ଧନ୍ୟବାଦ ଗୁଗ୍‌ଲ!

ଗତକାଲି ଗୁଗ୍‌ଲ ତା’ର ବହୁଳ ଆଦୃତ ପ୍ରସିଦ୍ଧ ଡୁଡ୍‌ଲରେ ଯେଉଁ ମହାନ୍‌ ଭାରତୀୟଙ୍କ ପ୍ରତିକୃତିକୁ ସ୍ଥାନ ଦେଇଥିଲା, ତାହା ସେହି କି˚ବଦନ୍ତି ପୁରୁଷଙ୍କ ସ୍ମୃତି ପ୍ରତି ଯେଉଁ ଭଳି ସମ୍ମାନ ପ୍ରଦର୍ଶନ ଥିଲା, ଗୁଗ୍‌ଲ ଭଳି ପୃଥିବୀର ଏକ ଛାମୁଆ ବିଜ୍ଞାନ- ପ୍ରଯୁକ୍ତି ବିଦ୍ୟା କମ୍ପାନି ପାଇଁ ସେଇ ଭଳି ଉପଯୁକ୍ତ ଥିଲା। ଡୁଡ୍‌ଲରେ ଥିବା ଛବିଟି ଥିଲା, ଭାରତୀୟ ମହାକାଶ ବିଜ୍ଞାନ ଗବେଷଣାର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିକ୍ରମ ସାରାଭାଈଙ୍କର। ଗତ କାଲି ଥିଲା ଡକ୍ଟର୍‌ ସାରାଭାଈଙ୍କର ୧୦୦ତମ ଜନ୍ମ ଦିବସ। ଭାରତ ବର୍ତ୍ତମାନ ସ୍ବଦେଶୀ ଜ୍ଞାନ କୌଶଳ ଉପଯୋଗ କରି ଅତ୍ୟନ୍ତ ସୀମିତ ବ୍ୟୟରେ ମଙ୍ଗଳଯାନ, ଚନ୍ଦ୍ରଯାନ ଆଦି ପ୍ରେରଣ କରି ଯେଉଁ ଆନ୍ତର୍ଜାତିକ ଖ୍ୟାତି ଉପଭୋଗ କରୁଛି, ତାହାର ମୂଳଦୁଆ ପକାଇଥିଲେ ଡକ୍ଟର୍‌ ବିକ୍ରମ ସାରାଭାଈ।

ଆଜିର ଦେଶଭକ୍ତିର ଋତୁରେ ଏହା ଉଲ୍ଲେଖଯୋଗ୍ୟ ଯେ ବିକ୍ରମ ସାରାଭାଈ ଥିଲେ, ନିଜ ଦେଶ ପ୍ରତି ଉତ୍ସର୍ଗୀକୃତ ଏକ ବିଚକ୍ଷଣ ଦୂରଦର୍ଶୀ ବୈଜ୍ଞାନିକ। ସ୍ବାଧୀନତା ସ˚ଗ୍ରାମ ସହିତ ଘନିଷ୍ଠ ଭାବରେ ଜଡ଼ିତ ଏକ ଗୁଜରାତୀ ପରିବାରରେ ଜନ୍ମିତ ବିକ୍ରମ ବିଜ୍ଞାନର ଛାତ୍ର ଥିବା ସମୟରେ ୧୯୩୦ରେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରଦତ୍ତ ମର୍ଯ୍ୟାଦାଜନକ ‘ନେସ୍‌ନାଲ୍‌ ସାଇନ୍‌ସ ଅଫ୍‌ ଟ୍ରିପୋସ୍‌’ ଉପାଧି ଲାଭ କରିଥିଲେ। ତାହା ଥିଲା ଦ୍ବିତୀୟ ବିଶ୍ବ ଯୁଦ୍ଧର ଆରମ୍ଭ ସମୟ। ୧୯୪୫ରେ ଯୁଦ୍ଧ ସମାପ୍ତ ହେବା ପରେ ବିକ୍ରମ ସରାଭାଇ ଭାରତକୁ ଫେରିଆସିଥିଲେ। ବାଙ୍ଗାଲୋର‌ଠାରେ ଖ୍ୟାତନାମା ବୈଜ୍ଞାନିକ ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମନଙ୍କ ତତ୍ତ୍ବାବଧାନରେ ସେ ଆଲୋକ ସମ୍ବନ୍ଧରେ କରିଥିବା ଆଲୋଡ଼ନ ସୃଷ୍ଟିକାରୀ ଗବେଷଣା ପାଇଁ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ତାଙ୍କୁ ଡକ୍ଟର‌୍‌ ଅଫ୍‌ ସାଇନ୍‌ସ (ଡିଏସ୍‌ସି) ଉପାଧିରେ ଭୂଷିତ କରିଥିଲା।

୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ପରେ ହିଁ ସେ ସତେ ଯେମିତି ଏ ସ୍ବାଧୀନ ଦେଶର ଗୌରବମୟ ପ୍ରାଚୀନ ସଭ୍ୟତା ସହିତ ତାଳଦେବା ପାଇଁ, ଏହାକୁ ବିଜ୍ଞାନର ଆଗ ଧାଡ଼ିରେ ରଖିବା ପାଇଁ ସ୍ବପ୍ନ ଦେଖିବାକୁ ଆରମ୍ଭ କଲେ। ଏହି ସ୍ବପ୍ନକୁ ସତ୍ୟରେ ପରିଣତ କରିବା ପାଇଁ ସେ ଅହମ୍ମଦାବାଦର ଶାହୀବାଗସ୍ଥିତ ନିଜ ବାସଗୃହର ଏକ ଅ˚ଶରେ ହିଁ ୧୯୪୭ରେ ‘ଫିଜିକାଲ୍‌ ରିସର୍ଚ‌୍ ଲାବରେଟରି’ (‘ପିଆର‌୍‌ଏଲ୍‌’) ସ୍ଥାପନ କଲେ। ଏହିଠାରେ ହିଁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଥିଲା। ଆଜିର ‘ଇଣ୍ତିଆନ୍‌ ସ୍ପେସ୍‌ ରିସର୍ଚ‌୍ ଅର୍ଗାନାଇଜେସନ୍‌’ (‘ଇସ୍ରୋ’) ପ୍ରତିଷ୍ଠା ଦିଗରେ ଏହା ପ୍ରଥମ ପଦକ୍ଷେପ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଭାରତ ଅନ୍ତରୀକ୍ଷକୁ ନିଜର ରକେଟ୍‌ ସାହାଯ୍ୟରେ ଉପଗ୍ରହ ପ୍ରେରଣ କରିବା ଥିଲା, ସରାଭାଇଙ୍କ ଆନ୍ତରିକ ଇଚ୍ଛା। ଭାରତର ଆଣବିକ କାର୍ଯ୍ୟକ୍ରମର ଜନ୍ମଦାତା ଡକ୍ଟର ହୋମିଭାବାଙ୍କ ସହାୟତାରେ ସେ କେରଳର ତିରୁବନନ୍ତପୁରମ ନିକଟସ୍ଥ ଥୁମ୍ବାଠାରେ ଦେଶର ପ୍ରଥମ ରକେଟ୍‌ ପ୍ରକ୍ଷେପଣ କେନ୍ଦ୍ର ସ୍ଥାପନ କରିଥିଲେ। ପରେ ଆନ୍ଧ୍ରର ଶ୍ରୀହରିକୋଟାଠାରେ ମଧୢ ଆଉ ଏକ ରକେଟ୍‌ ପ୍ରକ୍ଷେପଣ କେନ୍ଦ୍ର ସ୍ଥାପିତ ହୋଇଥିଲା।

