ଏକ ବୃହତ୍ତର ପ୍ରୟାସର ପ୍ରାରମ୍ଭ!

ଶୁଣିବାକୁ ମିଳେ ଯେ ଏକଦା କୌଣସି ଜଣେ ବିଦେଶୀ ତାଙ୍କ ନାସ୍ତିକ ବନ୍ଧୁଙ୍କୁ ଈଶ୍ବରଙ୍କ ଅସ୍ତିତ୍ବ ସମ୍ବନ୍ଧରେ ଏକ ପ୍ରମାଣ ଦେବାକୁ ଯାଇ କହିଥିଲେ, ‘ତୁମେ ଯଦି ଈଶ୍ବରଙ୍କୁ ବିଶ୍ବାସ ନ କରୁଛ, ତେବେ ଯାଇ ଭାରତର କୌଣସି ସରକାରୀ ଦପ୍ତରର କାର୍ଯ୍ୟକଳାପକୁ ଦେଖ। ଈଶ୍ବରଙ୍କ ପ୍ରତି ବିଶ୍ବାସ ଆସିଯିବ।’ ଏ କଥାଟି ସତ ନା ଏକ ନିରୋଳା ଗୁଲି ଗପ ତାହା ଜଣାନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ ଏହି ବକ୍ତବ୍ୟ ପଛରେ ଏହାକୁ କହିଥିବା ଭଦ୍ରଲୋକଙ୍କ ଉଦ୍ଦେଶ୍ୟ କଦାପି ଈଶ୍ବରଙ୍କ ଅସ୍ତିତ୍ବକୁ ପ୍ରମାଣ କରିବା ନ ଥିଲା। ବରଂ ଏଥିରେ ସେ ଭାରତୀୟ ପ୍ରଶାସନିକ ସେବାର ଅଦକ୍ଷତା ଓ ସ୍ଥାଣୁତାକୁ ଉପଲକ୍ଷ୍ୟ କରିଥିଲେ। ସେ ଯାହା କହିବାକୁ ଚାହିଁଥିଲେ ତାହା ହେଲା, ଈଶ୍ବର ଅଛନ୍ତି ବୋଲି ଭାରତରେ ସରକାରୀ କାମଦାମ ଚାଲିଛି!

ଏହା ମଧ୍ୟ ସତ ଯେ ଏଭଳି ଆକ୍ଷେପମୂଳକ ବକ୍ରୋକ୍ତି ଏକ ଅତିଶୟୋକ୍ତି ନୁହେଁ। ଭାରତୀୟ ପ୍ରଶାସନର ଅପାରଗତା ଓ ସ୍ଥାଣୁତା ବିଶ୍ବବିଦିତ। ତେଣୁ, ଏହି ପରିପ୍ରେକ୍ଷୀରେ ଗଲା ବୁଧବାର ଦିନ ଆମ ରାଜ୍ୟ ପ୍ରଶାସନରେ ଅଣାଯାଇଥିବା ଢାଞ୍ଚାଗତ ସଂସ୍କାର ଅତ୍ୟନ୍ତ ସ୍ବାଗତଯୋଗ୍ୟ। କିଛି ଦିନ ତଳେ ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କଲା ପରେ କହିଥିଲେ ଯେ ଏଣିକି ଏମିତି ବ୍ୟବସ୍ଥା କରାଯିବ ଯେ ‘ଫାଇଲଗୁଡ଼ିକ ରକେଟ୍‌ ବେଗରେ ଗତି କରିବେ।’ ଏବର ପ୍ରଶାସନିକ ସଂସ୍କାର ସୂଚାଉଛି ଯେ ମୁଖ୍ୟ ଶାସନ ସଚିବ ନିଜ ପ୍ରତିଶ୍ରୁତି ରକ୍ଷା କରିବା ଲାଗି ଉଦ୍ୟମଶୀଳ। ଏହି ପ୍ରଶାସନିକ ସଂସ୍କାରକୁ ଯଦି ଆମେ ଏକ ପ୍ରାରମ୍ଭିକ ପଦକ୍ଷେପ ବୋଲି ବିଚାର କରିବା, ତେବେ ଆଶା କରିବା ଯେ ଏହା ଏତିକିରେ ଅଟକି