‘ଇଣ୍ଟର୍ ଗଭର୍ନ୍ମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ୍’ (ଆଇପିସିସି) ହେଉଛି ଜଳବାୟୁ ପରିବର୍ତ୍ତନ ସମସ୍ୟା ସମ୍ବନ୍ଧରେ ହେଉଥିବା ବିଭିନ୍ନ ବିଜ୍ଞାନ ଭିତ୍ତିକ ଗବେଷଣା ପ୍ରସୂତ ରିପୋର୍ଟ୍ମାନଙ୍କରୁ ଉପଲବ୍ଧ ସାରତଥ୍ୟ ସ˚ଗ୍ରହ କରି ସେ ବିଷୟରେ ଆମକୁ ଅବଗତ କରିବା ପାଇଁ ଓ ସମସ୍ୟାର ସମାଧାନ ବା ନିୟନ୍ତ୍ରଣ ନିମିତ୍ତ ମାର୍ଗଦର୍ଶନ କରାଇବା ପାଇଁ ‘ଜାତି ସ˚ଘ’ ଦ୍ବାରା ପ୍ରତିଷ୍ଠିତ ଏକ ଶୀର୍ଷ ସ˚ସ୍ଥା। ଗତ ଗୁରୁବାର ଦିନ ଏହି ସ˚ସ୍ଥା ପ୍ରକାଶ କରିଥିବା ଏକ ନୂତନ ରିପୋର୍ଟ୍ ପ୍ରଥମ ଥର ପାଇଁ ଜଳବାୟୁ ପରିବର୍ତ୍ତନର କାରଣ ଓ ନିୟନ୍ତ୍ରଣ ସହିତ ପୃଥିବୀର ଭୂ-ଭାଗର ନିବିଡ଼ ସମ୍ପର୍କ ଉପରେ ଦୃଷ୍ଟି ନିବଦ୍ଧ କରିଛି। ରିପୋର୍ଟ୍ଟି ପାରମ୍ପରିକ ଭାବେ ସରକାରୀ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ସଙ୍ଗେ ସଙ୍ଗେ ପୃଥିବୀପୃଷ୍ଠରେ ବାସ କରୁଥିବା ମନୁଷ୍ୟମାନଙ୍କ ପ୍ରତି ମଧ୍ୟ ଏକ ଆହ୍ବାନ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜଳବାୟୁକୁ ଆଉ ଅଧିକ ଉତ୍ତପ୍ତ ହେବାକୁ ନ ଦେବା ପାଇଁ ଖାଦ୍ୟାଭ୍ୟାସ ଭଳି ସେମାନଙ୍କର ଏକ ଅତ୍ୟନ୍ତ ବ୍ୟକ୍ତିଗତ ଆଚରଣରେ ପରିବର୍ତ୍ତନ ଘଟାଇବା ହେଉଛି ଏହି ଆହ୍ବାନର ଅ˚ଶ। କୃଷି ଓ ପଶୁପାଳନ ଯୁଗ ଯୁଗ ଧରି ସର୍ବାଧିକ ଶାନ୍ତ ଓ ପରିବେଶ ଅନୁକୂଳ ବୃତ୍ତି ରୂପେ ବିବେଚିତ ହୋଇଆସିଛି। ଏ ଉଭୟ କାର୍ଯ୍ୟରୁ କିନ୍ତୁ ମିଥେନ୍ ଓ ଅଙ୍ଗାରକାମ୍ଳ ଭଳି ଉତ୍ତାପ ଧାରଣକାରୀ ବାଷ୍ପମାନ ନିର୍ଗତ ହୋଇଥାଏ ବୋଲି ଅନେକ ଦିନରୁ ଜଣାଅଛି। ଆଧୁନିକ ମନୁଷ୍ୟ ପାଇଁ ଖାଦ୍ୟ ଉତ୍ପାଦନ ଏକ ସିଧାସଳଖ ପ୍ରକ୍ରିୟା ନୁହେଁ। ଖେତରୁ ଖାଇବା ଥାଳିରେ ପହଞ୍ଚିବା ପାଇଁ ଖାଦ୍ୟକୁ ବିଭିନ୍ନ ପ୍ରକ୍ରିୟା ମଧ୍ୟ ଦେଇ ଗତି କରିବାକୁ ପଡ଼ିଥାଏ। (ସେଥି ପାଇଁ ତ ଭାରତ ସରକାରଙ୍କର ମଧ୍ୟ ଏକ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ରହିଛି)।
