ମଲାଲାଙ୍କ ମୁସ୍କିଲ

‘ଏଣେ ମାରିଲେ ଗୋ-ହତ୍ୟା; ତେଣେ ମାରିଲେ ବ୍ରହ୍ମ-ହତ୍ୟା’। ଯଦିବା ବିଶ୍ବର ସର୍ବ କନିଷ୍ଠ ନୋବେଲ୍‌ ପ୍ରାଇଜ୍‌ ବିଜେତା ୨୦୧୪ରେ ମାତ୍ର ୧୭ ବର୍ଷ ବୟସରେ ନୋବେଲ୍‌ ଶାନ୍ତି ପୁରସ୍କାର ଲାଭ କରିଥିବା ମଲାଲା ୟୁସୁଫଜଈଙ୍କ ପାଇଁ ଏ ଦୁଇ ଶ୍ରେଣୀର ହତ୍ୟା କୌଣସି ମାନେ ରଖେନାହିଁ, ତଥାପି ବର୍ତ୍ତମାନ ସେ ପଡ଼ିଥିବା ଅଡୁଆ ସମ୍ବନ୍ଧରେ ଏକ ପ୍ରାଞ୍ଜଳ ଧାରଣା ଦେବା ପାଇଁ ଏହାଠାରୁ  ବଳି ଉପଯୁକ୍ତ କଥନ କିଛି ନାହିଁ, ଯାହାକୁ ଜୋସେଫ୍‌ ହେଲର‌୍‌ଙ୍କ ପ୍ରସିଦ୍ଧ ଉପନ୍ୟାସ ଆଧାରରେ ଇ˚ରାଜୀରେ କୁହାଯାଇଥାଏ- ‘କ୍ୟାଚ୍‌-୨୨ ଅବସ୍ଥା’।

ଅଗଷ୍ଟ୍‌ ୬ ତାରିଖ ଦିନ ଭାରତ କଶ୍ମୀର ପ୍ରତି ଲାଗୁହୋଇଆସିଥିବା ଧାରା-୩୭୦କୁ ଅକାମି କରିଦେବା ପରେ ମଲାଲା ତତ୍‌କ୍ଷଣାତ୍‌ କୌଣସି ପ୍ରତିିକ୍ରିୟା ପ୍ରକାଶ କରି ନ ଥିଲେ। ଯଦିବା ପାକିସ୍ତାନର ସକ୍ରିୟ ସହାୟତା ଦ୍ବାରା ସେଠାରେ କାୟା ବିସ୍ତାର କରିଥିବା ଇସ୍‌ଲାମୀୟ ମୌଳବାଦୀ ହି˚ସ୍ର ସ˚ଗଠନ ତାଲିବାନ ଗୁଳିର ଶିକାର ହେବା ଯୋଗୁଁ ହିଁ ମଲାଲାଙ୍କୁ ନୋବେଲ୍‌ ପୁରସ୍କାର ମିଳିଥିଲା, ସେ କିନ୍ତୁ ହେଉଛନ୍ତି ବର୍ତ୍ତମାନ ପୃଥିବୀର ସର୍ବାଧିକ ପ୍ରସିଦ୍ଧ ଓ ପରିଚିତ ପାକିସ୍ତାନୀ ଚେହେରା। କଶ୍ମୀରରେ ୩୭୦ ଧାରା ପ୍ରତ୍ୟାହାର ପରେ ପାକିସ୍ତାନବାସୀ ଆଶା କରୁଥିଲେ ଯେ, ଭାରତ ବିରୋଧରେ ଆନ୍ତର୍ଜାତିକ ଜନମତ ସୃଷ୍ଟି କରିବା ପାଇଁ ସେମାନେ ଚଳାଇଥିବା ଉଦ୍ୟମରେ ମଲାଲା କାଳ ବିଳମ୍ବ ନ କରି ସ୍ବର ମିଳାଇବେ।

