ଚାରିଟି ଉପଲବ୍‌ଧି

୩୮୭,୩୮୯.୯ କିଲୋମିଟର ହେଉଛି ଆପଣମାନଙ୍କ ପରିଚୟ, ୨.୧ କିଲୋମିଟର ନୁହେଁ। ଇସ୍ରୋ, ଆମେ ତୁମ ଲାଗି ଗର୍ବିତ।’

ଚନ୍ଦ୍ରଯାନ-୨ ଅଭିଯାନରେ ‘ଅର୍‌ବିଟର୍’ରୁ ସଫଳତାର ସହିତ ଅଲଗା ହେ‌ାଇଯାଇଥିବା ‘ବିକ୍ରମ ଲାଣ୍ଡର୍’ ଚନ୍ଦ୍ରପୃଷ୍ଠରେ କୋମଳ ଅବତରଣ କରିବାର କେଇ କ୍ଷଣ ପୂର୍ବରୁ ଇସ୍ରୋ ସହିତ ତାର ସଂପର୍କ ଛିନ୍ନ ହୋଇଯିବା ପରେ ଘୋର ହତାଶାଚ୍ଛନ୍ନ ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କ ଉଦ୍ଦେଶ୍ୟରେ ଏହା ଥିଲା ଜଣେ ଭାରତୀୟ ନାଗରିକଙ୍କ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା। ସମସ୍ତେ ଜାଣନ୍ତି ଯେ ‘ବିକ୍ରମ ଲାଣ୍ଡର୍’ ନିଖୋଜ ହେଲା ବେଳକୁ ଚନ୍ଦ୍ରପୃଷ୍ଠ ସ୍ପର୍ଶ କରିବା ଲାଗି ବାକି ଥିଲା ମାତ୍ର ୨.୧ କିଲୋମିଟର୍। ଏହାକୁ ଲକ୍ଷ୍ୟ କରି ଉପରୋକ୍ତ ଭାରତୀୟ ଉପର ବର୍ଣ୍ଣିତ ବାର୍ତ୍ତାଟିକୁ ଲେଖିଥିଲେ। କିନ୍ତୁ ଏଭଳି କରିଥିବା ସେ ଏକାକୀ ନ ଥିଲେ। ଇସ୍ରୋର ବୈଜ୍ଞାନିକମାନଙ୍କ ସମର୍ଥନ ଓ ପ୍ରଶଂସାରେ ଛୁଟିଥିବା ବାର୍ତ୍ତାର ମହାସ୍ରୋତରେ ସେ କେବଳ ଥିଲେ ଗୋଟିଏ ବିନ୍ଦୁ।

