ଲକ୍ଷ୍ମୀ ସରସ୍ବତୀ

ପ୍ରାୟ ତିନି ଦଶନ୍ଧିର ଉଦାରୀକରଣ ଉଦ୍ୟମ ସତ୍ତ୍ବେ ମଧୢ ଭାରତରେ ଉତ୍ପାଦନକାରୀ କାରଖାନାଟିଏ ପ୍ରତିଷ୍ଠା କରି ତାକୁ ସଫଳ ଭାବରେ ଚଳାଇବା ଏବେ ବି ସହଜ କଥା ନୁହେଁ। ଏଠାରେ ନାନା ପ୍ରକାର ପର‌୍‌ମିଟ୍‌ ଓ ଟିକସ ଆଦିର ଜାଲ ଯେତିକି ଜଟିଳ, ଶ୍ରମିକ ନିଯୁକ୍ତି ଓ ଛଟେଇ ସେତିକି କଷ୍ଟକର ଏବ˚ ଯାତାୟାତ, ପରିବହନ ଆଦି ସେତିକି ପ୍ରତିବନ୍ଧପୂର୍ଣ୍ଣ। ଏଣୁ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ଯେ, ବିଭିନ୍ନ ସମୟରେ କ୍ଷମତାରେ ଥିବା ସରକାରଙ୍କର ଘୋଷଣା ଓ ଆହ୍ବାନ ସତ୍ତ୍ବେ (ସଦ୍ୟତମ ହେଉଛି ୨୦୧୪ରେ ମୋଦୀ ସରକାର ଘୋଷଣା କରିଥିବା ‘ମେକ୍‌ ଇନ୍‌ ଇଣ୍ତିଆ’ ଅଭିଯାନ) ଭାରତରେ ଉତ୍ପାଦନ ଶିଳ୍ପ ଉଧେଇପାରିନାହିଁ। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ବିଦେଶୀ କମ୍ପାନିମାନେ ଚାଇନାରେ ଥିବା ସେମାନଙ୍କର ଉତ୍ପାଦନ କେନ୍ଦ୍ରମାନଙ୍କୁ ସ୍ଥାନାନ୍ତରିତ କରିବା ଆରମ୍ଭ କରିଥିଲେ ହେଁ ସେମାନଙ୍କ ମଧୢରୁ କ୍ବଚିତ୍‌ କେହି ଭାରତମୁହାଁ ହେବା ଦେଖାଯାଉଛି; ସେମାନେ ଭିଏତନାମ, ମାଲେସିଆ, ଥାଇଲାଣ୍ତ ଓ ଏପରିକି ବା˚ଲାଦେଶ ପରି ଅଧିକ ସୁବିଧାଜନକ ଦେଶକୁ ପସନ୍ଦ କରିବା ଦେଖାଯାଉଛି।

