ପୂର୍ଣ୍ଣ ସ୍ବରାଜ

୧୯୨୯ରେ ଭାରତୀୟ ଜାତୀୟ କ˚ଗ୍ରେସ୍‌ର ଲାହୌର ଅଧିବେଶନରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ବା ‘ପୂର୍ଣ୍ଣ ସ୍ବରାଜ’ ଦାବି କରାଯାଇଥିଲା। ତା’ ପରଠାରୁ ଜାତୀୟ କ˚ଗ୍ରେସ୍‌ର ଆହ୍ବାନରେ ଦେଶ ବ୍ୟାପୀ ଚାଲିଥିବା ଅସହଯୋଗ ଆନ୍ଦୋଳନ ଦେଶ ଭିତରେ ଔପନିବେଶକ ବ୍ରିଟିସ୍‌ ସରକାରକୁ ଯେତିକି ଅକଳରେ ପକାଇଥିଲା, ନିଜ ଦେଶରେ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମାପ୍ତ ହେବା ପରେ ଭାରତକୁ ସ୍ବାଧୀନତା ପ୍ରଦାନ ସପକ୍ଷରେ ଦେଖାଦେଇଥିବା ଜନମତର ଚାପ ମଧୢ ଅନତି ବିଳମ୍ବେ ଭାରତକୁ ପୂର୍ଣ୍ଣ ସ୍ବରାଜ ପ୍ରଦାନ କରିବା ପାଇଁ ବ୍ରିଟେନ୍‌କୁ ସେତିକି ବାଧୢ କରିଥିଲା। ଶେଷରେ ୧୯୪୭ ଅଗଷ୍ଟ୍‌ ୧୫ ତାରିଖ ଦିନ ଭାରତର ସମ୍ବିଧାନ ସଭାକୁ ସମ୍ପୂର୍ଣ୍ଣ ‘ବୈଧାନିକ ସାର୍ବଭୌମତ୍ବ’ ହସ୍ତାନ୍ତରିତ କରିବା ପାଇଁ ବ୍ରିଟିସ୍‌ ସାମ୍ରାଜ୍ୟ ନିଷ୍ପତ୍ତି ନେଲା। ବ୍ରିଟିସ୍‌ ପାର୍ଲିଆମେଣ୍ଟ୍‌ରେ ପାରିତ ଇଣ୍ତିଆନ୍‌ ଇଣ୍ତିପେଣ୍ତେନ୍‌ସ ଆକ୍ଟ୍‌, ୧୯୪୭ ଅନୁଯାୟୀ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଣିକି ଭାରତ ପାଇଁ ଆଇନ ବ୍ରିଟିସ୍‌ ପାର୍ଲିଆମେଣ୍ଟ୍‌ ଦ୍ବାରା ପ୍ରଣୟନ ନ ହୋଇ ଭାରତର ପାର୍ଲିଆମେଣ୍ଟ୍‌ ଦ୍ବାରା ପ୍ରଣୀତ ହେବ। ଅବଶ୍ୟ ଭାରତ ଏକ ସମ୍ବିଧାନ ଗ୍ରହଣ କରି ଏକ ସାଧାରଣତନ୍ତ୍ରରେ ପରିଣତ ହେବା ପର୍ଯ୍ୟନ୍ତ ଷଷ୍ଠ ଜର୍ଜ‌୍ ନାମକୁ ମାତ୍ର ଭାରତର ସମ୍ରାଟ୍‌ ବୋଲାଇରହିଲେ। ପଣ୍ତିତ ଜୱାହରଲାଲ ନେହରୁ ହେଲେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ।