ସାରା ଜୀବନ ନିରବ ସାଧନାରତ ଭାରତୀୟ ବୈଜ୍ଞାନିକମାନେ ସେମାନଙ୍କ ପ୍ରକଳ୍ପରେ ସଫଳ ହେଲେ ସ୍ବାଭାବିକ ଭାବେ ସାରା ଦେଶର ପ୍ରଶଂସାରେ ଭାସ୍ବର ହୋଇ ଉଠନ୍ତି। କିନ୍ତୁ ଚନ୍ଦ୍ରଯାନ-୨ ମିସନ୍‌ର ପୂର୍ଣ୍ଣ ସଫଳତାରେ ଝଟକା ଲାଗିବା ପରେ ଓ ସତ୍ତ୍ବେ କୋଟି କୋଟି ସାଧାରଣ ଭାରତୀୟ ନାଗରିକ ଇସ୍ରୋର ବୈଜ୍ଞାନିକଙ୍କ ସାମର୍ଥ୍ୟ, ସାହସ, ସଫଳତା ଓ ବୌଦ୍ଧିକ ସାଧୁତାର ପ୍ରଶଂସାରେ ମୁଖର ହୋଇ ଯେଉଁଭଳି ବାର୍ତ୍ତାମାନ ପ୍ରେରଣ କରି ‘ସାମାଜିକ ଗଣମାଧ୍ୟମ’ର ଫନ୍ଦ ଉଛୁଳାଇ ଦେଇଛନ୍ତି, ତାହା ଅଭିଭୂତ କଲା ପରି। ସାଧାରଣତଃ ଭାରତୀୟ ନାଗରିକମାନେ ବିଜ୍ଞାନ ଓ ପ୍ରଯୁକ୍ତି ଆଲୋଚନା ପ୍ରତି ବୀତସ୍ପୃହ। କିନ୍ତୁ ଚନ୍ଦ୍ରଯାନ-୨ ମିସନ ଅଗଣିତ ଭାରତୀୟଙ୍କୁ ଚା’ ଦୋକାନର ହାଲୁକା ଆଲୋଚନାରେ ବି ‘ରକେଟ୍ ବିଜ୍ଞାନ’ ବାବଦରେ ଠିକେ ଠିକେ କଥାବାର୍ତ୍ତା କରିବାକୁ ଉତ୍ସାହିତ କରିଛି। ଶନିବାରର ଅନ୍ଧାରିଆ ପାହାନ୍ତା ପ୍ରହରରେ ଇସ୍ରୋର ବୈଜ୍ଞାନିକ ମଣ୍ଡଳି, ପ୍ରଧାନମନ୍ତ୍ରୀ ତଥା ରାଷ୍ଟ୍ରର ଅନ୍ୟାନ୍ୟ ବରିଷ୍ଠ ନେତା ଓ ମାନ୍ୟଗଣ୍ୟଙ୍କ ସହିତ କୋଟି କୋଟି ସାଧାରଣ ଭାରତୀୟ ନାଗରିକ ସେହି କ୍ଷଣକୁ ଅପେକ୍ଷା କରି ରହିଥିଲେ ଯେତେବେଳେ ‘ବିକ୍ରମ ଲାଣ୍ଡର୍’ ଚନ୍ଦ୍ରମା’ର ଦକ୍ଷିଣ ମେରୁ ସ୍ପର୍ଶ କରିବାର ଥିଲା। କିନ୍ତୁ ତାହା ଅଗତ୍ୟା ସମ୍ଭବ ହୋଇ ପାରିଲାନାହିଁ। କିନ୍ତୁ ଏ ବିଫଳତା ଲାଗି ଦେଶର ସାଧାରଣ ନାଗରିକମାନେ ବୈଜ୍ଞାନିକମାନଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ସେମାନଙ୍କ ସମର୍ଥନରେ ବାର୍ତ୍ତାର ପ୍ଳାବନ ସୃଷ୍ଟି କରିଥିଲେ। ଭାରତୀୟ ବୈଜ୍ଞାନିକ ସମାଜ ଏବଂ ସେମାନଙ୍କ ଗବେଷଣା ତଥା ସାଧନା ପ୍ରତି ରାଷ୍ଟ୍ରବାସୀଙ୍କ ଏ ସ୍ବତଃସ୍ଫୂର୍ତ୍ତ ସମ୍ମାନ ଓ ସ୍ବୀକୃତି ଯେକୌଣସି ସରକାରଙ୍କ ଦ୍ବାରା ପ୍ରଦତ୍ତ ଆଧିକାରିକ ସ୍ବୀକୃତି ଠାରୁ ଅଧିକ ମୂଲ୍ୟବାନ। ଭାରତୀୟ ମହାକାଶ ବିଜ୍ଞାନୀମାନେ ଆଜି ‘ତାରକା’ ବିଜ୍ଞାନୀରେ ପରିଣତ ହୋଇଛନ୍ତି। ଏହା ଏକ ବିରାଟ ଉପଲବ୍‌ଧି ନିଶ୍ଚୟ।

