ସଡ଼କ ଉପରେ ଶିଷ୍ଟତା

ଅନେକ ଦିନ ତଳେ ଜଣେ ଭାରତୀୟ ସାମ୍ବାଦିକଙ୍କ ଏକ ରୋଚକ ଭିଏନା ଅନୁଭୂତି ପଢ଼ିବାକୁ ମିଳିଥିଲା। ଅଷ୍ଟ୍ରିଆର ରାଜଧାନୀ ଭିଏନା ସହରକୁ ବୁଲି ଦେଖିବାର ମନ ନେଇ ସାମ୍ବାଦିକ ମହାଶୟ ଗୋଟିଏ ଟ୍ୟାକ୍‌ସି ଧରିଲେ। କିଛି ବାଟ ଗଲା ପରେ ତାଙ୍କ ଟ୍ୟାକ୍‌ସି ଗୋଟିଏ ଗାଡ଼ି ପଛରେ ନିରାପଦ ଦୂରତାରେ ରହିଲା। ପ୍ରଶସ୍ତ ଖାଲି ରାସ୍ତା। ଛକରେ ପୁଲିସ ଜଗି ନାହାନ୍ତି। କମଳା ରଙ୍ଗର ଆଲୋକ ଜଳୁଛି। କେହି ତ ରୋକି ନାହାନ୍ତି, ତଥାପି ଗାଡ଼ି ରହିଲା କାହିଁକି? ସାମ୍ବାଦିକ ଜଣକ ସନ୍ତର୍ପଣରେ ଯୁବ ଡ୍ରାଇଭରଙ୍କୁ କହିଲେ- ଆଗକୁ ଚାଲୁ ନାହାନ୍ତି? ଡ୍ରାଇଭର ଜଣକ କହିଲେ-ନା, ନା! ଦେଖନ୍ତୁ, ସେ ବୃଦ୍ଧା ଜଣକ ତାଙ୍କ ପୋଷା କୁକୁରକୁ ଧରି ରାସ୍ତା ପାର ହେବାକୁୁ ଉଦ୍ୟତ! ସାମ୍ବାଦିକଙ୍କ ନଜର ସେତେବେଳେ ଯାଇ ପଡ଼ିଲା ରାସ୍ତା‌ର ଗୋଟିଏ ମୁଣ୍ଡରେ ଜଣେ ବୃଦ୍ଧା ତାଙ୍କ କୁକୁରକୁ ଧରି ଧୀର ପଦପାତରେ ‘ଜେବ୍ରା’ ଗାର ଉପରେ ସଡ଼କ ଅତିକ୍ରମ କରିବା ଆରମ୍ଭ କରିଛନ୍ତି। ସାମ୍ବାଦିକ ଜଣକ ଲେଖିଥିଲେ, ‘ବୃଦ୍ଧା ଜଣକ ସଡ଼କଟି ଅତିକ୍ରମ କରି ସାରିବା ପର୍ଯ୍ୟନ୍ତ ସବୁ ଗାଡ଼ି ଚାଳକ ଧୈର୍ଯ୍ୟ ଧରି ଅପେକ୍ଷା କରି ରହିଲେ। କେହି ଜଣେହେଲେ ବି ହର୍ନ ବଜାଇ ନ ଥିଲେ। ଜନଶୂନ୍ୟ ରାସ୍ତାରେ ସତେ ଯେମିତି ସେହି ବୃଦ୍ଧା ହିଁ ଥିଲେ ଏକାଧିଶ୍ବରୀ। ସେ ରାସ୍ତା ପାର କଲା ପରେ ଯାଇ ସବୁ ଗାଡ଼ି ଆଗକୁ ବଢ଼ିଲେ। ସାମ୍ବାଦିକ ଜଣକ ଆହୁରି ଲେଖିଥିଲେ, ‘ସେ ଦିନ ହିଁ ମୁଁ ପ୍ରଥମେ ସାମନାସାମନି ହେଲି ଭାରତୀୟ ଗାଡ଼ି ଚାଳକଙ୍କ ‘ଟନେଲ୍‌ଡ୍‌ ଭିଜନ’ (ଗୋଟିଏ ନଳି ଭିତର ଦେଇ ଆର ପଟକୁ ଦେଖିବା) ସହିତ। କାରଣ ମୁଁ ଦେଖୁଥିଲି ମୋ ଆଗରେ ଥିବା ଫାଙ୍କା ରାସ୍ତାକୁ। କିନ୍ତୁ ଡ୍ରାଇଭର ଜଣକ ଦେଖାଇ ଦେଲେ ଯେ ରାସ୍ତାର ଗୋଟିଏ କୋଣରୁ ଜଣେ ପଦଚାରୀ ରାସ୍ତା ଅତିକ୍ରମ କରିବାକୁ ଯାଉଛନ୍ତି।