କିନ୍ତୁ ଦୁଇ ଦିନ ଧରି ମଲାଲାଙ୍କ ଟ୍ବିଟର‌୍‌ ଏକାଉଣ୍ଟ୍‌ରେ କୌଣସି ପ୍ରତିକ୍ରିୟା ଦେଖିବାକୁ ନ ମିଳିବାରୁ ପାକିସ୍ତାନୀମାନେ ତାଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇପଡ଼ିଲେ। ସିନେମା ଅଭିନେତ୍ରୀ ତଥା ଚର୍ଚ୍ଚିତ ଚେହେରା ବୀଣା ମଲିକ (ବଲିଉଡ଼୍ ସହିତ ତାଙ୍କର ମଧୢ ଘନିଷ୍ଠ ସମ୍ପର୍କ ରହିଆସିଛି)ଙ୍କ ପରି ଅନେକ ଘୋଷଣା କଲେ, ଏହି କାରଣରୁ ସେମାନେ ମଲାଲାଙ୍କ ଟ୍ବିଟର‌୍‌ ଅନୁସରଣକାରୀ ତାଲିକାରୁ ବାହାରିଯାଉଛନ୍ତି (ଟ୍ବିଟର‌୍‌ ଭାଷାରେ- ‘ଅନ୍‌ ଫଲୋଇଙ୍ଗ୍‌’)। ଆହୁରି ଅନେକ ଏହାଠାରୁ ଅଧିକ କଠୋର ଆଭିମୁଖ୍ୟ ପ୍ରକାଶ କରିବା ଦେଖାଗଲା, କଶ୍ମୀର ପ୍ରସଙ୍ଗ ଉଠାଇ କିଛି ପଇସା ଅର୍ଜନ କରିବାର ସୁଯୋଗ ନ ଥିବାରୁ ମଲାଲା ସେ ସମ୍ବନ୍ଧରେ ତୁଣ୍ତ ଖୋଲୁନାହାନ୍ତି।

ଚାପଗ୍ରସ୍ତ ମଲାଲା ତେଣୁ ଅଗଷ୍ଟ୍‌ ୮ ତାରିଖ ସକାଳେ ନିଜର ନିରବତା ଭଙ୍ଗ କରି ଟ୍ବିଟର‌୍‌ରେ ଏକ ପ୍ରବଚନ ପ୍ରଦାନ କଲେ, ଦକ୍ଷିଣ ଏସିଆ ତାଙ୍କର ଘର ହୋଇଥିବାରୁ ସେ କଶ୍ମୀର ନେଇ ଚିନ୍ତିତ। ସେହି ଟ୍ବିଟ୍‌ରେ ସେ କହିଛନ୍ତି, ସେ ନିଜେ  ପିଲା ଥିବା ସମୟରୁ (ତାଙ୍କର ଜନ୍ମ ହେଉଛି ୧୯୯୭), ତାଙ୍କ ପିତାମାତା ପିଲା ଥିବା ସମୟରୁ, ତାଙ୍କ ଜେଜେବାପା ଜେଜେମାଆଙ୍କ ଯୁବାବସ୍ଥା ସମୟରୁ କଶ୍ମୀରର ଲୋକମାନେ ସ˚ଘର୍ଷ ମଧୢରେ ଜୀବନ ବିତାଇଚାଲିଛନ୍ତି। ଏହି ନାତି ଦୀର୍ଘ ଟ୍ବିଟ୍‌ରେ ସେ କହିଛନ୍ତି, ସେ ବର୍ତ୍ତମାନ କଶ୍ମୀରରେ ପିଲା ଓ ମହିଳାମାନଙ୍କ ନିରାପତ୍ତା ନେଇ ଚିନ୍ତିତ। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମଲାଲା ତାଙ୍କ ଟ୍ବିଟ୍‌ରେ ଆନ୍ତର୍ଜାତିକ ସମୁଦାୟ ତଥା ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ଆହ୍ବାନ ଦେଇଛନ୍ତି।

