ସୀମାପାର ‘ମାର’

ଅଫିମରୁ ପ୍ରସ୍ତୁତ ହୋଇଥାଏ ଯନ୍ତ୍ରଣାନାଶକ ଔଷଧ ମର୍ଫିନ୍‌। କେବଳ ଅସହ୍ୟ ଯନ୍ତ୍ରଣାର ଉପଶମ ପାଇଁ ନିହାତି ଆବଶ୍ୟକ ହେଲେ ଯାଇ ଡାକ୍ତର ରୋଗୀ ପାଇଁ ମର୍ଫିନ୍‌ ଦ୍ବାରା ଚିକିତ୍ସା ଅନୁମୋଦନ କରିଥାନ୍ତି। ମର୍ଫିନ୍‌କୁ ଆହୁରି ଶୋଧନ କରି ସେଥିରୁ ପ୍ରସ୍ତୁତ କରାଯାଏ ହେରୋଇନ୍‌। ହେରୋଇନ୍‌ ହେଉଛି ସର୍ବାଧିକ ଶକ୍ତିଶାଳୀ ଡ୍ରଗ୍‌ ଯାହା ସେବନକାରୀକୁ ଅବିଳମ୍ବେ ତାହାର ଦାସରେ ପରିଣତ କରିଦିଏ। ଏହା ଅତ୍ୟନ୍ତ ଦୁର୍ମୂଲ୍ୟ ହୋଇଥିବାରୁ ଅଭ୍ୟାସଗତ ସେବନକାରୀକୁ ଖୁବ୍‌ ଶୀଘ୍ର କାଙ୍ଗାଳ କରିଦିଏ। ହେରୋଇନ୍‌ କିନ୍ତୁ ସେବନକାରୀର ସମଗ୍ର ସ୍ନାୟୁମଣ୍ତଳକୁ ଏପରି ସମ୍ପୂର୍ଣ୍ଣ ରୂପେ ଦଖଲ କରିଥାଏ ଯେ ନିଶାଖୋର‌୍‌ ଜଣକ ତା’ର ପରବର୍ତ୍ତୀ ପାନଟିକୁ କୌଣସି ଉପାୟରେ ପାଇବା ପାଇଁ ଯେ କୌଣସି ଅନୈତିକ ଆଚରଣ ବା ଅପରାଧ କରିବାକୁ ପଛାଏ ନାହିଁ। ଯେ କୌଣସି ସମାଜରେ ଏପରି ଡ୍ରଗ୍‌ ସେବନକାରୀଙ୍କର ଉପସ୍ଥିତି ସମାଜ ପ୍ରତି ଘୋର ବିପଦ ସୃଷ୍ଟି କରିଥାଏ। ଖୋଦ୍‌ ଡ୍ରଗ୍‌ ଗ୍ରସ୍ତ ବ୍ୟକ୍ତି ଶେଷରେ ନିଜର ଧ୍ବ˚ସ ସାଧନ କରିଥାଏ।

ବୁଦ୍ଧଦେବଙ୍କର ଉପଦେଶ: ‘‘ତୃଷାର ମୂଳୋତ୍ପାଟନ କର’’ ଯାହା ଫଳରେ ‘‘ପ୍ରଲୋଭନ ସୃଷ୍ଟିକାରୀ ‘ମାର’ ତୁମକୁ ବାରମ୍ବାର ପେଷି ଦେଇପାରିବ ନାହିଁ।’’ ବୋଧହୁଏ ଡ୍ରଗ୍‌ ହାବୁଡ଼ରେ ପଡ଼ିଥିବା ନିଶା ଖୋର‌୍‌ମାନଙ୍କ ପ୍ରତି ଯେଉଁ ଭଳି ପ୍ରଯୁଜ୍ୟ, ଆଉ କାହା ପ୍ରତି ସେପରି ହୋଇନପାରେ। କିନ୍ତୁ ପ୍ରଲୋଭନ ସୃଷ୍ଟିକାରୀ ‘ମାର’ ଯଦି ସୀମା ସେ ପଟେ ରହି ବିଭିନ୍ନ କୌଶଳ ଅବଲମ୍ବନ କରି ନିଶାଖୋରମାନଙ୍କ ପାଖରେ ସେ ଡ୍ରଗ୍‌ ପହଞ୍ଚାଇ ଦେଉଥାଏ, ତେବେ ନିଶାଭ୍ୟସ୍ତମାନେ ‘ମାର’ ବିରୁଦ୍ଧରେ ଯୁଦ୍ଧରେ ବିଜୟ ଲାଭ କରିବାର ସମ୍ଭାବନା କ୍ଷୀଣ ହୋଇଥାଏ।

