ୍ରାସ ଅତିରିକ୍ତ କୋହଳ ମନେହୋଇପାରେ। ଅନ୍ୟ ପ୍ରକାରେ କହିଲେ ଏ ଦୁଇ ହ୍ରାସ ହାର ଗୋଲ୍ଡିଲକ୍ସ ଚାଖିଥିବା ପ୍ରଥମ ଦୁଇଟି ଗିନାର ପରିଜ୍ ପରି ଅତିରିକ୍ତ ଗରମ କିମ୍ବା ଅତିରିକ୍ତ ଥଣ୍ତା ହୋଇପାରନ୍ତି, ଯାହା ଖାଦ୍ୟୋପଯୋଗୀ ନୁହନ୍ତି, ଅର୍ଥାତ୍ ଅର୍ଥନୀତିରେ ନିବେଶକରୁ ଗ୍ରାହକ ପର୍ଯ୍ୟନ୍ତ କାହାରି କାମରେ ଆସିବନାହିଁ।
ସୁଧ ହାରରେ ୫୦ ବେସିସ୍ ପଏଣ୍ଟ୍ ହ୍ରାସ ମୁଦ୍ରାସ୍ଫୀତି ସୃଷ୍ଟି କରିପାରେ; ୨୫ ବେସିସ୍ ପଏଣ୍ଟ୍ ହ୍ରାସ ମାନ୍ଦା ଅବସ୍ଥା ଦୂର କରିବା ପାଇଁ ଯଥେଷ୍ଟ ହେବନାହିଁ। ତେଣୁ ଶକ୍ତିକାନ୍ତ ଦାସ କହିଥିଲେ, ଏକ କେନ୍ଦ୍ରୀୟ ବ୍ୟାଙ୍କ୍ ପରମ୍ପରା ଭଙ୍ଗ କରି ଏ ଦୁଇ ସ˚ଖ୍ୟାର ମଧୢବର୍ତ୍ତୀ କୌଣସି ଏକ ସ˚ଖ୍ୟା, ଯେମିତି ୩୫ ବେସିସ୍ ପଏଣ୍ଟ୍ ଆକାରରେ ସୁଧ ହାରରେ ସ୍ଖଳନ ଘଟାଇବାରେ ଅସୁବିଧା କ’ଣ? ଅର୍ଥାତ୍ ୩୫ ବେସିସ୍ ପଏଣ୍ଟ୍(୦.୩୫%) ହେଉଛି ଠିକ୍ ଉପଯୁକ୍ତ ହ୍ରାସ ହାର- ତୃତୀୟ ଗିନାରେ ଥିବା ପରିଜ୍ ପରି। ବୁଧବାର ଦିନ ଭାରତୀୟ ରିଜର୍ଭ୍ ବ୍ୟାଙ୍କ୍ ତା’ର ଗଭର୍ନର୍ଙ୍କ ଉପଦେଶ ପାଳନ କଲା ଭଳି ତୃତୀୟ ଗିନାରୁ ହିଁ ପରିଜ୍ ପରଷିଛି- ରେପୋ ରେଟ୍ରେ ୩୫ ବେସିସ୍ ପଏଣ୍ଟ୍ ହ୍ରାସ ଘଟାଇ ତାହାକୁ ୫.୭୫%ରୁ ଖସାଇ ୫.୪୦% କରିଦେଇଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଏହା ହେଉଛି ରିଜର୍ଭ୍ ବ୍ୟାଙ୍କ୍ ଦ୍ବାରା କରାଯାଇଥିବା ଚତୁର୍ଥ ଥର ସୁଧ ହାର ହ୍ରାସ, ଯାହାର ମିଳିତ ପ୍ରଭାବରେ ରେପୋ ରେଟ୍ରେ ମୋଟ ୧୧୦ ବେସିସ୍ ପଏଣ୍ଟ୍ ହ୍ରାସ ଘଟିସାରିଲାଣି।
ଏଥରର ହ୍ରାସ ପରେ କ’ଣ ଫଳ ଫଳିବ ଦେଖାଯାଉ। କିନ୍ତୁ ଏ ପର୍ଯ୍ୟନ୍ତ ଦେଶର ଅର୍ଥନୀତିରେ ଏହି ପୂର୍ବ ସୁଧହାର କୋହଳ ହେବା ପରେ କିଛି ଅଧିକ ସ୍ଫୂର୍ତ୍ତି ଦେଖାଯାଇନାହିଁ। ଚଉଠ-ବାର୍ଷିକ ଅଭିବୃଦ୍ଧି ପରିସ˚ଖ୍ୟାନ ମାନ ଏବ˚ ଅନ୍ୟାନ୍ୟ ସୂଚକ ମାନରୁ ଅର୍ଥନୀତି ଏକ ମାନ୍ଦା ଅବସ୍ଥା ଦେଇ ଗତିକରୁଥିବା ଦେଖାଯାଇଥାଏ। ଚଳିତ ବର୍ଷ ପାଇଁ ଅଭିବୃଦ୍ଧି ପୂର୍ବାନୁମାନରେ ମଧୢ ରିଜର୍ଭ୍ ବ୍ୟାଙ୍କ୍ ପରିବର୍ତ୍ତନ ଘଟାଇ ୭.୦%ରୁ ୬.୯%କୁ ହ୍ରାସ କରିଦେଇଛି। ମାନ୍ଦା ଅବସ୍ଥା ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ମାନ୍ଦା ଚାହିଦା। ଚାହିଦାରେ ଏହି ମାନ୍ଦା ଅବସ୍ଥା ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ କାରଣମାନ ଯୋଗୁଁ ପ୍ରଭାବିତ ହୋଇଛି। ଦେଶ ଭିତରେ ଯେଉଁସବୁ କ୍ଷେତ୍ର ଏହି ମାନ୍ଦା ଅବସ୍ଥାର ବୋଝ ଅଧିକ ବୋହିଚାଲିଛନ୍ତି ସେମାନଙ୍କ ମଧୢରେ ଅନ୍ତର୍ଭୁକ୍ତ ଅଛନ୍ତି ରିଅଲ୍ ଇଷ୍ଟେଟ୍ ଓ ମୋଟର୍ ଗାଡ଼ି ଶିଳ୍ପ ଭଳି ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା କ୍ଷେତ୍ରମାନ।