ସାମ୍ବାଦିକ ମହାଶୟଙ୍କ ଏ ଅନୁଭୂତିଟି ଏଠାରେ ବଖାଣିବାର କାରଣ ହେଲା ସଡ଼କ ନିରାପତ୍ତା ଲାଗି ଗାଡ଼ି ଚାଳକମାନଙ୍କ ଦାୟିତ୍ବବୋଧ କିଭଳି ହେବା ଉଚିତ, ତାର ଏକ ଉଦାହରଣ ଦେବା। ଆମ ରାଜ୍ୟରେ ଏଭଳି ଦାୟିତ୍ବବୋଧଟିକୁ ଗାଡ଼ି ଚାଳକମାନଙ୍କ ଭିତରେ ଉଦ୍ରେକ କରିବା ଲାଗି ଗଲା କାଲି ଅର୍ଥାତ୍‌ ସେପ୍‌ଟେମ୍ବର ୧ ତାରିଖ ଠାରୁ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ କରାଯାଇଛି। ଏଥିରେ ଅତି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇ ବେପରୁଆ, ଅମାନିଆ, ବେଆଇନ ଓ ନିଶାଗ୍ରସ୍ତ ଗାଡ଼ି ଚାଳନା ଲାଗି କଠୋର ଅର୍ଥ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଏଠାରେ କେବଳ ଦୁଇଟି ଉଦାହରଣ ଦେଲେ ଯଥେଷ୍ଟ ହେବ। ମୋବାଇଲ ଫୋନରେ ଗପି ଗାଡ଼ି ଚଳାଇବା ବେଳେ ଧରା ପଡ଼ିଲେ ଜରିମାନା ଦେବାକୁ ପଡ଼ିବ ୫ହଜାର ଟଙ୍କା। ନାବାଳକ ପୁଅ/ଝିଅ ଗାଡ଼ି ଚଳାଇ ଧରାପଡ଼ିଲେ ଅଭିଭାବକମାନେ ତ ସେଥିପାଇଁ ଦାୟୀ ରହିବେ, ତା’ ସହିତ ଜରିମାନା ଗଣିବେ ୨୫ ହଜାର ଟଙ୍କା। ଏଭଳି କଠୋର ବ୍ୟବସ୍ଥା ପଛରେ ଥିବା ମୂଳ ଚିନ୍ତନଟି ହେଉଛି କଠୋର କାର୍ଯ୍ୟାନୁଷ୍ଠାନର ଭୟ ଦ୍ବାରା ଶିଷ୍ଟ ସଡ଼କ ଆଚରଣକୁ ସମ୍ଭବ କରିବା ଓ ଆମ ସଡ଼କକୁ ନିରାପଦ ରଖିବା।

ଏହା ସ୍ବୀକାର କରିବାରେ ଦ୍ବିଧା ନାହିଁ ଯେ ଆମ ରାଜ୍ୟର ସଡ଼କଗୁଡ଼ିକ କ୍ରମେ ଅଧିକରୁ ଅଧିକ ଅସୁରକ୍ଷିତ ହୋଇ ଉଠୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ଜାନୁଆରିରୁ ମେ’ ମାସ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୨୫୩୨ ଜଣ ପ୍ରାଣ ହରାଇ ସାରିଲେଣି। ବିଗତ ବର୍ଷ ଅର୍ଥାତ୍‌ ୨୦୧୮ରେ ଏହି ସମୟ ଖଣ୍ଡରେ ୨୨୩୮ ଜଣ ପ୍ରାଣ ହରାଇଥିଲେ। ସୁତରାଂ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ବୃଦ୍ଧି ହୋଇଛି ୧୩ ପ୍ରତିଶତ। ସରକାରୀ ପରିସଂଖ୍ୟାନ ଅନୁସାରେ ୨୦୧୭ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଥିଲା ୨୭୯୦ ଯାହା ୨୦୧୮ରେ ୧୧ ପ୍ରତିଶ୍ରତ ବୃଦ୍ଧି ପାଇ ପହଞ୍ଚିଥିଲା ୫୩୧୫ରେ। ଏହି ସମୟ ଖଣ୍ଡରେ କିନ୍ତୁ ଜାତୀୟ ସ୍ତରରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଥିଲା ମାତ୍ର ୦.୬ ପ୍ରତିଶତ। ତେଣୁ, ରାଜ୍ୟର ସଡ଼କ ଦୁର୍ଘଟଣାର ସ୍ଥିତିକୁ ଲକ୍ଷ୍ୟ କରି କଠୋର ପଦକ୍ଷେପ ନେବା ନିତାନ୍ତ ଜରୁରୀ ଥିଲା। ଯଦିଓ ସଡ଼କ ଦୁର୍ଘଟଣା ଲାଗି ଅନ୍ୟାନ୍ୟ ଅନେକ କାରଣ ଦାୟୀ ସେମିତି କି ସଡ଼କର ନିର୍ମାଣଜନିତ ତ୍ରୁଟି, ଅନ୍ଧ ବୁଲାଣି ପାଖରେ ସତର୍କ ସୂଚନାର ଅନୁପସ୍ଥିତି, ଗାଡ଼ିଗୁଡ଼ିକର ଖରାପ ସ୍ଥିତି ଇତ୍ୟାଦି; ତଥାପି ଏହା ପଛରେ ଥିବା ସବୁଠାରୁ ବଡ଼ କାରଣଟି ଯେ ବେପରୁଆ, ଦ୍ରୁତ ଓ ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳନା, ଏଥିରେ ଦ୍ବିରୁକ୍ତ ନାହିଁ।