ପାକିସ୍ତାନ ବର୍ତ୍ତମାନ ଭାରତ ସହିତ ମୁକାବିଲା କରିବାର ଅନ୍ୟ ସମସ୍ତ ଉଦ୍ୟମରେ ବିଫଳ ହୋଇ ଏହି ‘ମାର’ର ଭୂମିକା ଗ୍ରହଣ କରି ପଞ୍ଜାବ, ହରିଆନା, ହିମାଚଳ ପ୍ରଦେଶ ଆଦି ରାଜ୍ୟମାନଙ୍କର ସହରାଞ୍ଚଳରେ ଏକ ହେରୋଇନ୍‌ ବନ୍ୟା ସୃଷ୍ଟି କରିବା ଚେଷ୍ଟାରେ ଲାଗି ପଡ଼ିଛି। ପାକିସ୍ତାନର ପାଳିତ ଇସଲାମୀୟ ଆତଙ୍କବାଦୀ ସ˚ଗଠନ ତାଲିବାନ୍‌ କବଳରେ ଥିବା ପଶ୍ଚିମ ପଡେ଼ାଶୀ ଆଫ୍‌ଗାନିସ୍ତାନ ହେଉଛି ପୃଥିବୀର ପ୍ରଧାନ ଅଫିମ ଚାଷ ଅଞ୍ଚଳ। ଅଫିମ ଓ ହେରୋଇନ୍‌ ହେଉଛି ଆତଙ୍କବାଦୀ ମାନଙ୍କର ଡଲାର‌୍‌ ଭଳି। ପାକିସ୍ତାନ ପାଇଁ ତେଣୁ ହେରୋଇନ୍‌ ସ˚ଗ୍ରହ କରିବା ସହଜ। ଆଉ ସେ ଭୟଙ୍କର ପଦାର୍ଥକୁ ଭାରତ ଭିତରକୁ ପଠାଇବା ପାଇଁ ସେମାନେ ଯେଉଁ ସବୁ କୌଶଳ ଉଦ୍ଭାବନ କରିଛନ୍ତି ତାହା କୌଣସି ଜେମ୍‌ସ ବଣ୍ତ ସିନେମାର ଭିଲେନ୍‌ ମୁଣ୍ତରେ ମଧୢ ଢ଼ୁକି ନ ଥିବ।

ସେମାନେ ସୀମାରେ ଥିବା ବାଡ଼ ସେପଟେ ରହି ବିଭିନ୍ନ ଉପାୟରେ ଏପଟକୁ ଡ୍ରଗ୍‌ ପୁଡ଼ିଆମାନ ଫିଙ୍ଗୁଛନ୍ତି; ମାଟିତଳେ ସୁଡ଼ଙ୍ଗ ଖୋଲି ଏପଟକୁ ଡ୍ରଗ୍‌ ଚାଲାଣ କରୁଛନ୍ତି, ପ୍ଲାଷ୍ଟିକ ଟିଉବ ଭିତର ଦେଇ ସେ ପଦାର୍ଥକୁ ସୀମା ଏପଟକୁ ଠେଲି ଦେଉଛନ୍ତି ଏବ˚ ଡ୍ରୋନ୍‌ ବ୍ୟବହାର କରି ଭାରତ ସୀମା ଭିତରେ ବେଶ ଦୂରକୁ ହେରୋଇନ୍‌ ପଠାଇ ଦେଇ ପାରୁଛନ୍ତି। ଗତ ଦୁଇ ସପ୍ତାହ ମଧୢରେ କିନ୍ତୁ ବିଏସ୍‌ଏଫ୍‌ ଜଵାନମାନଙ୍କ ହାତରେ ପଡ଼ିଥିବା ତିନିଛେକ ମାଲ୍‌ ମଧୢରୁ ତୃତୀୟ ଛେକଟିକୁ ପାକିସ୍ତାନୀ ଏଜେଣ୍ଟମାନେ ଯେଉଁ ଉପାୟ ଅବଲମ୍ବନ କରି ଏପଟକୁ ପଠାଇଥିଲେ, ତାହା ଚତୁରତାରେ ପୂର୍ବର ଅନ୍ୟ ସମସ୍ତ ଉଦ୍ୟମକୁ ଟପି ଯାଇଥିଲା। ପ୍ରାୟ ୫ କେଜି ଓଜନର