ମା˚ସାହାରୀମାନଙ୍କ ପାଇଁ ପ୍ରାକ୍-ଖାଦ୍ୟ ଉତ୍ପାଦନ କାର୍ଯ୍ୟ ହେଉଛି ଫାର୍ମ୍ମାନଙ୍କେର ପଶୁପାଳନ। ଉତ୍ପାଦନ ପରବର୍ତ୍ତୀ କାର୍ଯ୍ୟ ହେଉଛି ପରିବହନ, ପ୍ରକ୍ରିୟାକରଣ ଇତ୍ୟାଦି। ପଶୁମାନେ ଜୀବିତ ଥିବା ସମୟରେ ନିର୍ଗତ କରୁଥିବା ମିଥେନ୍ ଏବ˚ ପରବର୍ତ୍ତୀ ସମୟରେ ପରିବହନ, ପ୍ରକ୍ରିୟାକରଣ ଆଦି ପାଇଁ ବ୍ୟବହୃତ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଏବଂ ପେଟ୍ରୋଲ୍, ଡିଜେଲ୍ ଆଦି ଜୈବ ଇନ୍ଧନ ଦହନ ଯୋଗୁଁ ନିର୍ଗମନ ଘଟୁଥିବା ଉତ୍ତାପ ବୃଦ୍ଧିକାରୀ ବାଷ୍ପ (ଗ୍ରିନ୍ ହାଉସ୍ ଗ୍ୟାସ୍ -‘ଜିଏଚ୍ଜି’) ମିଶି ପ୍ରତି ବର୍ଷ ପୃଥିବୀରେ ନିର୍ଗତ ହେଉଥିବା ମୋଟ ‘ଜିଏଚ୍ଜି’ର ୩୭% ହୋଇଥାଏ। ଏକ ପ୍ରକାର କହାଯାଇପାରେ ଯେ ଖାଦ୍ୟ ସମ୍ପର୍କିତ କାର୍ଯ୍ୟମାନ ପୃଥିବୀର ଜଳବାୟୁ ଉତ୍ତପ୍ତୀକରଣ ପାଇଁ ହେଉଛନ୍ତି ୩୭% ଦାୟୀ।
ଅର୍ଥାତ୍ ଉତ୍ତପ୍ତୀକରଣ ଯଦି ଏକ ଅପରାଧ ହୁଏ, ମା˚ସାହାରୀମାନେ ହେଉଛନ୍ତି ଏକ ମୁଖ୍ୟ ଅପରାଧୀ। ଆହୁରି ଯାହା ଚିନ୍ତାଜନକ, ତାହା ହେଲା ଏ ଭଳି ଆପରାଧିକ ଉପାୟରେ ଯେଉଁ ଖାଦ୍ୟ-ସାମଗ୍ରୀ ପ୍ରସ୍ତୁତ ହୁଏ, ତାହାର ସମସ୍ତ ପରିମାଣ ମନୁଷ୍ୟର ପେଟକୁ ଯାଇ ନ ଥାଏ। ରିପୋର୍ଟ୍ ଅନୁସାରେ ମୋଟ ଉତ୍ପାଦିତ ଖାଦ୍ୟ ପରିମାଣର ପ୍ରାୟ ଏକ ଚଉଠ କ୍ଷୟକ୍ଷତି ଓ ନଷ୍ଟ ହୋଇଥାଏ। ଏହାର ବିପଜ୍ଜନକ ମର୍ମ ହେଲା, ଯଦି ଏ ପରି ନଷ୍ଟ ହେଉଥିବା ଖାଦ୍ୟ ମୂଳରୁ ଉତ୍ପାଦିତ ହୋଇ ନ ଥା’ନ୍ତା, ତେବେ ଧରିତ୍ରୀର ପରିବେଶ ବେଶ୍ କମ୍ ଉତ୍ତପ୍ତୀକରଣର ସମ୍ମୁଖୀନ ହୋଇଥା’ନ୍ତା। ସେତିକି ନୁହେଁ ଫିଙ୍ଗିଦିଆଯାଉଥିବା ଖାଦ୍ୟ ମଧ୍ୟ ପଚି-ଶଢ଼ିଯିବା ବେଳେ ସେଥିରୁ ଉତ୍ତପ୍ତୀକରଣ ବାଷ୍ପ ନିର୍ଗମନ ହୋଇଥାଏ-ବୋଝ ଉପରେ ନଳିତା ବିଡ଼ା ଭଳି।
