ବିଦାୟ ଅରୁଣ ଜେଟ୍‌ଲୀ

୧୯୭୫ ମସିହା ଜୁନ୍‌ ୨୬ ତାରିଖ ସକାଳ। ଭାରତରେ ଇମର୍ଜେନ୍‌ସି ଜାରି ହେବାର ପର ଦିନ। ଜଣେ ତେଇଶ ବର୍ଷର ତରୁଣ ଦଳେ ଲୋକଙ୍କୁ ଏକାଠି କରି ରାସ୍ତା ଉପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁତ୍ତଳିକା ଦାହ କଲେ। ‘ଏହା ଥିଲା’, ଅରୁଣ ଜେଟ୍‌ଲୀଙ୍କ ଭାଷା‌େର, ‘ବୋଧହୁଏ ଇମର୍ଜେନ୍‌ସି ବିରୋଧରେ ପ୍ରଥମ ସତ୍ୟାଗ୍ରହ’ ଏବଂ ସେ ଥିଲେ ସେହି ପ୍ରଥମ ସତ୍ୟାଗ୍ରହୀ। ପରେ ସେହି ବର୍ଷ ତାଙ୍କୁ ଗିରଫ କରି ଜେଲ୍‌ରେ ପୂରାଇ ଦିଆଗଲା ଏବଂ ଜେଲ୍‌ରେ ଦୀର୍ଘ ଏକ ବର୍ଷ ସାତ ମାସ କାଟିଲା ପରେ ୧୯୭୭ରେ ସେ ଖଲାସ ହେଲେ। ସେହି ବର୍ଷଟି ଥିଲା ଇମର୍ଜେନ୍‌ସିର ଶେଷ ବର୍ଷ। ସେହି ବର୍ଷ ହୋଇଥିବା ନିର୍ବାଚନରେ ଇନ୍ଦିରା ଗାନ୍ଧୀ ଦୟନୀୟ ଭାବେ ପରାଜିତ ହେଲେ। ଆଉ ସେତେବେଳକୁ ଅର୍ଥାତ୍‌ ମାତ୍ର ପଚିଶ ବର୍ଷ ବୟସରେ ଅରୁଣ ଜେଟ୍‌ଲୀ ଜାତୀୟ ରାଜନୀତିରେ ଜଣେ ତୁଙ୍ଗ ଯୁବ ନେତାର ପରିଚିତି ଲାଭ କରି ସାରିଥିଲେ।

ଏହାର ୪୧ ବର୍ଷ ପରେ, ମାତ୍ର ଛଅଷଠି ବର୍ଷ ବୟସରେ ଅରୁଣ ଜେଟ୍‌ଲୀଙ୍କ ଦେହାନ୍ତ ହୋଇଯାଇଛି। ଗଲା ଶନିବାର ଦିନ ଯେତେବେଳେ ଭାରତ ଜନ୍ମା‌‌ଷ୍ଟମୀ ଉତ୍ସବ ପାଳନ କରୁଥିଲା, ଅରୁଣ ଜେଟ୍‌ଲୀ ଏମ୍‌ସରେ କିଛି ଦିନ ହେଲା ଚଳାଇଥିବା ମୃତ୍ୟୁ ସହିତ ସଂଗ୍ରାମରେ ହାରିଯାଇଥିଲେ। ଏ ସମ୍ବାଦ ସମସ୍ତ ଭାରତୀୟଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା। ଅନେକ ବର୍ଷ ଧରି ଅରୁଣ ଜେଟ୍‌ଲୀ ବିଜେପିର ଅନ୍ୟତମ ମୁଖ୍ୟ ପ୍ରବକ୍ତା ଭାବେ ବା ବିରୋଧୀ ଦଳର ନେତା ଭାବେ ଅଥବା ଦାୟିତ୍ବରେ ଥିବା ମନ୍ତ୍ରୀ ଭାବେ ଟେଲିଭିଜନ୍ ପରଦାରେ ବକ୍ତବ୍ୟ ଦେବାବେଳେ ବା ସଂସଦରେ ବିତର୍କରେ ଭାଗ ନେଉଥିବା ବେ‌ଳେ ନିଜ ବ୍ୟକ୍ତିତ୍ବର ଚମକ, ଭାଷା(ଉଭୟ ଇଂରେଜୀ ଏବଂ ହିନ୍ଦୀ)ର ଶୁଦ୍ଧତା, ଉଚ୍ଚାରଣର ସ୍ପଷ୍ଟତା, ତର୍କର ଅକାଟ୍ୟତା, ବୁଦ୍ଧିର ଧାର ଓ ମେଧାର ଗଭୀରତା ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଆସୁଥିଲେ। ଏବେ ତାହା ଆଉ ଦେଖିବାକୁ ମିଳିବ ନାହିଁ ଏବଂ ଜେଟ୍‌ଲୀଙ୍କ ନିଧନରେ ବୋଧହୁଏ ବିଜେପି ତା’ର ଜଣେ ସର୍ବଶ୍ରେଷ୍ଠ ପ୍ରବକ୍ତା ବା ମୁଖପାତ୍ରଙ୍କୁ ହରାଇଲା।