ଏହା ସତ ଯେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବାରମ୍ବାର ଗାଡ଼ି ଚାଳକମାନଙ୍କୁ ସଚେତନ କରିବା ଦିଗରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଚାଲି ଆସୁଛି। କିନ୍ତୁ ତାହା ବିଶେଷ ଫଳପ୍ରଦ ହୋଇପାରୁନାହିଁ। ଏ ସଂଦର୍ଭରେ ହାଇଦ୍ରାବାଦରେ କରାଯାଇଥିବା ଏକ ନୂଆ ପ୍ରୟୋଗ ପ୍ରଣିଧାନଯୋଗ୍ୟ। ଏହି ପ୍ରୟୋଗରେ ସହରର ପ୍ରତି ଅଟୋରିକ୍‌ସାରେ ଚାଳକଙ୍କ ପରିବାରର ଫଟୋ ଲଗାଯିବାର ବ୍ୟବସ୍ଥା‌ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା, ପରିବାରର ଫଟୋ ଆଖି ଆଗରେ ରହିଲେ ଚାଳକ ଜଣକ ପ୍ରତିଯୋଗିତା ଓ ବେଗର ରୋମାଞ୍ଚରେ ଆତ୍ମବିସ୍ମୃତ ନ ହୋଇ ଦାୟିତ୍ବର ସହିତ ଗାଡ଼ି ଚାଳନା କରିବେ। କିନ୍ତୁ ଦେଖାଗଲା ଯେ ଏହା ବିଶେଷ ପ୍ରଭାବୀ ହୋଇ ପାରିଲା ନାହିଁ। ଏପରି ଅନେକ ଉଦ୍ୟମ ବିଫଳ ହେବାରୁ ବୋଧହୁଏ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବା ଆବଶ୍ୟକ ହେଲା।

ଆମର ଏକ ବଡ଼ ବିଡ଼ମ୍ବନା ହେଲା ଏୟା ଯେ ଶିକ୍ଷିତ ତଥା ସଡ଼କ ନିୟମ ବିଷୟରେ ଭଲ ଭା‌େବ ଅେବଗତ ଗାଡ଼ିଚାଳକମାନେ ଅଧିକ ଦାମ୍ଭିକତାର ସହିତ ସଡ଼କ ନିୟମର ଉଳ୍ଲଂଘନ କରନ୍ତି। ଜଣେ ବ୍ୟକ୍ତି ତାଙ୍କ ଜୀବନର ବିଭିନ୍ନ ଭୁମିକାରେ ଜଣେ ବାଧ୍ୟ ସନ୍ତାନ, ଦାୟିତ୍ବବାନ କର୍ମଚାରୀ, ଅଙ୍ଗୀକାରବଦ୍ଧ ପିତା ଇତ୍ୟାଦି ହୋଇପାରନ୍ତି, କିନ୍ତୁ ଗାଡ଼ିଟିଏ ଧରି ରାସ୍ତା ଉପରକୁ ଉଠିଲେ ତାଙ୍କ ଶିଷ୍ଟତା କୁଆଡ଼େ ହଜି ଯାଇପାରେ, ତାଙ୍କ ଦେହରେ କାଳିସୀ ଲାଗିଯାଇପାରେ! ଅଧିକ ବେଗ‌େର ଗାଡ଼ି ଚାଳନାକୁ ନିରୁତ୍ସାହିତ କରିବା ଲାଗି ଯେଉଁ ଧାଡ଼ିଏ ଇଂରେଜୀ ଲେଖା ବିଭିନ୍ନ ଫଳକରେ ଦେଖିବାକୁ ମିଳେ ତାହା ହେଲା-‘ସ୍ପିଡ୍‌ ଥ୍ରିଲ୍‌ସ, ଇଟ୍ ଅଲ୍‌ସୋ କିଲ୍‌ସ’। ଏହାର ଅର୍ଥ ‘ବେଗ ରୋମାଂଚ ଆଣିଦିଏ, ଏହା ମୃତ୍ୟୁ ମଧ୍ୟ ଆଣିଦିଏ।’ କିନ୍ତୁ ବେଗର ରୋମାଂଚରେ ମସଗୁଲ ଅଧିକାଂଶ ଗାଡ଼ି ଚାଳକ ଧାଡ଼ିର ଦ୍ବିତୀୟ ଅଂଶକୁ ପାଶୋରି ଦିଅନ୍ତି।