ପାକିସ୍ତାନୀମାନଙ୍କ ପାଇଁ ମଲାଲାଙ୍କର ଏହି ପ୍ରତିିକ୍ରିୟା ଥିଲା ଏକ ବହୁ ବିଳମ୍ବିତ ଲଘୁକ୍ରିୟା। ସେମାନେ କ୍ରୋଧିତ ଯେ ମଲାଲା ତାଙ୍କ ପ୍ରତିକ୍ରିୟାରେ ଭାରତ ସରକାରଙ୍କ କାର୍ଯ୍ୟକୁ ସିଧାସଳଖ ନିନ୍ଦା କରିନାହାନ୍ତି, କେବଳ କଶ୍ମୀରରେ ଶିଶୁ ଓ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ପାକିସ୍ତାନରେ ମଲାଲାଙ୍କ ଉଦ୍ଦେଶ୍ୟରେ ଗାଳି ବର୍ଷା ଅବ୍ୟାହତ ରହିଛି। ପାକିସ୍ତାନୀମାନଙ୍କ ଦୃଷ୍ଟିରେ ଯାହା ନରମ, ଭାରତୀୟମାନଙ୍କ ଦୃଷ୍ଟିରେ ତାହା କିନ୍ତୁ ବେଶ୍‌ ଗରମ। ମଲାଲା ସାବଧାନତା ସହ ବାଛି, ବ୍ୟବହାର କରିଥିବା ଶବ୍ଦମାନ ସେମାନଙ୍କ ଦୃଷ୍ଟିରେ ତାଙ୍କର ସାମ୍ପ୍ରଦାୟିକତା ଓ ସ˚କୀର୍ଣ୍ଣ ଅଭିମୁଖ୍ୟକୁ ଘୋଡ଼ାଇରଖିପାରିନାହିଁ।

ଏ ପଟର ଶିବିରରେ ଯିଏ ମଲାଲାଙ୍କୁ ଏଥି ପାଇଁ ବୋଧହୁଏ ସର୍ବାଧିକ କଠୋର ଶବ୍ଦ ବ୍ୟବହାର କରି ସମାଲୋଚନା କରିଛନ୍ତି, ସେ ପୁଣି ମୂଳରୁ ଜଣେ ଭାରତୀୟ ନୁହନ୍ତି, ସେ ହେଉଛନ୍ତି ନିର୍ବାସନ ଭୋଗୁଥିବା ବା˚ଲାଦେଶୀ ଲେଖିକା ତସଲିମା ନସରିନ। ତସଲିମାଙ୍କ ଟ୍ବିଟ୍‌ଟି ଏଠାରେ ଅବିକଳ ଉଦ୍ଧାର ଯୋଗ୍ୟ: ‘‘ମଲାଲା କଶ୍ମୀରୀ ମୁସଲମାନମାନଙ୍କ ପାଇଁ ଏତେ ଚିନ୍ତିତ। ସେ କିନ୍ତୁ ପାକିସ୍ତାନୀ ହିନ୍ଦୁ ଏବ˚ ବେଲୁଚିସ୍ତାନରେ ଲୋକମାନେ ସମ୍ମୁଖୀନ ହେଉଥିବା ଅତ୍ୟାଚାର ପାଇଁ ଚିନ୍ତିତ ନୁହନ୍ତି। ମନେହେଉଛି ଯିଏ ବି ତାଙ୍କୁ ବାଟ ଦେଖାଉଛନ୍ତି, ସେ ବିଶ୍ବାସ କରନ୍ତି ଯେ ଧର୍ମବିଶ୍ବାସ ହେଉଛି ସବୁର ଉପରେ। ଯଦି ତୁମର ଧର୍ମ ବିଶ୍ବାସ ତୁମର ବିବେକକୁ ଧ୍ବ˚ସ କରେ, ତୁମେ ଜଣେ ମହାନ୍‌ ମନୁଷ୍ୟ ନୁହଁ।’’ ମଲାଲାଙ୍କ ଟ୍ବିଟ୍‌ ମଧୢ ଭାରତର ନେସ୍‌ନାଲ୍‌ ସିକ୍ୟୁରିଟି ଆଡ୍‌ଭାଇଜର‌୍‌ (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କଠାରୁ ତୀକ୍ଷ୍‌ଣ ପ୍ରତିକ୍ରିୟା ବାହାର କରିଛି। ସେ ଟ୍ବିଟ୍‌ କରି ମଲାଲାଙ୍କୁ ମନେପକାଇଦେଇଛନ୍ତି, ସେ ପାକିସ୍ତାନରେ ଗୁଳି ଖାଇବା ପରେ ନିଜର ନିରାପତ୍ତା ପାଇଁ ପାକିସ୍ତାନରୁ ପଳାୟନ କରି ବ୍ରିଟେନ୍‌ରେ ବାସ କରୁଛନ୍ତି। ତେଣୁ ଏହା ଲଜ୍ଜାଜନକ, ଯିଏ ନିଜ ଦେଶରେ ରହିପାରିଲାନାହିଁ, ସେ ନିୟୁତ ନିୟୁତ ଅନ୍ୟ ଲୋକମାନଙ୍କୁ ସେଠାରେ ବାସ କରିବାକୁ ଉପଦେଶ ଦେଉଛି। ମଲାଲା  ଏ ଭଳି ଫାଲତୁ ଟ୍ବିଟ୍‌ କରିବା ପୂର୍ବରୁ ଆସି ପାକିସ୍ତାନରେ ବାସ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏ ଦୁଇଟି ପ୍ରତିିକ୍ରିୟା ଭାରତୀୟମାନଙ୍କର ମଲାଲାଙ୍କ ଟ୍ବିଟ୍‌ ପ୍ରତି ସ˚ଖ୍ୟାଗରିଷ୍ଠ ମତର ପ୍ରତିନିଧିତ୍ବ କରିଥାଏ।