ଦେଶରେ ଉତ୍ପାଦନ ଏହି ପରି ଏକ ଆବଦ୍ଧ ପୁଷ୍କରିଣୀ ଭଳି ହୋଇଥିବା ବେଳେ ଅନ୍ୟ ଏକ କ୍ଷେତ୍ରରେ ଦେଖାଦେବାକୁ ଆରମ୍ଭ କରିଥିବା ଅର୍ଥନୈତିକ ପ୍ରବାହର ବେଗ ଓ ସ୍ଫୀତି ଏକ ବନ୍ୟାର ଧାରଣା ସୃଷ୍ଟି କରିଥାଏ କହିଲେ ଅତିରଞ୍ଜନ ହେବନାହିଁ। ଏ ସମ୍ବନ୍ଧରେ ଏକ ସମ୍ୟକ୍‌ ଧାରଣା ପାଇବା ପାଇଁ ଏକ ଉଦାହରଣ ବୋଧହୁଏ ସବୁଠାରୁ ଉପଯୁକ୍ତ ହେବ। ପୃଥିବୀର ଧନଶାଳୀ ନିବେଶ ବ୍ୟାଙ୍କ୍‌ମାନଙ୍କ ମଧୢରେ ଗୋଲ୍‌ଡମ୍ୟାନ୍‌ ସାକ୍‌ସ ଶିଖର ସ୍ଥାନ ଅଧିକାର କରିଥାଏ। ଏହାର ନିଉ ୟର୍କ‌୍ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ସାମ୍ୟବାଦୀ ବିରୋଧୀମାନେ ସର୍ବଦା ପୁଞ୍ଜିବାଦର ପ୍ରତୀକ ରୂପେ ଦେଖିଥା’ନ୍ତି। ଏହି ଗୋଲ୍‌ଡମ୍ୟାନ୍‌ ସାକ୍‌ସ ବାଙ୍ଗାଲୋରଠାରେ ୨୫୦ ନିୟୁତ ଡଲାର ଖର୍ଚ୍ଚ କରି ନିଜର ଏକ କ୍ୟାମ୍ପସ୍‌ ପ୍ରତିଷ୍ଠା କରିଛି। ଉଲ୍ଲେଖଯୋଗ୍ୟ ଯେ ଯେଉଁ ସ୍ଥପତି ନିଉ ୟର୍କ‌୍ ମୁଖ୍ୟାଳୟ ଡିଜାଇନ୍‌ କରିଥିଲେ, ସେଇ ସ୍ଥପତି ହିଁ ବାଙ୍ଗାଲୋର କ୍ୟାମ୍ପସ୍‌ ଡିଜାଇନ୍‌ କରିଛନ୍ତି। ଯଦି ବ୍ୟାଙ୍କ୍‌ର ନିଉ ୟର୍କ‌୍ ଅଫିସ୍‌ର ଜଣେ କର୍ମଚାରୀଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ତାଙ୍କୁ ଆଣି ବାଙ୍ଗାଲୋର ଅଫିସ୍‌ ଭିତରେ ଛାଡ଼ିଦିଆଯାଏ, ପଟି ଖୋଲିବା ପରେ ସେ ଜାଣିପାରିବେନାହିଁ ଯେ ସେ ସ୍ଥାନାନ୍ତରିତ ହୋଇଛନ୍ତି। ଫିଟ୍‌ନେସ୍‌ ଜିମ୍‌ଠାରୁ ଆରମ୍ଭ କରି ଶିଶୁପାଳନ ସୁବିଧା ଏବ˚ ଚିକିତ୍ସା କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସୁବିଧା ଏକା ଭଳି ଉଭୟ କାର୍ଯ୍ୟାଳୟରେ ଉପଲବ୍‌ଧ। ୨୦୦୪ରେ ବାଙ୍ଗାଲୋର କ୍ୟାମ୍ପସ୍‌ରେ ଗୋଲ୍‌ଡମ୍ୟାନ୍‌ର କର୍ମଚାରୀ ସ˚ଖ୍ୟା ଥିଲା ମାତ୍ର ୨୯୧। ବର୍ତ୍ତମାନ ସେହି ସ˚ଖ୍ୟାରେ ବୃଦ୍ଧି ଘଟି ପହଞ୍ଚିଛି ୫,୦୦୦ରେ।

ନିକଟ ଅତୀତରେ ଅନ୍ୟ ଏକ ଆନ୍ତର୍ଜାତିକ ବ୍ୟାଙ୍କ୍‌ ‘ୟୁବିଏସ୍‌’ ଭାରତରେ ତିନିଟି ନୂତନ କେନ୍ଦ୍ର ସ୍ଥାପନ କରିଛି। ସେମାନଙ୍କ ମଧୢରେ ସଦ୍ୟତମ କେନ୍ଦ୍ର ସ୍ଥାପିତ ହୋଇଛି ପୁ‌େଣଠାରେ। ଯେଉଁ ଅଟ୍ଟାଳିକାରେ ଏହା ସ୍ଥାପିତ ହୋଇଛି, ସେହି ଅଟ୍ଟାଳିକାରେ ମଧୢ ଆହୁରି ତିନିଟି ଆନ୍ତର୍ଜାତିକ ବ୍ୟାଙ୍କ୍‌ ସେମାନଙ୍କର ଶାଖାମାନ ସ୍ଥାପନ କରି କାର୍ଯ୍ୟ କରୁଛନ୍ତି: କ୍ରେଡିଟ୍‌ ସୁଇସ୍‌, ଆଲାଏନ୍‌ସ ଏବ˚ ନର୍‌ଦର୍ନ‌୍ ଟ୍ରଷ୍ଟ୍‌। ସେତିକି ନୁହେଁ, ଏହାର ଅନତି ଦୂରରେ ନିଜ ନିଜର କାର୍ଯ୍ୟାଳୟ ଖୋଲି ବ୍ୟବସାୟ ଆରମ୍ଭ କରୁଛନ୍ତି ଆହୁରି ଦୁଇଟି ପ୍ରତିଷ୍ଠିତ ଆନ୍ତର୍ଜାତିକ ବ୍ୟାଙ୍କ୍‌: ବାର୍କ‌୍ଲେସ୍‌ ଏବ˚ ସିଟି। ମୁମ୍ବଈ ଓ ପୁଣେରେ ମିଶି ୟୁବିଏସ୍‌ରେ ନିଯୁକ୍ତି ପାଇଥିବା ମୋଟ କର୍ମଚାରୀ ସ˚ଖ୍ୟା ହେଉଛି ୪,୦୦୦। ଫାଇନାନ୍‌ସ କମ୍ପାନିମାନଙ୍କ ପାଇଁ ଭାରତ ଏକ ଆଦର୍ଶ ସ୍ଥାନ ଭଳି ମନେ ହେଉ ନଥିଲେ ମଧୢ ସେମାନେ ଏଠାକୁ ଏ ଭଳି ଆକର୍ଷିତ ହୋଇ ଆସିବା ଅନେକ ପର୍ଯ୍ୟବେକ୍ଷକଙ୍କୁ ଚମତ୍କୃତ କରିଛି।

