ବେଲ୍‌-ଇନ୍‌ କ୍ଷୁର

୨୦୧୩ ଜୁଲାଇରେ କ୍ଷୁଦ୍ର ଭୂମଧ୍ୟସାଗରୀୟ ଦ୍ୱୀପ ଦେଶ ସାଇପ୍ରସ୍‌ର ବ୍ୟାଙ୍କ୍‌ ବ୍ୟବସାୟ କ୍ଷେତ୍ରରେ ଏକ ଅଭିନବ ଘଟଣା ଘଟିବା ଦେଖା ଯାଇଥିଲା। ସେ ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ୍‌ ‘ବ୍ୟାଙ୍କ୍‌ ଅଫ୍‌ ସାଇପ୍ରସ୍‌’କୁ ଖରାପ ଋଣ (ଏନ୍‌ପିଏ) ବୋଝରେ ବୁଡ଼ିଯିବାରୁ ରକ୍ଷା କରିବା ପାଇଁ ସେ ବ୍ୟାଙ୍କ୍‌ରେ ନିଜର ପଇସା ରଖିଥିବା ଜମାକାରୀମାନଙ୍କର ବାଳକୁ କାଟି ୪୭.୫% ଛୋଟ କରି ଦିଆଗଲା (ବିତ୍ତୀୟ ଭାଷାରେ-‘ହେୟାର କଟ୍‌’)। ଅର୍ଥାତ୍‌ ବ୍ୟାଙ୍କ୍‌ରେ ଥିବା ସେମାନଙ୍କର ଜମା ରାଶିର ୪୭.୫% କାଟି ନେଇ ଜବରଦସ୍ତ ବ୍ୟାଙ୍କ୍‌ର ଅଂଶଧନରେ ଭର୍ତ୍ତି କରି ଦିଆଗଲା। ଅତଏବ ଜମାକାରୀ ଚାହିଁଲେ ସେ ଅର୍ଥକୁ ଆଉ ବ୍ୟାଙ୍କ୍‌ରୁ ଉଠାଇ ପାରିବେ ନାହିଁ। ଜମାର ବାକି ଅଂଶ ମଧ୍ୟ ସେମାନଙ୍କର ଅପହଞ୍ଚ ହୋଇଗଲା, କାରଣ ତାହାକୁ ବିଭିନ୍ନ ଅବଧିର ସ୍ଥାୟୀ ଜମାରେ ପରିଣତ କରି ଦିଆଗଲା। ବସ୍ତୁତଃ ବ୍ୟାଙ୍କ୍‌କୁ ରକ୍ଷା କରିବା ପାଇଁ ଜମାକାରୀମାନଙ୍କୁ ସେମାନଙ୍କର ସଂଚିତ ଅର୍ଥ ହରାଇବାକୁ ପଡ଼ିଲା। କୌଣସି ବ୍ୟାଙ୍କ୍‌କୁ ଉଦ୍ଧାର କରିବା ପାଇଁ ଏପରି କୌଶଳର ବ୍ୟବହାରକୁ କୁହାଯାଇଥାଏ- ‘ବେଲ୍‌-ଇନ୍‌’। ଏହା ଥିଲା ‘ବେଲ୍‌-ଇନ୍‌’ର ଏକ ବିରଳ ଉଦାହରଣ। ସାଧାରଣତଃ ବ୍ୟାଙ୍କ୍‌ର ଉଦ୍ଧାର ପାଇଁ ସରକାର ଯେଉଁ କୌଶଳ ବ୍ୟବହାର କରିଥାନ୍ତି, ତାହା ହେଉଛି- ‘ବେଲ୍‌-ଆଉଟ୍‌’। ‘ବେଲ୍‌-ଆଉଟ୍‌’ରେ ସରକାର କରଦାତାମାନଙ୍କଠାରୁ ସଂଗୃହୀତ ଅର୍ଥ ବ୍ୟବହାର କରି ବ୍ୟାଙ୍କ୍‌ର ପୁଞ୍ଜିରେ ବୃଦ୍ଧି ଘଟାଇଥାନ୍ତି। କିନ୍ତୁ ଯେହେତୁ ଅଧିକାଂଶ କରଦାତାଙ୍କର ସମ୍ପୃକ୍ତ ବ୍ୟାଙ୍କ୍‌ ସହିତ କୌଣସି ସମ୍ପର୍କ ନଥାଇପାରେ, ସେ ବ୍ୟାଙ୍କ୍‌ର ଉଦ୍ଧାର ବୋଝ କରଦାତାଙ୍କ ମୁଣ୍ଡ ଉପରେ ଲଦିବା ଯଥାର୍ଥ ମନେ ହୋଇ ନଥାଏ ଏବଂ ଏହା ଜନ ଅସନ୍ତୋଷ ସୃଷ୍ଟି କରିପାରେ। ଏଣୁ ବେଲ୍‌-ଇନ୍‌ ମାଧ୍ୟମରେ ଏ ବୋଝକୁ ସେ ବ୍ୟାଙ୍କ୍‌ର ଜମାକାରୀମାନଙ୍କ ମଥାରେ ଲଦି ଦେବା ଅଧିକ ଯୁକ୍ତିଯୁକ୍ତ ବୋଲି କେହି କେହି ବିଚାର କରିଥାନ୍ତି।