ଧରିତ୍ରୀ ମାତାଙ୍କୁ ସର୍ବ˚ସହା କହାଯାଇଥାଏ। ପିଲାଟି ଛୋଟ ଥିବା ବେଳେ ମାଆ, ତା’ର ମଳମୂତ୍ର ସଫା କଲା ଭଳି କିମ୍ବା ବଡ଼ ହେବା ପରେ ସେ ଶହେ ଦୋଷ କଲେ ମଧ୍ୟ ମାଆ, ତା’ର ଦୋଷ ଘୋଡ଼ାଇବା ଭଳି ଭୂ-ପୃଷ୍ଠର ଅନୁଚିତ ବ୍ୟବହାର କରି ମନୁଷ୍ୟ ଯେତେ ବେଳେ କ୍ଷତିକାରକ ‘ଜିଏଚ୍ଜି’ ନିର୍ଗମନ କରାଇଥାଏ, ଧରିତ୍ରୀ ମାତା ସେତେ ବେଳେ ସ୍ନେହାନ୍ଧ ମାଆ ଭଳି ତାକୁ ସଫା କରିବାକୁ ମଧ୍ୟ ଚେଷ୍ଟା କରିଥାଏ। ପୃଥିବୀରେ ପ୍ରତି ବର୍ଷ ଅଙ୍ଗାର-ଚକ୍ର ଯୋଗୁଁ ଯେତିକି ଜିଏଚ୍ଜି ନିର୍ଗମନ ଘଟିଥାଏ ଭୂ-ପୃଷ୍ଠ ଓ ସମୁଦ୍ର ମିଶି ତାହାର ପ୍ରାୟ ୫୦%କୁ ପୁଣି ଶୋଷିନେଇଥା’ନ୍ତି। ଭୂମି କେବଳ ଏକ ଅଙ୍ଗାର ଶୋଷକ (କାର୍ବନ୍ ସିଙ୍କ୍) ରୂପେ କାର୍ଯ୍ୟ କରି ମନୁଷ୍ୟକୃତ ଅଙ୍ଗାରକାମ୍ଳ ନିର୍ଗମନର ପ୍ରାୟ ଏକ-ତୃତୀୟା˚ଶକୁ ଶୋଷି ନେଇଥାଏ। କହିବା ଅନାବଶ୍ୟକ ଜଙ୍ଗଲର ବୃକ୍ଷରାଜି ହେଉଛନ୍ତି, ମୁଖ୍ୟ ଅଙ୍ଗାରକାମ୍ଳ ଶୋଷକ। ତେଣୁ ଉତ୍ତପ୍ତୀକରଣକୁ କାବୁ କରିବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଯେତିକି ଗୁରୁତ୍ବପୂର୍ଣ୍ଣ ଜଙ୍ଗଲକୁ ଧ୍ବ˚ସ ମୁଖରୁ ରକ୍ଷା କରିବା ସେତିକି ଗୁରୁତ୍ବପୂର୍ଣ୍ଣ।
ଏହା ଏବେ ଜଣାଶୁଣା ଯେ ବର୍ତ୍ତମାନ ଦେଖାଯାଉଥିବା ଅନେକ ପରିବେଶଗତ ବିପର୍ଯ୍ୟୟ- ତାପ ଲହରୀ, ଅନିୟମିତ ବୃଷ୍ଟିିପାତ ଜନିତ ବନ୍ୟା ଓ ମରୁଡ଼ି, କୃଷି ଋତୁରେ ପରିବର୍ତ୍ତନ, ଅମଳ ହ୍ରାସ, ମଧୁର ଜଳ କଷ୍ଟ, ବୃକ୍ଷ ମରୁଡ଼ି ଏବ˚ ଜୈବ ବିବିଧତା ସ˚କୋଚନ ଆଦି ପଛରେ ରହିଥିବା