ଚନ୍ଦ୍ରଯାନ-୨ ମିସନର ଦ୍ବିତୀୟ ଉପଲବ୍‌ଧିଟି ହେଉଛି ବିଶ୍ବ ସମୁଦାୟ ଏବଂ ବିଶ୍ବ ଗଣମାଧ୍ୟମରେ ଭାରତୀୟ ମହାକାଶ ବିଜ୍ଞାନ, ଗବେଷଣା ଓ ବିଜ୍ଞାନୀଙ୍କ ଭାବମୂର୍ତ୍ତିର ଔଜ୍ଜ୍ବଲ୍ୟ। ଆମେରିକାର ମହାକାଶ ଗବେଷଣା ପ୍ରତିଷ୍ଠାନ ‘ନାସା’ ଇସ୍ରୋର ଚନ୍ଦ୍ରଯାନ-୨ ମିସନକୁ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ଅଭିହିତ କରି ଟ୍ବିଟ୍‌ରେ ଜଣାଇଲା, ‘ଆପଣମାନଙ୍କ ଏ ଯାତ୍ରା ଆମକୁ ଗଭୀର ଭାବେ ଅନୁପ୍ରାଣିତ କରିଛି ଏବଂ ଆଗକୁ ସୌରମଣ୍ଡଳର ରହସ୍ୟ ଉନ୍ମୋଚନ ଉଦ୍ୟମରେ ଆମେ ଆପଣମାନଙ୍କ ସହିତ ମିଶି କାର୍ଯ୍ୟ କରିବାର ସୁଯୋଗର ଅପେକ୍ଷାରେ ରହିବୁ।’ ବିଶ୍ବର ସମସ୍ତ ପ୍ରମୁଖ ଗଣମାଧ୍ୟମ ଚନ୍ଦ୍ରଯାନ-୨ ମିସନ ବାବଦରେ ଯାହା ଲେଖିଛନ୍ତି ବା କହିଛନ୍ତି ତା’ର ସାରମର୍ମ ହେଲା- ଚନ୍ଦ୍ରରେ ‘ବିକ୍ରମ ଲାଣ୍ଡର୍’କୁ ଅବତରଣ କରିବାର ସ୍ବପ୍ନ ଯଦିଓ ପୂରଣ ହୋଇପାରିନାହିଁ, ସବୁ କିଛି ତୁଟି ଗଲା ବୋଲି କହିହେବନାହିଁ। ଭାରତୀୟ ବୈଜ୍ଞାନିକମାନଙ୍କ ଦକ୍ଷତା, ନିଷ୍ଠା ଓ ବୌଦ୍ଧିକ ସାହସ ସେମାନଙ୍କୁ ଆହୁରି ବଡ଼ ବଡ଼ ଅଭିଯାନରେ ଆଗକୁ ସଫଳ କରିବ।’ କୁହାଯାଏ, କୌଣସି ସତ୍‌ ଉଦ୍ୟମ ଲକ୍ଷ୍ୟ ହାସଲରେ ସମର୍ଥ ହୋଇ ନ ପାରିଲେ ମଧ୍ୟ ସେହି ‘ଉଦ୍ୟମ’ଟି ଏକ ଆଲୋକ-ବର୍ତ୍ତିକା ଭଳି କାମ କରିପାରେ ଏବଂ ଅନ୍ୟକୁ ପ୍ରୋତ୍ସାହିତ କରିପାରେ। ଉଲ୍ଲେଖଯୋଗ୍ୟ ଯେ ଇସ୍ରୋ ଦ୍ବାରା ଆହୁରି ବିଶାଳ ଚନ୍ଦ୍ର ପ୍ରକଳ୍ପ ଲାଗି ପ୍ରୟାସ ଆରମ୍ଭ ହୋ‌ଇ ସାରିଲାଣି।

ତୃତୀୟ ଉପଲବ୍‌ଧିଟି ହେଉଛି ଲକ୍ଷ୍ୟଚ୍ୟୁତ ହେବା ସତ୍ତ୍ବେ ଏହି ମିସନ ହାସଲ କରିପାରିଥିବା ସଫଳତା। ‘ଏହି ଅଭିଯାନ ୯୦ରୁ ୯୫ ପ୍ରତିଶତ ସଫଳ ହୋଇଛି’ ବୋଲି ଇସ୍ରୋର ଅଧ୍ୟକ୍ଷ କେ. ଶିବନ କହିଛନ୍ତି। ‌େସ କହିଛନ୍ତି ଯେ ଶେଷ ୫ ପ୍ରତିଶତର ବିଫଳତାକୁ ବାଦ୍‌ ଦେଇ ଏତିକି କୁହାଯାଇ ପାରିବ ଯେ ଏ ମିସନ ସଫଳ। ଏବେ ବି ‘ଅର୍‌ବିଟର୍’ ଇସ୍ରୋର ସଂପର୍କରେ ଅଛି। ଏହା ସ୍ବାଭାବିକ ଭାବେ ଚନ୍ଦ୍ରର ପ୍ରଦକ୍ଷିଣ କରି ଚାଲିଛି ଏବଂ କକ୍ଷ ପଥରୁ ‘ଉଚ୍ଚ ଗୁଣଯୁକ୍ତ ଫଟୋ’ ପଠାଇ ଚାଲିବ। ‘ଅର୍‌ବିଟର୍‌’ରେ ଯେତିକି ଇନ୍ଧନ ଅଛି, ତାହା ତାକୁ ଆହୁରି ସାଢ଼େ ସାତ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରଖିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେଣୁ, ସେଥିରୁ ପ୍ରେରିତ ଫଟୋଚିତ୍ର ଆଗାମୀ କିଛି ବର୍ଷ ଯାଏ ଭାରତୀୟ ବୈଜ୍ଞାନିକଙ୍କ ଜ୍ଞାନ ଭଣ୍ଡାରକୁ ସମୃଦ୍ଧ କରିଚାଲିବ। ମନେ ରହିବା ଉଚିତ ଯେ ବିଶ୍ବରେ ଯେତିକି ଚନ୍ଦ୍ରାଭିଯାନର ଉଦ୍ୟମ ହୋଇଛି, ତା’ ଭିତରୁ ମାତ୍ର ୪୫ ପ୍ରତିଶତ ସଫଳ ହୋଇଛି। ମହାକାଶ ବିଜ୍ଞାନରେ ଉତ୍କର୍ଷ ହାସଲ କରିଥିବା ଏଭଳି କୌଣସି ରାଷ୍ଟ୍ର ନାହାନ୍ତି, ଯାହାର ଗୋଟିଏ ବି ଅନ୍ତରୀକ୍ଷ ଅଭିଯାନ ବିଫଳ ହୋଇ ନାହିଁ। ତେଣୁ, ଏଥର ଅଳ୍ପକେ ଶୃଙ୍ଗାରୋହଣରୁ ବଞ୍ଚିତ ହୋଇଥିବା ଭାରତୀୟ ମହାକାଶ ବିଜ୍ଞାନୀମାନେ ନିଶ୍ଚୟ ସେମାନଙ୍କ ପରବର୍ତ୍ତୀ ମିସନଗୁଡ଼ିକୁ ଏଭଳି ଦମଦାର କରିବେ ଯେ ତାହା ସଫଳ ହେବ ଓ ଉଦାହରଣୀୟ ପାଲଟିବ।