ଯିବ ନାହିଁ, ଆଗକୁ ଆହୁରି ସଂପ୍ରସାରିତ ହେବ। ଏବେ ଏହି ସଂସ୍କାର ଉପ‌େର କିଞ୍ଚିତ ଆଲୋକପାତ କରାଯାଉ। ଏବର ସଂସ୍କାରରେ ବହୁ ଦିନରୁ ପ୍ରଚଳିତ ପାରଂପରିକ ପ୍ରଶାସନିକ ବ୍ୟବସ୍ଥାରେ ଢାଞ୍ଚାଗତ ପରିବର୍ତ୍ତନ ଅଣାଯାଇଛି। ଏଣିକି ସଚିବାଳୟ ଓ ନିର୍ଦେଶାଳୟ ଗୋଟିଏ ଛାତ ତଳେ କାମ କରିବ। ଏ ପର୍ଯ୍ୟନ୍ତ ଯାହା ଚାଲି ଆସିଛି ତାହା ହେଲା, ସଚିବାଳୟରେ ନିୟମ ପ୍ରଣୟନ ହେବା ପରେ ଅଧିକାରୀମାନେ ଏହାକୁ ବିଭିନ୍ନ ବିଭାଗର ନିେର୍ଦଶାଳୟକୁ ପଠାଇଥାଆନ୍ତି। ତା’ ପରେ ରାଜ୍ୟରେ ଥିବା ୬୬ଟି ନିେର୍ଦଶାଳୟ ମାଧ୍ୟମରେ ଜିଲ୍ଲା ସ୍ତରରେ ଏସବୁ ନିୟମ ବା ପ୍ରସ୍ତାବ ବା ନିର୍ଦେଶକୁ କାର୍ଯ୍ୟକାରୀ କରାଯାଇଥାଏ। ଚିଠି ଦିଆନିଆ, ପ୍ରସ୍ତାବ ଉପରେ ତର୍ଜମା ଓ ଆଲୋଚନାରେ ଅନେକ ସମୟ ନଷ୍ଟ ହୁଏ। ଅନେକ ସମୟରେ ପ୍ରଶାସନିକ କାର୍ଯ୍ୟ ଅଧାରେ ଅଟକି ରହେ। ଗୋଟିଏ କାମ ତିନି ପରସ୍ତ କରାଯାଇଥାଏ। ଏବେ, ଏହି ସଂସ୍କାର ପରେ ଆଶା କରାଯାଉଛି ଯେ ସରକାରୀ କାର୍ଯ୍ୟ ସହଜ ହେବ। ନିଷ୍ପତ୍ତି ନେବାର ପ୍ରକ୍ରିୟା ବେଗବାନ ହେବ। ଅବଶ୍ୟ, ଏହାକୁ କାର୍ଯ୍ୟକାରୀ କରାଗଲା ବେଳେ କିଛି ଜଟିଳତା ଦେଖା ଦେଇପାରେ। ସଚିବାଳୟ ଓ ନିର୍ଦେଶାଳୟ ପରସ୍ପର ସହିତ ଯୋଡ଼ି ହୋଇଗଲା ପରେ ଅନେକ କର୍ମଚାରୀ ବଳକା ହେବା ସ୍ବାଭାବିକ। ସେମାନଙ୍କୁ ବିଭିନ୍ନ ବିଭାଗରେ ନିୟୋଜିତ କରିବା ବେଳେ କିଛି ସମସ୍ୟା ଉଠିପାରେ। ଏ ସବୁ ସତ୍ତ୍ବେ ଏ ସଂସ୍କାର ଯେ ପ୍ରଶାସନିକ ପାରଦର୍ଶିତା ପ୍ରଦର୍ଶନରେ ସହାୟକ ହେବ, ଏହା କହିବା ବାହୁଲ୍ୟ ମାତ୍ର।