ଫାଇନାନ୍‌ସ ହେଉଛି ଏକ ଅତ୍ୟନ୍ତ ସୁକୁମାର ବ୍ୟବସାୟ। ସେମାନେ କୌଣସି ଏକ ସ୍ଥଳୀରେ ଉଧେଇବା ପାଇଁ ଆବଶ୍ୟକ ଉପାଦାନମାନଙ୍କ ମଧୢରେ ଅନ୍ତର୍ଭୁକ୍ତ ହୋଇଥାଏ ବୈଦେଶିକ ଅନୁଷ୍ଠାନ ଓ ବହିରାଗତମାନଙ୍କ ପାଇଁ ଏକ ଅବାଧ ପରିବେଶ; ବ୍ୟବସାୟ- ଅନୁକୂଳ ଏବ˚ ସୁସ˚ହତ ଆଇନକାନୁନ; ଏକ କର୍ମଚଞ୍ଚଳ ଘରୋଇ କ୍ଷେତ୍ର; ଅବାଧରେ ଲାଭ ଅନୁସରଣ କରିବା ପାଇଁ ବ୍ୟାଙ୍କ୍‌ମା‌ନଙ୍କର ସ୍ବାଧୀନତା ଇତ୍ୟାଦି। ଏଥି ସହିତ ଯୋଡ଼ିହୋଇରହିଥାଏ କର୍ମଚାରୀମାନଙ୍କ ପାଇଁ ଉପଲବ୍‌ଧ ଅନୁକୂଳ ସ୍ଥାନୀୟ ସା˚ସ୍କୃତିକ ପରିବେଶ। ଭାରତରେ ଏ ପରି ଆଦର୍ଶ ଅବସ୍ଥା ନାହିଁ। ଏଠାରେ ସ୍ଥାନୀୟ ବଜାର ଅଦକ୍ଷ ଓ ରାଜନୈତିିକ ହସ୍ତକ୍ଷେପରୁ ମୁକ୍ତ ନୁହେଁ; ଏଠାରେ ଆଇନ ଅସ˚ଖ୍ୟ ଓ ଜଟିଳ; ଉଦ୍ୟୋଗୀମାନେ ଆବଶ୍ୟକ କରୁଥିବା ପୁଞ୍ଜି ଏଠାରେ ମହଙ୍ଗା। ଏଠାରେ ଜୀବନଯାପନର ମାନ ବା କ୍ବାଲିଟି ଅଫ୍‌ ଲାଇଫ୍‌ ପାଶ୍ଚାତ୍ୟ ମାନଦଣ୍ତ ଅନୁସାରେ ବହୁତ ନୀଚା। ଏ ସମସ୍ତ କାରଣ ଯୋଗୁଁ ହ˚କ˚ ଏବ˚ ସିଙ୍ଗାପୁର ପରି ଅନ୍ୟ ଏସୀୟ ସହରମାନ ପୃଥିବୀର ପ୍ରମୁଖ ବିତ୍ତୀୟ କେନ୍ଦ୍ରରେ ପରିଣତ ହୋଇଥିିବା ବେଳେ, ଭାରତର ଫାଇନାନ୍‌ସ ରାଜଧାନୀ ମୁମ୍ବଈ ସେମାନଙ୍କଠାରୁ ବହୁ ପଛରେ ପଡ଼ିଛି।