ସଡ଼କ ଉପରେ ଶିଷ୍ଟ ଆଚରଣ ହିଁ ଦର୍ଶାଏ ଗୋଟିଏ ସମାଜ ତାର ବିଚାରରେ କେତେ ସୁସ୍ଥ। କଥିତ ଅଛି ଯେ ଫ୍ରାନ୍‌ସର କୌଣସି ଏକ କ୍ଷୁଦ୍ର ସହରର ମେୟର ସହରର ସଂକୀର୍ଣ୍ଣ ପ୍ରବେଶ-ପ୍ରସ୍ଥାନ ଦ୍ବାରରେ ନିଜର ବଡ଼ ଘୋଡ଼ା ଗାଡ଼ିକୁ ପଛକୁ ହଟାଇ ଆଣିବା ପଛରେ କାରଣ ଥିଲା ସେଇ ସମୟରେ ସହରକୁ ପ୍ରବେଶ କରୁଥିବା ଜଣେ ପଦଚାରୀଙ୍କ ଲାଗି ଯେମିତି ଅସୁବିଧା ନ ହୁଏ। ଏଭଳି ଶିଷ୍ଟ ସଡ଼କ ଆଚରଣ ଦ୍ବାରା ସେ ଏକ ବାର୍ତ୍ତା ଦେବାକୁ ଚାହିଁଥିଲେ ଯେ ତାଙ୍କ ସହରର ଅଧିବାସୀମାନେ କେତେ ସୁଶୀଳ! ଏଭଳି ଉଦାହରଣ ଆମ ସଡ଼କରେ ମିଳି ପାରିବ କି?

ଏହି କଠୋର ଦଣ୍ଡ ବ୍ୟବସ୍ଥା ସଂପର୍କରେ ଆଲୋଚନା ବେଳେ ଅନେକ ମତ ଦିଅନ୍ତି ଯେ ଏହା ଦ୍ବାରା ଲାଞ୍ଚ କାରବାର ବୃଦ୍ଧି ପାଇବ। ଲାଭ ଏତିକି ହେବ ଯେ ପୁଲିସ କର୍ମଚାରୀମାନେ ପୂର୍ବାପେକ୍ଷା ଅଧିକ ହାତଗୁଂଜା ମାଗିବେ। ସତରେ ଏମିତି ହେବ ନା ନାହିଁ, ତାହା ସମୟ କହିବ। କିନ୍ତୁ ଯଦି ଏମିତି ହୁଏ, ତେବେ ତାହା ହେବ ଆମର ଏକ ସାମୂହିକ ନୈତିକ ପରାଜୟ। ଆମେ ନିୟମ ମାନିବା ନାହିଁ ଏବଂ ଦଣ୍ଡ ବି ଭୋଗିବାକୁ ନାରାଜ। ତେଣୁ ଆମେ ହାତଗୁଂଜା ଦେଇ ଖସି ଯିବାକୁ ଚେଷ୍ଟା କରିବା ଏବଂ ପୁଲିସ ଆଡ଼କୁ ଆଙ୍ଗୁଳି ଦେଖାଇ କହିବା ଯେ ସେମାନେ ଲାଞ୍ଚଖୋର!

ତେଣୁ ସଂକ୍ଷେପରେ ଏତିକି ଯେ ସଡ଼କ ଉପରେ ଶିଷ୍ଟ ବା ଅଶିଷ୍ଟ ଆଚରଣ କେବଳ ପ୍ରମାଣ କରିବ ନାହିଁ ଯେ ସଡ଼କ ବ୍ୟବହାର କରିବା ଲାଗି ଆମେ କେତେ ଯୋଗ୍ୟ! ଏହା ପ୍ରମାଣ କରିବ ଯେ ଏକ ପରିପକ୍ବ ଭାରତୀୟ ନାଗରିକ ଭାବେ ଆମେ କେତେ ଯୋଗ୍ୟ।

ସମ୍ବନ୍ଧିତ ଖବର