‘ବୃଦ୍ଧ’ଙ୍କ ବାହୁଡ଼ା

‘ମାଇ ଲର୍ଡ‌୍‌, ଏଇ ଶେଷ ଥର ଲାଗି ମୁଁ ଆପଣଙ୍କ ସାମନାରେ ଛିଡ଼ା ହେଉଛି। ଏବେ ମୁଁ ନବେ ପାର କରିସାରିଲିଣି ଏବ˚ ଦୁନିଆ ଦେଖି ସାରିଲିଣି। ଏଇଲାଗେ ମୁଁ ଜଣେ ବୃଦ୍ଧ ଯିଏ ଈଶ୍ବରଙ୍କ ପ୍ରତୀକ୍ଷାଳୟରେ ରହୁଛି’।

୨୦୧୭ ମସିହାରେ ନୂଆ କରି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗ ଦେଇଥିବା ଦୀପକ ମିଶ୍ରଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ସ୍ବାଗତ ସଭାରେ ଏ କଥାଟି କହିଥିଲେ ରାମ ଜେଠମାଲାନୀ। ସେତେବେଳକୁ ତାଙ୍କୁ ୯୪ ବର୍ଷ ବୟସରୁ କିଛି କମ୍‌। ଓକିଲାତି ପେସାରୁ ସେ ଅବସର ନେଇଥାଆନ୍ତି। ତେବେ, ଗହଳ ଶୁଭ୍ର ଭ୍ରୂଲତା ତଳେ ଦୁଇ ବିଶାଳ ଚକ୍ଷୁର ଚମକ ଏବ˚ ବିଜୁଳି ଭଳି କ୍ଷଣକେ ଚତୁର୍ଦ୍ଦିଗ ଚମକାଇ ଦେଉଥିବା ବୁଦ୍ଧିମତ୍ତା ତାଙ୍କର ଅକ୍ଷୁଣ୍ଣ ଥାଏ। ତାଙ୍କ ଏ ମନ୍ତବ୍ୟର ଉତ୍ତର ଦେଇ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଥିଲେ, ‘ଆଇନର ଦୁନିଆକୁ ଦେବା ଲାଗି ଜେଠମାଲାନୀଙ୍କ ନିକଟରେ ଏବେ ସୁଦ୍ଧା ବହୁତ କିଛି ଅଛି ଏବ˚ ତାଙ୍କ ଭଳି ଜଣେ ବ୍ୟକ୍ତି କେବେ ଅବସର ନେଇ ପାରିବେ ନାହିଁ।’

ରାମ ଜେଠମାଲାନୀ କିନ୍ତୁ ସତୁରି ବର୍ଷର ଓକିଲାତି କ୍ୟାରିଅରରୁ ଅବସର ନେଇ ସାରିଥିଲେ। ତେବେ, ତାଙ୍କ ଘରର ଦ୍ବାର ସର୍ବଦା ଯୁବ ଓକିଲମାନଙ୍କ ଲାଗି ଖୋଲା ଥିଲା। ତାଙ୍କ ଠାରୁ ଅନେକ କିଛି ଶିଖିବାକୁ ଚାହୁଁଥିଲେ ଯୁବ ଓକିଲମାନେ, ଅନେକ ତାଙ୍କୁ ଅନୁକରଣ ମଧ୍ୟ କରୁଥିଲେ। ଅଦାଲତରେ କେବଳ ତାଙ୍କର ଉପସ୍ଥିତି ଉଭୟ ପ୍ରତିପକ୍ଷ ଓକିଲ ଏବ˚ ବିଚାରପତିଙ୍କୁ ଗଳଦ୍‌ଘର୍ମ କରି ଦେଉଥିଲା। ଯୁବ ଓକିଲମାନେ ତାଙ୍କ ଠାରୁ ସେହି ଗୂଢ଼ ଗୁଣଟିକୁ ଆହରଣ କରିବାକୁ ଚାହୁଁଥିଲେ। କିନ୍ତୁ ଶେଷରେ ସମସ୍ତେ ଏହା ସ୍ବୀକାର କରିବାକୁ ବାଧୢ ହେଉଥିଲେ ଯେ ଏହା କେବଳ ରାମ ଜେଠମାଲାନୀଙ୍କ ବୈଶିଷ୍ଟ୍ୟ, ତାକୁ ଅନୁକରଣ କରି ହାସଲ କରିବା ଅସମ୍ଭବ। ଗଲା ରବିବାର ଜେଠମଲାନୀଙ୍କ ସେହି ବୈଶିଷ୍ଟ୍ୟ ସବୁ ଦିନ ଲାଗି ଅପସରି ଗଲା।