ଅଗଷ୍ଟ୍‌ ୧୪ ତାରିଖ ରାତି ୧୧ଟାରେ ସମ୍ବିଧାନ ସଭାର ଦ୍ବିତୀୟ ଅଧିବେଶନ ନୂଆ ଦିଲ୍ଲୀର ସମ୍ବିଧାନ ହଲ୍‌ରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସେଇ ଐତିହାସିକ ମୁହୂର୍ତ୍ତରେ ଜୱାହରଲାଲ ନେହରୁ ସେଠାରେ ତାଙ୍କର କିଂବଦନ୍ତି ପାଲଟିଥିବା ‘ଟ୍ରିଷ୍ଟ ଵିଥ୍‌ ଡେଷ୍ଟିନି’ (‘ଭାଗ୍ୟ ସହ ଭେଟ’) ଅଭିଭାଷଣ ପ୍ରଦାନ କରି ଭାରତକୁ ଏକ ସ୍ବାଧୀନ ସାର୍ବଭୌମ ରାଷ୍ଟ୍ର ରୂପେ ଘୋଷଣା କରିଥିଲେ। ମଧୢ ରାତ୍ରି ଉପସ୍ଥିତ ହେବା ମାତ୍ରେ, ଯେତେ ବେଳେ ସାରା ପୃଥିବୀ ଶୋଇଥିବ, ଭାରତ ସେତେ ବେଳେ ଏକ ଜୀବନ୍ତ ଓ ମୁକ୍ତ ଦେଶ ରୂପେ ଜାଗ୍ରତ ହେବ ବୋଲି ନେହରୁ ତାଙ୍କର କବିତ୍ବଭରା ଅଭିଭାଷଣରେ କହିଥିଲେ। ପୁରାତନକୁ ପଛରେ ଛାଡ଼ିଦେଇ, ନିଜର ଅବଦମିତ ଆତ୍ମାକୁ ମୁକୁଳାଇ, ଭାରତ ନିଜକୁ ଆଉ ଥରେ ଆବିଷ୍କାର କରିଛି ବୋଲି ନେହରୁ ପୃଥିବୀବାସୀଙ୍କୁ ଜଣାଇଥିଲେ। ଏହା ପରେ ସମ୍ବିଧାନ ସଭାର ସଦସ୍ୟମାନେ ଦେଶ ସେବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଆନୁଗତ୍ୟ ଘୋଷଣା କରି ଶପଥ ଗ୍ରହଣ କଲେ। ଏକ ମହିଳା ଗୋଷ୍ଠୀ ବିଧିବଦ୍ଧ ଭାବରେ ଦେଶର ଜାତୀୟ ପତାକା ତ୍ରିରଙ୍ଗାକୁ ସମ୍ବିଧାନ ସଭା ହାତରେ ଅର୍ପଣ କଲେ। ପରେ ଏହି ମହାନ୍‌ ମୁହୂର୍ତ୍ତର ସ୍ମୃତି ରକ୍ଷା କରିବା ନିମିତ୍ତ ଦିଲ୍ଲୀସ୍ଥିତ ଲାଲ କିଲାର ଲାହୌରୀ ଗେଟ୍‌ ଉପରେ ଏହି ଜାତୀୟ ପତାକାକୁ ଉତ୍ତୋଳନ କରାଯାଇଥିଲା। ପରବର୍ତ୍ତୀ କାଳରେ ଏହା ଏକ ବିଧିବଦ୍ଧ ପ୍ରଥାରେ ପରିଣତ ହୋଇଯାଇଛି, ବିଗତ ୭୨ ବର୍ଷ ଧରି ଯାହା ନିରବଚ୍ଛିନ୍ନ ଭାବରେ ପାଳିତ ହୋଇଆସିଛି।

ଇତି ମଧୢରେ ସାତଟି ଦଶନ୍ଧିରୁ ଅଧିକ କାଳ ବିତି ଯାଇଥିଲେ ହେଁ ଆଜିର ୭୩ତମ ସ୍ବାଧୀନତା ଦିବସ ପୂର୍ବର ସମସ୍ତ ସ୍ବାଧୀନତା ଦିବସମାନଙ୍କଠାରୁ ଏ ଭଳି ଏକ ସମ୍ପୂର୍ଣ୍ଣ ପୃଥକ୍‌ ଅବସର ରୂପେ ଆଜି ଉଭାହୋଇଛି, ଯାହାର ଗୁରୁତ୍ବ ସେଇ ପ୍ରଥମ ସ୍ବାଧୀନତା ଦିବସର ଗୁରୁତ୍ବ ସହିତ ତୁଳନୀୟ। ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ। ସ୍ବାଧୀନତା ପରେ ଭାରତ ଯେଉଁ ଦୁଇଟି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଅଧିକାର ହାସଲ କରିଥିଲା, ତାହା ହେଲା ପୂର୍ବରୁ ଉଲ୍ଲେଖ କରାଯାଇଥିବା ଭଳି ବୈଧାନିକ ସାର୍ବଭୌମତ୍ବ ଏବ˚ ଏକ ରାଷ୍ଟ୍ରୀୟ ପତାକା। ଘଟଣାଚକ୍ରରେ ସ୍ବାଧୀନ ଭାରତର ଏ ଦୁଇ ଅବିଚ୍ଛେଦ୍ୟ ଅଧିକାର ରାଷ୍ଟ୍ରର ପ୍ରତ୍ୟେକ କୋଣ-ଅନୁକୋଣ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା, କେବଳ ଗୋଟିଏ ମାତ୍ର ଅଞ୍ଚଳକୁ ବାଦ୍‌ ଦେଇ- ଜମ୍ମୁ-କଶ୍ମୀର ରାଜ୍ୟ। ଧାରା- ୩୭୦ ଅନୁସାରେ କେବଳ ତିନିଟି ବିଷୟ ଛାଡ଼ିଦେଲେ (ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ) ଅନ୍ୟ କୌଣସି ବିଷୟରେ ସ୍ବାଧୀନ ଭାରତର ପାର୍ଲିଆମେଣ୍ଟ୍‌ ପ୍ରଣୟନ କରୁଥିବା ଆଇନ କଶ୍ମୀର ପ୍ରତି ଲାଗୁହେଉ ନ ଥିଲା। ସ୍ବାଧୀନତା ଦିବସରେ ଶ୍ରୀନଗରର ଲାଲ ଚୌକଠାରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇପାରୁ ନ ଥିଲା। କଶ୍ମୀରର ନିଜର ସ୍ବତନ୍ତ୍ର ସମ୍ବିଧାନ ଓ ସ୍ବତନ୍ତ୍ର ପତାକା ଥିଲା। କଶ୍ମୀରକୁ ଯଦି ଭାରତର ଏକ ଅଭିନ୍ନ ଅଙ୍ଗ ରୂପେ ବିଚାର କରାଯାଏ, ଏହି ବିକୃତି ଯୋଗୁଁ ଭାରତର ସ୍ବାଧୀନତା ପ୍ରାପ୍ତି ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ।

