ଓଢ଼ଣା ମୁକ୍ତି

ମନେ ହେଉଛି ଅର୍ଥନୈତିକ ଇତିହାସର ଚକ ପୂରା ଘେରାଏ ବୁଲିଯାଇଛି। ୨୦୧୬ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତି ଆଦରର କଳାଧନ-ବିଧ୍ବ˚ସୀ ବିମୁଦ୍ରୀକରଣ ବାଣ ଯେତେବେଳେ ବାଟବଣା ହେବା ଦେଖାଗଲା, ସେତେବେଳେ ତାଙ୍କ ସରକାର କାଳ ବିଳମ୍ବ ନ କରି ଏହାର ଲକ୍ଷ୍ୟ ସ୍ଥଳରେ ପରିବର୍ତ୍ତନ ଘୋଷଣା କରି ଦେଇଥିଲେ। କଳାଧନ ଧ୍ବ˚ସ ନୁହେଁ, ବିମୁଦ୍ରୀକରଣର ଅସଲ ଲକ୍ଷ୍ୟ ଥିଲା ଦେଶରେ ନଗଦ ମୁଦ୍ରା କାରବାରରେ ଅନ୍ତ ଘଟାଇ ମୁଦ୍ରାର ନୂତନତମ ଅବତାର ଡିଜିଟାଲ କାରବାର ବା ‘ଇ- କାରବାର’ର ପ୍ରସାର ଘଟାଇବା।
ଦୁଇ ପକ୍ଷ ମଧୢରେ ଜିନିଷପତ୍ର ବା ସେବାର ବିନିମୟ ଇ-କାରବାର ମାଧୢମରେ ସାଧିତ ହେବା ଯଦି ମୁଦ୍ରାର ସର୍ବାଧୁନିକ ରୂପ ହୋଇଥାଏ, ତାହାର ସର୍ବପୁରାତନ ରୂପ ହେବ ‘ଅଦଳ-ବଦଳ’ ନାମରେ ପରିଚିତ ଏକ ସିଧାସଳଖ ବିନିମୟ ବ୍ୟବସ୍ଥା, ଯେଉଁଥିରେ ମୁଦ୍ରା ଆଦୌ ବ୍ୟବହୃତ ହୋଇନଥାଏ। ସନ୍ଦେହୀମାନେ ଏପରି ଏକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାଳ୍ପନିକ ବୋଲି କହୁଥିଲେ ହେଁ ଆଧୁନିକ ଅର୍ଥଶାସ୍ତ୍ରର ଜନକ ଆଡାମ୍‌ ସ୍ମିଥ୍‌ଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟର ନୋବେଲ୍‌ ବିଜୟୀ ଜୋସେଫ୍‌ ଷ୍ଟିଗ୍‌ଲିଜ୍‌ଙ୍କ ପର୍ଯ୍ୟନ୍ତ ଏହାକୁ ସତ ମଣିବାକୁ ସାମାନ୍ୟତମ ଦ୍ବିଧା ଅନୁଭବ କରିନାହାନ୍ତି। ଆମେମାନେ ଊଣା ଅଧିକେ ଜାଣିଥିବା ଏପରି ଏକ କାରବାରରେ ଚାଷୀ ଜମି ହଳ କରିବା ପାଇଁ ଆବଶ୍ୟକ ଲଙ୍ଗଳ ବଢେ଼ଇ ଓ କମାରଙ୍କ ଠାରୁ ଆଣୁଥିଲେ ଓ ପ୍ରତିବଦଳରେ ସେମାନଙ୍କୁ ନିଜର ଉତ୍ପନ୍ନ ଶସ୍ୟର କିଛି ଅ˚ଶ ଦେଉଥିଲେ। ସ୍ମିଥ୍‌ ଠାଏ ବର୍ଣ୍ଣନା କରିଥିବା ଭଳି, ଏକ ଶିକାରୀ- ମେଷପାଳକ ଗୋଷ୍ଠୀର ଯେଉଁ କେତେକ ସଦସ୍ୟ ଧନୁ ଓ ତୀର ତିଆରି କରିବାରେ ସିଦ୍ଧ ହସ୍ତ ହୋଇ ଯାଉଥିଲେ ସେମାନେ ଆଉ ଶିକାର କିମ୍ବା ମେଷପାଳନ ନ କରି ନିଜର ଧନୁ-ତୀର ବଦଳରେ ଶିକାରୀମାନଙ୍କ ଠାରୁ ମା˚ସ ଓ ମେଷପାଳକମାନଙ୍କ ଠାରୁ ମେଣ୍ଢା ପାଉଥିଲେ ଏବ˚ ଏଭଳି କାରବାର ଉଭୟ ପକ୍ଷ ପାଇଁ ଲାଭଜନକ ଥିଲା। ଏହାହିଁ ଥିଲା ସେ ସମୟର ବାସ୍ତବ ଅର୍ଥନୀତିର ଚିତ୍ର, ଯାହା ମୁଦ୍ରାର ଓଢ଼ଣା ଦ୍ବାରା ଢ଼ାଙ୍କି ହୋଇ ନ ଥିଲା।
ଏଭଳି ଏକ ଅର୍ଥନୀତିରେ ଯେତେବେଳେ ଦୁଇଟି ମୂଲ୍ୟବାନ ବସ୍ତୁ ମଧୢରେ ବିନିମୟ ଘଟେ, ତାହା ପଛରେ ଥିବା ଏକ ମାତ୍ର କାରଣ ହେଉଛି ସେ ବସ୍ତୁ ଦୁଇଟିର ମାଲିକମାନେ ବିଶ୍ବାସ କରନ୍ତି ଯେ ଏହି ବିନିମୟ ଦ୍ବାରା ସେମାନେ ଉଭୟ ଲାଭବାନ୍‌ ହେବେ। ପରବର୍ତ୍ତୀ ସମୟରେ ଯେତେବେଳେ ମୁଦ୍ରାର ଆବିର୍ଭାବ ଘଟିଲା, ତାହା କେବଳ ଏହି ବିନିମୟକୁ ସୁଗମ କରିଲା; ଏହା ବ୍ୟତୀତ ମୁଦ୍ରାର ଅନ୍ୟ କୌଣସି ବିଶେଷ ଗୁଣ ନାହିଁ। ତଥାପି ବି˚ଶ ଶତାବ୍ଦୀର ମହାନ୍‌ ଅର୍ଥନୀତିଜ୍ଞ ପଲ୍‌ ସାମୁଏଲ୍‌ସନ୍‌ଙ୍କ ଭଳି ବିଚକ୍ଷଣ ଚିନ୍ତାନାୟକମାନେ ଏହି ମଧୢସ୍ଥିକୁ ସନ୍ଦେହ ଚକ୍ଷୁରେ ଦେଖିବା ପରିଲକ୍ଷିତ ହୋଇଛି। ମୁଦ୍ରାକୁ ଏକ କୃତ୍ରିମ ସାମାଜିକ ଉଦ୍ଭାବନ ମାତ୍ର ରୂପେ ହେୟଜ୍ଞାନ ପ୍ରକାଶ କରି ସାମୁଏଲ୍‌ସନ୍‌ ସେଥିପ୍ରତି ଯେଉଁ ମନ୍ତବ୍ୟ ପ୍ରଦାନ କରିଥିଲେ ତାହା ଏଠାରେ ସ˚କ୍ଷିପ୍ତରେ ଉଦ୍ଧାର କରାଯାଇପାରେ: ‘‘ଏପରିକି ସର୍ବାଧିକ ଶିଳ୍ପୋନ୍ନତ ଅର୍ଥନୀତିମାନଙ୍କରେ ମଧୢ, ଆମେ ଯଦି ବିନିମୟକୁ ଚାଞ୍ଛି ଚାଞ୍ଛି ତା’ର ମଞ୍ଜରେ ପହଞ୍ଚି ଯାଉ ଏବ˚ ତା’ଉପରୁ ମୁଦ୍ରାର ଅସ୍ବଚ୍ଛ ଆସ୍ତରଣ ହଟାଇ ଦେଉ, ଆମେ ଆବିଷ୍କାର କରିବା ଯେ ବ୍ୟକ୍ତି ବ୍ୟକ୍ତି ମଧୢରେ ଏବ˚ ଦେଶ ଦେଶ ମଧୢରେ ବାଣିଜ୍ୟ ହେଉଛି ବସ୍ତୁତଃ ଏକ ଅଦଳ-ବଦଳ କାରବାର ମାତ୍ର’’।