ମଲାଲା ନିଜର କୋମଳ ବୟସର ଅନୁଭୂତିହୀନତା ଯୋଗୁଁ ହେଉ କିଂବା ନିଜର ଧର୍ମ ବିଶ୍ବାସ ଯୋଗୁଁ ହେଉ (ସର୍ବଦା ହିଜାବ ପରିଧାନ କରିବା ପାଇଁ ତାଙ୍କର ଯତ୍ନଶୀଳତା ତାଙ୍କ ଧର୍ମ ବିଶ୍ବାସର ପରିଚାୟକ) ମଲାଲାଙ୍କ ଟ୍ବିଟ୍‌ଟି ସମ୍ବେଦନହୀନତା କିଂବା ଅଜ୍ଞତାରେ ଭରପୂର। ମଲାଲାଙ୍କ ପିତାମହ  ପିତାମହୀଙ୍କ ଯୌବନାବସ୍ଥାରେ ପାକିସ୍ତାନ ଜନସ˚ଖ୍ୟାରେ ହିନ୍ଦୁଙ୍କ ଅନୁପାତ ଥିଲା ୧୫%ରୁ ଅଧିକ। ମଲାଲା ଟ୍ବିଟ୍‌ କରିବା ବେଳେ ସେଠାରେ ହିନ୍ଦୁମାନଙ୍କ ଅନୁପାତ ହେଉଛି ୧.୮୫%। ଅର୍ଥାତ୍‌,  ଏହି ସମୟ କାଳରେ ଅତ୍ୟାଚାରର ସମ୍ମୁଖୀନ ହୋଇ ପାକିସ୍ତାନରେ ହିନ୍ଦୁମାନେ ପ୍ରାୟ ଲୋପ ପାଇଗଲେଣି। ମଲାଲା ସେମାନଙ୍କ ପ୍ରତି କୌଣସି ଦରଦ ପ୍ରକାଶ କରିବା ଦେଖାଯାଇନାହିଁ।