୧୮୪୬ରେ ବ୍ରିଟିସ୍‌ମାନେ କାଶ୍ମୀର ଦଖଲ କଲା ପରେ ଏହା ଏକ ଗଡ଼ଜାତ ରାଜ୍ୟ ହୋଇଥିଲା। ପରେ ସେମାନେ ଏହାକୁ ଜମ୍ମୁର ହିନ୍ଦୁ ରାଜା ଗୁଲାବ ସି˚ହଙ୍କୁ ବିକ୍ରି କରିଦେଇଥିଲେ। ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ମହାରାଜା ହରି ସି˚ହ ହେଉଛନ୍ତି ଗୁଲାବ ସି˚ହଙ୍କର ଅଣନାତି। ୧୯୪୭ ଅଗଷ୍ଟ୍‌ ୧୫ ବେଳକୁ ହରି ସିଂହ ତାଙ୍କ ରାଜ୍ୟ ସ୍ବାଧୀନ ଭାରତରେ ମିଶିବା ପାଇଁ ମନ ସ୍ଥିର କରିପାରି ନ ଥିଲେ (ଜୁନାଗଡ଼ର ନୱାବ ଏବ˚ ହୈଦରାବାଦର ନିଜାମ ମଧୢ ଅନୁରୂପ କୁଣ୍ଠା ପ୍ରକାଶ କରିଥିଲେ, କିନ୍ତୁ ଗୃହ ମନ୍ତ୍ରୀ ସରଦାର ବଲ୍ଲଭ ଭାଇ ପଟେଲ ଅଚିରେ ସେ ଦୁଇ ଅଞ୍ଚଳକୁ ଭାରତର ଅ˚ଶରେ ପରିଣତ କରିଦେଇଥିଲେ)। ପାକିସ୍ତାନ ଯେତେ ବେଳେ ପଶ୍‌ତୂନ ବା ପଠାନ ଆକ୍ରମଣକାରୀମାନଙ୍କୁ ବ୍ୟବହାର କରି କଶ୍ମୀରକୁ ଦଖଲ କରିନେବାକୁ ଚେଷ୍ଟା କଲା, ହରି ସି˚ହ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଲେ। ୧୯୪୭ ଅକ୍ଟୋବର୍‌ ୨୪ରେ ଯେତେ ବେଳେ ଦୁର୍ଦ୍ଧର୍ଷ ପଠାନମାନେ ଶ୍ରୀନଗର ଦଖଲ କରିବା ଅଭିପ୍ରାୟରେ ମାଡ଼ିଆସିଲେ, ମହାରାଜା ହରି ସି˚ହ ନିରୁପାୟ ହୋଇ ଭାରତକୁ ସାମରିକ ସାହାଯ୍ୟ ପାଇଁ ଅନୁରୋଧ କଲେ।