ରାମ ଜେଠମଲାନୀ ଥିଲେ ଅନେକ ବିରୋଧାଭାସର ସମାହାର। ତାଙ୍କୁ ନେଇ କୌଣସି ଧାରଣା ବା ପୂର୍ବାଗ୍ରହ ରଖିବା ନିର୍ବୋଧତା ବୋଲି ବାରମ୍ବାର ପ୍ରମାଣିତ ହେଉଥିଲା। ନିଜ ଆଚରଣ ଦ୍ବାରା ସେ ଏହା ବାରମ୍ବାର ପ୍ରମାଣ କରୁଥିଲେ। ଅନେକ ଅପରାଧୀଙ୍କ ଲାଗି କେସ୍‌ ଲଢ଼ି ସେମାନଙ୍କୁ ମୃତ୍ୟୁ ଦଣ୍ତରୁ ଖଲାସ କରିଥିଲେ, ଏଣେ ପ୍ରାଣଦଣ୍ତ ବ୍ୟିବସ୍ଥାର ସେ ଥିଲେ ଜଣେ ଅକୁଣ୍ଠ ସମର୍ଥକ। ୧୯୫୯ ମସିହାରେ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିବା କେ.କେ. ନାନାବତି ମାମଲାରେ ସେ ବମ୍ବେ ହାଇକୋର୍ଟରେ ନୌ-ସେନା ଅଧିକାରୀ ନାନାବତିଙ୍କ ପକ୍ଷରୁ କେସ୍‌ ଲଢ଼ି ଲୋକଲୋଚନକୁ ଆସିଥିଲେ। ସେହି ମାମଲାରେ ନାନାବତିଙ୍କୁ ବମ୍ବେ ହାଇକୋର୍ଟ ମୁକ୍ତ କରି ଦେଇଥିଲା। ତା’ ପରେ ତାଙ୍କ ପ୍ରସିଦ୍ଧି ଓ କୁୁଖ୍ୟାତି ଏକାସାଙ୍ଗରେ ବଢ଼ିବାକୁ ଲାଗିଥିଲା। କାରଣ, ବମ୍ବେର କୁଖ୍ୟାତ ସ୍ମଗଲରମାନଙ୍କ ସବୁଠାରୁ ପସନ୍ଦଯୋଗ୍ୟ ଓକିଲ ଭାବେ ସେ ଜଣାଶୁଣା ହୋଇ ଯାଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀମାନଙ୍କ ପକ୍ଷରୁ ମଧୢ ସେ ମାମଲା ଲଢ଼ିଥିଲେ। ଗୋଟିଏ ପଟେ ସେ ଥିଲେ କଳାଧନ ଠୁଳକାରୀଙ୍କ ପ୍ରତି ଅତ୍ୟନ୍ତ ନିର୍ମମ, ଏଣେ କିନ୍ତୁ ଗୋଖାଦ୍ୟ ମାମଲାରେ ଲାଲୁ ଯାଦବଙ୍କର ସେ ଥିଲେ ଓକିଲ। ସାମାଜିକ କର୍ମୀ, ଆନ୍ଦୋଳନକାରୀଙ୍କ ଠାରୁ ଆରମ୍ଭ କରି ଡକାୟତ, ବିଚାରାଧୀନ ବନ୍ଦୀ, ହତ୍ୟା ଅଭିଯୁକ୍ତ, ରାଜନେତା, ବ୍ୟବସାୟୀ, କର୍ପୋରେଟ୍‌ ସ˚ସ୍ଥାଙ୍କ ପର୍ଯ୍ୟନ୍ତରେ ସେ ସମସ୍ତଙ୍କ ଲାଗି ଅଦାଲତରେ ଛିଡ଼ା ହେଉଥିଲେ। ଅନେକ ସମୟରେ ସେ ଏଭଳି ଲୋକଙ୍କ ଲାଗି ଅଦାଲତରେ ଅବତୀର୍ଣ୍ଣ ହେଉଥିଲେ ଯେ ସାରା ଦେଶର ଭ୍ରୂକୁ˚ଚନ ସୃଷ୍ଟି ହେଉଥିଲା। ଏହି କାରଣରୁ ସେ ଖୁବ୍‌ ସମାଲୋଚିତ ମଧୢ ହେଉଥିଲେ। ଗୋଟିଏ ସମୟରେ ତ ତାଙ୍କୁ ‘ଡେଭିଲ୍‌ସ ଆଡଭୋକେଟ୍‌’ ବା ‘ସୈତାନର ଓକିଲ’ ବୋଲି କୁହାଯିବାରେ ଲାଗିଥିଲା। ତେବେ, ନିଜ ପେସା ଲାଗି ଅଙ୍ଗୀକାରବଦ୍ଧତା ଥିଲା ତାଙ୍କ ସକାଶେ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ, ଯାହା ବୋଧହୁଏ ତାଙ୍କୁ ଅନେକ ସମୟରେ ଏଭଳି ଅପଖ୍ୟାତ ମହକିଲମାନଙ୍କ ଲାଗି ଲଢ଼ିବାକୁ ପ୍ରେରିତ କରୁଥିଲା। ଦ୍ବିତୀୟ କଥା ହେଲା, ସେ ଆହ୍ବାନ ବା ଚ୍ୟାଲେ˚ଜ୍‌ ପସନ୍ଦ କରୁଥିଲେ। ଯେଉଁ ଅପରାଧୀମାନଙ୍କ ମାମଲାରେ ଅଦାଲତ ଦଣ୍ତ ଦେବା କେବଳ ମାତ୍ର ଔପଚାରିକତା ହେଉଥାଆନ୍ତା, ସେଭଳି ଅଭିଯୁକ୍ତମାନଙ୍କୁ ସେ ମୁକୁଳାଇ ଆଣୁଥିଲେ।