ଯାହା ଆଇଏମ୍‌ଏଫ୍‌, ୟୁରୋପିଆନ୍‌ ୟୁନିଅନ୍‌ ଏବଂ ୟୁରୋପିଆନ୍‌ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌- ସାଇପ୍ରସ୍‌କୁ ଆର୍ଥିକ ସହାୟତା ପ୍ରଦାନକାରୀ ଏହି ତ୍ରିମୂର୍ତ୍ତିଙ୍କ ଚାପରେ ସାଇପ୍ରସ୍‌ରେ କରାଯାଇଥିଲା। ଏବଂ ଯାହା ଭାରତରେ ମଧ୍ୟ ଘଟିବା ପାଇଁ ବାଟସଫା କରିବାର ଉଦ୍ୟମ ଏବେ ମୋଦୀ ସରକାର ଆରମ୍ଭ କରିଛନ୍ତି। ଏ ସମ୍ବନ୍ଧରେ ଅଧିକ କିଛି କହିବା ପୂର୍ବରୁ ଆମେ ସ୍ପଷ୍ଟ କରିଦେବା ପାଇଁ ଚାହୁଁ ଯେ ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରଦାନ କରିଥିବା ସ୍ପଷ୍ଟୀକରଣ ସମ୍ବନ୍ଧରେ ଆମେ ସଚେତନ ଅଛୁ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେ ସ୍ପଷ୍ଟୀକରଣରେ କେଉଁଠି ହେଲେ ସାଧାରଣ ଲୋକ ବୁଝିପାରିବା ଭଳି ଭାଷାରେ କୁହାଯାଇ ନାହିଁ ଯେ ଭାରତରେ ‘ବେଲ୍‌-ଇନ୍‌’ କେବେହେଲେ କରାଯିବ ନାହିଁ ଓ ଏହା ଅବୈଧ। ଅପରପକ୍ଷେ ସରକାର ତିନିମାସ ତଳେ ପାର୍ଲିଆମେଣ୍ଟରେ ସ୍ଥାନୀତ କରିଥିବା ଏ ସଂକ୍ରାନ୍ତ ବିଲ୍‌- ଫାଇନାନ୍‌ସିଆଲ୍‌ ରିଜଲ୍ୟୁସନ୍‌ ଆଣ୍ଡ୍‌ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍‌ସ (ଏଫ୍‌ଆର୍‌ଡିଆଇ) ବିଲ୍‌, ୨୦୧୭ର ଏକ ଅବିଚ୍ଛିନ୍ନ ଅଂଶ ହେଉଛି ଏହି ‘ବେଲ୍‌-ଇନ୍‌’ ଧାରା। ଏଠାରେ ବାଆକୁ ବତା ଭଳି ଜମାକାରୀଙ୍କର ଜମା ରାଶିର ମାତ୍ର ଦୁଇ ଲକ୍ଷ ଟଙ୍କାକୁ ବୀମା ସୁରକ୍ଷା ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ରହିଛି, ଜମାକାରୀଙ୍କ ବାକି ଅର୍ଥ ସମ୍ପୂର୍ଣ୍ଣ ଅସୁରକ୍ଷିତ।

ଏଥର ଭାରତୀୟ ପରିପ୍ରେକ୍ଷୀରେ ଏପରି ‘ବେଲ୍‌-ଇନ୍‌’ ବ୍ୟବସ୍ଥାର ଯଥାର୍ଥତା ତଥା ନୈତିକତା ଉପରେ ଦୃଷ୍ଟିପାତ କରାଯାଉ। ବ୍ୟାଙ୍କ୍‌ ହେଉଛି ଅନ୍ୟ ଯେ କୌଣସି ବ୍ୟବସାୟ ଭଳି ଏକ ବ୍ୟବସାୟ। ଯଦି କୌଣସି ଏକ ବ୍ୟବସାୟ କ୍ଷତିର ସମ୍ମୁଖୀନ ହୁଏ, ତେବେ ଏ କ୍ଷତିର ବୋଝ ସମ୍ଭାଳିବାକୁ ପଡ଼ିଥାଏ ବ୍ୟବସାୟର ମାଲିକ ମାନଙ୍କୁ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏଠାରେ ବ୍ୟାଙ୍କ୍‌ମାନଙ୍କର ମାଲିକ କିଏ? ସୂଚାଇବା ଅନାବଶ୍ୟକ ଯେ ଜମାକାରୀମାନେ ବ୍ୟାଙ୍କ୍‌ର ମାଲିକ ନୁହନ୍ତି। ବରଂ ମାଲିକମାନେ ଜମାକାରୀ ମାନଙ୍କ ପଇସାରେ ବ୍ୟବସାୟ କରି ଲାଭ ଉପଭୋଗ କରନ୍ତି; ଜମାକାରୀ ମାନଙ୍କର ଲାଭରେ କୌଣସି ଅଂଶ ନଥାଏ। ବ୍ୟାଙ୍କ୍‌ର ଅଂଶୀଦାର ମାନେ ହେଉଛନ୍ତି ବ୍ୟାଙ୍କ୍‌ର ମାଲିକ। ଭାରତ କ୍ଷେତ୍ରରେ ଦେଶର ବ୍ୟାଙ୍କ୍‌ ବ୍ୟବସାୟର ୭୦% ରହିଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ମାନଙ୍କର ନିୟନ୍ତ୍ରଣରେ ଏବଂ ଦେଶର ବ୍ୟାଙ୍କ୍‌ ମାନଙ୍କର ମୋଟ ‘ଏନ୍‌ପିଏ’ର ୯୦% ଦେଖିବାକୁ ମିଳିଥାଏ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ମାନଙ୍କରେ। ତେଣୁ ଯଦି କେବେ ଏଠାରେ କୌଣସି ବ୍ୟାଙ୍କ୍‌ ପାଇଁ ‘ବେଲ୍‌-ଇନ୍‌’ ଆବଶ୍ୟକ ହୁଏ, ତାହା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ହୋଇଥିବାର ସମସ୍ତ ସମ୍ଭାବନା ରହିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ର ମାଲିକ ହେଉଛନ୍ତି ସରକାର। ଅର୍ଥାତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ର ପ୍ରକୃତ ମାଲିକ ହେଉଛନ୍ତି ନାଗରିକ-କରଦାତା ମାନେ। ତେଣୁ ଯୁକ୍ତିଯୁକ୍ତ ଭାବରେ ଯଦି ବେଲ୍‌-ଇନ୍‌ ବୋଝ କାହା ମୁଣ୍ଡରେ ଲଦା ଯିବା କଥା ସେମାନେ ହେଉଛନ୍ତି କରଦାତା। ତେଣୁ କରଦାତା ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଜମାକାରୀଙ୍କୁ ଲଣ୍ଡା କରାଯିବା ଯୁକ୍ତି ସମ୍ପୂର୍ଣ୍ଣ ରୂପେ ଆଧାରହୀନ। ଏଥିରୁ ଅନ୍ୟ ଯେଉଁ ଶିକ୍ଷା ମିଳେ ତାହା ହେଲା, ସରକାର ଯଦି ବେଲ୍‌ ଆଉଟ୍‌ ନକରି କରଦାତା ମାନଙ୍କୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ସରକାର ବରଂ ବ୍ୟାଙ୍କ୍‌ ମାନଙ୍କର ମାଲିକାନାରୁ ଓହରି ଯାଇ ଜାତୀୟକରଣ ପୂର୍ବ ଅବସ୍ଥାକୁ ଫେରି ଯାଆନ୍ତୁ।