ଅନ୍ୟତମ ମୁଖ୍ୟ କାରଣ ହେଉଛି ପରିବେଶର ଉତ୍ତପ୍ତୀକରଣ। ପୃଥିବୀର ପରିବେଶର ଏହି ଉତ୍ତାପ ବୃଦ୍ଧି ଭୂ-ଭାଗ ପାଇଁ ଏକ ବିଶେଷ ଗୁରୁତ୍ବ ବହନ କରିଥାଏ। ୧୮୫୦-୧୯୦୦ ଏବ˚ ୨୦୦୬-୧୫ ମଧ୍ୟରେ ଭୂଭାଗ ଉପରିସ୍ଥ ତାପମାତ୍ରାରେ ୧.୫ ସେଲ୍ସିଅସ୍ ବୃଦ୍ଧି ଘଟିଛି। ଏହା ହେଉଛି ସାରା ପୃଥିବୀର ହାରାହାରି ତାପମାତ୍ରା ବୃଦ୍ଧି ହାରଠାରୁ ୭୫ ଶତା˚ଶ ଦ୍ରୁତତର। ଏଥିରୁ ଯେଉଁ ସନ୍ଦେଶ ମିଳିଥାଏ, ଭୂ-ପୃଷ୍ଠର ଦୁରୁପଯୋଗ ବନ୍ଦ କରି ଜିଏଚ୍ଜି ନିର୍ଗମନର ହ୍ରାସ ଘଟାଇବା ସହିତ ଜଙ୍ଗଲ ବୃଦ୍ଧି ଓ ସ˚ରକ୍ଷଣ ଆଦି ପଦକ୍ଷେପ ଦ୍ବାରା ଭୂ-ପୃଷ୍ଠର ଅଙ୍ଗାରକାମ୍ଳ ଶୋଷଣ କ୍ଷମତାରେ ବୃଦ୍ଧି ଘଟାଇବାକୁ ହେବ।
ଏଥି ପାଇଁ ମନୁଷ୍ୟକୁ ତା’ର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଘଟାଇ ମା˚ସ ବଦଳରେ ଶାକାହାରକୁ ପ୍ରାଧାନ୍ୟ ଦେବାକୁ େହବ, ପ୍ରକ୍ରିୟାକୃତ ଶସ୍ୟ ବଦଳରେ ଅଧିକ ମୋଟା ଶସ୍ୟ ଆହାର ଗ୍ରହଣ କରିବାକୁ ହେବ,ଏବ˚ ଅଧିକ ଦକ୍ଷ ଭୂ-ପରିଚାଳନା ପଦ୍ଧତି ଅବଲମ୍ବନ କରିବାକୁ ହେବ। ସେହି ପରି ଉପଯୁକ୍ତ ଜଳବାୟୁ ସହିତ ଖାପ୍ ଖାଇବା ଭଳି ଫସଲ, ଚାଷ କରିବାକୁ ହେବ (ନଚେତ୍ ଫଳ ହେବ ଯେମିତି ପଞ୍ଜାବରେ ଧାନ ଚାଷ ଏହାର ଉଲ୍ଲ˚ଘନ କରି ଘୋର ପରିବେଶଗତ ସମସ୍ୟା ସୃଷ୍ଟି କରିବା ଦେଖାଯାଉଛି)। ଖାଦ୍ୟ ନଷ୍ଟ ଓ କ୍ଷୟକ୍ଷତିକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ। ଯଦି ମନୁଷ୍ୟ ତା’ର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଆଇପିସିସି ଦେଉଥିବା ଆହ୍ବାନ ପ୍ରତି ଆମେ କର୍ଣ୍ଣପାତ ନ କରୁ, ତେବେ ଧରିତ୍ରୀ ମାଆ ମଧ୍ୟ ଆମକୁ ରକ୍ଷା କରିପାରିବେନାହିଁ, କାରଣ ତାଙ୍କର ବଳ କମିକମି ଯାଉଛି – ଆମ ଯୋଗୁଁ।