ଭାରତର ଆନ୍ତର୍ଜାତିକ ବାଣିଜ୍ୟ ସମ୍ବନ୍ଧରେ ପ୍ରକାଶିତ ଏକ ସମ୍ବାଦ ଦେଖିଲେ ମନେ ହୁଏ ଅନ୍ତତଃ ଏହି ବାଣିଜ୍ୟର ଗୋଟିଏ ଅ˚ଶ ପାଇଁ ଭାରତ ସରକାର ଯେଉଁ ଦେଣନେଣ ବ୍ୟବସ୍ଥା ଅବଲମ୍ବନ କରିବାକୁ ଯାଉଛନ୍ତି, ତାହା ସରକାରଙ୍କ ବହୁ ପ୍ରଚାରିତ ଡିଜିଟାଲ୍‌ ବା ଇ-କାରବାର ନୁହେଁ, ସାମୁଏଲ୍‌ସନ୍‌ ସୂଚାଇଥିବା ଏହି ଅତି-ପ୍ରାଚୀନ ଅଦଳ-ବଦଳ ପରମ୍ପରା ଉପରେ ପ୍ରତିଷ୍ଠିତ। ଉପରେ ବର୍ଣ୍ଣିତ ଶିକାର ଓ ପଶୁପାଳନ ଭିତ୍ତିକ ସମାଜର ଉଦାହରଣରେ ଅନେକ ପାଠକ ପାଠିକାଙ୍କ ମାନସ ଚକ୍ଷୁରେ ଯଦି ଆଫ୍ରିକାର କୌଣସି ଦେଶର ଚିତ୍ର ଦିଶି ଯାଇଥିବ, ସେଥିରେ କୌଣସି ଅସ୍ବାଭାବିକତା ନାହିଁ। କାରଣ ଏହି ମହାଦେଶକୁ ଏବେ ବି ଅତୀତରେ ଅଟକି ଯାଇଥିବା ପୃଥିବୀର ସର୍ବାଧିକ ପଛୁଆ ଅଞ୍ଚଳ ରୂପେ ବିଚାର କରାଯାଉଥାଏ। ବାଣିଜ୍ୟିକ ବିନିମୟ ଯଦି କେଉଁଠି ସାମୁଏଲ୍‌ସନୀୟ ଅଦଳ-ବଦଳ ଉପରେ ଏବେ ବି ନିର୍ଭର କରୁଛି ବୋଲି କୁହାଯାଏ, ତାହା ଆଫ୍ରିକାର କୌଣସି ଅଞ୍ଚଳ ହୋଇଥିବାର ସମ୍ଭାବନା ସର୍ବାଧିକ କହିଲେ କେହି ଆଶ୍ଚର୍ଯ୍ୟ ହେବେ ନାହିଁ।
ଏଣୁ ପ୍ରକାଶିତ ସମ୍ବାଦ କାହାରିକୁ ଆଶ୍ଚର୍ଯ୍ୟ କରିନଥିବ ଯେ ତିନିଗୋଟି ଆଫ୍ରିକୀୟ ଦେଶ- ରୁଆଣ୍ତା, ଘାନା ଏବ˚ ଜାମ୍ବିଆ- ଭାରତ ସହିତ ଅଦଳ-ବଦଳ ବାଣିଜ୍ୟ କାରବାର କରିବା ପାଇଁ ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି। ପ୍ରସ୍ତାବ ଅନୁସାରେ ଭାରତ ସେ ଦେଶମାନଙ୍କରେ ରେଳ ରାସ୍ତା, ସଡ଼କ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଆଦି ଭଳି ଭିତ୍ତିଭୂମି ନିର୍ମାଣ କରିବ, ଯାହା ସେମାନଙ୍କ ଦୃଷ୍ଟିରେ ହେଉଛି ‘ପ୍ରକଳ୍ପ ଆମଦାନି’। ସାଧାରଣ ଭାବେ ଏଥିପାଇଁ ସେମାନେ ଡଲାର ଭଳି ସର୍ବଗୃହୀତ ବୈଦେଶିକ ମୁଦ୍ରା ଆକାରରେ ଭାରତକୁ ଏ ଆମଦାନିର