ଏହା ସତ୍ତ୍ବେ ଭାରତ ବର୍ତ୍ତମାନ ଆନ୍ତର୍ଜାତିକ ବ୍ୟାଙ୍କମାନଙ୍କ ପାଇଁ ଏକ ପ୍ରମୁଖ ମିଳନ ପୀଠରେ ପରିଣତ ହୋଇଥିବା ଦେଖାଯାଉଛି। ନିଜ ଦେଶ ବାହାରେ ଭାରତ ଏମାନଙ୍କ ପାଇଁ ଦ୍ବିତୀୟ ବୃହତ୍ତମ ନିଯୁକ୍ତି କେନ୍ଦ୍ର ରୂପେ ଉଭାହେଲାଣି। ଆଉ ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ, ସେମାନେ ସେମାନଙ୍କର ଅଭିନବୀକରଣ କାର୍ଯ୍ୟ ଅଧିକରୁ ଅଧିକ ଏଠାରେ ସମ୍ପନ୍ନ କରୁଛନ୍ତି। ବିଗତ ବର୍ଷମାନଙ୍କରେ ବ୍ୟାଙ୍କ୍‌ମାନେ ଏକ ପୃଥିବୀ ବ୍ୟାପୀ ନେଟ୍‌ଵାର୍କ‌୍ରେ ପରିଣତ ହୋଇଯାଇଛନ୍ତି, ଯେଉଁମାନେ ଅତ୍ୟାଧୁନିକ ପ୍ରୋଗ୍ରାମ୍‌ମାନଙ୍କ ସାହାଯ୍ୟରେ ଆପ୍‌ ଓ ସ୍ମାର୍ଟ‌୍ଫୋନ୍‌ ଆଦି ମାଧୢମରେ ଋଣ ଅନୁମୋଦନଠାରୁ ଋଣ ପରିଚାଳନା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପନ୍ନ କରିବା ସହିତ ପରସ୍ପର ମଧୢରେ ଯୋଗସୂତ୍ର ରକ୍ଷା କରୁଛନ୍ତି। ପୃଥିବୀସାରାର ଅଧିକା˚ଶ ବ୍ୟାଙ୍କ୍‌ମାନଙ୍କର ଏସବୁ କାର୍ଯ୍ୟ ଭାରତରୁ ହିଁ କରାଯାଉଛି।

ଏହାର କାରଣ ମୁଖ୍ୟତଃ ଦୁଇଟି। ପ୍ରଥମ ଏବ˚ ଅଧିକ ଗୁରୁତ୍ବପୂର୍ଣ୍ଣ ହେଲା, ଭାରତର କେତେକ ବିଶ୍ବବିଦ୍ୟାଳୟମାନଙ୍କରୁ ବାହାରୁଥିବା ବିଚକ୍ଷଣ କମ୍ପ୍ୟୁଟର‌୍‌ ଇଞ୍ଜିନିଅର‌୍‌ମାନେ (ଯଦିବା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କରୁ ବାହାରୁଥିବା ସଂଖ୍ୟାବହୁଳ ଛାତ୍ରଛାତ୍ରୀମାନେ ଆଦୌ ନିଯୁକ୍ତି ଯୋଗ୍ୟ ନୁହନ୍ତି)। ଦ୍ବିତୀୟ କାରଣ ହେଲା ଏ ସମସ୍ତ କାର୍ଯ୍ୟ ଅଫିସ୍‌ ବାହାରକୁ ନ ଆସି ଇଣ୍ଟର୍‌ନେଟ୍‌ ମାଧୢମରେ ସମାପନ ହେଉଥିବାରୁ ଭାରତର ଶୋଚନୀୟ ରାସ୍ତାଘାଟ, ଗମନାଗମନ, ପରିବହନ ବ୍ୟବସ୍ଥା ଏଥି ପାଇଁ ପ୍ରତିବନ୍ଧ ନୁହନ୍ତି ଏବ˚ କୁଖ୍ୟାତ ଇନ୍‌ସପେକ୍ଟର୍‌ ରାଜ କବଳରୁ ଏମାନେ ସୁରକ୍ଷିତ ଥା’ନ୍ତି। ଯଦି ବିତ୍ତୀୟ ବ୍ୟବସାୟ କ୍ଷେତ୍ରରେ ଭାରତର ଏହି ନୂତନ ଉପଲବ୍‌ଧି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିବ, ତେବେ ସରକାର ହୃଦୟଙ୍ଗମ କରିବା ଉଚିତ ଯେ ‘ମେକ୍‌ ଇନ୍‌ ଇଣ୍ତିଆ’ ଗୁରୁତ୍ବପୂର୍ଣ୍ଣ, କିନ୍ତୁ ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଏକ ଉଚ୍ଚ ମାନର ଶିକ୍ଷା ବ୍ୟବସ୍ଥାର ସୃଷ୍ଟି। ଏଠାରେ ସରସ୍ବତୀ, ଲକ୍ଷ୍ମୀଙ୍କୁ ବାଟ କଢ଼ାଇଆଣୁଛନ୍ତି।

ସମ୍ବନ୍ଧିତ ଖବର