ବିକ୍ରମ ସାରାଭାଈ କେବଳ ଜଣେ କଳ୍ପନାବିଳାସୀ, ସାଧାରଣ ଜନ-ଜୀବନଠାରୁ ବିଚ୍ଛିନ୍ନ ବୈଜ୍ଞାନିକ ନ ଥିଲେ। ତାଙ୍କର ପରିବାର ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇଥିଲେ। ତାହାର ପ୍ରଭାବରେ ସେ ଭାରତର ଗାଁ-ଗହଳରେ ଲୋକଙ୍କର ଜୀବନ ଧାରଣର ମାନରେ ଉନ୍ନତି ଆଣିବା ପାଇଁ ମଧୢ ଉଦ୍ୟମ କରୁଥିଲେ। ‘ନେହରୁ ବିକାଶ ସ˚ସ୍ଥାନ’ ସହିତ ସମ୍ପୃକ୍ତ ଥାଇ ସେ ଗୁଜରାତରେ ଏହା ହାସଲ କରିବା ପାଇଁ ପ୍ରଶ˚ସନୀୟ କାର୍ଯ୍ୟ କରିଥିଲେ। ଦେଶରେ ବ୍ୟବସାୟ ପରିଚାଳନା ଦକ୍ଷତା ବୃଦ୍ଧିର ଗୁରୁତ୍ବ ଉପଲବ୍‌ଧି କରି ବିକ୍ରମ ସାରାଭାଈ, ବର୍ତ୍ତମାନ ଦେଶର ଶ୍ରେଷ୍ଠତମ ବ୍ୟବସାୟ ପରିଚାଳନା ଶିକ୍ଷାନୁଷ୍ଠାନ ରୂପେ ବିବେଚିତ ଅହମ୍ମଦାବାଦସ୍ଥିତ ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ (‘ଆଇଆଇଏମ୍‌’)ର ପ୍ରତିଷ୍ଠାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ସେଠାକାର ଫିଜିକ୍‌ସ ରିସର୍ଚ‌୍ ଲାବରେଟରି ମଧୢ ହେଉଛି ତାଙ୍କର ଆଉ ଏକ ଅବଦାନ। ୧୯୭୧ରେ ୫୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିବା ପୂର୍ବରୁ ବିକ୍ରମ ସାରାଭାଈ ଭାରତର ପ୍ରଥମ କୃତ୍ରିମ ଉପଗ୍ରହ ନିର୍ମାଣ ନିମିତ୍ତ ଆବଶ୍ୟକ ଯନ୍ତ୍ରପାତି ଖଞ୍ଜିବା ଆରମ୍ଭ କରିଦେଇଥିଲେ। ତାହାର ଫଳ ସ୍ବରୂପ ୧୯୭୫ ଏପ୍ରିଲ୍‌ ୧୯ ତାରିଖରେ ଭାରତର ସର୍ବପ୍ରଥମ କୃତ୍ରିମ ଉପଗ୍ରହ ‘ଆର୍ଯ୍ୟଭଟ୍ଟ’ ଅନ୍ତରୀକ୍ଷକୁ ପ୍ରେରିତ ହୋଇଥିଲା। ଭାରତ ସରକାର ବିକ୍ରମ ସାରାଭାଈଙ୍କୁ ସମ୍ମାନିତ କରିବା ପାଇଁ ୧୯୬୬ରେ ତାଙ୍କୁ ‘ପଦ୍ମ ଭୂଷଣ’ ଏବ˚ ୧୯୭୨ରେ ମରଣୋତ୍ତର ଭାବେ ‘ପଦ୍ମ ବିଭୂଷଣ’ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ବିକ୍ରମ ସାରାଭାଈଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ପ୍ରଦାନ କରି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବା ପାଇଁ ଦାବି ହୋଇଆସୁଛି। ଯେମିତି, ୨୦୧୫ରେ ଖ୍ୟାତନାମା ବୈଜ୍ଞାନିକ ତଥା ସାରାଭାଈଙ୍କ ଦ୍ବାରା ପ୍ରତିଷ୍ଠିତ ଫିଜିକାଲ୍‌ ରିସର୍ଚ‌୍ ଲାବରେଟରି ପରିଚାଳନା ପରିଷଦର ଚେଆରମ୍ୟାନ୍‌, ପ୍ରଫେସର ୟୁଆର‌୍‌ ରାଓ, ସାରାଭାଈଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ଦାବି କରିଥିଲେ। ତାହା ଥିଲା ମୋଦୀ ସରକାରର ପ୍ରଥମ ପାଳି ସମୟ। ନରେନ୍ଦ୍ର ମୋଦୀ ଭାରତର ବୈଜ୍ଞାନିକ ପରମ୍ପରା ଓ ବର୍ତ୍ତମାନର ଉପଲବ୍‌ଧିକୁ ନେଇ ଦେଶ-ବିଦେଶରେ ବାହାସ୍ଫୋଟ ମାରିଥା’ନ୍ତି। ମହାକାଶରେ ଭାରତୀୟ ବୈଜ୍ଞାନିକମାନଙ୍କର ଚମକପ୍ରଦ ସଫଳତା ତାଙ୍କୁ ଏଥିରେ ବିଶେଷ ସହାୟତା କରିଛି। ମଙ୍ଗଳଯାନ ପ୍ରେରଣ ସମୟରେ ସେ ଏଥି ପାଇଁ ହୋଇଥିବା ଖର୍ଚ୍ଚକୁ ଦୀପାବଳିରେ ଫୁଟାଯାଉଥିବା ବାଣ ଖର୍ଚ୍ଚଠାରୁ ମଧୢ କମ୍‌ ବୋଲି କହି ପାଶ୍ଚାତ୍ୟ ମହାକାଶ ବିଜ୍ଞାନୀମାନଙ୍କୁ ହତଚକିତ କରିଦେଇଥିଲେ।