୧୯୫୨ ମସିହା ଡିସେମ୍ବର ୨୮ରେ ଏକ ସଂଭ୍ରାନ୍ତ ପରିବାରରେ ଅରୁଣ ଜେଟ୍‌ଲିଙ୍କ ଜନ୍ମ ହୋଇଥିଲା। ତାଙ୍କ ବାପା ଥିଲେ ଜଣେ ଓକିଲ। ଲ୍ୟୁଟେନ୍‌ଙ୍କ ଦିଲ୍ଲୀରେ ସେ ବଢ଼ିଥିଲେ। ଛାତ୍ର ଭାବେ ସେ ଥିଲେ ଅତ୍ୟନ୍ତ ମେଧାବୀ ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢୁଥିବା ବେଳେ ହିଁ ତାଙ୍କ ବ୍ୟକ୍ତିତ୍ବର ଉଚ୍ଚତା ତାଙ୍କ ଲାଗି ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଥିଲା। ସେ ଥିଲେ ବିଜେପିର ଛାତ୍ର ସଂଗଠନ ‘ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ’ର ଜଣେ ଆଗ ଧାଡ଼ିର ନେତା। ଶିକ୍ଷା ସମାପ୍ତ ପରେ ଜଣେ ଓକିଲ ଭାବେ ସେ ଅଶେଷ ଖ୍ୟତି ଅର୍ଜନ କରିଥିଲେ। ପରେ ଜଣେ ରାଜନେତା ଭାବେ ମଧ୍ୟ ସେ ସ୍ବୀକୃତ ହେଲେ ଓ ବିଖ୍ୟାତ ହେଲେ। ୧୯୮୦ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସେ ସ୍ଥାନ ପାଇଥିଲେ। ତେବେ, ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ରରେ ଏନ୍‌ଡିଏ ସରକାର ଅମଳରେ ସେ ଅର୍ଥ, ପ୍ରତିରକ୍ଷା ଓ ଆଇନ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ବ ତୁଲାଇଥିଲେ। କିନ୍ତୁ, ଏହି କାର୍ଯ୍ୟକାଳ ଭିତରେ ଶାରୀରିକ ଅସୁସ୍ଥତା ଏକ ବିଶେଷ ବାଧକ ସୃଷ୍ଟି କରିଥିଲା ଏବଂ କିଛି ସମୟ ଲାଗି ତାହା ତାଙ୍କୁ ଦାୟିତ୍ବରୁ ଅବ୍ୟାହତି ନେବାକୁ ବାଧ୍ୟ କରିଥିଲା। ଅସୁସ୍ଥତା କାରଣରୁ ସେ ୨୦୧୯ ସାଧାରଣ ନିର୍ବାଚନରେ ଭାଗ‌ ନେଇ ନ ଥିଲେ ଏବଂ ମୋଦୀ ୨.୦ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ମନା କରି ଦେଇଥିଲେ।

ଅରୁଣ ଜେଟ୍‌ଲୀ ଥିଲେ ଜଣେ ବିଶାଳ ହୃଦୟଧାରୀ ବ୍ୟକ୍ତିତ୍ବ। ସବୁ ରାଜନୈତିକ ଦଳର ନେତାମାନଙ୍କ ସହିତ ତାଙ୍କର ସୁସଂପର୍କ ଥିଲା। ଆଜିର ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ରାଜନୀତିରେ ଯେତେବେଳେ ଦଳଗତ ବିରୋଧ ବ୍ୟକ୍ତିଗତ ଶତ୍ରୁତାରେ ପ୍ରତିଫଳିତ ହେଉଛି, ସେତିକି ବେଳେ ଜେଟ୍‌ଲୀଙ୍କ ଭଳି ଜଣେ ନେତା ବିରଳ। ୟୁପିଏ ସରକାର ଅମଳରେ ବିରୋଧୀ ଦଳର ନେତା ଭାବେ ସେ ଯେଉଁ ସକାରାତ୍ମକ ମନୋଭାବର ପରିଚୟ ଦେଇଥିଲେ, ତାହା ଆଜି ଅନେକ ୟୁପିଏ ନେତା ଓ ମନ୍ତ୍ରୀ ଗଭୀର ବିଷର୍ଣ୍ଣତାବୋଧ ସହିତ ସ୍ମରଣ କରୁଛନ୍ତି। ୟୁପିଏ ଅମଳରେ ରାଜ୍ୟ ସଭାରେ ଅନେକ ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳର ନେତା ଭାବେ ଅରୁଣ ଜେଟ୍‌ଲୀ ବେଶ୍ ସକାରାତ୍ମକତାର ପରିଚୟ ଦେଇଥିଲେ। ‘ନିଉକ୍ଲିଅର୍‌ ଲାୟବିଲିଟି’ ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ଡ୍ରାଫ୍‌ଟ ବା ଚିଠା ପ୍ରସ୍ତୁତ କଲା ବେଳେ ସେ ତତ୍କାଳୀନ ପିଏମ୍ଓ ଦାୟିତ୍ବରେ ଥିବା ରାଷ୍ଟ୍ରମନ୍ତ୍ରୀ ପୃଥ୍ବୀରାଜ ଚଭନଙ୍କ ସହିତ ମିଶି ଅକୁଣ୍ଠ ଭାବେ କାର୍ଯ୍ୟ କରିଥିଲେ। ଆଜି ତାଙ୍କ ପରଲୋକରେ ଦଳ ନିର୍ବିଶେଷରେ ଅଧିକାଂଶ ରାଜନେତା ସେମାନଙ୍କର ଜଣେ ବନ୍ଧୁଙ୍କୁ ହରାଇଛନ୍ତି ବୋଲି ପ୍ରକାଶ କରିଛନ୍ତି।