ତେବେ, ଆମେ ଆଶା କରିବା ଯେ ଏ ସଂସ୍କାର ଏକ ବୃହତ୍ତର ପ୍ରକ୍ରିୟାର ଗୋଟିଏ ପ୍ରାରମ୍ଭିକ ଅଂଶ ମାତ୍ର। କାରଣ ଏ ସଂସ୍କାର କେବଳ ନିଷ୍ପତ୍ତି ନେବା କ୍ଷେତ୍ରରେ ଦକ୍ଷତା ଓ ବେଗ ବୃଦ୍ଧି କରିବାର ଆଶା ଅଛି। କିନ୍ତୁ ଯେ ପର୍ଯ୍ୟନ୍ତ ସମାଜର ନିମ୍ନତମ ସୋପାନରେ ଥିବା ବ୍ୟକ୍ତିବିଶେଷ ବା ହିତାଧିକାରୀ ଉପରେ ସରକାରୀ ନିଷ୍ପତ୍ତିଜନିତ ଉପକାରର ବର୍ଷା ଜଳର ବିନ୍ଦୁ ନ ପଡ଼ିଛି, ସେ ପର୍ଯ୍ୟନ୍ତ ପ୍ରଶାସନିକ ସଂସ୍କାରର ଲକ୍ଷ୍ୟ ପୂରଣ ହେଲା ବୋଲି କହିହେବ ନାହିଁ। ଆମ ରାଜ୍ୟରେ ବହୁଳ ଭାବେ ଜ୍ଞାତ ଖଣ୍ଡପଡ଼ା ରାଜା ଓ କବି ଯଦୁମଣି ଉପାଖ୍ୟାନକୁ ଏଠାରେ ମନେ ପକାଯାଇପାରେ। କବିଙ୍କ ଉପରେ ଖୁସି ହୋଇ ରାଜା ପୁରସ୍କାର ସ୍ବରୂପ ଯେଉଁ ଜମିଟି ଦେବାକୁ ଆଦେଶ ଦେଲେ, ତାହା ଯଦୁମଣିଙ୍କ ପାଖରେ ପହଞ୍ଚିବାକୁ କେତେ ସମୟ ଲାଗିଲା ଓ ତାଙ୍କୁ ଯାହା ମିଳିଲା‌ ତାହା କିଭଳି ଥିଲା, ସେ ବିଷୟରେ ଅଭିଯୋଗ କରି ଯଦୁମଣି ଚଟୁଳ ବ୍ୟଙ୍ଗ କବିତା ପଦଟିଏ ଜରିଆରେ ରାଜାଙ୍କୁ ଶୁଣାଇଥିଲେ। ସେ କବିତାରେ ସେ ଯାହା କହିଥିଲେ ତାହା ଥିଲା ଏହି ପରି: ଛାମୁ ଯାହା ଦେବାକୁ ଆଦେଶ ଦେଲେ ତାହା ପାଇବାକୁ ବର୍ଷଟିଏ ଲାଗିଗଲା। ପୁଣି ବାଛି ବାଛି ତାଙ୍କୁ ଏମିତି ପଡ଼ିଆ ଜମିଟିଏ ଦିଆଗଲା ଯେ ତହିଁରେ ଶ୍ରାବଣ ମାସରେ(ଯେତେବେଳେ ମାଟି ଓଦା ଓ ନରମ ଥାଏ) ମଧ୍ୟ ନଡ଼ିଆ ପିଟିଲେ ତାହା ଫାଟିଯିବ। ପୁଣି ତାହା ଏମିତି ଉର୍ବର ଯେ ସେଥିରେ ଚାକୁଣ୍ଡା(ଯାହା ଯେଉଁଠି ସେଇଠି ଉଠେ) ବୁଣିଲେ ବି ଚେର ଧରିବ ନାହିଁ।

ରାଜାଙ୍କ ଠାରେ ଯଦୁମଣିଙ୍କ ବିଶେଷ ପ୍ରବେଶାଧିକାର ଥିଲା। ରାଜା ଓ ଯଦୁମଣିଙ୍କ ଭିତରେ ଦୂରତା ଥିଲା ସ୍ବଳ୍ପ। କିନ୍ତୁ ଆମ ରାଜ୍ୟର ସାଧାରଣ ନାଗରିକଙ୍କ ଠାରେ ଯଦୁମଣିଙ୍କ ଭାଗ୍ୟ ନାହିଁ। ସେମାନଙ୍କ ଠାରୁ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ଦୂରତା ଅନେକ ସମୟରେ ଅଲଂଘ୍ୟ। ତେଣୁ ଅଭିଯୋଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରେ ପହଞ୍ଚିବାର ଆଶା ଥାଏ କମ୍। ଏ ପରିପ୍ରେକ୍ଷୀରେ ଯଦି