ଗଣମାଧ୍ୟମରୁ ଜଣାପଡ଼ିଛି ଯେ ଚନ୍ଦ୍ରଯାନ-୨ ମିସନର ଝୁଣ୍ଟି ପଡ଼ିବାକୁ ତାଚ୍ଛଲ୍ୟ କରିଛି ପାକିସ୍ତାନ। ଆଜିକୁ ବାସ୍ତରି ବର୍ଷ ତଳେ ଗୋଟିଏ ଦିନ ଦୁଇଟି ସ୍ବାଧୀନ ରାଷ୍ଟ୍ରରେ ପରିଣତ ହୋଇଥିବା ଭାରତ ଓ ପାକିସ୍ତାନ, ମହାକାଶ ଗବେଷଣା କ୍ଷେତ୍ରରେ ହାସଲ କରିଥିବା ଉତ୍କର୍ଷ ଦୃଷ୍ଟିରୁ ପରସ୍ପର ଠାରୁ ଆଲୋକ ବର୍ଷ ଦୂରତାରେ। ୧୯୪୭ ପର ଠାରୁ ପାକିସ୍ତାନ ମଧ୍ୟଯୁଗୀୟ ଅନ୍ଧକାର ଆଡ଼କୁ କ୍ରମାଗତ ଭାବେ ‌େଠଲି ହୋଇ ଚାଲିଛି। ଗବେଷଣା ଓ ପ୍ରଯୁକ୍ତି କ୍ଷେତ୍ରରେ ପାକିସ୍ତାନ ସ୍ବୀୟ ଉଦ୍ୟମରେ ଯେ ଖଡ଼ିଛୁଆଁ ସ୍ତରରୁ ଉରପକୁ ଉତ୍ତୀର୍ଣ୍ଣ ହୋଇନାହିଁ, ଏହା ସମସ୍ତେ ଜାଣନ୍ତି। ଏଭଳି ସ୍ଥଳେ ଚନ୍ଦ୍ରଯାନ-୨ ଅଭିଯାନକୁ ପାକିସ୍ତାନ ଗଣମାଧ୍ୟମ, ରାଜନେତା ଓ ମନ୍ତ୍ରୀମାନଙ୍କ ପକ୍ଷରୁ ତାଚ୍ଛଲ୍ୟ କରାଯିବା ପାକିସ୍ତାନର ସଂକୀର୍ଣ୍ଣତାକୁ ‌ଦର୍ଶାଉଛି। ପାକିସ୍ତାନ ଲାଗି ଏହା ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ଲାଗୁଛି ଯାହା। ଏହା ଏକ ସଭ୍ୟ ରାଷ୍ଟ୍ରସୁଲଭ ପ୍ରତିକ୍ରିୟା ନୁହେଁ। ପାକିସ୍ତାନର ଏ ବିକଳ ଚେହେରା ବିଶ୍ବ ସ୍ତରରେ ପ୍ରକଟିତ ହୋଇଯିବା, ଯଦିଓ ଚନ୍ଦ୍ରଯାନ ଅଭିଯାନର ଚତୁର୍ଥ ଉପଲବ୍‌ଧି ନୁହେଁ, ତଥାପି ଏ ସମାଲୋଚନାରୁ ନିଜ ଲାଗି ଶକ୍ତି ଆହରଣ କରିବା ଦିଗରେ ଯଦି ଇସ୍ରୋ ଇନ୍ଧନ ପାଏ, ତେବେ ତାହା ହୋଇପାରିବ ଆଉ ଏକ ଉପଲବ୍‌ଧି।

ସମ୍ବନ୍ଧିତ ଖବର