ନିର୍ମାଣ (ମ୍ୟାନୁଫାକ୍ଚରି˚) କ୍ଷେତ୍ରରେ ବଳକା ଅବ୍ୟବହୃତ ଉତ୍ପାଦନ କ୍ଷମତା ବିସ୍ତାର ଲାଭ କରିବାରେଲାଗିଛି। ଏହା ଫଳରେ ଅସ୍ଥାୟୀ ଏବ˚ ଠିକା କର୍ମଚାରୀମାନଙ୍କୁ ଛଟେଇ କରାଯାଉଛି। ଯେଉଁମାନଙ୍କୁ ଛଟେଇ କରାଯାଉନାହିଁ, ସେମାନଙ୍କ ମଜୁରିରେ କିନ୍ତୁ ବୃଦ୍ଧି କରାଯାଉନାହିଁ। ଏଥି ଯୋଗୁଁ ଲୋକଙ୍କ ମୋଟ ଆୟରେ ହ୍ରାସ ଘଟୁଛି, ଏବ˚ ଏଣୁ ସେମାନେ କମ୍ ଖର୍ଚ୍ଚ କରୁଛନ୍ତିି, ଯାହା ମୋଟ ଚାହିଦାରେ ସ˚କୋଚନ ଘଟାଉଛି-ବିଶେଷ କରି ଦୀର୍ଘସ୍ଥାୟୀ ଖାଉଟି ଦ୍ରବ୍ୟମାନଙ୍କ ପ୍ରତି ହେଉଥିବା ଚାହିଦାରେ। ତେଣୁ ଉତ୍ପାଦନରେ ବୃଦ୍ଧି ଘଟୁନାହିଁ। ବଳକା ଉତ୍ପାଦନ କ୍ଷମତା ବ୍ୟବହୃତ ନ ହେବା ପର୍ଯ୍ୟନ୍ତ ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶରେ ଉନ୍ନତି ଘଟିବନାହିଁ। ତେଣୁ ଚାହିଦାରେ ବୃଦ୍ଧି ଘଟିବା ପାଇଁ ପ୍ରଥମେ ଆୟରେ ବୃଦ୍ଧି ଘଟିବା ଦରକାର।
ସୁଧ ହାରରେ ହ୍ରାସ ଘଟିଲେ, ତାହା ଯୋଗୁଁ ଆୟରେ ବୃଦ୍ଧି ଘଟିବନାହିଁ। ସୁଧ ହାର ଯେତେ ନୀଚା ହେଲେ ବି ଚାହିଦା ନଥିଲେ ଉତ୍ପାଦନ ହେବନାହିଁ ଏବ˚ ନିବେଶ ହେବନାହିଁ। ଏଣୁ ନୀଚା ସୁଧ ହାରର ସୁଫଳ ପାଇବାକୁ ହେଲେ ସରକାର ନିଜର ଟିକସ ଓ ଖର୍ଚ୍ଚ ଯୋଜନାରେ ଆବଶ୍ୟକ ରାଜକୋଷୀୟ ପରିବର୍ତ୍ତନ ଘଟାଇ ଅଧିକ ଆୟ ସୃଷ୍ଟି କରିବା ଆବଶ୍ୟକ। ବର୍ତ୍ତମାନ ଭାରତରେ ମୁଦ୍ରାସ୍ଫୀତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମଧୢରେ ରହିଛି। ଏହା ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ସୁଯୋଗ ଦେଉଛି। ଏଫ୍ଆର୍ବିଏମ୍ ଆକ୍ଟ୍ ଅନୁସାରେ ରାଜକୋଷୀୟ ନିଅଣ୍ଟକୁ ଜିଡିପିର ୩% ମଧୢରେ ରଖିବା ପାଇଁ ସୀମା ଧାର୍ଯ୍ୟ କରାଯାଇଥିଲେ ହେଁ ଅର୍ଥନୀତିକୁ ବର୍ତ୍ତମାନର ମାନ୍ଦା ଅବସ୍ଥାରୁ ମୁକୁଳାଇବା ନିମିତ୍ତ ରିଜର୍ଭ୍ ବ୍ୟାଙ୍କ୍ ଦ୍ବାରା ଘଟାଯାଇଚାଲିଥିବା ସୁଧ ହାର ହ୍ରାସକୁ ସହାୟକ ହେବା ପାଇଁ ସରକାର ସାମୟିକ ଭାବରେ ଏ ସୀମା ଉଲ୍ଲ˚ଘନ କରି ହୁଏତ ୩.୩% ସୀମା ବିଚାରକୁ ନେବାର ସମୟ ଉପସ୍ଥିତ। ନଚେତ୍ ରିଜର୍ଭ୍ ବ୍ୟାଙ୍କ୍ ପରଷିଥିବା ଜାଉ ଉପଯୁକ୍ତ ଭାବେ ଉଷୁମ ଥିଲେ ହେଁ ଭାରତୀୟ ଅର୍ଥନୀତି ରୂପକ ଗୋଲ୍ଡିଲକ୍ସ ତାହାକୁ ଖାଇପାରିବନାହିଁ ଓ ସେମିତି ଭୋକରେ ରହିବ।