ରାଜନୀତି ଛଡ଼ା ଆଉ ଯାହା ତାଙ୍କୁ ଗଭୀର ଭାବେ ଆକର୍ଷିତ କରିଥିଲା ତାହା ହେଉଛି କ୍ରିକେଟ୍‌ ଓ ଖାଦ୍ୟ। ଅନେକଙ୍କ ଲାଗି ସେ ଥିଲେ ତାଙ୍କ ପ୍ରିୟ ସହର ଅମୃତସର ଓ ଦିଲ୍ଲୀର ‘ଷ୍ଟ୍ରିଟ୍ ଫୁଡ୍‌’ ବା ‘ସଡ଼କ କଡ଼ର ଖାଦ୍ୟ’ର ଜଣେ ପ୍ରବୀଣ ଗାଇଡ୍‌। କେଉଁ ଗଳିରେ ଓ କେଉଁ ଛକରେ କେଉଁ ଖାଦ୍ୟ ମିଳେ ଓ ତାର ସ୍ବାଦ କେମିତି; ସେ ବାବଦରେ ଜେଟ୍‌ଲୀଙ୍କ ଅଗାଧ ପ୍ରବେଶ ଥିଲା। ତେଣୁ, ଅମୃତସର ଓ ଦିଲ୍ଲୀକୁ ଆସୁଥିବା ତାଙ୍କର ଅନେକ ସ୍ବଦେଶୀ ଓ ବିଦେଶୀ ବନ୍ଧୁ ଓ ଅତିଥି ଏ ବାବଦରେ ତାଙ୍କ ଠାରୁ ଉଚିତ ପରାମର୍ଶ ପାଉଥିଲେ। ସେମିତି କ୍ରିକେଟ୍ ଖେଳ ପ୍ରତି ତାଙ୍କର ଥିଲା ଗଭୀର ଭଲ ପାଇବା। ଦିଲ୍ଲୀ ଡିଷ୍ଟ୍ରିକ୍‌ଟ କ୍ରିକେଟ୍ ଆସୋସିଏସନ୍ ବା ଡିଡିସିଏ‌ର ମୁଖ୍ୟ ଭାବେ ସେ ଦାୟିତ୍ବ ତୁଲାଇଥିଲେ। ୨୦୧୩ରେ ଅଳ୍ପ ସମୟ ଲାଗି ସେ ଥିଲେ ବିସିସିଆଇର ଉପାଧ୍ୟକ୍ଷ। ଏହାକୁ ଲକ୍ଷ୍ୟ କରି ଜଣେ କ୍ରୀଡ଼ା ସାମ୍ବାଦିକ ଶ୍ରଜ୍ଞାଞ୍ଜଳି ଜଣାଇ ଲେଖିଛନ୍ତି ଯେ ମାତ୍ର ଛଅଷଠିରେ ଅରୁଣ ଜେଟ୍‌ଲୀ ଯେ ‘ଆଉଟ୍‌’ ହୋଇଯିବେ, ଏହା ଧାରଣାର ବାହାରେ ଥିଲା।

ଅରୁଣ ଜେଟ୍‌ଲୀ ଆମ ରାଜନୀତିର ଦୃଶ୍ୟପଟରୁ ଅପସରି ଯିବା କେବଳ ବିଜେପି ଲାଗି ନୁହେଁ, ଦେଶ ଲାଗି ଏକ କ୍ଷତି। କାରଣ ତାଙ୍କ ପାଖରେ ହିଁ ଦକ୍ଷତା ଥିଲା ଯେ ସେ ନିଜ ବ୍ୟକ୍ତିତ୍ବର ପ୍ରଭାବରେ ଆଗାମୀ ପିଢ଼ିର ପ୍ରତିଭାବାନ ତରୁଣ ବର୍ଗକୁ ରାଜନୀତି ଆଡ଼କୁ ଆକର୍ଷିତ କରିପାରିଥାଆନ୍ତେ।

ସମ୍ବନ୍ଧିତ ଖବର

Comments are closed.