ଆମେ ଆଶା କରିବା ଯେ ଦ୍ରୁତ ଗତିରେ ନିଆଯାଉଥିବା ନିଷ୍ପତ୍ତିର ଫଳ ଯେମିତି ସେଇଭଳି ରକେଟ୍‌ ବେଗରେ ହିତାଧିକାରୀଙ୍କ ପାଖରେ ପହଞ୍ଚୁ, ତେବେ ତାହା କ’ଣ ମାତ୍ରାଧିକତା ହେବ? ତୃଣମୂଳ ସ୍ତରୀୟ ପ୍ରଶାସନରେ ଦକ୍ଷତା ପ୍ରକାଶ ପାଇଲେ ହିଁ ପ୍ରଶାସନିକ ସଂସ୍କାର ସର୍ବ‌େତା ଭାବେ ସଫଳ ହେଲା ବୋଲି ବୁଝିବାକୁ ହେବ। ଚେକୋସ୍ଲୋଭାକିଆର ଲେଖକ ବିଶ୍ବବିଶ୍ରୁତ ଫ୍ରାନ୍‌ଜ କାଫ୍‌କାଙ୍କ ଉପନ୍ୟାସରେ ସରକାରୀ ଦପ୍ତରର ଯେଉଁ ବିମର୍ଷକର ଚିତ୍ର ଦେଖିବାକୁ ମିଳେ, ତାର ଛାୟା ଅନେକ ସମୟରେ ଆମ ତୃଣମୂଳ ସ୍ତରୀୟ ପ୍ରଶାସନିକ କାର୍ଯ୍ୟକଳାପରେ ଦେଖିବାକୁ ମିଳେ। କାଫ୍‌କାଙ୍କ ଉପନ୍ୟାସ ‘ଦ ଟ୍ରାଏଲ୍‌’ରେ ଯୋଶେଫ୍ କେ. ନାମକ ଜଣେ ସାଧାରଣ ବ୍ୟକ୍ତି ଏକ ଅପରାଧ ଲାଗି ଗିରଫ ହୋଇଛି। ତାର ବିଚାର ହେଉଛି, ଦଣ୍ଡବିଧାନ ହେଉଛି। କିନ୍ତୁ ସେ ଶେଷ ପର୍ଯ୍ୟନ୍ତ ଜାଣିପାରୁନାହିଁ ତା ବିରୋଧରେ ଅଭିଯୋଗ କ’ଣ? ଏ ଗିରଫଦାରି ଆଦେଶ କାହା ଠାରୁ ଆସିଛି? ତାର ବିଚାର କିଏ କରୁଛି? ଇତ୍ୟାଦି ଇତ୍ୟାଦି। ତୃଣମୂଳ ସ୍ତରରେ ଆମ ରାଜ୍ୟର ସା‌ଧାରଣ ଅଳ୍ପ ଶିକ୍ଷିତ ବା ଅଶିକ୍ଷିତ ଲୋକେ ଅନେକ ସମୟରେ ଏଭଳି ‘କାଫ୍‌କୀୟ ସମସ୍ୟା’ର ସମ୍ମୁଖୀନ ହେବାର ଦେଖାଯାଏ। ତେଣୁ ସେମାନେ ଗଭୀର ଅସହାୟତାବୋଧର ଶିକାର ମଧ୍ୟ ହୁଅନ୍ତି, କର୍ମକୁ ନିନ୍ଦି ରହିବାକୁ ବାଧ୍ୟ ହୁଅନ୍ତି। ଏହି ପ୍ରଶାସନିକ ସଂସ୍କାର ପରେ ତେଣୁ ସ୍ବାଭାବିକ ଭାବେ ଆମେ ଆଶା କରିବା ଯେ ଏହାର ପରିସର ଆହୁରି ବ୍ୟାପକ ହେବ। ଏହା ତୃଣମୂଳ ସ୍ତରକୁ ଭେଦିବ। ନିଷ୍ପତ୍ତି ନେବାରେ ଦକ୍ଷତା ଓ ବେଗ ବୃଦ୍ଧି ପାଇବା ଭଳି ତାହା କାର୍ଯ୍ୟକାରୀ ହେବାରେ ବି ଦକ୍ଷତା ଓ ବେଗ ବୃଦ୍ଧି ପାଇବ। ସମାଜର ସର୍ବ ନିମ୍ନ ସୋପାନରେ ଥିବା ହିତାଧିକାରୀ ଏହାର ଉପକାର ପାଇବେ।

ସମ୍ବନ୍ଧିତ ଖବର