ଏ କ୍ଷେତ୍ରରେ ବିକ୍ରମ ସାରାଭାଈ ପ୍ରଦାନ କରିଥିବା ନେତୃତ୍ବକୁ କିନ୍ତୁ ସରକାର ବୁଝିପାରିନାହାନ୍ତି କିମ୍ବା ବୁଝି ଅବୁଝା, ତାହା ବୁଝାପଡ଼ୁନାହିଁ। କିନ୍ତୁ ଆଉ ଜଣେ ଭାରତ ରତ୍ନ, ଡକ୍ଟର ଏପିଜେ ଅବଦୁଲ କଲାମ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କୁ ଯଦି ଚୟନ କରି ଜଣେ ବୈଜ୍ଞାନିକ ରୂପେ କାର୍ଯ୍ୟ କରିବାର ସୁଯୋଗ ଦେବାରେ କେହି ପ୍ରମୁଖ ଭୂମିକା ନିର୍ବାହ କରିଥିଲେ, ସେ ହେଉଛନ୍ତି ବିକ୍ରମ ସାରାଭାଈ। ଏ ପର୍ଯ୍ୟନ୍ତ ଭାରତ ରତ୍ନ ବିଜୟୀମାନଙ୍କ ତାଲିକାରେ ଥିବା ଅନେକ ନାମ ଉପହାସ ସୃଷ୍ଟି କରିଥାଏ, ଯେମିତି ୨୦୧୩ରେ ଆସନ୍ନ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀଙ୍କ ଉଦ୍ୟମରେ କ˚ଗ୍ରେସ୍‌ ସରକାର କ୍ରିକେଟର‌୍‌ ସଚ୍ଚିନ ତେନ୍ଦୁଲକରଙ୍କୁ ଭାରତ ରତ୍ନରେ ଭୂଷିତ କରିବା। ଏକ କାଠ ପଟାରେ ଚମଡ଼ା ବଲ୍‌କୁ ପିଟିବା କିମ୍ବା ବିଭିନ୍ନ ବିଜ୍ଞାପନରେ ଆବିର୍ଭୂତ ହୋଇ ଜିନିଷ ବିକ୍ରିରେ ସାହାଯ୍ୟ କରିବା କିଭଳି ଅନ୍ତରୀକ୍ଷକୁ ଉପଗ୍ରହ ପ୍ରେରଣ କରିବାଠାରୁ ଅଧିକ ସମ୍ମାନଜନକ ତାହା ବିକ୍ରମ ସାରାଭାଈଙ୍କୁ ଭାରତ ରତ୍ନରୁ ବଞ୍ଚିତ କରିଥିବା ନେତାମାନେ କେବଳ ବୋଧହୁଏ ଜାଣିଥିବେ।

ସମ୍ବନ୍ଧିତ ଖବର

Comments are closed.