ମଲାଲା ଏବେ କଶ୍ମୀରରେ ଥିବା ମୁସଲମାନ ମହିଳା ଓ ଶିଶୁଙ୍କ ନିରାପତ୍ତା ନେଇ ଚିନ୍ତିତ। ଜମ୍ମୁ ଓ ଲଦାଖ ପାଇଁ ସେ ଚିନ୍ତିତ ନୁହନ୍ତି, କାରଣ ସେଠାରେ କେହି ଅସୁରକ୍ଷିତ ମନେକରୁନାହାନ୍ତି। ମଲାଲା ଜାଣିଥିବା ଉଚିତ କଶ୍ମୀରୀମାନଙ୍କର ଅସୁରକ୍ଷିତ ଭାବ ମଧୢ କପୋଳକଳ୍ପିତ। ମଲାଲା ଜନ୍ମ ହେବାର ପ୍ରାୟ ସାତ ବର୍ଷ ପୂର୍ବେ କଶ୍ମୀରୀ ପଣ୍ତିତମାନଙ୍କୁ ଧମକ ଦିଆଗଲା ଯେ, ସେମାନେ ସେମାନଙ୍କର ପରିବାରର ମହିଳାମାନଙ୍କୁ କଶ୍ମୀରୀ ପୁରୁଷମାନଙ୍କ ଉପଭୋଗ ପାଇଁ ଛାଡ଼ିଦେଇ, କଶ୍ମୀର ତ୍ୟାଗ କରି ପଳାଇଯାଆନ୍ତୁ। ପ୍ରାୟ ସାତ ଲକ୍ଷ କଶ୍ମୀରୀ ପଣ୍ତିତ ଏବେ ଛୁଆ ପିଲା ଧରି କଶ୍ମୀର ବାହାରେ ଶରଣାର୍ଥୀ ଜୀବନ ବିତାଉଛନ୍ତି। ଅସୁରକ୍ଷିତ କିଏ? ସେଇ ପଣ୍ତିତମାନଙ୍କର ମହିଳା ଓ ଶିଶୁମାନେ ନା ସେମାନଙ୍କୁ ତଡ଼ିଦେଇ କଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ଦଖଲରେ ରଖିଥିବା ବର୍ତ୍ତମାନର ବାସିନ୍ଦା ପରିବାରର ମହିଳା ଓ ଶିଶୁମାନେ? ପାକିସ୍ତାନର ପ୍ରରୋଚନାରେ ଆତଙ୍କବାଦୀମାନଙ୍କ ସହିତ ହାତ ମିଳାଇ, ଟେକା ପଥର ମାଡ଼ କରୁଥିବା ଯୁବକମାନେ କ’ଣ ଅସୁରକ୍ଷିତ, ଯାହାଙ୍କ ପାଇଁ ମଲାଲା ସମବେଦନା ପ୍ରକାଶ କରିଛନ୍ତି? ନୋବେଲ୍‌  କମିଟିର ଖିଆଲ ଯୋଗୁଁ ଅପରିପକ୍ବ ବୟସରେ ନୋବେଲ୍‌ ପୁରସ୍କାର ପାଇଯିବା କାହାକୁ ରାତାରାତି ବିଜ୍ଞ ଓ ଅନୁଭୂତି ସମ୍ପନ୍ନ କରିଦିଏନାହିଁ। ବର˚ ନିଜର ସୀମିତ ଜ୍ଞାନ ଓ ଚେତନାକୁ ସ୍ବୀକାର କରି ପ୍ରତ୍ୟେକ ପ୍ରସଙ୍ଗରେ ନାକ ନ ଗଳାଇବା ମଲାଲାଙ୍କ ପକ୍ଷରେ ବୁଦ୍ଧିମତାର କାର୍ଯ୍ୟ ହୁଅନ୍ତା।

ସମ୍ବନ୍ଧିତ ଖବର