ଦାନୀ କର୍ଣ୍ଣ

ମହାବୀର କର୍ଣ୍ଣ ମଧୢ ଥିଲେ ମହାଦାନୀ। ଏହାର ସୁଯୋଗ ନେଇ ଅର୍ଜୁନଙ୍କ ଜୈବିକ ପିତା ଇନ୍ଦ୍ର କିପରି କପଟ କରି ବ୍ରାହ୍ମଣ ଛଦ୍ମ ବେଶରେ ଆସି କର୍ଣ୍ଣଙ୍କ ଠାରୁ ତାଙ୍କର କବଚ କୁଣ୍ତଳ ଭିକ୍ଷା ମାଗି ନେଇ ଚାଲିଗଲେ, ତାହା ମହାଭାରତ କାହାଣୀ ସହିତ ସାମାନ୍ୟ ପରିଚିତି ଥିବା ସମସ୍ତଙ୍କୁ ଜଣା। ନିଜର ଜୈବିକ ପିତା ସୂର୍ଯ୍ୟଙ୍କ ଠାରୁ କର୍ଣ୍ଣ ପାଇଥିବା ଏହି କବଚ କୁଣ୍ତଳ ତାଙ୍କୁ ଏପରି ସୁରକ୍ଷା ପ୍ରଦାନ କରୁଥିଲେ, ଯାହା ତାଙ୍କୁ ଯେ କୌଣସି ଶତ୍ରୁ ନିକଟରେ ଅପରାଜେୟ କରି ତୋଳିଥିଲା। ଛଳ ବଳରେ କର୍ଣ୍ଣ ଯଦି ତାଙ୍କର କବଚ କୁଣ୍ତଳ ହରାଇ ବସି ନ ଥାନ୍ତେ, ତେବେ ମହାଭାରତ ଯୁଦ୍ଧର ଶେଷ ପରିଣତି ଯେ ଭିନ୍ନ ହୋଇଥାନ୍ତା, ଏଥିରେ କୌଣସି ସନ୍ଦେହ ନାହିଁ।
ଟେଲିକମ୍‌ର ସର୍ବାଧୁନିକ ଟେକ୍ନୋଲୋଜି ୫-ଜିର ପ୍ରବର୍ତ୍ତନକୁ କେନ୍ଦ୍ର କରି ବର୍ତ୍ତମାନ ପୃଥିବୀରେ ଯେଉଁ ବାଣିଜ୍ୟିକ- କୂଟନୈତିକ ଯୁଦ୍ଧର ଆବିର୍ଭାବ ଘଟିଛି, ତାହା ଏକ ମହାଭାରତ ଯୁଦ୍ଧ ଭଳି। ମହାଭାରତରେ ବିଭିନ୍ନ ଦେଶର ରାଜା ମହାରାଜାମାନେ ଯେପରି ପାଣ୍ତବ ପକ୍ଷ କିମ୍ବା କୌରବ ପକ୍ଷ- ଏ ଦୁଇଟି ମଧୢରୁ କୌଣସି ଗୋଟିଏ ପକ୍ଷରେ ଯୋଗ ଦେବା ଦେଖା ଯାଇଥିଲା, ପୃଥିବୀର ବିଭିନ୍ନ ଦେଶମାନଙ୍କ ସମ୍ମୁଖରେ ବର୍ତ୍ତମାନ ସେହିପରି ଏକ ଦୋଛକି ଦେଖା ଦେଇଛି: ସେମାନେ ନିଜ ଦେଶରେ ୫-ଜି ପ୍ରବର୍ତ୍ତନ ନିମିତ୍ତ ଚୀନ୍‌ର ଅଗ୍ରଣୀ କମ୍ପାନି ହୁଆେଵର ପ୍ରବିଧି ଓ ଉପକରଣ ବ୍ୟବହାର କରିବେ ନା ଏହି ଚୀନା କମ୍ପାନିକୁ ତୀବ୍ର ବିରୋଧ କରୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ୍‌ଙ୍କର ଚେତାବନୀ ମାନି ହୁଆେଵକୁ ବାସନ୍ଦ କରି ତା’ର ପାଶ୍ଚାତ୍ୟ ପ୍ରତିଦ୍ବନ୍ଦ୍ବୀମାନଙ୍କର ଉପକରଣ ଓ ଜ୍ଞାନ କୌଶଳ ବ୍ୟବହାର କରିବେ? ଗତ ସପ୍ତାହରେ ଭାରତର ଦୁଇ ପ୍ରମୁଖ ଟେଲିକମ୍‌ କମ୍ପାନି- ଜିଓ ଏବ˚ ଏଆର‌୍‌ଟେଲ୍‌ ଯେଉଁ ଘୋଷଣା କରିଛନ୍ତି ଯେ ସେମାନେ ଏଠାରେ ୫-ଜିର ପରୀକ୍ଷାମୂଳକ ପ୍ରବର୍ତ୍ତନ ପାଇଁ ହୁଆେଵ ସମେତ କୌଣସି ଚୀନା ଟେଲିକମ୍‌ କମ୍ପାନିର ଉପକରଣ ବ୍ୟବହାର କରିବେ ନାହିଁ, ତାହା ଏହି ପକ୍ଷ ଗ୍ରହଣକାରୀ କସରତର ଅ˚ଶ ବିଶେଷ।
ଏ ଯୁଦ୍ଧର ଚରିତ୍ର ଦେଖିଲେ ଯାହା ମନେ ହୁଏ, ଏଥିରେ ଆମେରିକା ନିଜକୁ ସତ୍ୟ, ନ୍ୟାୟର ରକ୍ଷାକର୍ତ୍ତା ପାଣ୍ତବ ପକ୍ଷ ରୂପେ ଚିତ୍ରିତ କରୁଥିବା ବେଳେ ଚୀନ୍‌ ଓ ହୁଆେଵକୁ ଅଧର୍ମର ପୂଜାରୀ କୌରବ ପକ୍ଷ ରୂପେ ଚିତ୍ରିତ କରୁଛି। ଆମେରିକାର ଅଭିଯୋଗ ହେଲା ଏହା ଯେ ହୁଆେଵର ଚୀନା ସରକାର ଏବ˚ ସେନାବାହିନୀ ସହିତ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଛି ଏବ˚ ତା’ର ଉପକରଣମାନଙ୍କରେ ଖଞ୍ଜା ଯାଇଥିବା ଗୁପ୍ତ ସଫ୍ଟୱେର‌୍‌ ମାଧୢମରେ ବିଭିନ୍ନ ଦେଶର ନିରାପତ୍ତା ସମ୍ପର୍କିତ ଗୋପନୀୟ ତଥ୍ୟମାନ ସ˚ଗୃହୀତ ହୋଇ ଚୀନା ସେନାବାହିନୀ ଓ ସରକାରଙ୍କୁ ଯୋଗାଇ ଦିଆଯିବ। ଏ ଅଭିଯୋଗ ବ୍ୟାପକ ଭାବରେ ପ୍ରମାଣିତ ହୋଇ ନଥିଲେ ମଧୢ କେତେକ ଆଫ୍ରିକୀୟ ଦେଶରେ ଏପରି ଘଟିବାର ପ୍ରମାଣ ଆବିଷ୍କୃତ ହୋଇଛି। ଆମେରିକାରେ ଇଉରୋପୀୟ ସାଥୀ ଦେଶମାନେ ଏ ନେଇ ଏ ପର୍ଯ୍ୟନ୍ତ ନିଜର ନିଶ୍ଚିତ ଆଭିମୁଖ୍ୟ ପ୍ରକାଶ କରି ନ ଥିଲେ ମଧୢ ଅଷ୍ଟ୍ରେଲିଆ, ନିଉଜଲାଣ୍ତ, ଜାପାନ ଭଳି ଆମେରିକାର ଘନିଷ୍ଠ ସହଯୋଗୀ ଦେଶମାନେ ହୁଆେଵକୁ ସମ୍ପୂର୍ଣ୍ଣ ବାସନ୍ଦ କରି ସାରିଲେଣି।
ତେବେ ଏଠାରେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ୫-ଜି ଜ୍ଞାନ କୌଶଳରେ ହୁଆେଵ ବର୍ତ୍ତମାନ ପୃଥିବୀରେ ତା’ର ପ୍ରତିଦ୍ବନ୍ଦ୍ବୀମାନଙ୍କ ତୁଳନାରେ ଏତେ ଅଧିକ ଶକ୍ତିଶାଳୀ ସ୍ଥାନରେ ରହିଛି, ଯାହା ତାକୁ କବଚ କୁଣ୍ତଳଧାରୀ କର୍ଣ୍ଣ ସଦୃଶ କରିଛି। ହୁଆେଵର ଏହି ଶକ୍ତି ତିନିଭାଗରେ ବିଭକ୍ତ: ଅଗ୍ରଣୀ ଜ୍ଞାନକୌଶଳ, ସୁଲଭ ମୂଲ୍ୟ ଏବ˚ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାରେ କ୍ଷିପ୍ରତା। ହୁଆେଵର ନିକଟତମ ପ୍ରତିଦ୍ବନ୍ଦ୍ବୀ ସ୍ବିଡେ଼ନ୍‌ର ଏରିକ୍‌ସନ୍‌ ଏବ˚ ଫିନ୍‌ଲାଣ୍ତର ନୋକିଆ ମଧୢ ୫-ଜି ଜ୍ଞାନ କୌଶଳ ପ୍ରସ୍ତୁତିରେ ଲାଗିଥିଲେ ବି ସେମାନେ ହୁଆେଵ ଠାରୁ ପଛରେ ପଡ଼ିଛନ୍ତି ଏବ˚ ସେମାନଙ୍କର ଉତ୍ପାଦନ ଖର୍ଚ୍ଚ ହୁଆେଵ ଠାରୁ ବେଶ୍‌ ଅଧିକ। ତୃତୀୟରେ, ପୃଥିବୀର ଯେ କୌଣସି ଦୁର୍ଗମ ସ୍ଥାନରେ ମଧୢ ହୁଆେଵ ଯେଉଁଭଳି ତ୍ବରିତ ଗତିରେ ତାର ଉପକରଣମାନ ପହଞ୍ଚାଇ ଦିଏ, ତାର ପ୍ରତିଦ୍ବନ୍ଦ୍ବୀମାନେ ତା’ ସହିତ ଆଦୌ ସମକକ୍ଷ ହୋଇପାରିବେ ନାହିଁ।
ଏଭଳି ଅପ୍ରମିତ ଶକ୍ତିର ଅଧିକାରୀ ହୋଇଥିଲେ ହେଁ ହୁଆେଵର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ଅଧିକାରୀ ରେନ୍‌ ଝେଙ୍ଗ୍‌ଫେଇ ଏବେ ସମସ୍ତଙ୍କୁ ଚକିତ କରି ଦେବାଭଳି ଏକ ଘୋଷଣା କରିଛନ୍ତି ଯେ ସେ ହୁଆେଵର ସମକକ୍ଷ ପ୍ରତିଦ୍ବନ୍ଦ୍ବୀ ସୃଷ୍ଟି କରିବା ପାଇଁ ନିଜର କବଚ କୁଣ୍ତଳ ପରିତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ଯେ ସେ ହୁଆେଵର ୫-ଜି ଜ୍ଞାନ କୌଶଳକୁ କୌଣସି ପ୍ରତିଦ୍ବନ୍ଦ୍ବୀଙ୍କୁ ବିକ୍ରି କରି ଦେବାକୁ ଚାହୁଛନ୍ତି। ଯେଉଁ ପାଶ୍ଚାତ୍ୟ ପ୍ରତିଦ୍ବନ୍ଦ୍ବୀ ଗୋଟିଏ ଥରରେ ମୂଲ୍ୟ ପ୍ରଦାନ କରି ହୁଆେଵ ଠାରୁ ଏହା କ୍ରୟ କରିବ, ସେ ଚିରକାଳ ପାଇଁ ହୁଆେଵର ୫-ଜି ପେଟେଣ୍ଟମାନ, ଲାଇସେନ୍‌ମାନ, କୋଡ୍‌, ବୈଷୟିକ ବ୍ଲୁ-ପ୍ରିଣ୍ଟ ଏବ˚ ଉତ୍ପାଦନ ଜ୍ଞାନ କୌଶଳ ହସ୍ତଗତ କରିବ।
ଯାହା ବର୍ତ୍ତମାନ ପରିପ୍ରେକ୍ଷୀରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା କ୍ରେତା ଜଣକ ହୁଆେଵର ମୂଳ କୋଡ୍‌ ବା ସୋର୍ସ କୋଡ୍‌କୁ ବଦଳାଇ ଦେଇପାରିବେ। ସୋର୍ସ କୋଡ୍‌ ବଦଳିଯିବା ପରେ ନୂତନ କ୍ରେତା କମ୍ପାନି