ରାମ ଜେଠମଲାନୀ ଥିଲେ ବିଭାଜନ ସମୟର ଜଣେ ଶରଣାର୍ଥୀ। ଆଦ୍ୟ ତାରୁଣ୍ୟରେ ସେ ସିନ୍ଧ ପ୍ରଦେଶରୁ ପରିବାର ସହିତ ଭାରତ ଚାଲି ଆସିଥିଲେ। ତାଙ୍କର ମେଧା, ବୁଦ୍ଧିମତ୍ତା, ଅଭିବ୍ୟକ୍ତିର ଦକ୍ଷତା, ତର୍କଶୀଳତା ସର୍ବୋପରି ଏକ ଦମଦାର ବ୍ୟକ୍ତିତ୍ବ ତାଙ୍କୁ ଦେଶର ସର୍ବଶ୍ରେଷ୍ଠ ଫୌଜଦାରୀ ଓକିଲମାନଙ୍କ ଭିତରୁ ଅନ୍ୟତମ ଏବ˚ ସବୁଠାରୁ ଅଧିକ ଚର୍ଚ୍ଚିତ ଓକିଲରେ ପରିଣତ କରିଥିଲା।

ସେ ଛଅ ଥର ରାଜ୍ୟ ସଭାର ସଦସ୍ୟ ହୋଇଥିଲେ। ୧୯୯୮ ଏବ˚ ୯୯ରେ ସେ ଅଟଳ ବିାହାରୀ ବାଜପେୟୀଙ୍କ ନେତୃତ୍ବରେ ଗଠିତ ମନ୍ତ୍ରିମଣ୍ତଳରେ ମନ୍ତ୍ରୀପଦ ପାଇଥିଲେ। ତେବେ ବିଜେପି ସହିତ ତାଙ୍କର ଥିଲା ଏକ ବତାସୀ ସ˚ପର୍କ। ୨୦୦୪ରେ ଲକ୍ଷ୍ନୌରୁ ସେ ସ୍ବୟ˚ ଅଟଳ ବିହାରୀ ବାଜପେୟୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ବିଜେପିରୁ ସେ ଉଭୟ ଲୋକସଭା ଓ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୩ରେ ଶୃଙ୍ଖଳାଗତ କାରଣରୁ ତାଙ୍କୁ ବିଜେପିରୁ ବହିଷ୍କାର କରାଯାଇଥିଲା। ୨୦୧୬ ମସିହାରେ ଆରଜେଡି ଟିକେଟରେ ରାଜ୍ୟ ସଭାକୁ ଯାଇଥିଲେ। ତେବେ ସେ ଯେ କୌଣସି ଦଳରେ ଥାଆନ୍ତୁ ନା କାହିଁକି ଯେ କୌଣସି ରାଜନେତାଙ୍କ ସ୍ଖଳନ ତାଙ୍କ ଦୃଷ୍ଟିରେ ପଡ଼ିଲେ ବାଚନିକ ଆକ୍ରମଣ କରିବାରେ ପଛଘୁଞ୍ଚା ଦେଉ ନ ଥିଲେ। ସେ ଅଜାଗା ଘା’ ଦେଖାଇ ଦେଉଥିଲେ, ଉଲଗ୍ନ ରାଜାଙ୍କୁ ତାଙ୍କ ଦେହରେ ଲୁଗା ନାହିଁ ବୋଲି ଅନାୟାସରେ କହି ପାରୁଥିଲେ। ଅନେକ ରାଜନେତା ସେଥିଲାଗି ତାଙ୍କୁ ଘୃଣା କରିବାକୁ ଭଲ ପାଉଥିଲେ। କିନ୍ତୁ ତାଙ୍କୁ ନଜରଅନ୍ଦାଜ କରିବା କାହା ଲାଗି ସମ୍ଭବ ନ ଥିଲା।

ରାମ ଜେଠମଲାନୀ ତାଙ୍କ ପେସା ବିଷୟରେ କହିଲା ବେଳେ ଥରେ କହିଥିଲେ ଯେ ‘ଏ ପେସା ଗୋଲାପ ଶଯ୍ୟା ନୁହେଁ।’ ତେବେ ତା’ ପର ଧାଡ଼ି ଦୁଇଟି ଥିଲା ଏହିପରି: ‘କେବେକେବେ ଗୋଲାପ ପାଖୁଡ଼ା ଥିଲେ ବି ଶେଯ ନ ଥାଏ, କେବେକେବେ ଶେଯ ଥିଲେ ବି ଗୋଲାପ ପାଖୁଡ଼ା ନ ଥାଏ।’ ‘ଜୀବନ ଗୋଲାପ ଶଯ୍ୟା ନୁହେଁ’ ବୋଲି ବହୁ ପ୍ରଚଳିତ ଆପ୍ତବାକ୍ୟଟିଏ ଅଛି। ତେବେ ତା’ର ପରବର୍ତ୍ତୀ ଧାଡ଼ିଟି ହେଉଛି; ‘ଏହା କଣ୍ଟକରେ ଭରା।’ କିନ୍ତୁ ରାମ ଜେଠମାଲାନୀ ତାଙ୍କ ପେସାରେ ‘କଣ୍ଟକତ୍ବ’କୁ ସ୍ବୀକାର କରୁଥିଲେ ବୋଧହୁଏ। ନିଜ ପେସା ପ୍ରତି ତାଙ୍କର ଏଭଳି ଭଲ ପାଇବା ତାଙ୍କୁ ଜଣେ ବିରଳ ଓକିଲରେ ପରିଣତ କରିଥିଲା।

ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ଛୟାନବେ ବର୍ଷ। ଶେଷରେ ‘ଈଶ୍ବରଙ୍କ ପ୍ରତୀକ୍ଷାଳୟ’କୁ ରିକ୍ତ କରି ବୃଦ୍ଧ ବୋଧହୁଏ ଈଶ୍ବରଙ୍କ ଘରକୁ ବାହୁଡ଼ିଗଲେ।

ସମ୍ବନ୍ଧିତ ଖବର