ହେରୋଇନ୍‌ (ବଜାର ମୂଲ୍ୟ ୨୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ)କୁ ରବର‌୍‌ ଟ୍ୟୁବ୍‌ମାନଙ୍କରେ ପୂରାଇ ବନ୍ୟା ପ୍ଲାବିତ ସତ୍‌ଲେଜ୍‌ ନଦୀରେ ଭାରତ ସୀମା ଭିତରକୁ ଭସାଇ ଦିଆଯାଇଥିଲା। ସୀମାନ୍ତ ରକ୍ଷୀଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ଏହି ଭାସମାନ ଟ୍ୟୁବ୍‌ଗୁଡ଼ିକ ଉପରେ ବିଲାତି ଦଳ ଘୋଡାଇ ବାନ୍ଧି ଦିଆଯାଇଥିଲା, ଯେପରି ଯିଏ ଦେଖିବ ତାହାକୁ ଦଳ ଭେଳା ବୋଲି ଭାବିବ। ଏହି ହେରୋଇନ୍‌ ଭାରତ ଭିତରେ କାର୍ଯ୍ୟ କରୁଥିବା ପାକିସ୍ତାନ ସମର୍ଥକ ତଥା ଗୁପ୍ତଚରମାନଙ୍କ ପାଇଁ ନଗଦ ଅର୍ଥ ସଦୃଶ ଏବ˚ ଏହାର ପ୍ରସାର ଘଟାଇ ସେମାନେ ଅଗଣିତ ଭାରତୀୟ ଯୁବକମାନଙ୍କ ଜୀବନ ଧ୍ବ˚ସ କରିବାରେ ଲାଗିଛନ୍ତି। ଓପିଅଏଡ୍ ଡ୍ରଗ୍‌ ପ୍ରଭାବରେ ଦିନକୁ ପ୍ରାୟ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଉଥିବା ଆମେରିକା ଅନ୍ତତଃ ପାକିସ୍ତାନର ଏ ସଇତାନୀ ଚାଲ ଯେ ଏକ ଭୀଷଣତମ ମାନବାଧିକାର ଉଲ୍ଲ˚ଘନ, ତାହା ହୃଦୟଙ୍ଗମ କରୁଥିବ ବୋଲି ଆଶା କରାଯାଏ।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ଜାତିସ˚ଘର ମାନବାଧିକାର ପରିଷଦର ୪୨ତମ ଅଧିବେଶନରେ କଶ୍ମୀରରେ ଭାରତ ମାନବାଧିକାର ଉଲ୍ଲ˚ଘନ କରୁଛି ବୋଲି ଅଭିଯୋଗ କରି ଅନୁସନ୍ଧାନ ଦାବି କରିବା ପାକିସ୍ତାନ ପକ୍ଷରେ ଯେ ଏକ ହାସ୍ୟାସ୍ପଦ ଓ ଶଠତାପୂର୍ଣ୍ଣ ଆଚରଣ ତାହା କହିବା ବାହୁଲ୍ୟ ମାତ୍ର। କେବଳ ଡ୍ରଗ୍‌ସ ପ୍ରସାର ନୁହେଁ, ପାକିସ୍ତାନୀ ସେନା ଓ ଶାସକମାନଙ୍କର ମହିଳାମାନଙ୍କ ପ୍ରତି ଆଭିମୁଖ୍ୟ କିପରି ଲିଙ୍ଗଗତ ବିଦ୍ବେଷରେ ଭରପୂର ତାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଥିଲା କଶ୍ମୀର ଭିତରେ ଥିବା ଆତଙ୍କବାଦୀମାନଙ୍କ ସହିତ ସୀମା ସେପଟେ ଥିବା ନିୟନ୍ତ୍ରକମାନଙ୍କର ସନ୍ଦେଶ ଆଦାନ ପ୍ରଦାନରୁ। କଶ୍ମୀର ଭିତରେ ଆପ୍‌ଲ ବୋଝେଇ ଟ୍ରକ କିପରି ଚଳାଚଳ କରୁଛି ବୋଲି ପାକିସ୍ତାନୀ ନିୟନ୍ତ୍ରକମାନେ କ୍ରୁଦ୍ଧ ହୋଇ ପ୍ରଶ୍ନ କଲା ପରେ କହିବା ରେକର୍ଡ କରାଯାଇଛି- ‘‘ଯଦି ଆପ୍‌ଲ ଟ୍ରକ ଚଳାଚଳକୁ ଭଣ୍ତୁର କରି ନ ପାରୁଛ, ଆମେ ତୁମ ପାଇଁ ଚୂଡ଼ି ଭର୍ତ୍ତି ଟ୍ରକ୍‌ ପଠାଉଛୁ।’’ ସମାଜରେ ମହିଳାମାନଙ୍କୁ ନୀଚା ଦୃଷ୍ଟିରେ ଦେଖିବାର ଏହି ସୁପରିଚିତ କଥନର ବ୍ୟବହାର ସେ ଦେଶର ଶାସକ ବର୍ଗର ଏ ସମ୍ପର୍କିତ ମନୋଭାବକୁ ସ୍ପଷ୍ଟ କରିଥାଏ।

ଭାରତ ଶକ୍ତିଶାଳୀ ଢ଼ଙ୍ଗରେ ଜାତିସ˚ଘରେ ସ୍ପଷ୍ଟ ରୂପେ ଘୋଷଣା କରିଥିବା ଭଳି କଶ୍ମୀର ହେଉଛି ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାପାର ଏବ˚ ସେଠାରେ ଗଣତାନ୍ତ୍ରିକ ଦେଶ ଭାରତର ସରକାର ଯାହା ସବୁ ପଦକ୍ଷେପ ନେଇଛନ୍ତି, ତାହା ଭାରତୀୟ ସମ୍ବିଧାନରେ ରହିଥିବା ବ୍ୟବସ୍ଥାର ପାଳନ ପୂର୍ବକ ହିଁ ନିଆଯାଇଛି। କଶ୍ମୀରରେ ଭାରତ ସରକାର ଯଦି କିଛି ଶାନ୍ତି ଶୃଙ୍ଖଳା ରକ୍ଷାକାରୀ ପଦକ୍ଷେପ ନେଇଛନ୍ତି, ସେଥିପାଇଁ ଯିଏ ମୁଖ୍ୟ ଦାୟୀ ସେ ହେଉଛି ପାକିସ୍ତାନ। ପାକିସ୍ତାନ ଯଦି କଶ୍ମୀର ଉପତ୍ୟକାରେ ଉଗ୍ରବାଦ ଓ ହି˚ସାକାଣ୍ତକୁ ପ୍ରୋତ୍ସାହନ ଯୋଗାଉ ନଥାନ୍ତା, ତାହେଲେ ଭାରତକୁ ସେଠାରେ ବିଶୃଙ୍ଖଳା ରୋକିବା ପାଇଁ କୌଣସି କଟକଣା ଜାରି କରିବାକୁ ପଡ଼ନ୍ତା ନାହିଁ। ପୃଥିବୀରେ ଇସଲାମୀୟ ଆତଙ୍କବାଦର ପ୍ରଧାନପୃଷ୍ଠପୋଷକ ରୂପେ କୁଖ୍ୟାତ ପାକିସ୍ତାନ ଭାରତକୁ ମାନବାଧିକାର ପାଠ ପଢ଼ାଇବାକୁ ଚେଷ୍ଟା କରିବା ତା’ର ଏକ ଚରମ ଧୃଷ୍ଟତା।

ସମ୍ବନ୍ଧିତ ଖବର