ମୂଲ୍ୟ ପ୍ରଦାନ କରନ୍ତେ। କିନ୍ତୁ ସେମାନଙ୍କ ନିକଟରେ ଯଥେଷ୍ଟ ବୈଦେଶିକ ମୁଦ୍ରା ନାହିଁ। ସେମାନଙ୍କ ନିକଟରେ କିନ୍ତୁ ଅଛି ବିଭିନ୍ନ ମୂଲ୍ୟବାନ୍‌ ତଥା ଉପଯୋଗୀ ଖଣିଜ ପଦାର୍ଥ- ସୁନା, ତମ୍ବା, ହୀରା, ବକ୍‌ସାଇଟ୍‌, ମାଙ୍ଗାନିଜ୍‌, କୋବାଲ୍‌ଟ, ପ୍ଲାଟିନମ୍‌ ଇତ୍ୟାଦି। ଭାରତରୁ ପ୍ରକଳ୍ପ ଆମଦାନି ବଦଳରେ ସେମାନେ ଭାରତକୁ ଏହି ଖଣିଜ ପଦାର୍ଥ ପ୍ରଦାନ କରିବା ନିମିତ୍ତ ପ୍ରସ୍ତାବ ଦେଇଛନ୍ତି। ‘ଇରକନ୍‌’ ଭଳି ଭାରତୀୟ ରେଳବାଇ ଅଧୀନରେ ଥିବା ପ୍ରକଳ୍ପ ନିର୍ମାଣକାରୀ ସ˚ସ୍ଥା ଆଫ୍ରିକାର ଏ ଦେଶମାନଙ୍କରେ ଭିତ୍ତିଭୂମି ନିର୍ମାଣ କରିବେ ଏବ˚ ସରକାରଙ୍କର ବହିର୍ବାଣିଜ୍ୟ ସ˚ସ୍ଥା ଷ୍ଟେଟ୍‌ ଟ୍ରେଡ଼ିଙ୍ଗ୍‌ କର୍ପୋରେସନ ଏ ବାବଦରେ ସେ ଦେଶମାନଙ୍କରୁ ଖଣିଜ ପଦାର୍ଥ ସ˚ଗ୍ରହ କରି ଭାରତକୁ ଆଣିବ।
ମୁଦ୍ରାର ଓଢ଼ଣା ହଟିଯିବା ପରେ ଏ ଯେଉଁ ସିଧା ସଳଖ ଅଦଳ-ବଦଳ ଘଟିବ ତାହା ବୈଦେଶିକ ମୁଦ୍ରା ଅଭାବଜନିତ ପ୍ରତିବନ୍ଧ ମୁକ୍ତ ହେବ, ମୁଦ୍ରା ବିନିମୟ ହାରରେ ଅସ୍ଥିରତାଜନିତ ବିକୃତି ମୁକ୍ତ ହେବ ଏବ˚ ଉଭୟ ପକ୍ଷର ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ପୂରଣକୁ ତ୍ବରାନ୍ବିତ କରିବ। ବାଣିଜ୍ୟ ଓ ବିକାଶକୁ ଅତିକ୍ରମ କରି ଏ ପ୍ରାଚୀନ ବିନିମୟ ବ୍ୟବସ୍ଥା ଅନ୍ୟ ଯେଉଁ ଏକ କ୍ଷେତ୍ରରେ ଭାରତକୁ ବେଶ ସାହାଯ୍ୟ କରିବ, ତାହା ହେଉଛି କୂଟନୈତିକ। ଆଫ୍ରିକାରେ ସାହାଯ୍ୟ ଦାନ ଓ ବାଣିଜ୍ୟ ମାଧୢମରେ ଚୀନ୍‌ର ବ୍ୟାପକ ଅନୁପ୍ରବେଶ ଆନ୍ତର୍ଜାତିକ ସମୁଦାୟ ପାଇଁ ଏକ ଚିନ୍ତାର କାରଣ ହୋଇ ଉଭା ହୋଇଛି। ମୁଦ୍ରା ଓଢ଼ଣା ହଟିଯିବା ପରେ ଭାରତ ଚୀନା ପ୍ରଭାବକୁ ପ୍ରତିହତ କରିବା ପାଇଁ ଆଫ୍ରିକାରେ ଅବିଳମ୍ବେ ପ୍ରବେଶ କରିବାର ପଥ ସୁଗମ ହେବ।

ସମ୍ବନ୍ଧିତ ଖବର

Comments are closed.