ସେଇଭଳି ଯେଉଁମାନେ ବ୍ୟାଙ୍କ୍‌ର ଲାଭରୁ ଅଂଶ ପାଆନ୍ତି ସେଇମାନେ ହିଁ କ୍ଷତି ସମ୍ଭାଳିବା ଯୁକ୍ତିଯୁକ୍ତ। ବିଚରା ଗ୍ରାହକ ତ ଲାଭରୁ କେବେହେଲେ ଭାଗ ପାଏ ନାହିଁ, ବରଂ ଜମାକାରୀକୁ ଦିଆଯାଉଥିବା ସୁଧ ହାରକୁ କିପରି ହ୍ରାସ କରାଯିବ, ବ୍ୟାଙ୍କ୍‌ର ମାଲିକମାନେ ସେଥିପାଇଁ ସର୍ବଦା ତତ୍ପର ଥାନ୍ତି। ବ୍ୟାଙ୍କ୍‌ ଋଣ ପ୍ରଦାନ କରିବା ବେଳେ କିଂବା ପୁଞ୍ଜିନିବେଶ କରିବା ବେଳେ ଜମାକାରୀଙ୍କର ଅର୍ଥକୁ ବ୍ୟବହାର କରିଥାଏ, କିନ୍ତୁ ଏଥିପାଇଁ ଜମାକାରୀଙ୍କର ପରାମର୍ଶ ଲୋଡ଼ି ନଥାଏ। କୌଣସି ଋଣ ଯଦି ପରିଶୋଧ ନହୋଇ ‘ଏନ୍‌ପିଏ’ ହୋଇଯାଏ ସେଥିପାଇଁ ଜମାକାରୀକୁ କାହିଁକି ‘ବେଲ୍‌ ଇନ୍‌’ ଦଣ୍ଡ ମିଳିବ? ଆଶ୍ଚର୍ଯ୍ୟର କଥା ନରେନ୍ଦ୍ର ମୋଦୀ ସରକାର ଭାରତକୁ ଏକ ନଗଦହୀନ ଅର୍ଥନୀତିରେ ପରିଣତ କରିବା ଉଦ୍ଦେଶ୍ୟରେ ଧନଜନ ଯୋଜନା ଠାରୁ ବିମୁଦ୍ରୀକରଣ ବିପ୍ଳବ ପର୍ଯ୍ୟନ୍ତ ରଚନା କରିବାରେ ବ୍ୟସ୍ତ। ଏଣେ କିନ୍ତୁ ‘ବେଲ୍‌-ଇନ୍‌’ ବ୍ୟବସ୍ଥା ଲାଗୁ କରି ଲୋକମାନଙ୍କର ବ୍ୟାଙ୍କ୍‌ରେ ଥିବା ଜମାରାଶିକୁ ଅସୁରକ୍ଷିତ କରିଦେବା ପାଇଁ ମଧ୍ୟ ମୋଦୀ ଓ ତାଙ୍କର ଉପଦେଷ୍ଟା ମାନେ ସେତିକି ବ୍ୟସ୍ତ। ସରକାର ପ୍ରକୃତରେ କ’ଣ ଚାହୁଁଛନ୍ତି? ଏହା ସତ କାଲି ସକାଳେ ଏକ ‘ବେଲ୍‌-ଇନ୍‌’ ଘଟି ନପାରେ। କିନ୍ତୁ ଏଭଳି ଏକ ପ୍ରସ୍ତାବ ଆଣି ସରକାର ବ୍ୟାଙ୍କ୍‌ର ଜମାକାରୀଙ୍କ ମନରେ ଯେଉଁ ଆତଙ୍କ ସୃଷ୍ଟି କରିଛନ୍ତି, ଭାରତୀୟ ବିତ୍ତୀୟ ବ୍ୟବସ୍ଥା ଉପରେ ତାହାର ଘୋର କୁପ୍ରଭାବ ପଡ଼ିପାରେ। ବିଶେଷକରି ଯେଉଁ ବରିଷ୍ଠ ନାଗରିକମାନେ ବ୍ୟାଙ୍କ୍‌ରେ ଥିବା ସଞ୍ଚୟକୁ ଆଶ୍ରା କରି ବଞ୍ଚିଥାନ୍ତି, ସେମାନେ ବର୍ତ୍ତମାନ ଘୋର ଆଶଙ୍କାରେ କାଳ କାଟିବେ। ସରକାର କ’ଣ ଭାବୁଛନ୍ତି କି ଯେହେତୁ ଅଧିକାଂଶ ବରିଷ୍ଠ ନାଗରିକ ଚନ୍ଦା ହୋଇସାରିଥାନ୍ତି, ସେମାନଙ୍କର ଆଉ ଲଣ୍ଡା ହେବାକୁ ଭୟ ନାହିଁ।

ସମ୍ବନ୍ଧିତ ଖବର