ଦ୍ବାରା ପ୍ରସ୍ତୁତ ସମସ୍ତ ଟେଲିକମ୍‌ ଯନ୍ତ୍ରପାତି ସହିତ ହୁଆେଵ ତଥା ଚୀନା ସରକାରଙ୍କର କୌଣସି ସମ୍ପର୍କ ରହି ପାରିବ ନାହିଁ। ତେଣୁ ପ୍ରତିଦ୍ବନ୍ଦ୍ବୀ କମ୍ପାନି ହୁଆେଵର ଜ୍ଞାନ କୌଶଳ ବ୍ୟବହାର କରି ହୁଆେଵ ସହିତ ପ୍ରତିଯୋଗିତା କରିବ। ଏହା ହୁଆେଵ ଏବ˚ ତାର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ସମାନ ସ୍ଥିତିରେ ସ୍ଥାପନ କରିବ। ତା’ପରେ ଉଭୟ ପକ୍ଷ ନିଜର ବିଦ୍ୟା ବୁଦ୍ଧି ଓ ସାମର୍ଥ୍ୟ ଖଟାଇ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିବେ।
ପ୍ରଶ୍ନ ଉଠୁଛି, ହୁଆେଵ ହଠାତ୍‌ ଏପରି ଦାନୀ କର୍ଣ୍ଣ ପାଲଟି ଗଲା କାହିଁକି? ଉତ୍ତର ହେଉଛି- ଟ୍ରମ୍ପ୍‌। ଟ୍ରମ୍ପ୍‌ ଆମେରିକାର କମ୍ପାନି ଓ ସରକାରଙ୍କୁ ହୁଆେଵ ସହିତ କାରବାର କରିବାକୁ ନିଷେଧ କରିବା ପରେ ହୁଆେଵର ଆୟ ସ୍ରୋତ ଶୁଷ୍କ ହୋଇଯିବାରେ ଲାଗିଛି। ହୁଆେଵର ଆୟର ଅର୍ଦ୍ଧାଧିକ ଆସେ ସ୍ମାର୍ଟ ଫୋନ୍‌ ନିର୍ମାଣ ଓ ବିକ୍ରୟରୁ। ଏହି ଫୋନ୍‌ ତିଆରି ପାଇଁ ହୁଆେଵ ଆମେରିକୀୟ କଂପାନି ଗୁଗ୍‌ଲର ଆଣ୍ତ୍ରଏଡ୍ ଅପରେଟିଙ୍ଗ ସିଷ୍ଟମ୍‌ (ଓଏସ୍‌) ଏବ˚ ଆପ୍‌ମାନଙ୍କ ଉପରେ ନିର୍ଭର କରେ। ଯଦିବା ଆଣ୍ତ୍ରଏଡ୍‌ ହେଉଛି ଓପନ୍‌ ସୋର୍ସ ବା ଖୋଲାରେ ମିଳୁଥିବା ଓଏସ୍‌, ଆପ୍‌ଗୁଡ଼ିକ କିନ୍ତୁ ଗୁଗ୍‌ଲ ଆଉ ହୁଆେଵକୁ ଦେଇପାରିବ ନାହିଁ। ନିକଟ ଭବିଷ୍ୟତରେ ହୁଆେଵ ଏସବୁ ନିଜେ ତିଆରି କରିବା ସମ୍ଭବ ନୁହେଁ। ଏଣୁ ବଞ୍ଚି ରହିବାକୁ ହେଲେ ହୁଆେଵଙ୍କୁ ନିଜର ଏକାଧିପତ୍ୟ ତ୍ୟାଗ କରି ଟ୍ରମ୍ପ୍‌ଙ୍କ ବାସନ୍ଦରୁ ରକ୍ଷା ପାଇବାକୁ ପଡ଼ିବ। ସେଇଥିପାଇଁ ହିଁ ହୁଆେଵ ଏପରି ଦାନୀ କର୍ଣ୍ଣ ପାଲଟିଛି। କିନ୍ତୁ ତା’ସତ୍ତ୍ବେ ଯେ ହୁଆେଵ ସମସ୍ତ ସନ୍ଦେହର ବଳୟ ଭେଦ କରି ବିଶ୍ବ ସମୁଦାୟ ନିକଟରେ ଗ୍ରହଣୀୟ ହୋଇଯିବ, ତାର କୌଣସି ନିଶ୍ଚିତତା ନାହିଁ।

ସମ୍ବନ୍ଧିତ ଖବର