ପରବର୍ତ୍ତୀ ସମୟରେ ହରି ସି˚ହଙ୍କର ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଏମ୍‌ସି ମହାଜନ କହିଥିବା ଅନୁସାରେ ଯେ କୌଣସି ସର୍ତ୍ତରେ ସାମରିକ ସାହାଯ୍ୟ ପଠାଇବା ପାଇଁ ସେ ନେହରୁଙ୍କୁ ଅନୁରୋଧ କରିଥିଲେ। ୧୯୪୭ ଅକ୍ଟୋବର୍‌ ୨୬ରେ ମହାରାଜା ହରି ସି˚ହ ଭାରତ ସହିତ ତାଙ୍କ ରାଜ୍ୟ କଶ୍ମୀରର ମିଶ୍ରଣ ପାଇଁ ଆବଶ୍ୟକ ଚୁକ୍ତିନାମା (ଇନଷ୍ଟ୍ରୁମେଣ୍ଟ ଅଫ୍‌ ଆକ୍‌ସେସନ୍‌)ରେ ଦସ୍ତଖତ କରିଲେ। ଅକ୍ଟୋବର୍‌ ୨୭ ତାରିଖରେ ଭାରତୀୟ ସେନା ବାହିନୀର ପ୍ରଥମ ସିଖ ବାଟାଲିଅନ୍‌ ବିମାନ ଯୋଗେ ଯାଇ ଶ୍ରୀନଗରରେ ଅବତରଣ କଲା। ଶ୍ରୀନଗରକୁ ପାକିସ୍ତାନ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରାଗଲା। ମହାରାଜାଙ୍କୁ ଜମ୍ମୁ ଅଣାଯାଇ ସୁରକ୍ଷିତ ରଖାଗଲା। କିନ୍ତୁ ପାକିସ୍ତାନ ସେନା କଶ୍ମୀରର ଏକ-ତୃତୀୟା˚ଶ ଅଞ୍ଚଳକୁ ଦଖଲରେ ରଖିଥିବା ବେଳେ ଯୁଦ୍ଧବିରତି ଘୋଷିତ ହେଲା।

ଭାରତ ସରକାରଙ୍କ ଉକ୍ତି ଅନୁସାରେ ଗଭର୍ନ‌୍ମେଣ୍ଟ୍‌ ଅଫ ଇଣ୍ତିଆ ଆକ୍ଟ୍‌, ୧୯୩୫ ଅନୁଯାୟୀ ସମ୍ପନ୍ନ ହୋଇଥିବା ଭାରତ ସହିତ କାଶ୍ମୀରର ମିଶ୍ରଣ ହେଉଛି ସମ୍ପୂର୍ଣ୍ଣ ଏବ˚ ବିଲକୁଲ ନିଃସର୍ତ୍ତ। ଇଣ୍ତିଆନ୍‌ ଇଣ୍ତିପେଣ୍ତେନ୍‌ସ ଆକ୍ଟ୍‌ରେ ମଧୢ ସର୍ତ୍ତମୂଳକ ମିଶ୍ରଣ ପାଇଁ କୌଣସି ବ୍ୟବସ୍ଥା ନ ଥିଲା। ପରବର୍ତ୍ତୀ ସମୟରେ ତେଣୁ କଶ୍ମୀରକୁ ଭାରତଠାରୁ ଅଲଗା ବିଚାର କରି ଯେଉଁ ସମସ୍ତ ବିଶେଷ ଅଧିକାରମାନ ପ୍ରଦାନ କରାହୋଇଆସୁଥିଲା, ତାହା ଥିଲା ରାଜନୈତିକ ବିକୃତି ମାତ୍ର। ୨୦୧୯ ଅଗଷ୍ଟ୍‌ ୬ ତାରିଖ ଦିନ ଭାରତର ପାର୍ଲିଆମେଣ୍ଟ୍‌ ସେ ସମସ୍ତ ବିକୃତିରେ ଅନ୍ତ ଘଟାଇଛି। ତେଣୁ, ଆଜିର ସ୍ବାଧୀନତା ଦିବସ ପାଳନ ବ୍ୟତିକ୍ରମହୀନ ଭାବରେ ପ୍ରଥମ ଥର ପାଇଁ କଶ୍ମୀର ସମେତ ସାରା ଦେଶରେ ପରିବ୍ୟାପ୍ତ। ୧୯୪୭ ଅଗଷ୍ଟ୍‌ ୧୫ର ଅସମ୍ପୂର୍ଣ୍ଣ ସ୍ବାଧୀନତା ଆଜି ସମ୍ପୂର୍ଣ୍ଣ ହୋଇଛି। ଦେଶ ପୂର୍ଣ୍ଣ ସ୍ବରାଜ ହାସଲ କରିଛି।

ସମ୍ବନ୍ଧିତ ଖବର

Comments are closed.